ଓଡ଼ିଆରେ ଗୋଟେ କଥା ଅଛି- ‘ମୂଳୁ ମାରିଲେ ଯିବ ସରି, ଦେବଙ୍କ ସଙ୍ଗେ କିମ୍ପା କଳି?’ ତାଡ଼କାସୁର ନାମକ ଏକ ରାକ୍ଷସ ଦେବତାମାନଙ୍କ ଉପରେ ସର୍ବଦା ଜୟଯୁକ୍ତ ହେବା ପାଇଁ ଭଗବାନ ମହାଦେବଙ୍କୁ ତପସ୍ୟା କରି ଏକ ଅଭୟ ବରପ୍ରାପ୍ତ ହୋଇଥିଲା ଯେ ସେ କେବଳ ତାଙ୍କରି ଔରସରୁ ଜାତ ସନ୍ତାନସନ୍ତତିଙ୍କ ଦ୍ୱାରା ହିଁ ନିହତ ହୋଇପାରିବ। ତାଡ଼କାସୁର ଜାଣିଥିଲା ଯେ ମହାଦେବଙ୍କ ପତ୍ନୀ ଦେବୀ ସତୀଙ୍କର ଦେହାବସାନ ହୋଇଯାଇଛି ଆଉ ତାଙ୍କର ସନ୍ତାନସନ୍ତତି ହେବା ଅସମ୍ଭବ। ତେଣୁ ସେ ଏହିପରି ଏକ ବୁଦ୍ଧିମାନ ବରଟିଏ ମାଗିଥିଲା ଆଉ ଭାବିଥିଲା ଯେ ତାଙ୍କର ପିଲାଝିଲା ହେବନି କି ସେ ଆଉ ମରିବ ନାହିଁ। ଅର୍ଥାତ୍‌ ମୂଳରୁ ମାରିଦେଲେ କାମ ଶେଷ ଆଉ ଆଗକୁ ଚିନ୍ତା ନାହିଁ।
ବନ୍ଧୁଗଣ, ତାଡ଼କାସୁର ରାକ୍ଷସ ହୋଇ ମଧ୍ୟ ଏ ଭଳି ବୁଦ୍ଧି ପାଇପାରିଥିଲା କିନ୍ତୁ ଆମ ସରକାରଙ୍କ ମୁଣ୍ଡକୁ ଏ ଭଳି ବୁଦ୍ଧି କାହିଁକି ଢୁକୁନାହିଁ ଜଣା ପଡୁନାହିଁ। ସେଦିନ ପାର୍କ ବାହାରେ ବୁଢ଼ାଟିଏ ବସି ଶାଗ ବିକୁଥିଲା। ଗରାଖମାନଙ୍କୁ ଦୁଇବିଡ଼ା ଚାରିବିଡ଼ା ଗୋଟିଏ ଗୋଟିଏ ଜରିମୁଣିରେ ଭର୍ତ୍ତି କରି ସେମାନଙ୍କଠୁ ଦଶ କୋଡ଼ିଏ ଲେଖାଁଏ ଟଙ୍କା ରଖୁଥିଲା। ହଠାତ୍ ଗୋଟିଏ ଜିିପ୍‌ରୁ ଚାରି ପାଞ୍ଚଜଣ ପୌରସଂସ୍ଥା ଅଧିକାରୀ ଧଡ଼ାଧଡ଼ ଓହ୍ଲେଇ ପଡ଼ିଲେ ଓ ଶାଗ ସମେତ ତା’ର ସବୁ ଜରିମୁଣିଗୁଡ଼ିକୁ ଦଖଲ କରିନେଲେ। ବୁଢ଼ାଟି ଯେତେ କାକୁତି ମିନତି କଲା ସେମାନେ କିଛି ଶୁଣିଲେ ନାହିଁ। ଏଇଠି ପ୍ରଶ୍ନ ଉଠେ ଯେ ବୁଢ଼ାଟି ଏ ଜରିମୁଣି ଆଣୁଛି କେଉଁଠୁ? ଯଦି ହାଟରୁ ଆଣୁଛି ତେବେ ହାଟ ଦୋକାନୀମାନେ ଆଣୁଛନ୍ତି କେଉଁଠୁ? ନିଶ୍ଚୟ କୌଣସି ପାଇକାରୀ ବିକ୍ରେତାଙ୍କଠାରୁ ଆଉ ପାଇକାରୀ ବିକ୍ରେତାମାନେ ଆଣୁଛନ୍ତି କୌଣସି ବଡ଼ ଜରି କାରଖାନାରୁ। ତେଣୁ ଏହି ମୂଳ ଜରି କାରଖାନାଗୁଡ଼ିକ ଉପରେ ଚଢ଼ାଉ ନ କରି ଏ ବୁଢ଼ା ଶାଗ ବିକାଳିମାନଙ୍କୁ ଚଢ଼ଉ କଲେ ଲାଭ କ’ଣ? ଦିନା କେତେ ବନ୍ଦ ହୋଇଯିବ, କିନ୍ତୁ ତା’ପରେ ପୂର୍ବଭଳି ଅବସ୍ଥା ହେବ ନାହିଁ କି?
ଏହିପରି ମୂଳରୁ ନ ମାରି ଡାଳକୁ ଭାଙ୍ଗିବା କେତେ ହାସ୍ୟାସ୍ପଦ ତାହା ଜନ୍ମ ନିୟନ୍ତ୍ରଣ କ୍ଷେତ୍ରରେ ପ୍ରୟୋଗ କଲେ ଜଣା ପଡ଼ନ୍ତା। ଧରନ୍ତୁ ଜନ୍ମ ନିୟନ୍ତ୍ରଣ ଅଧିକାରୀମାନେ ରାସ୍ତାଘାଟ ବୁଲିବୁଲି ଚାରିଆଡ଼େ ଯାଞ୍ଚ କରିବେ ଆଉ ଯେଉଁଠି ଚାରି-ପାଞ୍ଚ ଜଣ ଛୋଟ ଛୋଟ ଭାଇଭଉଣୀମାନେ ଏକାଠି ଖେଳୁଥିବେ ତାଙ୍କୁ ସବୁ ଧରି ଆଣି ଗାଡ଼ିରେ ବସେଇ ଦେବେ କିମ୍ବା ଯେଉଁ ଘରେ ସାତ-ଆଠ ଛୁଆ ଏକାଠି ବସି ପଢୁଥିବେ କି ଖାଉଥିବେ ସେମାନଙ୍କୁ ବାନ୍ଧି ଆଣି ହାଜତରେ ଭର୍ତ୍ତି କରିଦେବେ। ଜନ୍ମ ନିୟନ୍ତ୍ରଣ ପାଇଁ ଯଦି ଆପଣମାନେ ପିଲାମାନଙ୍କୁ ଦାୟୀ ନ କରି ଏମାନଙ୍କ ମୂଳରେ ରହିଥିବା ମା’ ବାପାମାନଙ୍କୁ ଦାୟୀ କରୁଛନ୍ତି ତେବେ ଅନ୍ୟ ସବୁ ସମସ୍ୟା ପାଇଁ ଏହି ଉପାୟ ଅବଲମ୍ବନ କରୁନାହାନ୍ତି କାହିଁକିି?
ନିକଟରେ ଖବରକାଗଜରେ ପ୍ରକାଶ ପାଇଛି ଯେ ପଶ୍ଚିମ ଓଡ଼ିଶାର ଦେଶୀ ମଦଭାଟିଗୁଡ଼ିକୁ ଚଢ଼ଉ କରି ଆୟକର ବିଭାଗ ଶହ ଶହ କୋଟି ଟଙ୍କା ଓ ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ଜବତ କରିଛି। ଜଣାପଡ଼ିଛି ଯେ ଏହି ହାତଗଣତି ଦେଶୀ ମଦ ବେପାରୀମାନଙ୍କର କାରବାର ଆଜି ନୁହେଁ ଗତ ପଚିଶ ବର୍ଷ ହେଲା ଗୋଟିଏ ଦୁଇଟି ପରିବାର ଭିତରେ ସୀମିତ ରହି ପୁରୁଷାନୁକ୍ରମେ ଚାଲି ଆସିଛି। ପ୍ରଶ୍ନ ଉଠେ ଏହି ପରିବାରଗୁଡ଼ିକର ଏ ଭଳି ବର୍ଷ ବର୍ଷ ଧରି ଚାଲିଥିବା ଦୁର୍ନୀତିର ଉତ୍ସ ସବୁ କେଉଁଠି ଲୁଚି ରହିଛି? ଯଦି ଏହି ଉତ୍ସଗୁଡ଼ିକୁ କାଢ଼ି ଫିଙ୍ଗି ନ ଦିଆଯାଏ ତେବେ ବର୍ଷେ ଦୁଇବର୍ଷ ପରେ ପୁଣି ଏମିତି ଖବର ଆପଣମାନେ ପଢ଼ିବାକୁ ପାଇବେ ନାହିଁ କି?
ସରକାର ନିୟମ କରିଛନ୍ତି ଯେ କାନ୍ଥ ବାଡ଼ରେ ପୋଷ୍ଟର ମାରି ସହରର ପରିବେଶକୁ ଅସୁନ୍ଦର କରନ୍ତୁ ନାହିଁ। ସେଥିପାଇଁ ଏବେ ଜଣେ ଭଦ୍ରବ୍ୟକ୍ତି ତାଙ୍କ ଘରକୁ ଭଡ଼ାରେ ଦିଆଯିବ ବୋଲି ଦୁଇ ତିନି ଖଣ୍ଡ ଧଳା କାଗଜରେ ଲେଖି କାନ୍ଥରେ ମାରିଦେଇଥିଲେ ବୋଲି ତାଙ୍କୁ ଧରି ପଚାଶ ହଜାର ଟଙ୍କା ଜରିମାନା କରାଯାଇଛି ଅଥଚ ରାଜଧାନୀର ପେଣ୍ଠସ୍ଥଳୀ ବୋଲି କୁହାଯାଉଥିବା ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରତ୍ୟହ ନାଲି ନେଳି ପତାକା ସହ ରାଜନୈତିକ ଦଳ ଓ ବ୍ୟକ୍ତିମାନଙ୍କର ବଡ଼ ବଡ଼ ପୋଷ୍ଟର ଛାଇ ହୋଇଯାଇଛି। କାହିଁ ୟା’ଙ୍କୁ ତ କେହି ଧରିବାକୁ ସାହସ କରୁନାହାନ୍ତି? ଥରେ ଏଇମାନଙ୍କୁ ଧରି ଲକ୍ଷେ ଦୁଇ ଲକ୍ଷ ଟଙ୍କା ଜରିମାନା କରିଦେଲେ ଆଉ ଛୋଟ ମୋଟ କେହି ପୋଷ୍ଟରଟିଏ ମାରିବାକୁ ସାହାସ କରିବେ କି?
ପିମ୍ପୁଡ଼ିମାନେ ଯଦି ଧାଡ଼ି ବାନ୍ଧି ଆପଣଙ୍କ ଘର ଭିତରେ କେଉଁଠି ଚାଲୁଛନ୍ତି ତେବେ ଆପଣ ପ୍ରଥମେ ପିମ୍ପୁଡ଼ିମାନଙ୍କୁ ଘଉଡ଼ଉଛନ୍ତି ନା ନିକଟରେ କୌଣସି ମିଠା କି ଚି଼ନି ଥିବାର ଅନୁସନ୍ଧାନ କରୁଛନ୍ତି। ଦୁଃଖର ବିଷୟ ଯେ ଆମ୍ଭେମାନେ ସଦାବେଳେ ସମସ୍ୟାର ମୂଳଟିକୁ ନ ଖୋଜି କେବଳ ଡାଳଗୁଡ଼ିକ ଭାଙ୍ଗିବାରେ ଲାଗିଛୁ ତେଣୁ ଯାହା ହେବା କଥା ହେଉଛି। ରୋଗୀଟିଏ ଡାକ୍ତରଙ୍କୁ କହିଲା, “ଆଜ୍ଞା, ମୋର ହାତ, ଗୋଡ଼, ପିଠି, ଆଣ୍ଠୁଗଣ୍ଠି ସବୁଠି ଅସହ୍ୟ ଦରଜ ହେଉଛି। ଯେଉଁଠି ହାତ ମାରୁଛି ସେଇଠି ଦରଜ ହେଉଛି।” ଡାକ୍ତରବାବୁ ତାହାର ସବୁ ପରୀକ୍ଷାନିରୀକ୍ଷା କଲେ। ଦେହଯାକ ଏକ୍ସରେ କଲେ କିନ୍ତୁ କେଉଁଠି କିଛି ରୋଗ ବାହାରିଲା ନାହିଁ। ରୋଗୀଟି ବିରକ୍ତ ହୋଇ ଗୋଟିଏ ଗାଁ ବଇଦକୁ ଯାଇ ଦେଖେଇଲା। ବଇଦ ଦେଖିଲା ଦରଜ ତା’ ଦେହରେ ନାହିଁ କେବଳ ତା’ ହାତ ଟିପଟିରେ ଅଛି। ଟିପ ଭିତରେ ଥିବା ପତଳା ହାଡ଼ଟି ଭାଙ୍ଗିଯାଇଛି ତେଣୁ ଯେଉଁଠି ସେ ଟିପଟି ଥୋଉଛି ସେଇଠି ଦରଜ ହେଉଛି। ଟିକିଏ ବରଫ ଓ ତେଲ ଦେଇ ଦୁଇଦିନ ବାନ୍ଧି ଦେବାରୁ ସବୁ ଠିକ୍ ହୋଇଗଲା।
ଆଜ୍ଞା, ଲୁଙ୍ଗିରୁ ରଙ୍ଗ ଛାଡ଼ି ଆମର ପାଦ ଦୁଇଟି ନୀଳବର୍ଣ୍ଣ ହୋଇଯାଇଛି କିନ୍ତୁ ଆମେ ତାହା ଜାଣିନପାରି ବିଷାକ୍ତ ନୀଳବର୍ଣ୍ଣ ଚଢ଼ିଯାଇଛି ବୋଲି ଭାବି ପାଦ ଦୁଇଟିକୁ କାଟି ସାରିଲୁଣି। ଏବେ ଆଣ୍ଠୁ ଯୋଡ଼ିକ ବି ନୀଳବର୍ଣ୍ଣ ହୋଇଗଲାଣି। କ’ଣ କରିବା? ଲୁଙ୍ଗିକୁ ଧୋଇବା ନା ଆଣ୍ଠୁ ଯୋଡ଼ିକୁ କାଟିଦେବା?
ମୋ: ୯୪୩୭୦୬୭୫୬୭