ବିଶ୍ବବିଦ୍ୟାଳୟ: ପରିକଳ୍ପନା ଓ ପତନ

ଅଜିତ ମହାନ୍ତି

ପୁରାତନ ଯୁଗରୁ ବିଶ୍ବବିଦ୍ୟାଳୟମାନେ ଭାରତୀୟ ଜ୍ଞାନ ଓ ଦର୍ଶନ ଚର୍ଚ୍ଚାର କେନ୍ଦ୍ର ପୀଠ। ଆମ ରାଜ୍ୟର ପୁଷ୍ପଗିରି ଓ ଲଳିତଗିରି ପ୍ରାୟ ଅଢ଼େଇ ହଜାର ବର୍ଷର ପୁରୁଣା। ପରେ ପରେ, ତକ୍ଷଶୀଳା, ନାଳନ୍ଦା ଓ ବିକ୍ରମଶୀଳା ଆଦି ବିଶ୍ବବିଦ୍ୟାଳୟରେ ଧର୍ମ, ଦର୍ଶନ, ତର୍କ ଶାସ୍ତ୍ର, ବୁଦ୍ଧ ଧର୍ମୀୟ ତତ୍ତ୍ବ ଓ ତନ୍ତ୍ର, ଚିକିତ୍ସା ବିଜ୍ଞାନ ଓ ରସାୟନ ବିଦ୍ୟା ଆଦି ବିଭିନ୍ନ ଜ୍ଞାନ ସ୍ରୋତକୁ ନେଇ ଅନେକ ବୌଦ୍ଧିକ ଚର୍ଚ୍ଚା ଓ ଅଧୢୟନ। ବୋଧହୁଏ ରାଜା ଧର୍ମପାଳଙ୍କ ଦ୍ବାରା ପ୍ରତିଷ୍ଠିତ ବିକ୍ରମଶୀଳା ବିଶ୍ବବିଦ୍ୟାଳୟ ପ୍ରାୟ ଏକ ହଜାର ବର୍ଷ ତଳେ ଶିକ୍ଷାଗତ ଯୋଗ୍ୟତା ପତ୍ର- ପଣ୍ତିତ, ମହାପଣ୍ତିତ ଇତ୍ୟାଦି ଉପାଧି- ଦେବା ଆରମ୍ଭ କଲେ ଯାହା ଆଜିର ଡିଗ୍ରି ପ୍ରଦାନକାରୀ ବିଶ୍ବବିଦ୍ୟାଳୟମାନଙ୍କର ପ୍ରଥମ ପରମ୍ପରା। ଏସବୁ ବିଶ୍ବବିଦ୍ୟାଳୟମାନ ମୁଖ୍ୟତଃ ଧର୍ମାନୁଷ୍ଠାନ ବା ଧର୍ମଚର୍ଚ୍ଚାର ପ୍ରୟାସରୁ ଆରମ୍ଭ ହୋଇ କାଳକ୍ରମେ ବିଶ୍ବବିଦ୍ୟାଳୟରେ ପରିଣତ ହୋଇଥିଲେ ବିଶେଷ କରି ରାଜକୀୟ ପୃଷ୍ଠପୋଷକତାରେ ଏବ˚ କେତେକ କ୍ଷେତ୍ରରେ, ଯେଉଁ ବାହ୍ୟ ଦେଶମାନଙ୍କରୁ ପଣ୍ତିତ, ଛାତ୍ର-ଗବେଷକମାନେ ଏଠାକୁ ବିଶେଷ ଅଧୢୟନ ପାଇଁ ଆସୁଥିଲେ, ସେ ଦେଶମାନଙ୍କର ଉପହାର ଓ ଦାନ ଧନର ଖର୍ଚ୍ଚରେ। ଭାରତୀୟ ବିଶ୍ବବିଦ୍ୟାଳୟ ପରମ୍ପରାର ଅନେକ ପରେ, ୟୁରୋପର ମଧୢଯୁଗୀୟ ବିଶ୍ବବିଦ୍ୟାଳୟମାନେ ମଧୢ ଧର୍ମାନୁଷ୍ଠାନମାନଙ୍କ ପ୍ରୟାସ ଓ ରାଜକୀୟ ସାହାଯ୍ୟରୁ ଗଢ଼ି ଉଠିଥିଲେ। ତଥାପି, ସବୁ କ୍ଷେତ୍ରରେ ବିଶ୍ବବିଦ୍ୟାଳୟମାନେ ଥିଲେ ପଣ୍ତିତ, ଗବେଷକ, ଶିକ୍ଷକ ଓ ଛାତ୍ରମାନଙ୍କର ଗୋଟିଏ ଗୋଟିଏ ସ୍ବୟ˚ଶାସିତ, ସ୍ବପରିଚାଳିତ ଗୋଷ୍ଠୀ ଯାହା ଧର୍ମାନୁଷ୍ଠାନ ଓ କ୍ଷମତାସୀନମାନଙ୍କ ଦ୍ବାରା ସ୍ବୀକୃତ ଓ ସମ୍ମାନିତ ହେଉଥିଲା। ଶହ ଶହ ବର୍ଷର ବିଶ୍ବ ପରମ୍ପରାରେ ବିଶ୍ବବିଦ୍ୟାଳୟମାନଙ୍କ ପରିକଳ୍ପନାରେ ବୌଦ୍ଧିକ ସ୍ବାଧୀନତା ଏକ ମୌଳିକ ତତ୍ତ୍ବ ଯାହାକୁ ଭିତ୍ତି କରି ବିଶ୍ବର ସର୍ବଶ୍ରେଷ୍ଠ ବିଶ୍ବବିଦ୍ୟାଳୟମାନ ଗଢ଼ିଛନ୍ତି ନିଜ ନିଜର ସ୍ବତନ୍ତ୍ର ପରିଚୟ ଏବ˚ ନିଜର ପ୍ରଭାବ ଓ ପରିସର ମଧୢରେ ସ୍ବତନ୍ତ୍ର ସ˚ସ୍କୃତି-ସମ୍ପନ୍ନ ଶିକ୍ଷା ଓ ଜ୍ଞାନର ବିଶେଷ ଗୋଷ୍ଠୀ- ଶିକ୍ଷକ- ଗବେଷକ ଓ ଛାତ୍ରଛାତ୍ରୀ। ଶିକ୍ଷାର ଇତିହାସ ଏ କଥା ବାରମ୍ବାର ପ୍ରମାଣିତ କରିଛି ଯେ ବିଶ୍ବବିଦ୍ୟାଳୟ-ସ୍ବାତନ୍ତ୍ର୍ୟ ଏକ ସର୍ବନିମ୍ନ ମୌଳିକ ନୀତି; ବିଶ୍ବବିଦ୍ୟାଳୟର ଅଟୋନମି ବା ସ୍ବୟ˚ଶାସନର ଅଧିକାର ଏବ˚ ଦାୟିତ୍ବ ମୌଳିକ ସ୍ତରରେ ବିଶ୍ବବିଦ୍ୟାଳୟ ସ˚ଜ୍ଞାର ଏକ ଅପରିହାର୍ଯ୍ୟ ଅ˚ଶ, ଯାହାକୁ ନେଇ କୌଣସି ସାଲିସ କରି ହେବ ନାହିଁ।

ଗୁରୁଦିବସର ଅବ୍ୟବହିତ ପୂର୍ବରୁ ସେପ୍‌ଟେମ୍ବର ୪ ତାରିଖରୁ ଓଡ଼ିଶା ବିଶ୍ବବିଦ୍ୟାଳୟ ସ˚ଶୋଧନ ଅଧୢାଦେଶ ବିଶ୍ବର ବିଶ୍ବବିଦ୍ୟାଳୟ ପରିକଳ୍ପନାର ଇତିହାସରେ ଏକ ଅସାମାନ୍ୟ କଳଙ୍କ। ରାଷ୍ଟ୍ରର ବିଶ୍ବବିଦ୍ୟାଳୟମାନଙ୍କ ଇତିହାସରେ, ଏପରିକି ବ୍ରିଟିସ ଶାସନ କାଳର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟମାନଙ୍କ କ୍ଷେତ୍ରରେ ମଧୢ, ବିଶ୍ବବିଦ୍ୟାଳୟମାନଙ୍କ ସ୍ବାଧୀନତା ଓ ମୌଳିକ ପରିକଳ୍ପନାରେ ଏଭଳି ଆକ୍ରମଣ ବିରଳ। ୟା’ ପରେ, ଓଡ଼ିଶା ହେବ ଏକମାତ୍ର ରାଜ୍ୟ ଯେଉଁଠି ବିଶ୍ବବିଦ୍ୟାଳୟମାନେ, ସେମାନଙ୍କର କୁଳପତିମାନେ ଏବ˚ ପରିଚାଳନାର ଅନ୍ୟାନ୍ୟ କର୍ତ୍ତୃପକ୍ଷ ବ୍ୟକ୍ତି ବା ଅନୁଷ୍ଠାନମାନେ ଏବ˚ ଶିକ୍ଷକ-ଛାତ୍ରଛାତ୍ରୀମାନେ ଲଜ୍ଜିତ ଅନୁଭବ କରିବେ ଯେ ସେମାନେ ସରକାରୀ ନିୟନ୍ତ୍ରଣରେ ଥିବା ବ୍ୟକ୍ତି ବା ଅନୁଷ୍ଠାନ, ତେଣୁ ଗୋଠଖଣ୍ତିଆ। ଏହା ଫଳରେ ରାଜ୍ୟରେ ଯେଉଁ ବେସରକାରୀ ବିଶ୍ବବିଦ୍ୟାଳୟମାନ ଅଛନ୍ତି ସେମାନେ ନିଶ୍ଚୟ ଅଧିକ ଆକର୍ଷଣୀୟ ମନେହେବେ କାରଣ ସେମାନେ ସ୍ବତନ୍ତ୍ର। ଏକବି˚ଶ ଶତାବ୍ଦୀର ବଜାର-ପରିଚାଳିତ ଶିକ୍ଷା ବ୍ୟବସ୍ଥାରେ ସରକାରୀ ବିଶ୍ବବିଦ୍ୟାଳୟମାନଙ୍କୁ ମୂଲ୍ୟହୀନ କରାଇ ଉଚ୍ଚ ଶିକ୍ଷାରେ ବ୍ୟାବସାୟିକ ସ୍ବାର୍ଥକୁ ପ୍ରୋତ୍ସାହନ ଦେବାର ଏ ଚକ୍ରାନ୍ତ ଶେଷରେ ସାଧାରଣ ଛାତ୍ରଛାତ୍ରୀ, ସେମାନଙ୍କର ବାପା ମାଆ ଓ ଜନସାଧାରଣଙ୍କ ଉଚ୍ଚଶିକ୍ଷା ଅଧିକାରକୁ ମଧୢ କ୍ଷୁଣ୍ଣ କରିବ। ଏ ଅଧୢାଦେଶ ପୂର୍ବରୁ ମଧୢ ବର୍ଷ ବର୍ଷ ଧରି ଗୋଟାକ ପରେ ଗୋଟାଏ ସରକାରୀ ଆଦେଶନାମା ଦ୍ବାରା ସରକାରୀ ବିଶ୍ବବିଦ୍ୟାଳୟମାନଙ୍କ ସ୍ବୟ˚ଶାସନ କ୍ଷମତା ସ˚କୁଚିତ କରା ହୋଇଛି। ବିଶ୍ବବିଦ୍ୟାଳୟମାନଙ୍କୁ ସମ୍ବଳ ଦେବାର ବାହାନାରେ ସରକାର ବାରମ୍ବାର ବିଶ୍ବବିଦ୍ୟାଳୟମାନଙ୍କର କଣ୍ଠରୋଧ କରି ଚାଲିଛନ୍ତି। ନିଜର ରାଜନୈତିକ ଉଦ୍ଦେଶ୍ୟ ସାଧନ ପାଇଁ, ଅବିରତ ଭାବରେ ଗୋଟିକ ପରେ ଗୋଟିଏ ବିଶ୍ବବିଦ୍ୟାଳୟ ଘୋଷିତ ହୋଇଗଲା। ଅବୁଝା ରାଜା ପେଣ୍ତୁ ଖେଳ ଦେଖି ବ୍ୟଥିତ ହେଲେ ଯେ ଗୋଟିଏ ପେଣ୍ତୁ ପଛରେ ଏତେ ଜଣ ଧାଇଁଛନ୍ତି। ତେଣୁ ଆଦେଶ ହେଲା ସମସ୍ତଙ୍କୁ ଗୋଟିଏ ଗୋଟିଏ ପେଣ୍ତୁ ଧରାଇ ଦିଆଯାଉ। ୟୁ.ଜି.ସିର ଅଟୋନମସ କଲେଜ ବା ସ୍ବୟ˚ଶାସିତ ମହାବିଦ୍ୟାଳୟ ଯୋଜନାର ସୁଯୋଗ ନେଇ ଅନେକ ସରକାରୀ କଲେଜମାନଙ୍କୁ ‘‘ସ୍ବୟ˚ଶାସିତ’’ କରାଇବାରେ ସରକାରଙ୍କର କାର୍ପଣ୍ୟ ନ ଥିଲା ଏବ˚ ତା’ପରେ ଏହିଭଳି ଅନେକ ଅନୁଷ୍ଠାନମାନଙ୍କୁ ବିଶ୍ବବିଦ୍ୟାଳୟ ଭାବରେ ୟୁଜିସିର ସ୍ବୀକୃତି ଦିଆଇବାରେ ମଧୢ ଦ୍ବିଧା ନ ଥିଲା। ଫଳରେ ସର୍ବନିମ୍ନ ଭିତ୍ତିଭୂମି ଥାଉ ବା ନ ଥାଉ, ବିଶ୍ବବିଦ୍ୟାଳୟମାନଙ୍କର ସ˚ଖ୍ୟା ବଢ଼ିଲା ଏବ˚ ବସ୍ତୁତଃ, ସରକାରୀ ଅନୁଦାନମାନ ଅଧିକା˚ଶ କ୍ଷେତ୍ରରେ କେବଳ ଦରମା ଓ ସର୍ବନିମ୍ନ ଭରଣପୋଷଣ ଖର୍ଚ୍ଚରେ ସୀମିତ ରହିଲେ। ରାଜ୍ୟର ବିଶ୍ବବିଦ୍ୟାଳୟମାନଙ୍କର ଉତ୍କର୍ଷ ଓ ବିକାଶ ପାଇଁ RUSA ଭଳି କେତେକ ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ବ୍ୟତୀତ ବିଶେଷ କିଛି ଆଖିଦୃଶିଆ ରାଜ୍ୟ ଅନୁଦାନ ମିଳିଲା ନାହିଁ। ବିଶ୍ବବିଦ୍ୟାଳୟମାନଙ୍କର ସାମ୍ପ୍ରତିକ ସ୍ଥିତି, କୋଠାବାଡ଼ି ଏବ˚ ଅନ୍ୟାନ୍ୟ ଭିତ୍ତିଭୂମିର ଅବସ୍ଥା ଅନୁଧୢାନ କଲେ ଏ କଥା ସ୍ପଷ୍ଟ ହେବ ଯେ ରାଜ୍ୟ ସରକାର ଅନେକ ନୂଆ-ପୁରୁଣା ବିଶ୍ବବିଦ୍ୟାଳୟରେ ସମ୍ବଳ ନୁହେଁ, ଦାରିଦ୍ର୍ୟ ହିଁ ବାଣ୍ଟିଛନ୍ତି।

ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷାର ବ୍ୟବସ୍ଥା କରିବା ସମାଜ ମଙ୍ଗଳ ରାଷ୍ଟ୍ର ଓ ରାଜ୍ୟର କର୍ତ୍ତବ୍ୟ। ସରକାରଙ୍କର ନୈତିକ ଦାୟିତ୍ବକୁ ହାତଟେକା ବା ଦୟା ବୋଲି ମଣିବା ଗଣତନ୍ତ୍ରର ଅନ୍ୟତମ ବିଡ଼ମ୍ବନା; ସରକାରୀ ପାଣ୍ଠି ଜନତାଙ୍କର, ଜନତାଙ୍କ ଦ୍ବାରା ଓ ଜନତାଙ୍କ ପାଇଁ। ତେଣୁ ସରକାରୀ ଅନୁଦାନର ବଡ଼େଇରେ ବିଶ୍ବବିଦ୍ୟାଳୟମାନଙ୍କର ପରିକଳ୍ପନା ଓ ମୌଳିକ ଆଦର୍ଶକୁ ଜଳାଞ୍ଜଳି ଦେଇ ସେଗୁଡ଼ିକୁ ନିଜ ଅକ୍ତିଆରକୁ ଆଣିବାର ପ୍ରୟାସ ନୈତିକତାର ବାଟରେ ନୁହେଁ; ବରଂ ଔଦ୍ଧତ୍ୟର କାରଣ। ଅଧୢାଦେଶ ବଳରେ ଏ ଅନୁଷ୍ଠାନମାନେ ସରକାରୀ କଳର କବଳକୁ ଆସିଗଲା ପରେ ଯେ ସେମାନଙ୍କର ଗୁଣାତ୍ମକ ମାନ ଓ ପ୍ରତିଷ୍ଠା-ସମ୍ମାନ ବଢ଼ିଯିବ ସେ ପ୍ରତିଶ୍ରୁତି ସରକାର ଦେବେ ନାହିଁ କି ଦେଇ ପାରିବେ ନାହିଁ, କେବଳ ଏଇଥି ସକାଶେ ଯେ ଆରମ୍ଭରୁ ସମ୍ପୂର୍ଣ୍ଣ ଭାବରେ ସରକାରୀ ଦାୟିତ୍ବରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କର ସାମ୍ପ୍ରତିକ ସ୍ଥିତି ମଧୢ ଖୁବ୍‌ ନୈରାଶ୍ୟଜନକ ଏଥିରେ କୌଣସି ଦ୍ବିମତ ନାହିଁ। ଶହ ଶହ ପଦ ଶୂନ୍ୟ ଥାଇ ଠିକା ଅଧୢାପନାରେ ସରକାରୀ କଲେଜମାନଙ୍କର କାମ ଚାଲିଛି, ଅଧିକରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ବେସରକାରୀ କଲେଜରେ ଯୋଗ ଦେଉଛନ୍ତି। ଅଧୢାଦେଶ ପୂର୍ବରୁ, ବିଶ୍ବବିଦ୍ୟାଳୟମାନଙ୍କ ଭବିଷ୍ୟତ ଯେ କିଭଳି ଉଜ୍ଜ୍ବଳ ହୋଇଯିବ ସେ ବିଷୟରେ ଜାଣିବାର ଅଧିକାର ତ ନିଶ୍ଚୟ ଥିଲା ବ୍ୟବସ୍ଥାର ପ୍ରତ୍ୟେକ ଅ˚ଶୀଦାରମାନଙ୍କର ଓ ଜନସାଧାରଣଙ୍କର!

ପ୍ରଶ୍ନ ପାଣ୍ଠିର ନୁହେଁ, ପ୍ରଶ୍ନ ଆଇନର ନିଷ୍ଠୁର ତର୍ଜମାର ନୁହେଁ, ପ୍ରଶ୍ନ ନୁହେଁ ଅନ୍ୟ ରାଜ୍ୟମାନଙ୍କର ବିବିଧ ରାଜନୈତିକ ବାଧୢବାଧକତାରୁ ସୃଷ୍ଟି ହୋଇଥିବା ପରିବର୍ତ୍ତିତ ବିଶ୍ବବିଦ୍ୟାଳୟ ବ୍ୟବସ୍ଥାର। ପ୍ରଶ୍ନ ହେଉଛି, ବିଶ୍ବବିଦ୍ୟାଳୟମାନଙ୍କର ମୌଳିକ ସ୍ବାତନ୍ତ୍ର୍ୟରେ ସରକାରୀ ହସ୍ତକ୍ଷେପ ରୂପରେ ଏ ଅଧୢାଦେଶ ପଛରେ ନୂତନ ପରିକଳ୍ପନା, ନୂଆ ଦୂରଦୃଷ୍ଟି, ନୂଆ ପ୍ରଜ୍ଞା ବା ଭିଜନ୍‌ (vision) କ’ଣ? ସେଇ ଭିଜନର ପୃଷ୍ଠଭୂମିରେ ଆଧାରିତ ପରିବର୍ତ୍ତନର ପରିକଳ୍ପନା ନିଶ୍ଚୟ ଅଧିକ ସୁନ୍ଦର ଓ ଗ୍ରହଣୀୟ ହୋଇଥାଆନ୍ତା। କେବଳ ପାଣ୍ଠିର ବା ସରକାରୀ ତହବିଲର ଦ୍ବାହି ଦେଇ ବା ଅନ୍ୟ ରାଜ୍ୟମାନଙ୍କର ବ୍ୟବସ୍ଥା, ଅବ୍ୟବସ୍ଥାର ନଜିର ଦେଇ ବିଶ୍ବବିଦ୍ୟାଳୟମାନଙ୍କର ମୌଳିକ କର୍ମଶୈଳୀ ଓ ସ୍ବାଧିକାରକୁ କରାୟତ୍ତ କରିବା କେବଳ ଏକ ଅମଲାତାନ୍ତ୍ରିକ ଓ ଦୂରଦୃଷ୍ଟି-ରହିତ ସମାଧାନ; କୌଣସି ଆଦର୍ଶ-ପର୍ଯ୍ୟବସିତ ସୃଜନଶୀଳ ଚିନ୍ତା ନୁହେଁ। ଏ କଥା ଦୃଢ଼ତାର ସହିତ କହିହେବ, କାରଣ ଉଚ୍ଚଶିକ୍ଷା ତଥା ବିଶ୍ବବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ନିଜର ନୈତିକ ଦାୟିତ୍ବ, କର୍ତ୍ତବ୍ୟ ଓ ଆନ୍ତରିକତା କଥା ସରକାର ବାରମ୍ବାର ଭୁଲିଛନ୍ତି। ୨୦୦୯ ମସିହାରେ ସରକାରଙ୍କ ଦ୍ବାରା ଗଠିତ ପ୍ରଫେସର ତ୍ରିଲୋଚନ ପ୍ରଧାନ କମିଟି ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଉଚ୍ଚଶିକ୍ଷା ନୀତି ବିଷୟରେ ଯେଉଁ ରିପୋର୍ଟ ଦେଇଥିଲେ ତାହା ଉଚ୍ଚ ଶିକ୍ଷା ବିଭାଗର ଫାଇଲରେ ବନ୍ଧା ହୋଇ ପାଶୋରି ଦିଆଯିବା ପୂର୍ବରୁ ୨୦୧୬ ମସିହାରେ ଅନ୍ୟ ଏକ କୁଳପତି ସ୍ତରୀୟ କମିଟି ଗଠିତ ହେଲା ପ୍ରଫେସର ଶିବ ପ୍ରସାଦ ଅଧିକାରୀଙ୍କ ଅଧୢକ୍ଷତାରେ ଉଚ୍ଚଶିକ୍ଷା ଓ ବିଶ୍ବବିଦ୍ୟାଳୟ ଶିକ୍ଷାରୁ ନୀତି ନିର୍ଦ୍ଧାରଣ ପାଇଁ ଏବ˚ ୨୦୧୭ ମସିହା ଏପ୍ରିଲ ମାସରୁ ସେ ରିପୋର୍ଟ ମଧୢ ଆସି ପଡ଼ିରହିଲା। ଖାଲି ଚମକ ଆଣିବାକୁ ଏମିତି ଗୋଟିଏ ଅଧୢାଦେଶ ନ ଆଣି, ସରକାର ପୁଣି ଏକ ନୂଆ କମିଟି ଗଠନ କରି ବିଶ୍ବବିଦ୍ୟାଳୟ ବ୍ୟବସ୍ଥାର ବିଶେଷ ସମୀକ୍ଷା କରେଇ ପାରିଥାଆନ୍ତେ। ଅଧୢାଦେଶରେ ଘୋଷିତ ପରିବର୍ତ୍ତନମାନ ଯେ କୌଣସି ବୈପ୍ଳବିକ ପରିବର୍ତ୍ତନ ଆଣିବେ ସେ ଆଶା ନାହିଁ।

୨୦୨୦ର ଜାତୀୟ ଶିକ୍ଷାନୀତି ଘୋଷିତ ହୋଇସାରିଛି ଏବ˚ ସେଥିରେ ଉଚ୍ଚଶିକ୍ଷା ଓ ବିଶ୍ବବିଦ୍ୟାଳୟ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନର ପ୍ରସ୍ତାବ ରହିଛି, ଯେଉଁଥିରେ ଦେଶର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କୁ ସ୍ବୟ˚ଶାସିତ କରାଇବାର ନିର୍ଦ୍ଦିଷ୍ଟ ପରିକଳ୍ପନା ଓ ପ୍ରସ୍ତାବ ରହିଛି। ରାଜ୍ୟପାଳ ଓ ରାଜ୍ୟର ଶିକ୍ଷାମନ୍ତ୍ରୀମାନେ ରାଷ୍ଟ୍ରପତିଙ୍କ ସହ ସମ୍ମିଳନୀରେ ଯୋଗ ଦେଇଛନ୍ତି ଏବ˚ ଏହି ଅବସରରେ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଶିକ୍ଷା ବ୍ୟବସ୍ଥାର ପରିଚାଳନାରେ ସରକାରୀ ହସ୍ତକ୍ଷେପ ହ୍ରାସ ହେବ। ଦେଶ ପାଇଁ ଆଦର୍ଶ ବିଶ୍ବବିଦ୍ୟାଳୟ ଆଇନର ନୂତନ ଢାଞ୍ଚା ପ୍ରସ୍ତୁତ ଓ ପ୍ରଣୀତ ହେବ। ଏ ଜାତୀୟ ପ୍ରସ୍ତାବମାନଙ୍କର ଯଥାଯଥ ସମୀକ୍ଷା ପୂର୍ବରୁ ଏବ˚ ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ, କୌଣସି ଆଲୋଚନା ଓ ବିତର୍କ ବିନା, ଏକ ଗୁପ୍ତ ପ୍ରକ୍ରିୟାରେ ପ୍ରସ୍ତୁତ ତରବରିଆ ଅଧୢାଦେଶ କେବଳ ଅନାବଶ୍ୟକ ନୁହେଁ, ଅବାଞ୍ଛିତ ମଧୢ।

ତଥ୍ୟ ଓ ସ˚ଚାରର ଯୁଗ ଏବ˚ ପରବର୍ତ୍ତୀ ଜ୍ଞାନର ସମାଜର ସୀମା ଡେଇଁ, ବିଶ୍ବର ବିଶ୍ବବିଦ୍ୟାଳୟମାନେ ଆଗେଇଛନ୍ତି ପ୍ରଜ୍ଞାର ସମାଜ ବା Wisdom Society ଆଡ଼କୁ। ଯହିଁରେ ନୂତନ ଜ୍ଞାନର ସ୍ରଷ୍ଟା, ଶିକ୍ଷକ- ଗବେଷକ ଗୋଷ୍ଠୀ, ଜ୍ଞାନର ପ୍ରୟୋଗକାରୀ ଏବ˚ ଉପଯୋଗକାରୀ ଉପଭୋକ୍ତାମାନେ ପାରସ୍ପରିକ ସହଭାଗିତାରେ କାର୍ଯ୍ୟ କରିବେ। ଏ ପ୍ରକାର ପ୍ରଜ୍ଞାର ସମାଜରେ, ଜ୍ଞାନ ମନ୍ଦିରମାନ ଆଗକୁ ପରିଚାଳିତ ହେବେ ଅମଲାତାନ୍ତ୍ରିକ ଶାସନରେ ନୁହେଁ, ବିଶେଷଜ୍ଞ ଗୋଷ୍ଠୀ ଦ୍ବାରା। ତେଣୁ ଭବିଷ୍ୟତର ଭିଜନ୍‌ ନ ରଖି, ଭାଙ୍ଗି ଯାଉଥିବା ବ୍ୟବସ୍ଥାକୁ ନ ସୁଧାରି ପୁଣି ଭାଙ୍ଗିବାର କ୍ଷୁଧା କାହିଁକି?

ଖଲିଲ୍‌ ଜିବ୍ରାନଙ୍କ ଛୋଟ ଗପଟିଏର ଛାୟାରେ କଥାଟିଏ: ଏକ ପରିତ୍ୟକ୍ତ ସହରର ଭଗ୍ନସ୍ତୂପମାନଙ୍କ ମଧୢରେ ଲୌହ ହସ୍ତ-ପାଦର ଏକ ମଣିଷ ମୁଖା ରାକ୍ଷସଟିଏ ଭଙ୍ଗାରୁଜା କରି ଚାଲିଥାଏ, ଅବିରତ। ତାକୁ ଜଣେ ପଚାରିଲା, ‘‘କ’ଣ ଏତେ ଭାଙ୍ଗି ଚାଲିଛ? ତୁମର କ’ଣ ଭଙ୍ଗାରୁଜା କରିବାର କ୍ଷୁଧା ମେଣ୍ଟି ନାହିଁ?’’ ରାକ୍ଷସଟି ଉତ୍ତର ଦେଲା, ‘‘ଭାଙ୍ଗିବାର କ୍ଷୁଧା କିଛିଟା ପ୍ରଶମିତ ହୋଇଛି ସତ, ମାତ୍ର ମୁଁ ଯଦି ବିରତି ନିଏ, ତେବେ ସେଇ ସମୟ ମଧୢରେ ଏ ଜରାଜୀର୍ଣ୍ଣ ଭଗ୍ନାବଶେଷମାନ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଶେଷ ହୋଇଯିବେ। ତେଣୁ, ତା’ପୂର୍ବରୁ ମୁଁ ମୋର ଭଙ୍ଗାରୁଜା କାମ କରି ଚାଲିବି।’’ ଆଜିର ଏ ବିଶ୍ବବିଦ୍ୟାଳୟ ଅଧୢାଦେଶ ପରିପ୍ରେକ୍ଷୀରେ ଏକଥା ମନରେ ଆସିବ ନିଶ୍ଚୟ- ଭାଙ୍ଗି ଯାଉଥିବା ଶିକ୍ଷା ବ୍ୟବସ୍ଥାରେ ନିଜ ନିଜର ଉତ୍ତରଦାୟିତ୍ବ ନ ଖୋଜି, ପୁଣି ସେଇ ଭାଙ୍ଗିବାର ପ୍ରୟାସ କେଉଁ ଲକ୍ଷ୍ୟରେ?
ପ୍ରାକ୍ତନ ପ୍ରଫେସର, ଜେଏନ୍‌ୟୁ
[email protected]

ସମ୍ବନ୍ଧିତ ଖବର