ମହାଭାରତ ଯୁଦ୍ଧରେ ନିଜ ପୁତ୍ରକୁ ହରାଇଦେବାର ଭୟ ଘୋଟି ଆସିଥିଲା ଦେବରାଜ ଇନ୍ଦ୍ରଙ୍କୁ! ଅର୍ଜୁନ ନିରାପଦ ରହୁ, ଅକ୍ଷତ ରହୁ! ଉଦ୍ବେଗର ଗଭୀର ଉଦ୍ବେଳନ ନିସର୍ଗ ସମ୍ରାଟ ଇନ୍ଦ୍ରଙ୍କୁ ଅଶାନ୍ତ କରି ପକାଉଥିଲା। ଉପାୟ ଖୋଜିବାକୁ ହେବ! ବଞ୍ଚି ରହୁ ଅର୍ଜୁନ!
ହଠାତ୍ ଇନ୍ଦ୍ରଙ୍କ ମନରେ ଝଲସିଗଲା ଏକ ମାର୍ଗ; ଅର୍ଜୁନର ପ୍ରାଣ ରକ୍ଷା ନିମନ୍ତେ ସେ ଏକ ବ୍ରାହ୍ମଣ ବେଶ ଧରି ଭିକ୍ଷା ଥାଳ ସହିତ ପହଞ୍ଚିବେ କର୍ଣ୍ଣଙ୍କ ଆଳୟରେ। କର୍ଣ୍ଣ ଦାନବୀର, ସତ୍ୟାନୁରକ୍ତ। ଦାନ ଦେବା ଲାଗି ଥରଟିଏ ସତ୍ୟ କରିଦେଲେ ସେ କର୍ଣ୍ଣଙ୍କ ଠାରୁ ମାଗି ଆଣବେ ସେହି ମହାର୍ଘ କବଚ ଓ କୁଣ୍ଡଳ! କର୍ଣ୍ଣଙ୍କ ପିତା ସୂର୍ଯ୍ୟଙ୍କ ଦ୍ବାରା ପ୍ରଦତ୍ତ ଏହି କବଚ ଓ କୁଣ୍ଡଳ ତ ତାଙ୍କୁ ଅପରାଜେୟ କରିଛି!
କିନ୍ତୁ, ଇନ୍ଦ୍ରଙ୍କ ଏ ବିଚାର ସର୍ବଦ୍ରଷ୍ଟା ସୂର୍ଯ୍ୟଙ୍କ ଠାରୁ ଅଗୋଚର ହୋଇ ରହିଲା ନାହିଁ। କର୍ଣ୍ଣ ତାଙ୍କର ସୁପୁତ୍ର। ସୁତରାଂ, ଇନ୍ଦ୍ରଙ୍କ ଅଭିସନ୍ଧି ସମ୍ବନ୍ଧରେ ସେ କର୍ଣ୍ଣଙ୍କୁ ଜଣାଇ ଦେଲେ। ଘଟଣା ଘଟିବାର ପୂର୍ବ ରାତ୍ରିରେ ହିଁ କର୍ଣ୍ଣ ଏହା ଜାଣିଲେ।
ପର ଦିନ ତାଙ୍କ ପ୍ରଭାତ ପ୍ରାର୍ଥନାରେ କର୍ଣ୍ଣ ପିତାଙ୍କୁ ଜଣାଇଥଲେ-ହେ ଦେବ! ଆପଣଙ୍କ ପୁତ୍ର ସକାଶେ ଏହା ଠାରୁ ଅଧିକ ଯଶ ପ୍ରାପ୍ତର ସୁଯୋଗ ଆଉ କ’ଣ ଅବା ଥାଇପାରେ? ଏପରି ଏକ ଦୃଶ୍ୟ କ’ଣ ଆପଣଙ୍କୁ ସୁଖୀ କରାଇବ ନାହିଁ? ସ୍ବୟଂ ଦେବରାଜ ଇନ୍ଦ୍ର ଭିକ୍ଷା ଥାଳ ଧରି ଭିକ୍ଷା ଲାଗି ଅଳି କରିବେ! ଆପଣଙ୍କ ପୁତ୍ର କାହିଁକି ଅବା ତାହାଙ୍କୁ ନିରାଶ କରିବ? ଏହା ତ ଆପଣଙ୍କ ସକାଶେ ଗର୍ବର ବିଷୟ ହେବ! ଭିକ୍ଷା ପ୍ରାର୍ଥୀଙ୍କୁ ରିକ୍ତ ହସ୍ତରେ ଫେରାଇବା ତ ଆପଣଙ୍କ ଦୀକ୍ଷା ବିରୁଦ୍ଧ! ଅହରହ ଆତ୍ମ ପରିଚୟ ଅନୁସନ୍ଧାନ କରୁଥିବା ମୋ ଭଳି ଭାଗ୍ୟହୀନ ପାଇଁ ଆଉ କ’ଣ ବା ଅଧିକ ଆକାଂକ୍ଷିତ ହୋଇପାରେ?
ଏତକ କହି ଦୀର୍ଘଶ୍ବାସ ପକାଇେଲ କର୍ଣ୍ଣ! ସୂର୍ଯ୍ୟ ଦେବ ପୂର୍ବ ଦିଗବଳୟ ଉପରକୁ ଉଠୁଥିଲେ। ପିତାଙ୍କ କୋମଳ ଲୋହିତ କିରଣ କର୍ଣ୍ଣଙ୍କ କପାଳକୁ ଚୁମ୍ବନ କଲା। ପିତା ପଚାରୁଥିଲେ- କାହିଁକି ନିଜକୁ ଭାଗ୍ୟହୀନ ବୋଲି ଭାବୁଛୁ ରେ ପୁତ୍ର?
କର୍ଣ୍ଣ ହସିଲେ। ବଡ଼ ରହସ୍ୟମୟ ସେ ହସ! ଭାଗ୍ୟହୀନ ବୋଲି କାହିଁକି ଭାବୁଛି? ସୂର୍ଯ୍ୟ ଦେବଙ୍କ ଭଳି ପିତା ଓ ସତୀ କୁନ୍ତୀଙ୍କ ଭଳି ମାତାଙ୍କ ସନ୍ତାନ ହୋଇଥିବା ସତ୍ତ୍ବେ ସୁତପୁତ୍ର ଭାବେ ପରିଚୟ! ସମସ୍ତ ସାମର୍ଥ୍ୟ ଥାଇ ବି ଗୁରୁ ପରିତ୍ୟକ୍ତ ଏବଂ ଗୁରୁ ଦ୍ବାରା ଶାପଗ୍ରସ୍ତ! ବିଶ୍ବ ବିଜୟୀ ପାଞ୍ଚ ସହୋଦର ଥିବା ସତ୍ତ୍ବେ ସେ ଏକାକୀ ଓ ନିଃସଙ୍ଗ!
ଏବେ ଦ୍ରୁପର ଏକ ହସ ଚହଟିଗଲା କର୍ଣ୍ଣଙ୍କ ଓଠରେ! ଦେବରାଜ ଇନ୍ଦ୍ର ହେବେ ତାଙ୍କ ଭିକ୍ଷା ପ୍ରାର୍ଥୀ। ସବୁ ଯଜ୍ଞରେ ଯିଏ ପ୍ରଥମ ଆରାଧ୍ୟ, ଯିଏ ପ୍ରଥମ ଅର୍ଘ୍ୟ ପ୍ରାପ୍ତ ଦେବତା, ଯିଏ ଦୈତ୍ୟ ଉପଦ୍ରବ ଭଂଜନକାରୀ ଓ ଯଜ୍ଞର ରକ୍ଷାକର୍ତ୍ତା, ଯିଏ ଐରାବତ ହସ୍ତୀ ଓ ପାରିଜାତ ପୁଷ୍ପର ଅଧୀଶ୍ବର; ସେ ନିଜ ପୁତ୍ର ଅର୍ଜୁନର ପ୍ରାଣ ରକ୍ଷା ପାଇଁ ଭିକ୍ଷା ଥାଳ ଧରି ଛଦ୍ମ ବେଶରେ ଅବତୀର୍ଣ୍ଣ ହେବେ! ଓଃ, କି ପରମ ସୌଭାଗ୍ୟ!
ଅର୍ଜୁନର ପ୍ରାଣ ରକ୍ଷା ପାଇଁ ଏଭଳି ଭିକ୍ଷା ଦେବା ତ ହେବ ଅର୍ଜୁନ ଲାଗି ଏକ ଦୟା! ସେ ବୁଝୁ ବା ନ ବୁଝୁ, ବୁଝିବେ ତା’ ପିତା ନିସର୍ଗର ସମ୍ରାଟ ଇନ୍ଦ୍ର। ଆଉ କେହି ବୁଝୁ ବା ନ ବୁଝିୁ ବୁଝିବେ ତାଙ୍କ ସଖା ଚକ୍ରଧର!
ଆକାଶ ଫର୍ଚ୍ଚା ହୋଇ ଆସୁଥିଲା। କେହି ଜଣେ ରକ୍ଷୀ ସମ୍ବାଦ ଦେଲା- ଜଣେ ଦରିଦ୍ର ବ୍ରାହ୍ମଣ ଭିକ୍ଷାର୍ଥେ ଦ୍ବାର ଦେଶରେ ଦଣ୍ଡାୟମାନ। କର୍ଣ୍ଣଙ୍କ ହୃଦୟ ଏକ ଦୁର୍ବୋଧ୍ୟ ଆନନ୍ଦରେ ଭରି ଉଠିଲା! କବଚ ଓ କୁଣ୍ଡଳ ଦାନ କରି ଦେଇ ସେ ନିଜେ ପଛକେ ଅଧିକ ହନନ ଯୋଗ୍ୟ ହୋଇ ଉଠନ୍ତୁ, କିନ୍ତୁ ଅର୍ଜୁନର ପ୍ରାଣରକ୍ଷା ସକାଶେ ପିତାଙ୍କ ଭିକ୍ଷା ମାଗିବାର ଗାଥା ଯୁଗେ ଯୁଗେ ରହିଯାଉ! ସମୟ ବିଚାର କରିବ କିଏ ଅଧିକ ବୀର ଥିଲା, କିଏ ଥିଲା ଅଧିକ ଶୌର୍ଯ୍ୟବାନ, କିଏ ଥିଲା ଅଧିକ ସତ୍ୟାନୁରକ୍ତ? ଅର୍ଜୁନ ନା କର୍ଣ୍ଣ? ଇଏ ତ ଏକ ମଧୁର ପ୍ରତିଶୋଧ!
ମହାବୀର ଓ ଦାନବୀର କର୍ଣ୍ଣ ଦ୍ବାର ଆଡ଼କୁ ଅଗ୍ରସର ହେଲେ।
ମୋ: ୯୭୭୭୨୦୫୬୮୪
ମଧୁର ପ୍ରତିଶୋଧ
ହିରଣ୍ୟ ମହାନ୍ତି