‘ଶୀତ ଦିନେ ଶୀତ ନ ହୋଇ ଆଉ କ’ଣ ଗରମ ହୁଅନ୍ତା ଯେ ଏମିତି ଓଃ ଆଃ ହେଉଚୁ?’
ସତ୍ୟେନ୍ଦୁ ଉଦ୍ଦେଶ୍ୟରେ କହିଲା ବାବୁରାଓ।
ସତ୍ୟେନ୍ଦୁର ପିଲା ଦିନର ସାଙ୍ଗ ବାବୁରାଓ। ସବୁ ଦିନ ସକାଳ ବୁଲା ସାରି ଦି ସାଙ୍ଗ ଆସି ତା ପତ୍ନୀ ସୁତପା ହାତ ତିଆରି ଗରମାଗରମ ଅଦା ଚା’ର ମଜା ନେଉଥିଲେ ସତ୍ୟେନ୍ଦୁ ଘରେ। ଏବେ ପ୍ରବଳ ଶୀତ ଲାଗି ଅନେକ ଦିନ ଧରି ଆଉ ଆସୁ ନ ଥିବା ବାବୁରାଓ ଅଚାନକ ସେ ଦିନ ଆସି ପହଞ୍ଚି ଯାଇଥିଲା।
ସତ୍ୟେନ୍ଦୁର ପତ୍ନୀ ସୁତପା ଦି କପ୍ ଗରମ ଚା ଧରି ଆସୁଆସୁ କହିଲେ- ‘ତୁମମାନଙ୍କ ପାଇଁ ସିନା ଶୀତ ବଢୁଚି ଓ କମୁଚି ହେଲେ ଆମ ପରି ଘରଣୀମାନଙ୍କ ପାଇଁ ତ ସବୁ ଏକା!’
କାଇଁ ତୁମ କାମବାଲୀ ଅଛି ପରା ଭାଉଜ, ସେ ତ ସକାଳୁ ଆସି ଯାଉଥିବ ନା ବାସି କାମ ସାରିବା ପାଇଁ! କହିଲା ବାବୁରାଓ।
- ‘ହଁ ସବୁ ଦିନ ବଡ଼ି ସକାଳୁ କାମବାଲୀ ମାଉସୀ ଆସିଯାଏ ଯେ, ତେବେ ତାକୁ ଦେଖୁଦେଖୁ ମୋ ମନ କିନ୍ତୁ ଓଜନିଆ ହୋଇ ଯାଉଚି। ମୋ ପିଲା ଦିନ ମନେ ପଡ଼ି ଯାଉଚି ତ!’ ମୋ ବୋଉ ମୁହଁ ଜଳଜଳ ଦିଶି ଯାଉଚି, ଦିଶି ଯାଉଚି ଗୋଟେ ଆଜବେଷ୍ଟସ ଛାତର ଦି ବଖୁରିଆ ସରକାରୀ କ୍ୱାଟର ଓ ତା’ ଆଗରେ ଥିବା ନଳରୁ ବୋଉ ଓ ଅନ୍ୟ କ୍ୱାଟରରେ ଥିବା ମାଉସୀମାନେ ଧାଡ଼ି ବାନ୍ଧି ପିଇବା ପାଣି ବୋହି ନେଉଥିବା କଥା! ସେତେବେଳେ ବି ପ୍ରବଳ ଶୀତ ହେଉଥିଲା। କାର୍ତ୍ତିକ ଆରମ୍ଭରୁ ଯଥାରୀତି ଆରମ୍ଭ ହୋଇ ଯାଉଥିଲା ଶୀତ। ତଥାପି ଜେଜେମା ଆମର ତାଙ୍କ ଭଳି ପରିଣତ ବୟସ୍କାମାନଙ୍କ ଗହଣରେ ପାହାନ୍ତାରୁ ଉଠି ଯାଉଥିଲେ ନଦୀରେ ଗାଧୋଇ ଦିଅଁ ଦର୍ଶନ ପାଇଁ। ତାହା ସାରିଲା ପରେ ରାଈ ଦାମୋଦର ପୂଜୁଥିଲେ, ଓଳିଏ ହବିଷାନ୍ନ କରୁଥିଲେ ଓ ସଂଜରେ ଆକାଶ ଦୀପ ଜାଳୁଥିଲେ। ପାହାନ୍ତା ପହରର ଶୀତ ତ ଯାହା ଥିଲା, ସଂଜ ହେଉ ହେଉ ଶୀତ ବଢ଼ି ଯାଉଥିଲା। ଆଉ କାର୍ତ୍ତିକ ପୂର୍ଣ୍ଣିମା ବେଳକୁ ଶୀତ ବଢ଼ି ଥିଲେ ବି ପର୍ବପର୍ବାଣି ଲାଗି ରହି ପରିବେଶକୁ ଯେମିତି ଉଷୁମ କରି ଦେଉଥିଲା, ସେଥିରେ ଶୀତ କଥା ଭାବିବାକୁ ତର ନ ଥିଲା।’
ସେହି ଦିନ ସକାଳେ ଏତେ ଶୀତ ଥିଲା ଯେ ଦୁଇ ବନ୍ଧୁ ଥରୁଥିଲେ। ଏତିକି ବେଳେ ସୁତପାଙ୍କ ଅଚାନକ ଭାବପ୍ରବଣତାରେ ଚକିତ ହୋଇଗଲା ସତ୍ୟେନ୍ଦୁ। ସେ ବି କହି ଉଠିଲା- ‘ହଁ ଏସବୁ ତ ଊଣା ଅଧିକ ଆମ ସବୁରି ଅତୀତର କଥା! ଏହା ପରେ ମାର୍ଗଶୀର ମାସରେ ଆହୁରି ବଢି ଯାଉଥିଲା ଶୀତ। ଆସି ଯାଉଥିଲା ମହାଲକ୍ଷ୍ମୀ ପୂଜାର ଚାରି ପାଳି ଗୁରୁବାର। ଶୀତୁଆ ରାତିରେ ମା’ ଥରି ଥରି ଚିତା ପକାଇବା କଥା ମନେ ପଡ଼ିଯାଉଛି।’ କିନ୍ତୁ ସତ କହିଲେ ଗୁରୁବାର ଦିନଗୁଡ଼ିକ ଭୋରରେ ଉଠିବା ଠୁ ଆରମ୍ଭ କରି ଡେରି ରାତିରେ ଶୋଇବା ଯାଏ ଦିନ ଯାକର ନାହିଁ ନ ଥିବା ବ୍ୟସ୍ତତା ଭିତରେ ଶୀତ ବି ଆପଣା ଛାଏଁ ସମ୍ପୂର୍ଣ୍ଣ ଭୁଲି ହୋଇ ଯାଉଥିଲା।’
ବାବୁରାଓ ଏ କଥା ସବୁ ମନଯୋଗ ଦେଇ ଶୁଣୁଥିଲା ଏବଂ ମୁଣ୍ଡ ହଲାଉଥିଲା।
ସୁତପା କହିଲେ- ‘ଲାଗୁଚି ବଡ଼ଦିନ, ନିଉ ଇଅର୍ ହୋଇ ଅତି ବେଶୀରେ ମକର ଯାଏ ଏ ଶୀତ ରହିଲେ ରହିପାରେ, ତା ପରେ ଛାଏଁ କମି ଯିବ।’ ପାଣିପାଗର ଘୋଷଣା କଲା ଭଳି ଥିଲା ତାଙ୍କ କଥା।
‘ନାଇଁ ନାଇଁ’, ଏବେ କହିଲା ବାବୁରାଓ। ‘ମାଘ ମାସର ଜାଡ଼ରେ ବୁଡ଼ ପକାଇବା ବେଳେ କହନ୍ତିନି କି ବାଘ ପରି ଶୀତ ହୁଏ? ମାଘ ନ ସରିଲା ଯାଏ ଶୀତ ଯିବ କ’ଣ?’
ସତ୍ୟେନ୍ଦୁ କହିଲା- ‘ଆରେ ଭାଇ, ବାଘମାନେ ବି କୋଉ ଆଉ ଆଗ ପରି ଏଇନେ ଅଛନ୍ତି? ସେମାନଙ୍କ ଭଳି ଏ ଶୀତ ବି କମି ଆସିଲାଣି।’
- ହଁ ଦିନକୁ ଦିନକୁ ଦିନ ବଢ଼ି ଚାଲିଥିବା ପାପ ଭାର ଲାଗି ଏ ସବୁ ହେଉଛି। କୌଣସି କଥା ନିୟମ ଅନୁସାରେ ହେଉନି। ପାପ କ୍ଷୟ ନ ହେଲେ ଏମିତି ଚାଲିବ। ଭଗବାନଙ୍କୁ ଡାକୁଛି ମାଘ ବୁଡ଼ ବେଳକୁ ଶୀତ ଗାଏବ ହୋଇ ଯାଇଥାଉ। କମ୍ ଶୀତରେ ସିନା ବେଶୀ ଲୋକ ବୁଡ଼ ଦେଲେ ଅଧିକ ପାପ ଧୋଇ ହୋଇଯିବ!
ଅନ୍ତିମ କଥାଟି କହିଲେ ସୁତପା।
[email protected]
ଶୀତ ସକାଳ, ଚା’ ଓ ଚର୍ଚ୍ଚା
ସତ୍ୟନାରାୟଣ ଗନ୍ତାୟତ