ଆଜି ବିଶ୍ବ ହୃତ୍ପିଣ୍ଡ ଦିବସ। ଏହି ଅବସରରେ ମୋର ଅନୁରୋଧ ସମସ୍ତେ ଯଥା ସମ୍ଭବ ସକ୍ରିୟ ରହନ୍ତୁ। କାରଣ କର୍ମ ଚଞ୍ଚଳତା ଦ୍ବାରା ହିଁ ଆମ ହୃତ୍ପିଣ୍ଡ ଅଧିକ ବେଗରେ କାମ କରିବ ଏବଂ ଏହା ଦ୍ବାରା ରକ୍ତ ସଂଚାଳନ ମଧ୍ୟ ବେଗଗାମୀ ହୋଇ ଆମ ଶରୀରର କୋଣ ଅନୁକୋଣକୁ ରକ୍ତ ପ୍ରବାହିତ କରିବ, ଯାହା ଶରୀରକୁ ଚମକପ୍ରଦ ସୁସ୍ଥତା ଓ ଔଜ୍ଜ୍ବଲ୍ୟ ପ୍ରଦାନ କରିବ। ସେଥି ପାଇଁ ପ୍ରତ୍ୟେକ ପରିବାରର ପ୍ରାପ୍ତ-ବୟସ୍କମାନେ ନିଜ ସନ୍ତାନମାନଙ୍କ ସହିତ ମିଶି ନିୟମିତ ବ୍ୟାୟାମର ଏକ ସଂସ୍କୃତି ଆରମ୍ଭ କରିବା ଆବଶ୍ୟକ। ଏହା ଦ୍ବାରା ଆମେ ବିପଜ୍ଜନକ ହୃତ୍ପିଣ୍ଡଜନିତ ରୋଗଗୁଡ଼ିକରୁ ନିଜକୁ ରକ୍ଷା କରିପାରିବା। ପରିବାରରେ ବ୍ୟାୟାମର ସଂସ୍କୃତି ଆମ ପରବର୍ତ୍ତୀ ପିଢ଼ିକୁ ମଧ୍ୟ ଏହି ସବୁ ରୋଗରୁ ମୁକ୍ତ ରଖିବା ଦିଗରେ ସହାୟକ ହେବ।
ଆମେ ଜାଣୁ ଯେ ହୃତ୍ପିଣ୍ଡର ସ୍ବାସ୍ଥ୍ୟ ଆମର ଜୀବନଶୈଳୀ ଉପରେ ନିର୍ଭରଶୀଳ। ପରିଶ୍ରମ କୁଣ୍ଠ ହୋଇଥିବାରୁ ତଥା ଖାଦ୍ୟାଭ୍ୟାସକୁ ଶୃଙ୍ଖଳିତ କରୁ ନ ଥିବାରୁ ଅଧିକରୁ ଅଧିକ ସଂଖ୍ୟକ ଭାରତୀୟ ହୃଦ୍ଘାତର ଶିକାର ହେଉଛନ୍ତି। ଏହି ପରିପ୍ରେକ୍ଷୀରେ କୋଭିଡ୍-୧୯ ହେତୁ ଆରମ୍ଭ ହୋଇଥିବା ଲକ୍ଡାଉନ୍ ଏବଂ ‘ୱର୍କ ଫ୍ରମ୍ ହୋମ୍’ ବା ‘ଘରେ ରହି କାମ’ ବ୍ୟବସ୍ଥା ଉପେର ଏକ ଭିନ୍ନ ଦିଗରୁ ଆଲୋକପାତ କରିବାକୁ ହେବ। ମୋ’ ମତରେ ଆମ ଭାରତୀୟ ପରିବେଶ ପାଇଁ ଏହି ବ୍ୟବସ୍ଥାକୁ ଅାଉ ଅଧିକ ଦୀର୍ଘ କରିବା ଉଚିତ ନୁହେଁ। ପିଲା ବେଳେ ଆମ ବୁଢ଼ୀମା’ମାନେ ସ୍ନେହରେ କହୁଥିଲେ ‘ଘରକୁ ଜମା କୌଣସି ବାହାର କାମ ଆଣିବୁନି।’ ଏବେ ମୁଁ ସେହି ଛୋଟିଆ ଉପଦେଶର ମୂଲ୍ୟକୁ ହୃଦୟଙ୍ଗମ କରିପାରୁଛି। ଦେଖାଯାଉଛି ଯେ ଘରକୁ କାମ ଆଣୁଥିବା ଲୋକେ ଦପ୍ତରର ଚାପକୁ ଘରକୁ ଆଣନ୍ତି। ସେଥି ଲାଗି ଘରେ ଯେଉଁ ଏକ ହାଲୁକା ପରିବେଶ ରହିବା କଥା, ତାହା ନ ରହି ଚାପଗ୍ରସ୍ତ ହୋଇଯାଏ। ଏବେ କୋଭିଡ୍ ସମୟରେ ଏହା ଅଧିକ ହୋଇଛି। ସାଧାରଣତଃ ଆମ ଦେଶରେ ଘରର ଆକାର ତୁଳନାରେ ପରିବାର ସଦସ୍ୟଙ୍କ ସଂଖ୍ୟା ଅଧିକ ହୋଇଥାଏ। କୋଭିଡ୍ ଲକ୍ଡାଉନ୍ କାଳରେ ସମସ୍ତେ ଘରେ ବନ୍ଦ ରହି କାମ କଲେ। ଘରେ ବାପା ଓ ମା’ ସେମାନଙ୍କ ଅଫିସ୍ କାମ କଲା ବେଳକୁ ପିଲାମାନେ ଅନ୍ଲାଇନ୍ରେ ପାଠ ପଢ଼ିଲେ।
ଏହା ଦ୍ବାରା ସହରଗୁଡ଼ିକରେ ରହୁଥିବା ପରିବାର ସବୁରେ ବହୁତ ସମସ୍ୟା ଦେଖିବାକୁ ମିଳିଛି। ପରସ୍ପରର ଏତେ ନିକଟରେ ରହି ନିଜ ନିଜ କାମ କରୁଥିବା ବେଳେ ସାମାନ୍ୟ କାରଣକୁ ନେଇ ପରିବାରରେ କଳହ ଓ ହିଂସା ସୃଷ୍ଟି ହୋଇଛି। ଏହା ଦୁଶ୍ଚିନ୍ତା ଓ ମାନସିକ ଚାପ ବଢ଼ାଇଛି। ପୁଣି ଘରେ ବନ୍ଦ ହୋଇଥିବା ଲୋକଙ୍କ ଚଳପ୍ରଚଚଳ ପୂରା କମି ଯାଇଛି। ବାହାରକୁ ଗଲେ ଚଳପ୍ରଚଳ ହେବା ସହିତ ବିଭିନ୍ନ ଲୋକଙ୍କୁ ଭେଟିବା ଦ୍ବାରା ମନ ପ୍ରଫୁଲ୍ଲ ହୋଇଥାଏ। ତାହା ହୋଇପାରୁନାହିଁ। ଏଣେ ଘରେ ବନ୍ଦ ରହି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଓଜନ ବଢୁଛି, ଯାହା ଏକ ସମସ୍ୟାରେ ପରିଣତ ହୋଇଛି। ତେଣୁ କହିଲେ ଭୁଲ୍ ହେବ ନାହିଁ ଯେ ‘ଲକ୍ଡାଉନ୍’ ଏବଂ ‘ୱର୍କ ଫ୍ରମ୍ ହୋମ୍’ ଦ୍ବାରା ରକ୍ତଚାପ ଏବଂ ହୃତ୍ପିଣ୍ଡର ରୋଗ ଅଧିକ ହେବାର ଆଶଙ୍କା ଜାତ ହୋଇଛି।
ତେଣୁ ଏବେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରି ଡାକ୍ତରଙ୍କ ଠାରୁ ଆବଶ୍ୟକ ପରାମର୍ଶ ନେବାର ସମୟ ଆସିଛି। ଯେଉଁମାନେ କୋଭିଡ୍ରୁ ଆରୋଗ୍ୟ ଲାଭ କରିଛନ୍ତି, ସେମାନଙ୍କ ଠାରେ କୋଭିଡ୍ର ଲକ୍ଷଣ ଦୂର ହୋଇଥିଲେ ହେଁ ଶରୀରରେ କିଛି ସ୍ଥାୟୀ ଅପଲକ୍ଷଣମାନ ସୃଷ୍ଟି ହେଉଥିବା ଦେଖାଯାଉଛି। ଏହାକୁ ‘ଲଙ୍ଗ୍ କୋଭିଡ୍’ ବୋଲି କୁହାଯାଉଛି। ଏହି ଅବସ୍ଥାରେ ଶରୀର ଅନେକ ଦିନ ଯାଏ ବିଭିନ୍ନ ଉପସର୍ଗ ପ୍ରଦର୍ଶନ କରୁଛି। ତେଣୁ ଏଭଳି ସ୍ଥିତିରେ କୋଭିଡ୍ ପରର ସ୍ବାସ୍ଥ୍ୟ ପରୀକ୍ଷା କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସେତିକିବେଳେ ହୃତ୍ପିଣ୍ଡର ସ୍ବାସ୍ଥ୍ୟ ବାବଦରେ ଡାକ୍ତରଙ୍କୁ ଦେଖାଇ ପଚାରି ବୁଝିନେବା ଭଲ। ଏବେ କୋଭିଡ୍ ସଂକ୍ରମଣରେ ହ୍ରାସ ଘଟିଛି। ଅନେକ ବିଶେଷଜ୍ଞଙ୍କ ମତରେ ଏହା ପାନ୍ଡେମିକ୍ରୁ ଏନ୍ଡେମିକ୍ ହେବାକୁ ବସିଲାଣି। ଏହା ଠିକ୍ ହୋଇଥିଲେ, କୋଭିଡ୍ ଦ୍ବାରା ସଂକ୍ରମିତ ହେଲେ ବି ଅଧିକ ମୃତ୍ୟୁ ହେବ ନାହିଁ। ଏହା ଏକ ଭଲ ସମ୍ବାଦ। ଏବେ କୋଭିଡ୍ ସଂକ୍ରମଣ କମିଥିବାରୁ କଟକଣାମାନ ଉଠିବାେର ଲାଗିଛି। ସ୍ବାଭାବିକ ଜୀବନଯାପନ ଆରମ୍ଭ କରିବାର ପ୍ରବଣତା ଦେଖାଦେଲାଣି। ଏଣୁ ଏବେ ନିଜର ସ୍ବାସ୍ଥ୍ୟକୁ ଠିକ୍ ରଖିବା ଲାଗି ନିୟମିତ ବ୍ୟାୟାମ କରିବା ଉଚିତ। ଖାଦ୍ୟ ଓ ପାନରେ ଶୃଙ୍ଖଳା ଓ ସଂଯମ ଜରୁରୀ। ଘରୁ କାମ କରିବା ଦ୍ବାରା ଅଧିକ ଭଡ଼ା ଦେଇ ଅଫିସ୍ ଘର ନେବା ଓ ତାକୁ ଚଳାଇବା ଲାଗି କର୍ମଚାରୀ ରଖିବାର ଖର୍ଚ୍ଚ କମିଯାଇଥିବାରୁ ଅନେକ କଂପାନି ଏବେ ବିଚାର କରୁଛନ୍ତି ଯେ ଏ ବ୍ୟବସ୍ଥାକୁ କୋଭିଡ୍ ଗଲା ପରେ ବି ଚାଲୁ ରଖିବେ। ମୁଁ କିନ୍ତୁ ଏ ପ୍ରକାର ଦୃଷ୍ଟିକୋଣକୁ ପସନ୍ଦ କରିପାରୁନାହିଁ। କୋଭିଡ୍ ପରେ ପୁଣି ସବୁ କିଛି ପୂର୍ବବତ୍ ହୋଇଗଲେ, ଲୋକଙ୍କ ଚଳପ୍ରଚଳ ବଢ଼ିଲେ, ସେମାନଙ୍କ ବ୍ୟାୟାମ ହେବା ସହିତ ଘରୁ ବାହାରକୁ ଆସିଥିବାରୁ ସେମାନଙ୍କ ମନ ଚାପମୁକ୍ତ ହୋଇ ରହିବ। ସେମାନେ ଭଲରେ ରହିବେ।
(ଲେଖକ ଦେଶର ଜଣେ ଖ୍ୟାତନାମା ହୃତ୍ପିଣ୍ଡ ଶଲ୍ୟ ଚିକିତ୍ସକ)
ଏସିଆନ ହାର୍ଟ ଇନ୍ଷ୍ଟିଚ୍ୟୁଟ୍, ମୁମ୍ବାଇ