ସମାଜ ଓ ସଭ୍ୟତା ଯେପରି ବିବର୍ତ୍ତନଶୀଳ, ମନୁଷ୍ୟର ଚିନ୍ତା ଚେତନା ମଧୢ ସେହିପରି ପରିବର୍ତ୍ତନଶୀଳ। ପରିବର୍ତ୍ତନଶୀଳତା ପ୍ରକୃତିର ଓ ସମାଜର ଧର୍ମ। ସେଥିପାଇଁ ପ୍ରାଗୈତିହାସିକ ସମୟରୁ ଆରମ୍ଭ ହୋଇଥିବା ସଭ୍ୟତାର ବିକାଶ ପର୍ବ ମନୁଷ୍ୟକୁ ଆଜିର ସ୍ଥିତିରେ ପହଞ୍ଚାଇ ପାରିଛି। ସଭ୍ୟତାର ବୌଦ୍ଧିକ ଓ ସା˚ସ୍କୃତିକ ବିକାଶ ଧାରାରେ କେତେ କେତେ ନୂତନ ବିଚାର ଓ ଜୀବନବୋଧ ଚିନ୍ତା ରାଜ୍ୟରେ ଗଭୀର ଆଲୋଡ଼ନ ଆଣିଛି। ଚିନ୍ତା ରାଜ୍ୟରେ ଆଲୋଡ଼ନର ପରିଣାମ ଅନୁରୂପ ଜୀବନଶୈଳୀରେ ଗଭୀର ପରିବର୍ତ୍ତନ ଆସିଛି ଓ ସଭ୍ୟତା ନୂତନ ଲମ୍ଫ ନେଇଛି। ପୃଥିବୀର ରାଜନୈତିକ, ଅର୍ଥନୈତିକ, ଶୈକ୍ଷିକ ଓ ସା˚ସ୍କୃତିକ ଦୃଶ୍ୟପଟରେ ଅତୀତରେ ବହୁ ଯୁଗାନ୍ତକାରୀ ପରିବର୍ତ୍ତନର ସୂତ୍ରପାତ ହୋଇଛି। ଏହି ଧାରା ଅପରିବର୍ତ୍ତିତ ରହିଛି ଓ ମାନବ-ସଭ୍ୟତା ଥିବା ପର୍ଯ୍ୟନ୍ତ ପରିବର୍ତ୍ତନର ପରିବେଶ ନିରନ୍ତର ଭାବେ ରହିବ। ସଭ୍ୟତା କେବେ ସ୍ଥାଣୁ ପାଲଟିଯିବ ନାହିଁ।

Advertisment

ସଭ୍ୟତାର ଇତିହାସରେ ୟୁରୋପୀୟ ନବଜାଗରଣ, ଆଧୁନିକ କାଳ ଓ ବିଜ୍ଞାନର ବିକାଶ ପର୍ବ ଥିଲା ଏକ ନିର୍ଣ୍ଣାୟକ ସନ୍ଧିକ୍ଷଣ। ତାହା ପୂର୍ବରୁ ପ୍ରତ୍ୟେକ ସଭ୍ୟତାରେ ଧର୍ମର ଗଭୀର ପ୍ରଭାବ ରହିଥିଲା। ସମାଜର ରାଜନୀତି, ଶିକ୍ଷା ଓ ସା˚ସ୍କୃତିକ ପରିବେଶ ଧର୍ମକୈନ୍ଦ୍ରିକ ଥିଲା। ସାମ୍ପ୍ରତିକ ପରିଭାଷାରେ ଯାହାକୁ ଧର୍ମ କୁହାଯାଉଛି ତାହା ପ୍ରତ୍ୟେକ ଭୌଗୋଳିକ ଭୂଖଣ୍ତର ଥିଲା ଏକ ଏକ ସା˚ସ୍କୃତିକ ଜାଗରଣ। ପୃଥିବୀର ବିଭିନ୍ନ ପ୍ରାଚୀନ ସଭ୍ୟତାମାନଙ୍କରେ ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀ ପରେ ବିଭିନ୍ନ ସା˚ସ୍କୃତିକ ଆଲୋଡ଼ନମାନ ଆସିଥିଲା। ଭାରତ ଭୂଖଣ୍ତରେ ଉପନିଷଦ୍‌, ବ୍ରହ୍ମସୂତ୍ର ଇତ୍ୟାଦି ଗ୍ରନ୍ଥମାନଙ୍କର ରଚନା ପରେ ବୈଦିକ ଧର୍ମର କ୍ରମବିକାଶ ଘଟିଥିଲା। ସମ୍ପ୍ରତି ଯାହାକୁ ହିନ୍ଦୁ ଧର୍ମ ବୋଲି କୁହାଯାଉଛି ତାହା ବୈଦିକଧର୍ମ, ଆର୍ଯ୍ୟଧର୍ମ, ବ୍ରାହ୍ମଣ୍ୟଧର୍ମ ମଧୢ ଦେଇ ବିକଶିତ ହୋଇଥିଲା। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଗୌତମ ବୁଦ୍ଧ ଓ ମହାବୀର ଜୈନଙ୍କ ବିଚାର ଓ ସ˚ସ୍କାରକୁ ଆଧାର କରି ଯେଉଁ ସା˚ସ୍କୃତିକ ଆଲୋଡ଼ନ ସୃଷ୍ଟି ହୋଇଥିଲା ତାହା ଯଥାକ୍ରମେ ବୌଦ୍ଧଧର୍ମ ଓ ଜୈନଧର୍ମ ଭାବରେ ସଭ୍ୟତାର ଇତିହାସରେ ପରିଚିତ। ବିଭିନ୍ନ ପ୍ରାଚୀନ ସଭ୍ୟତାମାନଙ୍କରେ ଏପରି କିଛି ପ୍ରଜ୍ଞାବାନ ବ୍ୟକ୍ତିମାନଙ୍କର ଆବିର୍ଭାବ ଘଟିଥିଲା ଯେଉଁମାନଙ୍କର ଚିନ୍ତାଧାରା ଓ ଆବେଦନକୁ ନେଇ ବିଭିନ୍ନ ଭୂଖଣ୍ତରେ ଗୋଟିଏ ଗୋଟିଏ ବଡ଼ ସା˚ସ୍କୃତିକ ଆଲୋଡ଼ନର ସୂତ୍ରପାତ ହୋଇ ପରବର୍ତ୍ତୀ ସମୟରେ ଆନୁଷ୍ଠାନିକ ଧର୍ମର ରୂପ ନେଲା। ଯେଉଁ ସମୟରେ ଭାରତ ଭୂଖଣ୍ତରେ ବୁଦ୍ଧ ଓ ମହାବୀରଙ୍କର ଆବିର୍ଭାବ ଘଟିଥିଲା ସେହି ସମୟରେ ମଧୢପ୍ରାଚ୍ୟରେ ଜୋରାଷ୍ଟରଙ୍କ କ୍ରାନ୍ତିକାରୀ ବିଚାର ଓ ଜୀବନବୋଧକୁ ନେଇ ପାର୍ସୀ ଧର୍ମର ବିକାଶ ଘଟିଥିଲା। ସେହିପରି ଅନ୍ୟ ଏକ ଭୌଗୋଳିକ ଭୂଖଣ୍ତରେ ମୋଜେସଙ୍କର ବୈଚାରିକ ଜାଗରଣକୁ ନେଇ ଇହୁଦୀ ଧର୍ମର ବିକାଶ ହିବ୍ରୁ ସଭ୍ୟତାରେ ହୋଇଥିଲା। ଚୀନ୍‌ରେ ସେହି ଖ୍ରୀଷ୍ଟପୂର୍ବ ସମୟରେ କନ୍‌ଫୁସିୟସଙ୍କ ମାନବବାଦୀ ବିଚାରକୁ ନେଇ ଟାଓ ଧର୍ମର ଅଭ୍ୟୁଦୟ ଘଟିଥିଲା। ଖ୍ରୀଷ୍ଟାବ୍ଦ ଆରମ୍ଭ ବେଳକୁ ଯୀଶୁ ଖ୍ରୀଷ୍ଟଙ୍କର ଆବିର୍ଭାବ ପରେ ସେ ଈଶ୍ବର-କୈନ୍ଦ୍ରିକ ମାନବବାଦର ଯେଉଁ ଅବତାରଣା କଲେ ତାହା ଏକ ବଡ଼ ସା˚ସ୍କୃତିକ ଜାଗରଣର ରୂପ ନେଇ ଖ୍ରୀଷ୍ଟଧର୍ମ ଭାବରେ ଏକ ବିଶାଳ ଭୂଖଣ୍ତରେ ପରିବ୍ୟାପ୍ତ ହେଲା। ଷଷ୍ଠ ଶତାବ୍ଦୀରେ ଆରବ ଭୂଖଣ୍ତରେ ମହମ୍ମଦ ଯେଉଁ ସା˚ସ୍କୃତିକ ସ˚ସ୍କାରର ପରିବେଶ ସୃଷ୍ଟି କରିଥିଲେ ତାହାକୁ ଆଧାର କରି ଇସଲାମ ଧର୍ମର ବିକାଶ ହୋଇଥିଲା। ପ୍ରତ୍ୟେକଟି ଆନୁଷ୍ଠାନିକ ଧର୍ମ ବିଭିନ୍ନ ଭୌଗୋଳିକ ଭୂଖଣ୍ତର ଏକ ଏକ ସା˚ସ୍କୃତିକ ଜାଗରଣ ଭାବେ ଉଦ୍‌ଭବ ହୋଇ ପରେ ବୃହତ୍ତର ଅଞ୍ଚଳକୁ ପ୍ରସାରିତ ହୋଇ ଜନଗଣଙ୍କ ମଧୢରେ ବୃହତ୍ତର ଐକ୍ୟ ସ୍ଥାପନ କରିଥିଲା।

ବିଭିନ୍ନ ସଭ୍ୟତାରେ ଧାର୍ମିକ-ସା˚ସ୍କୃତିକ ଜାଗରଣର ଯୁଗ ଆସିବା ପୂର୍ବରୁ ନାନା ପ୍ରକାରର ରୂଢ଼ିବାଦ ସମାଜରେ ରହିଥିଲା। ବହୁ ଈଶ୍ବରବାଦ, ଅର୍ଥହୀନ କର୍ମକାଣ୍ତ, ପଶୁବଳି, ନରବଳି ଇତ୍ୟାଦି ବିଭିନ୍ନ ସଭ୍ୟତାର ଜନଜୀବନରେ ବ୍ୟାପକ ଭାବେ ଥିଲା। ସେହି ସ୍ଥିତିରେ ଏକେଶ୍ବରବାଦ, ଜୀବନର ଅନ୍ତିମ ଲକ୍ଷ୍ୟ ନେଇ ଭାବନା, ବିଭିନ୍ନ ନୈତିକ ଆବେଦନ, ସୃଷ୍ଟି ରହସ୍ୟର କଳ୍ପନା ଜୀବନର ଏକ ଅର୍ଥପୂର୍ଣ୍ଣ ବ୍ୟାଖ୍ୟା କରିବାରେ ବେଶ୍‌ ଆକର୍ଷଣୀୟ ଥିଲା। ସେହି କାଳଖଣ୍ତରେ ଗୋଟିଏ ଭୂଖଣ୍ତର ଜନଗଣ ଅନ୍ୟ ଭୂଖଣ୍ତ ବିଷୟରେ ଅଜ୍ଞ ରହିଥିଲେ। ଧାର୍ମିକ ବିଶ୍ବାସ ସମାଜର ସା˚ସ୍କୃତିକ ଭାବଧାରାର ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା। ପ୍ରତ୍ୟେକ ଧର୍ମଗୋଷ୍ଠୀ ନିଜ ଧର୍ମଗ୍ରନ୍ଥର ବାଣୀକୁ ଶାଶ୍ବତ, ଈଶ୍ବରୀୟ ଅନୁଜ୍ଞା ଓ ପବିତ୍ର ମନେ କରିବାକୁ ଲାଗିଲେ। ସକଳ ନୀତି ନୈତିକତା, ରାଜନୈତିକ ବ୍ୟବସ୍ଥା, କଳା-ସ୍ଥାପତ୍ୟ, ସାହିତ୍ୟିକ କୃତିମାନ ଓ ସମାଜର ପର୍ବପର୍ବାଣି ଧର୍ମଭିତ୍ତିକ ହେଲା। ପୁନଶ୍ଚ ପ୍ରତ୍ୟେକ ଧର୍ମଗୋଷ୍ଠୀରେ ସମୟର ବ୍ୟବଧାନ ମଧୢରେ ନାନା ସମ୍ପ୍ରଦାୟମାନ ସୃଷ୍ଟି ହେବାକୁ ଲାଗିଲା। ପ୍ରତ୍ୟେକ ସଭ୍ୟତାର ସା˚ସ୍କୃତିକ ବିକାଶରେ ଧର୍ମ ମୁଖ୍ୟ ଭୂମିକା ନେଲା।

ପ୍ରତ୍ୟେକ ଆନୁଷ୍ଠାନିକ ଧର୍ମ ଯାହା ଏକ ସା˚ସ୍କୃତିକ ଜାଗରଣ ଭାବେ ଏକ ଭୂଖଣ୍ତରେ ଉଦ୍‌ଭବ ହୋଇଥିଲା କାଳକ୍ରମେ ତାହା ନାନା ରୂଢ଼ିବାଦ, କୁସ˚ସ୍କାର ଓ ଅପବିଶ୍ବାସର ଆଧାର ହେଲା। ଅଧିକା˚ଶ ଧର୍ମ ପାରଲୌକିକ ଜୀବନବୋଧ ଯଥା ସ୍ବର୍ଗ, ମୁକ୍ତି, ମୋକ୍ଷ, ନିର୍ବାଣ ଇତ୍ୟାଦିର କେତେ କେତେ ଚମତ୍କାର କଳ୍ପନାମାନଙ୍କର ଅବତାରଣା କଲେ। ଏପରିକି ମାନବ ସଭ୍ୟତାର ବୌଦ୍ଧିକ ବିକାଶ ପ୍ରତି ଧର୍ମ ବଡ଼ ପ୍ରତିବନ୍ଧ ହେଲା। ପ୍ରକୃତିର ସବୁ ଘଟଣା ପୂର୍ବନିର୍ଦ୍ଦିଷ୍ଟ, ଈଶ୍ବରୀୟ ବିଧାନ ପାଖରେ ମନୁଷ୍ୟ ଅତ୍ୟନ୍ତ ଅସହାୟ, ଜୀବନର ଶ୍ରେୟ ପାରଲୌକିକ ଲକ୍ଷ୍ୟ ପ୍ରାପ୍ତି ପାଇଁ ଅଭିପ୍ରେତ ଇତ୍ୟାଦି ଭାବନାମାନ ଧାର୍ମିକ ବିଚାରର ମୁଖ୍ୟ ଆଧାର ହେଲା। ୟୁରୋପୀୟ ନବଜାଗରଣ ପୂର୍ବରୁ ୟୁରୋପରେ ଭାବନା ରହିଥିଲା ଯେ ମଣିଷର ଯେତିକି ଜ୍ଞାନ ଦରକାର ତାହା ଈଶ୍ବର ଧର୍ମଗ୍ରନ୍ଥରେ ବ୍ୟକ୍ତ କରିଛନ୍ତି। କୌଣସି ପ୍ରାକୃତିକ ଘଟଣାର କାରଣ ଜାଣିବାକୁ ଚାହିଁବା ହେଲା ଅହଙ୍କାର, ଯାହା ଈଶ୍ବର-ଦ୍ରୋହ ସଙ୍ଗେ ସମାନ। ଏହି ପ୍ରକାରର ରୁଦ୍ଧ ମାନସିକତା ଭିନ୍ନ ଭିନ୍ନ ଧାରାରେ ବିଭିନ୍ନ ଧର୍ମମାନଙ୍କରେ ରହିଥିଲା। ବସ୍ତୁତଃ ବିଜ୍ଞାନର ଆଦିପର୍ବଟି ଥିଲା ଧର୍ମ ସହ ଏକ ସ˚ଘର୍ଷର ସମୟ। ବିଜ୍ଞାନ କ୍ଷେତ୍ରକୁ ଅମୂଲ୍ୟ ଅବଦାନ ଦେଇଥିବା ବହୁ ପ୍ରବୀଣ ସତ୍ୟସନ୍ଧାନୀ ବୈଜ୍ଞାନିକ ନିଜ ସମସାମୟିକ ସମାଜରେ ବହୁ ନିନ୍ଦିତ ହୋଇଛନ୍ତି, ଅପଯଶ ପାଇଛନ୍ତି, ବନ୍ଦୀ ଜୀବନ ବିତାଇଛନ୍ତି ଓ ଏପରିକି ସହିଦ ପାଲଟିଛନ୍ତି। ତେବେ ସେମାନଙ୍କର ତ୍ୟାଗ ଓ ସାଧନା ବୃଥା ହୋଇନାହିଁ। ବିଜ୍ଞାନର ବିକାଶଧାରା ଆଗକୁ ଯାଇଛି ଓ ଏକ ନୂଆ ଦୁନିଆ ନିର୍ମାଣରେ ସହାୟକ ହୋଇଛି।

ମାନବୀୟ ଦୁଃଖଯାତନା, ପ୍ରାକୃତିକ ଦୁର୍ବିପାକ ଓ ସାମାଜିକ ଭେଦଭାବ ପ୍ରତି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଓ ଧାର୍ମିକ ଦୃଷ୍ଟିଭଙ୍ଗୀ ମଧୢରେ ପାର୍ଥକ୍ୟ ଦୃଷ୍ଟିଗୋଚର ହୁଏ। ପୃଥିବୀର ବିଭିନ୍ନ ଭୂଖଣ୍ତରେ ଅତୀତରେ ମହାମାରୀ, ଦୁର୍ଭିକ୍ଷ ବା ପ୍ରାକୃତିକ ବିପର୍ଯ୍ୟୟମାନ ସୃଷ୍ଟି ହୋଇ ଗଣମୃତ୍ୟୁର କାରଣ ହେଉଥିଲା। ବିଜ୍ଞାନ ଓ ଆଧୁନିକ ପ୍ରଯୁକ୍ତିର ଯୁଗ ଆସିବା ପରେ ଅନେକ ମାନବୀୟ ଦୁଃଖ ଦୁର୍ଦଶାକୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ହେଲା। ବିଜ୍ଞାନ ସ୍ତରରେ ଏହି ଉପଲବ୍‌ଧି ଆସିଲା ଯେ ଆମର ଦୁଃଖ ଦୁର୍ଦଶା ଆମ ପ୍ରୟାସରେ ହିଁ ଦୂର କରାଯାଇପାରିବ କିମ୍ବା ଅନ୍ତତଃ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ଧାର୍ମିକ ମାନସିକତାରେ ମାନବୀୟ ପ୍ରୟାସକୁ ବିଶେଷ ପ୍ରାଧାନ୍ୟ ଦିଆଯାଏ ନାହିଁ। ଏଠାରେ ଗୋଟିଏ ଉଦାହରଣ ଦିଆଯାଇପାରେ। ୧୯୬୭ ମସିହାରେ ବିହାରରେ ଏକ ବଡ଼ ଦୁର୍ଭିକ୍ଷର ପରିବେଶ ସୃଷ୍ଟି ହୋଇଥିଲା। ପରିସ୍ଥିତିକୁ ସାମ୍‌ନା କରିବାକୁ ଓ ଲୋକମାନଙ୍କୁ ଅନାହାର ଜନିତ ମୃତ୍ୟୁରୁ ରକ୍ଷା କରିବା ପାଇଁ କିଛି ସମାଜସେବୀ ସାହାଯ୍ୟ ସମିତିମାନ ଗଠନ କରିଥିଲେ। ସେତେବେଳେ ଭାରତବର୍ଷର ଜଣେ ବିଶିଷ୍ଟ ସନ୍ଥ ଏସବୁର ଆବଶ୍ୟକତା ନାହିଁ ବୋଲି କହୁଥିଲେ। ତାଙ୍କ ମତ ଥିଲା ଯେ ଜୀବନର ସମସ୍ତ ଘଟଣା ପ୍ରବାହ ପୂର୍ବନିର୍ଦ୍ଦିଷ୍ଟ। ମଣିଷର ମୃତ୍ୟୁ ତା’ର ପ୍ରାରମ୍ଭର କ୍ଷୟ ହେଲେ ହିଁ ହେବ, ସୁତରା˚ ମାନବିକ ପ୍ରୟାସର କିଛି ଅର୍ଥ ହିଁ ନାହିଁ। ସେହିପରି ଭାରତୀୟ ସମାଜରେ ରହିଥିବା ବର୍ଣ୍ଣ ବ୍ୟବସ୍ଥା, ଉଚ୍ଚନୀଚ ଭେଦଭାବ ଓ ଏପରିକି ଅସ୍ପୃଶ୍ୟତାକୁ ଏକ ଈଶ୍ବରୀୟ ବିଧାନ କହି ଗ୍ରହଣ କରିବାର ମାନସିକତା ଶହ ଶହ ବର୍ଷ ଧରି ଜନଜୀବନକୁ କ୍ଷୟଶୀଳ କରି ରଖିଥିଲା।

ବିଜ୍ଞାନର ଯୁଗ ଆସିବା ପରେ କେତେକ ବିଚାର ସାର୍ବଜନୀନ ହେବାକୁ ଲାଗିଲା। ବିଜ୍ଞାନ-ମନସ୍କତା, ଶିକ୍ଷା ଓ ମାନବିକତା ସୁସ୍ଥ ସମାଜ ନିର୍ମାଣରେ ଓ ସଭ୍ୟତାକୁ ପ୍ରଗତିଶୀଳ କରିବାରେ ଯେ ନିର୍ଣ୍ଣାୟକ ଭୂମିକା ଦେଇପାରିବେ, ଏହା ଥିଲା ଏକ ବଡ଼ ଉପଲବ୍‌ଧି। ଦୁନିଆର ସବୁ ମଣିଷ ମଣିଷ ଭଳି ବଞ୍ଚିବେ, ନିଜ ଅନ୍ତର୍ନିହିତ ସାମର୍ଥ୍ୟର ବିକାଶ କରାଇବେ, ସ˚ସାରରୁ ସମସ୍ତ ହି˚ସା, ଶୋଷଣ ଓ ଭେଦଭାବ ଲୋପପାଇବ; ମଣିଷର ଚିନ୍ତାରାଜ୍ୟରେ ଏହିସବୁ ବଡ଼ ବୈପ୍ଳବିକ ଆଦର୍ଶ ସୃଷ୍ଟି ହେଲା। ସମାଜବାଦ, ସାମ୍ୟବାଦ ଓ ମାନବବାଦର ଜୀବନଦର୍ଶନରେ ନିହିତ ଥିବା ଏହି ମାନବିକ ଉତ୍କର୍ଷ ସଭ୍ୟତା ପାଇଁ ସାର୍ବଜନୀନ ଆବେଦନ ରଖେ। ସେହିପରି ସକଳ ଜ୍ଞାନ ବିଜ୍ଞାନକୁ କିପରି ମାନବିକ କଲ୍ୟାଣ ଦିଗରେ ବିନିଯୋଗ କରାଯାଇପାରିବ ତାହା ସଭ୍ୟତା ପାଇଁ ଏକ ବଡ଼ ନୈତିକ ଆହ୍ବାନ। ଏକ ଶାନ୍ତିପୂର୍ଣ୍ଣ ଓ ପ୍ରୀତିପୂର୍ଣ୍ଣ ବିଶ୍ବ ନିର୍ମାଣରେ ବିଜ୍ଞାନ ଓ ମାନବବାଦ ସବୁଠାରୁ ବଡ଼ ଆୟୁଧ ହୋଇପାରିବେ। ଜାତି, ଧର୍ମ, ବର୍ଣ୍ଣ, ରଙ୍ଗ, ଲିଙ୍ଗ ଇତ୍ୟାଦି ନାନା କାରଣରୁ ମାନବ ସମାଜ ବହୁ ଭାବରେ ବିଭାଜିତ ହୋଇଆସିଛି। ବିଭିନ୍ନ ଗୋଷ୍ଠୀ ଭିତରେ ରହି ଆସିଥିବା ଅସହିଷ୍ଣୁତା, ବିଦ୍ବେଷ ଓ ଭେଦଭାବକୁ ଦୂର କରିବାକୁ ହେଲେ ଏକ ମାନବ ଦରଦୀ ଚେତନାର ବିକାଶ ଅବଶ୍ୟମ୍ଭାବୀ ମନେହୁଏ। ଆଧୁନିକ ପ୍ରଯୁକ୍ତି ବିଶ୍ବକୁ ଏକ କ୍ଷୁଦ୍ର ଗ୍ରାମରେ ପରିଣତ କରିପାରିଛି। ଶୁଦ୍ଧ ମାନବିକତାର ସାର୍ବଜନୀନ ବିକାଶ ଦ୍ବାରା ସମଗ୍ର ମାନବ ସମାଜ ଭିତରେ ଏକ ଭାବଗତ ଐକ୍ୟ ପ୍ରତିଷ୍ଠା କରାଯାଇପାରିବ। ବିଚାରଶୀଳତା ଓ ମାନବିକତାର ସାର୍ବଭୌମତ୍ବକୁ ଗ୍ରହଣ କଲେ ଯାଇ ଏହା ସମ୍ଭବ ହୋଇପାରିବ ବୋଲି ଆଶା କରାଯାଏ।
ଏ-୧୨, ଭାଗୀରଥି ବିହାର, ଢେଙ୍କାନାଳ
ମୋ:୯୪୩୮୫୪୭୮୯୫