ଇଜିପ୍‌ଟର ଏକ ଖବରକାଗଜ ‘ଇଜିପ୍‌ଟ ଟାଇମ୍‌ସ’ରେ ୨୦୨୨, ମେ’ ମାସରେ ପ୍ରକାଶିତ ମୁସ୍ତାଫା ମାଉରିଙ୍କର ଏକ ପ୍ରବନ୍ଧରେ ସମୁଦ୍ର ଗର୍ଭରେ ବିଲୀନ ହୋଇଯାଇଥିବା ପ୍ରାଚୀନ ନଗରୀ ହେରାକ୍ଲିୟନ ସଂପର୍କରେ ବାହାରିଥିଲା। ବର୍ତ୍ତମାନର ଇଜିପ୍‌ଟର ସମୁଦ୍ର ତଟରୁ ସାତ କିଲୋମିଟର ଦୂରରେ ନୀଳ ନଦୀ କୂଳରେ ଅବସ୍ଥିତ ଥିଲା ହେରାକ୍ଲିୟନ ନଗର। ଏହା ସଂପର୍କରେ ଅନେକ ଗ୍ରୀକ ଓ ମିଶରୀ ଗ୍ରନ୍ଥରେ ବର୍ଣ୍ଣନା ରହିଛି। ଏହି ବର୍ଣ୍ଣନା ଏବଂ ଏହାକୁ କେନ୍ଦ୍ର କରି ରହି ଆସିଥିବା ଲୋକକଥାଗୁଡ଼ିକୁ ଅନୁଶୀଳନ କରି ବିଶେଷଜ୍ଞମାନେ ଯେଉଁ ସ୍ଥାନ ଚିହ୍ନଟ କଲେ, ସେଠାରେ ସମୁଦ୍ର ଗର୍ଭରୁ ଆବିଷ୍କୃତ ହେଲା ପ୍ରାଚୀନ ହେରାକ୍ଲିୟନ ନଗରୀ। ଇଜିପ୍‌ଟ ସରକାରଙ୍କ ଉଦ୍ୟମରେ ଫରାସୀ ସାମୁଦ୍ରିକ ପ୍ରତ୍ନତତ୍ତ୍ୱବିତ୍‌ ଫ୍ରାସୁଆଁ ଗୋଦିଓ ନେତୃତ୍ବରେ ତାଙ୍କ ଦଳ ପାଞ୍ଚ ବର୍ଷ ଲାଗି ଏହି କଷ୍ଟକର କାର୍ଯ୍ୟକୁ ସଂପୂର୍ଣ୍ଣ କରିଥିଲେ।
ଏଥିରେ ପ୍ରାଚୀନ ଗ୍ରନ୍ଥ, ଲୋକକଥା ଏବଂ ଆଧୁନିକତମ ଯନ୍ତ୍ରପାତି ଓ ଉପକରଣ ଆଦିର ବ୍ୟବହାର କରାଯାଇଥିଲା; ଯହିଁରେ ଅନ୍ତର୍ଭୁକ୍ତ ଥିଲା ‘ନ୍ୟୁକ୍ଲିଅର ମାଗନେଟିକ ରିଜୋନାନ୍‌ସ ମିଟର’ ଠାରୁ ଆରମ୍ଭ କରି ‘ସାଟେଲାଇଟ ପୋଜିସନିଂ ସିଷ୍ଟମ’ ପର୍ଯ୍ୟନ୍ତ ଅନେକ ଆଧୁନିକ ପ୍ରବିଧି। ‘ରେଡିଓଆକ୍‌ଟିଭ’ ପରୀକ୍ଷାରୁ ଜଣାଯାଏ ଯେ ସେହି ମଗ୍ନ ନଗରୀର ଅନେକ ଦ୍ରବ୍ୟ ଅତି କମ୍‌ରେ ୨୫୦୦ ବର୍ଷ ବା ତା’ ଠାରୁ ଅଧିକ ପ୍ରାଚୀନ। ହେରାକ୍ଲିୟନ ସହରଟି ‘ଅମୁନ ଗେରେବ’ ନାମକ ଦେବତାଙ୍କ ମନ୍ଦିରକୁ କେନ୍ଦ୍ର କରି ଗଢ଼ି ଉଠିଥିଲା। ତହିଁରୁ ପ୍ରାପ୍ତ ବିଭିନ୍ନ ଦ୍ରବ୍ୟର ଅଧ୍ୟୟନରୁ ଜଣାଯାଏ ଯେ ଏହି ସହରକୁ ଗ୍ରୀକ ଏବଂ ଭାରତୀୟ ବଣିକଙ୍କ ଯିବା ଆସିବା ମଧ୍ୟ ଥିଲା। ଅନୁମାନ କରାଯାଏ ଯେ ନଗରର ନିମ୍ନ ଭୂ-ସ୍ତର ଧସିଯିବା କାରଣରୁ ନଗରଟି ଜଳ ସମାଧି ନେଇଥିଲା। ବୈଜ୍ଞାନିକଙ୍କର ସିଦ୍ଧାନ୍ତ ଅନୁସାରେ ହେରାକ୍ଲିୟନ ନଗରୀଟି ୭୦୦୦ ବର୍ଷ ପୂର୍ବରୁ ନିର୍ମିତ ହୋଇଥିଲା।
ଅନୁରୂପ ଭାବେ ଏକ ପ୍ରାଚୀନ ନଗରୀ ଗୁଜୁରାଟ ନିକଟବର୍ତ୍ତୀ ସମୁଦ୍ର ଗର୍ଭରେ ଠାବ ହୋଇଥିଲା। ଏହା ପୁରାଣ ବର୍ଣ୍ଣିତ ଦ୍ବାରକା ନଗରୀ ବୋଲି କୁହାଯାଏ, ଯାହା ଏକାଦା ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଭୂମି ଥିଲା। ୧୯୩୦ ମସିହାରୁ ଏହାକୁ ଠାବ କରିବାର ପ୍ରସ୍ତୁତି ଆରମ୍ଭ ହୋଇଥିଲା ଏବଂ ବିଧିବଦ୍ଧ ଭାବେ ୧୯୬୩ ମସିହାରୁ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ, ୧୯୭୯ ମସିହାରେ ୩୦୦୦ ବର୍ଷ ପୂର୍ବର କେତେକ ପ୍ରାଚୀନ ମାଟି ବାସନ ଓ କେତେକ ଗୃହ ନିଅଁ ଉଦ୍ଧାର ହେବା ପରେ ୧୯୮୧ ମସିହା ଠାରୁ ସଘନ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ଦ୍ବାରକା ବୋଲି ବିଚାର କରାଯାଉଥିବା ସମୁଦ୍ର ଗର୍ଭସ୍ଥ ଏହି ନଗର ୩୦୦୦ ବର୍ଷ ପୁରାତନ ବୋଲି ଆକଳନ କରାଯାଏ। ହେରାକ୍ଲିୟନ ଭଳି ଏହି ନଗର ମଧ୍ୟ ଆଧୁନିକତାର ଛାପ ବହନ କରିଥାଏ।
ଗ୍ରୀକ୍‌ କବି ହୋମରଙ୍କ ମହାକାବ୍ୟ ‘ଇଲିଆଡ୍’ ଓ ‘ଓଡେସି’ରେ ବର୍ଣ୍ଣିତ ଟ୍ରୟ ନଗରୀ ବେଶ୍‌ ସୁପରିଚିତ। ଗ୍ରୀକ୍‌ ପୁରାଣରେ ବର୍ଣ୍ଣିତ ଏହି ଟ୍ରୟ ନଗରୀ ବାସ୍ତବରେ ବିଦ୍ୟମାନ ଥିଲା ବୋଲି ଅନୁମାନ କରି ଷୋଡ଼ଶ ଶତାବ୍ଦୀରୁ ଏହାର ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରିଶେଷରେ ଏହି ନଗରୀକୁ ସାଂପ୍ରତିକ ତୁର୍କୀର ଦକ୍ଷିଣ ପଶ୍ଚିମ କୋଣରେ ପ୍ରତ୍ନତାତ୍ତ୍ବିକ ଖନନ ପରେ ଠାବ କରାଗଲା। ହୋମରଙ୍କ ବର୍ଣ୍ଣିତ ଇଲିଆଡ୍‌ର କେତେକ ବର୍ଣ୍ଣନା ଏହି ପ୍ରାଚୀନ ସହର ସହିତ ମେଳ ଖାଇଥାଏ। ଇଲିଆଡ୍‌ରେ ବର୍ଣ୍ଣିତ ରାଜା ପ୍ରାଏମଙ୍କ ଖଜଣା ଖାନା ମଧ୍ୟ କୁଆଡ଼େ ଏହି ସହରର ଭଗ୍ନାବଶେଷରେ ରହିଛି। ବର୍ତ୍ତମାନ ତୁର୍କୀ ସରକାର ଏହି ପ୍ରାଚୀନ ନଗରର ଅବକ୍ଷୟାଂଶକୁ ସଂରକ୍ଷଣ କରି ରଖିଛନ୍ତି।
ଆମେମାନେ ଅନେକ ସମୟରେ ପୁରାଣର ବର୍ଣ୍ଣନାକୁ କାଳ୍ପନିକ ବୋଲି କହିଥାଉଁ। ଲୋକକଥାକୁ ଗପ ବୋଲି ବିଚାର କରିଥାଉଁ। କିନ୍ତୁ ତାହା ଯେ ଠିକ୍‌ ଧାରଣା ନୁହେଁ, ତାହା ପୌରାଣିକ ତଥ୍ୟକୁ ଆଧାର କରି ହୋଇଥିବା ଅନୁସନ୍ଧାନରୁ ମିଳିଥିବା ତିନି ପ୍ରାଚୀନ ସହରର ଅବସ୍ଥିତିରୁ ସ୍ପଷ୍ଟ ହୋଇଥାଏ। ପୁଣି କେବଳ ଏହି ତିନିଟି ନୁହେଁ; ଏଭଳି ବିଭିନ୍ନ ଭୂଖଣ୍ଡରେ ପୁରାଣର ବର୍ଣ୍ଣନାକୁ ଭିତ୍ତି କରି ହୋଇଥିବା ଅନୁସନ୍ଧାନରୁ ଆହୁରି କିଛି ପ୍ରାଚୀନ ସହରକୁ ଉଦ୍ଧାର କରାଯାଇ ପାରିଛି।
ମୋ: ୯୯୩୭୮୬୩୫୨୮