କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ଇତି ମଧୢରେ ୨୦୨୦ ପାଇଁ ଓଡ଼ିଆ ଅନୁବାଦ ପୁରସ୍କାର ଘୋଷିତ ହୋଇସାରିଛି ଏବ˚ ଓଡ଼ିଶାରେ ତାକୁ ନେଇ ବହୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଇ ପରିପ୍ରେକ୍ଷୀରେ ଖୋଳତାଡ଼ କଲା ପରେ ଜଣାଗଲା ଯେ ଏହି ଅନୁବାଦକୁ ନେଇ ଅସନ୍ତୋଷର ଯେଉଁ ଧୂଆଁ ଉଠୁଛି, ଆଗକୁ ତାହା ଯେ ଭୟଙ୍କର ବହ୍ନିର ରୂପ ନ ନେବ, ଏ ବାବଦରେ ନିଶ୍ଚିତ କରି କହି ହେବ ନାହିଁ। ପ୍ରଥମ କଥା ହେଲା, ନିର୍ଦ୍ଦିଷ୍ଟ ଅନୂଦିତ ଉପନ୍ୟାସ ‘କଲ୍ୟାଣୀ’ ୧୯୯୯ ମସିହାରେ ଅମିୟବାଳା ପଟ୍ଟନାୟକଙ୍କ ଦ୍ବାରା ଅନୂଦିତ ହୋଇ ପ୍ରକାଶିତ ହୋଇ ସାରିଛି ଏବ˚ ପାଠକୀୟ ଆଦୃତି ଲାଭ କରିଛି। ତେଣୁ, ପୁଣି ୨୦ ବର୍ଷ ପରେ ମ˚ଜୁ ମୋଦୀଙ୍କ ଦ୍ବାରା ଅନୂଦିତ ‘କଲ୍ୟାଣୀ’କୁ କେଉଁ ଦୃଷ୍ଟିରୁ ଉତ୍କୃଷ୍ଟ ବୋଲି ବିବେଚନା କରାଗଲା? ଏ ପ୍ରଶ୍ନର ଉତ୍ତର କେବଳ ଜୁରିର ସଦସ୍ୟମାନେ ହିଁ ଦେଇ ପାରିବେ। ଅନ୍ତତଃ ଜୁରି ସଦସ୍ୟମାନେ ଯଦି ଉଭୟ ଅନୁବାଦ ପଢ଼ି ଥାଆନ୍ତେ, ତେବେ, ଅମିୟଙ୍କ ଅନୁବାଦ ନିର୍ଭୁଲ ଓ ଅପେକ୍ଷାକୃତ ଉନ୍ନତ ବୋଲି ଅବଶ୍ୟ ସ୍ବୀକାର କରିଥାଆନ୍ତେ।
ଦ୍ବିତୀୟ କଥା ହେଲା ପୁରସ୍କୃତ ଅନୁବାଦଟିରେ ଆରମ୍ଭରୁ ଶେଷଯାଏ ପିଲାଙ୍କ ହସ୍ତାକ୍ଷର ଖାତା ଭଳି ‘ଅଟେ’ ଓ ‘ଅଟନ୍ତି’ର ପ୍ରୟୋଗ ଅତ୍ୟନ୍ତ ଶ୍ରୁତିକଟୁ ହେଉଛି। ଅନ୍ୟ କୌଣସି ଓଡ଼ିଆ ବହିରେ ଏଭଳି ଦେଖାଯାଇ ନ ଥାଏ। ଏହାକୁ ଭାଷା ସଂଯୋଜନାଗତ ଦୌର୍ବଲ୍ୟ ବୋଲି କୁହାଯାଇପାରେ।
ତୃତୀୟ କଥା ହେଲା, ୧୬୦ ପୃଷ୍ଠା ବିଶିଷ୍ଟ ଅନୁବାଦ ପୁସ୍ତକରେ ଶତାଧିକ ବନାନଗତ ଓ ଅନୁବାଦକାଳୀନ ତ୍ରୁଟି ଅନ୍ତତଃ ଏହି ଲେଖକର ଦୃଷ୍ଟିକୁ ଆସିଛି। ବନାନଗତ ତ୍ରୁଟି ଗୁଡ଼ିକରୁ କିଛି ହେଲା- କାର୍ଯ୍ୟବସତଃ, ରୂଚି, ମହିୟାନ, ଶ୍ରଦ୍ଧାଞ୍ଜଳୀ, ସତ୍ବେ, ବତୀ, ଧିରେ ଧିରେ, ଚାହାଣୀ, ଅଧିର, ମହତ୍ବ, ଅପରାଧି, ନିରୂପାୟ, କୋଠରୀ, ଋଶି, ଦୁଃଖି, ପ୍ରତିକ୍ଷା, ପୁରଷ୍କାର, ତାତ୍ବିକ, କୋଠୀ, ଆଦ୍ର, ସମ୍ପତି, ପଶ୍ୟାତାପ, ନିରିହ, ବର୍ହିଦୃଷ୍ଟି, ଅନାଧିକୃତ, ସ୍ଫୁର୍ତି, କହୁଣୀ, ଚିତ, ବିଶାଦଗ୍ରସ୍ତ, ସାରତତ୍ବ, ପଚାସ, ନିଷ୍ପୃହ, ଉପରଦେଖାଣୀ, ଲା˚ଛମାତିତ, ମର୍ତ୍ୟ, ବନ୍ଦୋବସ୍ଥ, ୟୂରୋପ, ଶିଘ୍ର ... ଇତ୍ୟାଦି।
ଏବେ ଅନୁବାଦକାଳୀନ ତ୍ରୁଟିରୁ କେତେକ ନମୁନା ପ୍ରଦାନ କରିବା। ମୂଳ ହିନ୍ଦୀ ଶବ୍ଦ ‘ଉଦାସ’ର ଓଡ଼ିଆ ଅନୁବାଦ ହୋଇଛି ଉଦ୍ବିଗ୍ନ। ସେମିତି ସମାରମ୍ଭ ହୋଇଛି ସଭାରମ୍ଭ, ଦୁଷ୍ଟତା ହୋଇଛି ଧୃଷ୍ଟତା, ରାମରାମ ହୋଇଛି ଶିବ, ଶିବ, ଅନୁଦ୍ୟତ ହୋଇଛି ଅପ୍ରସ୍ତୁତ, ଭେଦିୟା ହୋଇଛି ଚୁଗୁଲିଆ, ଆଦରଭାବ ହୋଇଛି ଆଦରଭାବ ( ହିନ୍ଦୀରେ ‘ଆଦର’ ଶବ୍ଦକୁ ବଡ଼ମାନଙ୍କ ଲାଗି ସମ୍ମାନ ଅର୍ଥରେ ପ୍ରୟୋଗ କରାଯାଏ ଓ ଓଡ଼ିଆରେ ପିଲାଙ୍କ ପାଇଁ ସ୍ନେହ ଅର୍ଥରେ), ଅନୁଭବ ହୋଇଛି ଅନୁମାନ, ପଦ୍ମଜା ହୋଇଛି ପଦ୍ମା, ପାତିବ୍ରତ୍ୟ ହୋଇଛି ପତିବ୍ରତ, ପୌରୁଷ ହୋଇଛି ପୌରୁଷତ୍ବ, ଅସ˚ମଜସ ହୋଇଛି ସ˚କୁଚିତ, ସମ୍ପନ୍ନ ହୋଇଛି ସମ୍ପନ, ନାରାଜ ହୋଇଛି କ୍ରୋଧିତ, ହର୍ଜ ହୋଇଛି ହଇରାଣ, ମହାମାନନୀୟା ହୋଇଛି ମହାମାନନୀୟା, ସ˚ଗତି ହୋଇଛି ତାରତମ୍ୟ ଏବଂ ତରୀକା ହୋଇଛି ଅଲଗା ବାଟ ଇତ୍ୟାଦି।
ଏଭଳି ଅପରିପକ୍ବ ଓ ବିକୃତ ଓଡ଼ିଆକୁ ସ୍ବୀକୃତି ପ୍ରଦାନ କରି କେନ୍ଦ୍ର ସାହିତ୍ୟ ଏକାଡେମୀ ନିଜ ସମ୍ମାନ ହରାଇବା ସହିତ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର ତଥା ଓଡ଼ିଆ ବିଶ୍ବବିଦ୍ୟାଳୟର ନିରର୍ଥକତା ସାବ୍ୟସ୍ତ କରୁନାହିଁ କି? ଏଣୁ ଅନ୍ତତଃ ଓଡ଼ିଆ ଭାଷାର ସମ୍ମାନ ଦୃଷ୍ଟିରୁ ଅବିଳମ୍ବେ ଏହି ପୁରସ୍କାରକୁ ରବ୍ଦ କରାଯାଉ ଓ ସମ୍ପୃକ୍ତ ଜୁରି ସଦସ୍ୟଙ୍କୁ କଳା ତାଲିକାଭୁକ୍ତ କରାଯାଉ।
ସେମିତି କିଛି ଅଭିବ୍ୟକ୍ତିର ଅନୁବାଦ ଗତ ତ୍ରୁଟି ଉପରେ ଦୃଷ୍ଟି ଦିଆଯାଉ। ‘ୟହୀ ମକାନ ଥା’ ହୋଇଛି ‘ଏତିକି ଥିଲା ଅଭିମାନଟି’, ‘ଆମନ୍ତ୍ରଣ ମିଟ ଚୁକେଗା’ ହୋଇଛି ‘ଆମନ୍ତ୍ରଣ ଭାଙ୍ଗିଯିବ’, ‘ଖଡ଼ୀ ରହ ଜାୟଗୀ’ ହୋଇଛି ‘ଦୃଶ୍ୟମାନ ରହିଯିବ’, ‘ପର ମେରୀ ଭୁଲ’ ହୋଇଛି ‘କିନ୍ତୁ ମୁଁ ଭୁଲ ଥିଲି’, ‘ବୁଦ୍ଧିମାନୀ ଉସୀକା ନାମ ହୈ’ ହୋଇଛି ‘ଏହା ହିଁ ବୁଦ୍ଧିମତ୍ତାର ଚିହ୍ନ ଅଟେ’, ‘ଆପ ହୈଁ ଶ୍ରୀଧର’ ହୋଇଛି ‘ଆପଣ ହେଉଛନ୍ତି ଶ୍ରୀଧର’(କାହାକୁ ପରିଚିତ କରାଇବା ଶୈଳୀ-ଓଡ଼ିଆରେ ଏଭଳି ନାହିଁ), ‘ଡାକ୍ଟର ହୀନପ୍ରଭ ନହଁୀ ହୁଏ’ ହୋଇଛି ‘ଡାକ୍ତର ବାବୁ ପୂର୍ବବତ ରହିଲେ’, ‘କୋଇ ଦୂସରୀ ଭାଷା କା ହୋକର’ ହୋଇଛି ‘କୌଣସି ବହିଃ ଭାଷୀ ହୋଇ’, ‘କୌନ ଦେତା ହୈ ଉସେ ଗୁହାର’ ହୋଇଛି ‘କିଏ ଦେଉଛି ତାକୁ ଗୁହାର’, ‘ହିନ୍ଦୀ କା ଏକ୍େସଣ୍ଟ ଜୁଦା ହୈ’ ହୋଇଛି ‘ହିନ୍ଦୀର ଏକ୍ସଟେଣ୍ଟ ଅଲଗା ଅଟେ’, ‘ଛିମା କରତେ ଥେ’ ହୋଇଛି ‘ଉଙ୍କି ମାରିଥିଲା’, ‘ସ୍ତ୍ରୀ କୀ ସ୍ଥିତି ନାଜୁକ ହୈ’ ହୋଇଛି ‘ନାରୀର ସ୍ଥିତି କେତେ ଦୟନୀୟ’, ‘ଚୁହଲ କା ଭୀ କାଫୀ ଅବକାସ ହୈ’ ହୋଇଛି ‘ମଜାଳିଆ ସମୟ ଚାଲି ରହିଥିଲା’, ‘ଚମତ୍କାର ଲାଏଁଗୀ’ ହୋଇଛି ‘ଚମତ୍କାର ଆଣିବେ’, ‘ମୈ ନେ ବିଶ୍ବାସ ଦିଲାୟା’ ହୋଇଛି ‘ମୁଁ ବିଶ୍ବାସ ଦେଲି’, ‘ଵହୀ ଉସ୍କୀ ସାଁସ’ ହୋଇଛି ‘ତାହା ହିଁ ତାର ନିଃଶ୍ବାସ’, ‘ସୂରଜ କୀ ଧୂପମେଁ’ ହୋଇଛି ‘ସୂର୍ଯ୍ୟ ଖରାରେ’, ‘ମୁହଁ ଉଘାଡ଼େ’ ହୋଇଛି ‘ମୁହଁ ନ ଘୋଡ଼େଇ’, ‘ମିଲୀଁ ତୋ ପତି ନେ ଉନକୀ ଖବର ଲୀ’ ହୋଇଛି ‘ଯେବେ ମିଳିଲେ ତ ସ୍ବାମୀ ତାଙ୍କ ଖବର ନେଲେ’, ‘ଚଲପଡ଼ା ହୁଁ’ ହୋଇଛି ‘ଚାଲି ପଡ଼ିଛି’, ‘ଏକ ଏକ କମରା ଦେଖା’ ହୋଇଛି ‘ସବୁ ବଖରା ଛାନବିନ୍ କଲେ’, ‘ବାହାର କୀ ଆଁଖୋଁ ସେ ଦେଖନୀ ହୋ’ ହୋଇଛି ‘ବର୍ହିସ୍ଥୂଳ ଦୃଷ୍ଟିରେ ଦେଖୁଛ’, ‘କ୍ୟା ଏକ ମୁଦ୍ଦତ କେ ଲିୟେ ଗୟେ ହୈଁ’ ହୋଇଛି ‘କ’ଣ ଅଳ୍ପ ସମୟ ପାଇଁ ଯାଇଛନ୍ତି?’, ‘ସେବା କେ ଅତିରିକ୍ତ ଔର ମେରା ବାସ୍ତା ନହୀଁ’ ହୋଇଛି ‘ସେବାର ଅତିରିକ୍ତ ମୋର ଅନ୍ୟ କୌଣସି କାମ ନାହିଁ’, ‘ଶ୍ରୀଧର ଶବ୍ଦୋଁ କୋ ତୋ ୟୂହୀଁ ମୁଁହସେ ନିକାଲ ଦେତା ହୈ’ ହୋଇଛି ‘ଶ୍ରୀଧର ଏମିତିକା ଶବ୍ଦ ଏମିତି ହିଁ ମୁହଁରୁ ବାହାର କରି ଦିଅନ୍ତି’, ‘ସ୍ତ୍ରୀୟା˚ ଅପନୀ ନାକ ସେ ଆଗେ ନହୀଁ ଦେଖ ସକତୀଁ’ ହୋଇଛି ‘ସ୍ତ୍ରୀ ନିଜର ନାକ ଠାରୁ ଅଧିକ ଭାବି ପାରିବ ନାହିଁ’, ‘ନଈ ସେ ନଈ ଚାଲକେ ଅନୁରୂପ’ ହୋଇଛି ‘ନୂଆ ଠାରୁ ବି ନୂଆ ଚାଲିର ଅନୁରୂପ’, ‘ଫଫକ ଫଫକ କର ରୋନେ ଲଗୀ’ ହୋଇଛି ‘ଜୋରେ ଜୋରେ କାନ୍ଦିବାକୁ ଲାଗିଲେ’, ‘ନାରାଜ ଥୀଁ’ ହୋଇଛି ‘ଟିକେ ରୋଷ ମନେ ହେଉଥିଲେ’, ‘ଜିନକେ କାନ କଚ୍ଚେ ହୈ’ ହୋଇଛି ‘ଯେଉଁମାନଙ୍କର କାନ ଦୁର୍ବଳ ଅଟେ’, ‘ୟହ ତୋ ବଢ଼ା-ବଢ଼ୀ କା ଜୁଆ ହୈ’ ହୋଇଛି ‘ଏହା ଏକ ବଢ଼ାବଢ଼ୀର ଜୁଆ’, ‘ଖାନେକା ନହୀଁ, ସାଥ୍କା ସଵାଲ ହୈ’ ହୋଇଛି ‘ଖାଇବା କଥା ନୁହେଁ, ସଙ୍ଗେ ବସିବାର ପ୍ରଶ୍ନ ଏହା ଅଟେ’, ‘ଚଲୋ, ସବ ଠୀକ୍ ହୈ’ ହୋଇଛି ‘ଚାଲ, ସବୁ ଠିକ୍ ଅଛି’, ‘ୟହ ସ୍ବାସ୍ଥ୍ୟ ଔର ସାଧାରଣ କେ ଲକ୍ଷଣ ହୈଁ’ ହୋଇଛି ‘ଏହା ସ୍ବାସ୍ଥ୍ୟ ଏବ˚ ସାଧାରଣତାର ଲକ୍ଷ୍ୟ ଅଟେ’, ‘ରାହ-ବେ ଲାହ ଚଲୀ’ ହୋଇଛି ‘ରାସ୍ତା ବେରାସ୍ତା ଦେଇ ଚାଲିଲା’ ଇତ୍ୟାଦି।
ଚତୁର୍ଥ କଥା ହେଲା, ‘ଅଭିଜ୍ଞାନ’ର ମୂଳ ହିନ୍ଦୀ ଓ ଓଡ଼ିଆ ଅନୁବାଦ ଏହି ନିବନ୍ଧକାର ପଡ଼ିଛି। ପ୍ରଖ୍ୟାତ ହିନ୍ଦୀ କଥାକାର ନରେନ୍ଦ୍ର କୋହଲୀଙ୍କ ଭାଷା ଓ ଭାବ ଜଣେ ପୋଖତ ଅନୁବାଦକ ଗୋବିନ୍ଦ ସାହୁ ଓଡ଼ିଆରେ ଯଥାର୍ଥ ଭାବେ ଉପସ୍ଥାପନ କରିଛନ୍ତି। ଗୌରହରି ଦାସଙ୍କ ‘ଛେଳି ଚରାଇବାର ଦିନ’ ପଢ଼ି କେହି ଏହାକୁ ଅନୁବାଦ ବୋଲି କହିପାରିବନି। ମୌଳିକ ଗ୍ରନ୍ଥର ଅନୁଭବ ହେଉଥିବାରୁ ଏହାକୁ ନିଃସନ୍ଦେହରେ ସାର୍ଥକ ଅନୁବାଦ କୁହାଯାଇପାରେ। ମୂଳ ଭାଷା ଜାଣି ନ ଥିଲେ ବି ଅନ୍ୟ ଗୋଟିଏ ଭାଷାକୁ ମାଧୢମ ଭାବେ ଗ୍ରହଣ କରିବାର ପ୍ରାବଧାନ କେନ୍ଦ୍ର ସାହିତ୍ୟ ଏକାଡେମୀର ନିୟମାବଳୀରେ ରହିଛି। ତା’ ବାଦ୍ ମର୍ମାନୁବାଦ ମଧୢ ଅନୁବାଦର ଗୋଟିଏ ପ୍ରକାର। ହଁ, ଲକ୍ଷ୍ୟ ଭାଷା ସ୍ରୋତ ବା ମୂଳ ଭାଷା ଠାରୁ ଦୂରେଇ ଯିବା ଦୋଷାବହ। ଏଣୁ ଛାୟାରେ ଲିଖିତ ଗ୍ରନ୍ଥ ଅନୁବାଦ ପଦବାଚ୍ୟ ହୁଏ ନାହିଁ। ଏଥିରେ ଥିବା ଅନ୍ୟ ତିନିଟି ଅନୂଦିତ ଗ୍ରନ୍ଥ- ‘ଏ ଝିଅ’, ‘ନଭେମ୍ବରନ’ ଓ ‘ସେଇ ସାହସିନୀମାନେ’କୁ ଏହି ଲେଖକ ପଢ଼ି ନାହିଁ। ଏହା ପୂର୍ବରୁ ୧୨ ଜଣିଆ ତାଲିକାରେ ଥିବା ବହିଗୁଡ଼ିକ ଭିତରୁ ‘କଳକଲ୍ଲୋଳ’, ‘ସର୍ଜନାର ନିରୀକ୍ଷଣ’ ଏବ˚ ‘ସରସ୍ବତୀ ଚନ୍ଦ୍ର’ ଏହି ଲେଖକ ପଢ଼ିବା ସହିତ ଅନୁବାଦ କୃତି ଭାବରେ ସେଗୁଡ଼ିକର ସାର୍ଥକତା ଓ ପଠନୀୟତା ନେଇ ସନ୍ତୁଷ୍ଟ। ଅଧିକନ୍ତୁ, ମୂଳ କୃତିଗୁଡ଼ିକର ସ୍ତର ଓ ଆଦୃତି ମଧୢ ସର୍ବଜନବିଦିତ।
ପଞ୍ଚମ କଥା ହେଲା, ପୁରସ୍କୃତ କୃତିଟି ଦୋଷଦୁଷ୍ଟ ହେବା ସାଙ୍ଗକୁ ପଠନୀୟତା ନେଇ ବି ପ୍ରଶ୍ନବାଚୀ ସୃଷ୍ଟି କରୁଛି। କହିବା ବାହୁଲ୍ୟ, ଏ ସମସ୍ତ ଅନୁବାଦ ଗ୍ରନ୍ଥ ଅପେକ୍ଷା ପୁରସ୍କୃତ କୃତିଟି ଯେ ନିକୃଷ୍ଟ, ଏଥିରେ ସନ୍ଦେହର ଅବକାଶ ନାହିଁ। ହିନ୍ଦୀ ଓ ଓଡ଼ିଆ ଉପନ୍ୟାସକୁ ନେଇ ଗବେଷଣା କଲା ବେଳେ ଜୈନେନ୍ଦ୍ରଙ୍କର ସମସ୍ତ ଉପନ୍ୟାସ ଏହି ଲେଖକ ପାଠ କରିଛି। ‘ପରଖ’, ‘ସୁନୀତା’, ‘ତ୍ୟାଗପତ୍ର’, ‘କଲ୍ୟାଣୀ’, ‘ସୁଖଦା’, ‘ବିବର୍ତ୍ତ’, ‘ଜୟବର୍ଦ୍ଧନ’ ପ୍ରଭୃତି ମଧୢରୁ ଅଧିକା˚ଶ ନାୟିକା-ପ୍ରଧାନ ଉପନ୍ୟାସ। ଏଥିରେ ନାୟିକାମାନଙ୍କୁ ସେ ଏକା ସଙ୍ଗରେ ପତ୍ନୀ ଓ ପ୍ରେମିକା ଭୂମିକାରେ ଅବତୀର୍ଣ୍ଣ କରାଇଛନ୍ତି। ‘କଲ୍ୟାଣୀ’ ବିଶେଷ ଚର୍ଚ୍ଚିତ ଉପନ୍ୟାସ ନ ହେଲେ ହେଁ ଓଡ଼ିଶାର ଜଣେ ନାମକରା କବୟିତ୍ରୀ କୁନ୍ତଳା କୁମାରୀଙ୍କ ନାଁରେ ଆମକୁ ଆକୃଷ୍ଟ କରାଯାଉଛି। ହେଲେ, କଲ୍ୟାଣୀ ଯଦି କୁନ୍ତଳା ହୋଇଥା’ନ୍ତି, ତେବେ ତାଙ୍କର ମଦ୍ୟ ପାନ କରିବା, ପର ପୁରୁଷଙ୍କ ସହ ସମ୍ପର୍କ ଏବ˚ ସର୍ବ ସମକ୍ଷରେ ବିଚ୍ ରାସ୍ତାରେ ପତିଙ୍କ ଦ୍ବାରା ଜୋତା ମାଡ଼ ଇତ୍ୟାଦି କୁନ୍ତଳାଙ୍କ ପ୍ରତି ଆମ ସମ୍ମାନକୁ କ୍ଷୁଣ୍ଣ କରୁନାହିଁ କି?
ଶେଷରେ ଏତିକି କହିବି ଯେ ଏଭଳି ଅପରିପକ୍ବ ଓ ବିକୃତ ଓଡ଼ିଆକୁ ସ୍ବୀକୃତି ପ୍ରଦାନ କରି କେନ୍ଦ୍ର ସାହିତ୍ୟ ଏକାଡେମୀ ନିଜ ସମ୍ମାନ ହରାଇବା ସହିତ ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର ତଥା ଓଡ଼ିଆ ବିଶ୍ବବିଦ୍ୟାଳୟର ନିରର୍ଥକତା ସାବ୍ୟସ୍ତ କରୁନାହିଁ କି? ଏଣୁ ଅନ୍ତତଃ ଓଡ଼ିଆ ଭାଷାର ସମ୍ମାନ ଦୃଷ୍ଟିରୁ ଅବିଳମ୍ବେ ଏହି ପୁରସ୍କାରକୁ ରବ୍ଦ କରାଯାଉ ଓ ସମ୍ପୃକ୍ତ ଜୁରି ସଦସ୍ୟଙ୍କୁ କଳା ତାଲିକାଭୁକ୍ତ କରାଯାଉ। ଏହା କେବଳ ମୋ ସ୍ବର ନୁହେଁ, ଶହ ଶହ ଓଡ଼ିଆଙ୍କ ଆହତ ସ୍ବାଭିମାନର ଅଭିବ୍ୟକ୍ତି। ଏଥିପାଇଁ କେହି କେହି ଅଦାଲତର ଆଶ୍ରୟ ନେବାକୁ ଉଦ୍ୟମ କରୁଥିବା ଶୁଣାଯାଏ। ଯଦି ତା’ ପୂର୍ବରୁ ଜୁରି ସଦସ୍ୟଗଣ ମଞ୍ଜୁ ମୋଦୀଙ୍କ ‘କଲ୍ୟାଣୀ’ ଅନୁବାଦର ଶ୍ରେଷ୍ଠତ୍ବ ପ୍ରତିପାଦନ କରିବାକୁ ଚାହୁଁଥାନ୍ତି, ପାଠକ ତାଙ୍କୁ ସ୍ବାଗତ କରିବେ।
ମୋ- ୯୪୩୭୫୭୭୦୦୧