ଏପ୍ରିଲ ୧୬ର ‘ଇକୋନୋମିକ୍ ଟାଇମ୍ସ’ରେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ବିବେକ ଦେବରୟ ତାଙ୍କ ସମ୍ପାଦକୀୟ ପ୍ରବନ୍ଧରେ ଏକ ବିଚିତ୍ର ଟିପ୍ପଣୀ କରିଛନ୍ତି ଯେ, ଆୟ ବୈଷମ୍ୟ ଯଦି ଲୋକଙ୍କ ଜୀବନରେ ଉନ୍ନତି ସାଧାନ କରୁଛି ତେବେ ସେହି ଅସମାନତା ଗୁରୁତ୍ବପୂର୍ଣ୍ଣ ନୁହେଁ। ମିଲଟନ୍ ଫ୍ରିଡ୍ମ୍ୟାନଙ୍କ ଯୁକ୍ତି ଆଧାରରେ ତାଙ୍କ ଯୁକ୍ତି ହେଲା, ପୁନର୍ବଣ୍ଟନ ନୀତି ନବସୃଜନ ଓ ଉତ୍ପାଦନଶୀଳତାକୁ ଶ୍ବାସରୁଦ୍ଧ କରିପାରେ, ଯାହାର ପରିଣତି ସ୍ବରୂପ ଅର୍ଥନୈତିକ ବିକାଶର ବେଗ ହ୍ରାସ ପାଏ। ସେ ମଧ୍ୟ ଫ୍ରାନ୍ସର ତଥ୍ୟକୁ ସୂଚାଇ ଉଲ୍ଲେଖ କରିଛନ୍ତି ଯେ ୧୯୮୮ର ‘ସଲିଡାରିଟି ଟାକ୍ସ ଅନ୍ ୱେଲ୍ଥ’ ନୀତି ଯୋଗୁଁ ସେ ଦେଶରୁ ବ୍ୟାପକ ପୁଞ୍ଜି ପ୍ରତ୍ୟାହାର ହୋଇଛି ଏବଂ ଜିଡିପି ଅଭିବୃଦ୍ଧିରେ ପ୍ରତିବର୍ଷ ୦.୨ ପ୍ରତିଶତ ହ୍ରାସ ଘଟିଛି। ସେ ବ୍ରୁଲହାର୍ଟ ଓ ଜାକବସେନ୍ଙ୍କ ଦୁଇଟି ଗବେଷଣା ନିବନ୍ଧର ଅବତାରଣା କରିଛନ୍ତି ଯେଉଁଥିରେ ସେମାନେ ଦର୍ଶାଇଛନ୍ତି ଯେ ଟିକସ ହାର ପ୍ରତି ସମ୍ପତ୍ତି ଅତ୍ୟନ୍ତ ସମ୍ବେଦନଶୀଳ, ଯେଉଁ କାରଣରୁ ଦେଶର ସମ୍ବଳ ଆବଣ୍ଟନ ଶୈଳୀରେ ପରବର୍ତ୍ତନ ସାଙ୍ଗକୁ ଟିକସ ଫାଙ୍କି ଉଦ୍ୟମ ହୋଇଥାଏ। ଭାରତରେ ୧୯୯୧ର ଅର୍ଥନୈତିକ ଉଦାରୀକରଣର ଏକ ବିଡ଼ମ୍ବନା ହେଉଛି ଅର୍ଥନୈତିକ ଅଭିବୃଦ୍ଧିରେ ତୀବ୍ର ବୃଦ୍ଧି ଘଟିବା ସହିତ ଶୀର୍ଷ ୧୦% ଓ ନିମ୍ନ ୫୦%ର ଆୟ ଅଂଶରେ ଯଥେଷ୍ଟ ବୃଦ୍ଧି ହୋଇଛି। ବିଶ୍ବ ଅସମାନତା ରିପୋର୍ଟ (୨୦୨୩) ଅନୁଯାୟୀ, ସମୁଦାୟ ଜିଡିପିରେ ନିମ୍ନ ୫୦% ଆୟ ବର୍ଗର ଭାଗ ୧୯୯୦ରେ ୨୧% ଥିଲା ବେଳେ ୨୦୨୧ରେ ତାହା ୧୩%କୁ ଖସି ଆସିଛି, ଏବଂ ୧୦% ଶୀର୍ଷ ଆୟ ବର୍ଗର ଅଂଶ ୩୨%ରୁ ୫୭%କୁ ବୃଦ୍ଧି ପାଇଛି। ଏହା ଆଶ୍ଚର୍ଯ୍ୟଜନକ ଯେ, ବିବେକ ଦେବରୟ କିପରି ସାଂବିଧାନିକ ପ୍ରାବଧାନ ପ୍ରତି ଧ୍ୟାନ ଦେଇନାହାନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ସରକାର ଆୟ ଅସମାନତାକୁ ଦୂର କରିବା ଲାଗି ସଂଘର୍ଷ କରିବେ ଏବଂ ସାମାଜିକ ସ୍ଥିତି ଓ ସୁଯୋଗରେ ଅସମାନତାକୁ ହଟାଇବା ଲାଗି ଆନ୍ତରିକ ଉଦ୍ୟମ କରିବେ (ଧାରା ୩୮(୨))। ସତତ ବିକାଶ ଲକ୍ଷ୍ୟ (ଏସ୍ଡିଜି)-୧୦ ମଧ୍ୟ କହିଥାଏ ଯେ ଦେଶଗୁଡ଼ିକ ଆୟ ଅସମାନତାକୁ ହ୍ରାସ କରିବା ଅପରିହାର୍ଯ୍ୟ, ଏବଂ ସମାନତାକୁ ପ୍ରୋତ୍ସାହିତ କରୁଥିବା ଆର୍ଥିକ ଓ ସାମାଜିକ ନୀତି ଗ୍ରହଣ କରିବା ଦରକାର।
ନୋବେଲ ପୁରସ୍କାରପ୍ରାପ୍ତ ସାଇମନ୍ କଜ୍ନେଟ୍ସଙ୍କ ଦ୍ବାରା ଆୟ ଅସମାନତା ଉପରେ ଏକ ବଡ଼ ବିତର୍କର ସୂତ୍ରପାତ ହୋଇଥିଲା, ଯିଏ ତାଙ୍କ ‘ଓଲଟା ୟୁ (U)’ ବକ୍ରରେଖା ମାଧ୍ୟମରେ ଉଲ୍ଲେଖ କରିଥିଲେ ଯେ ଦେଶ ସମୃଦ୍ଧ ହେବା ପରେ ଅସମାନତା ପ୍ରଥମେ ବୃଦ୍ଧି ପାଇବ, କିନ୍ତୁ ମୁଣ୍ଡ ପିଛା ଆୟ ଏକ ଉଚ୍ଚ ସ୍ତରରେ ପହଞ୍ଚିଲା ପରେ ତାହା କ୍ରମଶଃ ହ୍ରାସ ପାଇବ। ଥମାସ ପିକେଟି ତାଙ୍କର ଚର୍ଚ୍ଚିତ ପୁସ୍ତକ ‘କ୍ୟାପିଟାଲ ଇନ୍ ଦି ଟ୍ବେଣ୍ଟି-ଫାଷ୍ଟ ସେଞ୍ଚୁରି’ (୨୦୧୩) ମାଧ୍ୟମରେ ଦର୍ଶାଇଥିଲେ ଯେ ୧୯୭୦ ପରେ ଆମେରିକା ପରି ବିକଶିତ ଦେଶମାନଙ୍କରେ ସମୃଦ୍ଧି ସହ ଆୟ ଅସମାନତା କିପରି ତୀବ୍ର ଭାବରେ ବୃଦ୍ଧି ପାଇଥିଲା। ପିକେଟିଙ୍କ ପାଇଁ ଏପରି ଅସମାନତା ଏକ ଦୁର୍ଘଟଣା ନୁହେଁ, ବରଂ ପୁଞ୍ଜିବାଦର ଏକ ବୈଶିଷ୍ଟ୍ୟ, ଯେଉଁଠି ଶୀର୍ଷ ଆୟ ବର୍ଗର ଲୋକମାନେ ସଚେତନ ଭାବରେ ଶାସକ ଗୋଷ୍ଠୀ ଦ୍ବାରା ଅନୁଗ୍ରହପ୍ରାପ୍ତ, ଯେପରି ଆମେରିକାରେ ରାଷ୍ଟ୍ରପତି ରେଗାନ୍ ତାଙ୍କ ରିଗାନୋମିକ୍ସରେ କରିଥିଲେ।
ଅନ୍ୟ ଏକ ସୁଗବେଷଣାତ୍ମକ ପୁସ୍ତକ ‘ଦି ଗ୍ରେଟ୍ ଲେଭେଲର୍’ରେ ସ୍କିଡେଲ୍ ଆଉ ଏକ କଥା ଲୋକଲୋଚନକୁ ଆଣିଥିଲେ କି, ଶୀର୍ଷ ଆୟ ବର୍ଗ ପରିବାରର ଏକ ପ୍ରତିଶତଙ୍କ ଉପରେ ହାରାହାରି ଟିକସ ହାର ୧୯୮୦ ମସିହାରେ ୪୨% ଥିଲା ବେଳେ ୨୦୧୩ରେ ତାହା ୨୭%କୁ ହ୍ରାସ ପାଇଛି। ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି, ବୈଶ୍ବୀକରଣ କିପରି ଅସମାନ ଭାବେ ସମ୍ଭ୍ରାନ୍ତମାନଙ୍କୁ ଅଧିକ ଉପକୃତ କରିଥାଏ ଏବଂ ଦକ୍ଷତାକୁ ଅଧିକ ପୁରସ୍କୃତ କରାଯାଇଥାଏ, ଯେଉଁଥିରୁ ନିମ୍ନ ୫୦ ପ୍ରତିଶତ ଆୟବର୍ଗ ଯଥେଷ୍ଟ ମାତ୍ରାରେ ବଞ୍ଚିତ। ଭାରତରେ ୧୯୮୨ରୁ ୧୯୮୬ ମଧ୍ୟରେ ସର୍ବୋଚ୍ଚ ଟିକସ ହାର ୫୦%ରୁ ୩୦%କୁ ଖସି ଆସିଥିଲା, ଯାହାକୁ ଆହୁରି ହ୍ରାସ କରିବାର ଦାବି ଶୁଣିବାକୁ ମିଳେ। ଏକ ଆଲୋଡ଼ନକାରୀ ପୁସ୍ତକ ‘ଦି ସ୍ପିରିଟ୍ ଲେଭଲ୍’ (୨୦୦୯)ରେ ରିଚାର୍ଡ ଵିଲକିନ୍ସନ୍ ଦର୍ଶାଇଛନ୍ତି ଯେ ଉଚ୍ଚ ଅସମାନତା ଥିବା ବିକଶିତ ଦେଶଗୁଡ଼ିକ କିପରି ମେଦବହୁଳତା, ମାନସିକ ରୋଗ ଓ ଉଚ୍ଚସ୍ତରର ନରହତ୍ୟା ପରି ସ୍ବାସ୍ଥ୍ୟ ସୂଚକାଙ୍କ ଦ୍ବାରା ପ୍ରଭାବିତ ହୁଅନ୍ତି। ଅସମାନତାରୁ ଅସନ୍ତୋଷ ଓ ଶତ୍ରୁତା ଜନ୍ମ ନିଏ, ଏବଂ ଗରିବମାନେ ସଶକ୍ତୀକରଣ ଓ ସାମାଜିକ ନ୍ୟାୟରୁ ବଞ୍ଚିତ ହେଲା ଭଳି ଅନୁଭବ କରନ୍ତି।
ଆମ ସଂବିଧାନର ଧାରା ୩୯(ଖ)ରେ କୁହାଯାଇଥିବା ଭଳି ଦେଶର ମଙ୍ଗଳ ଉଦ୍ଦେଶ୍ୟରେ ଦେଶର ସାମଗ୍ରିକ ସମ୍ବଳକୁ ପ୍ରୋତ୍ସାହିତ କରିବା ପାଇଁ ସୁପ୍ରିମକୋର୍ଟ କିପରି ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ପର୍ଯ୍ୟାଲୋଚନା କରିବା କୌତୂହଳପ୍ରଦ ହେବ। ସରକାରଙ୍କ ଅନ୍ୟ ଏକ ନିର୍ଦ୍ଦେଶନାମା ହେଉଛି ‘ଧନର କେନ୍ଦ୍ରୀକରଣକୁ ନିୟନ୍ତ୍ରଣ କରିବା’ (ଧାରା ୩୯(ଗ))। ଇନ୍ଦିରା ଗାନ୍ଧୀ ସଂବିଧାନର ୨୫ତମ ସଂଶୋଧନ (୧୯୭୧) କରି ଧାରା ୩୧(ଗ) ପ୍ରବର୍ତ୍ତନ କରିଥିଲେ ଯାହା ଧାରା ୩୯(ଖ) ଓ (ଗ)କୁ କାର୍ଯ୍ୟକାରୀ କରୁଥିବା ଧାରା ୧୪ (ସମାନତା ଅଧିକାର) ଏବଂ ସ୍ବାଧୀନତା ଅଧିକାର (ଧାରା ୧୯) ପରି ଆଇନକୁ ସୁନିଶ୍ଚିତ କରିଥିଲା। ଏହି ନୂତନ ଧାରାକୁ କେଶବନନ୍ଦ ଭାରତୀ ମାମଲା (୧୯୭୩)ରେ ସୁପ୍ରିମ୍ କୋର୍ଟ ସମର୍ଥନ କରିଥିଲେ। ମାନ୍ୟବର ଅଦାଲତ ୩୧(ଗ)ରେ ଥିବା ପ୍ରାବଧାନଗୁଡ଼ିକୁ ଖଣ୍ଡନ କରି କହିଥିଲେ ଯେ, ଯଦି ଚ୍ୟାଲେଞ୍ଜ୍ କରାଯାଏ ତେବେ ତାହା ସମୀକ୍ଷା କରିବାର କ୍ଷମତା ଅଦାଲତର ନାହିଁ। ଏପରିକି ଅଦାଲତ ଆଉ ପାଦେ ଆଗକୁ ଯାଇ ସଞ୍ଜୀବ କୋକ୍ ଉତ୍ପାଦନ ମାମଲା (୧୯୮୩)ରେ କୋକ୍ ଉତ୍ପାଦନକାରୀ କମ୍ପାନିଗୁଡ଼ିକର ଜାତୀୟକରଣକୁ ସମର୍ଥନ କରି କହିଥିଲେ ଯେ ଯେତେବେଳେ ଧାରା ୩୧(ଗ) ଆସିବ, ସେତେବେଳେ ଧାରା ୧୪ କାମ କରିବନାହିଁ। ଧାରା ୩୯(ଖ) ଓ (ଗ)କୁ ପ୍ରବର୍ତ୍ତାଇ ‘ସାମାଜିକ-ଅର୍ଥନୈତିକ ନ୍ୟାୟର ସମାନ୍ତରାଳ ନୀତିକୁ ପ୍ରୋତ୍ସାହିତ କରିବା’ ସରକାରଙ୍କ ପାଇଁ ଏକ ନିର୍ଣ୍ଣାୟକ ନ୍ୟାୟିକ ଅନୁମୋଦନ ଥିଲା।
ଶୀର୍ଷ ଆୟ ବର୍ଗର ଟିକସ ହାରରେ ସାମାନ୍ୟ ବୃଦ୍ଧି କିପରି ପୁଞ୍ଜି ପ୍ରତ୍ୟାହାରର କାରଣ ହୁଏ ନାହିଁ ତାହା ଦର୍ଶାଯାଇଥିବା ଆଇଏମଏଫ୍ର ଏକ ଅଧ୍ୟୟନକୁ ଏଠି ଅବତାରଣା କରିବା ଶିକ୍ଷଣୀୟ ହେବ। ଏକ ଅକ୍ସଫାମ୍ ଟିପୋର୍ଟରେ ଦର୍ଶାଯାଇଛି ଯେ ୫ ପ୍ରତିଶତ ସମ୍ପତ୍ତି କର କିପରି ୧.୭ ଟ୍ରିଲିଅନ୍ ଡଲାର ପୁଞ୍ଜି ଠୁଳ କରିପାରିବ, ଯାହା ୨୦୦ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ମୁକୁଳାଇବା ପାଇଁ ଯଥେଷ୍ଟ। ପିକେଟି ତାଙ୍କର ପରବର୍ତ୍ତୀ ପ୍ରକାଶନ ‘କ୍ୟାପିଟାଲ ଆଣ୍ଡ୍ ଆଇଡୋଲୋଜି’ (୨୦୧୯)ରେ ଲେଖିଛନ୍ତି ଯେ ଗୁଣାତ୍ମକ ମୌଳିକ ଶିକ୍ଷା ଉପଲବ୍ଧତା ହିଁ ଆୟ ଅସମାନତାର ଏକ ଶକ୍ତିଶାଳୀ ପ୍ରତିକାର ହୋଇପାରେ, କାରଣ ଏହା ଦ୍ବାରା ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକମାନେ ଶିକ୍ଷା ଓ କୌଶଳର ଶିଡ଼ିରେ ଉପରକୁ ଉଠି ଉତ୍ତମ ଜୀବିକା ହାସଲର ଏକ ବିଶ୍ବସନୀୟ ସୁଯୋଗ ଆହରଣ କରିବେ। ସଦ୍ୟତମ ଜାତୀୟ ରୋଜଗାର ରିପୋର୍ଟରେ ଦର୍ଶାଯାଇଛି ଯେ ନିୟମିତ ଶ୍ରମିକଙ୍କ ହାରାହାରି ମାସିକ ଆୟ ୨୦୧୨ରେ ୧୨,୧୦୦ ଟଙ୍କା ଥିଲା ବେଳେ ୨୦୨୨ରେ ତାହା ୧୦,୪୯୫ ଟଙ୍କାକୁ ହ୍ରାସ ପାଇଛି ଏବଂ ସାମୟିକ ଶ୍ରମିକଙ୍କ କ୍ଷେତ୍ରରେ ତାହା ୪,୭୧୨ ଟଙ୍କା ଓ ଆତ୍ମନିଯୁକ୍ତଙ୍କ କ୍ଷେତ୍ରରେ ୬,୮୪୩ ଟଙ୍କା ରହିଛି। ମାନବ ସମ୍ବଳର ନିମ୍ନ ୫୦ ପ୍ରତିଶତ ଏହିସବୁ କ୍ଷେତ୍ରରେ ସଂଘର୍ଷ କରୁଛନ୍ତି। ଏହି ପୃଷ୍ଠଭୂମିରୁ ଦେଖିଲେ ଦେବରୟଙ୍କ ନିଷ୍କର୍ଷ ଯେ ‘ଭାରତର ଗରିବ ଲୋକଙ୍କ ଜୀବନଧାରଣରେ ଯଥେଷ୍ଟ ଉନ୍ନତି ହୋଇଛି’ ତାହା ଠିକ୍ ନୁହେଁ ଏବଂ ସହାନୁଭୂତିବିହୀନ ମଧ୍ୟ।
ଆମ ପ୍ରଗତିଶୀଳ ସୁପ୍ରିମ୍ କୋର୍ଟର ଜଣେ ବିଚାରପତି କୃଷ୍ଣ ଆୟର କହିଛନ୍ତି: ଯେତେବେଳେ ଅମାନୁଷିକ ଦାରିଦ୍ର୍ୟ, ସମ୍ପତ୍ତିର ସାଞ୍ଜୁ ପିନ୍ଧିଥାଏ, ସେତେବେଳେ ସାମାଜିକ ନ୍ୟାୟ ନିରର୍ଥକ ହୋଇପଡ଼େ। ପିକେଟିଙ୍କ ପୁସ୍ତକ ସମୀକ୍ଷା କରିଥିବା ନୋବେଲ ବିଜେତା ପଲ କ୍ରୁଗ୍ମ୍ୟାନ୍ ଲେଖିଥିଲେ: ଅସମାନତା ଏକ ସାମାଜିକ ପ୍ରକ୍ରିୟା, ଯାହା ମାନବୀୟ ଅନୁଷ୍ଠାନଗୁଡ଼ିକ ଦ୍ବାରା ପରିଚାଳିତ। ଏହା ଆଦର୍ଶଗତ ଏବଂ ରାଜନୈତିକ ମଧ୍ୟ। ଗୁଣାତ୍ମକ ଶିକ୍ଷା, ସ୍ବାସ୍ଥ୍ୟସେବ ଏବଂ କୌଶଳ ବିକାଶ ପାଇଁ ଅତିରିକ୍ତ ସମ୍ବଳକୁ ନିମ୍ନ ୫୦ ପ୍ରତିଶତଙ୍କୁ ସ୍ଥାନାନ୍ତର କରିବା ଲାଗି ଅତି ଧନୀମାନଙ୍କ ଉପରେ ଟିକସ ହାରକୁ ସାମାନ୍ୟ ବୃଦ୍ଧି କରିବାର ରାଜନୈତିକ ଇଚ୍ଛାଶକ୍ତି ଥିଲେ, ଆୟ ଅସମାନତାର ଯଥେଷ୍ଟ ହ୍ରାସ ଘଟିବ ଏବଂ ସମୃଦ୍ଧି ସମାନ ଭାବରେ ଆବଣ୍ଟିତ ହେବ। ଫ୍ରିଡ୍ମ୍ୟାନ୍ଙ୍କ ବିକୃତ ବଜାରକୈନ୍ଦ୍ରିକ ମୌଳବାଦୀ ବିଚାର କହିଥାଏ ଯେ ଅର୍ଥନୈତିକ ସ୍ବାଧୀନତା ହେଉଛି ସାମାଜିକ ନ୍ୟାୟ ଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ। ସେଥିରୁ ବାହାରି ଆସି ସାମାଜିକ-ଅର୍ଥନୈତିକ ନ୍ୟାୟ ସମସ୍ତ ନାଗରିକଙ୍କର ଏକ ମୌଳିକ ଅଧିକାର ବୋଲି କହୁଥିବା ଦର୍ଶନକୁ ଆମେ ଗ୍ରହଣ କରିବା ଉଚିତ। ରାଷ୍ଟ୍ର ପରିଚୟ ରାଜନୀତିକୁ ପ୍ରୋତ୍ସାହିତ କରିବା ଏବଂ ମିତ୍ର ପୁଞ୍ଜିବାଦ ଅଭ୍ୟାସ କରିବା ପରିବର୍ତ୍ତେ ସାମାଜିକ-ଅର୍ଥନୈତିକ ନ୍ୟାୟ ପ୍ରଦାନ କରିବାର ପବିତ୍ର ଜନାଦେଶକୁ କାର୍ଯ୍ୟକାରୀ କରିବା ଉଚିତ, ଯାହାକୁ ଆମ ସଂବିଧାନ ଶାସକ ଗୋଷ୍ଠୀ ପାଇଁ ସ୍ଥିର କରିଛି।
[email protected]
ଆୟ ବୈଷମ୍ୟ ଗୁରୁତ୍ବପୂର୍ଣ୍ଣ କାହିଁକି
ପ୍ରଫେସର ସତ୍ୟ ନାରାୟଣ ମିଶ୍ର
/sambad/media/post_attachments/wp-content/uploads/2024/05/gjgdjggjgj.jpg)