ମନ ପରିଭାଷା, ବିପର୍ଯ୍ୟୟ ପରେ

ଫକୀର ମୋହନ ସାହୁ

ଜୀବନରେ ବିପର୍ଯ୍ୟୟ ଆସିଥାଏ। ଅନେକ ସମୟରେ ବଡ଼ ବିପର୍ଯ୍ୟୟ ଦେଖା ଦିଏ। ଅଳ୍ପ ବୟସରେ ନିଜର ପିତାମାତାଙ୍କୁ ହରାଇବା ବା ଦୁର୍ଘଟଣାର ଶିକାର ହୋଇ ବିକଳାଙ୍ଗ ହୋଇଯିବା ଅଥବା ପ୍ରାକୃତିକ ଦୁର୍ବିପାକରେ ନିଜର ଅନେକ ପ୍ରିୟଜନଙ୍କୁ ହରାଇବା ଭଳି ବିପର୍ଯ୍ୟୟ ମନରୁ ସମସ୍ତ ସରସତା ଅପହରଣ କରିନେବା ସହିତ ମାନସିକ ବିଷାଦ ଓ ପ୍ରଚଣ୍ତ ଚାପ ସୃଷ୍ଟି କରିଥାଏ। ଏପରି ଚାପକୁ ସମ୍ଭାଳି ନ ପାରି ଅନେକ ମାନସିକ ରୋଗର (Post-Traumatic Stress Disorder ବା PTSD) ଶରବ୍ୟ ହୁଅନ୍ତି। ଏହା ଏକ ବିଶେଷ ଧରଣର ମାନସିକ ବିପର୍ଯ୍ୟୟ ସୃଷ୍ଟି କରିଥାଏ। ମନୋଚିକିତ୍ସକମାନଙ୍କର ବିନା ସହାୟତାରେ ଏପରି ମାନସିକ ରୋଗରୁ ବାହାରିବା ଅସମ୍ଭବ ହୋଇପଡ଼େ। ଏହା ଭୋଗୁ ଥିବା ବ୍ୟକ୍ତିଙ୍କ ମନରେ ଅସହାୟତା, ଆଶାହୀନତା, ଉଦ୍‌ବେଗ, ଭୟ ଓ ମାନସିକ ଚାପର ମାତ୍ରା ଖୁବ୍‌ ଅଧିକ ରହିଥାଏ। ଏହା ଗଭୀର ଉଦାସୀନତା, ଆଗ୍ରହହୀନତା ଓ ବିଷାଦ ଆଣିଦିଏ।

‘ମୋ ଉପରେ ଏପରି ବିପତ୍ତି କାହିଁ ପଡ଼ିଲା ଏବ˚ ମୁଁ ଦୋଷ କରି ନଥିଲେ ମଧ୍ୟ କାହିଁକି ଦଣ୍ତ ପାଇଲି?’ ଭଳି ପ୍ରଶ୍ନ ଜୀବନକୁ ଏକ ରକମର ଅଚଳ କରିପକାଏ। ସେମିତି ବଡ଼ଧରଣର ପ୍ରାକୃତିକ ଦୁର୍ବିପାକ ବା ଗୃହଯୁଦ୍ଧ ଭଳି ସମୟରେ ଅତ୍ୟନ୍ତ ବିଶାଳ କ୍ଷତିର ଶିକାର ହୋଇଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟା˚ଶ ମାନସିକ ସ୍ତରରେ ବିପନ୍ନ ହୋଇ ପଡ଼ନ୍ତି ବୋଲି ବିଭିନ୍ନ ସର୍ଭେରୁ ଜଣାପଡ଼ିଥାଏ। ୨୦୦୧ ମସିହା ସେପ୍ଟେମ୍ବର ମାସରେ ନିଉୟର୍କ ନଗରୀର ବିଶ୍ବ ବାଣିଜ୍ୟ ସଂଗଠନର ଦୁଇ ନଭଶ୍ଚୁମ୍ବୀ ଇମାରତ ଉପରେ ସନ୍ତ୍ରାସବାଦୀଙ୍କ ଆକ୍ରମଣ ସମୟରେ ବା କେତେକ ଦେଶରେ ଗୃହଯୁଦ୍ଧ କାଳୀନ ନରସ˚ହାର ପରି ଭୟାନକ ଘଟଣା ସଂଦର୍ଭରେ ଏପରି ପରିଣତି ଲକ୍ଷ୍ୟ କରାଯାଇଛି। ତେବେ, ମାନସିକ ବିପର୍ଯ୍ୟୟର ଅପର ପାର୍ଶ୍ବରେ ଯେଉଁ ଦିଗଟି ସବୁଠାରୁ ଅଧିକ ବିସ୍ମୟକର ଫଳାଫଳ ଦେଇଥାଏ, ତାହା ହେଉଛି ବିପର୍ଯ୍ୟୟ ପରବର୍ତ୍ତୀ କାଳୀନ ବିକାଶ (Post Traumatic Growth ବା PTG)। ଏବେ ଆସନ୍ତୁ ଏହା କ’ଣ, ତାହା ଜାଣିବା।

ଅନେକ ଲୋକଙ୍କ ଠାରେ ବିପର୍ଯ୍ୟୟ-ପରବର୍ତ୍ତୀ ସକାରାତ୍ମକ ପରିବର୍ତ୍ତନ ମଧ୍ୟ ଲକ୍ଷ୍ୟ କରାଯାଇଛି। ମହା ବିପର୍ଯ୍ୟୟ ପରେ ଅନେକ ସମୟରେ କିଛି ଲୋକଙ୍କ ଠାରେ ବିଶ୍ବାସର ପରିବର୍ତ୍ତନ ଘଟିଥାଏ। ଅନେକ ବ୍ୟକ୍ତି ଏହା ପରେ ବିଭିନ୍ନ ବଦ୍‌ ଅଭ୍ୟାସ ପରିତ୍ୟାଗ କରନ୍ତି। ମଦ୍ୟପ ହୁଏତ ମଦ୍ୟପାନ ତ୍ୟାଗ କରିପାରେ। ନୂଆ ସଂପର୍କ ଯୋଡ଼ି ହୋଇପାରେ, ସାମାଜିକ ସ୍ତରରେ ଅନ୍ତରଙ୍ଗତାର ବିକାଶ ଘଟିପାରେ; ପାରିବାରିକ ଆନୁଗତ୍ୟ ମଧ୍ୟ ଅଧିକ ପ୍ରଗାଢ଼ ହୋଇପାରେ। ସବୁଠାରୁ ସ୍ବାଗତଯୋଗ୍ୟ ସକାରାତ୍ମକ ପରିବର୍ତ୍ତନ ହେଉଛି ଉଚ୍ଚତର ମୂଲ୍ୟବୋଧର ବିକାଶ। ବିପର୍ଯ୍ୟୟ ପୂର୍ବରୁ ବ୍ୟକ୍ତି ଯେଉଁ ସମସ୍ତ ହାବଭାବ ଓ ଅଭ୍ୟାସକୁ ଗୁରୁତ୍ବ ଦେଉଥିଲା, ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ସେ ମୂଲ୍ୟବୋଧ ଉଚ୍ଚତର ସୋପାନକୁ ଯାଇପାରେ। ଉଦାହରଣ ସ୍ବରୂପ ଦୁର୍ଘଟଣାରେ ନିଜର ଏକ ମାତ୍ର ପୁତ୍ରକୁ ହରାଇଥିବା ପିତା ହୁଏ’ତ ସଡ଼କ ଦୁର୍ଘଟଣା ରୋକିବା ଦିଗ‌େର ନିଜ ତରଫରୁ କାର୍ଯ୍ୟ କରିପାରନ୍ତି; ଦୁର୍ଘଟଣା ହ୍ରାସ ଲାଗି ସଚେତନତାର ପ୍ରସାରରେ ବ୍ରତୀ ହୋଇପାରନ୍ତି। ବିପର୍ଯ୍ୟୟ ପରେ ପ୍ରାୟ ଏକ-ତୃତୀୟା˚ଶ ଲୋକ ଏଭଳି ନୂତନ ମାନସିକ ଆଭିମୁଖ୍ୟ ପୋ‌ଷଣ କରୁଥିବା ଦେଖାଯାଏ। ଦ୍ବିତୀୟ ମହାଯୁଦ୍ଧ ପରେ ମରଣ ଓ ଯାତନା ଶିବିରରୁ ରକ୍ଷା ପାଇଥିବା ଅସଂଖ୍ୟ ଇହୁଦୀ ମାନବ ଅଧିକାର ଲାଗି କାର୍ଯ୍ୟ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ କେତେକ (ଏଲି ୱିଜେଲ ଶାନ୍ତି ଲାଗି ନୋବେଲ ପୁରସ୍କାର ପାଇଥିଲେ) ଅନେକ ବିଶ୍ବ ସ୍ତରୀୟ ସ୍ବୀକୃତି ଓ ସମ୍ମାନ ଲାଭ କରିଥିଲେ।

ଆଜିର କରୋନା ମହାମାରୀ ପରିପ୍ରେକ୍ଷୀରେ ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ଲୋକ ଚରିତ୍ର କିପରି ରୂପରେଖ ନେବ, ତାହା ତ ସମୟ କହିବ। ତେବେ, ବିପର୍ଯ୍ୟୟ ଓ ମହାମାରୀର ଗବେଷଣାରୁ ଜଣାଯାଏ ଯେ କଳା ବାଦଲ ପଛରେ ଲୁଚି ରହିଥିବା ସୂର୍ଯ୍ୟଙ୍କ କିରଣ ଭଳି ଆଶାର କିରଣକୁ କିଛି ଲୋକ ଦେଖି ପାରନ୍ତି, ଯେଉଁମାନେ ନୂଆ ପ୍ରକାର ଚିନ୍ତାର ପ୍ରସାର କରି ବିପର୍ଯ୍ୟୟ ପରବର୍ତ୍ତୀ କାଳରେ ଉଜୁଡ଼ା ପୃଥିବୀକୁ ସଜାଡ଼ିବାରେ ଲାଗନ୍ତି।
ଭିଆଇଏମ୍-୯୯, ଶୈଳଶ୍ରୀ ବିହାର, ଭୁବନେଶ୍ବର-୨୧

ସମ୍ବନ୍ଧିତ ଖବର