କମ୍ ମତଦାନ: ଉଦାସୀନତା ନା ନିଷ୍କ୍ରିୟ ପ୍ରତିରୋଧ

ଅବଶ ପରିଡ଼ା

ଭାରତୀୟଙ୍କ ପାଇଁ ନିର୍ବାଚନ ହେଉଛି ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଥିବା ଦୃଷ୍ଟିକୋଣର ପ୍ରତିଫଳନ। କିନ୍ତୁ ଦୀର୍ଘ ଦୁଇ ଦଶନ୍ଧି ଧରି ନିର୍ବାଚନରେ ଭୋଟରଙ୍କ କମ୍‌ ମତଦାନ ଉଭୟ ରାଜନୈତିକ ଦଳ ଓ ନିର୍ବାଚନ ଆୟୋଗଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ପ୍ରାଥମିକ ତଥ୍ୟ ଅନୁଯାୟୀ, ୨୦୨୪ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସର୍ବଭାରତୀୟ ସ୍ତରରେ ୬୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ୭୩ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ନିର୍ବାଚନ ଆୟୋଗ ଆଧାରିତ ରିପୋର୍ଟ ଅନୁଯାୟୀ ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନର ପ୍ରଥମ ତିନିଟି ପର୍ଯ୍ୟାୟରେ ପାଖାପାଖି ୬୫ ପ୍ରତିଶତ ମତଦାନ ହୋଇଛି।
ମତଦାନକୁ ଗଣତନ୍ତ୍ରର ସ୍ତମ୍ଭ ଭାବରେ ଗ୍ରହଣ କରାଯାଏ। ଭୋଟ୍ ଦେବା କେବଳ ଗଣତାନ୍ତ୍ରିକ ଅଧିକାର ନୁହେଁ ବରଂ ଏକ ସାଂବିଧାନିକ କର୍ତ୍ତବ୍ୟ। କିନ୍ତୁ ଭାରତରେ ସବୁ ଯୋଗ୍ୟ ନାଗରିକ ମତଦାନ କରନ୍ତି ନାହିଁ। ଏକ ରିପୋର୍ଟ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ପ୍ରାୟ ୨୯.୭ କୋଟି ଯୋଗ୍ୟ ଭୋଟର ଭୋଟ୍ ଦେଇନଥିଲେ। ଐତିହାସିକ ଦୃଷ୍ଟିରୁ ଭାରତରେ ମତଦାନ ହାର ସାମାଜିକ-ଅର୍ଥନୈତିକ ସ୍ଥିତି, ଶିକ୍ଷା ସ୍ତର, ସହରୀକରଣ ଓ ନିର୍ବାଚନର ପ୍ରକୃତି ଭଳି କାରଣ ଦ୍ୱାରା ପ୍ରଭାବିତ। ଏହା ବ୍ୟତୀତ ମତଦାନ ହାର କମ୍ ହେବାର ଅନ୍ୟ କେତେକ କାରଣ ରହିଛି। ଯେପରିକି ଅନେକ ଭୋଟର୍‌ଙ୍କର ରାଜନୀତି ପ୍ରତି ଆଗ୍ରହ ରହୁନଥିବା ବେଳେ କେହି କେହି ନିଜ ଭୋଟକୁ ଗୁରୁତ୍ୱ ଦେଉନାହାନ୍ତି। ଆଉ କିଛି ଭୋଟର୍‌ ନିର୍ବାଚନର ପରିସ୍ଥିତିକୁ ନାପସନ୍ଦ କରୁଛନ୍ତି। ଅନେକଙ୍କ ପାଇଁ ମତଦାନ ନକରିବା ଏକ ନୀତିଗତ ନିଷ୍କ୍ରିୟ ପ୍ରତିରୋଧ (ପ୍ୟାସିଭ୍‌ ରେଜିଷ୍ଟାନ୍‌ସ) ବା ସତ୍ୟାଗ୍ରହ।
୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ ଓ ଚତୁର୍ଥ ପର୍ଯ୍ୟାୟରେ ପୁଣେ ଭଳି ସହରରେ ମତଦାନ ହାର ବହୁତ କମ୍‌ ଥିଲା। ଭାରତର ମୁଖ୍ୟ ନିର୍ବାଚନ କମିସନର୍‌ଙ୍କ ମତରେ ମହାନଗର ଓ ସହରରେ କମ୍ ମତଦାନ ପାଇଁ ସହରାଞ୍ଚଳ ଉଦାସୀନତା ଦାୟୀ। ବିବିଧତା ଓ ପ୍ରଗତିର ଜୀବନ୍ତ କେନ୍ଦ୍ର ଭାବରେ ପରିଚିତ ଭାରତର ପ୍ରମୁଖ ସହରଗୁଡ଼ିକ ପୌର, ବିଧାନସଭା ଓ ସଂସଦୀୟ ନିର୍ବାଚନରେ କମ୍ ମତଦାନ ସହିତ କ୍ରମାଗତ ଭାବରେ ସଂଘର୍ଷ କରୁଛନ୍ତି। ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବ୍ରହ୍ମପୁର ଅପେକ୍ଷା ନବରଙ୍ଗପୁରରେ ମତଦାନ ହାର ଅଧିକ ଥିଲା। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ୨୦୧୯ ନିର୍ବାଚନରେ ଦେଶବ୍ୟାପୀ ସର୍ବନିମ୍ନ ମତଦାନ ହୋଇଥିବା ୫୦ଟି ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ୧୭ଟି ମହାନଗର ବା ପ୍ରମୁଖ ସହରାଞ୍ଚଳରେ ରହିଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ମହାନଗରର ଭୋଟରମାନେ ମତଦାନ ଦିନ ସେମାନଙ୍କର ନାଗରିକ କର୍ତ୍ତବ୍ୟକୁ ପ୍ରାଥମିକତା ଦେବା ପରିବର୍ତ୍ତେ ଛୁଟି କଟାଇବାକୁ ପସନ୍ଦ କରନ୍ତି। ଏହାବ୍ୟତୀତ ସହରାଞ୍ଚଳ ଜୀବନଶୈଳୀ ଓ ପ୍ରବାସୀ ଜନସଂଖ୍ୟା ଭୋଟରଙ୍କ ଉଦାସୀନତାକୁ ଆହୁରି ବଢ଼ାଇଦେଇଛି ବୋଲି କିଛି ବୁଦ୍ଧିଜୀବୀ ମତ ରଖନ୍ତି।
ଭୋଟରଙ୍କ ଚିନ୍ତା ଓ ପ୍ରସଙ୍ଗ ମତଦାନ ହାରରେ ପ୍ରତିଫଳିତ ହୁଏ କି? ଏହା ଏକ ତାତ୍ତ୍ୱିକ ପ୍ରଶ୍ନ। ନିକଟରେ ସିଏସ୍‌ଡିଏସ୍-ଲୋକନୀତି ଦ୍ୱାରା ୨୦୨୪ ସାଧାରଣ ନିର୍ବାଚନରେ ଭାରତୀୟ ଭୋଟରଙ୍କ ପ୍ରମୁଖ ଚିନ୍ତା ଉପରେ ସର୍ଭେ କରାଯାଇଥିଲା। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ବେକାରି ସମସ୍ୟା ୨୭% ଭୋଟରଙ୍କ ଚିନ୍ତା ଭାବେ ପ୍ରଥମ ସ୍ଥାନରେ ରହିଥିବା ବେଳେ ମୁଦ୍ରାସ୍ଫୀତି ୨୩%ଙ୍କ ଚିନ୍ତା ଭାବେ ଦ୍ବିତୀୟ ସ୍ଥାନରେ ଓ ବିକାଶ ପାଇଁ ଆଗ୍ରହ ୧୩%ଙ୍କ ଚିନ୍ତା ଭାବେ ତୃତୀୟ ସ୍ଥାନରେ ରହିଛି। ଆଶ୍ଚର୍ଯ୍ୟର କଥା ହିନ୍ଦୁତ୍ବ, ଆରକ୍ଷଣ ଓ ଭାରତର ଆନ୍ତର୍ଜାତିକ ଭାବମୂର୍ତ୍ତିକୁ ନେଇ ମାତ୍ର ୨% ଭୋଟର ଚିନ୍ତା କରୁଛନ୍ତି। ଭାରତରେ ନିର୍ବାଚନୀ ପ୍ରସଙ୍ଗ ଅନେକ। ତେବେ ଭୋଟରଙ୍କ ଚିନ୍ତା ଓ ଆଗ୍ରହ ସବୁବେଳେ ସେମାନଙ୍କ ମତଦାନ ଢାଞ୍ଚାରେ ପ୍ରତିଫଳିତ ହୁଏ ନାହିଁ। ପ୍ରଥମତଃ, ଭୋଟରମାନେ ମତଦାନ କରିବା ସମୟରେ ଅର୍ଥନୈତିକ, ସାମାଜିକ ବା ରାଜନୈତିକ ଦୃଷ୍ଟିକୋଣରୁ ବିଭିନ୍ନ ପ୍ରସଙ୍ଗକୁ ପ୍ରାଥମିକତା ଦେଇଥାନ୍ତି। ଦ୍ବିତୀୟରେ ଭୋଟରମାନେ ନିର୍ଦ୍ଦିଷ୍ଟ ପ୍ରାର୍ଥୀ ବା ଦଳଗୁଡ଼ିକୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଅଧିକ ସକ୍ଷମ ବୋଲି ଭାବିଥାନ୍ତି, ଯଦିଓ ରାଜନୈତିକ ଦଳର ନୀତି ଭୋଟରଙ୍କ ପ୍ରାଥମିକତାଠାରୁ ଭିନ୍ନ। ଏହାବ୍ୟତୀତ ପ୍ରଚାର ରଣନୀତି, ଦଳୀୟ ଆନୁଗତ୍ୟ, ପ୍ରାର୍ଥୀଙ୍କ ଲୋକପ୍ରିୟତା ଓ ଅତୀତର ପ୍ରଦର୍ଶନ ଭଳି ଅନେକ କାରଣକୁ ଭୋଟର୍‌ ବିଚାର କରନ୍ତି। ତେଣୁ ଭୋଟର୍‌ଙ୍କ ଚିନ୍ତା ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ମଧ୍ୟ ମତଦାନ ପଦ୍ଧତିକୁ ପ୍ରଭାବିତ କରୁଥିବା ଅନେକ କାରଣ ମଧ୍ୟରୁ ଏହା ଗୋଟିଏ ମାତ୍ର।
ଏଠାରେ ଉଲ୍ଲେଖ କରିବା ଜରୁରୀ ଯେ ଅଧିକ ମତଦାନକୁ ସାଧାରଣତଃ ସକାରାତ୍ମକ ଭାବରେ ବିବେଚନା କରାଯାଏ, କିନ୍ତୁ ଗଣତନ୍ତ୍ରର ଗୁଣବତ୍ତା କେବଳ ମତଦାନ ସଂଖ୍ୟା ଆଧାରରେ ଆକଳନ କରାଯାଇପାରିବ ନାହିଁ। ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍ ଫର୍‌ ଡେମୋକ୍ରାସି ଆଣ୍ଡ୍‌ ଇଲେକ୍ଟ୍ରୋରାଲ୍‌ ଆସିଷ୍ଟାନ୍‌ସ ଅନୁଯାୟୀ ଗିନି, ରୁଆଣ୍ଡା, ସୋମାଲିଆ, ଆଙ୍ଗୋଲା ଓ ଲାଓସ ଭଳି ଦେଶର ନିର୍ବାଚନରେ ୯୦ ପ୍ରତିଶତରୁ ଅଧିକ ମତଦାନ ହୁଏ। ଅପରପକ୍ଷେ, ଗତ ନିର୍ବାଚନରେ ଆଫଗାନିସ୍ତାନ ଓ ନାଇଜେରିଆରେ ୨୦ ପ୍ରତିଶତରୁ କମ୍ ମତଦାନ ହୋଇଥିଲା। ଯେଉଁ ଦେଶରେ ସର୍ବାଧିକ ମତଦାନ ହୋଇଛି ବା ଯେଉଁ ଦେଶରେ କମ୍‌ ମତଦାନ ହୋଇଛି, ସେହି ଦେଶଗୁଡ଼ିକ ସୁସ୍ଥ ନିର୍ବାଚନ ବା ଗଣତନ୍ତ୍ରର ପ୍ରତିନିଧିତ୍ୱ କରୁନାହାନ୍ତି। ତେଣୁ କେବଳ ଅଧିକ ମତଦାନ ନୁହେଁ ବରଂ ନିର୍ବାଚନର ନିରପେକ୍ଷତା, ନାଗରିକ ସ୍ୱାଧୀନତାର ସୁରକ୍ଷା ଓ ସରକାରୀ ଅନୁଷ୍ଠାନର ଫଳପ୍ରଦତା ଭଳି ଅନ୍ୟାନ୍ୟ କାରଣ ମଧ୍ୟ ଗଣତନ୍ତ୍ରର ସ୍ୱାସ୍ଥ୍ୟ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଅନ୍ୟ ଏକ ଦିଗ ହେଉଛି ମତଦାନ ହାର ଓ ରାଜନୈତିକ ଦଳର ପ୍ରଦର୍ଶନ ମଧ୍ୟରେ କୌଣସି ସମ୍ପର୍କ ଅଛି କି? ଏହାର ବିଶ୍ଳେଷଣ ଅତ୍ୟନ୍ତ ଆକର୍ଷଣୀୟ କିନ୍ତୁ ବିଭ୍ରାନ୍ତିକର ହୋଇପାରେ। ଏକ ତଥ୍ୟ ଅନୁଯାୟୀ ୫%ରୁ ୬% ଅଧିକ ମତଦାନ ପାଇଁ ବିହାର ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଥିଲା। କିନ୍ତୁ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ତଥ୍ୟକୁ ବିଚାରକୁ ନେଇ ଅଧିକ ମତଦାନ ଓ ଦଳୀୟ ବିଜୟ ବା ପରାଜୟ ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ ବୋଲି ପ୍ରଣୟ ରାୟ ଓ ଦୋରା ସୁପାରିୱାଲା ‘ଦି ଭର୍‌ଡିକ୍ଟ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି।
ମତଦାନ ହ୍ରାସ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ପାଇଁ ଏକ ଗମ୍ଭୀର ଚିନ୍ତାର ବିଷୟ। ଏହି ସମସ୍ୟାର ସମାଧାନ ପାଇଁ ନିର୍ବାଚନ ଆୟୋଗ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତର ନିର୍ବାଚନ ଆୟୋଗ ବିଭିନ୍ନ ସହରର ମ୍ୟୁନିସିପାଲିଟି କମିସନର୍‌ଙ୍କ ସହ ପ୍ରଥମ ଥର ପାଇଁ ‘କମ୍ ଭୋଟର ମତଦାନ ଉପରେ ସମ୍ମିଳନୀ’ ଆୟୋଜନ କରୁଛନ୍ତି। ମତଦାତାଙ୍କ ମତଦାନରେ ଉନ୍ନତି ଆଣିବା ପାଇଁ ଭାରତୀୟ ନିର୍ବାଚନ ଆୟୋଗ ‘ଏନକୋର’ ନାମରେ ଏକ ଆପ୍ ଓ ମତଦାନ କାର୍ଯ୍ୟକାରୀ ଯୋଜନା ପ୍ରଚଳନ କରିଛନ୍ତି।
ଏସବୁ ସତ୍ତ୍ବେ, ମତଦାନ ହାରରେ ଉନ୍ନତି ଆଣିବା ପାଇଁ ସାମାଜିକ ସ୍ତରରେ ଏକ ମତଦାନ ସଂସ୍କୃତି ସୃଷ୍ଟି କରିବାର ଆବଶ୍ୟକତା ଅଛି। ଗଣତାନ୍ତ୍ରିକ ମୂଲ୍ୟବୋଧର ସଂରକ୍ଷଣ ପାଇଁ ମତଦାନ ଏକ ନିରବ ବିପ୍ଳବ। ତେଣୁ ଆମେ ନିଶ୍ଚିତ ଭାବରେ ଭୋଟ ଦେବା ଉଚିତ।
ମୋ:୮୪୫୬୮୭୯୫୨୨

ସମ୍ବନ୍ଧିତ ଖବର