ବିଷାଦ ତ୍ରିଭୁଜରୁ ମୁକ୍ତିର ବାଟ

ବିଷାଦ ତ୍ରିଭୁଜରୁ ମୁକ୍ତିର ବାଟ

ଆଧୁନିକ ଜୀବନରେ ବିଷାଦ ବା ଡିପ୍ରେସନ୍ ଅତ୍ୟନ୍ତ ସାଧାରଣ କଥାରେ ପରିଣତ ହୋଇଗଲାଣି। କିନ୍ତୁ ତାହା ସାମାଜିକ ଜୀବନରେ ତୀବ୍ର ଅସନ୍ତୁଳନ ଓ ସମସ୍ୟା ମଧ୍ୟ ସୃଷ୍ଟି କଲାଣି। ବର୍ତ୍ତମାନ ଦେଖିବାକୁ ମିଳୁଛି ଯେ ଆତ୍ମହତ୍ୟା ବା ନିଶାସକ୍ତମାନଙ୍କ ସଂଖ୍ୟାରେ ମାତ୍ରାଧିକ ବୃଦ୍ଧି ଘଟିଛି। ଏହା ସମାଜରେ ବିଷାଦବୋଧର ବ୍ୟାପ୍ତିକୁ ଓ ଗଭୀରତାକୁ ବୁଝାଏ। ଏଭଳି ସ୍ଥଳେ ବିଷାଦରୁ ମୁକ୍ତିି ପାଇବାର ବାଟ ଅନ୍ବେଷଣ କରିବା ବିଶେଷ ଗୁରୁତ୍ବପୂର୍ଣ୍ଣ ହୋଇଥାଏ।

‘ଡିପ୍ରେସନ୍‌’ର ଗବେଷଣା ଓ ଚିକିତ୍ସା କ୍ଷେତ୍ରରେ ଯେଉଁ ମନୋବିଜ୍ଞାନୀଙ୍କ ଅବଦାନ ସର୍ବାଧିକ ମହତ୍ତ୍ବପୂର୍ଣ୍ଣ, ତାଙ୍କ ନାମ ହେଉଛି ଆରନ୍ ବେକ୍। ଯୁକ୍ତରାଷ୍ଟ୍ର ଆମେରିକାରେ ୧୯୨୧ ମସିହାରେ ଜନ୍ମ ଲାଭ କରିଥିବା ଏହି ମନୋବିଜ୍ଞାନୀ ଗତ ବର୍ଷ ତାଙ୍କ ଦେହାନ୍ତ ପର୍ଯ୍ୟନ୍ତ ଥିଲେ ଜଣେ ସକ୍ରିୟ ଗବେଷକ ଓ ଚିକିତ୍ସା କ୍ଷେତ୍ରରେ ମାର୍ଗଦର୍ଶକ। ସେ ନିଜେ କିଶୋର ଓ ପ୍ରାକ୍‌-ଯୌବନ କାଳରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପରବର୍ତ୍ତୀ ଜୀବନରେ ସେ ଯେଉଁ ଅନ୍ତର୍ଦୃଷ୍ଟି ଲାଭ କରିଥିଲେ, ତାହାକୁ ସେ ମାନସିକ ରୋଗର ଚିକିତ୍ସାରେ ପ୍ରୟୋଗ କଲେ। ଏହି ଚିକିତ୍ସା ପ୍ରଣାଳୀକୁ ସେ ନିଜ ଜୀବନରେ ପ୍ରୟୋଗ କରି ମଧ୍ୟ ସଫଳତା ଲାଭ କରିଥିଲେ। ଆରନ୍ ବେକ୍ ମାନସିକ ରୋଗ କ୍ଷେତ୍ରରେ ଚିନ୍ତନ-କୈନ୍ଦ୍ରିକ ଚିକିତ୍ସା ପଦ୍ଧତିର ଜନକ ରୂପେ ପରିଚିତ। ବେକ୍ ବିଶ୍ୱାସ କରନ୍ତି ଯେ ‘ଡିପ୍ରେସନ୍‌’ ପରି ବହୁ ମାନସିକ ରୋଗର ମୂଳ କାରଣ ହେଉଛି ତ୍ରୁଟିପୂର୍ଣ୍ଣ ଚିନ୍ତନ ଶୈଳୀ। ବିଷାଦକୁ ବୁଝାଇବା ପାଇଁ ସେ ଏକ ତ୍ରିକୋଣୀୟ ତତ୍ତ୍ୱର ଉପଯୋଗ କରନ୍ତି। ତାଙ୍କ ମତରେ ବିଷାଦ ତ୍ରିଭୁଜର ତିନିଟି ବାହୁ ରହିଛି। ପ୍ରଥମ ବାହୁଟି ହେଉଛି ଅଯୋଗ୍ୟତାର ଭାବନା। ବିଷାଦଗ୍ରସ୍ତ ବ୍ୟକ୍ତି ସର୍ବଦା ନିଜକୁ ଅଯୋଗ୍ୟ ବୋଲି ବିଚାର କରେ ଏବଂ ତା’ ଦ୍ୱାରା କିଛି ହୋଇପାରିବ ନାହିଁ ବୋଲି ଧାରଣାର ବଶବର୍ତ୍ତୀ ହୁଏ। ଦ୍ୱିତୀୟ ବାହୁଟି ହେଉଛି ବିଷାଦଗ୍ରସ୍ତ ବ୍ୟକ୍ତିଙ୍କ ମନରେ ଉଠୁଥିବା ଏକ ଭାବନା ଯେ ସବୁ ଅଘଟଣ ମୂଳରେ ସେ। ଅର୍ଥାତ୍‌, ବିଫଳତା କିମ୍ବା ଅଘଟଣ ଲାଗି ସେ କେବଳ ନିଜକୁ ଦାୟୀ କରନ୍ତି ଏବଂ ଅନ୍ୟାନ୍ୟ କାରଣକୁ ଦେଖନ୍ତି ନାହିଁ। ତୃତୀୟ ବାହୁଟି ହେଉଛି ଏକ ଅନ୍ଧକାରମୟ ଭବିଷ୍ୟତ୍‌ ନେଇ ଏକ ଅହେତୁକ ଭୟ ଓ ଧାରଣା।

ଏଥିରେ ସେ ଆଶାବାଦକୁ ସଂପୂର୍ଣ୍ଣ ଜଳାଞ୍ଜଳି ଦେଇଥାଆନ୍ତି। ତେବେ, ଏଠାରେ ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଉଛି ଯେ ବ୍ୟକ୍ତି ଏ ତ୍ରିଭୁଜରୁ ମୁକ୍ତି ପାଇବ କିପରି? ଏ ସଂଦର୍ଭରେ ବେକ୍ ଏବଂ ତାଙ୍କୁ ଅନୁସରଣ କରୁଥିବା ମନୋବିଜ୍ଞାନୀମାନେ ଯେଉଁ ଚିକିତ୍ସା ପଦ୍ଧତିର ପରାମର୍ଶ ଦେଇଛନ୍ତି ତାହାର ମଞ୍ଜି ରହିଛି ତ୍ରୁଟିପୂର୍ଣ୍ଣ ଭାବନାର ନିର୍ମୂଳନ କରି ତା’ ସ୍ଥାନରେ ଉପଯୋଗୀ ସକାରାତ୍ମକ ଭାବନାର ରୋପଣ। ଏ ଦିଗରେ ଚିକିତ୍ସକ ବା ପରାମର୍ଶଦାତା ବା ସହାୟକ ବା ସଂପୃକ୍ତ ବ୍ୟକ୍ତିଙ୍କ ଆତ୍ମୀୟସ୍ୱଜନଙ୍କ ସହାୟତା ଲୋଡ଼ା ଯାଇପାରେ। ବିଷାଦଗ୍ରସ୍ତ ବ୍ୟକ୍ତି ନିଜେ ମଧ୍ୟ ଏ ଦିଗରେ ପଦକ୍ଷେପ ନେଇପାରନ୍ତି। ପ୍ରଥମତଃ ବ୍ୟକ୍ତିଙ୍କ ମନରୁ ତାଙ୍କ ଅଯୋଗ୍ୟତାର ଭାବନାକୁ ବହିଷ୍କାର କରିବାକୁ ହେବ। ମନେ କରାଯାଉ ଜଣେ ଶିକ୍ଷାର୍ଥୀ ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ। ସେ ନିଜ ଜୀବନକୁ ନିଷ୍ଫଳ ମନେ କରି ପାରନ୍ତି। ଏ କ୍ଷେତ୍ରରେ ଶିକ୍ଷାର୍ଥୀ ଜଣକୁ ବୁଝାଇବାକୁ ହେବ ଯେ ପରୀକ୍ଷାରେ ସଫଳତା ବା ବିଫଳତା ଜୀବନର ଏକମାତ୍ର ଲକ୍ଷ୍ୟ ନୁହେଁ। ବିଭିନ୍ନ ସକାରାତ୍ମକ ଉଦାହରଣ ପ୍ରଦାନ କରି ତାଙ୍କ ମନରୁ ଆତ୍ମଗ୍ଳାନି ଦୂର କରାଯାଇପାରେ। ସଫଳତା ଲାଭ କରିଥିବା ଅସଂଖ୍ୟ ବ୍ୟକ୍ତି କିଭଳି ଚରମ ବିଫଳତାର ଶିକାର ହୋଇଥିବା ସତ୍ତ୍ବେ ତାକୁ ଅତିକ୍ରମ କରି ସଫଳ ହୋଇଛନ୍ତି, ତା’ର ଉଦାହରଣ ଜରିଆରେ ଶିକ୍ଷାର୍ଥୀଙ୍କ ମନରୁ ଅଯୋଗ୍ୟତାର ଭାବନାକୁ ଦୂର କରାଯାଇପାରେ।

ସାଧାରଣତଃ ବିଷାଦଗ୍ରସ୍ତ ବ୍ୟକ୍ତିମାନଙ୍କର ଚିନ୍ତନ ଶୈଳୀ ଏକଦେଶଦର୍ଶୀ ହୋଇଥାଏ। ଉଦାହରଣ ସ୍ବରୂପ ଧରନ୍ତୁ ଜଣେ ଆୟୋଜନ କରିଥିବା ଉତ୍ସବଟିକୁ ଅଧିକ ଲୋକ ଆସିଲେ ନାହିଁ। ଏ କ୍ଷେତ୍ରରେ ଆୟୋଜକ ଯଦି ବିଷାଦଗ୍ରସ୍ତ ହୋଇଥିବେ, ତେବେ ସେ ଧରିନେବେ ଯେ ଆୟୋଜନ କରିବାର ସାମର୍ଥ୍ୟରେ ଅଭାବ ଏହାର କାରଣ। ସେ କେବଳ ନିଜକୁ ଦୋଷ ଦେବେ। ହୁଏ’ତ ପାଗ ଖରାପ ଥିବା ହେତୁ ଲୋକେ ଆସି ନ ଥାଇ ପାରନ୍ତି ବା ‌େସହି ଦିନ ସହରରେ ଅନେକ ଉତ୍ସବ ଥିବା ହେତୁ ଲୋକେ ଆସି ନ ଥିବେ; ଏଭଳି କାରଣକୁ ସେ ଦେଖି ପାରନ୍ତି ନାହିଁ। ସବୁ ଅଘଟଣ ଲାଗି ସେ ନିଜକୁ ଦାୟୀ କରନ୍ତି। ଏଭଳି ସ୍ଥଳେ ତାଙ୍କ ଦକ୍ଷତା କିଭଳି ଅନ୍ୟ ଠାରୁ ଊଣା ନୁହେଁ ବୋଲି ତାଙ୍କ ମନରେ ବିଶ୍ବାସ ସୃଷ୍ଟି କରିବାକୁ ପଡ଼ିବ। କେବଳ ସେତିକି ନୁହେଁ, ଏଥି ଲାଗି ଦାୟୀ ଥିବା ଅନ୍ୟାନ୍ୟ ସମ୍ଭାବ୍ୟ କାରଣ ବାବଦରେ ମଧ୍ୟ ତାଙ୍କୁ ବୁଝାଇ ଦେବାକୁ ହେବ।
ବିଷାଦଗ୍ରସ୍ତମାନେ ନିଜ ଭବିଷ୍ୟତ ପାଇଁ ଆଲୋକର ଲେଶ ମାତ୍ର ଜ୍ୟୋତି ଦେଖି ନ ପାରି ଅନ୍ଧକାରମୟ ଭବିଷ୍ୟତର ଆଶଙ୍କାରେ ମୁହ୍ୟମାନ ହୋଇପଡ଼ନ୍ତି। ଏଭଳି ସ୍ଥଳେ ଚିକିତ୍ସକ, ଉପଦେଶକ ଓ ମାର୍ଗଦର୍ଶକ କେବଳ ଉଜ୍ଜ୍ବଳ ଓ ସକାରାତ୍ମକ ସମ୍ଭାବନାର ଚିତ୍ର ଦିଅନ୍ତିି ନାହିଁ, ଏହା ସହିତ ତାଙ୍କ କାର୍ଯ୍ୟଦକ୍ଷତାରେ ବୃଦ୍ଧି ଦିଗରେ ଚେଷ୍ଟା ମଧ୍ୟ କରନ୍ତି। ସେଭଳି ବ୍ୟକ୍ତିମାନେ ଯେ ବହୁ ଦିଗରୁ ଅନ୍ୟମାନଙ୍କ ଠାରୁ ଉନ୍ନତତର, ସେହି କଥା ବୁଝାଇବାକୁ ଚେଷ୍ଟା କରନ୍ତି। ତେଣୁ ସଂକ୍ଷେପରେ କହିଲେ ବିଷାଦର ତ୍ରିଭୁଜରୁ ବାହାରିବାର ବାଟ ହେଲା ନିଜ ଉପରେ ପ୍ରତ୍ୟୟ ରଖି ଅଗ୍ରସର ହେବା ଏବଂ ସର୍ବଦା ଯେ କୌଣସି ପ୍ରସଙ୍ଗରେ ଉଜ୍ଜ୍ବଳତର ଦିଗ ଉପରେ ଦୃଷ୍ଟି ନିବଦ୍ଧ କରିବା।
ମୋ : ୯୪୩୭୧୨୧୨୭୯

ସମ୍ବନ୍ଧିତ ଖବର