ଏହି ଲେଖାର ପୂର୍ବଭାଗରେ ‘ଇଡିଅଟ୍’ ସ˚ଜ୍ଞାକୁ ବ୍ୟାଖ୍ୟା କରି ହିନ୍ଦୀରେ କୁହାଯାଇଥିଲା- ‘‘ଯୋ ନେହିଁ ଜାନ୍ତା, ନେହିଁ ଶୁନ୍ତା, ନେହିଁ ମାନ୍ତା’’। ଏବେ ଉଗାଣ୍ତା (ଆଫ୍ରିକା)ର ରାଷ୍ଟ୍ରପତି କାଗୁଟା ମୁସାଭେନି ତାଙ୍କ ଦେଶରେ କରୋନା ରୋକିବା ପାଇଁ ପ୍ରଣୀତ ଆଇନକାନୁନ ମାନୁ ନ ଥିବା ଲୋକଙ୍କ ଉପରେ ବିରକ୍ତ ହୋଇ ଭର୍ତ୍ସନା କରି କହିଛନ୍ତି- ମନେରଖ, ଈଶ୍ବରଙ୍କ ପାଖରେ ତୁମମାନଙ୍କ ଭଳି ବେପରୁଆ, ଅବୁଝା, ଅମାନିଆ ‘ଇଡିଅଟ୍ଙ୍କ’ କଥା ଶୁଣିବାକୁ ସମୟ ନାହିଁ। କାରଣ ସାରା ବିଶ୍ବବାସୀଙ୍କ ସମସ୍ୟା ନେଇ ସେ ବ୍ୟସ୍ତ। ତେଣୁ ନିଜକୁ ବଦଳାଅ। ମନେରଖ ଏହା ଏକ ବିଶ୍ବଯୁଦ୍ଧ ଏବ˚ ଏକ ଅସ୍ବାଭାବିକ ପରିସ୍ଥିତି। ଅଧିକାର ଭୁଲି କର୍ତ୍ତବ୍ୟ କର। ମୁସାଭେନିଙ୍କ ରୋକଠୋକ୍ କଥା ଉପରେ ଏବେ ଯୁକ୍ତିତର୍କ ଆରମ୍ଭ ହେଲାଣି। ବିଶ୍ବବିଖ୍ୟାତ ବୈଜ୍ଞାନିକ ଆଇନ୍ଷ୍ଟାଇନ୍ଙ୍କ ଭାଷାରେ କାଣ୍ତଜ୍ଞାନହୀନ ମୂର୍ଖଙ୍କ ସହ ବୃଥା ଯୁକ୍ତିତର୍କ କଲେ ପରାଜୟ ସୁନିଶ୍ଚିତ। ଏବ˚ ନିଜକୁ ମୂର୍ଖ ହେବାକୁ ପଡ଼ିବ। ପବିତ୍ର ବାଇବେଲ୍ ‘ବୋକା’ଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରିଚି। ପ୍ରଥମ ଶ୍ରେଣୀ ହେଲେ ‘ସି˚ପଲ୍ ଫୁଲ୍ ବା ନିରୀହ, ସରଳ, ନିଷ୍କପଟ, ଅନୁଭୂତି ଶୂନ୍ୟ ଅଜ୍ଞ ବ୍ୟକ୍ତି, ସେ ସମସ୍ତଙ୍କୁ ଅନ୍ଧ ଭାବରେ ବିଶ୍ବାସ କରନ୍ତି। ଦ୍ବିତୀୟ ଶ୍ରେଣୀ ହେଲେ ‘ଷ୍ଟବର୍ନ’ ବା ଜିଦ୍ଖୋର। କାହା କଥା ଶୁଣନ୍ତି ନାହିଁ, ନିଜକୁ ସଦାବେଳେ ଠିକ୍ ଭାବନ୍ତି ଓ ମନଇଚ୍ଛା କାମ କରନ୍ତି। ଭଗବତ୍ ଗୀତାରେ ଏମାନଙ୍କୁ କୁହାଯାଇଛି ମୂଢ଼। ତୃତୀୟ ଶ୍ରେଣୀ ହେଲେ ସ୍କଫର୍ ବା ସଦା ବିଦ୍ରୂପକାରୀ।
ଅନ୍ୟମାନଙ୍କୁ ଅଭଦ୍ର ଭାଷାରେ ବିଦ୍ରୂପ, ଥଟ୍ଟା, ପରିହାସ, ସମାଲୋଚନା ଏମାନଙ୍କର ଜନ୍ମଗତ ଅଭ୍ୟାସ। ଓଲା ଓ ବୋକାଙ୍କ ବିଷୟରେ ଗବେଷକ କାର୍ଲୋ ସିପୋଲାଙ୍କ ଅନୁସାରେ ଷ୍ଟୁପିଡ୍ର ପ୍ରକୃତ ଅର୍ଥ ହେଲା ଯେଉଁ ବ୍ୟକ୍ତି ନିଜର ଲାଭ ନ ଥାଇ ବିନା କାରଣରେ ଅନ୍ୟର କ୍ଷତି ଘଟାଇଥାନ୍ତି। ଧର୍ମଗ୍ରନ୍ଥ କୋରାନରେ ଆଉ ଏକ ମୂର୍ଖ ଶ୍ରେଣୀକୁ କୁହାଯାଏ ‘ହୋଲି ଫୁଲ୍’ ବା ପବିତ୍ର-ମୂର୍ଖ, ଯେଉଁମାନେ ଦିନରାତି ଈଶ୍ବର, ଆଲ୍ଲାଙ୍କ ନାଁରେ କାଟିଥାନ୍ତି। ପ୍ରସିଦ୍ଧ ଆମେରିକାନ ଦାର୍ଶନିକ ଏଲ୍ବର୍ଟ ହୁବାର୍ଡ ମଣିଷ ଚରିତ୍ର ଅଧୢୟନ କରି କହିଛନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିଙ୍କ ଭିତରେ ଜଣେ ଜଣେ ବୋକା ବ୍ୟକ୍ତି ଲୁଚି ରହିଥାଏ ଏବ˚ ସେଇ ବୋକାଟି ପାଞ୍ଚମିନିଟ୍ ପାଇଁ ବାହାରିପଡ଼ି ଆମକୁ ବୋକା ବନେଇଥାଏ। ତା’ ନ ହେଇଥିଲେ ଶିବ ମୋହିନୀ କନ୍ୟା ପଛରେ, ବ୍ରହ୍ମା ସରସ୍ବତୀଙ୍କ ପଛରେ ଓ ଋଷି ବିଶ୍ବାମିତ୍ର ମେନକାଙ୍କ ପଛରେ ଗୋଡ଼ାଇ ନ ଥାନ୍ତେ। କିନ୍ତୁ ବିଜ୍ଞ ଲୋକେ ସେଇ ୫ ମିନିଟ୍ ସୀମା ଲ˚ଘନ କରନ୍ତି ନାହିଁ। ମାର୍କ ଟ୍ବାଇନ୍ ଥିଲେ ଜଣେ ଜନପ୍ରିୟ ଲେଖକ। ନିଜର ଦୈନନ୍ଦିନ ଆଚରଣକୁ ସମୀକ୍ଷା କରି ଲେଖିଛନ୍ତି- ମୁଁ ପିଲାଦିନେ ମୂର୍ଖ ଥିଲି, କିନ୍ତୁ ବୁଢ଼ାଦିନେ ହେଇଗଲି ମହାମୂର୍ଖ। ବୟସ ଅଧିକ ହେଇଗଲେ ଅନେକ ବ୍ୟକ୍ତି ସ୍ମୃତି ଶକ୍ତି ହରାଇ ମହାମୂର୍ଖ ଭଳି ବ୍ୟବହାର କରନ୍ତି। ଆପଲ୍ କମ୍ପ୍ୟୁଟର କମ୍ପାନିର ପ୍ରତିଷ୍ଠାତା ଷ୍ଟିଭ୍ ଜବ୍ସଙ୍କର ଏକ ପ୍ରସିଦ୍ଧ ଉକ୍ତି ଥିଲା- ଯଦି ନୂଆ ନୂଆ କଥା ଶିଖିବାକୁ ଚାହୁଁଚ ତେବେ- ଷ୍ଟେ ହଙ୍ଗ୍ରିି, ଷ୍ଟେ ଫୁଲିସ୍।’’ ନିରନ୍ତର କ୍ଷୁଧା ଓ ବାଲସୁଲଭ ନିର୍ବୋଧତା ନ ଥିଲେ ନୂଆ କଥା ଶିଖି ହୁଏ ନାହିଁ।
ପ୍ରକୃତ ବୋକା କିଏ ସେ? ଆଇନ୍ଷ୍ଟାଇନଙ୍କ ମତରେ- ଯେଉଁ ବ୍ୟକ୍ତି ଗୋଟିଏ କଥା ଓ କାମକୁ ବାରମ୍ବାର ରିପିଟ୍ କରନ୍ତି କିନ୍ତୁ ଅଲଗା ଫଳ ବା ପରିଣାମ ଆଶା କରନ୍ତି, ସେ ହେଲେ ଜଣେ ବୁଦ୍ଦୁ ଓ ବଣ ଓଲୁ। ଆଇନ୍ଷ୍ଟାଇନ୍ଙ୍କ ଅସ୍ବାଭାବିକ ଆଚରଣ ଓ ବୋକାମି ସମ୍ପର୍କରେ ଅନେକ ଚିତ୍ତାକର୍ଷକ କାହାଣୀ ରହିଚି। ତାଙ୍କ ଭଳି ଜଣେ ଅନ୍ୟମନସ୍କ ଆଡ଼ବାୟା କିପରି ବିଶ୍ବର ଏକ ନମ୍ବର ବୈଜ୍ଞାନିକ ହେଲେ ବୋଲି ପ୍ରଶ୍ନ ହୁଏ। ଏହି କାରଣରୁ ମୃତ୍ୟୁ ପରେ ତାଙ୍କ ବ୍ରେନ୍ ବା ମସ୍ତିଷ୍କ ଗବେଷଣା ପାଇଁ ଚୋରି ହୋଇଯାଇଥିଲା। ବେଳେ ବେଳେ ତଥାକଥିତ ବିଜ୍ଞ ବିଶାରଦମାନେ ମୂର୍ଖଙ୍କ ଭଳି ଆଚରଣ ଦ୍ବାରା ଅନ୍ୟର ଜୀବନକୁ ବିପଦାପନ୍ନ କରିଥାନ୍ତି। ସେହିପରି ଏକ ବାସ୍ତବ ଘଟଣା ଇ˚ଲଣ୍ତ ମହାରାଜା କିଙ୍ଗ୍ ଚାର୍ଲସ (ଦ୍ବିତୀୟ)ଙ୍କ ଜୀବନରେ ଘଟିଥିଲା ୧୬୮୫ ମସିହାରେ। ତାଙ୍କ ସ୍ବାସ୍ଥ୍ୟ ରକ୍ଷା ଦାୟିତ୍ବରେ ଥିଲେ ବିଭିନ୍ନ ଚିକିତ୍ସା ପଦ୍ଧତିର ୧୪ ଜଣ ବଡ଼ ଚିକିତ୍ସକ। ଚାର୍ଲସଙ୍କ ପ୍ରଧାନ ବେମାରି ଥିଲା ଅପସ୍ମାର। ଚିକିତ୍ସା ପାଇଁ ଜଣେ ଡାକ୍ତର କହିଲେ ଚାଲ ଆଗ ତାଙ୍କ ଶରୀରରୁ ଓ ବିଶେଷ କରି ଜୁଗୁଲାର ଭେନ୍ ବା ବେକଶିରାରୁ ଦୂଷିତ ରକ୍ତସବୁ କାଢ଼ି ଦବା। ସେକଥା କରାଗଲା, ଆଉ ଜଣଙ୍କ କହିବା ଅନୁସାରେ ଗୋଇଠିରେ କଣା କରି ରାଳ ବୋଳା ଗଲା, ତୃତୀୟ ବଇଦଙ୍କ ପରାମର୍ଶରେ ପାରାଲେଣ୍ତିକୁ ଗୁଣ୍ତ କରି ତାଙ୍କ ନାକରେ ଚୁଣ୍ଟାଗଲା ଛିଙ୍କ ଓ ବାନ୍ତି ହେବା ପର୍ଯ୍ୟନ୍ତ। ତା’ପରେ ଆଉଜଣେ ଦରପାଠୁଆ ବଇଦଙ୍କ ପରାମର୍ଶ ଅନୁସାରେ ଏନିମା ଦେଇ ତାଙ୍କ ଶରୀରରୁ ପାଣି କଢ଼ାଗଲା। କିନ୍ତୁ କିଛି ଫଳ ମିଳିଲା ନାହିଁ। ଏବେ ଚାର୍ଲସଙ୍କ ଶରୀର ଭିତରୁ ଅପସ୍ମାର ଭୂତକୁ ବିଦା କରିବା ପାଇଁ ଦୁଇଜଣ ଗୁଣିଆ ଗୁଣିଟୁଣି ଆରମ୍ଭ କରିଦେଲେ। ଶେଷରେ ଚାର୍ଲସ୍ ନିଜର ଡିହାଇଡ୍ରେଟେଡ୍ ବା ଜଳ ଶୂନ୍ୟ, କ୍ଳାନ୍ତ ଅବସନ୍ନ ଶରୀରକୁ ନେଇ ଯନ୍ତ୍ରଣାରେ ଛଟପଟ ହେଇ ମଲେ। ମୂର୍ଖ ବଇଦ ଓ ମିଛ ଔଷଧ ଏହିପରି ରୋଗକୁ ନ ମାରି ରୋଗୀକୁ ମାରିଥା’ନ୍ତି। ବୁଦ୍ଧିକୁ ଠିକ୍ ଭାବରେ ଉପଯୋଗ କରି ପାରୁନଥିବା ବ୍ୟକ୍ତିଙ୍କୁ କୁହାଯାଏ ବୋକା, ବାୟା, ନିର୍ବୁଦ୍ଧିଆ ଓ ମୂର୍ଖ। ସେ ଇଞ୍ଜିନିୟର ହୋଇଥିଲେ ତାଙ୍କ ତତ୍ତ୍ବାବଧାନରେ ନିର୍ମିତ ପୋଲ, ବନ୍ଧ, ବାଡ଼, ରାସ୍ତା, ଘର ଭୁଶୁୁଡ଼ି ପଡ଼େ। ଡାକ୍ତର ହୋଇଥିଲେ ରୋଗୀ ଘରକୁ ଫେରନ୍ତି ନାହିଁ। କେବଳ ପ୍ରେସକ୍ରିପ୍ସନ୍ ତ୍ରୁଟିରୁ ହଜାର ସ˚ଖ୍ୟାରେ ଲୋକ ମୃତ୍ୟୁମୁଖରେ ପଡ଼ନ୍ତି। ସୁସ୍ଥ ବ୍ୟକ୍ତି ବେମାରିଆ ହେଇଯା’ନ୍ତି। ଗୁରୁ ନୀତି ହୀନ ହୋଇଥିଲେ ଶିଷ୍ୟମାନେ କୁପଥଗାମୀ ହୋଇଥାନ୍ତି। ପ୍ରକୃତ ଜ୍ଞାନୀ ନିଜକୁ ଅଜ୍ଞ ବୋଲି ଭାବନ୍ତି, କିନ୍ତୁ ଅନ୍ୟ ପକ୍ଷରେ ବୋକାମାନେ ନିଜକୁ ବିଜ୍ଞ ବୋଲି ଭାବନ୍ତି। ଏବ˚ ନିଜକୁ ପଣ୍ତିତ ବୋଲି ଭାବୁଥିବା ବ୍ୟକ୍ତିଙ୍କର ସାଧାରଣ ଜ୍ଞାନ ନ ଥିବାରୁ ଏମାନଙ୍କୁ ପରିହାସରେ କୁହାଯାଏ ସ୍ଥାନ କାଳ ପାତ୍ର ଜ୍ଞାନହୀନ ମୂର୍ଖ।
ବ୍ୟକ୍ତିଗତ ଜୀବନର ଅନୁଭୂତିରୁ ପୁସ୍ତକ ଅପେକ୍ଷା ଅଧିକ ଜ୍ଞାନ ମିଳିଥାଏ। ଅତୀତରେ ଏପରି ଦୁଇଟି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥିଲା। ୧୯୮୭ ଓ ୨୦୦୧ ମସିହାରେ। ରକ୍ତ ପରୀକ୍ଷା ରିପୋର୍ଟରୁ ତୀବ୍ର ଜଣ୍ତିସ୍ ବାହାରିଲା। ଦିଲ୍ଲୀ ଏମ୍ସର ଅଭିଜ୍ଞ ପ୍ରଫେସର କହିଲେ ଅବସ୍ଥା ଗଭୀର, ପ୍ରତି ୩ ମାସରେ ଲିଭର ବାୟୋପ୍ସି କରିବାକୁ ପଡ଼ିବ। ପାଖରେ ଠିଆ ହୋଇଥିବା ଆଉ ଜଣେ ଡାକ୍ତର ବନ୍ଧୁ ମୋ ସ୍ତ୍ରୀ ବିନୋଦିନୀଙ୍କୁ ଡାକି ନେଇ ଚୁପ୍ କରି କହିଲେ ୧୫ରୁ ୩୦ ଦିନ ଆୟୁଷ ରହିଲା। ‘ରିସ୍ତେଦାରୋଁ କୋ ବୁଲାଇଏ’। ସେଦିନଠୁ ୩୩ ବର୍ଷ ବିତିଗଲାଣି। ଈଶ୍ବରଙ୍କ କୃପାରୁ ରିସ୍ତେଦାରମାନଙ୍କୁ ଡକେଇବା ଆବଶ୍ୟକ ପଡ଼ିନାହିଁ ଏ ପର୍ଯ୍ୟନ୍ତ। ଏଇ ପରିପ୍ରେକ୍ଷୀରେ ଭେଟିଥିଲି ଜଣେ ପ୍ରାକୃତିକ ଚିକିତ୍ସକ ଓ ଗାନ୍ଧୀଙ୍କ ଶିଷ୍ୟ ଡକ୍ଟର ହୀରାଲାଲ୍ଙ୍କୁ। ସାରା ଜୀବନ ଖାଉଥିଲେ ଅରନ୍ଧା ଖାଦ୍ୟ। ଏବେ ସ୍ବର୍ଗତ। କହିଲେ ରିପୋର୍ଟ ଚିରି ଫୋପାଡ଼ି ଦିଅ। ଏଇ ଦିନଚର୍ଯ୍ୟାକୁ ଅନୁସରଣ କର। ସବୁ ଠିକ୍ ହେଇଯିବ। ତାହାରି ଅନୁସାରେ ଜୀବନ ରଥ ଏ ପର୍ଯ୍ୟନ୍ତ ଗଡ଼ୁଛି।
ଦ୍ବିତୀୟ ଘଟଣାଟି ସିଙ୍ଗାପୁରରେ। ସେଠି ରାଜ୍ୟ ଗୋଷ୍ଠୀର ଏକ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିଲେ ବିଭିନ୍ନ ଦେଶର ପ୍ରତିନିଧି। ଏସିଆ ଦାୟିତ୍ବରେ ଥିଲି। ସମ୍ମିଳନୀ ସାରି ଫେରିବା ଦିନ ସକାଳେ ତଳି ପେଟରେ ଯନ୍ତ୍ରଣା ଆରମ୍ଭ ହେଲା। ବନ୍ଧୁମାନେ ନେଇଗଲେ ପାଖରେ ଥିବା ଜଣେ ଚାଇନିଜ୍ ଡାକ୍ତରଙ୍କ ନର୍ସିଂ ହୋମ୍କୁ। ପରୀକ୍ଷା କରି ସାରିବା ପରେ ଡାକ୍ତର କହିଲେ- ହାର୍ଣ୍ଣିଆ ଅଛି। ଘଣ୍ଟାଏ ଭିତରେ ଅପରେସନ କରିବାକୁ ପଡ଼ିବ। ପ୍ରସ୍ତୁତ ହେଇଯା’ନ୍ତୁ। ସଙ୍କଟରେ ପଡ଼ିଗଲି। ସନ୍ଧ୍ୟାବେଳ ଫ୍ଲାଇଟ୍ କ୍ୟାନ୍ସେଲ କରିବାକୁ ହେବ। ପାଖରେ କେହି ନିଜ ଲୋକ ନାହାନ୍ତି। କିଏ ଦେଖାଚାହାଁ କରିବ? କେତେଦିନ ଏପରି ରହିବାକୁ ହେବ? ଡାକ୍ତରଙ୍କୁ ପଚାରିଲାରୁ କହିଲେ ଏବେ ଅପରେସନ ନ କଲେ ଜୀବନ ପ୍ରତି ବିପଦ। ପ୍ଲେନ୍ରେ ବି ଏମର୍ଜେନ୍ସି ହେଇପାରେ। କହିଲି- ଡକ୍ଟର ମୁଁ ଏ ବିଷୟରେ ସେକେଣ୍ତ ଓପିନିଅନ ନବାକୁ ଚାହୁଁଚି। ‘ଓକେ, ସିଓର୍’- ଥିଲା ତାଙ୍କ ଉତ୍ତର। ଆମେ ଗଲୁ ସିରାଙ୍ଗୁନ୍ ରୋଡ୍ରେ ଥିବା ଆଉ ଏକ କ୍ଲିନିକ୍କୁ। ଡାକ୍ତର ଭାରତୀୟ ବ˚ଶଜ। ସବୁକଥା କହିଲି। ସେ ତଳିପେଟରେ ହାତ ବୁଲାଇଲେ ଓ ତା’ପରେ କହିଲେ- କିଛି ଡରିବାର ନାହିଁ, ଜୀବନ ପ୍ରତି କୌଣସି ବିପଦ ନାହିଁ। ହାତରେ ଧରାଇ ଦେଲେ ଦୁଇଟି ପେନ୍କିଲର୍ ବଟିକା ଏବ˚ କହିଲେ ଇଣ୍ତିଆରେ ପହଞ୍ଚିଲା ପରେ ଆଉ ଥରେ ଚେକ୍ ଅପ୍ କରାଇ ଦେବେ। ଏ ଭିତରେ ୨୦ ବର୍ଷ ବିତିଗଲାଣି, ଏପର୍ଯ୍ୟନ୍ତ ଚେକ୍ଅପ୍ର ଆବଶ୍ୟକତା ପଡ଼ିନାହିଁ। ବିଚରା ବାତୁଳା ରୋଗୀ ବଞ୍ଚିଗଲା ବାୟା ଡାକ୍ତରଙ୍କ ହାବୁଡ଼ରୁ। ତେଣୁ ଏଥିରୁ ଶିକ୍ଷା ମିଳିଲା କୌଣସି ନିଷ୍ପତ୍ତି ନେଲା ପୂର୍ବରୁ ସଦାବେଳେ ସେକେଣ୍ତ ଓପିିନିଅନ୍ ବା ଦ୍ବିତୀୟ ଥର ପାଇଁ ପରାମର୍ଶ ନେବା ଆବଶ୍ୟକ। କାରଣ ଆମ ସମାଜରେ ପଇସା ପାଇଁ ଅନ୍ୟକୁ ବୁଦ୍ଦୁ ବନେଇବା ବ୍ୟକ୍ତିଙ୍କ ସ˚ଖ୍ୟା ବଢ଼ି ବଢ଼ି ଚାଲିଛି। ଅଳ୍ପ ବୁଦ୍ଧି ଭୟଙ୍କରୀ। ଏବେ କେତେକ ବଡ଼ ବଡ଼ ପ୍ରାଇଭେଟ୍ ସେକ୍ଟର ହସ୍ପିଟାଲରେ ପ୍ରତ୍ୟେକ ସର୍ଜନଙ୍କ ପାଇଁ ବାର୍ଷିକ ଅସ୍ତ୍ରୋପଚାର କୋଟା ନିର୍ଦ୍ଦିଷ୍ଟ କରି ତାହାରି ଉପରେ ପ୍ରମୋସନ ଓ ଦରମା ବୃଦ୍ଧି କରାଯାଉଛି। ଆମେ ଯେତେ ଅଧିକ ପଢ଼ିଲେ, ସେତେ ଅଧିକ ମୂର୍ଖ ହେଲେ ଆମ ପିଲାଏ। ଡ. ବି.ଏମ୍. ହେଗଡେ ହୃଦ୍ ରୋଗରେ ବିଶେଷଜ୍ଞ, ତାଙ୍କର ପୁସ୍ତକ- ‘ମେଡିକାଲ ସ୍କୁଲରେ ଯେଉଁ ପାଠ ଡାକ୍ତରୀ ଛାତ୍ରଙ୍କୁ ପଢ଼ାଯାଏ ନାହିଁ’- ଲେଖିଛନ୍ତି ଛୋଟ ଛୋଟ ଘରେ ତିଆରି ହୋଇପାରୁଥିବା ଔଷଧ ଦ୍ବାରା ବିନା ଖର୍ଚ୍ଚରେ ରୋଗୀ ଭଲ ହୋଇଯା’ନ୍ତି। କିନ୍ତୁ ମେଡିକାଲ ଟେଷ୍ଟବୁକ୍ରେ ଏହି ପାଠ ନ ଥାଏ।
ସ୍ଥାନ ବିଶେଷରେ ଇଡିଅଟ୍ଙ୍କର ଭିନ୍ନ ଭିନ୍ନ ଆଚରଣ ଓ ଚେହେରା ଦେଖିବାକୁ ମିଳିଥାଏ। ସେଇଭଳି ଜଣକୁ ଦେଖିଥିଲି ଓଡ଼ିଶାର ଭାତହାଣ୍ତି କଳାହାଣ୍ତିର ଭବାନୀପାଟଣା ସହରରେ ୧୯୮୦ ଦଶକରେ। ପବ୍ଲିିକ୍ ଵାର୍କସ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଥିଲେ। ତାଙ୍କୁ ଲୋକେ ଡାକନ୍ତି କୁକୁର ସଉକିଆ ବାବୁ। ଦିନେ ତାଙ୍କ ଅଫିସ୍ର ଜଣେ କର୍ମଚାରୀ ଓ ଠିକାଦାର ସରକାରୀ ଗାଡ଼ିରେ ଆସି ଏକ ଦାମିକା ବାହାଘର ନିମନ୍ତ୍ରଣ ପତ୍ର ଦେଇଗଲେ। କାର୍ଡ ଖୋଲି ପଢ଼ିଲି। ଲେଖାଥିଲା ‘‘ମୋ ପୁଅ ରକିର ବାହାଘର। ନିଶ୍ଚୟ ସପରିବାର ଆସିବେ’’। ଆମେ ଠିକ୍ ସମୟରେ ପହଞ୍ଚିଲୁ। ସୁସଜ୍ଜିତ ବିରାଟ ବିବାହ ମଣ୍ତପ। ପ୍ରାୟ ଦେଢ଼ ହଜାର ଲୋକ ତାଙ୍କ କୁକୁର, ବିଲେଇ ଓ ପାଳିତ ପକ୍ଷୀ, ପଶୁଙ୍କୁ ଧରି ଆସିଥା’ନ୍ତି। ଦୁଇ ହଜାରଙ୍କ ପାଇଁ ଖାଦ୍ୟ ରନ୍ଧା ହୋଇଥାଏ। ପଶୁପକ୍ଷୀଙ୍କ ପାଇଁ ସ୍ବତନ୍ତ୍ର ଖାଦ୍ୟ। ବର କନ୍ୟାଙ୍କୁ ଦେଖିବାକୁ ଗଲୁ। ବେଦିରେ ବସିଥିଲେ କିନ୍ତୁ ଗୋଟିଏ ଅଣ୍ତିରା ଓ ଗୋଟିଏ ମାଈ କୁକୁର। ପିନ୍ଧିଥିଲେ ସି˚ହ ଓ ବାଘ ଚମଡ଼ାର ପୋଷାକ। ମୁଣ୍ତରେ ମୁକୁଟ। କୁକୁର ସଉକୀ ବାବୁଙ୍କ ‘ରକି’ର ମେଟିଙ୍ଗ୍ ସିଜନ ବା ମିଳନ ଋତୁର ଚାରିମାସ ପୂର୍ବରୁ ସବୁ ସରକାରୀ କାମ ଛାଡ଼ି କନିଆ (କୁତୀ) ଖୋଜିବା ପାଇଁ ଯାଇଥିଲେ। ଏମିତି ତାଙ୍କ ଗୁହାଳରେ ରହୁଥିଲେ ଚାରି ଶହ କୁକୁର। ତାଙ୍କ ଧର୍ମପତ୍ନୀ ରଖିଥିଲେ ଦୁଇଶହ ବିଲେଇ। ଖର୍ଚ୍ଚ ବହନ କରୁଥିଲେ କଣ୍ଟ୍ରାକ୍ଟରମାନେ। ମନେ ପଡ଼ିଲା। ଜୁନାଗଡ଼ର ନବାବ ମୋହବ୍ବତ୍ ଖାନ୍ଙ୍କ କୁକୁର ପ୍ରେମ କଥା। ତାଙ୍କର ସବୁଠୁ ବଡ଼ କୁକୁର ଓ କୁତୀଙ୍କର ପିଲା ହେଉନଥିଲା। ଯେଉଁଦିନ କୁତୀ ଗର୍ଭ ଧାରଣ କଲା, ଆନନ୍ଦରେ ନବାବ୍ ସାହାବ ତାଙ୍କ ରାଜ୍ୟର ୨୦ ହଜାର ଲୋକଙ୍କ ପାଇଁ ଭୋଜି କରିଥିଲେ। ସେତେବେଳେ ୧୯୪୭ ରାଜକୋଷରୁ ଖର୍ଚ୍ଚ ହୋଇଥିଲା କୋଡ଼ିଏ ଲକ୍ଷ ଟଙ୍କା। କଳାହାଣ୍ତି ପରି ଜୁନାଗଡ଼ ମଧୢ ସେତେବେଳେ ଏକ ଦୁର୍ଭିକ୍ଷ ପ୍ରପୀଡ଼ିତ ରାଜ୍ୟ ଥିଲା।
କିଛି ବର୍ଷ ପୂର୍ବେ ପଢ଼ିଥିଲି ଆଫ୍ରିକାର ଜିମ୍ବାେଵ ଦେଶର ଅତ୍ୟାଚାରୀ ରାଷ୍ଟ୍ରପତି ରବର୍ଟ ମୁଗାବେ କିପରି ତାଙ୍କ, ୯୧ତମ ଜନ୍ମଦିନ ମହା ଆଡ଼ମ୍ବରରେ ପାଳନ ବେଳେ ଆୟୋଜିତ ଭୋଜି ପାଇଁ ହାଣ ଖାଇଥିଲେ ୯୧ ହାତୀ, ହଜାରେ ଗାଈ, ମଇଁଷି, ସି˚ହ ଓ କୁମ୍ଭୀର ଛୁଆ। ରାଜକୋଷରୁ ଖର୍ଚ୍ଚ ହେଇଥିଲା ୧୦୦ ମିଲିଅନ୍ ଡଲାର୍। ଏହି ଦେଶରେ ବେକାରଙ୍କ ସ˚ଖ୍ୟା ଏବେ ଶତକଡ଼ା ୮୫ ଭାଗ। ଅଜ୍ଞାନ ଜ୍ଞାନକୁ ଏବ˚ ଅନ୍ଧକାର ଆଲୋକକୁ ଆବୃତ କଲାଭଳି ଅହଙ୍କାର ମଣିଷର ବୁଦ୍ଧିକୁ ଭ୍ରଷ୍ଟ କରିଥାଏ। ଅନ୍ୟ ପକ୍ଷରେ ମୁଲ୍ଲା ନାସିରୁଦ୍ଦିନ୍ ଓ ଓଡ଼ିଶାର ଗୋପାଳ ଭାଣ୍ତଙ୍କ ଭଳି କେତେକ ବ୍ୟକ୍ତି ବାହାରୁ ବୋକା ଭଳି ଲାଗନ୍ତି କିନ୍ତୁ ପ୍ରକୃତରେ ଖୁବ୍ ବୁଦ୍ଧିମାନ। ଆଉ ଗୋଟିଏ ଶ୍ରେଣୀ ହେଲେ ବିଚାର ଶକ୍ତି ହୀନ ଚଞ୍ଚଳମନା, ଅଥୟ, ଅବ୍ୟବସ୍ଥିତ ଚିତ୍ତଧାରୀ ବୋକା। ଯେଉଁ କାମ କରିବାକୁ ବିଜ୍ଞ ଓ ପଣ୍ତିତମାନେ ଡରନ୍ତି ଏଇ ବୋକାମାନେ ନିର୍ଭୟରେ ସେ କାମ ପାଇଁ କୁଦା ମାରି ଡେଇଁପଡ଼ନ୍ତି। ଏମାନଙ୍କ ବାସସ୍ଥାନକୁ ଇ˚େରଜୀରେ କହନ୍ତି ‘‘ଫୁଲସ୍ ପାରାଡାଇଜ୍’’। ୨୦୦୯ ମସିହାରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ହିରାନିଙ୍କ ଫିଲ୍ମ ‘‘ଥ୍ରି ଇଡିଅଟ୍ସ୍’’ ଦେଶ ବିଦେଶରେ ଆଶାତୀତ ଲୋକପ୍ରିୟତା ଅର୍ଜନ ସହ ଅନେକ ପୁରସ୍କାର ପାଇଥିଲା। ଲାଭ କରିଥିଲା ୫୦୦ କୋଟି ଟଙ୍କା। ପିତାମାତାଙ୍କ ଅବାସ୍ତବ ଆଶା ଓ ସ୍ବପ୍ନ ଏବ˚ ଶିକ୍ଷକଙ୍କ ଅଯୌକ୍ତିକ, ଅବିବେକୀ ଆଚରଣ ଓ ଚାପ କିପରି ସୃଜନଶୀଳ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଚୁରମାର୍ କରିଦିଏ, ତାହାର ଅନେକ ଉଦାହରଣ ରହିଛି ‘ଥ୍ରି ଇଡିଅଟ୍ସ୍’ ମୁଭିରେ। ପ୍ରତିବର୍ଷ ଏପ୍ରିଲ ଏକ ତାରିଖରେ ଲୋକେ ହସ, କୌତୁକ, ଥଟ୍ଟା, ପରିହାସ କରି ପରସ୍ପରକୁ ବୋକା ବନେଇ ଏପ୍ରିଲ ଫୁଲ୍ସ ଡେ’ ପାଳନ କରିଥାନ୍ତି। ଚାଇନିଜ୍ ଦାର୍ଶନିକ କନ୍ଫୁସିଅସଙ୍କ ଭାଷାରେ ଯେତେବେଳେ ଜଣେ ଜ୍ଞାନୀ ବ୍ୟକ୍ତି ସମସ୍ତଙ୍କ ଧୢାନ ଆକର୍ଷଣ ପାଇଁ ଆକାଶରେ ନବୋଦିତ ଚନ୍ଦ୍ରଙ୍କ ଆଡ଼କୁ ହାତ ବଢ଼ାନ୍ତି, ନିର୍ବୋଧମାନେ ଚନ୍ଦ୍ରକୁ ନ ଦେଖି ଜ୍ଞାନୀଙ୍କ ହାତରେ ଥିବା ଆଙ୍ଗୁଠି ଗଣିବାରେ ଲାଗିଯା’ନ୍ତି। ତଥାପି ବେକୁବ୍ମାନଙ୍କ ମନୋର˚ଜନ ମୂଲ୍ୟ ଏତେ ଅଧିକ ଯେ, ସେମାନଙ୍କ ବିନା ଜୀବନ ରଙ୍ଗମଞ୍ଚ ରସହୀନ ହୋଇଯାଏ।
୨୯-ବି, ପ୍ରଜ୍ଞାବିହାର, ବିଡିଏ, ଏଚ୍ଆଇଜି ଡୁପ୍ଲେକ୍ସ, ବରମୁଣ୍ତା, ଭୁବନେଶ୍ବର
ମୋ-୯୯୩୭୦୨୭୦୧୭
[email protected]