ନିସ୍ତରଙ୍ଗ ନୀତି

ରିଜର୍ଭ ବ୍ୟାଙ୍କ୍ ତେଣୁ ବର୍ତ୍ତମାନ ‘ରେପୋ ରେଟ୍’ରେ କୌଣସି ହ୍ରାସ ଘଟାଇବା ପୂର୍ବରୁ ପ୍ରଥମେ ନିଶ୍ଚିତ ହେବାକୁ ଚାହିଁବ ଯେପରି ମୁଦ୍ରାସ୍ଫୀତି କିଛି ସମୟ ଧରି ଏକ ଆଦର୍ଶ ୪ ଶତାଂଶ ହାରରେ ସ୍ଥିର ହୋଇରହିଛି। ତେଣୁ ଦୁଇ ମାସ ପରେ ଅଗଷ୍ଟରେ ‘ଏମ୍‌ପିସି’ର ଯେଉଁ ବୈଠକ ଅନୁଷ୍ଠିତ ହେବ, ସେଥିରେ ମଧ୍ୟ ‌‘ରେପୋ ରେଟ୍‌’ରେ କୌଣସି ହ୍ରାସ ଘଟାଇବା ପାଇଁ ନିଷ୍ପତ୍ତି ନିଆଯିବାର ସମ୍ଭାବନା କ୍ଷୀଣ ଭଳି ମନେ ହୁଏ। ହୁଏତ ଯଦି ମୌସୁମୀ ଅନୁକୂଳ ‌ହୁଏ ଏବଂ ଖାଦ୍ୟଦ୍ରବ୍ୟ ମୂଲ୍ୟରେ କୌଣସି ଆନ୍ଦୋଳନ ଦେଖା ନ ଦିଏ, ତା’ ହେଲେ ‘ଏମ୍‌ପିସି’ର ଅକ୍‌ଟୋବରର ବୈଠକରେ ‘ରେପୋ ରେଟ୍’ରେ କିଛି ହ୍ରାସ ଘଟାଇବାକୁ କୁଣ୍ଠା ପ୍ରକାଶ ନ ପାଇ ପାରେ।

ପ୍ରାୟ ସମସ୍ତ ପର୍ଯ୍ୟବେକ୍ଷକମାନେ ଆଶା କରୁଥିବା ଭଳି ଗତ ସପ୍ତାହରେ ଅନୁଷ୍ଠିତ ‘ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ’ର ମୁଦ୍ରା ନୀତି ନିର୍ଦ୍ଧାରକ ଗୋଷ୍ଠୀ ‘ମନିଟାରି ପଲିସି କମିଟି’ (‘ଏମ୍‌ପିସି’)ର ଦ୍ବିମାସିକ ବୈଠକରେ କ୍ରମାଗତ ଅଷ୍ଟମ ଥର ପାଇଁ ଦିଗ୍‌ଦର୍ଶନକାରୀ ସୁଧ ହାର ‘ରେପୋ ରେଟ୍’କୁ ବାର୍ଷିକ ୬.୫ ଶତାଂଶ ହାରରେ ଅପରିବର୍ତ୍ତିତ ରଖିବା ନିମିତ୍ତ ନିଷ୍ପତ୍ତି ନିଆଯାଇଛି। କମିଟିର ଛ’ଜଣ ସଦସ୍ୟ ୪-୨ ସଂଖ୍ୟାଗରିଷ୍ଠ ମତ ଅନୁସାରେ ‌‘ରେପୋ ରେଟ୍’କୁ ଅପରିବର୍ତ୍ତିତ ରଖିବା ସହିତ ଏହି କେନ୍ଦ୍ରୀୟ ବ୍ୟାଙ୍କ୍ ଅନୁସରଣ କରିଚାଲିଥିବା ତାହାର ସହାୟତା ପ୍ରତ୍ୟାହାର ଆଭିମୁଖ୍ୟ (ୱିଥ୍‌ଡ୍ରୟାଲ୍ ଅଫ୍ ଆକୋମୋଡେସନ୍) ମଧ୍ୟ ଅପରିବର୍ତ୍ତିତ ରଖିବାକୁ ଉଚିତ ମନେ କରିଛି। ‘ରେପୋ ରେଟ୍’ ହେଉଛି ସେଇ ସୁଧ ହାର ଯାହା ଅନୁସାରେ ‘ରିଜର୍ଭ ବ୍ୟାଙ୍କ୍’ ଅନ୍ୟ ବ୍ୟାଙ୍କ୍‌ମାନଙ୍କୁ ଋଣ ପ୍ରଦାନ କରିଥାଏ। ଅତଏବ ଅନ୍ୟ ବ୍ୟାଙ୍କ୍‌ମାନେ ସେମାନଙ୍କ ଦ୍ବାରା ପ୍ରଦାନ କରାଯାଉଥିବା ଋଣ ଉପରେ ଆଦାୟ କରୁଥିବା ସୁଧ ହାର ଏହି ‘ରେପୋ ରେଟ୍’ ଦ୍ବାରା ପ୍ରଭାବିତ ହୋଇଥାଏ- ‘ରେପୋ ରେଟ୍‌’ରେ ହ୍ରାସ ବୃଦ୍ଧି ସହିତ ତାଳ ଦେଇ ସେମାନେ ଋଣ ଗ୍ରହୀତାମାନଙ୍କ ଠାରୁ ଆଦାୟ କରୁଥିବା ସୁଧ ହାରରେ ହ୍ରାସ ବୃଦ୍ଧି ଘଟାଇଥାନ୍ତି। ଅର୍ଥାତ୍ ଦେଶରେ ଋଣ ଶସ୍ତା ହେବା ବା ମହଙ୍ଗା ହେବା ‘ରେପୋ ରେଟ୍‌’ର ଆଚରଣ ଦ୍ବାରା ପ୍ରଭାବିତ ହୋଇଥାଏ।
‘ରେପୋ ରେଟ୍‌’ ନିର୍ଦ୍ଧାରଣ ତେଣୁ ହେଉଛି ସଂପୂର୍ଣ୍ଣ ରୂପେ ଏକ ଅର୍ଥନୈତିକ ନିଷ୍ପତ୍ତି। କିନ୍ତୁ ଏଥରର ‘ରେପୋ‌ ରେଟ୍’ ନିର୍ଦ୍ଧାରକମାନେ ଯେ ଅନ୍ୟ ଏକ ଅଣ-ଅର୍ଥନୈତିକ ଘଟଣା ଦ୍ବାରା ମଧ୍ୟ ପ୍ରଭାବିତ ହୋଇ ନିଜର ନିଷ୍ପତ୍ତି ଗ୍ରହଣ କରିଥିବେ, ତାହାର ଏକ ଦୃଢ଼ ସମ୍ଭାବନା ରହିଛି। ଲକ୍ଷ୍ୟ କରିବା କଥା ଦେଶରେ ଏକ ନୂତନ ସରକାର ଦାୟିତ୍ବ ଗ୍ରହଣ କରିବାର ଠିକ୍ ଅବ୍ୟବହିତ ପୂର୍ବରୁ ‘ଏମ୍‌ପିସି’କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି। ସ୍ବାଭାବିକ ଭାବରେ ଅନ୍ତତଃ ଆସନ୍ତା ଦୁଇ ମାସ ପରେ ପୁଣି ଏକ ବୈଠକରେ ମିଳିତ ହେବା ପୂର୍ବରୁ ନୂତନ ସରକାରଙ୍କ ପାଇଁ କୌଣସି ଅନିଶ୍ଚିତତା ସୃଷ୍ଟି ନ କରି ପୂର୍ବର ‘ରେପୋ ରେଟ୍’କୁ ବର୍ତ୍ତମାନ ପାଇଁ ସ୍ଥିର ରଖିବାକୁ କମିଟିର ସଦସ୍ୟମାନେ ଅନୁଭବ କରିଥାଇ ପାରିଥାନ୍ତି।
ଦେଶରେ ଦରଦାମ୍ ପରିସ୍ଥିତିରେ ସ୍ଥିରତା ରକ୍ଷା କରିବା, ଅର୍ଥାତ୍ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ହେଉଛି ‘ରେପୋ ରେଟ୍’ ନିର୍ଦ୍ଧାରଣ ପଛରେ ନିହିତ ଥିବା ମୁଖ୍ୟ ଉଦ୍ଦେଶ୍ୟ। ଯାହା ସୁବିଦିତ, ବାର୍ଷିକ ମୁଦ୍ରାସ୍ଫୀତି ହାରକୁ ୪ ଶତାଂଶ ସ୍ତରରେ ରଖିବା ହେଉଛି ରିଜର୍ଭ ବ୍ୟାଙ୍କ୍ ସମ୍ମୁଖରେ ସ୍ଥାପନ କରାଯାଇଥିବା ବିଧିବଦ୍ଧ ଲକ୍ଷ୍ୟ, ଯାହା ଏକ ୨ ଶତାଂଶ ହ୍ରାସ ବୃଦ୍ଧି ବଳୟ ଦ୍ବାରା ପରିବେଷ୍ଟିତ ହୋଇଥାଏ। ତେଣୁ ଯଦି ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିରେ ଅବନତି ଦେଖାଦିଏ, ଅର୍ଥାତ୍ ମୁଦ୍ରାସ୍ଫୀତି ହାରରେ ବୃଦ୍ଧି ଘଟିବା ଦେଖାଯାଏ, ରିଜର୍ଭ ବ୍ୟାଙ୍କ୍ ସେଥିରେ ଲଗାମ ଲଗାଇବା ଉଦ୍ଦେଶ୍ୟରେ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଏ ଏବଂ ଯଦି ମୁଦ୍ରାସ୍ଫୀତି ପରିସ୍ଥିତିରେ ଉନ୍ନତି ଘଟି ଖାଉଟି ମୁଦ୍ରାସ୍ଫୀତି ହାର ସହନୀୟ ସ୍ତରରେ ନୀଚା ରହେ, ତେବେ ରିଜର୍ଭ ବ୍ୟାଙ୍କ୍ ନିବେଶ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ସହାୟକ ହେବା ପାଇଁ ‘ରେପୋ ରେଟ୍’ରେ ହ୍ରାସ ଘଟାଇଥାଏ।
ଏହି ପରିପ୍ରେକ୍ଷୀରେ ଦେଖିଲେ ଜୁନ୍ ୨୦୨୩ ଠାରୁ ଆରମ୍ଭ କରି କ୍ରମାଗତ ଭାବରେ ବିଗତ ଏଗାର ମାସ ଧରି ଦେଶରେ ମଞ୍ଜି ମୁଦ୍ରାସ୍ଫୀତି (କୋର୍ ଇନ୍‌ଫ୍ଲେସନ୍) ହାରରେ ସ୍ଖଳନ ଘଟିଚାଲିବା ଦେଖାଯାଇଛି। ମଞ୍ଜି ମୁଦ୍ରାସ୍ଫୀତି ହେଉଛି ଖାଦ୍ୟଦ୍ରବ୍ୟ, ଇନ୍ଧନ ଆଦି ଅସ୍ଥିର ମୂଲ୍ୟଧାରୀ ପଦାର୍ଥମାନଙ୍କୁ ବାଦ୍ ଦେଇ ଅନ୍ୟ ସମସ୍ତ ଖାଉଟି ଦ୍ରବ୍ୟମାନଙ୍କର ଦରଦାମ୍‌ରେ ଦେଖାଯାଉଥିବା ପରିବର୍ତ୍ତନର ସୂଚକ। ସେଇଭଳି ସେବା ସବୁର ଦରଦାମ୍‌ରେ ଘଟୁଥିବା ବୃଦ୍ଧି ବା ସେବା ମୁଦ୍ରାସ୍ଫୀତି ହାର ବର୍ତ୍ତମାନ ଏକ ସର୍ବକାଳୀନ ନିଚା ସ୍ତର ଛୁଇଁବା ଦେଖାଯାଇଛି। କିନ୍ତୁ ଖାଦ୍ୟଦ୍ରବ୍ୟମାନଙ୍କରେ ଦେଖା ଦେଇଥିବା ଦରଦାମ୍ ବୃଦ୍ଧି ବା ଖାଦ୍ୟ ମୁଦ୍ରାସ୍ଫୀତି ଏକ ନଛୋଡ଼ବନ୍ଦା ଚରିତ୍ର ପ୍ରଦର୍ଶନ କରିଚାଲିଥିବାରୁ ରିଜର୍ଭ ବ୍ୟାଙ୍କ୍‌ର ‘ଏମ୍‌ପିସି’ ‘ରେପୋ‌ ରେଟ୍‌’ରେ ବର୍ତ୍ତମାନ ପାଇଁ କୌଣସି ହ୍ରାସ ଘଟାଇବାରୁ ନିବୃତ୍ତ ରହିଛି।
‘ରେପୋ ରେଟ୍‌’ରେ ହ୍ରାସ ନିବେଶକମାନଙ୍କ ପାଇଁ ସହାୟକ ହୋଇ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅନୁକୂଳ ହୋଇଥାଏ। ସେଇ ଦୃଷ୍ଟିରୁ ଦେଖିଲେ ଯେହେତୁ ବର୍ତ୍ତମାନ ଭାରତ ଏକ ଶକ୍ତିଶାଳୀ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିଚାଲିଛି, ତେଣୁ ତାହାକୁ ପ୍ରୋତ୍ସାହନ ପ୍ରଦାନର ଆବଶ୍ୟକତା ନ ଥିବାରୁ, ରିଜର୍ଭ ବ୍ୟାଙ୍କ୍ ବରଂ ମୁଦ୍ରାସ୍ଫୀତିକୁ କାବୁ କରିବାରେ ଅଧିକ ଧ୍ୟାନ ଦିଆଯିବା ଉଚିତ ହେବ ବୋଲି ଅନୁଭବ କରି ‘ରେପୋ ରେଟ୍’ରେ ବର୍ତ୍ତମାନ ପାଇଁ ହ୍ରାସ ନ ଘଟାଇ ତାହାକୁ ସ୍ଥିର ରଖିବା ପାଇଁ ନିଷ୍ପତ୍ତି ନେଇଛି। ଖୋଦ୍ ରିଜର୍ଭ ବ୍ୟାଙ୍କ୍ ଚଳିତ ବିତ୍ତବର୍ଷ ପାଇଁ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର ୭ ଶତାଂଶ ହେବ ବୋଲି ପୂର୍ବରୁ କରିଥିବା ପୂର୍ବାନୁମାନରେ ପରିବର୍ତ୍ତନ ଘଟାଇ ତାହା ଏକ ଉଚ୍ଚତର ୭.୨ ଶତାଂଶ ହେବାକୁ ଯାଉଛି ବୋଲି ଏବେ ପ୍ରକାଶ କରିଛି। ସୂଚନାଯୋଗ୍ୟ ଯେ ଗତ ବିତ୍ତବର୍ଷରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଏକ ସୁଉଚ୍ଚ ୮.୨ ଶତାଂଶ ହାରରେ ଅଭିବୃଦ୍ଧି ଉପରେ ଆଉ ଥରେ ୭.୨ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବା ଦେଶରେ ଏକ ଶକ୍ତିଶାଳୀ ଅଭିବୃଦ୍ଧି-ଅନୁକୂଳ ବାତାବରଣର ଉପସ୍ଥିତିର ପ୍ରମାଣ ହୋଇଥାଏ।
ଯଦି ଏ ବର୍ଷ ମୌସୁମୀରେ କୌଣସି ବିକୃତି ଦେଖା ନ ଦିଏ, ତେବେ ଚଳିତବର୍ଷ ମୁଦ୍ରାସ୍ଫୀତି ହାର ୪.୫ ଶତାଂଶ ହେବ ବୋଲି ପୂର୍ବାନୁମାନ କରାଯାଉଛି। ତଥାପି ପୂର୍ବ ଅନୁଭୂତିରୁ ଜଣାପଡ଼ିଥାଏ ଯେ ପନିପରିବା ଓ ଡାଲିଜାତୀୟ ଖାଦ୍ୟଶସ୍ୟର ଦରଦାମ୍ ଅନେକ ସମୟରେ ଅନିଶ୍ଚିତ ହୋଇଥାଏ। ସେଇଭଳି କଂପାନିମାନେ ଯଦି ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ସବୁର ଦରଦାମ୍‌ରେ ବୃଦ୍ଧି ଘଟାନ୍ତି ଓ ମଜୁରିରେ ମଧ୍ୟ ବୃଦ୍ଧି ଘଟେ, ସେଥିଯୋଗୁଁ ମଞ୍ଜି ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିବାର ସମ୍ଭାବନାକୁ ଅସ୍ବୀକାର କରାଯାଇ ପାରିବ ନାହିଁ। ରିଜର୍ଭ ବ୍ୟାଙ୍କ୍ ତେଣୁ ବର୍ତ୍ତମାନ ‘ରେପୋ ରେଟ୍’ରେ କୌଣସି ହ୍ରାସ ଘଟାଇବା ପୂର୍ବରୁ ପ୍ରଥମେ ନିଶ୍ଚିତ ହେବାକୁ ଚାହିଁବ ଯେପରି ମୁଦ୍ରାସ୍ଫୀତି କିଛି ସମୟ ଧରି ଏକ ଆଦର୍ଶ ୪ ଶତାଂଶ ହାରରେ ସ୍ଥିର ହୋଇରହିଛି। ତେଣୁ ଦୁଇ ମାସ ପରେ ଅଗଷ୍ଟରେ ‘ଏମ୍‌ପିସି’ର ଯେଉଁ ବୈଠକ ଅନୁଷ୍ଠିତ ହେବ, ସେଥିରେ ମଧ୍ୟ ‌‘ରେପୋ ରେଟ୍‌’ରେ କୌଣସି ହ୍ରାସ ଘଟାଇବା ପାଇଁ ନିଷ୍ପତ୍ତି ନିଆଯିବାର ସମ୍ଭାବନା କ୍ଷୀଣ ଭଳି ମନେ ହୁଏ। ହୁଏତ ଯଦି ମୌସୁମୀ ଅନୁକୂଳ ‌ହୁଏ ଏବଂ ଖାଦ୍ୟଦ୍ରବ୍ୟ ମୂଲ୍ୟରେ କୌଣସି ଆନ୍ଦୋଳନ ଦେଖା ନ ଦିଏ, ତା’ ହେଲେ ‘ଏମ୍‌ପିସି’ର ଅକ୍‌ଟୋବରର ବୈଠକରେ ‘ରେପୋ ରେଟ୍’ରେ କିଛି ହ୍ରାସ ଘଟାଇବାକୁ କୁଣ୍ଠା ପ୍ରକାଶ ନ ପାଇ ପାରେ।
ଏଥିସହିତ ନୂତନ ସରକାର ରାଜକୋଷୀୟ ନିଅଣ୍ଟକୁ ସୀମିତ କରିବାରେ କେତେ ଦୂର ସଫଳ ହେବାକୁ ଯାଉଛନ୍ତି, ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ପରିବର୍ତ୍ତନ କରିବା ପୂର୍ବରୁ ତା’ ଉପରେ ମଧ୍ୟ ନଜର ରଖିବ। ସରକାର ଯଦି ମୁକ୍ତ ହସ୍ତରେ ଖର୍ଚ୍ଚ କରିବା ପାଇଁ ରାଜକୋଷୀୟ ନିଅଣ୍ଟରେ ଅତିରିକ୍ତ ବୃଦ୍ଧି ଘଟାନ୍ତି, ମୁଦ୍ରାସ୍ଫୀତି ଉପରେ ତାହାର ପ୍ରଭାବକୁ ପ୍ରତିହତ କରିବା ପାଇଁ ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ବୃଦ୍ଧି ମଧ୍ୟ ଘଟାଇପାରେ। ଏଣୁ ବର୍ତ୍ତମାନ ପାଇଁ ଏକ ଅପରିବର୍ତ୍ତିତ ‘ରେପୋ ରେଟ୍’ ସହିତ ସହବାସ କରିବା ପାଇଁ ନିବେଶକ ଠାରୁ ଖାଉଟିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରସ୍ତୁତ ରହିବା ଉଚିତ।

ସମ୍ବନ୍ଧିତ ଖବର