ସମାଜବାଦର ଅଧ୍ୟାତ୍ମ

ଲୋକକ୍ଷେତ୍ର/ ହରପ୍ରସାଦ ଦାସ

ସମାଜବାଦର ଅଧୢାତ୍ମ? କଥାଟା ସମାଜବାଦୀଙ୍କୁ ବିବ୍ରତ କରିପାରେ। ସାମ୍ୟବାଦୀ-ସମାଜବାଦୀ ଚକ୍ରରେ ଏଭଳି ଏକ ବଦ୍ଧମୂଳ ଧାରଣା ଅଛି ଯେ ‘ଅଧୢାତ୍ମ’ ଏକ ଧର୍ମୀୟ ପରିକଳ୍ପନା, ୟା ଭିତରେ ପଶିଲେ ଏ ଅନ୍ତହୀନ ସୁଡ଼ଙ୍ଗ ଯାଇ ଖୋଲିଯିବ ସେଇ ଅବ୍ୟକ୍ତ ନିରାକାରର ଈଶ୍ବରୀୟ ପରିକଳ୍ପନାରେ। ସରିଯିବ ତର୍କ, ସରିଯିବ ସ˚ଘର୍ଷ, ପ୍ରଗତିର ଚକ ନିଜର ପରିକ୍ରମା କରି ବସିବ ସେଇ ଗୋଟିଏ ଜାଗାରେ। ତେଣୁ ଧର୍ମ ଯେଭଳି ବର୍ଜ୍ୟ, ଆତ୍ମା ଯେଭଳି ଅନନୁଭୂତ, ଅଧୢାତ୍ମ ସେହିପରି ଏକ ପରିତ୍ୟଜ୍ୟ ଚିନ୍ତା। ସମାଜବାଦରେ ମଣିଷର ସମାଜ, ତା’ର ଯୌଥ ଜୀବନ, ତାର ଶ୍ରମ, ତାର ଉତ୍ପାଦନ ଓ ତାର ନ୍ୟୂନତମ ସୁବିଧାଭୋଗ ହିଁ ବାସ୍ତବ; ଏଥିରେ ଧର୍ମ ଓ ଈଶ୍ବର ପ୍ରତିବନ୍ଧକ ସୃଷ୍ଟିକାରୀ ତତ୍ତ୍ବ, ୟାଙ୍କର ନିର୍ବାସନ ଜରୁରୀ।

କିନ୍ତୁ ଏ ଅଧୢାତ୍ମ ପ୍ରକୃତରେ କ’ଣ? ଏ ଶବ୍ଦ ଇ˚ରେଜୀ ‘ସ୍ପିରିଚୁଆଲିଟି’ ଠାରୁ ଅଧିକ ବ୍ୟାପକ ଅର୍ଥବତ୍ତା ଧାରଣକ୍ଷମ ଓ ତେଣୁ ସ୍ପିରିଚୁଆଲିଟି କହିଲେ ଯେଉଁ ଆଧିଭୌତିକ ଅତି ମାନସିକ ଶୁଦ୍ଧତା ବା ଶୁଭଙ୍କରୀ ପ୍ରବଣତାର ଚିତ୍ର ଆସେ, ସେତିକିରେ ‘ଅଧୢାତ୍ମ’କୁ ବୁଝିବା ସମ୍ଭବ ନୁହେଁ। ଶବ୍ଦଟିର ମୂଳକୁ ଯିବାକୁ ପଡ଼ିବ। ଖେଦର ବିଷୟ ଯେ ସହଜିଆ ପଣ୍ତିତମାନେ ‘ଅଧି ଯୁକ୍ତ ଆତ୍ମ’ ଅଧୢାତ୍ମ ବୋଲି ବୁଝାନ୍ତି ଓ କହନ୍ତି ଯେ ଯାହା ଆତ୍ମାର ଉପରେ ବା ପାର୍ଶ୍ବରେ ଥାଏ ତାହା ଅଧୢାତ୍ମ। ମୂଳରୁ ତ ଆମେ ଆତ୍ମାକୁ ଦେଖିନେ, ତାର ଉପର ଓ ପାର୍ଶ୍ବର ପରିକଳ୍ପନା କରିବା କେମିତି! ପ୍ରକୃତ ବ୍ୟୁତ୍ପତ୍ତି ହେଉଚି ‘ଅଧୀ ଯୁକ୍ତ ଆତ୍ମ’ (ଅଧତ୍ବ + ଆତ୍ମ)। ‘ଅଧି’ ଯାହା, ‘ଅଧୀ’ ତାହା ନୁହେଁ। ‘ଅଧୀ’ ଲାଗିଲେ ‘ଆତ୍ମ’ ଏକ ଶକ୍ତିରେ ପରିଣତ ହୁଏ।ା ଆତ୍ମା ନିର୍ବେଦ, ନିଶ୍ଚଳ, ଅବିନାଶୀ! କହିପାରନ୍ତି ଇଏ ମଣିଷ ଶରୀରର ଐଶୀତତ୍ତ୍ବ। ୟା ବିଷୟରେ ନ ଭାବିଲେ ଇଏ ନ ଥାଏ। କିନ୍ତୁ ଯିଏ ଇଏ ଅଛି ବୋଲି ଭାବେ, ସିଏ ୟାର କ୍ରିୟାକୁ ବୁଝେ। କଥା କଥାକେ ଆମେ କହୁଁ ‘ମୋ ଆତ୍ମାକୁ ବାଧିଲା’। କାହାକୁ ବାଧିଲା ଯଦି ଆତ୍ମା ନିର୍ଗୁଣ ବା ଗୁଣାତୀତ? ସେହିଭଳି ‘ଆତ୍ମାନୁଭବ’, ‘ଆତ୍ମାନୁଭୂତି’, ‘ଆତ୍ମଜ୍ଞାନ’ ଆଦି ଶବ୍ଦ ଅତି ସହଜରେ ଉଚ୍ଚାରଣ କରାଯାଏ। ଐନ୍ଦ୍ରୀୟ ଅନୁଭବ ବା ଅନୁଭୂତି ଓ ମଣିଷର ସ୍ବାଭାବିକ ସହଜ ଜ୍ଞାନ (ଇଣ୍ଟ୍ୟୁସନ) ଓ ବୋଧଶକ୍ତି ଠାରୁ ଏ ଗୁଡ଼ିକ କିଭଳି ଭିନ୍ନ? ହୁଏତ ଭିନ୍ନ ନୁହନ୍ତି, କିନ୍ତୁ କଥାର ଗାମ୍ଭୀର୍ଯ୍ୟ ବଢ଼ାଇବା ପାଇଁ ଆତ୍ମାକୁ ଆଣି ସାକ୍ଷୀ କରାଯାଏ। ତେବେ ଅଧୢାତ୍ମ କ’ଣ? ଅତି ସହଜ ଭାଷାରେ କହିଲେ ଆତ୍ମାର ବିଷୟ, କର୍ମ ଓ ପରିପ୍ରକାଶ ହେଉଛି ଅଧୢାତ୍ମ। ପ୍ରତି ଜୀବର ଗୋଟିଏ ଆତ୍ମା ଅଛି, ଯିଏ ଏତିକି ଅନୁଭବ କରିବ, ଯେଉଁ ମୁହୂର୍ତ୍ତରେ ଅନୁଭବ କରିବ, ସେଇ ମୁହୂର୍ତ୍ତରେ ସମସ୍ତ ମାନବୀୟ ସଦ୍‌ଗୁଣ ଆସି ଉପସ୍ଥିତ ହୋଇଯିବେ। ପ୍ରତ୍ୟେକ ରଚନାର ଏକ ଅଧୢାତ୍ମ ଅଛି, ଯାହା ସେ ରଚନାରେ ଜଡ଼ତାକୁ ଚଳମାନ କରେ। ପଦାର୍ଥ ବିଜ୍ଞାନରେ ତ ଏଭଳି ବୋଧ ବି ଜାଗ୍ରତ ଯେ ନିର୍ବେଦ ବସ୍ତୁ ଆପାତତଃ ନିର୍ବେଦ ନୁହେଁ, ତା ଭିତରର ଶକ୍ତିକୁ ମୁକ୍ତ କଲେ ସେ ମହାଶକ୍ତିଶାଳୀ ହୋଇପାରେ। ଯେଉଁ ତତ୍ତ୍ବବିଦ୍‌ମାନେ ଭୌତିକତା ଓ ଅଧିଭୌତିକତାର ଅଧୢୟନ କରିଚନ୍ତି, ସେମାନେ ବ୍ରହ୍ମାଣ୍ତ ରହସ୍ୟରେ ଏକ କ୍ରିୟାଶକ୍ତିର ଅନୁମାନ କଲେଣି। ‘ଈଶ୍ବର କଣିକା’ର ସନ୍ଧାନ ସେହିଭଳି ବସ୍ତୁର ଅଧୢାତ୍ମ ହୋଇପାରେ। ଠୁଳୀଭୂତ ହୋଇ ରହିଥିବା ବସ୍ତୁ ରଚନାର ଅଣୁ-ପରମାଣୁ ଯୁକ୍ତ ହେଲେ ମହାଶକ୍ତିଶାଳୀ ହୋଇପାରେ।

‘ଅଧୢାତ୍ମ’ର ଅର୍ଥ ଏହି ଦିଗରୁ, ସମାଜ ଶାସ୍ତ୍ର ଓ ବିଚାର ଧାରା ପାଇଁ ମଧୢ ଗୁରୁତ୍ବପୂର୍ଣ୍ଣ। ସମାଜବାଦର ଆତ୍ମା କ’ଣ, ପୁଣି ତା’ର ଅଧୢାତ୍ବ କ’ଣ? ସମାଜବାଦର ଆତ୍ମା ସାମାଜିକତା। ଯେଉଁ ଲୋକ ସମୂହର ସାମୂହିକତା ସାମାଜିକତାର ସ୍ବୀକାର କରେ ନାହିଁ, ତାହା ସମାଜ ନୁହେଁ, ଅର୍ଥାତ୍‌ ତାହା ଅବୟବ ବା ଶରୀର ମାତ୍ର, ତହିଁରେ ଆତ୍ମା ନାହିଁ। ତା’ହେଲେ ସମାଜର ଅଧୢାତ୍ମ କ’ଣ? ସମାଜର ଅଧୢାତ୍ମ ହେଲା ସାମାଜିକତାକୁ କ୍ରିୟାଶୀଳ କରିବା। ସେହି ଅର୍ଥରେ ସମାଜବାଦର କ୍ରିୟାଶକ୍ତିଟି କ’ଣ? ସେ କ୍ରିୟାଶକ୍ତି ସମତା ନୁହେଁ, ସୁଷମ ବଣ୍ଟନ ନୁହେଁ, ସେ କ୍ରିୟାଶକ୍ତି ‘ସର୍ବୋଦୟ’, ସମସ୍ତଙ୍କର ଉଦୟ ହେଉ! ‘ଉଦୟ’ ଶବ୍ଦ ପ୍ରଗତି ଓ ବିକାଶ ଠାରୁ ଅଧିକ ଶକ୍ତିଶାଳୀ। ସର୍ବୋଦୟ ସମାଜବାଦର ଅଧୢାତ୍ମ, ଏ କଥାଟି ମୁଁ କହିଥିଲି ନଭେମ୍ବର ୨୩ ତାରିଖ ଦିନ, ଅନୁଗୁଳର ବାଜିରାଉତ ଛାତ୍ରାବାସରେ ଆୟୋଜିତ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଉତ୍ସବରେ। ଏକଦା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ସର୍ବୋଦୟ ନେତା ନବକୃଷ୍ଣ ଚୌଧୁରୀଙ୍କ ଜୀବନ ଓ କର୍ମ ଆମ ପାଇଁ କି ନିଷ୍କର୍ଷ ଛାଡ଼ିଗଲେ ତାର ଅନୁମାନ ପାଇଁ ତାଙ୍କର ଆଦର୍ଶ, ତାଙ୍କର ସମସ୍କନ୍ଧ, ସତୀର୍ଥ ଓ ଅନୁଗାମୀମାନଙ୍କ ଜୀବନକୁ ପରଖିବା ଜରୁରୀ ଥିଲା। ଜୟପ୍ରକାଶ ନାରାୟଣ, ମୀନୁ ମାସାନି, ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ସହିତ ମିଶି କଟକର ଥୋରିଆ ସାହିରେ ନବକୃଷ୍ଣ ଚୌଧୁରୀ କି ପ୍ରକାରର ସମାଜବାଦୀ ଚିନ୍ତନକୁ ରୂପ ଦେଇଥିଲେ? ଗାନ୍ଧୀ ଓ ବିନୋବାଙ୍କୁ ଗୁରୁ ଭଳି ଗ୍ରହଣ କରି ମଧୢ ତାଙ୍କ ଭିତରେ ଏମିତି କି ତତ୍ତ୍ବ ଥିଲା ଯାହା ସବୁବେଳେ ଗୋଟେ ନୂଆ ବାଟ ଖୋଜୁଥିଲା? ଲୋହିଆଙ୍କ ଆକ୍ରାମକ ସମାଜବାଦ, ‘ଇତିହାସର ଚକ୍ର’ରେ ତାଙ୍କର ବିଚାରଧାରା, ଜୟପ୍ରକାଶଙ୍କ ‘ସ˚ପୂର୍ଣ୍ଣ କ୍ରାନ୍ତି’ ୟା ଭିତରେ ନବକୃଷ୍ଣ ଚୌଧୁରୀ କ’ଣ ଖୋଜୁଥିଲେ? ମୋର ମନେ ହେଲା ସେ ଖୋଜୁଥିଲେ ସମାଜବାଦର ଅଧୢାତ୍ମ, ଯାହାକୁ ସେ ପାଇଥିଲେ ‘ସର୍ବୋଦୟ’ରେ, କିନ୍ତୁ ଯାହାକୁ ସେ ତତ୍କାଳୀନ ଭାରତୀୟ ରାଜନୀତିର ବିଚାରଧାରାମାନଙ୍କ ସ˚ଘର୍ଷ ଭିତରେ ହରାଇଥିଲେ।

ଆପଣ ଯଦି ଭାରତରେ ସମାଜବାଦର ଇତିହାସ ପଢ଼ିବେ, ଦେଖିବେ କିଭଳି ନୀତି ପରିଚାଳିତ ସମାଜବାଦ (ଡକ୍‌ଟ୍ରିନାୟାର ସୋସିଆଲିଜମ୍‌) ସଶସ୍ତ୍ର ବିପ୍ଳବ ଠାରୁ ସର୍ବୋଦୟ ପର୍ଯ୍ୟନ୍ତ ସମସ୍ତ ବିକଳ୍ପକୁ ନେଇ ଚିନ୍ତାଗ୍ରସ୍ତ ହୋଇଚି। କହିବାରେ ଦ୍ବିଧା ନାହିଁ ଯେ ଗୋଟେ ସମୟରେ ସମାଜବାଦୀ ଚିନ୍ତକମାନେ ହିଁ ଥିଲେ ରାଷ୍ଟ୍ରୀୟ ରାଜନୀତିର ବିବେକୀ ପୁରୁଷ। ଏମାନେ ସତ୍ତା ଅଧିକାର ପାଇଁ ଚିନ୍ତିତ ନ ଥିଲେ, ଏମାନଙ୍କ ଚିନ୍ତା ଥିଲା ଭାରତୀୟ ସମାଜର କ୍ରାନ୍ତିକାରୀ ପରିବର୍ତ୍ତନ। ଏ ପରିବର୍ତ୍ତନ ସଶସ୍ତ୍ର ବିପ୍ଳବରେ ନୁହେଁ କି ରଚନା ଲେଖି ନୁହେଁ; ସ୍ଥାନୀୟ ସମ୍ବେଦନାର ଉତ୍‌ଥାନରେ ସମ୍ଭବ ହେବ ବୋଲି ନବକୃଷ୍ଣ ଚୌଧୁରୀ ଭାବୁଥିଲେ। ଖାସ୍‌ ସେଇଥି ଯୋଗୁଁ ଶେଷ ପର୍ଯ୍ୟନ୍ତ ନବକୃଷ୍ଣ ଚୌଧୁରୀ ଜଣେ ସାଧାରଣ ମଣିଷ ହୋଇ ସାଧାରଣ ମଣିଷଙ୍କ ଗହଣରେ ରହିଗଲେ। ରାଜନୀତିର ନିରୀହତା ତାଙ୍କ ଭିତରେ ବଞ୍ଚି ରହିବା ଥିଲା ଏକ ବିସ୍ମୟକର କଥା। ଏ ନିରୀହତାର ରାଜନୀତିରେ ପୁଣି ଥିଲା ଜଣେ ଲଢ଼ୁଆ ଗାନ୍ଧୀ ପାଇଁ ସମ୍ମାନ ଓ ଜଣେ ସର୍ବତ୍ୟାଗୀ ବିନୋବାଙ୍କ ପ୍ରତି ଆନୁଗତ୍ୟ। ‘ସ˚ପୂର୍ଣ୍ଣ କ୍ରାନ୍ତି’ର ମୌଳିକ ଉଦ୍ଦେଶ୍ୟ ସହିତ ତାଙ୍କର ସହମତି ଥିଲା, କିନ୍ତୁ ସେଥିପାଇଁ କାରାବରଣ କଲାବେଳେ ମଧୢ ତାଙ୍କ ଭିତରେ ସମାଜବାଦର ଆଉ ଏକ ଚିତ୍ର ଥିଲା। କୌଣସି ରାଷ୍ଟ୍ରୀୟ ରାଜନୀତିରେ ମୁଣ୍ତିଆଳ ହେବାର ସ୍ବପ୍ନ ନ ଦେଖି, କ୍ରାନ୍ତିର ଲାଠିଆଳ ହେବାର ସ୍ପର୍ଦ୍ଧା ନ ଦେଖାଇ, ସେ ଶେଷ ପର୍ଯ୍ୟନ୍ତ ଠିଆ ହୋଇରହିଲେ ସମାଜବାଦର ଆଧୢାତ୍ମିକ ଅଭ୍ୟନ୍ତରର ଜଣେ ବିନିଦ୍ର ଦ୍ବାରପାଳ ହୋଇ। ନା ଭାରତ ତାଙ୍କୁ ଚିହ୍ନିଲା, ନା ଓଡ଼ିଶା ତାଙ୍କୁ ଚିହ୍ନିଲା। ସେ ଥିଲେ ଭାରତୀୟ ସମାଜବାଦର ଅନ୍ତିମ ଅଧୢାତ୍ମ ପୁରୁଷ। ସେହିପରି ସର୍ବୋଦୟ ଥିଲା ସମାଜବାଦର ଅନ୍ତିମ ଆଧୢାତ୍ମିକ ପରୀକ୍ଷା।

ସମାଜବାଦୀ ଚିନ୍ତକ ଓ କର୍ମୀମାନେ ସାମ୍ୟବାଦୀ ଚିନ୍ତକ ଓ କର୍ମୀଙ୍କ ଠାରୁ ଭିନ୍ନ। ସମାଜବାଦୀଙ୍କ ରଚନାତ୍ମକ ଚିନ୍ତନ ବଡ଼ ପରିଚ୍ଛନ୍ନ, କିନ୍ତୁ ‘ସତ୍ତା’ ଓ ‘ସ˚ସ୍କାର’କୁ ନେଇ କେତେକ ବିଚାରଧାରାର ରାଜନୈତିକ ଅସ୍ପଷ୍ଟତା ତାଙ୍କୁ ସମାଜର ମୁଖ୍ୟ ଚିନ୍ତନ ସ୍ରୋତକୁ ପରିଚାଳିତ କରିବାର ସୁଯୋଗ ଏ ଯାବତ୍‌ ଦେଇ ପାରିନାହିଁ। ନବକୃଷ୍ଣ ଚୌଧୁରୀଙ୍କର ଘନିଷ୍ଠ ଯୁବ ସହଯୋଗୀ, ଯିଏ ଏବେ ଆମ ଗହଣରେ ଅଛନ୍ତି, ରବୀନ୍ଦ୍ର ନାଥ ସାହୁ (ଶୈଳଜ ରବି) ହୁଏତ କେବେ ଦିନେ ନବକୃଷ୍ଣ ଚୌଧୁରୀଙ୍କର ସ୍ଥାନୀୟତାର ସମ୍ବେଦନା ବିଷୟରେ କହିବେ, କହିବେ କିଭଳି ନିଜର ଶ୍ରମ ଓ ବ୍ୟଥାକୁ ଭ୍ରୂକ୍ଷେପ ନ କରି କର୍ମୀଦଳଙ୍କ ସହିତ ଓଡ଼ିଶାର ଜନଜୀବନ ସହିତ ତାଙ୍କରି ସ୍ତରରେ ଯାଇ ମିଶିଥିଲେ। ମୁଁ ନ ଜାଣିଥିବା ଅନେକ ସର୍ବୋଦୟ କର୍ମୀ ମଧୢ ଥାଇପାରନ୍ତି ଯେଉଁମାନେ ଏ ବ୍ୟକ୍ତିତ୍ବକୁ ବୁଝିବାରେ ସହାୟକ ହେବେ। ନବକୃଷ୍ଣ ଚୌଧୁରୀଙ୍କର ବିଚାରଧାରାର ଅନୁଗାମୀ, ଜଣେ ସର୍ବୋଦୟ କର୍ମୀ ଶ୍ରୀ କୃଷ୍ଣସି˚ହ! କେହି ଜଣେ କହିଲେ ଏ ମଧୢ ଜଣେ କୋରାପୁଟର ସନ୍ଥ! ଲଢ଼ୁଆ ସନ୍ଥ! ସେ କିଭଳି ସର୍ବୋଦୟର ଆଲୋକ କୋରାପୁଟର ଅନ୍ଧାରରେ ଜଳାଇ ରଖିଥିଲେ, ତାହା ସର୍ବୋଦୟର ଅଭୀଷ୍ଟକୁ ସ୍ପଷ୍ଟ କରିପାରେ।

କୃଷ୍ଣସି˚ହଙ୍କର ଆତ୍ମଜୀବନୀ ‘ମୋ ଜୀବନ, ମୋ ଉପାସନା’ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଉତ୍ସବରେ ଉନ୍ମୋଚିତ ହେଲା। ନବକୃଷ୍ଣ ଚୌଧୁରୀଙ୍କ ସମାଜବାଦକୁ ଯେଉଁ ଗୋଟେ ବିଶେଷ ଅ˚ଶକୁ ମୁଁ ଖୋଜୁଥିଲି ଓ ଯାହା ବିନା ତାଙ୍କୁ ବୁଝିବା ଅପୂର୍ଣ୍ଣ ରହିଥିଲା, ତାହା ପୂର୍ଣ୍ଣ ହୋଇଗଲା କୃଷ୍ଣ ସି˚ହଙ୍କ ଜୀବନୀ ପଢ଼ି। ନବକୃଷ୍ଣ ଚୌଧୁରୀ ତାଙ୍କ ଆତ୍ମଜୀବନୀ ଲେଖିନାହାନ୍ତି, ତାଙ୍କର ଜୀବନୀ ଲେଖିଚନ୍ତି ନବକୃଷ୍ଣ ଚୌଧୁରୀଙ୍କର ଅନୁରାଗୀ ଓ ଅନୁଗାମୀ ଚିତ୍ତର˚ଜନ ଦାସ ଓ ପଦ୍ମଚରଣ ନାୟକ। ଏ ଦୁଇ ଜୀବନୀ ଗ୍ରନ୍ଥ ତାଙ୍କ ନିଜ ନିଜ ମାର୍ଗରେ ଉତ୍ତମ, କିନ୍ତୁ ନବକୃଷ୍ଣ ଚୌଧୁରୀଙ୍କ ବ୍ୟକ୍ତିତ୍ବରେ ଯେଉଁ ବିଚିତ୍ର ଚିନ୍ତାକଳ୍ପମାନେ ଆସି ବସି ଯାଉଥିଲେ, ଯେଉଁଥିପାଇଁ ସେ ଏକାଧାରରେ ଅନେକ କିଛି ଥିଲେ, କିନ୍ତୁ କୋଉ ଗୋଟିଏକୁ ନିଜର କରିବା ପାଇଁ ମନ ବଳାଇ ନ ଥିଲେ ତାର ପରିଚୟ ମିଳିଲା ନାହିଁ। କୃଷ୍ଣସି˚ହଙ୍କ ଆତ୍ମଜୀବନୀ, ଜଣେ ସର୍ବୋଦୟ କର୍ମୀର ଦିନଲିପି, ମୋତେ ଦେଖାଇଦେଲା ‘ସର୍ବୋଦୟ’ ଭଳି ଏକ ଭାବାଦର୍ଶ ଓ ବିଚାରଧାରା ଆତ୍ମାର କ୍ରିୟାଶୀଳତା ବିନା ତାର ସ˚କଳ୍ପ ପୂର୍ଣ୍ଣ କରିପାରିବ ନାହିଁ। ସମାଜବାଦର ଆତ୍ମା ଯଦି ଏକ ରୁଢ଼ି ମୁକ୍ତ, ଅବରୋଧ ମୁକ୍ତ, ଅଧିକାର ଯୁକ୍ତ ମାନବାତ୍ମା ହୁଏ, ତେବେ ତାର ଚଳତ୍‌ଶକ୍ତି ସମାଜବାଦର ଅଧୢାତ୍ମରେ। ଏ ଅଧୢାତ୍ମ ସମ୍ବେଦନା, ନିରୀହତା, ଲଢ଼ୁଆ ପଣ, ଆତ୍ମୋତ୍ସର୍ଗ, ସନ୍ଥତ୍ବ ଭଳି ଉପାଦାନରେ ଗଢ଼ା। ଏ ଉପାଦାନମାନଙ୍କର ସମାବେଶ ଘଟିଥିଲା ‘ସର୍ବୋଦୟ’ରେ। ‘ସର୍ବୋଦୟ’ର ବିଶ୍ବସ୍ତରୀୟ ଥିଓରାଇଜେସନ୍‌ ହୋଇ ପାରିନାହିଁ, କାରଣ ସମାଜବାଦୀ ଚିନ୍ତକମାନେ ଘଡ଼ିସନ୍ଧି ବେଳେ ‘ସର୍ବୋଦୟ’କୁ ଆଉ ତାଙ୍କର ବିଚାରଧାରାର କେନ୍ଦ୍ରରେ ରଖିଲେ ନାହିଁ।

‘ସର୍ବୋଦୟ’ ଗାନ୍ଧୀଦର୍ଶନର ମୂଳପାଠ। ରସ୍କିନ୍‌ଙ୍କ ‘ଅନ୍‌ଟୁ ଦିସ୍‌ ଲାଷ୍ଟ୍’ ଗ୍ରନ୍ଥର ଅନୁବାଦ କରି ଗାନ୍ଧୀ ଏ ଗ୍ରନ୍ଥର ନାମ ଦେଇଥିଲେ ‘ସର୍ବୋଦୟ’। ଗାନ୍ଧୀଙ୍କ ଅନୁଗାମୀ ବିନୋବା ୟାକୁ ଏକ ସାମାଜିକ ବିପ୍ଳବର ସ˚ଜ୍ଞା ଦେଇ ‘ସତ୍ୟାଗ୍ରହ’ର କ୍ଷେତ୍ର ବାହାରକୁ ନେଇ ଆସିଲେ। ‘ସର୍ବୋଦୟ’ର ତିନି ସୂତ୍ର (୧) ସମସ୍ତଙ୍କ ମଙ୍ଗଳରେ ଜଣକର ମଙ୍ଗଳ ବି ସାମିଲ (୨) କର୍ମରେ ଉଚ୍ଚ-ନୀଚ ନାହିଁ (୩) ଶ୍ରମର ଜୀବନ ହିଁ ସାର୍ଥକ ଜୀବନ, ଓ ପରବର୍ତ୍ତୀ କାଳରେ ଗ୍ରାମ ସ୍ବରାଜ, ରାଜନୀତି ସେବା ଧର୍ମ, ତ୍ୟାଗ ଓ ମାନବ ଧର୍ମ ଆଦି ବହୁ ସୂତ୍ର ଏକାଠି ହେଲା ପରେ ଗୋଟେ ବଡ଼ ଗଣ୍ଠି ପଡ଼ିଗଲା। ସୂତ୍ର ସବୁ ଏତେ ବ୍ୟାପକ ଓ ଛନ୍ଦାଛନ୍ଦି ହୋଇଗଲେ ଯେ ସେମାନଙ୍କୁ ଅଲଗା କରିବା ସମ୍ଭବ ନ ଥିଲା। ସମାଜବାଦୀଙ୍କ ଆଗରେ ଗୋଟିଏ ନିର୍ଦ୍ଦିଷ୍ଟ ଅର୍ଥନୈତିକ ଓ ରାଜନୈତିକ ଆଜେଣ୍ଡା ଥିଲା। କିନ୍ତୁ ସମାଜବାଦୀଙ୍କ ଭିତରେ ଥିଲେ କିଛି ଗାନ୍ଧୀ-ବିନୋବା ପ୍ରଣୋଦିତ ଅଧୢାତ୍ମବାଦୀ ଓ ଥିଲେ କିଛି କ୍ରାନ୍ତିକାରୀ। ଏମାନେ ମିଶି ଭାରତୀୟ ସମାଜକୁ ଗୋଟିଏ ସୁଦୃଢ଼ ରାଜନୈତିକ ଦର୍ଶନ ଦେଇପାରିଲେ ନାହିଁ। ସ୍ଥାନୀୟ ସମ୍ବେଦନାକୁ ନେଇ କର୍ମୀମାନେ ଚାରିଆଫେ ବ୍ୟାପି ଗଲେ ଆଦର୍ଶର ଲହର ହୋଇ, କିନ୍ତୁ ଚିନ୍ତାର ସାଗର ଶୁଖି ଚାଲିଥିଲା ସେତେବେଳକୁ। ନବକୃଷ୍ଣ ଚୌଧୁରୀଙ୍କ ଜୀବନ ଓ ତାଙ୍କ ସତୀର୍ଥଙ୍କ ଜୀବନରୁ ଏତିକି ମୁଁ ଅନୁଭବ କଲି ଯେ ଭାରତୀୟ ସମାଜବାଦର ଅଧୢାତ୍ମ ପୁରୁଷ ନବକୃଷ୍ଣ ଚୌଧୁରୀଙ୍କ ସ୍ଥାନୀୟ ସକ୍ରିୟତାକୁ ନା କେହି ବୁଝିଲେ ନା ତାଙ୍କର ବ୍ୟଥାତୁର, ଚିନ୍ତାଶୀଳ ବ୍ୟକ୍ତିତ୍ବକୁ କେହି ବୁଝିଲେ।

କଳ୍ପନା କରନ୍ତୁ ଖଣ୍ତେ ମଳିନ ଧୋତି ଓ ଜାମା ପିନ୍ଧି ଜଣେ ବୟୋବୃଦ୍ଧ ବ୍ୟକ୍ତି ଅନୁଗୁଳ ପାଖର ଗୋଟେ ହାଟରୁ ଫେରୁଚନ୍ତି ଚାଲିଚାଲି। ଥକା ଲାଗୁଚି, ମୁଣ୍ତ ଉପରେ ଦିପହରର ସୂର୍ଯ୍ୟ। ଜଣେ ସାଇକେଲ ଆରୋହୀ ତାଙ୍କୁ ଚିହ୍ନି ପକେଇ ଅଟକିଗଲେ। ଆରେ ଏ ତ ନବକୃଷ୍ଣ ଚୌଧୁରୀ! ପଚାରିଲେ: ଆପଣ ଏମିତି ଚାଲି ଚାଲି, ଏତେ କଷ୍ଟରେ ହାଟରୁ ଫେରୁଚନ୍ତି କାହିଁକି? ନବକୃଷ୍ଣ ଚୌଧୁରୀ କହିଲେ: କିଏ ଜାଣେ ଆଉ କେବେ ସାକ୍ଷାତ ହେବ କି ନାହିଁ, ତେଣୁ ରାସ୍ତାକଡ଼ର ଗଛମାନଙ୍କୁ ଦେଖି ଦେଖି ଆସୁଥିଲି! ଏ ହେଉଚନ୍ତି ନବକୃଷ୍ଣ ଚୌଧୁରୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ସର୍ବୋଦୟ ନେତା, ସମାଜବାଦୀ ଚିନ୍ତକ ଓ ଭାରତୀୟ ରାଜନୀତିରେ ସମାଜବାଦର ଅନ୍ତିମ ଅଧୢାତ୍ମ ପୁରୁଷ। ଏଇ ଦେଖନ୍ତୁ ତାଙ୍କର ଜଣେ ସର୍ବୋଦୟ କର୍ମୀ କୋରାପୁଟର କୃଷ୍ଣସି˚ହ, ଲେଖିଚନ୍ତି ତାଙ୍କର ଆତ୍ମଜୀବନୀ, ଏଭଳି ସରଳତା, ଭାବାକୁଳତା, ତୃଣମୂଳସ୍ତରୀୟ ଆନ୍ଦୋଳନର ଆନ୍ତରିକତା ଓ ନିଷ୍ଠାର ସହିତ, ଯେ ମୋର ମନେ ହେଲା ଏଭଳି ଆତ୍ମଜୀବନୀ ମୁଁ ୟା ପୂର୍ବରୁ ଓଡ଼ିଆ ଭାଷାରେ ପଢ଼ିନାହିଁ। ଅଧୢାତ୍ମ ମଧୢ କୃଷ୍ଣସି˚ହଙ୍କର କର୍ମୀ ଜୀବନର କ୍ରିୟାଶକ୍ତି।

ଗତ ସପ୍ତାହରେ ଚେନ୍ନାଇରୁ ପ୍ରକାଶିତ ‘ତୁଗ୍‌ଲକ୍‌’ ସମ୍ବାଦପତ୍ରର ସମ୍ପାଦକ ଗୁରୁମୂର୍ତ୍ତି ଗୋଟିଏ ସାକ୍ଷାତକାରରେ କହିଲେ ରଜନୀକାନ୍ତ ତାମିଲନାଡୁରେ ଆଧୢାତ୍ମିକ ରାଜନୀତି କରିବେ। କ’ଣ ହେବ ଏ ଆଧୢାତ୍ମିକ ରାଜନୀତିର ସ୍ବରୂପ? ଗତ ରବିବାର ପ୍ରଧାନମନ୍ତ୍ରୀ ନୂଆ ପାର୍ଲିଆମେଣ୍ଟ ଭବନ ନୂଆ ଭାରତ, ସ୍ବନିର୍ଭର ଭାରତର ସଙ୍କେତ ହେବ ବୋଲି କହିଲେ। ଭାରତୀୟ ରାଜନୀତିରେ ରାଜନେତା ଓ ଶାସକମାନେ ଅଧୢାତ୍ମ ଓ ଆଧୢାତ୍ମିକ ଅନ୍ତ୍ୟୋଦୟର କଥା କହୁଚନ୍ତି, ଏ କ’ଣ ବିଶ୍ବର ଗଣତାନ୍ତ୍ରିକ ପରମ୍ପରାରେ ଏକ ନୂଆ ତତ୍ତ୍ବର ଉଦୟ ନୁହେଁ? ସବିଶେଷ ଲୋକର ଉଦୟକୁ ନେଇ ସତ୍ତାର ସ˚ଗ୍ରାମ କ’ଣ ଏକ ଧର୍ମଯୁଦ୍ଧ ନୁହେଁ, ଅହି˚ସ ଆଧୢାତ୍ମିକ ବିପ୍ଳବ ନୁହେଁ? ବିଶ୍ବ ରାଜନୀତିର ଶ୍ରେଷ୍ଠ ଗଣତାନ୍ତ୍ରିକ ପ୍ରୟୋଗ ସର୍ବୋଦୟ, ସେହି ସର୍ବୋଦୟ ହିଁ ସମାଜବାଦର ଅଧୢାତ୍ମ! ଓଡ଼ିଶାରେ ହିଁ ସମାଜବାଦର ଅଧୢାତ୍ମ ପରିକଳ୍ପିତ ହୋଇଥିଲା ଗୋଟିଏ ବ୍ୟକ୍ତି ଦ୍ବାରା, ସେ ବ୍ୟକ୍ତି ନବକୃଷ୍ଣ ଚୌଧୁରୀ! ଓଡ଼ିଶାରେ ସର୍ବୋଦୟର ପରିକଳ୍ପନାକୁ ସାକାର କରିବା ପାଇଁ ନୂଆ ତତ୍ତ୍ବ ଓ କର୍ମକାଣ୍ତ ବିକଶିତ କରିବା ପାଇଁ ରାଜନୈତିକ ଚିନ୍ତନ ଆରମ୍ଭ ହେଉ। ଅଧୢାତ୍ମ ହିଁ ରାଜନୀତିର ଭବିଷ୍ୟତ।
ବାଗର୍ଥ, ଏନ୍ ୨/୨୬
ଆଇଆର୍୍ସି ଭିଲେଜ୍, ଭୁବନେଶ୍ବର
ମୋ- ୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର