ନୂଆ ବିଜେପି କ’ଣ ଟିକିଏ ‘ପୁରୁଣା’ କଂଗ୍ରେସ ଭଳି ନା ନୂଆ କଂଗ୍ରେସ ଟିକେ ‘ପୁରୁଣା’ ବିଜେପି ଭଳି? ବିଜେପି ଓ କଂଗ୍ରେସ ଏକ ତୀବ୍ର ଧ୍ରୁବୀୟ ଆଦର୍ଶଗତ ଲଢ଼େଇ କରୁଛନ୍ତି ବୋଲି ଦାବି କରୁଥିବା ଅବସରରେ ଯୁଦ୍ଧଭୂମି ମଧ୍ୟପ୍ରଦେଶରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ଏହି ପ୍ରଶ୍ନଗୁଡ଼ିକ ଉଠାଇବା ଅସଂଗତ ଲାଗୁ ଥାଇପାରେ, କିନ୍ତୁ ଦୁଇ ପ୍ରମୁଖ ଜାତୀୟ ଦଳ ମଧ୍ୟରେ ଥିବା ପାର୍ଥକ୍ୟ ରେଖାଗୁଡ଼ିକ ଅସ୍ବାଭାବିକ ଭାବେ ଅସ୍ପଷ୍ଟ ହୋଇ ପଡ଼ିଥିବା ଭଳି ଜଣାପଡୁଛି। ଏଥିରୁ ମଧ୍ୟ ବ୍ୟାଖ୍ୟା କରାଯାଇପାରେ ଯେ ଏକ ନିର୍ବାଚନୀ ଲଢ଼େଇରେ ଜଣେ ନିର୍ଣ୍ଣାୟକ ବିଜେତା ଚୟନ କରିବା ସହଜ ନୁହେଁ କାହିଁକି?
ଉଦାହରଣ ସ୍ବରୂପ, ସାରା ରାଜ୍ୟରେ ଭରି ହୋଇ ଯାଇଥିବା ବଡ଼ ବଡ଼ ହୋର୍ଡିଂର ଦୃଶ୍ୟାତ୍ମକ ପ୍ରଭାବକୁ ବିଚାରକୁ ନିଆଯାଉ। ବିଜେପିର ପ୍ରଚାର ସାମଗ୍ରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନ୍ୟମାନଙ୍କ ଠାରୁ ଉଚ୍ଚରେ ରହିଥିବା ବେଳେ ଚାରି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ସିଂହ ଚୌହାନଙ୍କୁ ରାଜ୍ୟ ବିଜେପିର ଡଜନ ଡଜନ ଅନ୍ୟ ନେତାଙ୍କ ସହ ସ୍ଥାନ ବାଣ୍ଟିଥିବା ଦେଖିବାକୁ ମିଳିଛି। ଜଣେ ସୁଦୃଢ଼ ନେତା ଚୌହାନ (ସ୍ନେହରେ ତାଙ୍କୁ ‘ମାମାଜୀ’ ବୋଲି ଉଲ୍ଲେଖ କରାଯାଏ) ପ୍ରାୟ ଦୁଇ ଦଶନ୍ଧି ଧରି ମଧ୍ୟପ୍ରଦେଶରେ ବିଜେପିର ଚେହେରା ହୋଇ ରହି ଆସିଥିବା ବେଳେ ବର୍ତ୍ତମାନ ବ୍ୟକ୍ତିଗତ ଆକର୍ଷଣ କେନ୍ଦ୍ରରୁ ଅପସରି ଯାଇ ଏକ ‘ସାମୂହିକ ନେତୃତ୍ବ’ର ଧାରଣା ଭିତରେ ଉପସ୍ଥାପିତ ହୋଇଛନ୍ତି। ଏହି ବାର୍ତ୍ତାଟି ‘ପୁରୁଣା’ କଂଗ୍ରେସ ସହିତ ସ୍ପଷ୍ଟ ଭାବରେ ସମାନ, ଯାହା ନିଜର ପ୍ରମାଣସିଦ୍ଧ ରାଜ୍ୟ ନେତୃତ୍ବକୁ ଅଗ୍ରଭାଗରେ ଉପସ୍ଥାପନ କରିବା ନେଇ ସର୍ବଦା ଅନିଚ୍ଛୁକ ରହିଥିଲା। ଏହା ପରିବର୍ତ୍ତେ ଦଳ ସର୍ବବ୍ୟାପୀ ଦିଲ୍ଲୀ ହାଇକମାଣ୍ଡଙ୍କ ପରାମର୍ଶ ଉପରେ ନିର୍ଭର କରିବାକୁ ପସନ୍ଦ କରିଥିଲା। ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାଂଜଳ ଭାବରେ ଏହାର ମୁଖ୍ୟମନ୍ତ୍ରୀ ଚେହେରା କମଳନାଥଙ୍କୁ ଦର୍ଶାଇ ତାଙ୍କ ସମାନୁଉଚ୍ଚତାର ଚିତ୍ର ଧାରଣ କରିଥିବା ପୋଷ୍ଟର ଓ ହୋର୍ଡିଂମାନ ଖଞ୍ଜିଛି। ଏପରିକି ଗାନ୍ଧୀ ପରିବାର ମଧ୍ୟ ଅନେକ ଦଳୀୟ ପୋଷ୍ଟରରୁ ନିଖୋଜ ହୋଇଯାଇଛନ୍ତି। ଏହି କ୍ରମରେ ଏହି ଭବ୍ୟ ପୁରାତନ ଦଳ ବିରଳ ଭାବରେ ନିଜର ପ୍ରଥମ ପରିବାରକୁ ନିମ୍ନରେ ରଖିଥିବା ଏଥର ଦେଖିବାକୁ ମିଳିଛି।
ବିଡ଼ମ୍ବନାର ବିଷୟ ହେଉଛି, ନେତୃତ୍ବ, ପ୍ରଶାସନ ଓ ସଂଗଠନ ମଧ୍ୟରେ ବଢ଼ି ଚାଲିଥିବା ବିଭାଜନ ମଧ୍ୟରେ ଗୈରିକ ଦଳ ଏହି ନିର୍ବାଚନରେ ପ୍ରବେଶ କରିଥିବା ବେଳେ କଂଗ୍ରେସ ଅପେକ୍ଷାକୃତ ଅଧିକ ସମନ୍ବୟୀ ଭଳି ଜଣାପଡୁଛି। ଯେଉଁ ରାଜ୍ୟରେ ‘ଆର୍.ଏସ୍.ଏସ୍.’ ସର୍ବଦା ଏକ ମଜଭୁତ ତୃଣମୂଳ ସ୍ତରୀୟ ଯୋଗାଯୋଗ ଭାବେ ଉପସ୍ଥିତ ରହି ଆସିଛି, ସେଠି ପ୍ରଥମ ଥର ପାଇଁ ବହୁ ପୁରୁଖା ‘କର୍ମକର୍ତ୍ତା’ କେନ୍ଦ୍ରୀୟ ନେତୃତ୍ବ ଦ୍ବାରା ଅବହେଳିତ ହୋଇଥିବାର ଅଭିଯୋଗ ଉଠିଛି। ୨୦୨୦ ମସିହାରେ କମଳନାଥ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସରୁ ଦଳବଦଳ କରିଥିବା ପ୍ରାୟ ସମସ୍ତଙ୍କୁ ବିଜେପି ଟିକେଟ ଦେଇ ପୁରସ୍କୃତ କରିଛି। ରାଜ୍ୟ ନିର୍ବାଚନ ଲଢ଼ିବା ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଅଧ ଡଜନେ ସାଂସଦଙ୍କୁ ଛିଡ଼ା କରାଯାଇଥିବାରୁ ବିଜେପି ଗୋଷ୍ଠୀ ମଧ୍ୟରେ ଚାପ ଓ ଟଣାଓଟରା ସ୍ପଷ୍ଟ ଦେଖାଯାଇଛି। ଅପର ପକ୍ଷରେ, ଦଶନ୍ଧି ଦଶନ୍ଧି ଧରି ତୀବ୍ର ଗୋଷ୍ଠୀ କନ୍ଦଳ ଦ୍ବାରା ପ୍ରଭାବିତ ହୋଇଥିବା କଂଗ୍ରେସ ବର୍ତ୍ତମାନ ଏହାର ଶେଷ ପୁରୁଖା ନେତା ଦିଗବିଜୟ ସିଂହ ଓ କମଳନାଥଙ୍କ ମଧ୍ୟରେ ଏକ ସମନ୍ବୟଶୀଳ କାର୍ଯ୍ୟ ବ୍ୟବସ୍ଥା ସ୍ଥିର କରି ପାରିଥିବା ଦେଖାଯାଇଛି। ଯଦିଓ ଉଭୟଙ୍କ ଭିତରୁ କେହି ଜଣେ ବି ପ୍ରକୃତ ଭୋଟ ଆକର୍ଷଣକାରୀ ନୁହନ୍ତି, ତେବେ ଦୁହେଁ ମିଶି ଦଳକୁ ଅଭିଜ୍ଞତା ଓ ନିରନ୍ତରତା ପ୍ରଦାନ କରି ଆସିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ କମଳନାଥଙ୍କୁ ଦଳୀୟ ସ୍ବୀକୃତି ମିଳିଥିବା ସତ୍ତ୍ବେ ଦିଗ୍ବିଜୟଙ୍କ ନେତୃତ୍ବ ତଥାପି କର୍ମୀମାନଙ୍କ ସହ ଯୋଡ଼ି ହୋଇ ରହିଛି।
ହିନ୍ଦୀ ଭାଷାଭାଷୀଙ୍କ କେନ୍ଦ୍ରସ୍ଥଳ ଏହି ରାଜ୍ୟରେ ଏହା କେବଳ ଭୂମିକା ଅଦଳବଦଳରେ ସୀମିତ ନୁହେଁ। ବିଜେପି ରାମ ମନ୍ଦିର ନାଁରେ ଭୋଟ ମାଗିଥିବା ବେଳେ ରାଜ୍ୟ କଂଗ୍ରେସ ମଧ୍ୟ ବିଜେପିର ହିନ୍ଦୁତ୍ବ ଏଜେଣ୍ଡାକୁ ହାତଛଡ଼ା ନ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲା। ଏକ ନିର୍ବାଚନୀ ପ୍ରଚାର ଭିଡିଓରେ କମଳନାଥଙ୍କ ଦ୍ବାରା ତାଙ୍କ ଚିନ୍ଦଵାରା ନିର୍ବାଚନମଣ୍ଡଳୀରେ ନିର୍ମିତ ୧୦୧ ଫୁଟ୍ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତି ସମେତ ତାଙ୍କ ୧୫ ମାସର ମୁଖ୍ୟମନ୍ତ୍ରିତ୍ବ କାଳରେ ନିର୍ମିତ ଗୋଶାଳା ଏବଂ ସାଧୁସନ୍ଥ ସମାଜର ପ୍ରଭାବଶାଳୀ ସମର୍ଥନ ଆଦି ଉପରେ ଆଲୋକପାତ କରାଯାଇଥିଲା। ବିରୋଧୀ ‘ଇନ୍ଡିଆ’ ମେଣ୍ଟର ଗୋଟିଏ ଗୋଷ୍ଠୀ ସନାତନ ଧର୍ମ ଉପରେ ଏହାର ଆଭିମୁଖ୍ୟକୁ ନେଇ ଦ୍ବନ୍ଦ୍ବରେ ଥିବା ବେଳେ ମଧ୍ୟପ୍ରଦେଶରେ କଂଗ୍ରେସ ଏହାର ଧାର୍ମିକତାକୁ ନିଜ କାନ୍ଧ ଉପରକୁ ନେଇଛି। ହିନ୍ଦୁ ଧର୍ମ ଉପରେ ବିଜେପିର ଏକଚାଟିଆ ଅଧିକାର ନାହିଁ ବୋଲି କହି କମଳନାଥ ଅଯୋଧ୍ୟାରେ ବିବାଦୀୟ ସ୍ଥଳର ତାଲା ଖୋଲିବାରେ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଭୂମିକା ଉପରେ ଗୁରୁତ୍ବ ଆରୋପ କରିଛନ୍ତି ଏବଂ ଶ୍ରେୟ ପ୍ରଦାନ କରିଛନ୍ତି।
କେବଳ ହିନ୍ଦୁ ଭୋଟ ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଚାଲି ନଥିଲା, ସେମାନଙ୍କ ପ୍ରତିଶ୍ରୁତିଗୁଡ଼ିକ ମଧ୍ୟ ଅନୁରୂପ ରହିଥିଲା। ଏପଟେ ଚୌହାନ ତାଙ୍କର ‘ଲାଡ୍ଲି ବେହନା’ ଯୋଜନା ସହିତ ନିର୍ବାଚନ ଗଣିତକୁ ବଦଳାଇବା ପାଇଁ ଆଶା ରଖିଛନ୍ତି, ଯେଉଁ ଯୋଜନା ଗରିବ ପରିବାରର ପ୍ରାୟ ୧.୩ କୋଟି ମହିଳାଙ୍କୁ ମାସିକ ୧,୨୫୦ ଟଙ୍କାର ଆର୍ଥିକ ସହାୟତା ରାଶି ଦେବା ଲାଗି ଅଙ୍ଗୀକାରବଦ୍ଧ, ତେଣେ କଂଗ୍ରେସ ଏହି ମାସିକ ସହାୟତା ରାଶିକୁ ୧,୫୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଇଛି। ସେହିପରି ରିହାତିଯୁକ୍ତ ଏଲ୍ପିଜି ସିଲିଣ୍ଡର ଠାରୁ ଆରମ୍ଭ କରି ଆଦିବାସୀ, ଦଳିତ ଓ ବେକାର ଯୁବକଯୁବତୀମାନଙ୍କ ପାଇଁ ଆର୍ଥିକ ସହାୟତା ପରି ନଗଦ ରାଶି ସମ୍ବଳିତ ଯୋଜନାକୁ ଉଭୟ ଦଳ କ୍ଷମତା ହାସଲର ସହଜ ବାଟ ବୋଲି ଧରି ନେଇଛନ୍ତି। ଏଭଳି ‘ରେବଡ଼ି’ ବା ‘ମାଗଣା ଉପହାର’ ସଂସ୍କୃତି ରାଜକୋଷକୁ ଦେବାଳିଆ କରିଦେବ ବୋଲି ପ୍ରଧାନମନ୍ତ୍ରୀ ଯୁକ୍ତି ବାଢୁଥିବା ବେଳେ ମଧ୍ୟପ୍ରଦେଶରେ ତାଙ୍କ ଦଳ ‘ସମସ୍ତଙ୍କ ପାଇଁ ମାଗଣା ଉପହାର’ ଲଢ଼େଇରେ କଂଗ୍ରେସ ସହ ଅବତୀର୍ଣ୍ଣ ହୋଇଛି ଏବଂ ପ୍ରତିଦ୍ବନ୍ଦ୍ବିତା ଅତ୍ୟନ୍ତ ତୀବ୍ର।
ଏଭଳି ସ୍ଥିତିରେ ଭୋଟରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା: ଯେହେତୁ ଉଭୟ ଦଳ ଭିତରେ ଆଦର୍ଶଗତ ପାର୍ଥକ୍ୟ ସଂକୁଚିତ ହୋଇଛି, ଉଭୟ ଦଳ ସମାନ ଭାବେ ମାଗଣା ଉପହାର ବର୍ଷାର ପ୍ରତିଶ୍ରୁତି ଦେଇଛନ୍ତି, କାହାକୁ ଛାଡ଼ିବେ ଓ କାହାକୁ ଧରିବେ ଏହି ଦ୍ବନ୍ଦ୍ବରେ ରହିଥିଲେ ଭୋଟର। ବିଜେପିର ଶିବରାଜ ସିଂହ େଚୗହାନ ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ରହିଥିବା ବେଳେ କମଳ ନାଥ ବହୁ ଆଗରୁ ଅର୍ଥାତ୍ ୧୯୮୦ ମସିହାରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। କିନ୍ତୁ ଏହି ନେତା ଦ୍ବୟଙ୍କ ଅଧୀନରେ ମଧ୍ୟପ୍ରଦେଶର ସ୍ଥିତି ଯଥା ପୂର୍ବଂ ତଥା ପରମ୍ ହୋଇ ରହିଛି। ଲାଗୁଛି ଯେମିତି ମଧ୍ୟପ୍ରଦେଶ ଗୋଟିଏ କାଳଖଣ୍ଡରେ ଫସି ରହିଯାଇଛି। ଏହାକୁ ପରିବର୍ତ୍ତନର ପବନ ଛୁଇଁପାରିନାହିଁ; ଯେଉଁ ପବନ ନିକଟ ଅତୀତରେ ହିନ୍ଦୀ ଭାଷାଭାଷୀ ଅନେକ ଅଞ୍ଚଳରେ ପ୍ରବାହିତ ହୋଇଛି। ପିଢ଼ିଗତ ପରିବର୍ତ୍ତନ ଆଣିବାରେ ନା ବିଜେପି ନା କଂଗ୍ରେସ; କେହି ବି ସକ୍ଷମ ହୋଇପାରିନାହାନ୍ତି। ଏଥି ସହିତ ନିର୍ବାଚନ ମଣ୍ଡଳୀକୁ ପ୍ରଭାବିତ କଲା ଭଳି ନୂଆ ଚିନ୍ତାଧାରା ସୃଷ୍ଟି କରିବାରେ ମଧ୍ୟ ଉଭୟଙ୍କ ଭିତରୁ କେହି ସକ୍ଷମ ହୋଇ ନାହାନ୍ତି। ଉତ୍କଟ ଦୁର୍ନୀତି ଭଳି ପ୍ରସଙ୍ଗରେ ମଧ୍ୟ ଉଭୟ ଦଳ କେବଳ ପରସ୍ପର ଉପରେ କାଦୁଅ ଫିଙ୍ଗିଛନ୍ତି ସିନା, କିନ୍ତୁ ସ୍ବଚ୍ଛ ମନରେ ବିତର୍କ ଭିତରକୁ ଯାଇନାହାନ୍ତି।
ସେଥିପାଇଁ ଏଥର ମଧ୍ୟପ୍ରଦେଶର ରାସ୍ତାରେ କେବଳ ‘ଥକାଵଟ’ ବା ‘କ୍ଳାନ୍ତି’ ପରି ଶବ୍ଦ ଅଧିକ ଶୁଣିବାକୁ ମିଳିଥିଲା। ଫଳରେ ଏକ ସୁଗଠିତ ଦୁଇ ଦଳୀୟ ରାଜ୍ୟ ବ୍ୟବସ୍ଥାରେ ଚଳଚଞ୍ଚଳ ବିକଳ୍ପର ଅଭାବରେ ଏକ କ୍ଳାନ୍ତିର ଅନୁଭବ ଭୋଟରଙ୍କୁ ହତାଶ କରିଦେଇଛି। ଏ ପ୍ରକାର କ୍ଳାନ୍ତି ସରକାର ବିରୋଧୀ ମନୋଭାବରେ ପ୍ରକାଶ ପାଇପାରେ, କିନ୍ତୁ ଉଭୟ ଦଳ ସେମାନଙ୍କ ବିଧାୟକମାନଙ୍କ ମଧ୍ୟରୁ ସିଂହଭାଗକୁ ନିର୍ବାଚନ ଲଢ଼େଇରେ ପୁନରାବୃତ୍ତି କରିଛନ୍ତି। ସୁତରାଂ ରାଜ୍ୟର ରାଜନୈତିକ ଭାଗ୍ୟରେ କୌଣସି ନାଟକୀୟ ପରିବର୍ତ୍ତନରେ ଏହା ପ୍ରତିଫଳିତ ହେବାର ସମ୍ଭାବନା ନାହିଁ। ୨୦୧୮ ନିର୍ବାଚନରେ ଉଭୟ ବିଜେପି (୪୧.୦୨%) ଓ କଂଗ୍ରେସ (୪୦.୮୯%) ପାଖାପାଖି ସମାନ ହାରରେ ଭୋଟ ପାଇଥିଲେ ଏବଂ ଆସନ ବ୍ୟବଧାନ ମାତ୍ର ପାଞ୍ଚ ଥିଲା। ‘କାଣ୍ଟେ କି ଟକ୍କର’ ବା କଡ଼ା ମୁକାବିଲା ପରି ଶବ୍ଦ ପ୍ରାୟତଃ ନିର୍ବାଚନ ଅଭିଧାନରେ ହିଁ ମାତ୍ରାଧିକ ଭାବେ ବ୍ୟବହୃତ ହୋଇଥାଏ। ମଧ୍ୟପ୍ରଦେଶରେ ଏହା ପୁଣି ଥରେ ସତ ହୋଇପାରେ। ଅବଶ୍ୟ ସେଥିରେ ଏକ ସତର୍କ ବାଣୀକୁ ଅଣଦେଖା କରାଯାଇ ନ ପାରେ, ଯାହା ହେଲା ଏହା ଯେ ‘ନିର୍ଣ୍ଣାୟକ’ ମହିଳା ଭୋଟ ତଥାପି କ୍ଷମତାର ସୂକ୍ଷ୍ମ ସନ୍ତୁଳନକୁ ଢଳାଇ ଦେଇପାରେ।
ତେବେ ଏ ପରିପ୍ରେକ୍ଷୀରେ ଏକ ଘଟଣାର ବର୍ଣ୍ଣନା କରୁଛି। ଭୋପାଳରୁ ଗୋଆଲିଅର ଯାଉଥିବା ଏକ ଟ୍ରେନ୍ରେ ‘ମଧ୍ୟପ୍ରଦେଶରେ କିଏ ଜିତିବ?’ ବୋଲି ଏକ ପ୍ରଶ୍ନକୁ ନେଇ ଗୋଟିଏ ଦଳ ରୋଚକ ଓ ଜୋରଦାର ଚର୍ଚ୍ଚାରେ ଲୀନ। ସଂଖ୍ୟା ଖେଳର ଛକାପଞ୍ଝା ଭିତରେ ଏକ ଗମ୍ଭୀର ସ୍ବର ଶୁଣାଯାଏ: ‘ବିଜେପି ମଧ୍ୟପ୍ରଦେଶରେ ହାରିବା ପରି ଜଣାପଡୁଛି, କିନ୍ତୁ କଂଗ୍ରେସ ଲାଗି ଜିତିବାର ସମ୍ଭାବନା ମଧ୍ୟ ଦେଖାଯାଉନାହିଁ।’
ବରିଷ୍ଠ ସାମ୍ବାଦିକ ଓ ଲେଖକ
ମଧ୍ୟପ୍ରଦେଶ ନିର୍ବାଚନ: କିଏ ହାରିବ, କିଏ ଜିତିବ!
ରାଜଦୀପ ସରଦେଶାଇ
/sambad/media/post_attachments/wp-content/uploads/2023/11/dggdgdgdagda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)