“ବଡ଼ ହୀନିମାନ ଆମ ଘର ଦଶା ଶୁଣିଲେ ଫାଟଇ ବୁକୁ, ଚଉଖଣ୍ଡ ହୋଇ ଓଡ଼ିଶା ଦେଶ ଲୋ ପଡ଼ି ହୁଏ ଦୁକୁଦୁକୁ।” ବିଖଣ୍ଡିତ ଓଡ଼ିଶାର ଦୁର୍ଦ୍ଦଶାରେ ମ୍ରିୟମାଣ ହୋଇ ଏହି କବିତା ଲେଖିଥିଲେ ପଣ୍ଡିତ ଗୋଦାବରୀଶ ମିଶ୍ର। ଇତି ମଧ୍ୟରେ କିନ୍ତୁ ମହାନଦୀରେ ଅନେକ ଜଳ ପ୍ରବାହିତ ହୋଇସାରିଛି, ଅନେକ ଜୁଆର ଭଟ୍ଟାରେ ଶିହରିତ ହୋଇସାରିଛି ମହୋଦଧି। କେଉଁ କାଳୁ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଭାବରେ ଉଭା ହୋଇ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହେବାର ସୌଭାଗ୍ୟ ଲାଭ କରିଛି। ଭାରତର ସ୍ୱାଧୀନତା ସହିତ ଓଡ଼ିଶା ସ୍ୱାଧୀନତାର ସୁଫଳ ଚାଖିଛି। ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ପରେ ବୃହତ୍ତର ଓଡ଼ିଶା ଗଠନର ସ୍ୱପ୍ନ ସାର୍ଥକ ହୋଇଛି। ସମୟର ବଡ଼ଦାଣ୍ଡରେ ପ୍ରଗତିର ରଥ ଅବଶ୍ୟ ଆଗକୁ ଗଡ଼ିଚାଲିଛି। ତଥାପି ଏ ଜାତିର ଲଲାଟରୁ ଲାଞ୍ଛନାର ଗାର ଲିଭିବାର ନାଁ ଧରୁନାହିଁ। ଆମ ଘର ଦଶା ବଦଳୁଛି କାହିଁ?
ଭୂଗୋଳ ଓଡ଼ିଶାର ସ୍ଥୂଳ ସ୍ୱରୂପ ହୋଇଥିବାବେଳେ ଭାଷା ଏହାର ଆତ୍ମିକ ଅଭିବ୍ୟକ୍ତି। ଓଡ଼ିଶା ଭୂଇଁ ଚଉଖଣ୍ଡ ହୋଇ ନାହିଁ ସିନା, କିନ୍ତୁ କେତେକ ପଡ଼ୋଶୀ ରାଜ୍ୟ ସହିତ ଓଡ଼ିଶାର ସୀମା ବିବାଦ ଲାଗିରହିଛି। କୋଟିଆ ଗ୍ରାମପୁଞ୍ଜ ବିଷୟରେ ବାରମ୍ବାର ସମ୍ବାଦ ପରିବେଷିତ ହେଉଥିବାରୁ, ସେ ବିଷୟରେ ରାଜ୍ୟବାସୀ ଊଣାଅଧିକେ ଅବଗତ। ଅନ୍ୟ ରାଜ୍ୟ ସହିତ ମଧ୍ୟ କାଁ ଭାଁ ବିବାଦ ମୁଣ୍ଡ ଟେକୁଛି। ବ୍ୟକ୍ତିଗତ ଜମିଜମା ବିବାଦ ପରି ରାଜ୍ୟରାଜ୍ୟ ମଧ୍ୟରେ ସୀମା ବିବାଦ ଲାଗିବାରେ ଅସ୍ୱାଭାବିକତା ନାହିଁ। କିନ୍ତୁ ଅସ୍ୱାଭାବିକତା ଏହି ଯେ ଭାରତବର୍ଷ ପରି ଏକ ସଙ୍ଘୀୟ ରାଷ୍ଟ୍ରରେ ରାଜ୍ୟରାଜ୍ୟ ମଧ୍ୟରେ ଉପୁଜୁଥିବା ଦ୍ୱନ୍ଦ୍ୱର ସମାଧାନ ପାଇଁ ଏକ ନିରପେକ୍ଷ ନ୍ୟାୟିକ ସଂସ୍ଥା ଥିବା ସତ୍ତ୍ୱେ ବିବାଦର ସମାଧାନ ହୋଇପାରିନାହିଁ। ଆମ କର୍ଣ୍ଣଧାରମାନଙ୍କର ଆନ୍ତରିକତାର ଅଭାବ ଏଥିପାଇଁ ଦାୟୀ ନୁହେଁ କି?
ଖଣିଜ ସମ୍ପଦରେ ଆମେ ଭାରତରେ ସବା ଆଗରେ। ଖଣି ଆମର, କିନ୍ତୁ ଖଣିର ମାଲିକାନା ଆଉ କାହା ହାତରେ। ଆମ ମାଟି ତଳେ ସୁନା। ସୁନା ଉପରେ ଭୋକ ଓପାସରେ ରହୁ ଆମେ ଅଭାଗାମାନେ। ଆମ କଞ୍ଚାମାଲରେ କାରଖାନା ବସୁଛି ଅନ୍ୟ କେଉଁଠି। ଯାହା ଯେଉଁଠି ବି ଗୋଟେଅଧେ କାରଖାନା ଅଛି, ଆମ ଲୋକମାନଙ୍କର ସେଠି ସ୍ଥାନ ନାହିଁ। ଓଡ଼ିଆ, ଦେଢ଼ଗୋଡ଼ିଆ- ଦେଶାନ୍ତର ଯାଇ ଦାଦନ ଖଟଇ। ଆମ ବନ୍ଦରଗୁଡ଼ିକ ଦେଇ ଆସେ କ’ଣ ଯାଏ କ’ଣ, ଆମେ ଜାଣନ୍ତି କି? ଆମେ ଜାଣନ୍ତି କି ଆମ ନଦୀଗୁଡ଼ିକର ଅବସ୍ଥା? ଆମ ନଦୀମାନେ ଶିଳ୍ପର ଆବର୍ଜନା ଧୋଇଧୋଇ ବିଷାକ୍ତ। ଭୋଗ ଶିଳ୍ପପତିମାନଙ୍କର, ରୋଗ ଜନତାର। ଆମ ନେତାମାନଙ୍କର କ’ଣ ଆଖିକାନ ନାହିଁ?
ଓଡ଼ିଶାରେ ଭାଷାର ସ୍ଥିତି ସମ୍ବନ୍ଧରେ ମୁହଁ ନ ଖୋଲିଲେ ଭଲ। ଭାଷା ରହିଲେ କେତେ ଗଲେ କେତେ? ନା ନେତା, ନା ଜନତା, କାହାର ବା ନିଦ ଭାଙ୍ଗୁଛି? ଚେଇଁ ଶୋଇଥିବା ଲୋକର କ’ଣ ନିଦ ଭାଙ୍ଗେ? ଆମ ବୁଦ୍ଧିଜୀବୀମାନେ ମାଛିକୁ ମ ବୋଲି କହନ୍ତି ନାହିଁ। ଆମ ମନ୍ତ୍ରୀ-ଅମଲା, ଶିକ୍ଷକ ଓ ଶିକ୍ଷାବିତ୍ଙ୍କ ବୈଠକୀରେ ଓଡ଼ିଆ ପତ୍ରିକାଟିଏ ଦେଖିବାକୁ ମିଳେନାହିଁ। ଓଡ଼ିଆ ପତ୍ରିକା ପଢ଼ିବାକୁ ସେମାନେ ଅସମ୍ମାନଜନକ ମନେ କରୁଥିବା ମନେହୁଏ। ବଡ଼ବଡ଼ିଆଙ୍କ ପିଲାମାନେ ଓଡ଼ିଆ ମାଧ୍ୟମ ବିଦ୍ୟାଳୟରେ ପଢ଼ନ୍ତି ନାହିଁ। ଓଡ଼ିଆ ସ୍କୁଲ ବସ୍ତିବାସିନ୍ଦାଙ୍କ ପିଲାମାନଙ୍କ ପାଇଁ ସଂରକ୍ଷିତ। ଆମ ହାକିମମାନେ ଓଡ଼ିଆରେ ଟିପ୍ପଣୀ ଲେଖିପାରନ୍ତି ନାହିଁ ତ ଆମର ଅଧିକାଂଶ ମନ୍ତ୍ରୀ ଓଡ଼ିଆରେ ଠିକ୍ କରି ଗୋଟିଏ ବାକ୍ୟ ପୂରଣ କରିପାରନ୍ତି ନାହିଁ। ହାୟ- ଓଡ଼ିଶାରେ ନିମନ୍ତ୍ରଣପତ୍ର ଓଡ଼ିଆରେ ଛପାଯାଏ ନାହିଁ।
ଆମ ରାଜ୍ୟର ଭାଷା ଆମ ରାଜଭାଷା। କିନ୍ତୁ ଏହା ଏକ ପୋଥି ବାଇଗଣ। ବାଡ଼ିରେ ବାଇଗଣ ଫଳିବା କେହି ଦେଖିଲେଣି? ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକର ଫଳକ ବଦଳୁନାହିଁ। କାହିଁକି ବଦଳିବ? ଜନତାଙ୍କର ଆଖି ନାହିଁ କି ସରକାରଙ୍କର ନାଲିଆଖି ନାହିଁ। ବଡ଼ ମଲ୍ କି ତାରକା ହୋଟେଲରେ ପହଞ୍ଚିଗଲେ ବାଟହୁଡ଼ି ଆସିଲା ପରି ଲାଗିବ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପରିସରର ଭାଷା ଓଡ଼ିଆ ହେଲାଣି କି?
ଗଣମାଧ୍ୟମରେ ଆମ ଭାଷାର ଦୟନୀୟତା ବି ଜଳଜଳ ହୋଇ ଦିଶେ। ଅଧିକାରୀମାନଙ୍କ ନଥି କେହି ପଢ଼ନ୍ତି ନାହିଁ। କିନ୍ତୁ ଆବାଳବୃଦ୍ଧବନିତା ସମ୍ବାଦପତ୍ରର ଲେଖା ଦ୍ୱାରା ପ୍ରଭାବିତ। ଅନେକ ପ୍ରତିଷ୍ଠିତ ପତ୍ରରେ ବନାନ ଅଶୁଦ୍ଧି କେବଳ ପରିଲକ୍ଷିତ ହୁଏ, ତା’ ନୁହେଁ, ବାକ୍ୟ ଗଠନ ଅନେକତ୍ର ପ୍ରମାଦପୂର୍ଣ୍ଣ। ବେଳେବେଳେ ମାଗିଅଣା ଶବ୍ଦର ବେଖାପ ପ୍ରୟୋଗ ଭାଷା ବିକୃତିର ଦ୍ୱାର ଉନ୍ମୁକ୍ତ କରୁଛି। ବୈଦ୍ୟୁତିକ ଗଣମାଧ୍ୟମର ଅବସ୍ଥା ଆହୁରି ବିକଳ। ଘୋଷକ/ଘୋଷିକାମାନଙ୍କ ମଧ୍ୟରୁ ଅନେକେ ‘କାନ୍ତ’କୁ ‘କଣ୍ଠ’ କହିବାରେ ଅଭ୍ୟସ୍ତ।
ସଭାସମିତି ଓ ଆଡ଼ମ୍ବରପୂର୍ଣ୍ଣ ଉତ୍ସବ ମାଧ୍ୟମରେ ଭାଷା ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେଉଛି। ହେଉ। ଆପତ୍ତି ନାହିଁ। ଏସବୁର ଭୂମିକା କିନ୍ତୁ ସୀମିତ। ଉପସର୍ଗ ଦେଖି ଉପଚାର କଲେ ରୋଗ ଭଲ ହୁଏ କି? ନିଦାନ ବିନା ଆରୋଗ୍ୟ ଯେ ଅପହଞ୍ଚ। ଅନ୍ତତଃ ଉଚ୍ଚ ପ୍ରାଥମିକ ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ ମାତୃଭାଷାରେ କରା ନଗଲେ, ନା ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ନା ମାତୃଭାଷାର ଅସ୍ତିତ୍ୱ ସୁରକ୍ଷିତ ହୋଇପାରିବ? ମାତୃଭାଷାରେ ଶିକ୍ଷାଦାନ ବିଷୟରେ ମନେହୁଏ ସମସ୍ତେ ଯେମିତି ଦ୍ୱିଧାଗ୍ରସ୍ତ। ଅଭିଭାବକମାନଙ୍କର ଧାରଣା ଯେ ଇଂରେଜୀ ମାଧ୍ୟମ ବିଦ୍ୟାଳୟରେ ନ ପଢ଼ିଲେ ପିଲାମାନେ ଜଗତୀକରଣ ଯୁଗରେ ଜଗତ୍ ବ୍ୟାପୀ ପ୍ରତିଯୋଗିତାକୁ ସାମ୍ନା କରିପାରିବେ ନାହିଁ।
ଅଭିଭାବକମାନଙ୍କର ଏପରି ସଂଶୟ ଅବାନ୍ତର। ଗତ ମାର୍ଚ୍ଚ (ତା୧୯/୦୩/୨୦୨୪ରିଖ) ମାସରେ ‘ଟାଇମ୍ସ ଅଫ୍ ଇଣ୍ଡିଆ’ ସମ୍ବାଦପତ୍ରରେ ପ୍ରକାଶିତ ଏକ ବିବରଣୀ ଏହି ପରିପ୍ରେକ୍ଷୀରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। କ୍ୟାମେରୁନ୍ର ବାରଗୋଟି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ମାତୃଭାଷା ମାଧ୍ୟମ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ତିନି ବର୍ଷ ପଢ଼ିଲା ପରେ ଇଂରେଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଅତିକ୍ରମ କରିଯାଉଛନ୍ତି। ଆହୁରି ଆଶ୍ଚର୍ଯ୍ୟର କଥା ପାଞ୍ଚ ବର୍ଷ ପଢ଼ିସାରିଲା ପରେ ସେମାନେ ଇଂରେଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଠାରୁ ଇଂରେଜୀ ବିଷୟରେ ମଧ୍ୟ ଅଧିକ ପାରଦର୍ଶିତା ପ୍ରଦର୍ଶନ କରିପାରୁଛନ୍ତି। ଏହା ମାତୃଭାଷାରେ ଶିକ୍ଷାଲାଭର ମହତ୍ତ୍ୱକୁ ପ୍ରତିପାଦନ କରୁନାହିଁ କି?
ମା’ ଓ ମାଷ୍ଟ୍ରେଙ୍କ ଛଡ଼ା ଅନ୍ୟ କେହି ଭାଷାକୁ ବଞ୍ଚାଇ ପାରିବେ ନାହିଁ। ମନ୍ତ୍ରୀ ଓ ଅମଲାଙ୍କ ବିନା ଭୂମିକୁ କିଏ ବା ଆଉ ସୁରକ୍ଷା ଦେଇପାରିବେ?
ମୋ: ୯୪୩୭୧୪୩୮୯୬
ବହୁବଚନ: ବଡ଼ ହୀନିମାନ ଆମ ଘର ଦଶା
ବିଜୟ ନାୟକ
/sambad/media/post_attachments/wp-content/uploads/2024/06/sfhsfshfshfeee.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)