ରୁଷିଆ ଓ ୟୁକ୍ରେନର ଲଢ଼େଇ ପାଞ୍ଚ ଶହ ଦିନ ଅତିକ୍ରମ କରି ସାରିଲାଣି। ଇତିମଧ୍ୟରେ ପାଲେଷ୍ଟିନୀୟ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ବିରୋଧରେ ଇସ୍ରାଏଲ୍ର ଯୁଦ୍ଧ ଏଭଳି ଭୟଙ୍କର ରୂପ ଧାରଣ କଲାଣି ଯେ ଆଶଙ୍କା ହେଉଛି କ୍ରମେ ଏହା ଅନ୍ୟ ଦେଶଗୁଡ଼ିକୁ ବ୍ୟାପି ଯିବ ଏବଂ ଅବଲୀଳା କ୍ରମେ ଏକ ମହାଯୁଦ୍ଧର ସୂତ୍ରପାତ ଘଟାଇ ପାରେ!
ବିଶ୍ୱ ଇତିହାସ ଅଗଣତି ଯୁଦ୍ଧର ସାକ୍ଷୀ। ମଣିଷ ସମାଜର ଉେନ୍ମଷ କାଳରୁ ବିଭିନ୍ନ କାରଣ ଏବଂ ସ୍ବାର୍ଥକୁ ନେଇ ବ୍ୟକ୍ତିଗତ ସଂଘର୍ଷ ହେଉଥିଲା, ଯାହା କ୍ରମେ ଗୋଷ୍ଠୀଗତ ସଂଘାତ ଏବଂ ପରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଯୁଦ୍ଧରେ ପରିଣତ ହେବାରେ ଲାଗିଲା। ଅନେକ ସଭ୍ୟତାର ବିକାଶ ମଧ୍ୟ ହୋଇଛି ଯୁଦ୍ଧରୁ; ଯେମିତି ଗୋଟିଏ ଦଳର ଐତିହାସିକ ବିଶ୍ବାସ କରନ୍ତି େଯ ଗାଙ୍ଗେୟ ଉପତ୍ୟକାକୁ ଆର୍ଯ୍ୟମାନଙ୍କ ଆଗମନ ହେତୁ ସେଠାରେ ପୂର୍ବରୁ ବସବାସ କରୁଥିବା ଦ୍ରାବିଡ଼ମାନଙ୍କ ସହିତ ଯୁଦ୍ଧ ହୋଇଥିଲା, ଯାହା ଫଳରେ ଦ୍ରାବିଡ଼ମାନେ ପରାଜିତ ହୋଇ ଦାକ୍ଷିଣାତ୍ୟକୁ ପଳାୟନ କରିଥିଲେ। ପୃଥିବୀ ଇତିହାସ ଦିଗ୍ବିଜୟୀ ସମ୍ରାଟମାନଙ୍କ ଦ୍ବାରା ସଂଘଟିତ ଯୁଦ୍ଧର ଉଦାହରଣରେ ଭରପୂର। ପୃଥିବୀରେ ଏଭଳି କୌଣସି ଜାତି ନାହିଁ ଯିଏ ଜଣେ ଉଚ୍ଚାଭିଳାଷୀ ଓ ଦିଗ୍ବିଜୟୀ ରାଜାଙ୍କୁ ଦେଖି ନାହିଁ। ଯୁଦ୍ଧର ପ୍ରଭାବ ମାନବ ଜାତି ଉପରେ କିଭଳି ଗଭୀର ତାହା କେବଳ ଏତିକିରୁ ଜଣାପଡ଼ିବ ଯେ ପୃଥିବୀର ସବୁ ଭାଷାର ମହାକାବ୍ୟମାନ ଯୁଦ୍ଧର ବିଷୟବସ୍ତୁକୁ କେନ୍ଦ୍ର କରି ଗଢ଼ି ଉଠିଛନ୍ତି। ପ୍ରାଚୀନ ସଭ୍ୟତାର ସାରସ୍ବତ ସ୍ରଷ୍ଟାମାନଙ୍କ ପରିକଳ୍ପନାରେ ଦେବଲୋକ ମଧ୍ୟ ଯୁଦ୍ଧ ଜର୍ଜର ଥିଲା, ଯହିଁରେ ଦେବ-ଦାନବ ଯୁଦ୍ଧ ତ ଅହରହ ଚାଲୁଥିଲା, ଅନେକ ସମୟରେ ଦେବ-ଦେବ ଯୁଦ୍ଧ ମଧ୍ୟ ସଂଘଟିତ ହେଉଥିଲା।
ତେବେ, ଏକବିଂଶ ଶତାବ୍ଦୀ ମନୁଷ୍ୟ ସମାଜର ସ୍ମୃତିରେ ଥିବା ସର୍ବାଧିକ ଭୟାବହ ଯୁଦ୍ଧ ଥିଲା ଦ୍ୱିତୀୟ ବିଶ୍ୱ ଯୁଦ୍ଧ। ଏହା ୧୯୩୯ ମସିହା ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୧୯୪୫ ମସିହା ସେପ୍ଟେମ୍ବର ୨ ଯାଏ ଚାଲିଥିଲା। ଏଥିରେ ପ୍ରାୟ ଛଅ କୋଟି ଲୋକ ପ୍ରାଣ ହରାଇଥିଲେ। ଏହି ଯୁଦ୍ଧରେ ଜାପାନର ହିରୋସୀମା ଓ ନାଗାସାକି ସହର ଦ୍ବୟ ପ୍ରଥମ ପରମାଣୁ ବୋମାର ଅବର୍ଣ୍ଣନୀୟ ବିଭୀଷିକାର ପ୍ରତ୍ୟକ୍ଷ କରିଥିଲେ। ଏହାର ଭୟାବହତା ସମଗ୍ର ପୃଥିବୀକୁ ସ୍ତମ୍ଭୀଭୂତ କରି ଦେଇଥିଲା। ସମ୍ଭବତଃ ଏହି କାରଣରୁ ଭବିଷ୍ୟତ୍ରେ ପରମାଣୁ ବୋମା ବ୍ୟବହାର କରିବା ପୂର୍ବରୁ ସଂଯମର ଆବିର୍ଭାବ ଘଟି ତା’ର ପଥ ଓଗାଳିବ।
ପ୍ରଥମ ବିଶ୍ବ ଯୁଦ୍ଧ ସଂଘଟିତ ହୋଇଥିଲା ୧୯୧୪ ମସିହାରେ। ଏହି ଯୁଦ୍ଧ ଚାରି ବର୍ଷ ଧରି ଚାଲିଥିଲା ଏବଂ ୨ କୋଟି ଲୋକଙ୍କ ପ୍ରାଣ ନାଶର କାରଣ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଉଭୟ ବିଶ୍ବ ଯୁଦ୍ଧ ପରେ ବିଶ୍ବରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ବିଧିବଦ୍ଧ ଉଦ୍ୟମ ହୋଇଛି। ପ୍ରଥମ ମହାଯୁଦ୍ଧ ପରେ ଗଠିତ ‘ଲିଗ ଅଫ୍ ନେସନ୍ସ’ ଏବଂ ଦ୍ବିତୀୟ ମହାଯୁଦ୍ଧ ପରେ ଗଠିତ ଜାତିସଂଘ ଏହାର ଉଦାହରଣ। କିନ୍ତୁ, ଏଭଳି କୌଣସି ଅନୁଷ୍ଠାନ ଯୁଦ୍ଧକୁ ଅଟକାଇ ପାରି ନାହାନ୍ତି। ପୃଥିବୀ ନିୟମିତ ଭାବେ ଛୋଟ ବଡ଼ ଯୁଦ୍ଧ ଦ୍ବାରା ଆକ୍ରାନ୍ତ ହେବାରେ ଲାଗିଛି ଏବଂ ଏଭଳି କୌଣସି ଦିନ ନାହିଁ ଯେଉଁ ଦିନ ପୃଥିବୀର କୌଣସି ନା କୌଣସି କୋଣରେ ଯୁଦ୍ଧ ହେଉ ନ ଥିବ!
୧୦୯୫ ଖ୍ରୀଷ୍ଟାବ୍ଦ ଠାରୁ ୧୨୯୧ ମଧ୍ୟରେ କେତେ ଗୁଡ଼ିଏ ଧର୍ମ ଯୁଦ୍ଧ ସଂଘଟିତ ହୋଇଥିଲା। ଈଶ୍ବରଙ୍କ ନାମରେ ଲଢ଼ା ଯାଉଥିବା ଏହି ଯୁଦ୍ଧମାନ ଅତ୍ୟନ୍ତ ବୀଭତ୍ସ ଏବଂ ରକ୍ତକ୍ଷରା ହେଉଥିଲେ। ଏଥିରେ ଗୋଟିଏ ଧର୍ମର ଅନୁଗାମୀମାନେ ଅନ୍ୟ ଧର୍ମର ଅନୁଗାମୀମାନଙ୍କୁ ବିଧର୍ମୀ ବୋଲି ଆଖ୍ୟା ଦେଇ ଆକ୍ରମଣ କରୁଥିଲେ, ସେମାନଙ୍କୁ ହତ୍ୟା ଓ ଅକଥନୀୟ ଅତ୍ୟାଚାରର ଶିକାର କରୁଥିଲେ। ରୋମାନ କ୍ୟାଥଲିକ ଚର୍ଚ୍ଚ ପକ୍ଷରୁ କରାଯାଉଥିବା କ୍ରୁସେଡ୍ମାନ ଥିଲେ ଅତ୍ୟନ୍ତ ଭୟାବହ ଓ ନିଷ୍ଠୁର ଯୁଦ୍ଧ। ଏଭଳି କ୍ରୁସେଡ୍ଗୁଡ଼ିକରେ ପ୍ରାୟ ତିରିଶ ଲକ୍ଷ ଲୋକଙ୍କର ପ୍ରାଣ ଯାଇଥିଲା ବୋଲି ଆକଳନ କରାଯାଏ। ଇସଲାମ ପକ୍ଷରୁ ହେଉଥିବା ଏଭଳି ଧର୍ମଯୁଦ୍ଧର ନାମ ଥିଲା ଜିହାଦ୍।
ବିଭିନ୍ନ ସମୟରେ ବିପ୍ଳବଗୁଡ଼ିକ ମଧ୍ୟ ଯୁଦ୍ଧତୁଲ୍ୟ ଦୃଶ୍ୟପଟ ସୃଷ୍ଟି କରିଥାଏ। ଫରାସୀ ବିପ୍ଳବ ତାହାର ଦୃଷ୍ଟାନ୍ତ। କିନ୍ତୁ ଏହାର ସଦ୍ୟ ଦୃଷ୍ଟାନ୍ତଟି ହେଉଛି ଗଲା ୧୨ ବର୍ଷ ଧରି ସିରିଆରେ ଚାଲି ଆସିଥିବା ଗୃହ ଯୁଦ୍ଧ, ଯାହା ‘ଆରବ ବସନ୍ତ’ ବିପ୍ଳବରୁ ସୃଷ୍ଟି ହୋଇଥିଲା। ଆମେରିକାରେ କ୍ରୀତଦାସ ପ୍ରଥାର ଉଚ୍ଛେଦକୁ କେନ୍ଦ୍ର କରି ୧୮୬୦-୬୧ ମସିହାରୁ ଆରମ୍ଭ ହୋଇଥିବା ଭୟାବହ ଗୃହଯୁଦ୍ଧ ୧୮୬୫ ମସିହାରେ ସମାପ୍ତ ହୋଇଥିଲା। ଏଥିରେ ପ୍ରାୟ ୬ ଲକ୍ଷ ସୈନିକ ଓ ସାଧାରଣ ନାଗରିକ ପ୍ରାଣ ହରାଇଥିଲେ। କିନ୍ତୁ ଏଥିରେ କ୍ରୀତଦାସ ପ୍ରଥାର ସମର୍ଥକ ପକ୍ଷ ପରାଜିତ ହେବା ସହିତ କ୍ରୀତଦାସ ପ୍ରଥା ଭଳି ଏକ ଘୃଣ୍ୟ ପ୍ରଥାର ଅବସାନ ମଧ୍ୟ ଘଟିଥିଲା।
ଏହା ଅବଶ୍ୟ ସତ ଯେ ଅନେକ ଯୁଦ୍ଧ ଭଲ ଲକ୍ଷ୍ୟ ସାଧନ କରିବାର ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥାଏ। କିନ୍ତୁ ପରିଶେଷରେ ତାହା ପଥଭ୍ରଷ୍ଟ ହୋଇ କେବଳ ନିରୋଳା ଏବଂ ଅକାରଣ ରକ୍ତପାତର କାରଣ ହୋଇଥାଏ। କ୍ରୀତଦାସ ପ୍ରଥା ଭଳି ଭଲ ପରିଣାମ ମିଳିଥିବା ଯୁଦ୍ଧର ଉଦାହରଣ ସ୍ବଳ୍ପ। କିନ୍ତୁ ପ୍ରାୟତଃ ଯୁଦ୍ଧ କୌଣସି ସମସ୍ୟାର ସମାଧାନ କରି ନ ଥାଏ। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଆମ ରାଜ୍ୟ େଯଉଁ ଏକ ଯୁଦ୍ଧ ଦେଖିଥିଲା, ତାହା ତା’ର ପରିଣାମ ଦୃଷ୍ଟିରୁ ଥିଲା ଅନନ୍ୟ। ତାହା ଥିଲା କଳିଙ୍ଗ ଯୁଦ୍ଧ। ଦୟା ନଦୀ କୂଳରେ ଏହି ଭୟାବହ ଯୁଦ୍ଧ ସଂଘଟିତ ହୋଇଥିଲା। କିନ୍ତୁ ଏହାର ବିଭୀଷିକା ଦେଖି ଆକ୍ରମଣକାରୀ ଚଣ୍ଡାଶୋକଙ୍କ ହୃଦୟରେ ପରିବର୍ତ୍ତନ ଘଟିଥିଲା ଏବଂ ସେ ଧର୍ମାଶୋକରେ ପରିଣତ ହୋଇଥିଲେ। ସେ ହୃଦୟଙ୍ଗମ କରିଥିଲେ ଯେ ହିଂସା ପ୍ରଣୋଦିତ ବିଜୟ ହେଉଛି ମୂଲ୍ୟହୀନ। ଧର୍ମାଶୋକରେ ପରିଣତ ହେବା ପରେ ତାଙ୍କ ଦ୍ବାରା ପ୍ରଚାରିତ ଓ ପ୍ରସାରିତ ହୋଇ ବୌଦ୍ଧ ଧର୍ମ ପୃଥିବୀର ଅନ୍ୟାନ୍ୟ ଦେଶକୁ ବ୍ୟାପି ଯାଇଥିଲା। ଏକ ଯୁଦ୍ଧର ଛାତିଥରା ଦୃଶ୍ୟର ପରିଣାମରେ ପରମ କାରୁଣିକ ବୁଦ୍ଧଙ୍କ ବାଣୀ ପୃଥିବୀ ଯାକ ଦୟା, କ୍ଷମା ଓ ମୈତ୍ରୀର ଗୁଂଜରଣ ସୃଷ୍ଟି କରିବା ପ୍ରକୃତରେ ଥିଲା ଏକ ଅନନ୍ୟ ଘଟଣା।
ମୋ: ୯୯୩୭୮୬୩୫୨୮
ଯୁଦ୍ଧ ଓ ପୃଥିବୀ
ମିହିର ପ୍ରତାପ ଦାସ
/sambad/media/post_attachments/wp-content/uploads/2023/10/fshfhfhfhssfh.jpg)