ଗଣମାଧ୍ୟମର ସ୍ବାଧୀନତା ଅର୍ଥ ମିଛ ଖବର ନୁହେଁ

ପ୍ରକାଶ ଜାଭଡ଼େକର

ଦେଶର ଗଣମାଧ୍ୟମ କେତେ ମାତ୍ରାରେ ସାଧୀନତା ଉପଭୋଗ କରିବା ଉଚିତ ସେ ନେଇ ସବୁବେଳେ ବିତର୍କ ଲାଗି ରହିଛି। କିନ୍ତୁ ଭାରତରେ କେବଳ ୧୯୭୫ ମସିହା ଜୁନ୍‌ ମାସରେ ଜରୁରୀ ପରିସ୍ଥିତି ଘୋଷଣା କରାଯିବା ବେଳେ ହିଁ ଗଣମାଧ୍ୟମର ସ୍ବାଧୀନତା ସଂକୁଚିତ କରାଯିବାର ଏକମାତ୍ର ଦୃଷ୍ଟାନ୍ତ ଆମ ନଜରକୁ ଆସେ। ସେତେବେଳେ ଆମେ ଛାତ୍ର ରାଜନୀତିରେ ସକ୍ରିୟ ଥିଲୁ ଏବଂ ଗଣମାଧ୍ୟମ ସ୍ବାଧୀନତା ଉପରେ ଲାଗୁ ହୋଇଥିବା ଅଙ୍କୁଶ ବିରୋଧରେ ସତ୍ୟାଗ୍ରହ କରିଥିଲୁ। ସେଥିପାଇଁ ଆମକୁ ୧୯୭୫ ମସିହା ଡିସେମ୍ବର ୧୧ ତାରିଖ ଦିନ ଗିରଫ କରାଯାଇଥିଲା ଏବଂ ୧୯୭୭ ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ସବୁ ରାଜନୈତିକ ବନ୍ଦୀଙ୍କ ପରି ଜେଲ୍‌ରେ ରଖା ଯାଇଥିଲା। ସେ ସମୟରେ ନିଷେଧାଦେଶ ହିଁ ଥିଲା ଏକମାତ୍ର ନିୟମ! ପ୍ରତି ସମାଦପତ୍ର ସଂସ୍ଥା ପାଇଁ ଜଣେ ଲେଖାଏଁ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା। ତାଙ୍କର କାର୍ଯ୍ୟ ଥିଲା ସେଥିରେ ପ୍ରକାଶ ପାଇଥିବା ପ୍ରତିଟି ଖବରକୁ ତନ୍ନ ତନ୍ନ କରି ତର୍ଜମା କରି ଦେଖିବା। ସମ୍ପୃକ୍ତ ଅଧିକାରୀଙ୍କ ହାତରେ ଅଖଣ୍ଡ କ୍ଷମତା ଥିଲା ଏବଂ ସେ ଚାହିଁଲେ ହିଁ ଯେ କୌଣସି ଖବରକୁ ପ୍ରକାଶ ପାଇବାକୁ ଅନୁମତି ଦେଉଥିଲେ କିମ୍ବା ତା’ଉପରେ ରହିତାଦେଶ ଜାରି କରିପାରୁଥିଲେ। ସେଥିପାଇଁ ତାଙ୍କୁ କୌଣସି କାରଣ ଦର୍ଶାଇବାକୁ ପଡୁନଥିଲା। ମୋ ବାପା ସେତେବେଳେ ‘ଦୈନିକ କେଶରୀ’ର ଜଣେ ସହ-ସଂପାଦକ ଭାବେ କାର୍ଯ୍ୟ କରୁଥିଲେ। ଲୋକମାନ୍ୟ ତିଲକ ଥିଲେ ସେହି ସମ୍ବାଦପତ୍ରର ପ୍ରତିଷ୍ଠାତା। ବାପାଙ୍କର ୧୯୭୫ ଜୁନ୍‌ ୨୫ ତାରିଖ ରାତିରେ ଡ୍ୟୁଟି ଥାଏ। ସେହିଦିନ ରାତିରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା। ଗଣମାଧ୍ୟମ ସ୍ବ‌ାଧୀନତାକୁ କିଭଳି ଦମନ କରାଗଲା, ସେ କଥା ସେ ଜୁନ୍‌ ୨୬ ତାରିଖ ଦିନ ଆମ ଆଗରେ ବଖାଣିଥିଲେ। ସେତେବେଳେ ସବୁ ପ୍ରକାର ସ୍ବାଧୀନତା ଉପରେ ଅଙ୍କୁଶ ଲାଗିଥିଲା। ଚିନ୍ତନର ସ୍ବ‌ାଧୀନତା, ବାକ୍‌ ସ୍ବ‌ାଧୀନତା, ସାଂଗଠନିକ ସ୍ବ‌ାଧୀନତା ଅଥବା ଗଣମାଧ୍ୟମ ସ୍ବ‌ାଧୀନତା ସମ୍ପୂର୍ଣ୍ଣ ଭାବେ ବନ୍ଦୀ ହୋଇ ରହିଥିଲା। ଭାରତର ଗଣତାନ୍ତ୍ରିକ ଇତିହାସରେ ଏ ସମୟ ଥିଲା ଏକ ଅନ୍ଧକାରମୟ ଅଧ୍ୟାୟ।

ସେତେବେଳେ ସମସ୍ତ ପ୍ରକାରର ସ୍ବ‌ାଧୀନତା ପୁନଃପ୍ରତିଷ୍ଠା ସକାଶେ ଅନେକ ଆବେଦନ ଦାଏର କରାଯାଇଥିଲା। କିନ୍ତୁ ସେସବୁ ପ୍ରୟାସ ଥିଲା ନିଷ୍ଫଳ। ଏପରିକି ନ୍ୟାୟାଳୟଗୁଡ଼ିକ ଏପରି ସ୍ତରକୁ ଚାଲିଯାଇଥିଲେ ଯେ ‘କୌଣସି ବ୍ୟକ୍ତିର ବଂଚିବାର ଅଧିକାରକୁ ସୁଦ୍ଧା ଶାସକ ଚାହିଁଲେ ଛଡ଼ାଇ ନେଇପାରନ୍ତି’ ବୋଲି ମତକୁ ସମର୍ଥନ କରିବାକୁ ସୁଦ୍ଧା ପଛାଇ ନ ଥିଲେ। ସେତେବେଳର ଆଟର୍ଣ୍ଣି ଜେନେରାଲ ଶ୍ରୀ ନୀରେନ ଦେଙ୍କ ଏଭଳି ଅସ୍ବାଭାବିକ ଯୁକ୍ତି ସମସ୍ତଙ୍କୁ ବିସ୍ମିତ କରିଥିଲା, କିନ୍ତୁ କୋର୍ଟ ତାଙ୍କ ଯୁକ୍ତିକୁ ହିଁ ସମର୍ଥନ କରିଥିଲେ। ଯଦିଚ ଦେଶର ଲକ୍ଷ ଲକ୍ଷ ନାଗରିକ ଦୀର୍ଘ ୧୮ ମାସ ଧରି ଜରୁରୀ ପରିସ୍ଥିତି ବିରୋଧରେ ଲଢ଼େଇ କରିଥିଲେ, ତଥାପି ଗଣମାଧ୍ୟମ ଏବଂ ମିଡିଆର ସ୍ବ‌ାଧୀନତାକୁ ନେଇ ସେହି କାଳିମାଭରା ଅଧ୍ୟାୟ ଜାରି ରହିଥିଲା ଏବଂ ତାହା ସେତେବେଳେ ଦେଶର ପ୍ରଚଳିତ ଆଇନରେ ପରିଣତ ହୋଇଥିଲା। ୧୯୭୭ ମସିହାରେ ଦେଶରୁ ଜରୁରୀ ପରିସ୍ଥିତି ପ୍ରତ୍ୟାହାର ହେବା ପରେ ପରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ଜନତା ପାର୍ଟି ବିଜୟୀ ହୋଇଥିଲା ଏବଂ ସେତେବେଳର ଜନତା ଦଳ ସରକାର ପ୍ରଥମେ ନିଷ୍ପତ୍ତି ନେଇଥିଲେ ଯେ ଗଣମାଧ୍ୟମ ଓ ମିଡିଆର ସ୍ବାଧୀନତାକୁ ପୁନଃପ୍ରତିଷ୍ଠା ତଥା ଅକ୍ଷୁଣ୍ଣ ରଖାଯିବ। ସେହି ଦିନ ଠାରୁ ତାହା ଅକ୍ଷତ ରହିଆସିଛି। କିନ୍ତୁ, ନିକଟରେ ମିଛ ଖବରକୁ ଠେଲିପେଲି ଗଣମାଧ୍ୟମରେ ପ୍ରକାଶ କରିବାର ଏକ ନୂଆ ଧାରା ମୁଣ୍ଡ ଟେକିଛି ଏବଂ ଲୋକମାନଙ୍କୁ ଜାଣିଶୁଣି ବିଭ୍ରାନ୍ତ କରିବା ଓ ସେମାନଙ୍କ ମନରେ ଅନିଶ୍ଚିତତା ଓ ଅଶାନ୍ତି ସୃଷ୍ଟି କରାଯିବାର ପ୍ରୟାସ କରାଯାଉଛି।ଆମେ ଲକ୍ଷ୍ୟ କରିଛୁ ଯେ ଲକ୍‌ଡାଉନ୍ ସମୟରେ, ଏଭଳି ମିଥ୍ୟା ଖବର ପ୍ରସାରଣର ମାତ୍ରା ବୃଦ୍ଧି ପାଇଛି ଏବଂ ତାହା ଛାପା ଗଣମାଧ୍ୟମ, ଇଲେକ୍ଟ୍ରୋନିକ୍ ଏବଂ ଏପରିକି ଟୁଇଟର, ଫେସବୁକ୍ ଓ ହ୍ବାଟ୍‌ସଆପ୍ ଭଳି ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ପ୍ରସାରିତ ହେଉଛି।

ଏଭଳି ବିପତ୍ତିକୁ ନିୟନ୍ତ୍ରଣ କରିବା ସକାଶେ ଆମେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)ରେ ଏକ ‘ତଥ୍ୟ ଯାଂଚ ୟୁନିଟ୍’ ପ୍ରତିଷ୍ଠା କରିଥିଲୁ ଯାହା ତୁରନ୍ତ ଏଭଳି ମିଛ ଖବର ସଂପର୍କରେ ଅବଗତ ହୋଇ ତତ୍କାଳ ଏହାର ପ୍ରତିବାଦ କରୁଛି। ଏହି ‘ତଥ୍ୟ ଯାଂଚ ୟୁନିଟ’ର ନିରବଚ୍ଛିନ୍ନ ପ୍ରୟାସରୁ ଯଥାଶୀଘ୍ର ସକାରାତ୍ମକ ସୁଫଳ ମିଳିବା ଆରମ୍ଭ ହୋଇଛି। ଫଳରେ ଅନେକ ଟେଲିଭିଜନ ଚାନେଲ ଓ ପ୍ରିଣ୍ଟ ମିଡିଆ ସେମାନଙ୍କର ଏଭଳି ମିଥ୍ୟା ଖବର ପରିବେଷଣରୁ କ୍ଷାନ୍ତ ହୋଇଛନ୍ତି ଏବଂ ପାଠକ ଓ ଦର୍ଶକମାନଙ୍କ ନିକଟରେ କ୍ଷମାପ୍ରାର୍ଥନା କରିବା ସହ ଠିକ୍ ଖବର ଉପସ୍ଥାପନ କରିଛନ୍ତି। ଭାରତ ସରକାରଙ୍କ ଦ୍ବାରା ଯେତେବେଳେ ଏଭଳି ମିଥ୍ୟା ଖବର ପ୍ରସାରଣକୁ ନିୟନ୍ତ୍ରଣ କରିବା ଲାଗି ସକାରାତ୍ମକ ପଦକ୍ଷେପ ଗ୍ରହଣ କରାଗଲା, ସେତେବେଳେ ଏହାକୁ କେହି କେହି ସମାଲୋଚନା କରିଥିଲେ। ସରକାର ଏହା ଦ୍ବାରା ଗଣମାଧ୍ୟମର ସ୍ବାଧୀନତାକୁ ସଂକୁଚିତ କରିବାକୁ ପ୍ରୟାସ କରୁଛନ୍ତି ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ। କିନ୍ତୁ, ଏଠାରେ ମୋର ପ୍ରଶ୍ନ ହେଉଛି, ଏଭଳି ମିଥ୍ୟା ଖବର ପ୍ରସାରଣ କ’ଣ ଗଣମାଧ୍ୟମ ସ୍ବ‌ାଧୀନତାର ପରିସରଭୁକ୍ତ? ଏହାର ସରଳ ଉତ୍ତରଟି ହେଲା: ‘ନା। ଏହା କଦାପି ହୋଇନପାରେ।’

ଏଠାରେ ମୁଁ ଏହାର କେତୋଟି ଉଦାହରଣ ଦେବାକୁ ଚାହେଁ। ଜଣେ ବିଶିଷ୍ଟ ଓକିଲଙ୍କ ଦ୍ବାରା ଟୁଇଟରରେ ଗୋଟିଏ ମିଥ୍ୟା ଖବର ପ୍ରଚାର ଆରମ୍ଭ କରାଗଲା ଯେ ପରିବାର ନିକଟରେ ଖାଦ୍ୟ ନଥିବାରୁ ଉତ୍ତର ପ୍ରଦେଶର ଜନୈକା ମହିଳା ତାଙ୍କର ପାଂଚ ସନ୍ତାନଙ୍କୁ ଗୋମତୀ ନଦୀକୁ ଫିଙ୍ଗି ଦେଇଛନ୍ତି। କିନ୍ତୁ, ଯେତେବେଳେ ଏହି ଖବରର ସତ୍ୟାସତ୍ୟ ଯାଂଚ କରାଗଲା, ଜଣାପଡ଼ିଲା ଯେ ତାଙ୍କ ଘରେ ଯଥେଷ୍ଟ ଖାଦ୍ୟ ମହଜୁଦ ରହିଛି। ଏପରିକି ରନ୍ଧାଖାଦ୍ୟ ମଧ୍ୟ ରହିଛି। କିନ୍ତୁ, ତାଙ୍କର ସ୍ବ‌ାମୀଙ୍କ ସହ କୌଣସି କାରଣରୁ ଝଗଡ଼ା ଯୋଗୁ ସେ ଏଭଳି ଏକ ଚରମ ପଦକ୍ଷେପ ନେଇଛନ୍ତି। ତେଣୁ କ୍ଷୁଧା ଯୋଗୁ ଏଭଳି ମୃତ୍ୟୁ ଘଟିଥିବା ଖବର ମିଥ୍ୟା ଛଡ଼ା ଆଉ କିଛି ନୁହେଁ। ଟୁଇଟରରେ ଆଉ ଗୋଟିଏ ମିଛ ଖବର ପ୍ରସାରିତ ହେଲା ଯେ ଅହମଦାବାଦରେ ଗୋଟିଏ ହସ୍‌ପିଟାଲରେ ଧର୍ମ ଭିତ୍ତିରେ ରୋଗୀମାନଙ୍କୁ ଅଲଗା ଅଲଗା ରଖି ଚିକିତ୍ସା କରାଯାଉଛି। ଏହା ମଧ୍ୟ ଏକ ଉଡ଼ା ଖବର ବୋଲି ଜଣାପଡ଼ିଥିଲା ଏବଂ ଏହି ମିଛ ଲୋକମାନଙ୍କ ନିକଟରେ ଧରା ପଡ଼ିଥିଲା। ସାମାଜିକ ଗଣମାଧ୍ୟମରେ ଆଉ ଗୋଟିଏ ଗୁଜବ ପ୍ରସାରଣ କରାଯାଇଥିଲା, ଯାହା ଫଳରେ ମୁମ୍ବାଇର ବାନ୍ଦ୍ରା ରେଳଷ୍ଟେସନରେ ପ୍ରବାସୀ ଶ୍ରମିକ ଓ ଆଇନ ଶୃଙ୍ଖଳା ରକ୍ଷାକାରୀ ବଳଙ୍କ ମଧ୍ୟରେ ସଂଘର୍ଷ ଭଳି ପରିସ୍ଥିତି ଉତ୍ପନ୍ନ ହୋଇଥିଲା। ଏକ ଗୁଜବ ପ୍ରଚାର କରାଯାଇଥିଲା ଯେ ପ୍ରବାସୀ ଶ୍ରମିକମାନଙ୍କୁ ନେଇଯିବା ଲାଗି ଏକ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ତେଣୁ ବାନ୍ଦ୍ରା ଷ୍ଟେସନରେ ବିପୁଳ ସଂଖ୍ୟକ ପ୍ରବାସୀ ଶ୍ରମିକ ଅଳ୍ପ ସମୟ ଭିତରେ ରୁଣ୍ଡ ହୋଇଯାଇଥିଲେ। କିନ୍ତୁ ବାସ୍ତବତା ହେଲା ଏଭଳି ଟ୍ରେନ୍‌ ଚାଲିବାର କୌଣସି ସରକାରୀ ଯୋଜନା ନଥିଲା।

ଆଉ ଏକ ଘଟଣାରେ ଏକ ଲୋକପ୍ରିୟ ଚାନେଲରେ ପ୍ରସାରଣ କରାଗଲା ଯେ ରାଜସ୍ଥାନର ବିକାନୀର ସରକାରୀ ହସ୍‌ପିଟାଲର ସମସ୍ତ କର୍ମଚାରୀ କୋଭିଡ- ୧୯ ପରୀକ୍ଷଣରେ ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି। ଏହା ସଂପୂର୍ଣ୍ଣ ରୂପେ ମିଛ ଖବର ଥିଲା। ଯେତେବେଳେ ବାସ୍ତବତା ସେହି ଚାନେଲ ନିକଟରେ ଉପସ୍ଥାପନ କରାଗଲା, ସେମାନେ ଏଭଳି ଖବରକୁ ପ୍ରତ୍ୟାହାର କରିଥିଲେ। ଆମେ ସମସ୍ତେ ଏ କଥା ଲକ୍ଷ୍ୟ କରିଛେ ଯେ ଖବର ଭାବେ ଗୁଜବକୁ ପ୍ରସାର କରିବା ଲାଗି ଏକ ଗୋଷ୍ଠୀ କାମ କରୁଛି। ବିଶେଷ କରି ସାମାଜିକ ଗଣମାଧ୍ୟମରେ ଏଭଳି କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପ୍ରୟାସକୁ ଭଣ୍ଡୁର ପାଇଁ ଅପଚେଷ୍ଟା କରାଯାଉଛି। ‘କେବଳ ୨% ଗରିବ ଲୋକ ରାସନ ଦୋକାନରୁ ଖାଦ୍ୟ ପାଇପାରୁଛନ୍ତି’, ‘ପିଡିଏସ୍‌ ଦୋକାନରେ କୌଣସି ଖାଦ୍ୟପଦାର୍ଥ ମହଜୁଦ ନାହିଁ’, ‘ସରକାରୀ କର୍ମଚାରୀମାନଙ୍କ ଦରମା ଓ ପେନ୍‌ସନରୁ ୩୦% କାଟ କରାଯିବ’, ‘ଗୋଟିଏ ଲିଙ୍କ୍‌କୁ୍ କ୍ଲିକ୍ କରନ୍ତୁ ଏବଂ ସରକାର ଆପଣଙ୍କୁ ୧୦୦୦ ଟଙ୍କା ଦେବେ’, ‘ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ସରକାର ମାଗଣା ଇଂଟରନେଟ ସେବା ଯୋଗାଇଦେବେ’, ‘ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ସବୁ ହୋଟେଲ ବନ୍ଦ ରହିବ’ ଇତ୍ୟାଦି ଗୁଜବ ବ୍ୟାପକ ଭାବେ ପ୍ରସାରିତ ହୋଇଛି। କିନ୍ତୁ ସେ ସବୁ ଖବର ମିଛ ବୋଲି ଜଣା ପଡ଼ିଥିଲା ଏବଂ ପରେ ତଥ୍ୟ ଜଣାପଡ଼ିବା ପରେ ତାହା ପ୍ରତ୍ୟାହାର କରି ନିଆଯାଇଥିଲା।

ମିଛ ଖବର ପ୍ରସାରଣର ଆଉ ଏକ ଭୟଙ୍କର ରୂପ ମଧ୍ୟ ଦେଖିବାକୁ ମିଳିଛି। ତାହା ଲୋକଙ୍କ ମନରେ ଛନକା ଭରି ଦେଇଥିଲା। ଆମେରିକା ଓ ଅନ୍ୟାନ୍ୟ ଦେଶକୁ ଭାରତ ‘ଏଚ୍‌ସିକ୍ୟୁ’ ରପ୍ତାନି କରିବା ପରେ ଗୋଟିଏ ମିଛ ଖବର ପ୍ରସାରିତ ହେଲା ଯେ ଭାରତ ପାଖରେ ନିଜ ଲୋକଙ୍କ ଆବଶ୍ୟକତା ପୂରଣ କରିବା ସକାଶେ ଆଉ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ନାହିଁ। ସେହିଭଳି ଆଉ କିଛି ଗୁଜବ ଖବର ପ୍ରସାରିତ ହୋଇଥିଲା ଯେ ‘ତାମିଲନାଡ଼ୁକୁ ମଗାଯାଇଥିବା ପରୀକ୍ଷା ଉପକରଣ ଆମେରିକାକୁ ପଠାଇ ଦିଆଯାଇଛି’, ‘ଇଶା ଫାଉଣ୍ଡେସନରେ ଥିବା ୧୫୦ ଜଣ ବିଦେଶୀ ନାଗରିକ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି’, ‘ଜଣେ ବିଏମ୍‌ସି ଅଧିକାରୀ ଦାବି କରିଛନ୍ତି ଯେ ମୁମ୍ବାଇରେ କରୋନା ମହାମାରୀର ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଯାଇଛି’, ‘ଜାମ୍ମୁ ଓ କାଶ୍ମୀରରେ ମେଡିକାଲ ସାମଗ୍ରୀ ଯୋଗାଣର ଘୋର ଅଭାବ ଦେଖାଦେଇଛି’, ‘ମଣିପୁରର ଚୁରା ଚନ୍ଦପୁର ଜିଲ୍ଲାରେ କୌଣସି ପଡ଼ି ସାମଗ୍ରୀ ମିଳୁନାହିଁ’ ଇତ୍ୟାଦି। ଗୋଟିଏ ପ୍ରମୁଖ ସମ୍ବାଦପତ୍ର ଆକଳନ କରିଥିଲା ଯେ ମୁମ୍ବାଇରେ ଏପ୍ରିଲ ମାସ ଶେଷ ସୁଦ୍ଧା କରୋନା ସଂକ୍ରମଣଙ୍କ ସଂଖ୍ୟା ୪୦,୦୦୦ ଛୁଇଁବ ଏବଂ ମେ ମାସ ମଝାମଝି ବେଳକୁ ତାହା ୬.୫ ଲକ୍ଷ ଛୁଇଁବ। ଏ ସବୁ ଅତି ଗୁରୁତର କଥା ଏବଂ ସବୁ ଖବର ମିଛ ବୋଲି ପ୍ରମାଣିତ ହୋଇଥିଲା। ତେଣୁ ଖବରର ସୂତ୍ର ବା ଯେଉଁମାନଙ୍କ ଠାରୁ ତାହା ଆସିଥିଲା, ପରେ ପଛଘୁଞ୍ଚ‌ା ଦେଇଥିଲେ। ଆମେ ଯଦି ଏଭଳି ଗୁଜବର ସତ୍ୟାସତ୍ୟ ସଂପର୍କରେ ନିରବଚ୍ଛିନ୍ନ ଭାବେ ଯାଂଚ କରିନଥାନ୍ତୁ ଏବଂ ତୁରନ୍ତ ପ୍ରତିବାଦ ଜାରି କରିନଥାନ୍ତୁ, ତେବେ ଏଭଳି ଉଡ଼ା ଖବର ଓ ଗୁଜବ ସେମିତି ଜାରି ରହିଥାନ୍ତା।

ଏଭଳି ମିଥ୍ୟା ଖବର ପ୍ରସ୍ତୁତି ଓ ପ୍ରସାର ପଛରେ ଏକ ଗୁରୁତର ମନ୍ଦ ଉଦ୍ଦେଶ୍ୟ ନିହିତ ରହିଛି। ହିମାଚଳ ପ୍ରଦେଶରୁ ସେମିତି ଗୋଟିଏ ମିଛ ଖବର ଆସିଲା ଯେ ଲୋକମାନଙ୍କୁ କ୍ଷୀର ଯୋଗାଉଥିବା ମୁସଲମାନ ଗୁଜ୍ଜରମାନଙ୍କୁ ଲୋକେ ଘର ନିକଟକୁ ଆସିବାକୁ ଦେଉନାହାନ୍ତି। ସେମିତି ମଣିପୁରର ତାନେଙ୍ଗଲଙ୍ଗ ଜିଲ୍ଲା ହସ୍‌ପିଟାଲରେ କେହି କର୍ମଚାରୀ ନାହାନ୍ତି କିମ୍ବା କିଛି ଉପକରଣ ନାହିଁ। ସେ ସବୁ ସଂପୂର୍ଣ୍ଣ ମିଛ ବୋଲି ଜଣା ପଡ଼ିଥିଲା। ଆମର ପିଆଇବି ‘ତଥ୍ୟ ଯାଂଚ ୟୁନିଟ’ ଦ୍ବ‌ାରା ସଂଗ୍ରହ କରାଯାଇଥିବା ଏ ସବୁ ହେଉଛି ତଥ୍ୟ ଆଧାରିତ ରେକର୍ଡ। ମୋର ଏଠାରେ ପ୍ରଶ୍ନ ହେଲା ଏହାର ଫଳ କ’ଣ ହେବ? ଏଥିରୁ କାହାକୁ କ’ଣ ମିଳିବ? ସରଳ ଉତ୍ତରଟି ହେଲା- ‘ଏମିତିକା ମିଛ ଖବର ପ୍ରସାର ପାଇଁ ଜାଣିଶୁଣି ଉଦ୍ୟମ କରାଯାଉଛି।’ ମୁଁ ଦୃଢ଼ ନିଶ୍ଚିତ ଏବଂ ମୋର ବିଶ୍ବାସ ଏଥିରେ ସଭିଏଁ ସହମତ ହେବେ ଯେ ଗଣମାଧ୍ୟମ ସ୍ବ‌ାଧୀନତା ନାମରେ ଏଭଳି ମିଥ୍ୟା ଖବର ପ୍ରସାରଣକୁ କେହି କେବେ ଗ୍ରହଣ କରିବେ ନାହିଁ। ଲେଖକ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ; ସୂଚନା ଓ ପ୍ରସାରଣ; ଭାରୀ ଶିଳ୍ପ ଓ ସରକାରୀ ଉଦ୍ୟୋଗ ମନ୍ତ୍ରୀ

ସମ୍ବନ୍ଧିତ ଖବର