ଘଟଣାଗୁଡ଼ିକ ଏତେ ଦ୍ରୁତ ଗତିରେ ଘଟି ଚାଲିଛନ୍ତି ଯେ ସତେ ଯେପରି କେହି ସେଗୁଡ଼ିକୁ ଏକ ଘୂରନ୍ତା ଚରଖା ଉପରେ ରଖିଦେଇଛି। ଏହି ଖେଳ ଆମେ ସମସ୍ତେ ଆମ ପିଲାଦିନେ ଖେଳିଛନ୍ତି, ଯେତେବେଳେ ଆମେ ରଙ୍ଗିନ ଚରଖାକୁ ଦ୍ରୁତ ଗତିରେ ଘୂରାଉ, ସବୁ ରଙ୍ଗ ସମାନ ହୋଇଯାଏ ଏବଂ କେବଳ ଧଳା ରଙ୍ଗର ଚକଟିଏ ଘୂରୁଥିବା ଦେଖାଯାଏ। ଆମେ ଆଜି ସେହି ଭଳି ଦ୍ରୁତ ପରିବର୍ତ୍ତନଶୀଳ ଘଟଣାମାନ ଦେଖୁଛନ୍ତି, ଯେଉଁଠି ତୀକ୍ଷ୍‌ଣ ଓ ଦ୍ରୁତ ଚକିରେ ସବୁ ରଙ୍ଗ ଏକାକାର ହୋଇ ଯାଇଛି। ଆମ ଆଗରେ କେବଳ ଗୋଟିଏ ପାର୍ଥକ୍ୟ; ଯେଉଁ ଚକିଟି ବୁଲୁଛି, ତାହା ଧଳା ନ ହୋଇ କଳା ଦେଖାଯାଉଛି। ଏହା ବତାଇ ଦେଉଛି କି, ଦେଶର ତମାମ ରାଜନୈତିକ-ସାମାଜିକ-ବୈଧାନିକ-ପେସାଗତ ଶକ୍ତି ମିଳିତ ଭାବରେ କିପରି ଏକ ପ୍ରତାରଣାର ଜାଲ ବୁଣି ଏହି ଦେଶକୁ, ଏହାର ବ୍ୟବସ୍ଥାକୁ ଓ ଏହାର ସଂବିଧାନକୁ ରଖିଛନ୍ତି।
ଆମ ସମ୍ମୁଖରେ ଦୁଇ ପ୍ରକାରର ଲୋକ ଛିଡ଼ା ହୋଇଛନ୍ତି। ଗୋଟିଏ ହେଉଛି ଯେଉଁମାନଙ୍କ ପାଇଁ କ୍ଷମତା ହେଉଛି ଚରମ ସତ୍ୟ। ସେମାନେ କ୍ଷମତାର କ୍ଷୁଧା ମେଣ୍ଟାଇବା ପାଇଁ ସମସ୍ତ ମନ୍ଦ କାମ କରି ପାରନ୍ତି। ଏହା ଏକ ଚିନ୍ତାର ବିଷୟ। କିନ୍ତୁ, ମୋର ପ୍ରଥମ ଓ ସବୁଠାରୁ ବଡ଼ ଚିନ୍ତା ହେଉଛି ଆଉ ଗୋଟିଏ ପ୍ରକାରର ଏବଂ ତାହା ଦ୍ବିତୀୟ ପ୍ରକାର ଲୋକଙ୍କ ପାଇଁ ଯେଉଁମାନଙ୍କ ଲାଗି ରାଜନୈତିକ କ୍ଷମତା ଅନ୍ତିମ ଲକ୍ଷ୍ୟ ନୁହେଁ। ସେମାନେ କ’ଣ କରୁଛନ୍ତି ଏବଂ କ’ଣ କହୁଛନ୍ତି? ସେମାନେ କ’ଣ ଖୋଜୁଛନ୍ତି ଏବଂ କ’ଣ ପାଉଛନ୍ତି? ସେମାନଙ୍କ ଭିତରୁ ଅଧିକାଂଶ ଏପରି ଭୀରୁ ଯେ ଜୀବନ ସାରା ସୁବିଧା ଓ ସମୃଦ୍ଧିର ଉପାୟ ଖୋଜୁଛନ୍ତି ଏବଂ କିଛି ପରିମାଣରେ ପାଉଛନ୍ତି ମଧ୍ୟ। ତାହା ପାଇବା ପରେ ସେମାନେ ସର୍ବଦା ସତର୍କ ରହୁଛନ୍ତି; ଯେପରି କେହି ତାହାକୁ ଛଡ଼ାଇ ନ ନିଏ। ସେମାନଙ୍କ ଠାରେ ନା ରହିଛି ବୌଦ୍ଧିକ ସଚ୍ଚୋଟତା ନା ସତ୍‌ସାହସ। ସେମାନେ ସମସ୍ତେ ନିଜକୁ ବୁଦ୍ଧିଜୀବୀ କହନ୍ତି- ଶୁଦ୍ଧ ଆକ୍ଷରିକ ଅର୍ଥରେ। ସେମାନଙ୍କର ସମସ୍ତ ଚତୁରତା, ଜ୍ଞାନ, ବ୍ୟାବହାରିକ କୁଶଳତା ଆଦିର ମୂଳ ହେଉଛି ବୁଦ୍ଧିର ବ୍ୟବହାର କରି କିଭଳି ସୁବିଧାଜନକ ଜୀବନଯାପନ କରାଯାଇପାରିବ। କେହି ଜଣେ ଥରେ ଗାନ୍ଧୀଜୀଙ୍କୁ ପଚାରିଲେ, ‘ଆପଣଙ୍କୁ କେଉଁ କଥା ଅଧିକ ଚିନ୍ତାଜନକ ଲାଗୁଛି?’ ସେ କହିଥିଲେ, ‘ବଢୁଥିବା ଗୋଟିଏ ପ୍ରକାର ବୌଦ୍ଧିକ ଗୋଷ୍ଠୀ ଦ୍ବାରା ମୁଁ ବେଶୀ ବିଚଳିତ।’
ବିମୁଦ୍ରୀକରଣ ପରି ମୂଢ଼ ନିଷ୍ପତ୍ତି ଏବଂ ତା’ପରେ ‘କ୍ଷତି ନିୟନ୍ତ୍ରଣ’ ପାଇଁ ବାରମ୍ବାର କୁହାଯାଉଥିବା ମିଛ; ଜିଏସ୍‌ଟି ଘୋଷଣା ପାଇଁ ନିଶାର୍ଦ୍ଧ ଆୟୋଜନ ଏବଂ ସେହି ଅପରିପକ୍ବ ଯୋଜନା ଦ୍ବାରା ହୋଇଥିବା କ୍ଷତି ଓ ତାକୁ ଲୁଚାଇବାର ପ୍ରୟାସ; ବିଜ୍ଞାନ ଓ ଇତିହାସକୁ ଉପହାସ କଲା ଭଳି କ୍ରମାଗତ ମିଥ୍ୟା-ଅର୍ଧସତ୍ୟ ସମ୍ବଳିତ ମନ୍ତବ୍ୟ, ଭାରତୀୟ ସମାଜକୁ ଖଣ୍ଡ ଖଣ୍ଡ କଲା ଭଳି ବିଷାକ୍ତ ବିବୃତି, ସଂବିଧାନ ଓ ନ୍ୟାୟପାଳିକାକୁ ଅଶାଳୀନ ଉପେକ୍ଷା, ଲୋକତାନ୍ତ୍ରିକ ପରମ୍ପରାକୁ ନଷ୍ଟଭ୍ରଷ୍ଟ କରିଦେବା, ବିରୋଧୀଙ୍କ ପାଇଁ ସମାଜରେ ଘୃଣା ଭାବ ବିସ୍ତାର କରିବା, ଲୋକତାନ୍ତ୍ରିକ ସମାଜକୁ ପୁଲିସ ରାଜରେ ପରିଣତ କରିବା, ଅମଲାତନ୍ତ୍ରକୁ ଚାଟୁକାର ଗୋଷ୍ଠୀରେ ପରିଣତ କରିବା, ସେନାକୁ ରାଜନୈତିକ ବିଶୃଙ୍ଖଳାକୁ ଟାଣି ପରିହାସର ପାତ୍ର କରାଇବା ଏବଂ ଉପରୁ ତଳ ଯାଏ ସବୁଠି ଦୁର୍ନୀତିର ଏକ ନେଟଵର୍କ ସୃଷ୍ଟି କରିବା ଭଳି ଅନେକ କିଛି ଦେଶ ସାମନା କରି ଚାଲିଛି। କିନ୍ତୁ ଏହି ତଥାକଥିତ ବୁଦ୍ଧିଜୀବୀମାନଙ୍କ ମଧ୍ୟରୁ କେହି ଜଣେ ବି ବିରୋଧ କରିବା ନଜରକୁ ଆସି ନାହିଁ। ସେମାନଙ୍କ ଭିତରୁ ଅଧିକାଂଶ ଢୋଲ ବଜାଳିଙ୍କ ଗୋଷ୍ଠୀରେ ନାଚୁଥିବା ଦେଖାଯାଇଛି।
କଂଗ୍ରେସର ଘୋଷିତ ନିର୍ବାଚନୀ ଇସ୍ତାହାରରେ ଆମର ଅନେକ ଅସହମତି ଥାଇପାରେ। କିନ୍ତୁ ଏହା ମୁସଲିମ ଲିଗ୍‌ର ଘୋଷଣାପତ୍ର ପରି ଲାଗୁଛି ବୋଲି ପ୍ରଧାନମନ୍ତ୍ରୀଙ୍କ ବିବୃତି କ’ଣ ରାଜନୈତିକ ପତନର ପ୍ରମାଣ ନୁହେଁ କି? ତାଙ୍କର ଏହି ବିବୃତିରୁ ଜଣାପଡୁଛି ଯେ ତାଙ୍କର ଇତିହାସ ସମ୍ପର୍କରେ ଜ୍ଞାନ ନାହିଁ ବା ସେହି ସମୟର ରାଜନୀତି ବାବଦରେ ଧାରଣା ନାହିଁ। ମାତ୍ର ପରଦିନ ଖବରକାଗଜମାନଙ୍କରେ ଏହି ବୟାନକୁ ଯେପରି ପରିବେଷଣ କରାଯାଇଥିଲା, ସେଥିରେ ମୁଁ ଗଭୀର ଭାବରେ ମର୍ମାହତ। ଗଣମାଧ୍ୟମର ଯଦି ସ୍ବାଧୀନ ଆତ୍ମା ଥାଆନ୍ତା, ତେବେ ସେମାନେ ଗଣତନ୍ତ୍ର ସପକ୍ଷରେ ଛିଡ଼ା ହୋଇଥା’ନ୍ତେ। ସେମାନେ ଏପରି ବିବୃତିକୁ ପ୍ରସାରିତ କରିନଥା’ନ୍ତେ ବା ତାହାକୁ ଖଣ୍ଡନ କରି ପ୍ରସାରଣ କରିଥା’ନ୍ତେ। କିନ୍ତୁ କୋଳରେ ବସିଥିବା ଗଣମାଧ୍ୟମ ଗଣତନ୍ତ୍ରର ଶବ ଉପରେ ହିଁ ଛିଡ଼ା ହୋଇପାରେ। ଯେଉଁମାନେ କୋଳରେ ରହିବେ, ସେମାନେ ସର୍ବଦା ଦାସ ହୋଇ ରହିଥିବେ।
ସ୍ବାଧୀନତା ପାଇଁ ଦୀର୍ଘ ଦିନର ଅତୁଳନୀୟ ସଂଗ୍ରାମ ପରେ ଆମକୁ ମିଳିଥିବା ଗଣତନ୍ତ୍ରର ମୂଲ୍ୟକୁ ଆମେ ଏତେ କମ୍‌ କରିଦେବା? ଗଣତନ୍ତ୍ର ଛିନ୍ନଭିନ୍ନ ହୋଇ ଯାଇଥିବା ଆମ ପଡ଼ୋଶୀଙ୍କ ଅବସ୍ଥା ଦେଖିବା ପରେ ବି ଯଦି ଆମେ ତାହା ପ୍ରତି ଉଦାସୀନ, ତେବେ ଆମେ କୌଣସି ଦାସତ୍ବରୁ କେମିତି ମୁକ୍ତ ହେବା? ଚାରିଆଡ଼େ ବିକାଶର ତଥ୍ୟ ଓ ଆକଳନର ଯେଉଁ ମେଘ ସୃଷ୍ଟି କରାଯାଉଛି, ତାହା ସତ୍ୟ ହେଲେ ବି ଆମେ ଏହା କହିବା ଉଚିତ ହେବ କି ନାଗରିକ ସ୍ବାଧୀନତା, ଗଣମାଧ୍ୟମର ସ୍ବାଧୀନତା, ଶକ୍ତ ନ୍ୟାୟପାଳିକା, ସମର୍ଥ ଶ୍ରମ ଆଇନ ବଦଳରେ ଆମର କୌଣସି ପ୍ରକାର ବିକାଶ ଦରକାର ନାହିଁ। କିନ୍ତୁ ନିଜ ଭିକ୍ଷା ଥାଳ ପ୍ରତି ଜଣେ ଭିକାରିର ଯେତିକି ସମ୍ମାନବୋଧ ରହିଛି, ପ୍ରେସ-ମିଡିଆ ଲୋକଙ୍କର ନିଜ କଲମ ପ୍ରତି ସେତିକି ସମ୍ମାନ ରହିନାହିଁ। ପଦପଦବିକୁ ଅନ୍ତିମ ସତ୍ୟ ବୋଲି ବିଚାର କରାଯାଉଥିବା ରାଜନୀତିର ‌େବପାରରେ ଅଧିକ ନେତା ନିଜ ଦଳ ଛାଡ଼ି ବିଜେପିରେ ଯୋଗ ଦେଉଥିବା ନେଇ ମୁଁ ଲଜ୍ଜିତ, କିନ୍ତୁ ଗଣମାଧ୍ୟମର ଆଭିମୁଖ୍ୟରେ ପରିବର୍ତ୍ତନ ମୋତେ ମର୍ମାହତ କରୁଛି। ସ୍ବାଧୀନ ଭାରତର ପ୍ରାୟ ୭୫ ବର୍ଷରେ ଯେଉଁ ଗୋଷ୍ଠୀ ୬-ଇଞ୍ଚର କଲମ ଉଠାଇବା ଓ ସମ୍ଭାଳିବା ଶିଖିପାରିଲେନି, ସେମାନଙ୍କୁ କ’ଣ କେବେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ବୋଲି ବିବେଚନା କରାଯାଇପାରିବ? ଦେଶରେ ଗଣମାଧ୍ୟମ ପରି କୌଣସି ବ୍ୟବସ୍ଥା ଆଉ ରହିନାହିଁ। ଆପଣ କହନ୍ତୁ, କେବେ ବି ୧୦ ଜଣ ସାମ୍ବାଦିକ ମିଶି କହିଛନ୍ତି ଯେ ଆମେ ଚାପରେ କାମ କରିବା ପାଇଁ ପ୍ରସ୍ତୁତ ନୁହେଁ ଏବଂ ଏପରି ଚାପରେ କାମ କରିବା ଅପେକ୍ଷା ଇସ୍ତଫା ଦେଇଦେବା ଉଚିତ ହେବ? ଏଭଳି ନୈତିକ ସ୍ବର କେଉଁଠି ଉଠନ୍ତା ଭଲା!
ନିର୍ବାଚନୀ ବଣ୍ଡ୍‌ ଦୁର୍ନୀତିକୁ ସାର୍ବଜନୀନ ନ କରିବା ପାଇଁ ସମଗ୍ର ବେପାରୀ ଗୋଷ୍ଠୀ ଯେପରି ଚେଷ୍ଟା ଚଳାଇଥିଲେ, ତାହା ସାରା ଦେଶ ଦେଖିଛି। ସରକାରୀ କଳ କାହିଁକି ଏଥିରେ ଜଡ଼ିତ ଥିଲା, ତାହା ତ ବୁଝାପଡୁଛି, ମାତ୍ର ଦେଶ-ଦୁନିଆର ସବୁଠୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କର ଭୂମିକାକୁ କେମିତି ବୁଝାଯାଇପାରିବ? ଷ୍ଟେଟ୍‌ ବ୍ୟାଙ୍କ ତାହାର ସମସ୍ତ ଖ୍ୟାତିକୁ ବାଜିରେ ଲଗାଇଦେଲା। ଅଦାଲତର ଲାଠି ଆଗରେ ତାହାର ଅବସ୍ଥା ଲାଞ୍ଜ ଜାକି ଭୟାର୍ତ୍ତ ରୋଦନ କରୁଥିବା ଗଳିର କୁକୁର ପରି ହୋଇଗଲା। ଏହି ସଂସ୍ଥା କୌଣସି ନୈତିକ ଭୂମିକା ତୁଲାଇବା ପାଇଁ ଚେଷ୍ଟା ବି କଲାନାହିଁ।
ଆମେ ଏ କଥା ମଧ୍ୟ ଦେଖିଛୁ କି ଓକିଲାତି ବ୍ୟବସାୟ କରୁଥିବା ସମସ୍ତ ନାମୀ-ଦାମୀ ବ୍ୟକ୍ତି ଅନେକ ଯୁକ୍ତି ଦ୍ବାରା ନିଜର ଏପରି ଏକ ଭାବମୂର୍ତ୍ତି ସୃଷ୍ଟି କରିଛନ୍ତି, ଲାଗୁଛି ଯଦି ସେମାନେ ବିଦ୍ୟମାନ, ତେବେ ସଂବିଧାନ ରହିଛି, ନ୍ୟାୟ ରହିଛି। ସେମାନେ ସର୍ବୋଚ୍ଚ ଅଦାଲତକୁ ବୁଝାଇବା ସହ ଧମକାଉ ଥିଲେ କି ନିର୍ବାଚନୀ ବଣ୍ଡର କୌଣସି ବି ସୂଚନା ସାର୍ବଜନୀନ ହୋଇଗଲେ ନ୍ୟାୟପାଳିକା ଚିର ଦିନ ପାଇଁ କଳଙ୍କିତ ହୋଇଯିବ ଏବଂ ଦେଶ ଖାଲରେ ପଡ଼ିଯିବ। ସେମାନଙ୍କ କାର୍ଯ୍ୟ ପଛରେ ସେମାନେ ପାଉଥିବା କୋଟି କୋଟି ଟଙ୍କାର ପାରିଶ୍ରମିକ ରହିଛି, ଯାହା ସେମାନଙ୍କ ଭାବମୂର୍ତ୍ତିର ଆଧାର ଏବଂ ମୂଲ୍ୟ। ସେମାନଙ୍କର କୌଣସି ନୈତିକ ମେରୁଦଣ୍ଡ ନାହିଁ।
ଏହା ହିଁ ହେଉଛି ପ୍ରକୃତ ବିପଦ। ସରକାର ଆସିବେ ଓ ଯିବେ। ଯେତେବେଳେ ଯେଉଁ ସରକାର ଆସିବେ, ସେମାନଙ୍କର ଏଭଳି ମଞ୍ଜହୀନ ବ୍ୟକ୍ତିମାନଙ୍କ ଆବଶ୍ୟକତା ପଡ଼ିବ। ଏମିତି ବି ସରକାରଗୁଡ଼ିକ ଏଭଳି ବୁଦ୍ଧିଜୀବୀ, ସାମ୍ବାଦିକ, ଗଣମାଧ୍ୟମ ସଂସ୍ଥା ଆଦି ଲୋଡ଼ନ୍ତି। ସେଥିପାଇଁ ତ ଗଣତନ୍ତ୍ରର ଓକିଲମାନଙ୍କ ଏକ ଗୋଷ୍ଠୀକୁ ଛିଡ଼ା କରାଇବା ହେଉଛି ଆମର ପ୍ରାଥମିକ ଦାୟିତ୍ବ। ଆମକୁ ଆଜିର ଦାୟିତ୍ବ ପୂରଣ କରିବାର ଅଛି ଏବଂ ଆଗାମୀ କାଲିର ଦାୟିତ୍ବ ନିର୍ବାହ କରିବା ପାଇଁ ଶକ୍ତି ଯୋଗାଡ଼ କରିବାକୁ ହେବ। ଉଭୟ କାର୍ଯ୍ୟକୁ ଏକା ସାଙ୍ଗରେ କରିବାକୁ ହେବ।
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ