‘ଆଜିକାଲି କଲେଜ ପଢ଼ୁଆ ପୁଅଝିଅଙ୍କ କଥାବାର୍ତ୍ତାରେ ଏହି ଦୁଇଟି ପଦର ବହୁଳ ବ୍ୟବହାର ଦେଖାଯାଉଛି। ଆମକୁ କିନ୍ତୁ ଏହି ପଦ ଦୁଇଟିର ସାମ୍ପ୍ରତିକ ଅର୍ଥ ବିଶେଷ ଭାବରେ ବୁଝାପଡୁନାହିଁ। ପୁଅଝିଅମାନେ ସାଙ୍ଗସାଥୀମାନଙ୍କ ସହ କଥାବାର୍ତ୍ତା ହେଲାବେଳେ ଯେତେବେଳେ କହନ୍ତି, ‘ଏକ୍ ମିନିଟ୍’, ଏହାର ଅର୍ଥ ଏଇୟା ହୋଇପାରେ, ‘ଟିକିଏ ରୁହ, ମୁଁ ଗୋଟିଏ ମିନିଟ୍ ମଧୢରେ ମନେ ପକାଇ କହିବି।’ ଏଇୟା ବି ହୋଇପାରେ, ‘ତୁମେ ଗୋଟିଏ ମିନିଟ୍ ଚୁପ୍ ରୁହ, ତା’ପରେ ମୁଁ କହିବି।’ ଶ୍ରେଣୀ ଗୃହରେ ପଢ଼ାଇଲା ବେଳେ ସାର୍ ଯେତେବେଳେ କୌଣସି ପ୍ରଶ୍ନ ପଚାରନ୍ତି, ସେତେବେଳେ ନିଜକୁ ସ୍ମାର୍ଟ ବୋଲି ପରିଚୟ ଦେଉଥିବା କୌଣସି ଛାତ୍ର କିମ୍ବା ଛାତ୍ରୀ କହନ୍ତି ‘ସାର୍, ଏକ୍ ମିନିଟ୍’। ଏହାର ଅର୍ଥ ହୋଇପାରେ, ‘ସାର୍ ମୋତେ ଗୋଟିଏ ମିନିଟ୍ ସମୟ ଦିଅନ୍ତୁ ପ୍ରଶ୍ନଟିର ଉତ୍ତର ଦେବା ପାଇଁ।’ ଏଇୟା ବି ହୋଇପାରେ, ‘ସାର୍, ଆପଣ ଗୋଟିଏ ମିନିଟ୍ ଅପେକ୍ଷା କରନ୍ତୁ ମୋ ଉତ୍ତର ପାଇବା ପାଇଁ। ଘରେ ବାପା ମା’ କୌଣସି କାମରେ ପୁଅ କିମ୍ବା ଝିଅକୁ ଡାକିଲେ ସଙ୍ଗେ ସଙ୍ଗେ ଉତ୍ତର ମିଳେ, ‘ଏକ୍ ମିନିଟ୍’। ଏହାର ଅର୍ଥ ସ୍ପଷ୍ଟ ରୂପେ ବୁଝା ପଡ଼େ ନାହିଁ। ପିଲାମାନେ ବାପା ମା’ଙ୍କୁ ଏକ ମିନିଟ୍ ଅପେକ୍ଷା କରିବାକୁ କହୁଛନ୍ତି ନା ‘ମୁଁ ବର୍ତ୍ତମାନ ଅନ୍ଲାଇନ୍ରେ ଭାରି ବ୍ୟସ୍ତ, ଗୋଟିଏ ମିନିଟ୍ ପରେ ହିଁ ମୁଁ କଥାବାର୍ତ୍ତା କରିପାରିବି’ ବୋଲି କହୁଛନ୍ତି।
ଧନେଶ୍ବର ସାର୍ ଜଣେ କଲେଜ ଶିକ୍ଷକ। ତାଙ୍କର ଗୋଟିଏ ପୁଅ ଏବ˚ ଗୋଟିଏ ଝିଅ। ଦୁହେଁ କଲେଜରେ ପଢ଼ନ୍ତି। ପୁଅ ଝିଅଙ୍କର କଥାବାର୍ତ୍ତା ଶୁଣିଲା ବେଳେ ତାଙ୍କୁ ଖୁବ୍ ମଜା ଲାଗେ। ନିଜର ମାତୃଭାଷା ଓଡ଼ିଆ ପାଇଁ ପ୍ରୀତି ଥିବା ଯୋଗୁଁ ନିଜ ପିଲାମାନଙ୍କୁ ଶୁଦ୍ଧ ଓଡ଼ିଆରେ କହିବା, ପଢ଼ିବା ଏବ˚ ଲେଖିବା ବିଷୟରେ ପିଲାଟି ବେଳୁ ଯତ୍ନ ନିଅନ୍ତି। ଯେତେବେଳେ ପିଲାମାନଙ୍କର ଭାଷାଗତ ଶିକ୍ଷା ଓଡ଼ିଆ, ଇ˚ରେଜୀ, ହିନ୍ଦୀ ଏବ˚ ସ˚ସ୍କୃତ ଆଦି ଚାରିଟି ଭାଷାଜ୍ଞାନକୁ ପ୍ରସାରିତ ହେଲା, ପିଲାମାନଙ୍କର ଓଡ଼ିଆ ଭାଷା ପ୍ରୀତି ସେତିକି କମିବାକୁ ଲାଗିଲା। ଫଳରେ ପିଲାମାନେ ଘରେ ଓଡ଼ିଆରେ କଥାବାର୍ତ୍ତା ହେଲେ, କଲେଜରେ ଇଂରେଜୀରେ ପଢ଼ିଲେ, ହିନ୍ଦୀ କ୍ଲାସ୍ରେ ସାଙ୍ଗସାଥୀମାନଙ୍କ ସହ ହିନ୍ଦୀରେ କଥାବାର୍ତ୍ତା ହେଲେ ଏବ˚ ପରୀକ୍ଷାରେ ଭଲ ନମ୍ବର ରହିବ ବୋଲି ସ˚ସ୍କୃତ ସାର୍ଙ୍କ ପାଖକୁ ଟୁଇସନ୍ ଗଲା ବେଳେ ସେହି ଘଣ୍ଟାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସ˚ସ୍କୃତ ଭାଷା ଜ୍ଞାନ ଶିଖିଲେ। ଫଳରେ ଯେତେବେଳେ ପିଲାମାନେ କୌଣସି ଗୋଷ୍ଠୀଗତ ଆଲୋଚନା କିମ୍ବା ସାକ୍ଷାତକାରରେ ଭାଗ ନିଅନ୍ତି, ନା ସ୍ପଷ୍ଟ ଇ˚ରେଜୀ କହନ୍ତି, ନା ଶୁଦ୍ଧ ହିନ୍ଦୀ ନା ଶୁଦ୍ଧ ଓଡ଼ିଆ। ସାଧାରଣରେ କଥାବାର୍ତ୍ତା ହେଲାବେଳେ ସେମାନଙ୍କର କଥାବାର୍ତ୍ତା ଏହି ତିନିଟି ଭାଷାର ଏକ ଖେଚେଡ଼ି ଭଳି ଲାଗେ, ଯାହାକୁ ଶୁଣିଲେ ଧନେଶ୍ବର ସାର୍ଙ୍କୁ ଖୁବ୍ ମଜା ଲାଗେ।
ବର୍ତ୍ତମାନ ସମୟରେ ଟେଲିଭିଜନ ତଥା ବିଭିନ୍ନ ସାମାଜିକ ଗଣମାଧୢମର ପ୍ରସାର ଫଳରେ ଆଜିକାଲିର ପିଲାମାନେ ତାହା ଦ୍ବାରା ଅତି ଶୀଘ୍ର ପ୍ରଭାବିତ ହୋଇ ପଡୁଛନ୍ତି। ତେଣୁ ଟେଲିଭିଜନ କିମ୍ବା ସିନେମାର ହିରୋ କିମ୍ବା ହିରୋଇନ୍ ମାନଙ୍କର ବେଶଭୂଷା, ପରିପାଟୀ, କଥାବାର୍ତ୍ତାର ଶୈଳୀ ତଥା ସେମାନଙ୍କର ଶାରୀରିକ କସରତ ଏବ˚ ଖାଦ୍ୟ ଅଭ୍ୟାସ ଅତି ଶୀଘ୍ର ଆମ ପିଲାମାନଙ୍କ ଉପରେ ପ୍ରଭାବ ପକାଉଛି। ଫଳ ସ୍ବରୂପ ପୁଅ ପିଲାମାନେ ଝିଅଙ୍କ ଭଳି ଚୁଟି ରଖିବା, କାନ କଣା କରି କାନ ରି˚ ପିନ୍ଧିବା, ନିଜ ଶରୀରର ବିଭିନ୍ନ ଅଙ୍ଗରେ ଟାଟୁ କରିବା, ଝିଅମାନେ ପୁଅଙ୍କ ଭଳି ଡ୍ରେସ୍ ପିନ୍ଧିବା, ବିଭିନ୍ନ ରଙ୍ଗ ବେରଙ୍ଗର ପୋଷାକ ଠାରୁ ଆରମ୍ଭ କରି ହାଇହିଲ୍ ପର୍ଯ୍ୟନ୍ତ ଏବ˚ ମୁଣ୍ତର କେଶକୁ ବିଭିନ୍ନ ରଙ୍ଗରେ ରଙ୍ଗାୟିତ କରିବା ଭଳି ସବୁଥିରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି।
ତେଣୁ ‘ଏକ୍ ମିନିଟ୍’ ହେଉଛି ହିନ୍ଦୀ ଭାଷାରେ ଟେଲିଭିଜନ ଓ ସିନେମାର ଚରିତ୍ରମାନଙ୍କ ସ˚ଳାପରେ ବହୁଳ ବ୍ୟବହୃତ ଦୁଇଟି ପଦ, ଯାହାକୁ ଓଡ଼ିଆରେ ପ୍ରକାଶ କଲେ ‘ଗୋଟିଏ ମିନିଟ୍’ ବୋଲି ବୁଝାଯିବ। କିନ୍ତୁ ହିନ୍ଦୀର ଏହି ‘ଏକ୍ ମିନିଟ୍’ର ଅର୍ଥ ଠାରୁ ଓଡ଼ିଆର ‘ଗୋଟିଏ ମିନିଟ୍’ର ଅର୍ଥ ଭାଷାଗତ, ଭାବଗତ ତଥା ସା˚ସ୍କୃତିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ନିଆରା। ଅନ୍ୟ ଅର୍ଥରେ ଏହାକୁ ଏକ ସା˚ସ୍କୃତିକ ଅତିକ୍ରମଣ ବୋଲି ମଧୢ କୁହାଯାଇପାରେ।
ଥରେ ଗୋଟିଏ କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା। ସଭା ମଞ୍ଚରେ ନିମନ୍ତ୍ରିତ ଅତିଥି ଭାବେ ଥିଲେ କଲେଜ ପରିଚାଳନା କମିଟିର ସଭାପତି, ଛାତ୍ର ସ˚ସଦର ସଭାପତି, ଶିକ୍ଷାବିଭାଗର ମନ୍ତ୍ରୀ, ଜିଲ୍ଲାର କଲେକ୍ଟର ଏବ˚ ମୁଖ୍ୟବକ୍ତା ଥିଲେ ଧନେଶ୍ବର ସାର୍। ଭାଷଣ ପର୍ବ ପରେ ସା˚ସ୍କୃତିକ କାର୍ଯ୍ୟକ୍ରମ ଥିବାରୁ ଆୟୋଜକମାନେ ଆଗରୁ ନମ୍ରତାର ସହିତ ସୂଚାଇ ଦେଇଥିଲେ ଯେ ପ୍ରତ୍ୟେକ ବକ୍ତା ପାଞ୍ଚ ମିନିଟ୍ ମଧୢରେ ନିଜର ବକ୍ତବ୍ୟ ସାରିବେ। ଅବଶ୍ୟ, ଆଜିକାଲି ଭାଷଣ ଶୁଣିବାକୁ କାହାର ବା ଆଗ୍ରହ ଅଛି?
ପ୍ରଥମେ ଅନୁଷ୍ଠାନର ସଭାପତି ସ୍ବାଗତ ଭାଷଣ ଦଶ ମିନିଟ୍ ଦେଲା ପରେ ଛାତ୍ର ସ˚ସଦର ସଭାପତି ବାର୍ଷିକ ବିବରଣୀ ପାଠ କରୁ କରୁ କୋଡ଼ିଏ ମିନିଟ୍ ହୋଇଗଲା। ଜିଲ୍ଲା କଲେକ୍ଟର ମହୋଦୟ ନିଜର ଚାକିରିଗତ ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ସତ୍ତ୍ବେ ବିଶାଳ ଶ୍ରୋତାଙ୍କୁ ଦେଖି ତାଙ୍କର ଇ˚ରେଜୀ ପାଣ୍ତିତ୍ୟ ଦେଖାଉ ଦେଖାଉ ପଚିଶ ମିନିଟ୍ ହୋଇଗଲା। ତା’ପରେ ମନ୍ତ୍ରୀ ଉଠିଲେ ଭାଷଣ ଦେବା ପାଇଁ। ସହଜରେ ରାଜନୀତିଆ ଲୋକ। ଭାଷଣ ଦେବା ତାଙ୍କର ନିତିଦିନିଆ ଅଭ୍ୟାସ। ତେଣୁ ଅଭ୍ୟାସଗତ ଦୃଷ୍ଟିରୁ ନିଜକୁ ସମ୍ଭାଳି ନ ପାରି ଗଦ୍ ଗଦ୍ ହୋଇ ଭାଷଣ ଦେଲେ ପ୍ରାୟ ଅଧଘଣ୍ଟାଏ।
ଶେଷରେ ପାଳି ପଡ଼ିଲା ଧନେଶ୍ବର ସାର୍ଙ୍କର। ମୁଖ୍ୟ ବକ୍ତା ଭାବେ ନିମନ୍ତ୍ରିତ। ସେ କିଛି କହିବା ପୂର୍ବରୁ ଆୟୋଜକମାନଙ୍କ ମଧୢରୁ ଜଣେ ତାଙ୍କ କାନ ପାଖରେ ଆସି କହିଲେ, ‘ସାର୍, ଦର୍ଶକମାନେ ସା˚ସ୍କୃତିକ କାର୍ଯ୍ୟକ୍ରମ ଦେଖିବା ପାଇଁ ଅଧୈର୍ଯ୍ୟ ହୋଇ ପଡ଼ିଲେଣି। ତେଣୁ ଦୟା କରି ଆପଣ ଏକ୍ ମିନିଟ୍ ମଧୢରେ ବକ୍ତବ୍ୟ ସାରି ଦିଅନ୍ତୁ। ଅତି ଚମତ୍କାର ପାଣ୍ତିତ୍ୟ ଏବ˚ ବ୍ୟକ୍ତିତ୍ବର ଅଧିକାରୀ ଧନେଶ୍ବର ସାର୍। ଗମ୍ଭୀର ପରିସ୍ଥିତିକୁ ହାଲୁକା କରିବାର ଉପାୟ ତାଙ୍କୁ ଭଲ ଭାବରେ ଜଣା। ତେଣୁ ନିଜ ଆସନରୁ ଉଠି କହିଲେ, ‘ମୋତେ ଦିଆଯାଇଛି ସମୟ ଏକ୍ ମିନିଟ୍। ତେଣୁ ବନ୍ଧୁଗଣ, ଆପଣମାନେ ଯେତେବେଳେ ଯାହା କହିବାକୁ ଚାହୁଁଛନ୍ତି, ଯଦି ଗୋଟିଏ ମିନିଟ୍ ମଧୢରେ ତାହା ସ୍ପଷ୍ଟ ରୂପେ କହିପାରୁନାହାନ୍ତି, ତାହାହେଲେ ଆପଣ ଜାଣନ୍ତି ନାହିଁ ଆପଣ କ’ଣ କହୁଛନ୍ତି। ଧନ୍ୟବାଦ।’’ ଏହା କହି ଏକ୍ ମିନିଟ୍ ମଧୢରେ ଧନେଶ୍ବର ସାର୍ ତାଙ୍କର ବକ୍ତବ୍ୟ ଶେଷ କଲେ।
ଅବସରପ୍ରାପ୍ତ ଇ˚ରେଜୀ ପ୍ରାଧୢାପକ
ବିଜେବି ମହାବିଦ୍ୟାଳୟ, ଭୁବନେଶ୍ବର
ମୋ: ୯୮୬୧୧୨୪୨୦୨
[email protected]