ଦୁର୍ନୀତି, ଫ୍ରାନ୍‌ସିସ୍‌ ବେକନ୍‌ ଓ କୌଟିଲ୍ୟ

ଶ୍ରୁତକୀର୍ତ୍ତି ତ୍ରିପାଠୀ

ଏବେ ନିୟମିତ ଭାବେ ଖବରକାଗଜରେ ବା ଟେଲିଭିଜନ ନ୍ୟୁଜ୍‌ରେ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ପାଖରୁ କୋଟି କୋଟି ଟଙ୍କା ମୂଲ୍ୟର ଆୟ ବହିର୍ଭୂତ ସଂପତ୍ତି ଜବତ କଥା ପ୍ରକାଶିତ ଓ ପ୍ରସାରିତ ‌େହଉଛି। ସୁତରାଂ, ଦୁର୍ନୀତି ‌ଯେ ଏକ ମାରାତ୍ମକ ସାମାଜିକ ବ୍ୟାଧିରେ ପରିଣତ ହେଲାଣି, ତାହା କହିବା ବାହୁଲ୍ୟ ମାତ୍ର। ଦୁର୍ନୀତି ହେଉଛି ଦୁଃ-ନୀତି ବା ଖରାପ ନୀତି ବା ଯାହା ସୁନୀତି ବିରୁଦ୍ଧ। ଏହାର ପରିସର ଅତ୍ୟନ୍ତ ବ୍ୟାପକ। ଯେମିତି କି ଜଣେ ସଚ୍ଚୋଟ ସ୍ବଭାବର ବ୍ୟକ୍ତି ଯଦି ସମୟାନୁବର୍ତ୍ତୀ ନ ହୁଅନ୍ତି ବା ଦପ୍ତରରେ କାମ କଲା ବେଳେ ଆଳସ୍ୟ ପ୍ରଦର୍ଶନ କରନ୍ତି, ତେବେ ସେ ମଧ୍ୟ ଦୁର୍ନୀତିଗ୍ରସ୍ତ ବୋଲି ବିବେଚିତ ହେବା କଥା। କିନ୍ତୁ ସାଧାରଣତଃ ଆମେ ଦୁର୍ନୀତି କହିଲେ ଟଙ୍କା ପଇସାର ଅନୈତିକ କାରବାର ବୋଲି ବୁଝିଥାଉ, ଯାହା ଭିତରେ ଲାଞ୍ଚ ବା ସରକାରୀ ଟଙ୍କା ବାଟମାରଣା ଇତ୍ୟାଦି ଅନ୍ତର୍ଭୁକ୍ତ।

ଦୁର୍ନୀତିର ମୂଳ ହେଉଛି ସ୍ବାର୍ଥପରତା ଓ ଲୋଭ। ଯେବେ ଠାରୁ ମନୁଷ୍ୟ ମନରେ ଏହା ରହିଛି, ଦୁର୍ନୀତି ସେବେ ଠାରୁ ଅଛି। ତେଣୁ ଦୁର୍ନୀତି ଆବହମାନ କାଳରୁ ମଣିଷ ଭିତରେ ଅଛି ବୋଲି କହିହେବ। ବିଖ୍ୟାତ ବ୍ରିଟିସ୍‌ ଦାର୍ଶନିକ, କୂଟନୀତିଜ୍ଞ ଏବଂ ଆଇନଜୀବୀ ସାର୍ ଫ୍ରାନ୍‌ସିସ୍ ବେକନ୍ ଥିଲେ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ। ଉଭୟ ଲାଞ୍ଚ ଦେବା ଏବଂ ନେବାରେ ତାଙ୍କର ତିଳେ ହେଲେ କୁଣ୍ଠା ନ ଥିଲା। ଥରେ ଲାଞ୍ଚ ନେବା ବେଳେ ସେ ଧରା ପଡ଼ିଲେ। ସେତେବେଳେ ସେ ଅତି ସହଜ ଭାବରେ କହିଥିଲେ ଯେ ସେ ଉଭୟ ଦଳ ପକ୍ଷରୁ ଲାଞ୍ଚ ନିଅନ୍ତି; କାରଣ ଉଭୟ ପକ୍ଷରୁ ଲାଞ୍ଚ ନେଲେ କୌଣସି ନିଷ୍ପତ୍ତି ନେଲା ବେଳେ ତାଙ୍କୁ ଅସୁବିଧା ହୁଏ ନାହିଁ। ଏହାର ଅର୍ଥ ହେଲା ଉଭୟ ପକ୍ଷରୁ ଲାଞ୍ଚ ନେଇଥିବାରୁ କୌଣସି ନିର୍ଦ୍ଦିଷ୍ଟ ଦଳ ପ୍ରତି ପକ୍ଷପାତୀ ହେବାର ଦାୟବଦ୍ଧତା ନ ଥାଏ। ଫ୍ରାନ୍‌ସିସ ବେକନଙ୍କୁ ଏଥି ଲାଗି ଜେଲ୍‌ରେ ପୂରାଇ ଦିଆଯାଇଥିଲା। କିନ୍ତୁ ଅଳ୍ପ କିଛି ଦିନ ମଧ୍ୟରେ ସେ ମୁକୁଳି ପାରିଥିଲେ; କାରଣ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଲାଞ୍ଚ ଦେଇ ସେ କରାୟତ୍ତ କରିପାରିଥିଲେ।

ଦୁର୍ନୀତି ଯୋଗୁଁ ଗୋଟିଏ ରାଷ୍ଟ୍ର ଅନେକ କ୍ଷତି ସହିଥାଏ। ଏହା ଦ୍ବାରା ରାଷ୍ଟ୍ରର ବିକାଶ ବାଧାପ୍ରାପ୍ତ ହୁଏ ଏବଂ ଦୁର୍ନୀତି କାରଣରୁ ଭିତ୍ତିଭୂମି ଓ ସରକାରୀ ଅନୁଷ୍ଠାନଗୁଡ଼ିକ ଦୁର୍ବଳ ହୋଇପଡ଼ି ରାଷ୍ଟ୍ରକୁ ଆଗକୁ ବଢ଼ିବାକୁ ଦିଅନ୍ତି ନାହିଁ ଏବଂ ‌େଦଶବାସୀଙ୍କ ଜୀବନକୁ ଦୁର୍ବିଷହ କରି ପକାନ୍ତି। ଏହି କାରଣରୁ ମାନବ ବିକାଶ ସୂଚକାଙ୍କ ତାଲିକାରେ ନିମ୍ନରେ ରହୁଥିବା ରାଷ୍ଟ୍ରଗୁଡ଼ିକ ସର୍ବଦା ଅସମ୍ଭବ ଭାବେ ଦୁର୍ନୀତିଗ୍ରସ୍ତ ହୋଇଥାଆନ୍ତି ଏବଂ ସେହି ଦୁର୍ନୀତି ହିଁ ସେଗୁଡ଼ିକର ଅଧଃ ପତନ ଲାଗି ଦାୟୀ ହୋଇଥାଏ। ଏକ ସର୍ଭେ କହିଥାଏ ଯେ ୮୯% ଭାରତୀୟ ଦୁର୍ନୀତିକୁ ଏକ ବଡ଼ ସମସ୍ୟା ଭାବେ ବିଚାର କରନ୍ତି। ଏହା ସ୍ବାଭାବିକ। କାରଣ ଏସିଆର ସର୍ବାଧିକ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ର ଭାବେ ଭାରତର ନାମ ରହିଛି। ଦ୍ବିତୀୟରେ ରହିଛି କମ୍ବୋଡ଼ିଆ ଏବଂ ତୃତୀୟରେ ଇଣ୍ଡୋ‌େନସିଆ। କିନ୍ତୁ ଭାରତ ଲାଗି ବିଡ଼ମ୍ବନା ହେଲା ଯେଉଁ ୮୯ ପ୍ରତିଶତ ଲୋକ ଦୁର୍ନୀତିକୁ ଏକ ସମସ୍ୟା ବୋଲି ବିଚାର କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ବୟଂ ଦୁର୍ନୀତିଗ୍ରସ୍ତ ହୋଇଥିବା ନିଶ୍ଚିତ। କୌଟିଲ୍ୟ ତାଙ୍କ ଦ୍ବାରା ରଚିତ ଅର୍ଥଶାସ୍ତ୍ରରେ ଦୁର୍ନୀତି ଓ ଲାଞ୍ଚ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଶୁଣାଯାଏ, କୌଟିଲ୍ୟ ଯେତେବେଳେ ରାତିରେ ରାଜକାର୍ଯ୍ୟରେ ନିୟୋଜିତ ହେଉଥିଲେ, ସେତିକି ବେଳେ ସେ ରାଜକୋଷର ବ୍ୟୟରେ କିଣା ଯାଇଥିବା ତୈଳକୁ ଦୀପରେ ବ୍ୟବହାର କରୁଥିଲେ। ରାଜକାର୍ଯ୍ୟ ସରିଗଲେ ତାକୁ ଲିଭାଇ ନିଜ ଆୟରୁ କିଣାଯାଇଥିବା ତୈଳର ଦୀପ ପ୍ରଜ୍ଜ୍ବଳନ କରୁଥିଲେ। ଏ ପ୍ରକାର ନୀତିନିଷ୍ଠତା ଆଜି କେତେ ବିରଳ ସତେ?

ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଆମେମାନେ ଯଦି ଦୁର୍ନୀତିକୁ କେବଳ ସରକାରୀ କର୍ମଚାରୀ ବା ରାଜନେତାଙ୍କ ଲାଞ୍ଚ ବା ବାଟମାରଣାରେ ସୀମିତ କରି ରଖିବା, ତେବେ ଆଲୋଚନାଟି ସଂକୀର୍ଣ୍ଣ ହୋଇଯିବ। କାରଣ ବେସରକାରୀ ସ୍ତରରେ କଳେ-ବଳେ-କଉଶଳେ ରୋଗୀ ଠାରୁ ଅଧିକ ଟଙ୍କା ନେଇ ଯାଉଥିବା ଡାକ୍ତର ବା ମହକିଲ ଠାରୁ ଅଧିକ ଟଙ୍କା ନେଉଥିବା ଓକିଲ ଇତ୍ୟାଦିଙ୍କୁ ଆମେ ଭେଟି ନ ଥାଉଁ କି? ସେମିତି ଓଜନରେ ଠକୁଥିବା ବା ନକଲି ଦ୍ରବ୍ୟ ବିକ୍ରି କରୁଥିବା ବା ଅଧିକ ଦର କଷୁଥିବା ବ୍ୟବସାୟୀମାନେ ଆମ ଦୈନନ୍ଦିନ ଜୀବନରେ ଉଭା ହୋଇ ନ ଥାଆନ୍ତି କି? ତେଣୁ ସତ କହିଲେ ଏହା ଏଭଳି ଏକ ବ୍ୟାଧି ଯାହା ଆମ ସମାଜର ସବୁ ସ୍ତରକୁ ଚରି ଯାଇଛି। ଲେଖକ ଖୁସୱନ୍ତ ସିଂହଙ୍କ ଭାଷାରେ ଆମ ଦେଶରେ ଯିଏ ଦୁର୍ନୀତି କରିବାକୁ ସୁଯୋଗ ପାଇ ନାହିଁ ସେ ସଚ୍ଚୋଟ ହୋଇ ରହିଛି। ସେମିତି ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ କହିଥିବା ଶୁଣାଯାଏ ଯେ ସେ ଲାଞ୍ଚ ନେବେ ନାହିଁ ବୋଲି ହଲପ କରି କହିପାରିବେ, କିନ୍ତୁ କେବେ ଲାଞ୍ଚ ଦେବେ ନାହିଁ ବୋଲି କହିପାରିବେ ନାହିଁି!

ସମାଜତତ୍ତ୍ବବିତ୍‌ ଏବଂ ଇତିହାସକାରମାନେ କହି ଥାଆନ୍ତି ଯେ ବ୍ରିଟିସ୍‌ ଶାସକମାନେ ନିଜ ଦେଶ ବା ଯେଉଁ ଉପନିବେଶ-ରାଷ୍ଟ୍ରରେ ଚିର ଦିନ ଲାଗି ରହିବେ ବୋଲି ନିଷ୍ପତ୍ତି ନେଇଥିଲେ, ସେଠାରେ ଗୋଟିଏ ପ୍ରକାର ଆଚରଣ ପ୍ରଦର୍ଶନ କରୁଥିଲେ, କିନ୍ତୁ ଯେଉଁ ଉପନିବେଶକୁ ଶାସନ କରି କେବଳ ଲୁଣ୍ଠନ କରିବା ମନୋବୃତ୍ତି ପୋଷଣ କରିଥିଲେ, ସେଠାରେ ଆଉ ଏକ ପ୍ରକାର ଆଚରଣ ପ୍ରଦର୍ଶନ କରି ଦୁର୍ନୀତିକୁ ସାର୍ବଜନୀନ କରି ଦେଇଥିଲେ। ସେଥି ଲାଗି ଅଷ୍ଟ୍ରେଲିଆ ବା ଯୁକ୍ତରାଷ୍ଟ୍ର ଆମେରିକା ବା କାନାଡା ଇତ୍ୟାଦି ଭଳି ଦେଶ ତୁଳନାରେ ଏସୀୟ ବା ଆଫ୍ରିକୀୟ ଉପନିବେଶ ରାଷ୍ଟ୍ରଗୁଡ଼ିକ ଅଧିକ ଦୁର୍ନୀତିଗ୍ରସ୍ତ ହୋଇଗଲେ। ପରିଶେଷରେ ଏତିକି କୁହାଯିବା ଉଚିତ ଯେ ଭାରତରେ ହେଉଥିବା ଦୁର୍ନୀତିର ଏକ ମୂଳ କାରଣ ସାମୂହିକ ଓ ସାମାଜିକ ଦାୟିତ୍ବବୋଧ ଶୂନ୍ୟତା ଏବଂ ବ୍ୟକ୍ତି ସ୍ବାର୍ଥ ଚରିତାର୍ଥ ଲାଗି ଚରମ ଆଗ୍ରହ। ଯେ ପର୍ଯ୍ୟନ୍ତ ଆମେ ରାଷ୍ଟ୍ର ମଙ୍ଗଳ ବା ସମା‌ଜ ମଙ୍ଗଳକୁ ନିଜ ମଙ୍ଗଳ ଠାରୁ ଅଧିକ ଗୁରୁତ୍ବ ପ୍ରଦାନ କରି ନାହାନ୍ତି, ‌େସ ପର୍ଯ୍ୟନ୍ତ ଆମ ଦେଶ ଦୁର୍ନୀତିମୁକ୍ତ ହୋଇପାରିବ ନାହିଁ।
ମୋ- ୬୩୭୦୫୧୬୪୭୮

ସମ୍ବନ୍ଧିତ ଖବର