ଗଲା ୨୬ ତାରିଖ ଦିନ, କାତାରର ଏକ ନିମ୍ନ ଅଦାଲତରୁ ନିସୃତ ରାୟ କେବଳ ସାଧାରଣ ଭାରତୀୟଙ୍କୁ ନୁହେଁ, ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ମଧ୍ୟ ଉଭୟ ଚକିତ ଏବଂ ବିଚଳିତ କରି ପକାଇଛି; ଯହିଁରେ ଗୁପ୍ତଚରଗିରି କରୁଥିବା ଆରୋପରେ ଆଠ ଜଣ ଅବସରପ୍ରାପ୍ତ ଭାରତୀୟ ନୌ-ସେନା ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ମଧ୍ୟ-ପ୍ରାଚ୍ୟ ଅଞ୍ଚଳର ଏହି କ୍ଷୁଦ୍ର ଅଥଚ ଅମିତ ବିତ୍ତଶାଳୀ ରାଜତାନ୍ତ୍ରିକ ରାଷ୍ଟ୍ର କାତାର, ତା’ର କଠୋର ଇସଲାମୀୟ ନିୟମ, ରାଷ୍ଟ୍ର ବ୍ୟାପାରରେ ଅହେତୁକ ଗୋପନୀୟତା ରକ୍ଷା କରିବାର ଆଭିମୁଖ୍ୟ ତଥା ସନ୍ଦିଗ୍ଧ ରାଜନୈତିକ ଏବଂ ରଣନୈତିକ ଆଚରଣ ସକାଶେ ଅପଖ୍ୟାତ। ସୁତରାଂ, ଏହି କାରଣରୁ କାତାର ସହିତ ଭାରତର ଏକ ଚଳନୀୟ କୂଟନୈତିକ ସଂପର୍କ ସତ୍ତ୍ବେ ଶଂସିତ ସମସ୍ୟାର ସମାଧାନ ଏକ ବିଶାଳ ଆହ୍ବାନ ସୃଷ୍ଟି କରିଥାଏ। କେବଳ ସେତିକି ନୁହେଁ, ଏଭଳି ଅତ୍ୟନ୍ତ ଗୁରୁତର ଦଣ୍ଡାଦେଶ ସତ୍ତ୍ବେ ଏହା ପଛରେ ନିହିତ କାରଣଗୁଡ଼ିକ ନେଇ ‘ଅସ୍ପଷ୍ଟତା’, ସେ ସବୁକୁ ପ୍ରକାଶ କରିବାରେ କାତାରୀ କୁଣ୍ଠା ଏବଂ ଏକ ସ୍ବଳ୍ପ-ଭେଦ୍ୟ ରାଷ୍ଟ୍ର ସହିତ ବାର୍ତ୍ତା ବିନିମୟ କରିବାରେ ବିଦ୍ୟମାନ ଅସହଜ ଅସହାୟତା ଇତ୍ୟାଦି ମିଶିଯାଇ ଭାରତ ସରକାରଙ୍କ ଉଦ୍ୟମକୁ ଯେ ଅଧିକ କଠିନ କରି ଦେଇଛି, ତହିଁରେ ଦ୍ବିରୁକ୍ତି ମଧ୍ୟ ନାହିଁ।
ତେବେ, ଉପଲବ୍ଧ କେତେକ ସ୍ପଷ୍ଟ-ଅସ୍ପଷ୍ଟ ତଥ୍ୟାନୁସାରେ ଏହି ଆଠ ଜଣ ପୂର୍ବତନ ଭାରତୀୟ ନୌ-ସେନା କର୍ମଚାରୀ (କମାଣ୍ଡର, କ୍ୟାପଟେନ ଏବଂ ନାବିକ ସ୍ତରର)ଙ୍କୁ ଇସ୍ରାଏଲ୍ ଲାଗି ଗୁପ୍ତଚର କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ୨୦୨୨ ମସିହା, ଅଗଷ୍ଟ ମାସରେ ଗିରଫ କରାଯାଇଥିଲା। କିନ୍ତୁ, ତାହା ଅତ୍ୟନ୍ତ ଗୋପନୀୟ ତଥା ଅଚାନକ ଥିଲା; ସେମାନେ ଲୋକଲୋଚନରୁ ଅନ୍ତର୍ହିତ ହୋଇଯାଇଥିଲେ। ଗଲା ମାର୍ଚ୍ଚ ମାସରେ ସେମାନଙ୍କ ବିଚାର ପ୍ରକ୍ରିୟା ଆରମ୍ଭ ହେବା ପରେ ଯାଇ ସେମାନଙ୍କ ଅସ୍ତିତ୍ବ ଓ ସେମାନଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ଈଷତ୍ ଆଭାସ ମିଳିଥିଲା। ଅଭିଯୋଗ ଅନୁସାରେ କାତାର ପାଇଁ ଇଟାଲୀରେ ଚାଲିଥିବା ଏକ ଅତ୍ୟନ୍ତ ଗୁପ୍ତ ବୁଡ଼ାଜାହାଜ ନିର୍ମାଣ ପ୍ରକଳ୍ପ ସଂପର୍କରେ ଏହି ଅଧିକାରୀମାନେ କୁଆଡ଼େ ଇସ୍ରାଏଲକୁ ସୂଚନା ପ୍ରଦାନ କରୁଥିଲେ; କୁହାଯାଉଛି ଯେ ‘ଅଲ ସାଲେ’ ନାମକ ଏକ କାତାରୀ କଂପାନିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ଏହି ଭାରତୀୟମାନେ କାତାର ନୌ-ସେନାର କ୍ୟାଡେଟମାନଙ୍କୁ ପ୍ରଶିକ୍ଷଣ ତଥା ପରାମର୍ଶ ଦେବା ସୂତ୍ରରେ ସେଠାକାର ନୌବାହିନୀର ଘନିଷ୍ଠ ସଂପର୍କରେ ଥିଲେ, ଯେଉଁ କାରଣରୁ କେତେକ ଗୋପନୀୟ ତଥ୍ୟ ସେମାନଙ୍କ ପହଞ୍ଚରେ ରହିଥିବ। କିନ୍ତୁ ଏଭଳି ଅଭିଯୋଗ ଅସତ୍ୟ ତଥା ଏକ ସୁପରିକଳ୍ପିତ ଷଡ୍ଯନ୍ତ୍ରର ଅଂଶ ବୋଲି ସନ୍ଦେହ ଏଥି ଲାଗି ଉପୁଜିଥାଏ ଯେ ଏ ସଂପର୍କିତ ଆରୋପକୁ ନେଇ ପ୍ରଥମେ ପାକିସ୍ତାନୀ ଗଣମାଧ୍ୟମରେ ସମ୍ବାଦମାନ ପ୍ରକାଶିତ ଓ ପ୍ରସାରିତ ହେବା ପରେ କାତାରସ୍ଥିତ ନ୍ୟୁଜ ଚ୍ୟାନେଲ ‘ଅଲ ଜଜିରା’ ସେ ସବୁର ପ୍ରସାରଣ କରିଥିଲା। ଏବଂ ଏହା ହିଁ ହେଉଛି ଏହି ଆଠ ଜଣ ନୌ-ସେନା କର୍ମଚାରୀଙ୍କ ଅଚାନକ ଗିରଫଦାରିର ଆଧାର। ସେହି ଦୃଷ୍ଟିରୁ ସନ୍ଦେହ ହୋଇଥାଏ ଯେ ଭାରତର ଦକ୍ଷ ଓ ସମର୍ପିତ ସାମରିକ ବାହିନୀ ସଦସ୍ୟଙ୍କ ଭାବମୂର୍ତ୍ତିକୁ ମଳିନ କରିବା ଲାଗି ଏହା ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇ.ଏସ.ଆଇ.ର ଏକ ପ୍ରଚ୍ଛନ୍ନ ଉଦ୍ୟମ ହୋଇଥିବା ବିଚିତ୍ର ନୁହେଁ!
ତେବେ, ସେ ଯାହା ହେଉ ଏହା ଅନସ୍ବୀକାର୍ଯ୍ୟ ଯେ ଏହି ଅତ୍ୟନ୍ତ ଗୁରୁତର ସମସ୍ୟାର ସମାଧାନ ପଥରେ କଠିନତମ ପ୍ରତିବନ୍ଧକ ରୂପେ ଯାହା ଉପନୀତ, ତାହା ହେଉଛି ‘ଇସ୍ରାଏଲର ସଂପୃକ୍ତି’। ପ୍ରଥମତଃ, ଇସ୍ରାଏଲ୍ ହେଉଛି କାତାରର ଏକ ପରମ ଶତ୍ରୁ ରାଷ୍ଟ୍ର; ସେହି ପରିପ୍ରେକ୍ଷୀରେ ସଂପ୍ରତି ଗାଜା ପଟି ଉପରେ ଇସ୍ରାଏଲ୍ର ଅବିଶ୍ରାନ୍ତ ଆକ୍ରମଣ ଏହି ତିକ୍ତତାକୁ ଅଧିକ ଘନୀଭୂତ କରିଛି। ସୁତରାଂ, କୌଣସି ରୂପରେ ହେଲେ ମଧ୍ୟ ଇସ୍ରାଏଲକୁ ସାହାଯ୍ୟ କରିବାର ସାମନ୍ୟତମ ଇଚ୍ଛା ମଧ୍ୟ କାତାର ଦୃଷ୍ଟିରେ ଅକ୍ଷମଣୀୟ ହୋଇପାରେ। କେବଳ ସେତିକି ନୁହେଁ, ୨୦୨୨ ମସିହା, ମେ’ ମାସରେ ପୈଗମ୍ବର ମହମ୍ମଦଙ୍କ ସଂପର୍କରେ ନୁପୂର ଶର୍ମାଙ୍କ କେତେକ ମନ୍ତବ୍ୟ କାତାରୀ ଶାସକ ‘ଏମିର’ଙ୍କୁ ପ୍ରବଳ କ୍ଷୁବ୍ଧ କରିଥିଲା, ଯାହା ପରେ କାତାର ସହିତ ଭାରତର ସଂପର୍କରେ ଏକ ଶିଥିଳତା ମଧ୍ୟ ଦୃଷ୍ଟିଗୋଚର ହୋଇଛି। ପ୍ରକାଶ ଥାଉ କି ଏକ ଖୁବ୍ କ୍ଷୁଦ୍ରାକାର ରାଷ୍ଟ୍ର ହୋଇଥିବା ସତ୍ତ୍ବେ ପୃଥିବୀର ବୃହତ୍ତମ ପ୍ରାକୃତିକ ଗ୍ୟାସ ଭଣ୍ଡାରର ମାଲିକାନା ଏବଂ ତହିଁରୁ ପ୍ରାପ୍ତ ଅପରିମେୟ ବିତ୍ତ ତାକୁ ବେପରୁଆ କରି ଗଢ଼ି ତୋଳିଛି; ତାହା ହୋଇ ନ ଥିଲେ ସେ ଭୂମି ଏକାଧାରରେ ହମାସ ବା ଅଲ ନୁସରା ବା ଆଇସିସ୍ ଭଳି ଆତଙ୍କବାଦୀ ସଂଗଠନ ଏବଂ ଆମେରିକୀୟ ସେନା ବାହିନୀର ‘ସେଣ୍ଟ୍ରାଲ କମାଣ୍ଡ୍’ର ଦପ୍ତରକୁ ସ୍ଥାନ ଦେବାର ଆସ୍ପର୍ଦ୍ଧା କରନ୍ତା ନାହିଁ। ଏଭଳି ସ୍ଥିତିରେ ଭାରତର ଅଡୁଆ ଅଧିକ ଘନୀଭୂତ ହେବାରେ ବିସ୍ମୟର ବିଶେଷ କାରଣ ନାହିଁ।
ତେବେ ଏ ସଂଦର୍ଭରେ ଯାହା କ୍ଷୀଣ ଆଶା ସଂଚାର କରିଥାଏ, ତାହା ହେଲା ଉପରୋକ୍ତ ଦଣ୍ଡାଦେଶ ଏକ ନିମ୍ନ ଅଦାଲତରୁ ଆସିଛି; ଉପରିସ୍ଥ ଆହୁରି ଦୁଇଟି ଅଦାଲତରେ ବିଚାର ଲାଗି ଆବେଦନ କରିବାର ସୁଯୋଗ ବଳବତ୍ତର ରହିଛି। ସୁତରାଂ, ଭାରତ ସରକାରଙ୍କ ନିକଟରେ ଉଭୟ ସୁଯୋଗ ଏବଂ ସମୟ ଉପଲବ୍ଧ। ଆଶାର ଦ୍ବିତୀୟ କାରଣଟି ହେଉଛି ଏହା ଯେ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିବା ବା ତାକୁ କାର୍ଯ୍ୟକାରୀ କରିବାରେ କାତାର ଠାରେ ସାଉଦୀ ଆରବ ସୁଲଭ ବ୍ୟଗ୍ରତା ଦୃଷ୍ଟିଗୋଚର ହୋଇ ନ ଥାଏ। ସୁତରାଂ, କାତାରକୁ ଏକ ମୃତ୍ୟୁଦଣ୍ଡ-କୁଣ୍ଠ ଆରବ ରାଷ୍ଟ୍ର ବୋଲି ଅଭିହିତ କରାଯାଇପାରେ। ସଂପ୍ରତି କାତାର ଜେଲରେ ମୃତ୍ୟୁ ଦଣ୍ଡକୁ ଅପେକ୍ଷା କରି ରହିଥିବା ବ୍ୟକ୍ତିଙ୍କ ସଂଖ୍ୟା ହେଉଛି ୨୨ (ଏହି ଆଠ ଜଣଙ୍କୁ ବାଦ୍ ଦେଇ)। ଏହା ପୂର୍ବରୁ ୨୦୨୦ ମସିହାରେ ଜଣେ ପ୍ରବାସୀ ନେପାଳୀ ସେଠାରେ ମୃତ୍ୟୁ ଦଣ୍ଡ ପାଇଥିଲେ, ଯାହା ଘଟିଥିଲା ୧୭ ବର୍ଷର ବ୍ୟବଧାନ ଅର୍ଥାତ୍ ୨୦୦୩ ମସିହାରେ କାର୍ଯ୍ୟକାରୀ ହୋଇଥିବା ଏକ ମୃତ୍ୟୁ ଦଣ୍ଡ ପରେ। ଏଭଳି ଏକ ରାଷ୍ଟ୍ରରେ ମୃତ୍ୟୁ ଦଣ୍ଡାଦେଶର ପୁନର୍ବିଚାର କରାଯିବା ସହିତ ତାକୁ କୋହଳ କରାଯାଇପାରିବାର ଆଶା ବିଶେଷ ଅମୂଳକ ହୋଇ ନ ପାରେ। ତେବେ ଭାରତ ସରକାର ଏ ଦିଗରେ ଯତ୍ପରୋନାସ୍ତି ଉଦ୍ୟମ କରିବା ଆବଶ୍ୟକ।
ଏହି ବିଚାର ଓ ରାୟ ପରିପ୍ରେକ୍ଷୀରେ ୧୯୨୫ ମସିହାରେ ପ୍ରକାଶିତ ଫ୍ରାନ୍ଜ କାଫକାଙ୍କ କାଳଜୟୀ ଉପନ୍ୟାସ ‘ଦ ଟ୍ରାଏଲ୍’ ସ୍ମରଣକୁ ଆସିଥାଏ। ‘ଦ ଟ୍ରାଏଲ୍’ର ନାୟକ ଜୋସେଫ କେ କେଉଁ ଦୋଷ ଲାଗି ପ୍ରାଣ ଦଣ୍ଡ ପାଉଛି, ତାହା ଦୀର୍ଘ ବିଚାର ପ୍ରକ୍ରିୟା ସତ୍ତ୍ବେ ଘାତକଙ୍କ ଅନ୍ତିିମ ଆଘାତ ପାଇବା ପର୍ଯ୍ୟନ୍ତ ବୁଝି ପାରେନାହିଁ; କାରଣ ସେ କୌଣସି ଅପରାଧ କରି ନ ଥାଏ ଏବଂ ସେ ନିଶ୍ଚିତ ଥାଏ ଯେ କୌଣସି ଏକ ମିଥ୍ୟା ଅଭିଯୋଗ ବା ଏକ ଭୁଲ୍ ବୁଝାମଣା ହିଁ ଏହାର କାରଣ! କିନ୍ତୁ ଏକ ପ୍ରହେଳିକାମୟ ଅମଲାତନ୍ତ୍ର ଓ ବିଚାର ବ୍ୟବସ୍ଥାରେ ସେ ଏକ ଦୋଷୀ ବୋଲି ପ୍ରମାଣିତ ହୋଇ ଚାଲିଥାଏ। ଆଶା କରିବା ଯେ କାତାରରେ ସେଭଳି କିଛି ନ ଘଟୁ। କିନ୍ତୁ ଯଦି ସେଭଳି କିଛି ଘଟେ, ତେବେ ୧୯୨୫ ମସିହାର ଏକ କାଳ୍ପନିକ କାହାଣୀ ୨୦୨୩ ମସିହାରେ ଏକ ବାସ୍ତବତାରେ ପରିଣତ ହେବାର ଦାରୁଣ ବିଡ଼ମ୍ବନା ବିଶ୍ବ ମାନବ ସମାଜକୁ ତାଚ୍ଛଲ୍ୟ କରିବ!
‘ଦ ଟ୍ରାଏଲ୍’
/sambad/media/post_attachments/wp-content/uploads/2023/05/sampadakiya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)