ସର୍ଜନା ଓ ସଂହାରକାରିଣୀ ମା’

ଡାକ୍ତର ଉମେଶ ଚନ୍ଦ୍ର ପାତ୍ର

ଆମ୍ଭେମାନେ ସାଧାରଣତଃ ମା’ କାଳୀଙ୍କର ଯେଉଁ ରୂପକୁ ପୂଜା କରୁ, ତାହା ଭୀତି ସଂଚାରକାରୀ। ତହିଁରେ ଆମେ ଲହ ଲହ ଜିଭ ବାହାରକୁ ରଖି ଦେବଦେବ ମହାଦେବଙ୍କ ବକ୍ଷ ଉପରେ ଦଣ୍ଡାୟମାନା ମା’ଙ୍କୁ ଦେଖୁ। ତାଙ୍କ ଗଳାରେ ଥାଏ ନର ମୁଣ୍ଡର ମାଳ, କଟିରେ ନର ହସ୍ତର ମେଖଳା, ଆରକ୍ତ ଚକ୍ଷୁ ଯୁଗଳ, ହସ୍ତ ଚାରିଟିରେ ଖଡ୍‌ଗ, ନର ମୁଣ୍ଡ ଓ ବରାଭୟର ମୁଦ୍ରା। ମା’ କାଳୀ ହେଉଛନ୍ତି ନାରୀର ସେହି ରୂପ ଯାହା ଦୁଷ୍ଟ ବିନାଶ କରି ଜଗତ୍‌ର ଶୁଦ୍ଧୀକରଣ ନିମନ୍ତେ ଅଭିପ୍ରେତ। ମା’ କାଳୀ ପୁଣି ଚିର ରହସ୍ୟାବୃତା। ଘୋର ଅମାବାସ୍ୟାର ଗଭୀର ରାତ୍ରିରେ ତାଙ୍କର ପୂଜା ହୁଏ। ନିସ୍ତବ୍‌ଧ ନିଶାର୍ଦ୍ଧର ସାନ୍ଦ୍ର ନିଦ୍ରାର ଆବରଣ ଭେଦ କରି ଧ୍ୱନିତ ହୁଏ- ‘କାଳୀ କରାଳ ବଦନା।’

ଏଇ କାଳୀ କିଏ? କଥିତ ଅଛି ମା’ ଦୁର୍ଗାଙ୍କ ଲଲାଟରୁ ଆବିର୍ଭୂତା ଦେବୀ ହେଉଛନ୍ତି ମା’ କାଳୀ। ଚଣ୍ଡ ନାମକ ଏକ ଅତ୍ୟନ୍ତ ଦୁଷ୍ଟ ଅସୁରକୁ ବଧ କରିବା ସମୟରେ ମା’ଙ୍କର ମୁଖ କ୍ରୋଧରେ କୃଷ୍ଣବର୍ଣ୍ଣ ଧାରଣ କରିଥିଲା। ବର୍ଣ୍ଣିତ ଅଛି ଯେ ଏହି ସଂହାର କାଳରେ ମା’ ଏଭଳି କ୍ରୋଧ ଜର୍ଜରିତା ହୋଇଯାଇଥିଲେ ଯେ ତାଙ୍କୁ ଶାନ୍ତ କରିବା ଲାଗି ଆଗକୁ ଯିବା ସକା‌େଶ କେହି ସାହସ ଜୁଟାଇ ପାରିଲେ ନାହିଁ। ସୁତରାଂ ମା’ କାଳୀଙ୍କ ଅଗ୍ରଗତିକୁ ରୋକିବା ସକାଶେ ଦେବ ଦେବ ମହାଦେବ ସ୍ବୟଂ ତାଙ୍କ ପଥରେ ଶୋଇ ପଡ଼ିଥିଲେ। ଅଜାଣତରେ ମା’ କାଳୀ ମହାଦେବଙ୍କ ବକ୍ଷାରୂଢ଼ା ହେବା ପରେ ସଂବିତ ଫେରି ପାଇ ଏହି ଭୁଲ୍‌ ସକାଶେ ଅନୁତାପ ସୂଚକ ଜିହ୍ବା ବାହାର କରି ସେହିଠାରେ ଅଟକି ଯାଇଥିଲେ। ପ୍ରକୃତରେ ମା’ କାଳୀ ହେଉଛନ୍ତି ଏକ ପ୍ରତୀକ। ନିଜ ସନ୍ତାନମାନଙ୍କ ଉପରେ ଆକ୍ରମଣ ହେଲେ କମନୀୟା ମା’ ଯେଉଁ ଭଳି ଏକ ଅତ୍ୟନ୍ତ ଭୟଙ୍କରୀ ରୂପ ଧାରଣ କରି ଅତ୍ୟାଚାରୀର ବିନାଶ କରିବା ଲାଗି ବାହାରି ପଡ଼ିପାରେ; ତାହା ହିଁ ମା’ କାଳୀଙ୍କ ରୂପରେ ପରିଭାଷିତ। ଅନେକଙ୍କ ମତରେ ମଣିଷ ଜାତି ଅନେକ ପ୍ରକାର ଅବିଗୁଣ ଦ୍ବାରା କବଳିତ। ଆଳସ୍ୟ, ଅବିଶ୍ୱାସ, କୃତଘ୍ନତା, ହିଂସା ଓ ଈର୍ଷା ଭଳି ଅସତ୍‌ ଗୁଣ ମଧ୍ୟରେ ଡୁବି ଯାଇଥିବା ମନୁଷ୍ୟ ଆଗରେ ଯେତେବେଳେ ମୁକ୍ତିର ପଥ ହଜିଯାଏ, ସେତେବେଳେ ମା’କାଳୀଙ୍କର ଆରାଧନାର ପ୍ରୟୋଜନ ହୋଇଥାଏ।। କାରଣ ମା’ କାଳୀଙ୍କର ବୈଶିଷ୍ଟ୍ୟ ମଧ୍ୟରେ ରହିଛି ସକଳ ପ୍ରକାର ଅପଗୁଣ ଅପସାରଣ କରି ଜୀବନରେ ଶାଶ୍ବତ ଗତି-ବେଗ ସଞ୍ଚାର କରିବାର କ୍ଷମତା। ଯେଉଁମାନେ ମା’ କାଳୀଙ୍କୁ ପୂଜା କରନ୍ତି ଓ ଭକ୍ତି କରନ୍ତି, ସେମାନେ ଏହି କାଳୀ ପୂଜା ଅବସରରେ ନିଜ ଠାରେ ଅବିଗୁଣଗୁଡ଼ିକର ବିନାଶ ବିଷୟ ଚିନ୍ତା କରିବା ଉଚିତ। ତାହା ହିଁ ହେବ ମା’ଙ୍କ ପ୍ରତି ପ୍ରକୃତ ଭକ୍ତି ନୈବେଦ୍ୟ।

ମା’ କାଳୀଙ୍କୁ ଶକ୍ତି ରୂପେ ପୂଜା କରାଯାଏ। ଏହି ଶକ୍ତି ପ୍ରକୃତରେ ହେଲା ଜୀବନୀ ଶକ୍ତି। ମନୁଷ୍ୟ ଯେତେବେଳେ ନିର୍ବୀର୍ଯ୍ୟ, କ୍ଳୀବ ଓ ନିଷ୍କର୍ମା ହୋଇପଡ଼େ, ସେତେବେଳେ ଶକ୍ତିଙ୍କୁ ଉପାସନା କଲେ ଜୀବନର ଗତି-ବେଗ, କର୍ମ-କ୍ଷମତା, ସାହସ, ଶକ୍ତି ଓ ଶୌର୍ଯ୍ୟ ପୁଣି ବୃଦ୍ଧି ପାଇଥାଏ ବୋଲି ବିଶ୍ବାସ ରହିଛି। କାଳୀ ପୂଜାର ଅବସରରେ ଏହା ସମସ୍ତେ ସ୍ମରଣରେ ରଖିବା ଉଚିତ। ଆମେ ଯେଉଁ କାଳୀ ମୂର୍ତ୍ତି ଦେଖୁ ତାହା ଭୟ ଉଦ୍ରେକକାରୀ। ମା’ଙ୍କ ପାଖରେ ଥାଆନ୍ତି ଆଠ ଯୋଗିନୀ। ତନ୍ମଧ୍ୟରୁ ପ୍ରଥମ ଛଅ ଜଣ ହେଉଛନ୍ତି- ଭୀଷଣା, ଚଣ୍ଡୀ, କରାଳା, ଶୂଳିନୀ, ହନ୍ତ୍ରୀ ଓ ତ୍ରିପୁରା। ଏହି ପ୍ରଥମ ଛଅଟି ହେଉଛନ୍ତି ଅସତ୍ ବିନାଶକାରିଣୀ ଶକ୍ତି। ଶେଷ ଦୁଇଟି ହେଉଛନ୍ତି କର୍ତ୍ତ୍ରୀ ଓ ବିଧାତୃକା। ଏ ଦୁହେଁ ହେଲେ ସର୍ଜନାକାରିଣୀ ଓ ବାତ୍ସଲ୍ୟ ମମତା ପ୍ରଦାୟିନୀ। ସୁତରାଂ, ମା’ କାଳୀ ‌େକବଳ ଦୁଷ୍ଟର ବିନାଶରେ ସନ୍ତୁଷ୍ଟ ରହନ୍ତି ନାହିଁ; ସେ ପୁଣି ସର୍ଜନା କରନ୍ତି ଏବଂ ତାଙ୍କର ସୃଷ୍ଟିକୁ ବାତ୍ସଲ୍ୟ ରସରେ ଅବଗାହନ କରାନ୍ତି। ତେଣୁ କାଳୀ ପୂଜା ହେଉଛି ସେହି କଲ୍ୟାଣକାରିଣୀ ମାତୃ ଶକ୍ତିର ପୂଜା, ଯାହା ସର୍ଜନା ପରେ ସୃଷ୍ଟିକୁ ସଂରକ୍ଷଣ କରେ ଏବଂ ତାକୁ ବିପଦରୁ ରକ୍ଷା କରିବା ଲାଗି ଦୁଷ୍ଟ ବିନାଶକାରୀ ଶକ୍ତିର ନିଧନ ମଧ୍ୟ କରେ।
ସହପ୍ରତିଋତ୍ୱିକ ଓ ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ,
ଏସ୍‌.ସି.ବି. ମେଡିକାଲ କଲେଜ, କଟକ
ମୋ- ୯୪୩୭୦୫୧୯୫୭

ସମ୍ବନ୍ଧିତ ଖବର