‘୧୯୨୪ ମସିହା ଉତ୍କଳ ସମ୍ମିଳନୀ ଅଧିବେଶନ କଟକରେ ହେଲା। ମୁଁ ସେହି ସମ୍ମିଳନୀରେ ଯୋଗ ଦେଇଥିବା ଯୋଗୁଁ ବହୁତ ନିନ୍ଦା ସହିଥିଲି। ମହିଳାମାନଙ୍କୁ ସାହି ସାହି ବୁଲି ସଭାକୁ ଡାକି ଆଣିବା ସେତେବେଳେ ଗୋଟିଏ ବୈପ୍ଳବିକ କାମ ଥିଲା। ସେହି ସମୟରେ ‘ସବିତା’ ମାସିକ ପତ୍ରିକାର ସଂପାଦନା କରିଥିଲି। ସେତେବେଳେ ସରକାର ସମର୍ପିତ କାଗଜ ‘ନିର୍ଭୀକ’ରେ ମୋତେ ଚୋରଣୀ ଆଖ୍ୟା ଦିଆଯାଇଥିଲା’।
(ସରଳା ଦେବୀ ରଚନାବଳି)
ପ୍ରାୟ ଶହେ ବର୍ଷ ତଳେ ଜଣେ ସଂଗ୍ରାମୀ ବିପ୍ଳବିଣୀ ସରଳା ଦେବୀ ଯେଉଁ ମାନସିକ ନିର୍ଯାତନା ପାଇଥିଲେ, ତାହା କଳ୍ପନାତୀତ। ୧୯୩୦ରେ ସେ ଲବଣ ସତ୍ୟାଗ୍ରହରେ ଯୋଗଦେଇ ଯେଉଁ ସାହସିକତା ପ୍ରଦର୍ଶନ କରିଥିଲେ, ତାହାର ତୁଳନା ନାହିଁ। ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇ ସେ କାରାବରଣ ମଧ୍ୟ କରିଥିଲେ। କାରାବରଣ କରିବା ସମୟରେ ସ୍ୱାର୍ଥପର ଭାବେ ସେ ନିଜ ବିଷୟରେ କିଛି ଚିନ୍ତା ନ କରି ଦୁଃଖୀ ଦରିଦ୍ର ଲୋକଙ୍କ କଥା ଭାବୁଥିଲେ। ‘ସ୍ୱାଧୀନତା ସଂଗ୍ରାମରେ ଓଡ଼ିଆଣୀଙ୍କ ଭୂମିକା’ ସଂପର୍କରେ ପ୍ରବନ୍ଧ ମଧ୍ୟ ସେ ସେତେବେଳେ ଲେଖିଥିଲେ।
ସରଳା ଦେବୀଙ୍କ ସରଳ ଜୀବନଯାପନ ପ୍ରଣାଳୀ ଭିନ୍ନ ଧରଣର ଥିଲା। ସେ ଖୁବ୍‌ ସ୍ପଷ୍ଟବାଦୀ ଓ ନିର୍ଭୀକା ଥିଲେ। ୧୯୨୮ରୁ ୧୯୩୦ ଯାଏ ଗଞ୍ଜାମ ଜିଲ୍ଲାରେ ବୁଲି ସେ ଲୋକଙ୍କ ଦୁଃଖଦୁର୍ଦ୍ଦଶା କଥା ବୁଝିବା ସହିତ ସେତେବେଳେ ସ୍ୱାଧୀନତା ସଂଗ୍ରାମ କରୁଥିବା କଂଗ୍ରେସ ଅନୁଷ୍ଠାନର ବାର୍ତ୍ତା ପ୍ରଚାର କରୁଥିଲେ। ସେ ମଧ୍ୟ ଖଦି ବସ୍ତ୍ରର ପ୍ରସାର ଓ ଚାନ୍ଦା ସଂଗ୍ରହ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ତାଙ୍କର ସହକର୍ମୀ ଥିଲେ ଗଞ୍ଜାମ ଅଞ୍ଚଳର ପ୍ରଖ୍ୟାତ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ। ସେ ମଧ୍ୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ବିଶ୍ୱନାଥ ଦାସ (ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ) ଓ ଶଶୀଭୂଷଣ ରଥଙ୍କୁ ପ୍ରଭାବିତ କରିପାରିଥିଲେ। ୧୯୩୦ରେ ଲବଣ ସତ୍ୟାଗ୍ରହ ଆରମ୍ଭ ହୋଇଯାଇଥିବାରୁ ଶୋଭାରାଣୀ ପଣ୍ଡା ପ୍ରଭୃତି ଅନେକ ମହିଳା ସ୍ୱେଚ୍ଛାସେବୀଙ୍କୁ ଘରୁ ବାହାର କରାଇ ଜଗତସିଂହପୁର ଅଳକାଶ୍ରମକୁ (ଯାହା ସେତେବେଳେ ରମାଦେବୀଙ୍କ ତତ୍ତ୍ୱାବଧାନରେ ରହିଥିଲା) ତାଲିମ ପାଇଁ ପଠାଉଥିଲେ। ସ୍ୱାଧୀନତା ଆନ୍ଦୋଳନ ବେଳେ ଜଣେ ଟାଣୁଆ ନାରୀ ନେତ୍ରୀ ଭାବେ ସେତେବେଳେ ତାଙ୍କର ଅନେକ ସୁନାମ ଥିଲା। ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଭାପୁର ଆଶ୍ରମ ପାଇଁ ସେ ସେତେବେଳେ ଦଶ ହଜାର ଟଙ୍କା ସଂଗ୍ରହ କରିପାରିଥିଲେ। ଏହା କମ୍‌ ବଡ଼ କଥା ନ ଥିଲା।
ଗଞ୍ଜାମ ଜିଲ୍ଲା ସେତେବେଳେ ମାନ୍ଦ୍ରାଜ (ତାମିଲନାଡୁ) ରାଜ୍ୟ ଅନ୍ତର୍ଭୁକ୍ତ ଥିଲା। ଲବଣ ସତ୍ୟାଗ୍ରହ ସମୟରେ ହୁମାର ଲୁଣ ଗୋଲାକୁ ଦଖଲ କରିବାକୁ ଗାନ୍ଧୀଜୀଙ୍କ ଡାକରାରେ ପ୍ରଥମେ ସେ ସତ୍ୟାଗ୍ରହ ଆରମ୍ଭ କରିଥିଲେ। ତେଣୁ ଓଡ଼ିଶାର ସେ ପ୍ରଥମ ମହିଳା ସତ୍ୟାଗ୍ରହୀ, ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ପାଇଛନ୍ତି। ତାଙ୍କୁ ପୁଲିସ ଗିରଫ କରିଥିଲା। ଛଅ ମାସ ଜେଲ୍ ଦଣ୍ଡ ସେ ଭୋଗିଥିଲେ। ତାଙ୍କୁ ଭେଲୋର ଜେଲ୍‌ରେ ରଖାଯାଇଥିଲା। ଜେଲ୍‌ରେ ସେ ଅସୁସ୍ଥ ହୋଇ ପଡ଼ିଥି‌େଲ। ଭଲରେ ଔଷଧପତ୍ର ମଧ୍ୟ ତାଙ୍କୁ ଦିଆଯାଉ ନ ଥିଲା ବୋଲି ସେ ନିଜେ ସ୍ୱୀକାର କରିଛନ୍ତି।
ସରଳା ଦେବୀଙ୍କ ପରି ମହିଳାଙ୍କ ନୀତି ଓ ଆଦର୍ଶ ଆମକୁ ଅନୁପ୍ରାଣିତ କରିଆସିଛି। ତାଙ୍କ ତ୍ୟାଗର ତୁଳନା ନାହିଁ। ମୋର ସୌଭାଗ୍ୟ ଯେ ଜଗତସିଂହପୁର ବାଲିକୁଦା ଅଞ୍ଚଳରେ ସେ ଜନ୍ମଗ୍ରହଣ କରିଥିଲେ, ଆଉ ସେ ଅଞ୍ଚଳର ମୁଁ ଜାମାତା। ମୁଁ ମନ୍ତ୍ରୀ ଥିବାବେଳେ କଟକରେ ଏକ ସଭାରେ ଯୋଗଦେଇଥିଲି। ସେ ସଭାକୁ ତାଙ୍କୁ ଡକାଯାଇ ନ ଥିଲା। ତାଙ୍କ ଅଞ୍ଚଳର ଜାମାତା ଭାବେ ମୋତେ ଦେଖିବାକୁ, ସେ ଆସି ସଭାସ୍ଥଳରେ ପହଞ୍ଚିଥିଲେ। ମଞ୍ଚ ଉପରକୁ ସେ ଯିବାରୁ ତାଙ୍କ ପାଇଁ ଗୋଟିଏ ଆସନ ବସିବାକୁ ଦିଆଗଲା। ମାତ୍ର ସେ ବସିଲେ ନାହିଁ। କହିଲେ ଯେ ଆମ ଜୋଇଁଙ୍କୁ ଦେଖିବାକୁ ଆସିଛି। ତା’ପରେ ସେ ପଳାଇଗଲେ। ଏ ଘଟଣାକୁ ମୁଁ ଜୀବନରେ କେବେ ଭୁଲି ପାରିବି ନାହିଁ। ତାଙ୍କର ପବିତ୍ର ଜନ୍ମଦିନକୁ ତାଙ୍କ ନାମରେ ଗଢ଼ାଯାଇଥିବା ଟ୍ରଷ୍ଟ ଓ ଜଗତସିଂହପୁର ବିକାଶ ପରିଷଦର ମିଳିତ ଆନୁକୂଲ୍ୟରେ କରାଯାଉଥିବା ପ୍ରକୃତରେ ଆନନ୍ଦର କଥା। ଏହି ଉତ୍ସବର ସର୍ବ ସଫଳତା ମୁଁ କାମନା କରୁଛି।
(ଜନ୍ମଦିବସ ଉପଲକ୍ଷେ)
ପୂର୍ବତନ ମନ୍ତ୍ରୀ, ଭୁବନେଶ୍ୱର