ଘରେ ରହି ଦପ୍ତର କାର୍ଯ୍ୟ କରିବା ପ୍ରକ୍ରିୟାଟିକୁ ଆମେ ସିନା ନୂଆ କଥା ବୋଲି ଭାବୁଛୁ, ହେଲେ ଅତୀତରେ ଜୀବିକା ନିର୍ବାହ ପାଇଁ ଏହା ହିଁ ଥିଲା ଏକମାତ୍ର ପନ୍ଥା। ଘରେ ରହି ଶିଳ୍ପ କାମ ହେଉଥିଲା ବୋଲି ତାକୁ କୁଟୀର ଶିଳ୍ପ ବୋଲି କୁହା ଯାଉଥିଲା। ପୂର୍ବେ ମହାଜନ କଞ୍ଚାମାଲ କାରିଗରମାନଙ୍କୁ ବିତରଣ କରୁଥିଲା ଓ କାରିଗରମାନେ ଘରେ ରହି ଜିନିଷ ତିଆରି କରି ମହାଜନକୁ ଫେରାଇ ଦେଉଥିଲେ ଓ ତାଙ୍କ ପାଉଣା ନେଉଥିଲେ। ବଡ଼ କଳ କାରଖାନା ବସିବା ପରେ ଯାଇ ଲୋକେ ଗୋଟିଏ ସ୍ଥାନକୁ ଯାଇ ଗୋଷ୍ଠୀଗତ ଭାବରେ କାର୍ଯ୍ୟ ସମ୍ପାଦନ କଲେ।
ସେ ଦିନ ପ୍ରାତଃ ଭ୍ରମଣ ବେଳେ ବିଘ୍ନରାଜ ବାବୁ ଦିଶୁଥିଲେ ଖୁବ୍ ପ୍ରଫୁଲ୍ଲ। ତାଙ୍କ ଭ୍ରମଣ ସାଥି ଖୁସିର କାରଣ ପଚାରିବାରୁ କହିଥିଲେ, ‘କାଲି ପରା ପୁଅ-ବୋହୂ ଚାକିରି ଜାଗାରୁ କୌଣସି ପ୍ରକାରେ ବିମାନ ଟିକଟ ପାଇ ଘରକୁ ଚାଲି ଆସିଛନ୍ତି। କରୋନା ବିପଦରୁ ଦୂରରେ ରହି ଏବେ ଦି’ ଜଣ ଯାକ ଘରୁ ଅଫିସ କାମ କରିବେ।’ ବନ୍ଧୁ ଉତ୍ତର ଦେଲେ, ‘ଯାହା ହେଉ ଭଲ ହେଲା, ଏବେ ତୁମେ ବୁଢା-ବୁଢ଼ୀ ପୁଅ ବୋହୂଙ୍କୁ ପାଖରେ ପାଇ ଭଲରେ ଦିନ କାଟିବ। ପୁଅ ଝିଅମାନେ ତ ପଢ଼ିବାକୁ ଗଲା ଦିନ ଠୁଁ ଆଜିକାଲି ବାପାମା’ଙ୍କ ପାଖରୁ ଦୂରେଇ ଯାଉଛନ୍ତି, ଚାକିରି କାଳରେ ତ ତାଙ୍କୁ ମୁଣ୍ଡ ଉଠାଇବାକୁ ତର ନାହିଁ। ଏବେ କିନ୍ତୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସେମାନଙ୍କ ସାଙ୍ଗରେ ଗୋଟିଏ ଘରେ ରହିବାର ସୁଯୋଗ ପାଇବ। ଏବେ ଅତୀତର ସୁଖୀ ଦିନଗୁଡ଼ିକ ଫେରି ଆସିଲା ଜାଣ।’ ବିଘ୍ନରାଜ ମୁରୁକି ହସାଦେଇ ବନ୍ଧୁଙ୍କ କଥାରେ ସମ୍ମତି ଜଣାଇଲେ।
ଏ ଘଟଣା ବର୍ଷେ ତଳର। କରୋନା ନୂଆ ନୂଆ ଆମ ଦୁନିଆକୁ ଧସେଇ ପଶୁଥିବା ସମୟର କଥା। ମହାମାରୀର ଦ୍ବିତୀୟ ତରଙ୍ଗ କାୟା ବଦଳାଇ ସୁନାମି ରୂପ ଧାରଣ କରିବା ଭଳି ଘରେ ଘରେ ମଧ୍ୟ ଚାକିରିଆ ପୁଅ-ବୋହୂ ଓ ବାପା-ମା’ଙ୍କ ସମ୍ପର୍କରେ କାଳିମାର ବାଦଲ ମାଡ଼ି ଆସିଲାଣି। ଏଇ ସେ ଦିନ ସକାଳେ ବିଘ୍ନରାଜ କହୁଥିଲେ, ‘ଏମାନେ କି କାମ କରୁଛନ୍ତି କେଜାଣି? ସବୁ ବେଳେ କବାଟ କିଳି ରୁମ୍ ଭିତରେ ବସି ରହୁଛନ୍ତି; ଡାକିଲେ ଇଙ୍ଗିତ କରି କହୁଛନ୍ତି: ଜରୁରୀ ମିଟିଂ ଚାଲିଛି, ଡିଷ୍ଟର୍ବ କରନା। ତା’ ବୋଉକୁ ରୋଷେଇ କରିବାକୁ ବାରଣ କରି ସବୁବେଳେ ବାହାରୁ ଖାଦ୍ୟ ମଗାଉଛନ୍ତି। ଆମ ଦିହିଙ୍କି ସେ ଖାଦ୍ୟ ବା କେତେ ଦିନ ସୁହେଇବ? ତା’ ଛଡ଼ା ପୁଅ-ବୋହୂ ମିଶି ଆମର ସବୁ ଆସବାବ ପତ୍ର ପୁରୁଣାକାଳିଆ ବୋଲି କହି ସେଗୁଡ଼ିକ ବଦଳରେ ନୂଆ ଆଣିବା ପାଇଁ ଜିଦ ଲଗାଉଛନ୍ତି।’
ବନ୍ଧୁ ଅଭିଯୋଗର ଏହି ଲମ୍ବା ତାଲିକା ଶୁଣି ଭାବିଲେ ଆଗରୁ ଯୌଥ ପରିବାରରେ ବାପା-ମା’, ପୁଅ-ବୋହୂ, ନାତି, ନାତୁଣୀଙ୍କ ସହ ସାରା ଜୀବନ କାଟି ଦେଉଥିଲେ। ଅବଶ୍ୟ ମଝିରେ ମଝିରେ ଖୁଟଖାଟ ହେଉଥିଲା। ଅଥଚ ଆଜି ଗୋଟିଏ ବର୍ଷ ବି ଖୁସିରେ ରହିବା ସମ୍ଭବ ହେଉନାହିଁ। ଏଥିରେ ଭୁଲ୍ କାହାର? ଆମ ସମସ୍ତଙ୍କର ମିଳି ମିଶି ଚଳିବାର ଶକ୍ତି ଓ ସହନଶୀଳତା ନିଶ୍ଚୟ ହ୍ରାସ ପାଇବାରେ ଲାଗିଛି। ସତ କଥା, ଏହି ଘରେ ରହି କାର୍ଯ୍ୟ କରିବା ପ୍ରଣାଳୀକୁ ଗୋଟିଏ ସୁବର୍ଣ୍ଣ ସୁଯୋଗ ବୋଲି ନ ଭାବି ଆଜି ଆମେ ଏହାର ଅପବ୍ୟବହାର କରି ଚାଲିଛୁ। ଯଦିଓ ଏହି ପ୍ରଣାଳୀର ଲାଭ ଉଠାଉ ଥିବା ଅଧିକାଂଶ କର୍ମଚାରୀ ଏହାର ସପକ୍ଷରେ, ତଥାପି ଅନେକ ସ୍ଥାନରେ ପରିବାରର ଅନ୍ୟ ସଦସ୍ୟମାନଙ୍କ ସହ ସମନ୍ବୟର ଅଭାବରୁ ଅବସ୍ଥା ବେଳେବେଳେ ସାଂଘାତିକ ହୋଇ ଯାଉଛି। ଏମିତି ଏକ ଅଭାବନୀୟ ଘଟଣା ନିକଟରେ ଆମ ଓଡ଼ିଶାର ଗୋପାଳପୁରରେ ଘଟିଗଲା, ଯାହା କି ଥିଲା ଅତ୍ୟନ୍ତ ବେଦନାଦାୟକ। ଖବର କାଗଜଗୁଡ଼ିକର ତଥ୍ୟ ଅନୁସାରେ ଉଚ୍ଚ ଶିକ୍ଷିତ ବାପାଙ୍କର ପୁରୁଣା ଜିନିଷପତ୍ର ଜମେଇ ରଖିବାର ଅଭ୍ୟାସ ଥିଲା; ଅଥଚ ସେ ଏହି କାରଣରୁ ଘରେ ରହି ଅଫିସ କାର୍ଯ୍ୟ ସମ୍ପାଦନ କରୁଥିବା ପୁଅର ଚକ୍ଷୁଶୂଳ ହୋଇ ପଡ଼ିଥିଲେ। ମତାନ୍ତର ଆକ୍ରୋଶର ରୂପ ନେଲା ଓ ପୁଅ ହାତରେ ପିତାଙ୍କର ପ୍ରାଣ ଗଲା।
ଘରେ ରହି ଦପ୍ତର କାର୍ଯ୍ୟ କରିବା ପ୍ରକ୍ରିୟାଟିକୁ ଆମେ ସିନା ନୂଆ କଥା ବୋଲି ଭାବୁଛୁ, ହେଲେ ଅତୀତରେ ଜୀବିକା ନିର୍ବାହ ପାଇଁ ଏହା ହିଁ ଥିଲା ଏକମାତ୍ର ପନ୍ଥା। ଘରେ ରହି ଶିଳ୍ପ କାମ ହେଉଥିଲା ବୋଲି ତାକୁ କୁଟୀର ଶିଳ୍ପ ବୋଲି କୁହା ଯାଉଥିଲା। ପୂର୍ବେ ମହାଜନ କଞ୍ଚାମାଲ କାରିଗରମାନଙ୍କୁ ବିତରଣ କରୁଥିଲା ଓ କାରିଗରମାନେ ଘରେ ରହି ଜିନିଷ ତିଆରି କରି ମହାଜନକୁ ଫେରାଇ ଦେଉଥିଲେ ଓ ତାଙ୍କ ପାଉଣା ନେଉଥିଲେ। ବଡ଼ କଳ କାରଖାନା ବସିବା ପରେ ଯାଇ ଲୋକେ ଗୋଟିଏ ସ୍ଥାନକୁ ଯାଇ ଗୋଷ୍ଠୀଗତ ଭାବରେ କାର୍ଯ୍ୟ ସମ୍ପାଦନ କଲେ। ସବୁଠୁ ବଡ଼ କଥା ହେଲା ଆମ ସମାଜରେ ମା’ଟିଏ ପାଇଁ ତା’ର କାର୍ଯ୍ୟ କରିବାର ପରିସର ଘରର ଚାରି କାନ୍ଥ ଭିତରେ ଆବଦ୍ଧ। ସେଇ ‘ଘରେ ରହି କାର୍ଯ୍ୟ’ ପ୍ରଣାଳୀ ମାଧ୍ୟମରେ ତା’ର ପରିବାର ଓ ପରମ୍ପରାକୁ ସ୍ନେହ ଓ ଆଦରର ଡୋରିରେ ବାନ୍ଧି ରଖେ। ବୈଷୟିକ ଜ୍ଞାନର ପ୍ରଗତି ଅନୁସାରେ ଆଜିର ମଣିଷ ପୁଣି ଘରେ ରହି ନିଜର ଅଫିସ କାର୍ଯ୍ୟ କରି ପାରୁଛି। କରୋନାର ସାମାଜିକ ଦୂରତ୍ବର ଅନିବାର୍ଯ୍ୟତା ପାଇଁ ପୁଣି ଥରେ ଘରେ ରହି କାର୍ଯ୍ୟର ଚାହିଦା ବଢ଼ିବାରେ ଲାଗିଲା ଓ ପିଲାଏ ଘରକୁ ଫେରି ଆସିଲେ। ଘରେ ରହି କାର୍ଯ୍ୟ କରିବା ଯୋଗୁ ହେଉ ଅଥବା ଲକଡାଉନ ଯୋଗୁଁ ହେଉ, ଏକା ସାଙ୍ଗରେ ଗୋଟିଏ ଘରେ ଲମ୍ବା ସମୟ ବିତାଇବାକୁ ପଡୁଥିବାରୁ କେବଳ ବାପ ପୁଅ କାହିଁକି ସ୍ବାମୀ ସ୍ତ୍ରୀ ସମ୍ପର୍କରେ ମଧ୍ୟ ତିକ୍ତତା ଦେଖାଗଲା। କେତେକ କ୍ଷେତ୍ରରେ ଏହି ତିକ୍ତତା କଳହ ଓ ଏମିତି କି ଶାରୀରିକ ହିଂସା ସୃଷ୍ଟି କରିବାର ମଧ୍ୟ ନଜିର ଅଛି। ଏହାର କାରଣ ଅଫିସର ବାତାବରଣ, ପୂର୍ବରୁ ସ୍ବାମୀ ଓ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଜଟିଳ ହେବାକୁ ନ ଦେଇ ଗୋଟିଏ ବିରାମ ପ୍ରଦାନ କରୁଥିଲା। ଆଠ ଦଶ ଘଣ୍ଟାର ଏହି ବିରାମ ସମ୍ପର୍କକୁ ସହଜ କରିବାରେ ସାହାଯ୍ୟ କରୁଥିଲା। ଘରେ ରହି କାର୍ଯ୍ୟ କରିବାର ଏହି କେତୋଟି ଦୁର୍ଭାଗ୍ୟପୂର୍ଣ୍ଣ ପରିଣତି ଛାଡ଼ି ଦେଲେ ପ୍ରାୟତଃ ସମସ୍ତେ ଏଥିରୁ ଉପକୃତ ହେଉଛନ୍ତି। ଗବେଷଣାରୁ ଜଣା ପଡ଼ିଛି ଯେ ଏହି ପ୍ରଣାଳୀ କର୍ମଚାରୀମାନଙ୍କର ଉତ୍ପାଦିକା ଶକ୍ତି ବଢ଼ାଇଛି।
କସ୍ମୋପୋଲିସ୍ ଆପାର୍ଟମେଣ୍ଟ, ଭୁବନେଶ୍ବର
ମୋ: ୯୪୩୭୦୮୯୬୫୫