ଆଜି କାର୍ତ୍ତିକ ପୂର୍ଣ୍ଣିମା, ପବିତ୍ର କାର୍ତ୍ତିକ ମାସର ଶେଷ ଦିନ। କଥାରେ ଅଛି ଦେଶ ଭିତରେ ଉତ୍କଳ, ପୁଷ୍ପ ଭିତରେ କମଳ। ସେଇଭଳି ମାସ ଭିତରେ କାର୍ତ୍ତିକ, ତିଥି ଭିତରେ ପଞ୍ଚୁକ। ଏମାନେ ସବୁ ପବିତ୍ର, ପୁଣ୍ୟତୋୟା। ଓଡ଼ିଆ ପାଂଜିରେ କାର୍ତ୍ତିକକୁ ସବୁଠୁ ପୁଣ୍ୟ ମାସ ରୂପେ ଗ୍ରହଣ କରାଯାଏ। ଉଭୟ ହର ଓ ହରିଙ୍କ ଆରାଧନା ପାଇଁ ଏହା ହେଲା ସବୁଠୁ ପ୍ରକୃଷ୍ଟ ସମୟ। ଏ ମାସରେ ସବୁ ନଦୀ ପାଲଟି ଯାଆନ୍ତି ଗଙ୍ଗା। ପାହାନ୍ତା ପ୍ରହରରେ ତାରାଙ୍କ ଅଲୁଅରେ ସ୍ନାନ ତର୍ପଣ କରି ଲୋକେ ଦେବଦର୍ଶନ କରିଥାନ୍ତି। ବିଧବା ମହିଳାମାନେ କାର୍ତ୍ତିକ ବ୍ରତ ବା ରାଧାଦାମୋଦର ପୂଜା କରନ୍ତି। ଏଇ ମାସରେ ହରି ଶୟନରୁ ଉଠି ଜଗତପାଳନରେ ଧ୍ୟାନ ଦିଅନ୍ତି। ଏଇ ମାସରେ ମହାଦେବ ତ୍ରିପୁରାସୁରକୁ ବଧ କରି ସଂସାର ତାରଣ କରିଥିଲେ। କାର୍ତ୍ତିକ ମାସ ଆହୁରି ମଧ୍ୟ ପବିତ୍ର ଏଇଥିପାଇଁ ଯେ ଏହି ମାସରେ ବିଷ୍ଣୁ ତାଙ୍କର ପ୍ରଥମ ଅବତାର ମତ୍ସ୍ୟବତାର ରୂପ ଧାରଣ କରି ସୃଷ୍ଟି ବିବର୍ତ୍ତନର ଅୟମାରମ୍ଭ କରିଥିଲେ।
ପୁଣି ଏହି ମାସରେ ଦେବତାମାନଙ୍କର ସେନାପତି କାର୍ତ୍ତିକେୟଙ୍କର ଜନ୍ମ ହୋଇଥିଲା। ତୁଳସୀ ବୃକ୍ଷର ପୂଜ୍ୟ ପ୍ରତିମା ବୃନ୍ଦାବତୀ ମଧ୍ୟ ଏହି ମାସରେ ଜନ୍ମଗ୍ରହଣ କରିଥିଲେ। ବିଷ୍ଣୁ ମଧୁ କୈଟଉଙ୍କୁ ଏହି ମାସରେ ବଧ କରି ତା’ କବଳରୁ ଜଳ ମଧ୍ୟରେ ଲୁଚାଇ ରଖିଥିବା ବେଦ ଉଦ୍ଧାର କରିଥିଲେ। କାର୍ତ୍ତିକରେ ଯେହେତୁ ବିଷ୍ଣୁ ବେଦୋଦ୍ଧାର ପାଇଁ ମତ୍ସ୍ୟ ଅବତାର ଧାରଣ କରି ଜଳ ମଧ୍ୟରେ ପ୍ରବେଶ କରିଥିଲେ, ତେଣୁ ଜଳରାଶି ଏହି ସମୟରେ ପବିତ୍ର ଥାଏ। ତେଣୁ ଏ ସମୟ ସ୍ନାନ ପାଇଁ ସର୍ବୋତ୍ତମ। ତୁଳସୀ ଗଛ ମୂଳେ ଦୀପ ଜଳେଇ ତା’ର ଆରାଧନା କରାଯାଏ। ଏ ମାସ, ପୁଣ୍ୟ ମାସ ହୋଇଥିବାରୁ ଅନେକ ଏ ମାସରେ ଆମିଷ ଭକ୍ଷଣ କରିନଥାନ୍ତି। ପଞ୍ଚୁକରେ ତ ପୂରା ବନ୍ଦ। ଏପରିକି କେହି କେହି ବାଇଗଣ, କଲରା, ଜୀରା, ବିରି, ମୁଗ, ଚଣା ଆଦି ପଦାର୍ଥ ମଧ୍ୟ ତ୍ୟାଗ କରିଥାନ୍ତି। କେହିକେହି ଦେହରେ ତେଲ ମଧ୍ୟ ଲଗାଇ ନଥାନ୍ତି। ପରିଶେଷରେ କାର୍ତ୍ତିକ ପୂର୍ଣ୍ଣିମା ବା ବୋଇତ ବନ୍ଦାଣରେ ସରେ ମାସ।
ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ଏହି ମାସଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାର୍ତ୍ତିକ ମାସରେ ଉତ୍କଳୀୟ ପରମ୍ପରାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହୋଇଥାଏ। ଏହା ପ୍ରାଚୀନ ଉତ୍କଳ ବା କଳିଙ୍ଗର ସାଧବ ପୁଅମାନଙ୍କର ବାଣିଜ୍ୟ ସାମର୍ଥ୍ୟର ଜୟଗାନ କରେ। ପ୍ରଚୀନ ଉତ୍କଳର ସାଧବମାନେ ଏହି ସମୟରେ ସୁଦୂର ବାଲି, ଜାଭା, ବୋର୍ଣ୍ଣିଓ ଦ୍ବୀପପୁଂଜକୁ ବଣିଜ ବେପାର କରିବାକୁ ବାହାରୁଥିଲେ। ଏବେ ମଧ୍ୟ ତା’ର ସଂସ୍କୃତି ସ୍ବରୂପ ଲୋକେ କଦଳୀ ପଟୁଆରେ ତିଆରି ଡଙ୍ଗାରେ ଦୀପ ଜାଳି, ପାନଗୁଆ ଥୋଇ ନଦୀ ପୁଷ୍କରିଣୀରେ ଭସାଇ ଦିଅନ୍ତି।
କାର୍ତ୍ତିକ ମାସକୁ ଅନ୍ୟଥା ଦାମୋଦର ମାସ ବୋଲି ମଧ୍ୟ କୁହାଯାଏ। ଏହି ମାସରେ ରାଧା ଓ କୃଷ୍ଣଙ୍କର ରାସଲୀଳା ହେଉଥିବାରୁ ତାଙ୍କୁ ପ୍ରତ୍ୟହ ସକାଳ ଓ ସଂଧ୍ୟାରେ ବନ୍ଦାପନା କରି ଆରାଧନା କରାଯାଏ। ରାଧାଙ୍କ ବିନା କୃଷ୍ଣ ଅସମ୍ପୂର୍ଣ୍ଣ ମନେ କରାଯାଉଥିବାରୁ ଦାମୋଦରଙ୍କ ସହ ରାଧାରାଣୀଙ୍କୁ ମଧ୍ୟ ପୂଜା କରାଯାଏ। ଏହି ମାସରେ ହବିଷିଆଳୀମାନଙ୍କ ଭିଡ଼ ଜମେ ପୁରୀରେ। ସେମାନେ ପଞ୍ଚ ପୁଷ୍କରିଣୀର ପବିତ୍ର ଜଳରେ ସ୍ନାନ କରି ସୂର୍ଯ୍ୟୋଦୟ ପୂର୍ବରୁ ରାଧା ଦାମୋଦରଙ୍କ ପୂଜା କରନ୍ତି। ଦିନରେ ଓଳିଏ ଖାଇ ସେମାନେ ବଡ଼ ନିଷ୍ଠାର ସହ ରହିଥାନ୍ତି। ସନ୍ଧ୍ୟାରେ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଲକ୍ଷ୍ମୀମନ୍ଦିର ସାମନା ପାଟଅଗଣା ବା କୀର୍ତ୍ତନ ଚକଡ଼ାରେ ବସି ଭଜନ କୀର୍ତ୍ତନ କରିଥାନ୍ତି ଓ ଅବଢ଼ା ଗ୍ରହଣ କରି ନିଜକୁ ଧନ୍ୟ ମନେ କରିଥାନ୍ତି।
ଏହି ସମୟରେ ପଞ୍ଚୁକ ପାଞ୍ଚ ଦିନରେ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଭିନ୍ନ ଭିନ୍ନ ବେଶ ଲାଗି ହୋଇଥାଏ। ଏହି ପାଞ୍ଚ ବେଶ ହେଲା: ଏକାଦଶୀ ଦିନ ଲକ୍ଷ୍ମୀନାରାୟଣ, ଦ୍ବାଦଶୀରେ ବାଙ୍କଚୂଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ଓ ପୂର୍ଣ୍ଣିମାରେ ରାଜାଧିରାଜ ବେଶ। ଯେଉଁ ବର୍ଷ ପଞ୍ଚୁକ ପାଞ୍ଚ ଦିନ ବଦଳରେ ଛଅ ଦିନ ପଡ଼େ ସେହି ବର୍ଷ ନାଗାର୍ଜୁନ ବେଶ ହୋଇଥାଏ।
ପୁରୀରେ ଜଗନ୍ନାଥ ପରମ୍ପରାରେ ରାଇଦାମୋଦର ପୂଜାକୁ ନେଇ ଏକ କାହାଣୀ ଶୁଣାଯାଏ। ଏକଦା ଶ୍ବେତଗଙ୍ଗା କୂଳରେ ଏକ ବ୍ରାହ୍ମଣ ପରିବାର ରହୁଥିଲେ। କାର୍ତ୍ତିକ ମାସରେ ନଣନ୍ଦ ଭାଉଜ ଏକାଠି ବ୍ରାହ୍ମମୁହୂର୍ତ୍ତରେ ସମୁଦ୍ର କୂଳକୁ ଯାଇ ରାଇଦାମୋଦର ପୂଜା କରୁଥିଲେ। କିନ୍ତୁ ଏମାନଙ୍କ ଅଧ ରାତିରେ ଉଠି ବାହାରକୁ ଯିବାକୁ ଘରର ମାଲିକାଣୀ ସନ୍ଦେହ କରି ତାଙ୍କୁ ବାହାରକୁ ଯିବାକୁ ମନା କଲା। ତେଣୁ ସେମାନେ ବାଧ୍ୟ ହୋଇ ସୂର୍ଯ୍ୟୋଦୟ ପରେ ଯାଇ ସମୁଦ୍ର କୂଳରେ ବାଲୁକାମୂର୍ତ୍ତି ଗଢ଼ି ପୂଜା କଲେ। ଏମାନଙ୍କ ନୈବେଦ୍ୟ ଗ୍ରହଣ କରିବାକୁ ଜଗନ୍ନାଥ ସମୁଦ୍ର କୂଳକୁ ଚାଲିଯିବାରୁ ପୂଜାପଣ୍ଡାଙ୍କ ଚଳୁ ଭିତରେ ଆଉ ଦେଖାଗଲେନି। ଏଭଳି ପୂଜାବିଘ୍ନ ହେବାରୁ ରାଜା ତାଙ୍କ ନୈଷ୍ଠିକତା ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ବନ୍ଦୀ କଲେ। ପଣ୍ଡାମାନଙ୍କ ଆକୁଳ ପ୍ରାର୍ଥନାରେ ଜଗନ୍ନାଥ ରାଜାଙ୍କୁ ସ୍ବପ୍ନାଦେଶ କଲେ ଯେ ପଣ୍ଡାଙ୍କର କିଛି ଦୋଷ ନାହିଁ। ହେଲେ ତୁ ତାଙ୍କୁ ବନ୍ଦୀ କରି ରଖିବାରୁ ମୋର ଅନ୍ୟ ସବୁ ନୀତିକାନ୍ତି ବନ୍ଦ ହେଲାଣି ଓ ମୁଁ ଉପାସରେ ରହିଚି। ତୁରନ୍ତୁ ତାଙ୍କୁ ମୁକ୍ତ କରି ମୋର ବିଧିବିଧାନ କର। ସେଇଦିନଠୁ ଜଗନ୍ନାଥ ମନ୍ଦିରରେ ରାଧା ଦାମୋଦର ପୂଜା ଆନୁଷ୍ଠାନିକ ଭାବେ ହେଲା।
ଶ୍ରୀକୃଷ୍ଣଙ୍କ ପ୍ରିୟ ଏହି ମାସ ସୂର୍ଯ୍ୟାଲୋକର ନବ ପ୍ରକାଶରେ ସଂସାରକୁ କଳୁଷମୁକ୍ତ କରେ। ଦୀପ ଦାନ, ତୁଳସୀ ରୋପଣ, ପ୍ରାତଃ ସ୍ନାନ, ନାମ କୀର୍ତ୍ତନ, ହବିଷ୍ୟାନ୍ନ ସେବନ ଓ ପୁରାଣ ପଠନର ସକାରାତ୍ମକ ଅନୁରଣନରେ ପାପମୁକ୍ତ ହୁଏ ଜଗତ। ସେଥିପାଇଁ କୁହାଯାଏ, ଗଙ୍ଗା ପରି ନଦୀ ନାହିଁ କି ବେଦ ସମାନ ନାଦ ନାହିଁ, ବଦ୍ରିକା ଭଳି ତୀର୍ଥ ନାହିଁ କି କାର୍ତ୍ତିକ ସମାନ ବ୍ରତ ନାହିଁ। ଆଧ୍ୟାତ୍ମିକ ଉତ୍ତରଣର ମାସ ହେଲା କାର୍ତ୍ତିକ। ସାଂସାରିକ ପାପ ଭାରରେ ଏହା ଅଧିକ ପତିତ ନହେଉ।
ମୁଖ୍ୟ ପ୍ରଶାସକ, ଶ୍ରୀମନ୍ଦିର
ମୋ: ୯୪୩୭୨୮୬୫୧୨
ଆଧ୍ୟାତ୍ମିକ ଉତ୍ତରଣର ମାସ
ରଂଜନ କୁମାର ଦାସ
/sambad/media/post_attachments/wp-content/uploads/2023/11/adggddggd.jpg)