ସିପାହି ବାବୁ

ହୃଦୟରଞ୍ଜନ ଶତପଥୀ

ଦୀପୁ ଓ ବିଜୁ ଦୁହେଁ ଘନିଷ୍ଠ ବାଲ୍ୟ ବନ୍ଧୁ। ସେମାନେ ପ୍ରଥମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଗାଁ ସ୍କୁଲ୍‌ରେ ପଢ଼ିଛନ୍ତି। ଜଗାର ବିଜ୍ଞାନରେ ବହୁତ ଆଗ୍ରହ ଏବ˚ ବିଜୁର ଇଂ‌ରେଜୀରେ। ଯେତେବେଳେ ଶ୍ରେଣୀ ଗୃହରେ ସାର‌୍‌ ସେମାନଙ୍କ ଜୀବନର ଲକ୍ଷ୍ୟ ବିଷୟରେ ପଚାରନ୍ତି ଜଗା କହେ ଡାକ୍ତର ହେବ ଏବ˚ ବିଜୁ କହେ ଯେ ସେ ବଡ଼ ଅଫିସର ହେବ। ଦୁହେଁ ମାଟ୍ରିକ୍‌ରେ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ। ତା’ ପରେ ସେମାନେ ନିଷ୍ପତ୍ତି କଲେ ଯେ ଓଡ଼ିଶାର ପ୍ରତିଷ୍ଠିତ କଲେଜରେ ନାମ ଲେଖାଇବେ ଏବ˚ ନିଜ ନିଜର ଲକ୍ଷ୍ୟ ହାସଲ ପାଇଁ ଅଧୢବସାୟ କରିବେ।

ଏହି ସମୟରେ ଜଗାର ଜୀବନରେ ଏକ ଦାରୁଣ ଘଟଣା ଘଟିଲା। ତା’ ବାପାଙ୍କର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଲା। ଘରେ ନିଜ ମା’ ଏବ˚ ଦୁଇଟି ସାନ ଭଉଣୀ। ଏହି ଅପ୍ରତ୍ୟାଶିତ ଘଟଣାରେ ଜଗାର ଜୀବନ ଓଲଟପାଲଟ ହୋଇଗଲା। ପରିବାର ଚଳେଇବା ପାଇଁ ସେ ଏବେ ଚାକିରି ଅନ୍ବେଷଣରେ ଲାଗିଲା ଏବ˚ ସୌଭାଗ୍ୟ କ୍ରମେ ତାକୁ ଗୋଟିଏ ପୁଲିସ ସିପାହି ଚାକିରି ମିଳିଗଲା। ବିଜୁ କିନ୍ତୁ ଏକ ଭଲ କଲେଜରେ ପଢ଼ିଲା। ସ୍ନାତକ ହେବା ପରେ ଦିଲ୍ଲୀ ଯାଇ ଇଂରେଜୀରେ ଏମ୍‌.ଏ. ପଢ଼ି ପ୍ରଥମ ସ୍ଥାନ ଅଧିକାର କଲା। ତା’ ପରେ ସର୍ବଭାରତୀୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜଣେ ଆଇପିଏସ୍‌ ଅଫିସର ଭାବରେ ଓଡ଼ିଶାରେ ଚାକିରି ଆରମ୍ଭ କଲା। ଏହା ଭିତରେ ଦୁଇ ବନ୍ଧୁଙ୍କର ସମ୍ପର୍କ କିନ୍ତୁ ପୂର୍ବ ଭଳି ଅତି ନିବିଡ଼ ରହିଥିଲା। ସମୟ କ୍ରମେ ଜଗା ହାବିଲ୍‌ଦାର ଏବଂ ବିଜୁ ପୁଲିସ ଡିଜି ଭାବେ ଅବସ୍ଥାପିତ ହେଲେ। ଗାଁରେ ଜଗା ସିପାହି ବାବୁ ଏବ˚ ବିଜୁ ବଡ଼ ସିପାହି ବାବୁ ବୋଲି ସ୍ନେହେ ସମ୍ବୋଧିତ। ବ୍ୟକ୍ତିଗତ ତଥା ପେସାଗତ ଜୀବନରେ ଉଭୟେ ନୈତିକ ମୂଲ୍ୟବୋଧର ପରାକାଷ୍ଠା ବଜାୟ ରଖିଲେ। ଦକ୍ଷତା ପାଇଁ ସେମାନେ ସହକର୍ମୀ ତଥା ଉପରିସ୍ଥ ଅଧିକାରୀମାନଙ୍କ ଉଦାହରଣୀୟ ଓ ପ୍ରଶଂସିତ ହେଲେ ମଧ୍ୟ।

ଗାଁ ନିକଟସ୍ଥ ଏକ ଥାନା ଜଗାର କର୍ମ ସ୍ଥଳ। ତା’ର ନିଷ୍ଠା ସକା‌େଶ ସକାଳୁ ସକାଳୁ ଥାନା ବଡ଼ବାବୁ ଆସି ପ୍ରଥମେ ଜଗାକୁ ଖୋଜନ୍ତି। ତେଣୁ ସେ ଡ୍ୟୁଟି ସମୟ ଆଗରୁ ଥାନାରେ ପହଞ୍ଚେ। ସବୁ କାମ ଭଲ ଭାବେ ସାରି ଘରକୁ ଫେରୁ ଫେରୁ ରାତି ଆଠଟାରୁ ନଅଟା ବାଜିଯାଏ। ଅ‌େନକ ସମୟରେ ରାତ୍ରି ଭୋଜନ ପରେ ବିଛଣାରେ ଶୋଇବାକୁ ଯାଉଥିବା ବେଳେ ଡାକରା ଆସେ। ନିଜର ପେସାଗତ ଜୀବନର ସମସ୍ତ ପ୍ରତିକୂଳତା ସତ୍ତ୍ବେ ଜଗା ନିଜର ପିଲା ଦିଓଟିଙ୍କୁ ଉପଯୁକ୍ତ ଶିକ୍ଷା ଦେବାରେ ଅତି ଯତ୍ନଶୀଳ; ଫଳରେ ତା’ର ପୁଅ ଓ ଝିଅ ଉଭୟେ ଡାକ୍ତର ହୋଇଛନ୍ତି। ତା’ର ପିଲା ଦ୍ବୟ ସମୟାନୁବର୍ତ୍ତୀ, ଭଦ୍ର ଏବଂ ସର୍ବଦା ସାଧାରଣଲୋକଙ୍କୁ ସାହାଯ୍ୟ କରିବା ଲାଗି ଆଗ୍ରହୀ। ତେଣୁ ସମସ୍ତଙ୍କ ପାଖରେ ପ୍ରିୟ ଏହି ସିପାହି ବାବୁ ଓ ତାଙ୍କ ପରିବାର।

ସେମିତି ବିଜୁ। ନିଜ ବିଭାଗର ସର୍ବୋଚ୍ଚ ପଦରେ ରହିଥିବା ଯୋଗୁଁ ଦିନରାତି ସବୁବେଳେ ବ୍ୟସ୍ତ। ସମସ୍ତ ଆନ୍ତରିକତା ସତ୍ତ୍ବେ ଛୁଟିରେ ଗାଁକୁ ଯାଇପାରେ ନାହିଁ। ନିଜ ବାଲ୍ୟ ବନ୍ଧୁ ଦୁହିଁଙ୍କୁ ଦେଖା ସାକ୍ଷାତ କରିପାରେ ନାହିଁ। କେତେବେଳେ କେମିତି ଫୋନ୍‌ରେ ଦି’ପଦ କଥା ହୋଇଯାଏ। ବଡ଼ ସିପାହି ବାବୁଙ୍କ ହେପାଜତରେ ପୂରା ରାଜ୍ୟର ଆଇନ ଶୃଙ୍ଖଳା। ‌େତଣୁ ତା’ର ବ୍ୟସ୍ତତା ବିଷୟରେ ଅନ୍ଦାଜ କରିହେବ। ଅନେକ ସମୟରେ ଘରକୁ ମଧୢାହ୍ନ ଭୋଜନ ପାଇଁ ମଧ୍ୟ ଠିକ୍‌ ସମୟରେ ପହଞ୍ଚି ପାରେ ନାହିଁ। ତେଣୁ ପତ୍ନୀଙ୍କର ଭାରି ଅଭିମାନ। ସମସ୍ତେ ଜାଣନ୍ତି ଯେ ବଡ଼ ସିପାହି ବାବୁ ଜଣେ ଅତି ସଚ୍ଚୋଟ ଏବ˚ ଦକ୍ଷ ଅଫିସର। କିନ୍ତୁ ଏଣେ ନିଜ ଘରେ ପତ୍ନୀ ତଥା ପିଲାଙ୍କ ପାଇଁ ସମୟ ନାହିଁ। ଏକମାତ୍ର ପୁଅ ଅତି ମେଧାବୀ କିନ୍ତୁ ଆଜିକାଲିର ପିଲାଙ୍କ ଭଳି ବିଭିନ୍ନ ମୋବାଇଲ ଗେମ୍‌ରେ ବ୍ୟସ୍ତ ଥାଏ। ସେଥି ଲାଗି ବିଜୁର ପତ୍ନୀ ତାକୁ ତାଗିଦ କରନ୍ତି, ଯାହାକୁ ସେ ଶୁଣେନା। ଦିନକର କଥା। ବିଜୁ ମଧ୍ୟାହ୍ନ ଭୋଜନ ବେଳେ ଘରକୁ ଆସି ପତ୍ନୀଙ୍କ ଠାରୁ ଅମାନିଆ ପୁଅ ସଂପର୍କରେ ଅଭିଯୋଗ ଶୁଣିବା ପରେ ବେଶ୍‌ କଡ଼ା ଭାଷାରେ ଦୁଇ ପଦ ଗାଳି ଦେଇ ଅଫିସ ଚାଲିଗଲା। କିନ୍ତୁ ଘଣ୍ଟାକ ପରେ ସେ ଯେଉଁ ନିଦାରୁଣ ଖବର ପାଇଲା, ସେଥିରେ ତା’ର ପାଦ ତଳୁ ଯେମିତି ମାଟି ଧସିଗଲା। ଘରେ ତା’ ପୁଅ ଆତ୍ମହତ୍ୟା କରିଥିଲା।
ତା’ ପରେ ବିଜୁର ଜୀବନ ବଦଳି ଗଲା। ଘରେ ବିଷାଦଗ୍ରସ୍ତ ପତ୍ନୀ ଏବଂ ଉଭୟେ ଏକ ଉତ୍କଟ ଗ୍ଳାନିବୋଧ ଦ୍ବାରା ଜର୍ଜରିତ। କିନ୍ତୁ ତାହା ବିଜୁର ପେସାଗତ ଦକ୍ଷତା ବା ସାଧୁତାରେ ଆଞ୍ଚ ଆଣି ନ ଥିଲା। କରୋନା ସମୟରେ ସରକାରୀ କଟକଣାକୁ କଡ଼ାକଡ଼ି କରିବାରେ ବିଜୁର ନିଷ୍ଠା ତାକୁ ଅନେକ ପ୍ରଭାବଶାଳୀ ବ୍ୟବସାୟୀ ଗୋଷ୍ଠୀଙ୍କର ଅପ୍ରିୟ କରିଦେଲା। ଦିନେ ବିଜୁ ଖବର ପାଇଲା ଯେ ତାକୁ ମୁଖ୍ୟ ପଦରୁ ଅପସାରଣ କରିବାର ଯୋଜନା ଚାଲିଛି। ତେଣୁ ତା’ ପୂର୍ବରୁ ସେ ସ୍ବେଚ୍ଛାକୃତ ଅବସର ନେଇଗଲା। ସେହି ଦିନ ତାକୁ ଅତ୍ୟନ୍ତ ଉଶ୍ବାସ ଲାଗିଥିଲା।

ଏବେ ଦୁଇ ବନ୍ଧୁ ଗାଁରେ ରହୁଛନ୍ତି। ଦୁହେଁ ଅବସରପ୍ରାପ୍ତ। ପୁଅର ମୃତ୍ୟୁ ପରେ ରାଜଧାନୀରେ କରିଥିବା ଘ‌େର ରହି ଆହୁରି ନିଃସଙ୍ଗତା ବରଣ କରିବା ବିଜୁ ଲାଗି ଆଦୌ ଗ୍ରହଣୀୟ ନ ଥିଲା। ତା’ ପତ୍ନୀ ବି ସହମତ ଥିଲେ। ଏଣେ ଜଗାର ପିଲାମାନେ ଗାଁ ପାଖରେ ଡାକ୍ତର। ଦେହ ପା’ ଭଲ ମନ୍ଦ ସବୁଥି ଲାଗି ସେମାନେ ତ ଅଛନ୍ତି! ଆଉ ସବୁଠାରୁ ବଡ଼ କଥା ହେଲା ଜଗା ଅଛି। ଦୁଇ ସିପାହି ବାବୁ ଏବେ ଯେତେବେଳେ ଗାଁ ପିଣ୍ଡିରେ ଏକାଠି ବସି ଗପସପ କରନ୍ତି, ସେତିକି ‌ବେଳେ କେହି ବିଶ୍ବାସ କରି ପାରନ୍ତି ନାହିଁ ‌େଯ ପୁଲିସ ବିଭାଗ ଭଳି ଏକ ଆଦବକାଇଦା ଭରା ଏବଂ ତୀଖ ସୋପାନୀକୃତ ବିଭାଗରେ ଜଣେ ଗୋଟିଏ ନିମ୍ନ ପଦରେ ତ ଆଉ ଜଣେ ସର୍ବୋଚ୍ଚ ପଦରେ ଆସୀନ ଥିଲେ। ଦୁହେଁ ଅନେକ ଦୁଃଖଦୁର୍ଦଶା ଦେଖିଛନ୍ତି, ଉତ୍‌ଥାନ ପତନ ଭିତର ଦେଇ ଯାଇଛନ୍ତି; କିନ୍ତୁ ତାହା ସେମାନଙ୍କୁ ବଦଳାଇ ଦେଇ ନାହିଁ। ସଫଳତା, ବିଫଳତା, ଆଶା-ପ୍ରତ୍ୟାଶା, ହୀନମନ୍ୟତା ଓ ଅହଂକାର ଆଦି ଠାରୁ ଊର୍ଦ୍ଧ୍ବକୁ ଉଠି କେବଳ ନିରୋଳା ମଣିଷ ଭାବେ ଦୁଇ ସିପାହି ବାବୁଙ୍କ ପାରସ୍ପରିକ ଶ୍ରଦ୍ଧାର କଥା ଏବେ ସବୁରି ମୁଖରେ।
ମୋ-୯୮୬୧୧୨୪୨୦୨

ସମ୍ବନ୍ଧିତ ଖବର