କୃଷି ଆଲୋଚନା, ଚାଷୀ ଉଚିତ ମୂଲ୍ୟ ପାଇବ ତ!

ସରଳ କୁମାର ଦାସ

‘ଏମ୍‌ଏସ୍‌ପି’ ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନରେ ପରିଣତ କରିବା ଉପରେ ଚାଷୀ ସଂଗଠନମାନେ ଅଡ଼ି ବସିଛନ୍ତି। ଅଥଚ, ସରକାର ତାକୁ ଆଇନଗତ ବୈଧତା ପ୍ରଦାନ କରିବା ପାଇଁ ଅନାଗ୍ରହୀ। ‘ଏମ୍‌ଏସ୍‌ପି’ରେ ଶସ୍ୟ ସଂଗ୍ରହ ବନ୍ଦ ହେବ ନାହିଁ ବୋଲି ସରକାରୀ ଘୋଷଣା ସତ୍ତ୍ୱେ ସରକାର କ୍ରମେ ସଂଗ୍ରହ ପ୍ରକ୍ରିୟାରୁ ଓହରି ଯିବାକୁ ଚାହୁଁଛନ୍ତି ବୋଲି ଚାଷୀଙ୍କର ଦୃଢ଼ ବିଶ୍ୱାସ। ନୂଆ ଆଇନରେ କୃଷି ବଜାରରେ କମ୍ପାନିଙ୍କ ପ୍ରବେଶ ଫଳରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ି ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ଯଥେଷ୍ଟ ଅଧିକ ମୂଲ୍ୟ ପାଇବ ବୋଲି ସରକାରଙ୍କ ଯୁକ୍ତି। ଚାଷୀଙ୍କର ଯୁକ୍ତି ଯେ ଅଧିକ ମୂଲ୍ୟ ମିଳିଲେ ଅସୁବିଧା ନାହିଁ, କିନ୍ତୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ‘ଏମ୍‌ଏସ୍‌ପି’ ଚାଷୀର ଚାଷ ବାବଦରେ ଖର୍ଚ୍ଚକୁ ଆଧାର କରି ସର୍ବନିମ୍ନ ମୂଲ୍ୟ ହୋଇ ଥିବାରୁ କେହି ତା’ଠାରୁ କମ୍‌ରେ କିଣିବା ଅର୍ଥ ଚାଷୀର ଶୋଷଣ କରିବା। ତେବେ ଏହି ଦୁଇ ପକ୍ଷରୁ କାହିଁକି ପରସ୍ପର ବିରୋଧୀ ମତ ପ୍ରକାଶ ପାଉଛି ତାହା ଅନୁଧ୍ୟାନ ସାପେକ୍ଷ।

ସ୍ୱାମୀନାଥନ କମିଟିର ସୁପାରିସ କ୍ରମେ କୃଷକଙ୍କୁ ସେମାନଙ୍କ ଚାଷ ବାବଦ ବ୍ୟୟର ଦେଢ଼ ଗୁଣ ‘ଏମ୍‌ଏସ୍‌ପି’ ଆକାରରେ ଦିଆଯିବ ବୋଲି ବିଜେପି ତରଫରୁ ୨୦୧୪ ମସିହାରେ ନିର୍ବାଚନୀ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ଶାସନକୁ ଆସିଲା ପରେ ୨୧ ଫେବ୍ରୁଆରି ୨୦୧୫ରେ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଆଫିଡେଭିଟ ଦେଇ କୁହାଗଲା ଯେ ‘ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ‘ଏମ୍‌ଏସ୍‌ପି’ ଆକାରରେ ଦେବା ସମ୍ଭବ ନୁହେଁ, କାରଣ ଏହା ବଜାର ବ୍ୟବସ୍ଥାକୁ ବିକୃତ କରିପାରେ। କେତେକ କ୍ଷେତ୍ରରେ ‘ଏମ୍‌ଏସ୍‌ପି’ ଓ ଉତ୍ପାଦନ ଖର୍ଚ୍ଚ ମଧ୍ୟରେ ଏକ ଯନ୍ତ୍ରବତ୍‌ ସଂଯୁକ୍ତି ଅନୁତ୍ପାଦକ ସାବ୍ୟସ୍ତ ହୋଇପାରେ।’ ‘ଏମ୍‌ଏସ୍‌ପି’ ପ୍ରଦାନକୁ ନେଇ ସରକାର ଏପରି ଆଭିମୁଖ୍ୟ ରଖୁଥିବା ବେଳେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୨୦୧୮ ମସିହା ବଜେଟ ଅଭିଭାଷଣରେ କହିଲେ ଯେ ସରକାର ରବି ଋତୁ ଠାରୁ ଅଧିକାଂଶ ଫସଲ ପାଇଁ ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ‘ଏମ୍‌ଏସ୍‌ପି’ ଦେବା ଆରମ୍ଭ କଲେଣି। ତାହା କେତେକାଂଶରେ ସତ ହୋଇଥିଲେ ବି ସମ୍ପୂର୍ଣ୍ଣ ସତ ନୁହେଁ। ଏବେ ମଧ୍ୟ ‘ଏମ୍‌ଏସ୍‌ପି’ ଏ-ଟୁ ଯୁକ୍ତ ଏଫଏଲ (ଚାଷ ପାଇଁ ନଗଦ ଓ ଜିନିଷ ଆକାରରେ ହେଉଥିବା ସବୁ ଖର୍ଚ୍ଚ, ମଜୁରି, ହଳ, ବିହନ, ସାର, ଔଷଧ, ଜଳସେଚନ, ପରିବାର ଶ୍ରମ ଇତ୍ୟାଦି) ଆଧାରରେ ଧାର୍ଯ୍ୟ ହେଉଛି, ସ୍ୱାମୀନାଥନ କମିଟିଙ୍କ ସି-ଟୁ (ଏ-ଟୁ ଏଫଏଲ ସହିତ ଜମିର ଭଡ଼ା, ସ୍ଥାୟୀ ପୁଞ୍ଜି ଉପରେ ସୁଧ) ଆଧାରରେ ନୁହେଁ। ‘ଏମ୍‌ଏସ୍‌ପି’କୁ ନେଇ ଆଚରଣ ଓ ଉଚ୍ଚାରଣରେ ବିଭିନ୍ନ ସମୟରେ ଥିବା ଏହି ଅସଙ୍ଗତି ହିଁ ସରକାରଙ୍କ ପ୍ରତି ଚାଷୀଙ୍କ ଅବିଶ୍ୱାସର ମୁଖ୍ୟ କାରଣ।

କୃଷି ବ୍ୟୟ ଓ ମୂଲ୍ୟ ଆୟୋଗଙ୍କ ୨୦୨୦-୨୧ ରିପୋର୍ଟରେ ସରକାରଙ୍କୁ ଶସ୍ୟ ସଂଗ୍ରହ ହ୍ରାସ କରିବା ତଥା ଗଚ୍ଛିତ ଶସ୍ୟକୁ ଖୋଲା ବଜାରରେ ବିକ୍ରି କରିବା ପାଇଁ ପରାମର୍ଶ ଦିଆଯାଇଛି। ପଞ୍ଜାବ, ହରିଆଣା ଏବଂ ଚାଷୀଙ୍କୁ ବୋନସ ଦେଉଥିବା ରାଜ୍ୟଗୁଡ଼ିକରୁ ଶସ୍ୟ ସଂଗ୍ରହ କମ୍‌ କରିବା ଲାଗି ସୁପାରିସ କରାଯାଇଛି। ଏଥିରୁ ଆଗାମୀ ଦିନରେ ଶସ୍ୟ ସଂଗ୍ରହର ପରିମାଣ ହ୍ରାସ ପାଇବାକୁ ଯାଉଥିବାର ଆଭାସ ମିଳୁଛି। ‘ଏମ୍‌ଏସ୍‌ପି’ରେ ଶସ୍ୟ ସଂଗ୍ରହ ପାଇଁ ଆବଶ୍ୟକ ହେଉଥିବା ଅର୍ଥକୁ କେନ୍ଦ୍ର ସରକାର ଖାଦ୍ୟ ସବ୍‌ସିଡି ପାଇଁ ଆବଣ୍ଟିତ ରାଶିରୁ ଦେଇଥାଆନ୍ତି। ଜିଡିପିର ପ୍ରାୟ ୨ ପ୍ରତିଶତ ରାଶି ଖାଦ୍ୟ ସବ୍‌ସିଡି ବାବଦରେ ବ୍ୟୟ ହେଉଥିବାରୁ ଏହାର ପରିମାଣକୁ କମ୍‌ କରି ବିତ୍ତୀୟ ନିଅଣ୍ଟକୁ ହ୍ରାସ କରିବା ପାଇଁ ଚାପ ପଡ଼ି ଆସୁଛି ଓ ବଜେଟରେ ଖାଦ୍ୟ ସବ୍‌ସିଡି ପାଇଁ ଆବଣ୍ଟନ ବି କମ୍‌ ହେଉଛି। ଏପରିକି ବିତ୍ତୀୟ ନିଅଣ୍ଟ କମ୍‌ ଦର୍ଶାଇବା ଲାଗି ସରକାର ଏଫ୍‌ସିଆଇକୁ ତା’ର ପ୍ରାପ୍ୟର ୫୦ ପ୍ରତିଶତରୁ କମ୍‌ ରାଶି ଦେଇ ବଳକା ରାଶିକୁ ‘କ୍ୟାରି ଓଭର ଲାଏବିଲିଟି’ ଭାବେ ପର ବର୍ଷକୁ ଗଡ଼ାଇ ଦେଉଛନ୍ତି। ଫଳରେ ଏଫ୍‌ସିଆଇ ଚଢ଼ା ସୁଧରେ ଋଣ ନେଇ ସଂଗ୍ରହ କାର୍ଯ୍ୟକୁ ଜାରି ରଖିବାକୁ ବାଧ୍ୟ ହେଉଛି, ଯଦ୍ଦ୍ୱାରା ଭବିଷ୍ୟତରେ ଶସ୍ୟ ସଂଗ୍ରହ ପ୍ରକ୍ରିୟା ଗମ୍ଭୀର ଭାବେ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହେଉଛି। ସରକାରଙ୍କ ‘ଆଗ ଭଳି ‘ଏମ୍‌ଏସ୍‌ପି’ରେ ଶସ୍ୟସଂଗ୍ରହ ଚାଲୁ ରହିବ’ ପ୍ରତିଶ୍ରୁତି ଆଂଶିକ ଭାବେ ସତ। କାରଣ ଖାଦ୍ୟ ସୁରକ୍ଷା ଆଇନ ଓ ଅନ୍ୟାନ୍ୟ ଜନମଙ୍ଗଳକାରୀ କାର୍ଯ୍ୟକ୍ରମକୁ ଚାଲୁ ରଖିବା ପାଇଁ ଆବଶ୍ୟକ ହେଉଥିବା ଖାଦ୍ୟଶସ୍ୟ ତ ସଂଗ୍ରହ କରିବାକୁ ହେବ। କିନ୍ତୁ ହୁଏତ ଭବିଷ୍ୟତରେ ସଂଗୃହୀତ ଶସ୍ୟ ନିର୍ଦ୍ଧାରିତ ବଫର ଷ୍ଟକ୍‌ ପରିମାଣ ( ଧାନ ୧୦୮ ଲକ୍ଷ ଟନ୍‌, ଗହମ ୫୬.୧ ଲକ୍ଷ ଟନ୍‌, ଡାଲି ଜାତୀୟ ଶସ୍ୟ ୨୦ ଲକ୍ଷ ଟନ୍‌) ମଧ୍ୟରେ ସୀମିତ ରଖିବା ଲାଗି ନିଷ୍ପତ୍ତି ନେଇ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ସେମାନଙ୍କ ଆବଶ୍ୟକତା ଠାରୁ ଅଧିକ ଶସ୍ୟ ସଂଗ୍ରହ କରିବାକୁ ବାରଣ କରି ପାରନ୍ତି। ତାହାହେଲେ କେବଳ ପଞ୍ଜାବ ନୁହେଁ, ଓଡ଼ିଶା ଭଳି ଯେଉଁ ରାଜ୍ୟଗୁଡ଼ିକ ବିକେନ୍ଦ୍ରୀକୃତ ସଂଗ୍ରହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ ମାଧ୍ୟମରେ ବଳକା ଶସ୍ୟ ସଂଗ୍ରହ କରି କେନ୍ଦ୍ରୀୟ ପୁଲ୍‌କୁ ଯୋଗାଇ ଆସୁଛନ୍ତି, ସେଠାକାର ଚାଷୀମାନେ ସର୍ବାଧିକ ଆକ୍ରାନ୍ତ ହେବେ। ଉଦାହରଣ ସ୍ୱରୂପ, ଓଡ଼ିଶାରେ ଧାନର ଆବଶ୍ୟକତା ୩୦ ଲକ୍ଷ ଟନ୍‌ ଥିବା ବେଳେ ଏଠାରୁ ୭୧ ଲକ୍ଷ ଟନ୍‌ ସଂଗୃହୀତ ହେଉଥିବାରୁ, ଏହି ବଳକା ୪୧ ଲକ୍ଷ ଟନ୍‌ ଧାନ ଚାଷୀଙ୍କଠାରୁ ସଂଗୃହୀତ ହେବା ନେଇ ଆଶଙ୍କା ସୃଷ୍ଟି ହେବ।

ତିନିଟି କୃଷି ଆଇନ ମଧ୍ୟରୁ କୃଷକଙ୍କ ଉତ୍ପାଦର ବେପାର ଓ ବାଣିଜ୍ୟ (ଉନ୍ନତି ଓ ସୁବିଧା) ଆଇନ ଚାଷୀଙ୍କ ରୋଜଗାର ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା କରି ଏହାକୁ ସର୍ବାଧିକ ବିରୋଧ କରାଯାଉଛି। ଏହି ଆଇନ ଦ୍ୱାରା ଚାଷୀମାନଙ୍କୁ ମଣ୍ଡି ବାହାରେ ଏକ ବିକଳ୍ପ ବଜାର ବ୍ୟବସ୍ଥା ଉପଲବ୍‌ଧ କରାଇ ସେମାନଙ୍କ ରୋଜଗାର ବୃଦ୍ଧି ପାଇଁ ପଦକ୍ଷେପ ନିଆ ଯାଇଥିବା କଥା ସରକାର କହୁଛନ୍ତି। ଏହାକୁ ‘ଏପିଏମ୍‌ସି ବାଇପାସ ଆଇନ’ ବୋଲି ଅଭିହିତ କରି ଏହା ଦ୍ୱାରା ମଣ୍ଡି ବ୍ୟବସ୍ଥା ଭୁଶୁଡ଼ି ୩୦ ଲକ୍ଷ କୋଟି ଟଙ୍କାର କୃଷି ବଜାର ବ୍ୟବସ୍ଥା ବଡ଼ ବଡ଼ କମ୍ପାନିଙ୍କ ହାତକୁ ଚାଲି ଯାଇପାରେ। ଚାଷୀମାନେ ଏହା ଦ୍ବାରା ଅଧିକ ଶୋଷିତ ହେବେ ବୋଲି ସେମାନଙ୍କର ଆଶଙ୍କା। ବର୍ତ୍ତମାନ ସାରା ଦେଶରେ ‘ଏପିଏମ୍‌ସି’ ଆଇନ ଅନୁଯାୟୀ ୬୩୩୦ଟି ମଣ୍ଡି ବା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟ କରୁଛି। ଏଥିରୁ ଅଧିକାଂଶ ସେପରି ସୁଦୃଢ଼ ବା କ୍ରିୟାଶୀଳ ନୁହନ୍ତି; କାରଣ ଅଧିକାଂଶ ରାଜ୍ୟରେ ଏଗୁଡ଼ିକର ସଂଖ୍ୟା ଏତେ କମ୍‌ ଯେ ସେମାନଙ୍କ ଲାଗି ନିର୍ଦ୍ଧାରଣ କରାଯାଇଥିବା ବିସ୍ତୀର୍ଣ୍ଣ ଅଞ୍ଚଳର ଚାଷୀ ସେମାନଙ୍କ ଉତ୍ପାଦକୁ ଏହି ମଣ୍ଡିରେ ବିକ୍ରି କରିବା କଠିନ। ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ତଥ୍ୟ ଅନୁଯାୟୀ ଆବଶ୍ୟକ ସଂଖ୍ୟକ ବଜାର ଅଭାବରୁ ଦେଶର ଶତକଡ଼ା ୫୦ ଭାଗରୁ ଅଧିକ ଚାଷୀ ‘ଏପିଏମ୍‌ସି’ ମାଧ୍ୟମରେ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରି ନ ଥାଆନ୍ତି। ଗୋଟିଏ ‘ଏପିଏମ୍‌ସି’ର କାର୍ଯ୍ୟ କ୍ଷେତ୍ର ହାରାହାରି ୪୯୬ ବର୍ଗ କିଲୋମିଟର ହୋଇଥିବା ବେଳେ ଓଡ଼ିଶାରେ ଏହା ପ୍ରାୟ ୨୩୨୪ ବର୍ଗ କିଲୋମିଟର। ଗାଁ ନିକଟରେ ବଜାର ବ୍ୟବସ୍ଥାର ଅନୁପଲବ୍‌ଧତା କାରଣରୁ ଅଧିକାଂଶ ଚାଷୀ ସେମାନଙ୍କ ଉତ୍ପାଦକୁ ମଣ୍ଡିରେ ବିକ୍ରି କରି ପାରନ୍ତି ନାହିଁ। ସ୍ୱାମୀନାଥନ କମିଟିଙ୍କ ସୁପାରିସ ଅନୁଯାୟୀ ପ୍ରତି ୮୦ ବର୍ଗ କିଲୋମିଟର କ୍ଷେତ୍ର ପାଇଁ ଗୋଟିଏ ବଜାର ରହିବା ଆବଶ୍ୟକ। ନୂଆ ବଜାର ପ୍ରତିଷ୍ଠା ନେଇ ଦୀର୍ଘ ୧୫ ବର୍ଷ ଭିତରେ ବିଶେଷ ଧ୍ୟାନ ଦିଆଯାଇନାହିଁ। ୨୦୧୮-୧୯ କେନ୍ଦ୍ରୀୟ ବଜେଟରେ ଦେଶର ୨୨୦୦୦ ଗ୍ରାମ୍ୟ ହାଟର ଉନ୍ନତୀକରଣ କରାଯାଇ ସେଗୁଡ଼ିକୁ ଗ୍ରାମୀଣ କୃଷି ବଜାର (ଗ୍ରାମ)ରେ ପରିବର୍ତ୍ତିତ କରିବାର ଏକ ଉଚ୍ଚାକାଂକ୍ଷୀ ଯୋଜନା ଘୋଷିତ ହୋଇଥିଲା। ୨୦୦୦ କୋଟି ଟଙ୍କା ବ୍ୟୟରେ ଏକ କୃଷି ବଜାର ଭିତ୍ତିଭୂମି ପାଣ୍ଠି (ଆମିଫ)ର ଗଠନ କରାଯାଇ ତା’ର ପରିଚାଳନା ଦାୟିତ୍ୱ ନାବାର୍ଡ ଉପରେ ନ୍ୟସ୍ତ ହୋଇଛି। ତଥାପି ଗତ ୩ ବର୍ଷ ମଧ୍ୟରେ ଏଥିରେ ବିଶେଷ ଅଗ୍ରଗତି ପରିଲକ୍ଷିତ ହୋଇନାହିଁ। ବସ୍ତୁତଃ ଗଲା ଜୁଲାଇ ‌େଶଷ ସୁଦ୍ଧା କୌଣସି ରାଜ୍ୟ ଏହି ଯୋଜନାରେ ଟଙ୍କାଟିଏ ମଧ୍ୟ ଋଣ ନେଇ ନାହାନ୍ତି। ଏଥିରୁ ଚାଷୀର ବଜାର ସୃଷ୍ଟି ଓ ବିକାଶର ଭବିଷ୍ୟତ୍‌ କ’ଣ ତାହା ଜଳଜଳ ଦିଶୁଛି।

କୃଷି ଉତ୍ପାଦର ଯେତେ ଅଧିକ କ୍ରେତା ରହିବେ ସେତେ ଭଲ ସତ, ହେଲେ ପ୍ରଶ୍ନ ଉଠୁଛି ସେମାନେ ଚାଷୀକୁ ଅଧିକ ମୂଲ୍ୟ ଦେବେ ତ ? ତେଣୁ ଆଇନ ପ୍ରଣୟନ କରା ନ ଗଲେ ଅନ୍ତତଃ ‘ଏମ୍‌ଏସ୍‌ପି’ରେ ସେମାନେ କ୍ରୟ କରିବେ ବୋଲି ସୁନିଶ୍ଚିତ ହେବ କିପରି? ଅନ୍ୟ ପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ କମ୍ପାନିମାନଙ୍କୁ ଅସୀମ ପରିମାଣର ଖାଦ୍ୟଶସ୍ୟ ମହଜୁଦ କରି ରଖିବାର ସ୍ୱାଧୀନତା ପ୍ରଦାନ କରାଯାଇଛି। ଅମଳ ସମୟରେ ସେହି ମହଜୁଦ ଶସ୍ୟକୁ ବଜାରକୁ ଛାଡ଼ି ସେମାନେ ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ବାଧ୍ୟ କରିବାର ଆଶଙ୍କା ରହିଛି। ଏଠାରେ ‘ଏପିଏମ୍‌ସି’ ବ୍ୟବସ୍ଥା ନ ଥିବା ଦୁଇଟି ରାଜ୍ୟର ଉଦାହରଣ ଦିଆଯାଉ। ଏଠାରେ ଦୁଇ ପରସ୍ପର ବିରୋଧୀ ଚିତ୍ର ଦେଖିବାକୁ ମିଳେ। କେରଳରେ ‘ଏପିଏମ୍‌ସି’ ବ୍ୟବସ୍ଥା ନ ଥିଲେ ବି ସେଠାକାର ଚାଷୀ ସେମାନଙ୍କ ଉତ୍ପାଦ ପାଇଁ ଅନ୍ୟ ରାଜ୍ୟର ଚାଷୀଙ୍କ ଅପେକ୍ଷା ଅଧିକ ମୂଲ୍ୟ ପାଆନ୍ତି କିନ୍ତୁ ବିହାରରେ (୨୦୦୬ ମସିହାରୁ ‘ଏପିଏମ୍‌ସି’ ଉଠିଯାଇଛି) ସେଠାକାର ଚାଷୀ ସେମାନଙ୍କ ଉତ୍ପାଦ ଲାଗି କମ୍‌ ମୂଲ୍ୟ ପାଉଛନ୍ତି। ବିହାର‌େର ସଂଗ୍ରହ ଭିତ୍ତିଭୂମିର ଦୁରବସ୍ଥା କାରଣରୁ ସେଠାକାର ଧାନ ପଞ୍ଜାବ ମଣ୍ଡିରେ ଯାଇ ବିକ୍ରି ହେଉଛି। ଅର୍ଥାତ୍, ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେଲେ ଯେ ଚାଷୀ ଉଚିତ ମୂଲ୍ୟ ପାଇବ ତାର କୌଣସି ଗ୍ୟାରେଣ୍ଟି ନାହିଁ। ତା’ ଛଡା କେବଳ ଆଇନ ପ୍ରଣୟନ ହୋଇଗଲେ ଯେ କମ୍ପାନିମାନେ ଅପହଞ୍ଚ ଅଞ୍ଚଳର ଚାଷୀମାନଙ୍କ ନିକଟରୁ ଶସ୍ୟ ସଂଗ୍ରହ କରିବେ, ତାହା ନୁହେଁ। ଏଭଳି ସ୍ଥିତିରେ କଂପାନିମା‌େନ ସହର ପାଖର ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରିବେ। ତେଣୁ ବ୍ୟାପକ ଭିତ୍ତିଭୂମି ନିର୍ମାଣ ପାଇଁ ଯେଉଁ ରାଜ୍ୟରେ ଯେତେ ଅଧିକ ସରକାରୀ ପୁଞ୍ଜି ଲଗାଣ ହେବ, ସେହି ସ୍ଥାନ ପ୍ରତି ଘରୋଇ କମ୍ପାନିମାନେ ସେତେ ବେଶି ଆକୃଷ୍ଟ ହେବେ। ତେଣୁ ଅଣବିକଶିତ ଅଞ୍ଚଳର ଚାଷୀମାନେ ପୂର୍ବ ଭଳି ବଜାର ସୁଯୋଗର ବାହାରେ ରହିଯିବେ।

ରିଜର୍ଭ ବ୍ୟାଙ୍କ୍‌ର ୨୦୧୮ର ଏକ ଅଧ୍ୟୟନ ଅନୁସାରେ ‘ଏମ୍‌ଏସ୍‌ପି’ ଓ ସେହି ଦରରେ ହେଉଥିବା ସରକାରୀ ସଂଗ୍ରହ ଚାଷୀ ପାଇଁ ପ୍ରତିକୂଳ ବଜାର ବ୍ୟବସ୍ଥାରେ ଏକ ସୁରକ୍ଷା କବଚ ସଦୃଶ। ତେଣୁ ସେଥିରେ ପରିବର୍ତ୍ତନର ଆଶଙ୍କା ଚାଷୀକୁ ବିଚଳିତ କରିବା ସ୍ୱାଭାବିକ। ଅବଶ୍ୟ ୨୩ଟି ଫସଲ ପାଇଁ ‘ଏମ୍‌ଏସ୍‌ପି’ ଘୋଷିତ ହେଉଥିଲେ ମଧ୍ୟ ଧାନ ଓ ଗହମକୁ ବାଦ ଦେଲେ ଅଧିକାଂଶ ଫସଲର ଖୁବ କମ୍‌ ପରିମାଣର ସଂଗ୍ରହ ସରକାରୀ ସ୍ତରରେ ହୋଇଥାଏ। ଚାଷୀମାନେ ସେଗୁଡ଼ିକର ଅଭାବୀ ବିକ୍ରି କରିବାକୁ ବାଧ୍ୟ ହୋଇଥାଆନ୍ତି। ତେଣୁ ମୁଗ, ବିରି, ମକା, ଚିନାବାଦାମ, ସୋୟାବିନ ଆଦି ଚାଷୀମାନେ ‘ଏମ୍‌ଏସ୍‌ପି’ ଦ୍ୱାରା ଲାଭାନ୍ୱିତ ହେଉ ନ ଥିବାରୁ ଏବର ଚାଷୀ ଆନ୍ଦୋଳନରେ ସେମାନେ ଭାଗ ନ ନେବା ସ୍ୱାଭାବିକ। ସରକାର ‘ଏମ୍‌ଏସ୍‌ପି’କୁ ଆଇନରେ ପରିଣତ କଲେ ଅଧିକାଂଶ ରାଜ୍ୟର ଅନ୍ତତଃ ସେହି ୨୩ଟି ଫସଲର ଚାଷୀ ଲାଭବାନ ହେବେ। ଅନେକ ଦୋଷ ଦୁର୍ବଳତା ସତ୍ତ୍ୱେ ମଣ୍ଡି ବ୍ୟବସ୍ଥା ଦଶନ୍ଧି ଦଶନ୍ଧି ଧରି ଚାଷୀଙ୍କ ଲାଗି ଏକ ଉପଯୋଗୀ ଭୂମିକା ନିର୍ବାହ କରି ଆସିଛି। ତେଣୁ ଏହାକୁ ଅଧିକ ଦୁର୍ବଳ ନ କରି ଏହାକୁ ସୁଦୃଢ଼ କରାଯିବା ପ୍ରତି ଦୃଷ୍ଟି ଦିଆଯାଉ। ଏକ ସମର୍ଥ ଓ ସବଳ ମଣ୍ଡି ବ୍ୟବସ୍ଥା ଓ ଘରୋଇ କଂପାନିମାନଙ୍କ ଭିତରେ ଯଦି ପ୍ରତିଦ୍ବନ୍ଦ୍ବିତା ହୁଏ, ତେବେ ଯାଇ ଚାଷୀଙ୍କୁ ସୁଫଳ ମିଳିବ ଓ ଚାଷୀମାନେ ସେମାନଙ୍କ ଉତ୍ପାଦର ଅଧିକ ମୂଲ୍ୟ ପାଇବେ।
ଭୁବନେଶ୍ବର
ମୋ: ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର