‘ଭାରତ ପଙ୍କଜ’

ବିଜୟ ନାୟକ

ବିବିଧତା ମଧ୍ୟରେ ଏକତା ଭାରତୀୟ ଆଚାରବିଚାରର ଅଧାର-ଶିଳା। ଭାରତବର୍ଷ ପରି ଜାତି, ଧର୍ମ, ବର୍ଣ୍ଣ ଓ ଭାଷାର ବିପୁଳ ବିବିଧତା ପୃଥିବୀର ଅନ୍ୟ କୌଣସି ଖଣ୍ଡରେ ପରିଲକ୍ଷିତ ହୁଏନାହିଁ। ଖାଦ୍ୟପେୟ, ବେଶଭୂଷା, ଚାଲିଚଳଣ, ପର୍ବପର୍ବାଣି ଏପରିକି ଜଳବାୟୁର ବିଭିନ୍ନତା ଭାରତୀୟମାନଙ୍କ ଜୀବନଯାପନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ତହୁଁ ବଳି ଅବିଚ୍ଛେଦ୍ୟ ଏକ ସୂକ୍ଷ୍ମ ସୂତା ଯହିଁରେ ଗ୍ରଥିତ ଆକୁମାରୀ-ହିମାଚଳବାସୀ ସଭିଁଙ୍କ ଜୀବନପୁଷ୍ପ। ଭାରତବର୍ଷ ଯୁଗେଯୁଗେ ଏକ ଅବିଭାଜ୍ୟ ଏକକ। କିନ୍ତୁ ବିଶାଳତା କାଳକ୍ରମେ ଆଞ୍ଚଳିକ ବୈଶିଷ୍ଟ୍ୟକୁ ଜନ୍ମ ଦିଏ। ଫଳରେ ଉଚ୍ଚାରଣ ଓ ଆଚରଣରେ ସ୍ଥାନଗତ ଅନନ୍ୟତା ପରିଦୃଷ୍ଟ ହୁଏ। ଏ ସବୁର ସମ୍ମିଶ୍ରଣରେ ପ୍ରାନ୍ତୀୟ ଅସ୍ମିତାର ସୃଷ୍ଟି। ତେଣୁ ମହାଭାରତୀୟତା ଏବଂ ପ୍ରାନ୍ତୀୟ ଅସ୍ମିତା ପରସ୍ପର ପରିପୂରକ। ମାତା-ଦୁହିତା ଭାବ ବନ୍ଧନରେ କୋଳାଗ୍ରତ।

ଭାରତ ଏକ ରାଷ୍ଟ୍ର ସଂଘ ନା ଏକ ଐକିକ ରାଷ୍ଟ୍ର? ରାଷ୍ଟ୍ରସଂଘ କହିଲେ ଯୁକ୍ତରାଷ୍ଟ୍ର ଆମେରିକାର ଚିତ୍ରଟି ମନକୁ ଆସେ। ଅର୍ଦ୍ଧ ଶତ ରାଜ୍ୟର ଏକତ୍ରୀକରଣରେ ଆମେରିକା ରାଷ୍ଟ୍ର ସଂଘ ଜୀବନ୍ୟାସ ପାଇଥିଲା। ତା’ ପୂର୍ବରୁ ରାଷ୍ଟ୍ର ଭାବରେ ଆମେରିକାର ସ୍ଥିତି ନ ଥିଲା। କିନ୍ତୁ ଏକ ପ୍ରାଚୀନ ଭୂଖଣ୍ଡ ଭାବରେ ଭାରତବର୍ଷର ସ୍ଥିତି କାଳେକାଳେ ଅକ୍ଷୁଣ୍ଣ ରହି ଆସିଛି। ତେଣୁ ଭାରତୀୟ ରାଷ୍ଟ୍ରସଂଘର ରୂପରେଖ କିପରି ହେବା ଚାହି? ଏହା ଥିଲା ସମ୍ବିଧାନ ପ୍ରଣେତାମାନଙ୍କ ଦ୍ୱନ୍ଦ୍ୱର ହେତୁ। ତେବେ ଭାରତବର୍ଷର ଏକାତ୍ମତାକୁ ଦୃଷ୍ଟିରେ ରଖି ସେମାନେ ରାଷ୍ଟ୍ରସଂଘ ବା ଫେଡେରେସନ୍ ଶବ୍ଦର ବ୍ୟବହାରକୁ ଏଡ଼େଇ ଯାଇଛନ୍ତି। ଭାରତୀୟ ସମ୍ବିଧାନର ପ୍ରଥମ ଧାରାରେ ଭାରତକୁ ଏକ ‘ୟୁନିଅନ୍ ଅଫ୍ ଷ୍ଟେଟ୍‌ସ’ ବୋଲି କୁହାଯାଇଛି, ଫେଡେରେସନ୍ ଅଫ୍ ଷ୍ଟେଟ୍‌ସ ନୁହେଁ। ଐକିକ ଶାସନ ବ୍ୟବସ୍ଥା ମଧ୍ୟ ଏକ ବିଶାଳ ରାଷ୍ଟ୍ର ପାଇଁ ଅନୁପଯୁକ୍ତ। ତେଣୁ ଆଞ୍ଚଳିକ ଆଶା ଓ ଆକାଂକ୍ଷା ସହିତ ଜାତୀୟ ଐକ୍ୟ ଓ ଅଖଣ୍ଡତାର ସହାବସ୍ଥାନ ସ୍ୱରୂପ ଆଂଶିକ ସଂଘୀୟ ଓ ଆଂଶିକ ଐକିକ ବ୍ୟବସ୍ଥାକୁ ସମ୍ବିଧାନରେ ପ୍ରାଥମିକତା ଦିଆଯାଇଛି। ଅଂଶଗୁଡ଼ିକର କେନ୍ଦ୍ରୀକରଣରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରସଂଘ ଗଠିତ ହେଇଥିବା ବେଳେ ସମଷ୍ଟିର ବିକେନ୍ଦ୍ରୀକରଣ କରାଯାଇ ଭାରତୀୟ ରାଷ୍ଟ୍ରସଂଘ ଗଠିତ ହୋଇଛି।

ଆମେରିକାର ରାଷ୍ଟ୍ରସଂଘ ଏବଂ ରାଜ୍ୟ ସମୂହ- ଉଭୟ ଅବିନାଶୀ। କିନ୍ତୁ ଭାରତର କେନ୍ଦ୍ର ଅବିନାଶୀ, ପ୍ରଦେଶଗୁଡ଼ିକ ଭଙ୍ଗୁର; ଯେ କୌଣସି ସମୟରେ ଯେକୌଣସି ପ୍ରଦେଶକୁ ଭାଗ ଭାଗ କରି ଏକ ନୂଆ ପ୍ରଦେଶ ଗଠନ କରାଯିବା ବିଧିସମ୍ମତ। କିନ୍ତୁ ଆମେରିକାରେ ନୂଆ ପ୍ରଦେଶ ଗଠନ କେବଳ ଅସାମ୍ବିଧାନିକ ନୁହେଁ, ଅସମ୍ଭବ ମଧ୍ୟ। ପୁଣି ଆମେରିକାରେ ଦ୍ୱୈତ-ନାଗରିକତା (ଅର୍ଥାତ୍ ଉଭୟ ଦେଶ ଓ ପ୍ରଦେଶର ନାଗରିକତା) ରହିଛି ଏବଂ ରାଷ୍ଟ୍ରସଂଘର ପତାକା ସାଙ୍ଗକୁ ପ୍ରଦେଶଗୁଡ଼ିକର ମଧ୍ୟ ସ୍ୱତନ୍ତ୍ର ପତାକା ରହିଛି। କିନ୍ତୁ ଭାରତର ଗୋଟିଏ ପତାକା ତଳେ ସମସ୍ତେ ଏକକ ନାଗରିକତା ସୂତ୍ରରେ ଆବଦ୍ଧ। ଭାରତୀୟ ସମ୍ବିଧାନ ପ୍ରଣୟନ ସମୟ ହେଉଛି ଭାରତ ଇତିହାସରେ ଏକ ଅଦ୍ଭୂତ କାଳଖଣ୍ଡ। ଦେଶ ସ୍ୱାଧୀନତାର ଉଚ୍ଛ୍ୱାସ, ଅଚିରେ ଦେଶ ବିଭାଜନର ଦୀର୍ଘ ଶ୍ୱାସରେ ପରିଣତ ହୋଇଥିଲା। ତେଣୁ ବିଭାଜନକାରୀ ତଥା ଜାତୀୟତା ବିରୋଧୀ ଉପାଦାନଗୁଡ଼ିକୁ ଦୂରେଇ ରଖିବା ପାଇଁ ଏକ ଦୃଢ଼ କେନ୍ଦ୍ରୀୟ ବ୍ୟବସ୍ଥା ଅପରିହାର୍ଯ୍ୟ ହୋଇ ପଡ଼ିଥିଲା। ପୁନଶ୍ଚ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ସଂପର୍କିତ ସମସ୍ୟା ଏକ ସଶକ୍ତ କେନ୍ଦ୍ର ପାଇଁ ପଥ ଉନ୍ମୁକ୍ତ କରିଥିଲା। ବାହ୍ୟ ରୂପରେ ଭାରତ ଏକ ରାଷ୍ଟ୍ରସଂଘ ହେଲେ ମଧ୍ୟ ଅନ୍ତଃକରଣରେ ଏହା ଏକ ଐକିକ ରାଷ୍ଟ୍ର ବ୍ୟବସ୍ଥା।

କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ସ୍ୱଚ୍ଛନ୍ଦରେ କାର୍ଯ୍ୟ କରିବା ପାଇଁ ତିନି ପ୍ରକାର ତାଲିକା ଯଥା କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାର ବ୍ୟବସ୍ଥା ରହିଛି ସମ୍ବିଧାନରେ। ତା’ ଛଡ଼ା ରାଜ୍ୟ ରାଜ୍ୟ ମଧ୍ୟରେ ବା କେନ୍ଦ୍ର ରାଜ୍ୟ ମଧ୍ୟରେ ବିବାଦ ଉପୁଜିଲେ ତା’ର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ପରି ଏକ ନିରପେକ୍ଷ ସଂସ୍ଥା ମଧ୍ୟ ରହିଛି। ତେବେ ଜଳ ବଣ୍ଟନ, ସୀମା ନିର୍ଦ୍ଧାରଣ ଆଦିକୁ ନେଇ ରାଜ୍ୟ ରାଜ୍ୟ ମଧ୍ୟରେ ବିବାଦ ଉପୁଜେ ତ ଟିକସ ଓ ଅନୁଦାନ ଆଦିକୁ ଭିତ୍ତି କରି କେନ୍ଦ୍ର-ରାଜ୍ୟ ମଧ୍ୟରେ ମତାନ୍ତର ସୃଷ୍ଟି ହୁଏ। ଏଥିରେ କୌଣସି ଅସ୍ୱାଭାବିକତା ନାହିଁ ଏବଂ ଏହାର ସମାଧାନର ପନ୍ଥା ସମ୍ବିଧାନ ଦ୍ୱାରା ନିର୍ଦ୍ଧାରିତ। କିନ୍ତୁ ଏହି ସମସ୍ୟାଗୁଡ଼ିକ ଅନେକ ସମୟରେ ରାଜନୈତିକ ପ୍ରସଙ୍ଗ ପାଲଟି କେନ୍ଦ୍ର-ରାଜ୍ୟ ଏବଂ ଆନ୍ତଃରାଜ୍ୟ ସଂପର୍କକୁ ତିକ୍ତ କରେ; ପ୍ରଶସ୍ତମନା ଭାରତୀୟମାନଙ୍କ ଦିଗନ୍ତକୁ ସଂକୀର୍ଣ୍ଣ କରେ। କେନ୍ଦ୍ରର ରାଜ୍ୟ ପ୍ରତି ଅବହେଳା, ରାଜ୍ୟର କେନ୍ଦ୍ର ପ୍ରତି ଅବଜ୍ଞା, ଆଞ୍ଚଳିକ ବୈଷମ୍ୟ ବୃଦ୍ଧି ଓ ବିକାଶ କ୍ଷେତ୍ରରେ ସନ୍ତୁଳନର ଅଭାବ ଆଦି ପ୍ରଶ୍ନ ସାମ୍ବିଧାନିକ ନୁହେଁ, ମୁଖ୍ୟତଃ ରାଜନୈତିକ। ଏମନ୍ତ ଆରୋପ, ପ୍ରତ୍ୟାରୋପ ରାଷ୍ଟ୍ରସଂଘର ସୁସ୍ଥତା ପ୍ରତି ଆହ୍ୱାନ।

ଅଞ୍ଚଳ ଓ ଭାଷା ପ୍ରୀତି ହେଉଛି ଜାତି ପ୍ରୀତିର ଆଦ୍ୟ ଝଂକାର। ନିଜ ପରିବାର ଓ ପଡ଼ୋଶୀ, ନିଜ ଗ୍ରାମ ବା ସହରକୁ ଭଲ ନ ପାଇଲେ ଜଣେ ଦେଶକୁ ଭଲ ପାଇବ କିପରି? କିନ୍ତୁ ଏହା ଉଗ୍ର ଆଞ୍ଚଳିକତାର ରୂପ ନେବା ଆଦୌ ସ୍ପୃହଣୀୟ ନୁହେଁ। ସେହିପରି ଦେଶ-ଜାତି ପ୍ରୀତି ତ ସରସ୍ୱତୀ ନଦୀ! ତା’ର ତୁଳନା କାହିଁ? କିନ୍ତୁ ତାହା ଉଦାରତା ଓ ସହନଶୀଳତାର ପରିପନ୍ଥୀ ହେବା ଗ୍ରହଣୀୟ ନୁହେଁ। ଭାରତବର୍ଷରେ ମହାଜାତୀୟତା ଓ ପ୍ରାଦେଶିକ ଅସ୍ମିତା ମଧ୍ୟରେ ସମନ୍ୱୟ ସହସ୍ରାବ୍ଦୀ ବ୍ୟାପୀ ଏକ ଅପ୍ରତିହତ ପ୍ରବାହ। ଏହା ସର୍ବଦା ରାଜନୈତିକ ବାଦ-ବିସମ୍ବାଦ ଏପରିକି ତଥାକଥିତ ବୌଦ୍ଧିକ ତର୍କବିତର୍କର ଊର୍ଦ୍ଧ୍ୱରେ। ‘ଭାରତ ପଙ୍କଜ ଦଳମିଦମୁତ୍କଳ’ – କବିବର ରାଧାନାଥଙ୍କର ଏହି ବାକ୍ୟ କେଡ଼େ ମାର୍ମିକ ସତେ! ଭାରତବର୍ଷ ଏକ ଶତଦଳ ପଦ୍ମ। ଉତ୍କଳ ପରି ପ୍ରଦେଶମାନେ ତା’ର ପାଖୁଡ଼ା। ପଦ୍ମ ନାହିଁ ତ ପାଖୁଡ଼ାର ଅସ୍ତିତ୍ୱ କାହିଁ? ପୁଣି ପାଖୁଡ଼ା ନାହିଁ ତ ପଦ୍ମର ଐଶ୍ୱର୍ଯ୍ୟ କାହିଁ?
ମୋ: ୯୪୩୭୧୪୩୮୯୬

ସମ୍ବନ୍ଧିତ ଖବର