ପ୍ରଥିତଯଶା ଲେଖକ ସ୍ବର୍ଗତ ଗୋପୀନାଥ ମହାନ୍ତିିଙ୍କ ପୁଣ୍ୟ ତିଥି ଅଗଷ୍ଟ ୨୦ ତାରିଖରେ ପାଳିତ ହୋଇଯାଇଛି। ସେହି ଅବସରରେ ଆମେ ଉପସ୍ଥାପନ କରୁଛୁ ତାଙ୍କ ଆତ୍ମଜୀବନୀ ‘ସ୍ରୋତସ୍ବତୀ’ରୁ ଏହି ଉଦ୍ଧୃତାଂଶ।
ସଞ୍ଜର ମହଳଣ ପଡ଼ା ଖରା ବିଦା ହେଲା ବେଳକୁ ଜାଣି ଜାଣି ଉଛୁର କରୁଛି ଇସ୍କୁଲ୍ ଘର ସାମ୍ନା ଡେଙ୍ଗା ନଡ଼ିଆ ଗଛ ଉପେର। ଭଜନା ଗଉଡ଼ ଗୋହିରି ଉଢୁଆଳରୁ କେଉଁଠୁ ଡାକ ଛାଡ଼ିଛି ‘‘ଆ-ଆ-ଯମୁନା ଆ’’, ଗୋରୁ ପଲ ଚାଲିଛନ୍ତି, କେତେବା ବାଉଁଶ ବଣ ସେ ପାଖେ ଲୁଚି ଗଲେଣି।
ବଖୁରିକିଆ ଚାଟଶାଳୀ ଘର ସାମ୍ନାରେ ମାଧବ ମାଷ୍ଟ୍ରେ ପାଟି କରୁଛନ୍ତି ‘‘ପଢ଼-ପଢ଼’’, ଏଣେ ବେତଟା କାଖରେ ଗୁଞ୍ଜି ଦେଇ ଦି’ ହାତରେ ପିକା ବଳିବାରେ ଲାଗିଛନ୍ତି। ଘର ଭିତରୁ ବାହାରୁଛି ଗୋଟାଏ ପ୍ରଳୟର ଚିଲାର, ତା’ ଭିତରେ କେବେ ଶୁଭେ କେତେ କେତେ କାହାଣ କେତେ ପଣ ନିଜକୁ ପଦାକୁ ଫୋପାଡ଼ିବାକୁ ଚେଷ୍ଟା କରୁଛି।
‘‘ପଚିଶିକେଏ ପଚିଶି ପଣ କାହାଣେ-ନଅ-ପ-ଣ’’, ‘‘କଟାସ-କ-ଟ ଆକାରେ ଦନ୍ତ୍ୟ-ସ କଟାସ, କ ଟ ଆକାରେ ଦନ୍ତ୍ୟ-ସ କଟାସ କ ଟଆକାର’’....
‘‘ପଢ଼...ପଢ଼- ଜମା ତ ପାଟି ଶୁଭୁନାହିଁ ଆଉ କଅଣ-’’
ଓଡ଼ିଆ ପ୍ରବନ୍ଧକୁ ନିଘା ଦେଲି। ଲାଗୁଥାଏ, ଓଡ଼ିଆ ପ୍ରବନ୍ଧସବୁ ଭାରି କିଟିମିଟିଆ ଭାଷାରେ ଲେଖା, ଖାଲି ଶୁଖିଲା ‘ତତ୍ତ୍ବ’ କି ‘ଯୁକ୍ତି’, ଜୀବନର ବିନ୍ୟାସ ନାହିଁ, ଅନୁଭୂତି ନାହିଁ, ଚିତ୍ର ନାହିଁ। ତେଣୁ ଆମେ ପ୍ରବନ୍ଧ ଦେଖିଲେ ପୃଷ୍ଠା ଲେଉଟାଉଁ। କଷ୍ଟ କରି ପଢ଼ିଲେ ବି, ନୂଆ ଚିନ୍ତାଧାରା ମିଳନ୍ତା ଯଦି! ବହିରେ ତ ଅଛି, ପଢ଼ିଛୁଁ। ନୂଆ କ’ଣ?
ଇଂରେଜୀରେ ‘ପ୍ରବନ୍ଧ’ର କ୍ରମିକ ଧାରା ଓ ବିକାଶ ବିଷୟରେ କିଛି ଜ୍ଞାନ ଦେଲା। ଦେଖିଲି, ଦଳେ ମୂଳରୁ ଥିଲେ ଓ ଏବେ ବି ଅଛନ୍ତି, ଯେଉଁମାନଙ୍କ ପ୍ରବନ୍ଧରେ ଥାଏ ଖାଲି ‘ତତ୍ତ୍ବ’ ଓ ‘ଯୁକ୍ତି’। ଯୁକ୍ତିର ବିଚକ୍ଷଣତା, ନୂଆ ଚିନ୍ତା ସେମାନଙ୍କର ଉତ୍କର୍ଷ, କେତେ ତହିଁରୁ ଦାନ୍ତଚିପା, ଗମ୍ଭୀର, ପଣ୍ଡିତିଆ, କିଟିମିଟିଆ, ବଡ଼ବଡ଼ ଶବ୍ଦ ଛଡ଼ା ଭାଷା ନୁହେଁ। କିନ୍ତୁ ବିଂଶ ଶତାବ୍ଦୀରେ ବିଶେଷତଃ ପ୍ରଥମ ମହାଯୁଦ୍ଧ ପରେ, ବେଶି ପ୍ରସାର ପାଇଲାଣି ‘‘ଆଧୁନିକ ପ୍ରବନ୍ଧ’’ ଅତି ଗଭୀର ତା’ ଦୃଷ୍ଟି, ଅତି ଉନ୍ନତ, ଅତି ବୌଦ୍ଧିକ ତା’ର ବିଶ୍ଳେଷଣ ତା’ର ଚିନ୍ତା, କହିବା ପ୍ରଣାଳୀ କେଡ଼େ ଭିନେ! ଢମ ନାହିଁ ଅାଡ଼ମ୍ବର ନାହିଁ, କୌଣସି ବଡ଼ କାମ କରିବାକୁ ଯାଉଛି ବୋଲି ଗୁରୁ ଗମ୍ଭୀର ଦାନ୍ତଚିପା ଭ୍ରୂଲତା-ଟେକା ଠାଣି ନାହିଁ, ଅତି ସହଜ ସାଧାରଣ ହୋଇ ଅନ୍ତରଙ୍ଗ ବନ୍ଧୁଟିଏ ବାଜେ କଥା ଗପିଲା ପରି ସେ କହି ଚାଲିଯାଉଛି, ହସି ହସାଇ, କେତେବେଳେ କାନ୍ଦି କନ୍ଦାଇ, କେତେବେଳେ କେଉଁ ଚିହ୍ନା ସ୍ମୃତି ଚିହ୍ନା ଅନୁଭୂତି ମନେ ପକାଇ ଦେଉଛି, ଆଖି ଆଗରେ ଜିଅନ୍ତା ଦୃଶ୍ୟ ଠିଆ କରିଦେଉଛି, ମନରେ ଅାପେ ଆଣୁଛି ଭାବ, ଚିନ୍ତା। ତାହାରି ଭିତରୁ ଅାପେ ବାହାରି ଚାଲି ପ୍ରବନ୍ଧଟିର ଭାବ, ଆପେ ମନ ଭିତରେ ଏକାଠି ସଞ୍ଚି ହେଉଛି, ଖଞ୍ଜି ହେଉଛି, ଗୋଟିଏ ଦିଗକୁ ମୋହୁଛି, ଉପସଂହାରରେ ପହଞ୍ଚୁଛି। ଅର୍ଥ ଗଢ଼ି ହେଉଛି ଭାବଚିତ୍ର ଦ୍ବାରା। ଲେଖକ ଓ ପାଠକ ଉଭୟେ ପାଉଛନ୍ତି ଆବିଷ୍କାରକର ଆନନ୍ଦ। ପାଠକ ଛାତ୍ର ଲେଖକ ଗୁରୁ ହୋଇ ରହୁନାହାନ୍ତି, ଆରମ୍ଭରୁ ପାଠକର ବି କୁତୂହଳ ତେଜୁଛି, ଆଗ୍ରହ ବଢୁଛି, ଦିହେଁ ସାଙ୍ଗ ହୋଇ ଖୋଜୁଛନ୍ତି, ଏକା କଥା ଦେଖୁଛନ୍ତି, ଏକମତ ହେଉଛନ୍ତି।
କେତେକେତେ କୃତୀ କଳାକାର, - ଚେଷ୍ଟର୍ଟନ୍, ବେଲକ୍, ଲିଣ୍ଡ୍, ଡିକ୍ବିନ୍ସି, ଭାର୍ଜିନିଅଁା ଉଲ୍ଫ୍, ଏଡିଥ୍ ସିଟ୍ୱେଲ୍, ବହୁତ ଆହୁରି।
ଓଡ଼ିଆରେ ପ୍ରବନ୍ଧକୁ ଏଭଳି ନୂଆ ଶୈଳୀରେ ପକା ହୋଇନାହିଁ, ପ୍ରବନ୍ଧର ଉତ୍କର୍ଷ ବି ଘଟିନାହିଁ। ଗାଈ ବିଷୟରେ ପ୍ରବନ୍ଧଟିଏ ଲେଖିଲେ ଆରମ୍ଭ ହେବ
‘‘ପରାତ୍ପର ପରମେଶ୍ବର ଏ ସଂସାରରେ ଯେତେଯେତେ ଜୀବଜନ୍ତୁ ସୃଷ୍ଟି କରିଛନ୍ତି ତନ୍ମଧ୍ୟରେ ଗାଈ ଗୋଟିଏ ଜନ୍ତୁ।
ସଂସ୍କୃତ ‘ଗାଭୀ’ ଶବ୍ଦରୁ ‘ଗାଈ’ର ଅପଭ୍ରଷ୍ଟସୂତ୍ରେ ଉତ୍ପତ୍ତି। ଗାଈର ଚାରିଟି ଗୋଡ଼, ଗୋଟିଏ ଲାଙ୍ଗୁଡ଼, ଗୋଟିଏ ମୁଣ୍ଡ, ଦୁଇଟି ଶିଂଘ-’’ ଇତ୍ୟାଦି।
ବିଷୟ ହେବ ସାହିତ୍ୟ-ତତ୍ତ୍ବ, ଭାଷା ହେବ ସହଜ କଅଁଳ ଜିଅନ୍ତା କଥିତ-ଓଡ଼ିଆ, ଚେହେରା ହେବ ‘‘ଆଧୁନିକ ପ୍ରବନ୍ଧ’’ ଭଳି, ବିନ୍ୟାସ ମୋର ମନ ଗଢ଼ା। ଆମ ଧରିଲି, ଇଂରେଜୀ ସାହିତ୍ୟରେ ଯାହାକୁ କହି ହେବ ‘The Principle of wonder in literature’, ଓଡ଼ିଆରେ ମୋଟାମୋଟିରେ, ‘ସାହିତ୍ୟରେ ଆଚମ୍ବିତକାରୀ ଗୁଣ।’ ସେହି ନଁା ପଟା ପରିବର୍ତ୍ତେ ମୁଁ ଝୁଲେଇଲି ‘ବାୟାକକ’, ଅର୍ଥାତ୍ ମୋ ଲେଖାର ନଁା ରହିଲା ସେଇଆ।
କାହ୍ନୁ ଭାଇଙ୍କ ସଙ୍ଗରେ ଯାଇ ମାସିକ ‘ସହକାର’ର ସଂପାଦକ ଓ ‘ସହକାର ପ୍ରେସ୍’ (ବର୍ତ୍ତମାନ ମାତୃଭୂମି ପ୍ରେସ୍)ର ମାଲିକ ଶ୍ରୀ ବାଳକୃଷ୍ଣ କରଙ୍କୁ ତାଙ୍କ ପ୍ରେସ୍ରେ ଦେଖାକଲି, କାହ୍ନୁ ଭାଇ ମୋ ପରିଚୟ ଦେଲେ। ବାଳକୃଷ୍ଣ ବାବୁ ମୋଠୁଁ ଲେଖଁାଟି ନେଲେ। ‘ସହକାର’ର ଷୋଡ଼ଶ ଭାଗ ପ୍ରଥମ ସଂଖ୍ୟାରେ ଅର୍ଥାତ୍ ୧୯୩୫ ସାଲ୍ ଅପ୍ରେଲ (ବୈଶାଖ) ମାସରେ ୩ୟରୁ ୫ମ ପୃଷ୍ଠାରେ ଅର୍ଥାତ୍ ବୋଧହୁଏ ଆଉ କାହାର ଗୋଟିଏ କବିତା ଉତ୍ତାରୁ ‘ବାୟାକକ’ ବାହାରିଲା।
‘ବାୟାକକ’ର ପୃଷ୍ଠଭୂମି
ଗୋପୀନାଥ ମହାନ୍ତି
/sambad/media/post_attachments/wp-content/uploads/2024/08/jggdgjgjdjg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)