ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ନିକଟରେ ଅତ୍ୟନ୍ତ ସଂକ୍ରମଣଶୀଳ ବାକ୍ଟେରିଆ ବା ବୀଜାଣୁଜନିତ ରୋଗ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ବିଶ୍ବରେ ସର୍ବାଧିକ ଟ୍ୟୁବରକଲେସିସ୍ ବା ଯକ୍ଷ୍ମା ରୋଗୀଙ୍କ ବୋଝ ଭାରତ ଉଠାଉଛି। ‘ଡବ୍ଲ୍ୟୁ.ଏଚ୍.ଓ. ଗ୍ଲୋବାଲ୍ ଟ୍ୟୁବରକଲେସିସ୍ ରିପୋର୍ଟ ୨୦୨୩’ର ତଥ୍ୟ ଅନୁସାରେ ୨୦୨୨ ମସିହାରେ ପୃଥିବୀର ୩୦ଟି ଯକ୍ଷ୍ମାପ୍ରବଣ ଦେଶରେ ପୃଥିବୀର ୮୭% ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିଲେ। ସେ ଭିତରୁ ଦୁଇ-ତୃତୀୟାଂଶ ଭାଗ ରୋଗୀ ମାତ୍ର ଆଠଟି ଦେଶରେ ଅଛନ୍ତି। ସେଥିରେ ୨୭% ରୋଗୀଙ୍କ ସହ ଭାରତ ପ୍ରଥମ ସ୍ଥାନରେ ଥିବାବେଳେ ଏହା ପଛକୁ ଇଣ୍ଡୋନେସିଆ (୧୦%), ଚୀନ (୭.୧%), ଫିଲିପିନ୍ସ (୭%), ପାକିସ୍ତାନ (୫.୭%), ନାଇଜେରିଆ (୪.୫%), ବାଂଲାଦେଶ (୩.୬%) ଓ କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟ (୩%) ଅଛନ୍ତି। ‘ଡବ୍ଲ୍ୟୁ.ଏଚ୍.ଓ .’ ରିପୋର୍ଟ ଅନୁସାରେ ୨୦୨୨ରେ ଭାରତରେ ୨୮.୨ ଲକ୍ଷ ଯକ୍ଷ୍ମା ରୋଗୀ ଥିଲେ। ଏଥିରୁ ୨୨.୫ ଲକ୍ଷ ରୋଗୀ ନୂତନ ଭାବେ ସଂକ୍ରମିତ ଅଥବା ପୁନଃସଂକ୍ରମିତ ହୋଇଥିଲେ। ଗତ ବର୍ଷ ଭାରତରେ ଯକ୍ଷ୍ମାର ସଂକ୍ରମଣ ହାର ଲକ୍ଷେରେ ୧୯୯ ଜଣ ଥିଲା ଏବଂ ସମୁଦାୟ ୩,୩୮,୪୦୦ ଲୋକ ଏହି ରୋଗରେ ମୃତ୍ୟୁ ବରଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଭାରତ ସରକାର ୨୦୨୫ ସୁଦ୍ଧା ଯକ୍ଷ୍ମା ସଂକ୍ରମଣରେ ୮୦% ହ୍ରାସ ସାଙ୍ଗକୁ ଯକ୍ଷ୍ମା ମୃତ୍ୟୁ ହାରରେ ୯୦% ହ୍ରାସ କରିବାର ଲକ୍ଷ୍ୟ ରଖିଛନ୍ତି। ‘ଡବ୍ଲ୍ୟୁ.ଏଚ୍.ଓ.’ର ଆକଳନ ଅନୁସାରେ ୨୦୦୦ ମସିହାରୁ ବିଶ୍ବସ୍ତରୀୟ ଯକ୍ଷ୍ମା ନିରାକରଣ ଉଦ୍ୟମ କାରଣରୁ ୭.୫ କୋଟି ଲୋକଙ୍କ ଜୀବନ ବଞ୍ଚା ଯାଇପାରିଛି। ୨୦୨୨ ମସିହାରେ ଯକ୍ଷ୍ମା ପୃଥିବୀର ଦ୍ବିତୀୟ ସର୍ବାଧିକ ଘାତକ ସଂକ୍ରାମକ ରୋଗ ଥିଲା। ତେଣୁ ଏହାର ନିରାକରଣ ପାଇଁ ଉଦ୍ୟମ ବୃଦ୍ଧି କରିବା ଆବଶ୍ୟକ ବୋଲି ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp