ନେତା ଭାଷଣ ଦେଉଥିଲେ। ଅତ୍ୟନ୍ତ ଉତ୍ତେଜିତ ହୋଇପଡ଼ି ଭାଷଣରେ ‘ଓଡ଼ିଆ ଅସ୍ମିତା’ ଶବ୍ଦ ଦୁଇଟିର ବାରମ୍ବାର ପ୍ରୟୋଗ କରୁଥିଲେ। ହଠାତ୍ ସଭା ଭିତରୁ ଜଣେ ଶ୍ରୋତା ପ୍ରଶ୍ନ କରିଥିଲେ “ଆଜ୍ଞା ‘ଓଡ଼ିଆ’ କ’ଣ ବୁଝିଲୁ କିନ୍ତୁ ଏ ‘ଅସ୍ମିତା’ କ’ଣ ବୁଝିପାରୁନାହୁଁ। ଏହା ଅର୍ଥ ଟିକେ ଦୟାକରି ବୁଝେଇ ଦେବେ କି?” ଅପ୍ରତ୍ୟାଶିତ ଭାବେ ଏ ଭଳି ଏକ ଜଟିଳ ପ୍ରଶ୍ନ ଶୁଣି ନେତା ଜଣକ ହଡ଼ବଡ଼େଇ ଗଲେ ଓ କ’ଣ କହିବେ ଜାଣି ନ ପାରି ହଠାତ୍ ଚୁପ୍ ହୋଇପଡ଼ିଲେ।
ବନ୍ଧୁଗଣ, ଆଜିକାଲି ବାଟରେ ଘାଟରେ ଚାରିଆଡ଼େ ଏହି ‘ଅସ୍ମିତା’ ଶବ୍ଦଟି ଶୁଣାଯାଉଛି। ଶବ୍ଦଟି ସାମାନ୍ୟ କ୍ଳିଷ୍ଟ। ସାଧାରଣ ଲୋକଟିଏ ବୁଝିବ କ’ଣ? ଜଣେ ତାକୁ ବୁଝେଇ ଦେଲା “ଆହେ, ଅସ୍ମିତାର ଅର୍ଥ ହେଉଛି ‘ଆତ୍ମ ସମ୍ମାନ’।” ଏ କଥା ଶୁଣି ଲୋକଟି ଚିହିଁକି ଉଠି କହିଲା, “କିହୋ, ରାଜନୀତିର ଏ ଅପମିଶ୍ରଣ ପର୍ବରେ ଯିଏ ଦିନକୁ ଦି ଥର ଦଳ ପରିବର୍ତ୍ତନ କରୁଛି ତା’ର ନିଜର ଆତ୍ମସମ୍ମାନ ଅଛି କି? ଯାହାର ନିଜର ଆତ୍ମସମ୍ମାନ ନାହିଁ ସେ ଜାତିର ଆତ୍ମସମ୍ମାନ କ’ଣ ରକ୍ଷା କରିବ? ଯଦି ନିଜର ଆତ୍ମସମ୍ମାନ ଥାଆନ୍ତା ତେବେ ଆଜି ପର୍ଯ୍ୟନ୍ତ ଯାହାକୁ ମୁଣ୍ଡରେ ବସେଇକି ରଖିଥିଲ ତାକୁ ତଳକୁ ଏମିତି ଫୋପାଡ଼ି ନ ଥାନ୍ତ କି ଯାହାକୁ ତଳକୁ ଫୋପାଡ଼ି ଦେଇଥିଲ ତାକୁ ପୁଣି ଗୋଟେଇ ଗାଟେଇ ମୁଣ୍ଡରେ ଏମିତି ବସେଇ ନ ଥାନ୍ତ। ଆଜିକାଲି ମିଶ୍ରଣ ପର୍ବ ନାଁରେ ଯେଉଁ ଅପମିଶ୍ରଣ ଚାଲିଛି ଏଥିରେ ସମ୍ମାନ ଓ ଆତ୍ମସମ୍ମାନ ଭଳି ଗୁରୁଗମ୍ଭୀର ଶବ୍ଦ ପ୍ରୟୋଗ କରିବାର ଅଧିକାର ତୁମର ଅଛି କି?”
ପ୍ରଶ୍ନ ଉଠେ ମନୁଷ୍ୟ ଜୀବନରେ ଅସ୍ମିତାର ଆବଶ୍ୟକତା କେତେବେଳେ ଆସିଥାଏ? ପୃଥିବୀର ବିଶିଷ୍ଟ ମନୋବିଜ୍ଞାନୀ ଆବ୍ରାହାମ ମାସ୍ଲୋ ମନୁଷ୍ୟର ସମୁଦାୟ ଆବଶ୍ୟକତାଗୁଡ଼ିକୁ ଏକ ପିରାମିଡ୍ ସାହାଯ୍ୟରେ ବୁଝେଇ ଦେଇଛନ୍ତି। ଏହି ପିରାମିଡ୍ର ସର୍ବନିମ୍ନ ସ୍ଥାନରେ ମନୁଷ୍ୟର ସର୍ବନିମ୍ନ ଆବଶ୍ୟକତା ଯଥା- ଖାଦ୍ୟ, ବସ୍ତ୍ର ଓ ବାସଗୃହକୁ ସ୍ଥାନ ଦିଆଯାଇଛି। ମନୁଷ୍ୟ ବଞ୍ଚିରହିବାକୁ ହେଲେ ପ୍ରଥମେ ଏହି ତିନିଟିର ଆବଶ୍ୟକତା ଅନୁଭବ କରିଥାଏ। ଏହି ଆବଶ୍ୟକତା ପୂର୍ଣ୍ଣ ହେଲା ପରେ ମନୁଷ୍ୟର ଦ୍ୱିତୀୟ ଆବଶ୍ୟକତା ହେଉଛି ନିଜର ଓ ଏହି ତିନିଟିର ସର୍ବକାଳୀନ ସୁରକ୍ଷା ବ୍ୟବସ୍ଥା। ଏହା ସୁରକ୍ଷିତ ହେଲା ପରେ ମନୁଷ୍ୟର ତୃତୀୟ ଆବଶ୍ୟକତା ହେଉଛି ନିଜ ପରିବାର ଓ ବନ୍ଧୁବାନ୍ଧବ, ଏବଂ ଏହି ଆବଶ୍ୟକତା ପୂର୍ଣ୍ଣ ହେଲା ପରେ ମନୁଷ୍ୟର ଚତୁର୍ଥ ଓ ପଞ୍ଚମ ଆବଶ୍ୟକତା ହେଉଛି ଯଥାକ୍ରମେ ନିଜର ସମ୍ମାନ ଓ ଆତ୍ମସମ୍ମାନ, ଯାହା ଜଣେ ବ୍ୟକ୍ତି ସମସ୍ତ ପ୍ରାଥମିକ ଆବଶ୍ୟକତା ପୂରଣ ହେଲା ପରେ ହିଁ ଖୋଜିଥାଏ।
ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଭିତରୁ ଯଦି ତିନି କୋଟିରୁ ଅଧିକ ବ୍ୟକ୍ତି ଦାରିଦ୍ର୍ୟ ସୀମାରେଖା ତଳେ ରହି ସରକାରଙ୍କ ମାଗଣା ଚାଉଳକୁ ଅନେଇ ବସିଛନ୍ତି ଆଉ ହଜାରେ ଦୁଇ ହଜାର ଟଙ୍କା ନେଇ ନିଜର ମୂଲ୍ୟବାନ ଭୋଟ ଖଣ୍ଡିକ ବିକ୍ରି କରିଦେଉଛନ୍ତି ସେଠି ଆପଣ ଆତ୍ମଗର୍ବ ଓ ଆତ୍ମସମ୍ମାନ କଥା କହିବା କାଲା ଆଗରେ ମୂଳା ଚୋବେଇବା ସଦୃଶ ହେବ। କିହୋ, ଯାହା ଘରେ ଖାଇବାକୁ ଦାନା ନାହିଁ, ପିନ୍ଧିବାକୁ ଲୁଗା ନାହିଁ ଓ ରହିବାକୁ ଘର ଖଣ୍ଡିଏ ନାହିଁ ତାକୁ ଯଦି ଆପଣ ଅସ୍ମିତା କଥା କହିବେ ସେ କର୍ଣ୍ଣପାତ କରିବ କି? ତେଣୁ ଯିଏ ଏ ସବୁ ବ୍ୟବସ୍ଥା ମାଗଣାରେ ଖଞ୍ଜି ଦେଲା କିମ୍ବା ଦେବାର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଲା, ଲୋକେ ତାହାରି ପଛରେ ଦୌଡ଼ିବେ ଆଉ ଅସ୍ମିତାକୁ ଆଡ଼ ଆଖିରେ ମଧ୍ୟ ଅନେଇବେ ନାହିଁ।
ସଂକ୍ଷେପରେ କହିଲେ, ଆମ ଭାଷା, ସଂସ୍କୃତି, କଳା ଓ ସାହିତ୍ୟ ଆମ ରାଜ୍ୟର ଅସ୍ମିତାକୁ ବହନ କରିଥାଏ। ଯଦି ଉପରୋକ୍ତ ଯୁକ୍ତି ଅନୁଯାୟୀ ଗରିବଗୁରୁବା ଲୋକେ ଅସ୍ମିତା କ’ଣ ଜାଣନ୍ତି ନାହିଁ କି ଜାଣିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦିଅନ୍ତି ନାହିଁ ତେବେ ଆମ ରାଜ୍ୟର ବଡ଼ପଣ୍ଡାମାନେ ଏହାର ସୁରକ୍ଷା ପାଇଁ କ’ଣ କରୁଛନ୍ତି? ଯେତେବେଳେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଓଡ଼ିଆ ଭାଷାର କାଳଜୟୀ କବିତା ‘ବନ୍ଦେ ଉତ୍କଳ ଜନନୀ’ର ସ୍ରଷ୍ଟା କାନ୍ତକବିଙ୍କୁ ବାରମ୍ବାର ‘କଣ୍ଠକବି’ କୁହାଯାଇଥିଲା ସେତେବେଳେ ଏହି ବଡ଼ପଣ୍ଡାମାନେ ଥିଲେ କେଉଁଠି? ଏମିତି ନାହିଁ ଯେ ଦୂରଦୂରାନ୍ତରେ ଥିଲେ। ସେଇଠି ଥାଇ ଯେତେବେଳେ ଓଡ଼ିଆ ଭାଷାର ଏଭଳି ଅପମାନ ସହ୍ୟ କରିପାରିଲେ ଓ ସାମାନ୍ୟତମ ପ୍ରତିବାଦ ନ କରି ଚୁପ୍ ରହିବାକୁ ଉଚିତ ମଣିଲେ, ସେମାନଙ୍କଠୁ ଓଡ଼ିଆ ଅସ୍ମିତାର ସୁରକ୍ଷା ଆଉ କ’ଣ ଆଶା କରାଯାଇପାରିବ?
ପ୍ରଶ୍ନ ଉଠେ ଏହି ବଡ଼ପଣ୍ଡାମାନଙ୍କର ଏଭଳି ଆଚରଣ କାହିଁକି? ଏହାର ଏକମାତ୍ର ଉତ୍ତର ହେଉଛି ଯେ ପଦପଦବିର ପ୍ରଲୋଭନ ଓ ପୁରସ୍କାରର ବିପୁଳ ଅର୍ଥରାଶୀ ଏମାନଙ୍କୁ ଏମିତି ବିମୋହିତ କରି ରଖୁଛି ଯେ ପ୍ରତିବଦଳରେ ଏମାନେ ନିଜର ଓ ଜାତିର ମାନ ସମ୍ମାନକୁ ମଧ୍ୟ ବିକ୍ରି କରିଦେବାକୁ ପଛାଉନାହାନ୍ତି।
ଟଙ୍କା କିପରି ମୁହଁ ବଙ୍କା କରିଦେଇଥାଏ ତାହାର ଏକ ଉଦାହରଣ ଦେଉଛି। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟର କଥା। ଚର୍ଚ୍ଚିଲ୍ ସମଗ୍ର ବିଶ୍ୱର ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଥିଲେ, ଯାହାଙ୍କ ନେତୃତ୍ୱରେ ବିଟ୍ରିସ୍ ସାମ୍ରାଜ୍ୟ ଯୁଦ୍ଧର ବିଜୟ ଦ୍ୱାରଦେଶରେ ଅବତୀର୍ଣ୍ଣ ହୋଇଥିଲା। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଚର୍ଚ୍ଚିଲ୍ ଦେଶବାସୀଙ୍କୁ ସମ୍ବୋଧନ କରିବାକୁ ଚାହିଁଲେ ଏବଂ ବିବିସି ଷ୍ଟୁଡିଓ ଯିବା ନିମନ୍ତେ ଏକ ଘରୋଇ ଟ୍ୟାକ୍ସିର ବରାଦ କଲେ। ଟ୍ୟାକ୍ସି ଡ୍ରାଇଭର ଚର୍ଚ୍ଚିଲ୍ଙ୍କୁ ଚିହ୍ନି ନ ଥିଲା। ଚର୍ଚ୍ଚିଲ୍ ବିବିସି ଷ୍ଟୁଡିଓରେ ପହଞ୍ଚି ତାକୁ ଘଣ୍ଟାଏ ଅପେକ୍ଷା କରିବାକୁ କହିଲେ। ଟ୍ୟାକ୍ସି ଡ୍ରାଇଭର ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଲା, “କ୍ଷମା କରିବେ, ମୁଁ ଆଜି ମୋର ପ୍ରିୟ ଜନନାୟକ ଚର୍ଚ୍ଚିଲ୍ଙ୍କ ଭାଷଣ ଶୁଣିବି, ତେଣୁ ଅପେକ୍ଷା କରିପାରିବି ନାହିଁ।” ଏ କଥା ଶୁଣି ଚର୍ଚ୍ଚିଲ୍ ଖୁସି ହୋଇଗଲେ ଆଉ ତାକୁ ଭଡ଼ା ସହିତ ଶହେ ପାଉଣ୍ଡ୍ର ଅଧିକ ପୁରସ୍କାର ଦେଲେ। ଶହେ ପାଉଣ୍ଡ୍ର ପୁରସ୍କାର ଦେଖି ଟ୍ୟାକ୍ସି ଡ୍ରାଇଭର କହିଲା, “ଆଜ୍ଞା, ଆପଣ ଆସନ୍ତୁ, ମୁଁ ଅପେକ୍ଷା କରିବି। ଚର୍ଚ୍ଚିଲ୍ ପଚାରିଲେ, “ଆଉ ଚର୍ଚ୍ଚିଲ୍?” ଡ୍ରାଇଭର କହିଲା, “ଚର୍ଚ୍ଚିଲ ଯାଉ ଚୁଲିକି।” ବନ୍ଧୁଗଣ, ଉପରୋକ୍ତ ଟ୍ୟାକ୍ସି ଡ୍ରାଇଭର ସଦୃଶ ଆମେ ସେମିତି ପଦପଦବି କିମ୍ବା ଅର୍ଥ ଲୋଭରେ ଆମର ପ୍ରିୟ ‘ଅସ୍ମିତା’କୁ ଚୁଲିକୁ ପଠେଇ ଦେଇନାହୁଁ କି?
ମୋ: ୯୪୩୭୦୬୭୫୬୭
ସତ କହୁଛି: ଚର୍ଚ୍ଚିଲ୍ ଯାଉ ଚୁଲିକି
ଶ୍ୟାମସୁନ୍ଦର ଅଗ୍ରୱାଲା