ବି.ଏ. ପାସ୍ କରିବା ଯାଏ ମୋର ଶିକ୍ଷକତା ଆଡ଼କୁ ମନ ଢଳି ନ ଥିଲା। ଏମ୍‌.ଏ. ପଢ଼ାବେ‌େଳ ଲାଗିଲା, ସ୍ବତନ୍ତ୍ର ଚିନ୍ତନ ଏବଂ ମୁକ୍ତ ଅଭିବ୍ୟକ୍ତି ଲାଗି ଶିକ୍ଷକତାକୁ ବାଦ ଦେଲେ, ଅନ୍ୟ କୌଣସି ବୃତ୍ତିରେ ସେ ଭଳି ଅବସର ନାହିଁ। ଅଧିକନ୍ତୁ, ଏଥିରେ ଆର୍ଥିକ ଅନିଶ୍ଚିତତା ମଧ୍ୟ ନାହିଁ। ଶିକ୍ଷକତା କଲା ଉତ୍ତାରୁ ମୋର ଏହି ଧାରଣାକୁ ନେଇ ଏତେ ମାତ୍ରାରେ ଦୃଢ଼ମତ ହେଲି ଯେ ଅନ୍ୟ ସମସ୍ତ ବୃତ୍ତି ତୁଳନାରେ ଏହାକୁ ଅଧିକ ମହାନ ବୋଲି ମନେକଲି। ମୋର ‘ଦୃଢ଼ମତ’କୁ ଖଣ୍ଡ ଖଣ୍ଡ କଲା ମୋର ଜଣେ ବାଲ୍ୟ ବନ୍ଧୁ, ଯିଏ ମାଟ୍ରିକ୍ ପୂର୍ବରୁ ସ୍କୁଲ ଛାଡ଼ି ତା’ ବାପାଙ୍କ ଗୋ-ମଇଁଷି ପାଳନ ବୃତ୍ତିକୁ ଆପଣାଇଥିଲା। ଥରେ ଗାଁକୁ ଯାଇଥିବା ବେଳେ ‘ସୋହେଲା’ ବଜାରରେ ତା’ ସହ ଭେଟ ହେଲା। ସେ ନିଜ ବୃତ୍ତିରେ ଖୁବ୍ ସନ୍ତୁଷ୍ଟ ଥିଲା। ସେ କହିଲା, ‘ମତେ ଯଦି କେହି ଦେବଦେବୀ ପ୍ରଧାନମନ୍ତ୍ରୀ ହେବାକୁ ଯାଚନ୍ତି, ମୋର ଉତ୍ତର ହେବ; ଠିକ୍ ଅଛି। ହେଲେ ସାଙ୍ଗରେ ମୋର ଗାଈ-ମଇଁଷିମାନଙ୍କୁ ରଖିବାକୁ ଯେମିତି ସୁଯୋଗ ମିଳେ! ନ ହେଲେ, ନାଇଁ।’ ଆର୍ଥିକ ଲାଭ ତୁଳନାରେ ତା’ର ଗାଈ-ମଇଁଷିଙ୍କ ସହିତ ଆତ୍ମୀୟତା ଏବଂ ବୃତ୍ତିରୁ ଉପଲବ୍‌ଧ ସାମାଜିକ ଲାଭକୁ ସେ ଗଣୁଥିଲା। ଚଟୁଳତା କରି ସେ କହିଲା, ତୁ ସୋହେଲାରେ ଥାନାବାବୁ, ବିଡିଓ, କଲେଜ ଅଧ୍ୟାପକ, ଯାହାଠାରେ କହିବୁ, ମୁଁ ଅତି ସହଜରେ ପହଞ୍ଚି କାମ ହାସଲ କରିଦେବି, କାରଣ ପ୍ରତିଦିନ ମୁଁ ସେମାନଙ୍କ ଘରେ କ୍ଷୀର ଦିଏ ଏବଂ ଘରର ‘ମ୍ୟାଡାମ୍‌’ମାନଙ୍କ ସାଙ୍ଗରେ ମୋର ପରିଚୟ!
ତାକୁ ଦେଖି ମୁଁ ସ୍ଥିର ମତ ହେଲି ଯେ ବୃତ୍ତିରେ ଯଦି ନିଜକୁ ଆତ୍ମସାତ୍‌ କରି ହୁଏ, ତହିଁରୁ ଆତ୍ମ‌ସନ୍ତୋଷ ମିଳେ; ତେବେ ସବୁ ବୃତ୍ତି ମହାନ!
‘‘ଶିକ୍ଷକତା ପ୍ରତି ତୁମେ କେଉଁ ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ଆକୃଷ୍ଟ ହେଲ?’’ ବି.ଏଡ୍. ଛା‌ତ୍ରଛାତ୍ରୀମାନଙ୍କୁ ଏହି ପ୍ରଶ୍ନ ପଚାରିବା ବେଳେ ମୁଁ ଭାବୁଥିଲି, ପିଲାମାନେ ମଧ୍ୟ ମୋ ଭଳି ସମାନ ପରିବେଶରେ ଶିକ୍ଷକତା ଆଡ଼କୁ ଢଳିଥିବେ! କିନ୍ତୁ ଏଥର ମଧ୍ୟ ମୋର ଧାରଣା ଭୁଲ୍ ପ୍ରମାଣିତ ହେଲା। ପିଲାମାନେ ନାନା କାରଣର ଉଲ୍ଲେଖ କଲେ। ତେବେ ଜଣେ ପିଲା ରଖିଥିବା ମତକୁ ନେଇ ଆଜିର ଏହି ଆଲୋଚନା।
ପିଲାଟି ଥିଲା ଜଣେ ଆଦିବାସୀ ଝିଅ; ଘର ଝାରଖଣ୍ଡ; ପ୍ରଥମ ପିଢ଼ିର ସେ ସ୍କୁଲ ପାଠୁଆ। ସେ କହିଲା, ଷଷ୍ଠ ଶ୍ରେଣୀରେ ପଢୁଥିବା ବେଳେ ‘ଉଚ୍ଚ’ ଜାତିର ଜଣେ ଶିକ୍ଷକଙ୍କ ତା’ ପ୍ରତି ନିରନ୍ତର କଟାକ୍ଷ ତାକୁ ଶିକ୍ଷକତା କରିବାକୁ ପ୍ରେରିତ କଲା। କଥା ଥିଲା ଏହିଭଳି: ତା’ ଶରୀରର ରଙ୍ଗ ନିପଟ କଳା ଏବଂ ସେ ଦେଖିବାକୁ ଅସୁନ୍ଦର ହେବା, ତା’ର ଆଦିବାସୀ ହେବା, ପ୍ରଥମ ପିଢ଼ିର ପାଠୁଆ ହେବା ଏବଂ ଗରିବ ହେବା ଇତ୍ୟାଦି ହୁଏତ ଏହାର କାରଣ ଥିଲା। କଥାକଥାକେ ତାକୁ ଶିକ୍ଷକ ଜଣକ ‘ଆଫ୍ରିକା ସୁନ୍ଦରୀ’ ବା ‘ଘାନା ସୁନ୍ଦରୀ’ ଆଦି କହି ବିଦ୍ରୂପ କରୁଥିଲେ। ଏହା ପୂର୍ବରୁ ହୁଏତ ସେ ନିଜକୁ କେବେ ଅସୁନ୍ଦର ବୋଲି ମଣୁ ନ ଥିବ। ଆଫ୍ରିକା ବା ଘାନାର ଲୋକ କଳା ଏବଂ ଅସୁନ୍ଦର ବୋଲି ମଧ୍ୟ ତା’ର ଜ୍ଞାନ ନ ଥିଲା! ସେହି ଶିକ୍ଷକଙ୍କ ଦାରୁଣ ପରିହାସ ତାକୁ ସେହି ବୋଧ ଦେଲା। ସ୍କୁଲ ଯିବା ପାଇଁ ବାପା-ମା’ଙ୍କର କୌଣସି ତାଗିଦା ନ ଥିଲା। ତେଣୁ ସେ ସହଜରେ ଶିକ୍ଷକଙ୍କ ଆଚରଣର ପ୍ରତିକ୍ରିୟାରେ ସ୍କୁଲ ଛାଡ଼ି ପାରିଥାନ୍ତା। ଏମିତିରେ ତା’ର ଅନେକ ସାଙ୍ଗ ସ୍କୁଲ ଆସୁ ନ ଥିଲେ। ହେଲେ, ତା’ ମନରେ ଏକ ଅପୂର୍ବ କିସମର ବିଦ୍ରୋହ ଜନ୍ମ ନେଲା। ସେ ଚିନ୍ତା କଲା, ‘‘ମୁଁ ନିଶ୍ଚୟ ପାଠ ପଢ଼ି ଶିକ୍ଷକତା କରିବି ଏବଂ ମୋର କୌଣସି ପିଲାଙ୍କୁ ଏଭଳି ପରିହାସ, ଏଭଳି ବିଦ୍ରୂପ ବା ଏଭଳି ପକ୍ଷପାତିତାର ଶିକାର ହେବାକୁ ଦେବି ନାହିଁ।’’
ଶ୍ରେଣୀରେ ସେ ଦିନ ମୋର ଏବଂ ତା’ ଅନ୍ୟ ସହପାଠୀଙ୍କ ଆଗରେ ସ୍ବ-ଅନୁଭୂତିକୁ ଅଭିବ୍ୟକ୍ତ କଲା ବେଳେ ଝିଅଟି ଯେମିତି ଥରକୁ ଥର ଆଖିର ଲୁହ ପୋଛୁଥାଏ, ମତେ ଲାଗିଲା ଏତକ କହିବା ପାଇଁ ତାକୁ କେତେ ସାହସ ସଂଗ୍ରହ କରିବାକୁ ପଡ଼ି ନ ଥିବ। ପଢ଼ାରେ ଅତି ସାଧାରଣ ମନେ ହେଉଥିବା ଝିଅଟି ପୁଣି କହିବା ପାଇଁ ଏତେ କଥା ମନରେ ରଖିଥିଲା? ପ୍ରସଙ୍ଗ ପଡ଼ି ନ ଥିଲେ ହୁଏତ ତା’ ମନ କଥା ଯାକ ଅବଦମିତ ହୋଇ ରହିଯାଇଥାନ୍ତା!
ମୋର ମନେ ପଡ଼ିଗଲା। ଆମ ସ୍କୁଲରେ ଏମିତି ଜଣେ ଶିକ୍ଷକ ଥିଲେ, ଯାହାଙ୍କର ମୋ ପ୍ରତି ବ୍ୟଙ୍ଗ-ବିଦ୍ରୂପ ଝିଅଟି ସତ୍ୟ କହିଥିବା ଅପମାନ ତୁଳନାରେ, ଊଣା ନ ଥିଲା! ସେ ଥିଲେ ଆମ ‌ଅଷ୍ଟମ ଶ୍ରେଣୀରେ ଗଣିତ ଶିକ୍ଷକ। ତାଙ୍କ ଯୋଗୁଁ ପ୍ରଥମ କରି ମୋର ଗଣିତ ବିଷୟ ପ୍ରତି ଭୟ ଓ ବିତୃଷ୍ଣା ଜାତ ହେଲା। ତାଙ୍କ ପାଠକୁ ନେଇ ପ୍ରଶ୍ନ ପଚାରିବା ଭିତରେ ଯେଉଁ ଉପେକ୍ଷା ଭାବ, ତାହା ନୂଆ ନୂଆ ଭୁଲ୍ କରିବାକୁ ମତେ ବାଧ୍ୟ କରେ। ସେ ପ୍ରାୟତଃ ମତେ (ଏବଂ ଆଉ କେତେକଙ୍କୁ) ‘ଲିଲିପୁଟ’ କହି ସଂବୋଧନ କରନ୍ତି; ଅନେକ ସମୟରେ ସାର୍ଟର ଲୋଚାକୋଚା ହେବା, ମୁଣ୍ଡରୁ ତେଲ ଓହଳିବା ମୋ ପ୍ରତି ବିଦ୍ରୂପର କାରଣ ହୁଏ। ସେତେବେଳେ ଶାରୀରିକ ଦଣ୍ଡର ଆଦୌ ନିଷେଧ ନ ଥିଲା। ଶିକ୍ଷକ ଜଣକ ଅଭିନବ ଉପାୟରେ ପ୍ରତିଥର ଆମକୁ ଦଣ୍ଡ ଦିଅନ୍ତି। ଯେଉଁଦିନ ଦଣ୍ଡ ଭୋଗରେ ମୁଁ ଏକାକୀ, ସେ ଦିନ ତାହା ଅଧିକ କଷ୍ଟଦାୟୀ ସାବ୍ୟସ୍ତ ହୁଏ! ସବୁଠାରୁ ବଡ଼ କଥା, ଶିକ୍ଷକଙ୍କ ମୋ ପ୍ରତି ଦୁର୍ବ୍ୟବହାରକୁ ଘରେ ଆସି ଶୁଣାଇ ବି ପାରେନା। ପରିବାରଜନ ଶିକ୍ଷିତ ହେବା କାରଣରୁ ଗଣିତ ଶିକ୍ଷକଙ୍କ ଯୋଗୁଁ ପାଠ ଛାଡ଼ିବା କଥା ବି ଚିନ୍ତା କରି ହୁଏନା! ଅଷ୍ଟମ ଶ୍ରେଣୀରେ ମୋର ଗଣିତରେ ମୋଟ ଶହେରୁ ମାର୍କ ଥିଲା ମାତ୍ର ପାଞ୍ଚ! ନବମ ଶ୍ରେଣୀରେ ମଧ୍ୟ ସେ ଥିଲେ ଗଣିତ ଶିକ୍ଷକ; ମୋର ମାର୍କ- ତେର! ଦଶମ ଏବଂ ଏକାଦଶରେ ସେ ଯଦି ଗଣିତ ପଢ଼ାଇଥାନ୍ତେ, ମୁଁ କ’ଣ ମାଟ୍ରିକ୍ ପାସ୍ କରିଥାନ୍ତି? ଶିକ୍ଷକଙ୍କ ପକ୍ଷପାତିତା ଯୋଗୁଁ ଝିଅଟି ସିନା ଶିକ୍ଷକତା କରିବ ବୋଲି ଦୃଢ଼ ନିଶ୍ଚିତ ହେଲା; ହେଲେ ଏହା ପରେ ମୋ ‌େକ୍ଷତ୍ରରେ ସବୁ ଦିନ ପାଇଁ ଗଣିତ ଏକ ଭୟ ଓ ଆତଙ୍କର ବିଷୟ ହୋଇ ରହିଗଲା!
[email protected]