ଆତ୍ମଘୋଷିତ ଫାଇଭ-ଟି ସଚିବ ଭି. କେ. ପାଣ୍ଡିଆନଙ୍କ ମୁଖ୍ୟମନ୍ତ୍ରୀ ପଦ ଲାଳସା ଦିନକୁ ଦିନ ଉଗ୍ର ହୋଇଉଠୁଛି। ସମାଜର ଅନ୍ୟ ବର୍ଗଙ୍କ ପରି ଛାତ୍ରଛାତ୍ରୀମାନଙ୍କୁ ନିଜ ଅକ୍ତିଆରକୁ ଆଣିବା ପାଇଁ ଓ ଭିଡ଼ ସୃଷ୍ଟି ପାଇଁ ପାଣ୍ଡିଆନ ଅଭିନବ କୌଶଳ ଅବଲମ୍ବନ କରିଛନ୍ତି। ନୈତିକତା ଓ ମୂଲ୍ୟବୋଧର ପାଠ ପଢ଼ାଇବାର ଆଳରେ ସ୍କୁଲ ଓ କଲେଜ ପିଲାମାନଙ୍କୁ ଜବରଦସ୍ତ ନିଜ ସଭାକୁ ଟାଣୁଛନ୍ତି। ରାଜନୈତିକ କର୍ମୀଙ୍କୁ ସଭା ସ୍ଥଳକୁ ଅଣାଯିବା ପରି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଉପରେ ଚାପ ପ୍ରୟୋଗ କରି ଶିକ୍ଷାନୁଷ୍ଠାନ ଦୁଆରେ ଗାଡ଼ିଘୋଡ଼ା ଲଗାଇ ଛାତ୍ରଛାତ୍ରୀମାନଙ୍କୁ ଅଣାଯାଇଛି।
ବିଦ୍ୟାର୍ଥୀ ହେଉଛନ୍ତି ରାଷ୍ଟ୍ରର ଭବିଷ୍ୟତ। ତେଣୁ ତାଙ୍କର ଆତ୍ମସମ୍ମାନ ଓ ସ୍ବାଭିମାନ ପ୍ରତି ସମାଜ ଓ ରାଷ୍ଟ୍ର ଯତ୍ନବାନ ହେବା ଦରକାର। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଜଣେ ଅଫିସର ନିଜ ସ୍ବାର୍ଥ ପାଇଁ ଏମାନଙ୍କୁ ବ୍ୟବହାର କରୁଛନ୍ତି ଅଥଚ ଅଭିଭାବକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନାହିଁ। ସତ କଥା ହେଲା, ଆସନ୍ତା ନିର୍ବାଚନରେ ପାଣ୍ଡିଆନ ନେତୃତ୍ବାଧୀନ ବିଜେଡି ଭୋଟ ବାକ୍ସକୁ ଉଛୁଳେଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଛାୟା କର୍ମୀ ଭାବେ ବ୍ୟବହାର କରାଯାଉଛି। ଦୀର୍ଘ କାଳ ଧରି ଦୁର୍ନୀତିରେ ଲିପ୍ତ ଥିବା ତଳ ସ୍ତରର ବିଜେଡି କର୍ମୀମାନେ ବଦନାମ ହେଇସାରିଛନ୍ତି। ତେଣୁ ନୂତନ କର୍ମୀ ଓ ଭୋଟରଙ୍କ ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣ୍ଡିଆନ ଛାତ୍ରଛାତ୍ରୀଙ୍କ ଉପରେ ଜାଲ ଫିଙ୍ଗୁଛନ୍ତି। ଗୋଟେ ପଟେ ବିଜେଡି ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ରମାନଙ୍କ ଲାଗି ନେତୃତ୍ବ ଦେବାର ବାଟ ବନ୍ଦ କରିଦେଇଛି, ଅନ୍ୟ ପଟେ ଏବେ ଏମାନଙ୍କୁ ଦଳର ଟହଲିଆ କରିବା ଯୋଜନାରେ ଲାଗି ପଡ଼ିଛି।
ପିଲାମାନଙ୍କୁ ପାଣ୍ଡିଆନଙ୍କ ସଭାକୁ ଅଣାଯିବା ପଛରେ ଯେମିତି ମନ୍ଦ ଲକ୍ଷ୍ୟ ରହିଛି, ଛାତ୍ରସଂସଦ ନିର୍ବାଚନ ବନ୍ଦ କରିବା ପଛରେ ବିଜେଡି ସରକାରର ମଧ୍ୟ ସେମିତି ଅଗଣତାନ୍ତ୍ରିକ ଉଦ୍ଦେଶ୍ୟ ରହିଛି। ଆମ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟଗୁଡ଼ିକ ପାଠପଢ଼ା ପାଇଁ ଉଦ୍ଦିଷ୍ଟ ଥିଲେ ମଧ୍ୟ ଏ ସବୁକୁ ଗୋଟିଏ ଗୋଟିଏ ନେତୃତ୍ବ ନିର୍ମାଣ କାରଖାନା ବୋଲି କହିଲେ ଭୁଲ୍ ହେବନାହିଁ। ଛାତ୍ର ସଂସଦ ନିର୍ବାଚନ ମାଧ୍ୟମରେ ଛାତ୍ର ନେତା ସୃଷ୍ଟି ହୁଅନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ ଏହି ଛାତ୍ର ନେତୃତ୍ବ ସାଧାରଣ ରାଜନୀତିରେ ପ୍ରବେଶ କରେ। ଏହି ଛାତ୍ର ନେତାମାନେ ଜନପ୍ରତିନିଧି ହେବା ସହ ସମାଜର ବିଭିନ୍ନ ସଂଗଠନର ନେତୃତ୍ୱ ନେଇଥାନ୍ତି। ଛାତ୍ର ପ୍ରତିନିଧିମାନଙ୍କ ରାଜନୀତି କେବଳ ଯେ ଶିକ୍ଷାନୁଷ୍ଠାନ ପରିସରର ସୀମିତ ରହିଥାଏ, ତାହା ନୁହେଁ, ବରଂ ରାଜ୍ୟ ତଥା ଦେଶରେ ଘଟୁଥିବା ବିଭିନ୍ନ ଘଟଣା ଓ ସରକାରୀ କାର୍ଯ୍ୟକଳାପ ତଥା ବ୍ୟବସ୍ଥା ସମ୍ପର୍କିତ ନାନାଦି ବିଷୟ ଉପରେ ଛାତ୍ର ସଂସଦ ଦୃଷ୍ଟି ରଖେ, ଆବଶ୍ୟକ ପଡ଼ିଲେ ସଂପୃକ୍ତ ହୁଏ ଏବଂ ବେଳେ ବେଳେ ହସ୍ତକ୍ଷେପ କରି ବିଭିନ୍ନ ବାଟରେ ନିଜର ପ୍ରଭାବ, ପ୍ରତିକ୍ରିୟା ଏବଂ ମତ ପ୍ରକାଶ କରିଥାଏ। ସମାଜ ତଥା ରାଷ୍ଟ୍ରର ମଙ୍ଗଳରେ ଅନ୍ତରାୟ ସୃଷ୍ଟି କରାଯିବା ହେଉଛି ଏକ ସାମାଜିକ ଅଲକ୍ଷଣ। ସରକାରଙ୍କ ସ୍ୱେଚ୍ଛାଚାରିତା, ବ୍ୟବସ୍ଥାର ଦୁର୍ବଳତା ବିରୋଧରେ ବିନା ଦ୍ବିଧାରେ ଛାତ୍ରମାନେ ସ୍ବର ଉଠାଇ ପାରନ୍ତି। ପୂର୍ବେ ଅନେକ ବିଷୟ ଉପରେ ଛାତ୍ର ଆନ୍ଦୋଳନ ସଂଗଠିତ ହେଉଥିଲା। ଛାତ୍ରନେତାମାନଙ୍କ ନେତୃତ୍ୱରେ ଆନ୍ଦୋଳନ କ୍ୟାମ୍ପସ୍ ପରିସର ଡେଇଁ ସମଗ୍ର ରାଜ୍ୟକୁ ଘୋଟି ପକାଉଥିଲା। ସରକାର ବାଧ୍ୟ ହୋଇ ନିଜର ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ। ଅତଏବ ଛାତ୍ରମାନେ ଥିଲେ ଏକ ବୃହତ୍ ସକ୍ରିୟ ଗୋଷ୍ଠୀ, ଯେଉଁମାନେ ସକାରାତ୍ମକ ପରିବର୍ତ୍ତନ ଲାଗି ଚାପ ସୃଷ୍ଟି କରି ପାରୁଥିଲେ।
କିନ୍ତୁ ଛାତ୍ର ସଂସଦ ନିର୍ବାଚନକୁ ଆମ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି। ଗଣତନ୍ତ୍ରର କଣ୍ଠରୋଧ କରିବାର ଏହା ଆମ ସରକାରଙ୍କର ଅନ୍ୟତମ ସଫଳ ପଦକ୍ଷେପ। ନା ରହିବ ବାଉଁଶ ନା ବାଜିବ ବଇଁଶୀ! ନା ତିଆରି ହେବେ ଛାତ୍ର ନେତା ନା ସରକାରଙ୍କ ଦୋଷ ଦୁର୍ବଳତା ବିରୋଧରେ ନିର୍ଭୀକ ସ୍ବର ଉଠିବ। ନା ହେବ ଛାତ୍ର ରାଜନୀତି ନା ନିର୍ମିତ ହେବେ ମୂଲ୍ୟବୋଧ ଯୁକ୍ତ ରାଜନେତା। ବିଜେଡି ପାଇଁ ନେତା ଠାରୁ ବୋଲକରା ପ୍ରତିନିଧିଙ୍କ ଆବଶ୍ୟକତା ଅଧିକ। କେବଳ ତାଙ୍କ ଦଳରେ ନୁହେଁ; ଅନ୍ୟ କୌଣସି ଦଳରେ ଯେମିତି ସ୍ବାଭିମାନୀ ନେତା ଆଗକୁ ନ ଯାଆନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ବିଜେଡି ବେଶ ଯତ୍ନବାନ। କାରଣ ମୂଲ୍ୟବୋଧ ଭିତ୍ତିକ ରାଜନୀତି କରୁଥିବା ନେତା ବିଜେଡି ପାଇଁ ବିପଦ ସୃଷ୍ଟି କରିପାରନ୍ତି। ଛାତ୍ର ରାଜନୀତିରୁ ସାଧାରଣ ରାଜନୀତିକୁ ଆସୁଥିବା ପ୍ରାୟ ସମସ୍ତ ନେତାଙ୍କ ଠାରେ କେତେକ ସର୍ବନିମ୍ନ ମୂଲ୍ୟବୋଧ ଥାଏ। ତେଣୁ ଏମାନେ ଅନେକ ସମୟରେ ସରକାର ପାଇଁ ବିପଦ ହୋଇପାରନ୍ତି। ଦୀର୍ଘ କାଳ ଗୋଟିଏ ଦଳ ସରକାରରେ ରହିଲେ ଜନତାଙ୍କ ହିତ ସାଧନ ପରିବର୍ତ୍ତେ ନିଜ କ୍ଷମତାକୁ ଚିରସ୍ଥାୟୀ କରିବାରେ ଲାଗିପଡ଼େ। କ୍ଷମତାର ମହୁ ଓ ମୋହରେ ପାଗଳ ହୋଇ ଅନେକ ଅଗଣତାନ୍ତ୍ରିକ ପଦକ୍ଷେପ ନେଇଥାଏ। ଏହି ପରିପ୍ରେକ୍ଷୀରେ କୁହାଯାଇପାରିବ ଯେ ସବୁ ଦିନ କ୍ଷମତାରେ ରହିବାକୁ ଷଡ୍ଯନ୍ତ୍ର କରୁଥିବା ବିଜେଡି ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରି ନେତୃତ୍ୱର ଭ୍ରୂଣହତ୍ୟା କରିଛି।
ମୋ: ୯୪୩୮୦୧୬୪୦୧
ନେତୃତ୍ବର ଭ୍ରୂଣହତ୍ୟା
ସରୋଜ ବିଶ୍ବାଳ
/sambad/media/post_attachments/wp-content/uploads/2023/09/4654fs65hfsfsh.jpg)