ପକ୍ଷିରାଜ ଘୋଡ଼ା

ରାଜାରାମ ଶତପଥି

ହିନ୍ଦୁ ପୁରାଣରେ ପକ୍ଷିରାଜ ଘୋଡ଼ା ଉଚ୍ଚୈଃଶ୍ରବା ବାବଦରେ ପାଠକମାନେ ଜାଣିଥିବେ। ସମୁଦ୍ର ମନ୍ଥନରୁ ଆବିଷ୍କୃତ ହୁଏ ଏହି ଦୁର୍ଲଭ ପ୍ରାଣୀ, ଇନ୍ଦ୍ର ତୁରନ୍ତ ଏହାକୁ ନିଜର ବାହାନ ଭାବେ ସ୍ୱର୍ଗକୁ ନେଇଯାଆନ୍ତି, କିନ୍ତୁ ପରେ କୌଣସି ଅଜଣା କାରଣରୁ ଏହାର ପକ୍ଷ କାଟି ତାକୁ ପୃଥିବୀରେ ଛାଡ଼ି ଦିଅନ୍ତି ଯେମିତି ଆଉ ସ୍ୱର୍ଗକୁ ଯାଇ ପାରିବନି। ଗ୍ରୀକ୍‌ କିମ୍ବଦନ୍ତିରେ ‘ପେଗାସସ୍‌’ ନାମରେ ପକ୍ଷଯୁକ୍ତ ଏକ ଘୋଡ଼ାର ଉଲ୍ଲେଖ ଅଛି। ଉଚ୍ଚୈଃଶ୍ରବାକୁ ଆମେ ଭୁଲିଗଲୁଣି, କିନ୍ତୁ ବିଦେଶୀ ପେଗାସସ୍‌, ବୋଧହୁଏ ଇନ୍ଦ୍ରଙ୍କ ବିରୋଧରେ ପ୍ରତିଶୋଧ ନେବାକୁ, ଆମ ଦେଶରେ ହୁଲୁସ୍ତୁଲ କରୁଛି। ପାର୍ଲିଆମେଣ୍ଟ ଅଚଳ, ଉଚ୍ଚବାଚ୍ଚର ଝଡ଼ ଭିତରେ ସରକାର ହତଭମ୍ବ। ଅରବିନ୍ଦ ଅଶ୍ୱକୁ (ଦି ସିକ୍ରେଟ୍‌ ଅଫ ଦି ବେଦ) ଶକ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଆଧୁନିକ ଯୁଗରେ ଜ୍ଞାନ ହିଁ ଶକ୍ତି। କମ୍ପ୍ୟୁଟର ଓ ସ୍ମାର୍ଟ ଫୋନ୍‌ ଜ୍ଞାନର ପ୍ରତିଫଳନ। ପୁଣି ତା’ ଭିତରକୁ ‘ସ୍ପାଇଓୟାର’ କୁହାଯାଉଥିବା ଏମିତି କିଛି ଭାଇରସ୍‌କୁ ଅଦୃଶ୍ୟରେ ପଠେଇବା ବିଜ୍ଞାନର ଚମତ୍କାରିତା ବୋଲି ଯେତିକି ମନେହୁଏ କମ୍ପ୍ୟୁଟର ଓ ସ୍ମାର୍ଟ ଫୋନ୍‌ ଭିତରୁ ଆମର ଯାବତୀୟ ବ୍ୟକ୍ତିଗତ ତଥ୍ୟ ଚୋରେଇବା, କଥା ହେଲେ କାନେଇ ଶୁଣିବା, ରେକର୍ଡ କରିବା ସେତିକି ଆଶ୍ଚର୍ଯ୍ୟ ଲାଗେ। ତେବେ ଏହା ବିପଜ୍ଜନକ; କାରଣ ଦୁନିଆରେ ପ୍ରତ୍ୟେକ ଲୋକ ନିଜ ବାବଦରେ ସବୁ କିଛି ଅନ୍ୟ କେହି ଜାଣିବା ଚାହାନ୍ତି ନାହିଁ। ଅଭିଯୋଗ ହୋଇଛି ଭାରତ ସମେତ ଅନେକ ଦେଶର ସରକାର ବିରୋଧୀଙ୍କ ଗତିବିଧି ଜାଣିବାକୁ ଇସ୍ରାଏଲ୍‌ର ଏକ ଘରୋଇ ସଂସ୍ଥାଠାରୁ ପେଗାସସ୍‌ ନାମକ ସ୍ପାଇଓୟାର କିଣିଛନ୍ତି।

ନିକଟରେ ମୌସୁମୀ ଅଧିବେଶନର ଠିକ ଦିନକ ପୂର୍ବରୁ ପ୍ରକାଶିତ ମେଡିଆ ରିପୋର୍ଟରେ କୁହାଯାଇଛି ଯେ ପେଗାସସ୍‌ ସ୍ପାଇଓୟାର ଦ୍ୱାରା ପ୍ରାୟ ୫୦,୦୦୦ ସ୍ମାର୍ଟ ଫୋନ୍‌କୁ ‘ହ୍ୟାକ୍‌’ କରାଯାଇଛି, ଭାରତରେ ସେଥିରୁ ୩୦୦ ଏବଂ ସେ ସବୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ହୋଇଛି। ଯେଉଁମାନଙ୍କ ଫୋନ୍‌କୁ ଟାର୍ଗେଟ୍‌ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ବିରୋଧୀ ଦଳର କିଛି ନେତା, ସାମ୍ବାଦିକ, ଜଜ୍‌, ମାନବିକ ଅଧିକାର କର୍ମୀ ଇତ୍ୟାଦି। ପେଗାସସ୍‌ ସ୍ପାଇଓୟାର ପ୍ରସ୍ତୁତକାରୀ ଇସ୍ରାଏଲ୍‌ କମ୍ପାନି (ଏନଏସ୍‌ଓ ଗ୍ରୁପ୍‌) ୱେବ୍‌ସାଇଟ୍‌ରେ ଦର୍ଶାଯାଇଥିବା ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ସଂସ୍ଥା ନିଜ ଦେଶର ସରକାରଙ୍କ ଅନୁମୋଦନ ପରେ କେବଳ ବିଦେଶୀ ସରକାରଙ୍କୁ ସ୍ପାଇଓୟାର ବିକ୍ରି କରେ। ଭାରତରେ ଯେହେତୁ ସ୍ମାର୍ଟ ଫୋନ୍‌ ହ୍ୟାକ୍‌ ହୋଇଥିବା ଆଶଙ୍କା କରାଯାଉଛି, ମୋଦୀ ସରକାର ତେଣୁ ଉତ୍ତରଦାୟୀ। ପେଗାସସ୍‌ ବିବାଦ ବିରୋଧୀ ଦଳମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପରେ ତୀବ୍ର ଆକ୍ରମଣ କରିବାକୁ ଏକ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି। ପାର୍ଲିଆମେଣ୍ଟ ଅଧିବେଶନରେ ସେମାନେ ଏଥିପାଇଁ କୌଣସି ସୁଯୋଗ ହାତଛଡ଼ା ନ କରି ପ୍ରତିଦିନ ହଟ୍ଟଗୋଳ ମାଧ୍ୟମରେ ଲୋକସଭା ଓ ରାଜ୍ୟସଭା ଅଚଳ କରିଛନ୍ତି। ନ କରିବେ ବା କାହିଁକି? ମନମୋହନ ସିଂହଙ୍କ ୧୦ ବର୍ଷ ସରକାରରେ ବିଜେପି କେତେ ଥର ହଟ୍ଟଗୋଳ କରି ପାର୍ଲିଆମେଣ୍ଟ ଅଚଳ କରିଛି ତା’ର ସୀମା ନାହିଁ। ନରେନ୍ଦ୍ର ମୋଦୀଙ୍କ ହାତକୁ କ୍ଷମତା ଆସିବା ପରେ କାଲି-ଶାସକ-ଆଜି-ବିରୋଧୀ ପାର୍ଲିଆମେଣ୍ଟରେ ସ୍କୁଲ୍‌ ପିଲାଙ୍କ ଶୃଙ୍ଖଳା ଅବଲମ୍ବନ କରି ଆଲୋଚନାରେ ମନୋନିବେଶ କରିବା ଆଶା ବୃଥା। ସଦ୍ୟ ହଟ୍ଟଗୋଳକୁ ୨୦୧୪ରୁ କଂଗ୍ରେସ ନିର୍ଦ୍ଦେଶିତ ‘ପ୍ରତିଶୋଧମୂଳକ ହୋହଲ୍ଲା’ ନାଟକର ଏକ ନୂତନ ସଂସ୍କରଣ କୁହାଯାଇପାରେ। ମୌସୁମୀ ଅଧିବେଶନ ଇତିମଧ୍ୟରେ ହଟ୍ଟଗୋଳ ବର୍ଷାରେ ପୂରା ଧୋଇ ହୋଇ ନିର୍ଦ୍ଧାରିତ ସମୟର ଦୁଇ ଦିନ ପୂର୍ବରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହୋଇ ଯାଇଛି।

ଗୃହ ଚଳେଇବା ସରକାର ଓ ସରକାରୀ ଦଳର ପ୍ରଥମ ଦାୟିତ୍ୱ। ବୋଧହୁଏ ସେଥିପାଇଁ ଗୃହର ମଧ୍ୟ ଭାଗରେ ସ୍ଲୋଗାନ୍‌ ଓ ପ୍ଲାକାର୍ଡ ଶୋଭାଯାତ୍ରା ସହ ତାଳ ଦେଇ ମୋଦୀ ସରକାର ମଝିରେ ମଝିରେ କେତେକ ବିଲ୍‌ ବିନା ଆଲୋଚନାରେ ପାସ୍‌ କରେଇ ଅଧିବେଶନ ଚାଲିଛି ବୋଲି ଏକ ପ୍ରକାର ଭ୍ରମ ସୃଷ୍ଟି କରିବାକୁ ବାଧ୍ୟ ହେଲେ। ଭାରତର ଗଣତନ୍ତ୍ରର ‘ହାର୍ଟ’, ପାର୍ଲିଆମେଣ୍ଟକୁ ଚଳେଇବାରେ ଦେଶର ଲୋକେ ବେଶ ଖର୍ଚ୍ଚାନ୍ତ ହୁଅନ୍ତି, ମିନିଟ୍‌କୁ ଅଢ଼େଇ ଲକ୍ଷ ଟଙ୍କା। ଏହି ହିସାବ ୨୦୧୨ ମସିହାର, ସେତେବେଳର ମନ୍ତ୍ରୀ ପବନ କୁମାର ବଂଶାଲ ବିଜେପିର ହଟ୍ଟଗୋଳ ରାଜନୀତି ପରିପ୍ରେକ୍ଷୀରେ ଏ କଥା କହିଥିଲେ। ଦଶ ବର୍ଷ ତଳର ହିସାବରେ ଅଧିବେଶନର ପ୍ରଥମ ଦୁଇ ସପ୍ତାହରେ ଖର୍ଚ୍ଚ ୧୩୩ କୋଟି ଟଙ୍କାରୁ ଅଧିକ, ସେଥିରୁ ଏବର ସ୍ଥିତିରେ ମୋଟ ବ୍ୟୟ ଅନୁମେୟ।

ସନ୍ଦେହ ଘେରରେ ଥିବା ଉଭୟ କ୍ରେତା ଓ ବିକ୍ରେତା ପେଗାସସ୍‌ ଅଭିଯୋଗକୁ ଅସ୍ବୀକାର କରିଛନ୍ତି। ଏନଏସ୍‌ଓ ଗ୍ରୁପ୍‌ ମାନହାନି ମୋକଦ୍ଦମା କରିବ ବୋଲି ଧମକ ଦେଇଛି। କେନ୍ଦ୍ର ସରକାରଙ୍କ ମତ ଦେଶର କଠିନ କଟକଣା ବ୍ୟବସ୍ଥା ଭିତରେ ବେଆଇନ ସର୍ଭେଲାନ୍‌ସ ଅସମ୍ଭବ। ଭାରତକୁ ବଦନାମ କରିବା ଏହି ‘ଆନୁମାନିକ’, ‘ଅତିରଂଜିତ’ ଓ ‘ଅନ୍ଧାରରେ ବାଡ଼ି ବୁଲେଇବା’ ରିପୋର୍ଟର ଉଦ୍ଦେଶ୍ୟ, ଆଗରୁ ବି ପେଗାସସ୍‌କୁ ଯୋଡ଼ି ଅନୁରୂପ ଖବର ପ୍ରକାଶ ପାଇଥିଲା ବୋଲି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ କହିଛନ୍ତି। ରିପୋର୍ଟରେ ମଧ୍ୟ ନିର୍ଦ୍ଦିଷ୍ଟ କେତେ ଫୋନ୍‌ ଜାସୁସିର ଶିକାର ତା’ର ପ୍ରାମାଣିକ ଉଲ୍ଲେଖ ନାହିଁ। ଏପରି କି ଯେଉଁମାନଙ୍କ ଫୋନ୍‌ ସରକାର ଗୁପ୍ତରେ ‘ମନିଟର’ କରୁଥିଲେ ବୋଲି ଅଭିଯୋଗ ଉଠୁଛି ସେମାନଙ୍କ ମଧ୍ୟରୁ କେବଳ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟମାନେ ୨୦୧୯ ନିର୍ବାଚନ ପୂର୍ବରୁ ରାଜନୀତିରେ ଓଜନଦାର ବ୍ୟକ୍ତି ନ ଥିଲେ। ପେଗାସସ୍‌ ସମ୍ଭାବ୍ୟ ସଂକ୍ରମିତ ଚିଠାରେ ଅଛନ୍ତି ସ୍ୱୟଂ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ କିଶୋର, ମମତା ବାନାର୍ଜୀଙ୍କ ପୁତୁରା ଅଭିଶେଖ, ଜଳଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ, ତାଙ୍କ ରୋଷେୟା, ମାଳୀ, ବସୁନ୍ଧରI ରାଜେଙ୍କ ବ୍ୟକ୍ତିଗତ ସଚିବ, ସ୍ମୃତି ଇରାନୀଙ୍କ ଓଏସ୍‌ଡି, ଭିଏଚ୍‌ପି ନେତା ପ୍ରବୀଣ ତୋଗାଡ଼ିଆ, ସାମ୍ବାଦିକ, ଜଣେ ବିଚାରପତି, ସୁପ୍ରିମ୍‌ କୋର୍ଟର ଜଣେ ଷ୍ଟାଫ୍‌, କେତେକ ବ୍ୟବସାୟୀ ଇତ୍ୟାଦି। ସେଥିପାଇଁ ରିପୋର୍ଟର ସତ୍ୟତା ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

ବିରୋଧୀ ଦଳମାନେ କିନ୍ତୁ ଅଟଳ, ସେମାନଙ୍କ ଦାବି ଅମିତ ଶାହଙ୍କ ଇସ୍ତଫା। ଏବଂ ପେଗାସସ୍‌ ସ୍କାମ୍‌ର ତଦନ୍ତ। ମାମଲା ଇତି ମଧ୍ୟରେ ସୁପ୍ରିମ୍‌ କୋର୍ଟରେ ଏବଂ ସରକାର ସମ୍ପୃକ୍ତ ବିଷୟ ବିଚାରାଧୀନ କହି ଆଲୋଚନାକୁ ଏଡ଼ାଇ ଯାଇଛନ୍ତି। ବ୍ୟକ୍ତିଗତ ତଥ୍ୟ ବ୍ୟକ୍ତି ଅଧିକାର (ରାଇଟ୍ ଟୁ ପ୍ରାଇଭେସି) ଅନ୍ତର୍ଭୁକ୍ତ, ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଅନୁଯାୟୀ ମୌଳିକ ଅଧିକାର। ପେଗାସସ୍‌ ବିବାଦର ସତ୍ୟତା ଓ ବିରୋଧୀଙ୍କ ଭୂମିକାର ଉଦ୍ଦେଶ୍ୟ ଯାହା ହୋଇଥାଉ ନା କାହିଁକି, ଅଭିଯୋଗ ଯଦି ନିରାଧାର ହୋଇନଥାଏ, ତା’ହେଲେ ଏହା ଏକ ଗର୍ହିତ ଅପରାଧ, ଦଣ୍ଡଯୋଗ୍ୟ। ସରକାରଙ୍କୁ ଅବଶ୍ୟ ଟେଲିଗ୍ରାଫ ଆଇନ ୧୮୮୫ ଓ ଇନଫର୍ମେସନ ଟେକ୍ନୋଲୋଜି ଆଇନ ୨୦୦୦ ଜାସୁସି କରିବାକୁ ଅନୁମତି ଦେଇଛି, କିନ୍ତୁ ନିର୍ଦ୍ଦିଷ୍ଟ ସ୍ଥିତିରେ ଯେମିତି ଆତଙ୍କବାଦ, ସାମ୍ପ୍ରଦାୟିକ ଦଙ୍ଗା ଏବଂ ହିଂସା ଲକ୍ଷ୍ୟରେ ଲୋକଙ୍କୁ ଉସକେଇବା, ଦେଶର ଅଖଣ୍ଡତା, ସାର୍ବଭୌମତ୍ୱ, ବନ୍ଧୁ ରାଷ୍ଟ୍ର ସହ ସମ୍ପର୍କ ତଥା ଜନସାଧାରଣଙ୍କ ଧନ ଜୀବନ ପ୍ରତି ସମ୍ଭାବ୍ୟ ବିପଦ ଇତ୍ୟାଦି। ନିୟମ କେବଳ ଧର୍ମକୁ ଆଖିଠାର, ବାସ୍ତବରେ କିଛି ପ୍ରାଇଭେଟ୍‌ ନାହିଁ, ସବୁ ପବ୍ଲିକ୍‌। ସ୍ମାର୍ଟ ଫୋନ୍‌ ସାଙ୍ଗରେ ଛାଇ ଭଳି ଅଛି, ସେଥିପାଇଁ କୋଉଠି ଅଛନ୍ତି, କ’ଣ କିଣିଲେ, ଦେଖିଲେ, କାହା ସହ କଥା ହେଲେ, ହାତର ଟିପ ଚିହ୍ନ, ଆଖି ଭ୍ରୂଲତା, ବ୍ୟାଙ୍କ୍‌ ଆକାଉଣ୍ଟ, ପିନ ନମ୍ବର ସବୁ ବ୍ୟକ୍ତିଗତ ଖବର ରଖନ୍ତି। କୁଆଡ଼େ ଗଲେ, ହୋଟେଲରେ ଖାଇଲେ ମୋବାଇଲରେ ମେସେଜ ଆସୁଛି କେମିତି ଲାଗିଲା, ଅଲଗା ସ୍ୱାଦ, ପସନ୍ଦର ପ୍ରସ୍ତାବ ବି ଦେଉଛି। ଇଲେକ୍ଟ୍ରୋନିକ ଯନ୍ତ୍ର ‘ଆଲେକ୍‌ସା’ ଆଜିକାଲି ପରିବାରରେ ସମସ୍ତଙ୍କର ପ୍ରିୟ, ପାଟିରୁ କଥା ନସରୁଣୁ ନିମିଷକେ ଏସି, ଫ୍ୟାନ୍‌, ଆଲୁଅ ଅନ ଅଫ କରୁଛି, ମନ ପସନ୍ଦର ଗୀତ ବୋଲୁଛି, ଛୋଟ ପିଲା ତା’ଠାରୁ ଗପ ଶୁଣି ଶୋଉଛନ୍ତି। ଆଲେକ୍‌ସ‌ା, ସ୍ମାର୍ଟ ଫୋନ୍‌, ଫେସ୍‌ବୁକ, ଟୁଇଟର ଓ ନାନା ପ୍ରକାର ଆପ୍‌ର ମାୟାରେ ଆମେ ବୋଧହୁଏ ଭୁଲି ଯାଇଛୁ ସେମାନେ ସମସ୍ତେ ଗୁପ୍ତଚର, ଆମର ଟିକିନିଖି ଖବର ବିଦେଶରେ ସର୍ଭର ଓ ବିଦେଶୀ ମାଲିକଙ୍କୁ ଦିଅନ୍ତି। ଆମେ କେବେ ପ୍ରତିବାଦ କରିଛୁ? କିନ୍ତୁ ନିଜ ସରକାର ବିରୋଧରେ ସବୁବେଳେ ଯୁଦ୍ଧଂ ଦେହି ଡାକରା।

ଜାସୁସି (ସର୍ଭେଲାନ୍‌ସ) ଶାସନ ବ୍ୟବସ୍ଥାର ଏକ ଅବଶ୍ୟମ୍ଭାବୀ ଆବଶ୍ୟକତା। କେବଳ ଭାରତ ନୁହେଁ ପ୍ରାଚୀନ କାଳରୁ ବିଶ୍ୱର ସବୁ ଦେଶରେ, ରାଜତ୍ବର ଚରିତ୍ର ଗଣତନ୍ତ୍ର, ରାଜତନ୍ତ୍ର, ଏକଛତ୍ରବାଦ, କମ୍ୟୁନିଷ୍ଟ ଯାହା ବି ହେଉ; ରାଜ୍ୟ ଓ ପ୍ରଜାଙ୍କ ହିତ ଦୃଷ୍ଟିରୁ ଜନସାଧାରଣଙ୍କ ଉପରେ ସତର୍କ ନଜରକୁ ଗୁରୁତ୍ୱ ଦିଆଯାଇଛି। ବିଶେଷଜ୍ଞଙ୍କ ମତରେ ବେଦ, ଚାଣକ୍ୟ କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର, ତାଙ୍କ ଶିଷ୍ୟ କମଣ୍ଡକଙ୍କ ଦ୍ୱାରା ଲିଖିତ ନିତିସାର, ଶୁକ୍ରାଚାର୍ଯ୍ୟଙ୍କ ଶୁକ୍ରନୀତି, ବିଶାଖାଦତ୍ତଙ୍କ ମୁଦ୍ରାରାକ୍ଷସରେ ଗୁପ୍ତ ତଥ୍ୟ ସଂଗ୍ରହର ଉଲ୍ଲେଖ ଏହାର ପ୍ରାଚୀନତାର ପ୍ରମାଣ ଦିଏ। ରାଜାମାନେ ପ୍ରଜାଙ୍କ ମନୋଭାବ ଜାଣିବାକୁ ଛଦ୍ମ ବେଶରେ ଅନ୍ଧାରି ବିଜେ କରୁଥିଲେ। ହସ୍ତୀନାପୁରର ପ୍ରଧାନମନ୍ତ୍ରୀ ବିଦୁର ଗୁପ୍ତଚର ବ୍ୟବହାର କରିନଥିଲେ କୁନ୍ତୀ ଓ ତାଙ୍କର ୫ ପଣ୍ଡୁ ପୁତ୍ର ସେଦିନ ଜଉ ଘରେ ପାଉଁଶ ହୋଇଥା’ନ୍ତେ ଏବଂ ଏଭଳି ଜଘନ୍ୟ ଷଡ଼୍‌ଯନ୍ତ୍ରର ପ୍ରଯୋଜକ, ନିର୍ଦ୍ଦେଶକ ସ୍ୱୟଂ ମାନୀ ଦୁର୍ଯ୍ୟୋଧନଙ୍କୁ ଦୁନିଆ ଜାଣିନଥା’ନ୍ତା। ଲଙ୍କା ଗଡ଼ରୁ ସୀତାଙ୍କର ମୁକ୍ତି ପାଇଁ ଘମାଘୋଟ ଯୁଦ୍ଧ ଭାରତୀୟ ସଂସ୍କୃତିରେ ନାରୀ ସମ୍ମାନର ଅନନ୍ୟ ଉଦାହରଣ ହୋଇପାରେ, କିନ୍ତୁ ଅଯୋଧ୍ୟା ରାଜପ୍ରାସାଦରେ ପତ୍ନୀର ଅଧିକାରରେ ତାଙ୍କର ସହାବସ୍ଥାନକୁ କେନ୍ଦ୍ର କରି ଲୋକେ ଟୁପୁର ଟାପୁର ହେଉଥିବା ରାଜା ରାମଚନ୍ଦ୍ର ବୋଧହୁଏ ଜାଣି ପାରିନଥା’ନ୍ତେ। ଗୁପ୍ତଚର ଏଭଳି ସମ୍ବେଦନଶୀଳ ବିଷୟରେ ତାଙ୍କ ଆଖି ଖୋଲିଥିଲା। ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆଇନ ସରକାରକୁ ଲୋକଙ୍କ ସର୍ଭେଲାନ୍‌ସ ପାଇଁ ଅଖଣ୍ଡ କ୍ଷମତା ଦେଇଛି। ସେଥିପାଇଁ ବ୍ୟାଙ୍କ୍‌, ବ୍ୟବସାୟ, ଟିକସ, ଆମଦାନି, ରପ୍ତାନି, ସୁରକ୍ଷା, ସାମରିକ କାରବାର ଜନିତ ପ୍ରାୟ ସବୁ ଖବର ସରକାରଙ୍କ ଆଖିରୁ ବାଦ୍‌ ପଡ଼େନି।

କମ୍ପ୍ୟୁଟର-ସ୍ମାର୍ଟ ଫୋନ୍‌ ଯୁଗରେ ପ୍ରଭାବୀ ଗୁଇନ୍ଦା କାର୍ଯ୍ୟ ପାଇଁ ଜାତୀୟ ସୁରକ୍ଷା ଉପଦେଷ୍ଟାଙ୍କ ଅଧୀନସ୍ଥ ‘ନାସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ’ ସମେତ ସମାନ ପ୍ରକାର କାମରେ ନିୟୋଜିତ ଦେଶର ଅନ୍ୟ ସଂସ୍ଥାମାନଙ୍କର ବ୍ୟାପକ ଆଧୁନିକୀକରଣ ହୋଇଛି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ମନମୋହନ ସିଂହଙ୍କ ସରକାର ଟେଲିଫୋନ, ଇଣ୍ଟରନେଟ ଜରିଆରେ ତଥ୍ୟ ଆଦାନପ୍ରଦାନ ଓ ବାର୍ତ୍ତାଳାପ ଉପରେ କଡ଼ା ନଜର ରଖିବାକୁ ‘ସେଣ୍ଟ୍ରାଲ ମନିଟରିଂ ସିଷ୍ଟମ (ସିଏମ୍‌ଏସ୍‌) ନାମକ ଏକ ଅତ୍ୟାଧୁନିକ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସିଏମ୍‌ଏସ୍‌ର ବିଶେଷତ୍ୱ ହେଲା ତଥ୍ୟ ଆଦାନପ୍ରଦାନ ବା ବାର୍ତ୍ତାଳାପରେ ସାମାନ୍ୟତମ ସନ୍ଦେହପୂର୍ଣ୍ଣ ଶବ୍ଦଟିଏ ଥିଲେ ବି ସରକାର ନିମିଷକେ ଜାଣିଦେବେ। ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସରକାର ପ୍ରଭୂତ କ୍ଷମତାର ଅଧିକାରୀ ହେବା ସତ୍ତ୍ୱେ ଅଦମନୀୟ ଜନ ଅସନ୍ତୋଷର କାରଣ କ୍ଷମତାର ଅପବ୍ୟବହାର। ମୋଦୀ ସରକାର ବିରୋଧରେ ଫୋନ୍‌ ହ୍ୟାକିଂ ଅଭିଯୋଗ ଭଳି ୨୦୧୨ ମସିହାରେ ଦେଶରେ ୧୦,୦୦୦ ଫୋନ୍‌ ଏବଂ ୧୦୦୦ ଇ-ମେଲ୍‌ ଆଇଡିରୁ ମନମୋହନ ସରକାର ଗୁପ୍ତରେ ତଥ୍ୟ ସଂଗ୍ରହ କରୁଛନ୍ତି ବୋଲି ମେଡିଆ ରିପୋର୍ଟ ପ୍ରକାଶ ପାଇଥିଲା। ୨୦୦୮ରୁ ୨୦୧୨ ମଧ୍ୟରେ ଓଡ଼ିଶାରେ ୪୬୨୦ ଫୋନ୍‌ ଗୁପ୍ତରେ ଟ୍ୟାପିଂ କରାଯାଉଥିଲା ବୋଲି ନବୀନ ପଟ୍ଟନାୟକ ସରକାର ସୂଚନା ଅଧିକାର ଦରଖାସ୍ତର ଉତ୍ତରରେ ସ୍ୱୀକାର କରିଛନ୍ତି। ପାର୍ଲିଆମେଣ୍ଟ ହଟ୍ଟଗୋଳର ମୁଖ୍ୟ ପୁରୋଧା କଂଗ୍ରେସ ୨୦୧୯ ନିର୍ବାଚନ ଜିତିବାକୁ ଇସ୍ରାଏଲ୍‌ର ଏନଏସ୍‌ଓ ଗ୍ରୁପ୍‌ ଭଳି କ୍ୟାମ୍ବ୍ରିଜ ଆନାଲିଟିକା ସଂସ୍ଥାର ସାହାଯ୍ୟ ନେଇଥିବା ଅଭିଯୋଗ ହୋଇଥିଲା। ଭିତ୍ତିହୀନ ହେଉ ପଛେ ରାଜନୀତିରେ ଆରୋପ ପ୍ରତ୍ୟାରୋପର ମରୁଡ଼ି ନାହିଁ। ମୂଳ କାରଣ? ଗୋଳି ପାଣିକୁ ସମସ୍ତେ ଖୁସି।
ମୋ- ୯୮୫୩୨୫୨୬୨୬

ସମ୍ବନ୍ଧିତ ଖବର