ଅଳ୍ପ ଦିନ ତଳର କଥା। ‘ଆନନ୍ଦ ବଜାର’ (ବଂଗଳା) ପତ୍ରିକାର ପ୍ରଥମ ପୃଷ୍ଠାରେ ସ୍ଥାନିତ ଏକ ‘ଷ୍ଟୋରି’ର ଶିରୋନାମା- କାଓ କେ ଠକାତେ ପାରବ ନା, ରିକ ତାୟୀ ଚାୟ ବୋକା ହତେ– ପାଠକଙ୍କର ଦୃଷ୍ଟି ଆକର୍ଷଣ କଲା। ଶୀର୍ଷକର ଓଡ଼ିଆ ଅନୁବାଦ ହେଲା- କାହାକୁ ଠକି ପାରିବ ନାହିଁ, ରିକ ତାହା ହିଁ ଚାହେ, ବୋକା ହେବାକୁ।’ ଶାନ୍ତିନିକେତନ ନିକଟସ୍ଥ ଶୀତଳଗ୍ରାମ (ବୀରଭୂମ ଜିଲ୍ଲା)ର ସରକାରୀ ସ୍କୁଲର ପ୍ରାଥମିକ ଶିକ୍ଷକ ରିପନକାନ୍ତି ପିଲାଙ୍କୁ ପଚାରୁଥିଲେ, ବଡ଼ ହେଲେ କିଏ କ’ଣ ହେବ? ନିଜ ମୋବାଇଲରେ ପିଲାଙ୍କ ପ୍ରତିକ୍ରିୟାକୁ ଭିଡ଼ିଓ ମଧ୍ୟ କରୁଥିଲେ। କିଏ କହିଲା, ଡାକ୍ତର, କିଏ କହିଲା, ପୁଲିସ। କେଉଁ ବାଟ ଦେଇ ଈପ୍ସିତ ଲକ୍ଷ୍ୟକୁ ହାସଲ କରିହେବ, ତା’ ବି ହୁଏତ ଗାଁ ସରକାରୀ ସ୍କୁଲର ପିଲାଙ୍କୁ ଜଣା ନ ଥିବ; କିନ୍ତୁ ମନରେ ସ୍ୱପ୍ନ ଅଛି ଏବଂ ତାକୁ ବ୍ୟକ୍ତ କରିବାକୁ ଶିକ୍ଷକଙ୍କ ଠାରୁ ସାହସ ମିଳିଛି। ବେଶ୍ ସେତିକି। ଏହି କ୍ରମରେ ତୃତୀୟ ଶ୍ରେଣୀର ଛାତ୍ର ରିକ ବାଗଦିର ପାଳି ପଡ଼େ ଓ ସେ କହେ, ବଡ଼ ହେଲେ ସେ ବୋକା ହେବ। ପଢ଼ାପଢ଼ିରେ ରିକ ଆଦୌ ମାନ୍ଦା ନୁହେଁ, ପ୍ରାୟତଃ ଧୀରସ୍ଥିର, ଆଖିରେ ତା’ର ଏକ ଚମକ। ପିଲାଙ୍କୁ ତା ଉତ୍ତରରେ ହସାଇବ ବୋଲି ସେ ଏହି କଥା ଆଦୌ କହି ନ ଥିଲା। ଏହା ତା’ ଶିକ୍ଷକ ବି ଜାଣନ୍ତି।
ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ବଡ଼ ହେଲେ ତୁ କାହିଁକି ବୋକା ହେବାକୁ ଚାହୁଁ?’ ରିକର ସରଳ ଅଥଚ ସ୍ଥିର ଉତ୍ତର, ‘ ଜୀବନରେ ମୁଁ କାହାକୁ ଠକିବାକୁ ଚାହେଁନା। ନିଜେ ଠକି ନ ହେଲେ କି ଏହା କେବେ ସମ୍ଭବ ହେବ?’
ରିକ ବାଗଦିର ବାପା ଗାଁରେ ଦିନମଜୁରିଆ। ମା’ ପର ଘରେ କାମ କରି ନିଜ ଘର ସମ୍ଭାଳନ୍ତି। ପରାପାଟକରେ ସମସ୍ତେ କହନ୍ତି ଯେ ରିକ୍ର ବାପା ଜଣେ ବୋକା; ଅନ୍ୟ ଘରୁ ମଜୁରି ସଂଗ୍ରହ ବେଳେ ସର୍ବଦା ଠକି ହୁଅନ୍ତି। ଏ କଥା ରିକ୍ କାନକୁ ବି ଆସେ। ସେ ଖୁସି ଯେ ତା’ ସତ୍ତ୍ବେ ତା’ ବାପା ଖୁସିରେ ରହନ୍ତି। ତା’ ବାପାଙ୍କୁ ନେଇ ସେ ଗର୍ବିତ। ସେ ବି ଜୀବନରେ ଖୁସିରେ ରହିବାକୁ ଚାହେଁ; କାହାକୁ ଠକିବାକୁ ଚାହେଁନା।
ରିକ୍ର ଉତ୍ତର ଶୁଣି ଶିକ୍ଷକ ଅବାକ। ନିଜ ଚିହ୍ନା-ପରିଚୟଙ୍କୁ ସେ ଭିଡିଓଟିକୁ ଦେଖାଇଲେ। ଖବର ଯାଇ ‘ଆନନ୍ଦ ବଜାର’ ପତ୍ରିକାର ଜଣେ ପ୍ରତିନିଧିଙ୍କ ମାର୍ଫତରେ ସଂପାଦକଙ୍କ ପାଖରେ ପହଞ୍ଚିଲା। ତେଣିକି ସଂପାଦକ ନିଜ ପ୍ରତିନିଧିଙ୍କୁ ଶୀତଳଗ୍ରାମ ପଠାଇ କଥାଟିର ସତ୍ୟାସତ୍ୟ ପରଖିଲେ। ଆଶ୍ବସ୍ତ ହେଲା ପରେ ତା’କୁ ପ୍ରଥମ ପୃଷ୍ଠାରେ ସ୍ଥାନ ଦେଲେ।
ରିକ୍ ବାଗଦି କ’ଣ ବଡ଼ ହେଲା ପରେ ନିଜର ବୋକା ହେବାର, ସରଳ ରହିବାର ପ୍ରବୁଦ୍ଧତ୍ୱକୁ ବଞ୍ଚେଇ ରଖିପାରିବ? ଅନ୍ୟମାନଙ୍କୁ କେବେ ନ ଠକି, ନ ଭଣ୍ଡି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ’ର ସନ୍ଥ-ମହାତ୍ମା ପଣିଆକୁ ଆଦରି ଜୀବନ ଅତିବାହିତ କରିବାର ମହାନତାକୁ ଅକ୍ଷତ ରଖିପାରିବ? କେଜାଣି? ଏହାର ଉତ୍ତର ସର୍ବଦା ‘ନା’ ହେବ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ! ତେବେ, ସାନ ପିଲାର ଏହି ସରଳତା, ପରକୁ ନ ଠକି ବଞ୍ଚିଲେ ଆନନ୍ଦ ମିଳେ ବୋଲି ରହିଥିବା ବୋଧ ଏବଂ ‘ବୋକା’ ବାପାର ଜୀବନାନନ୍ଦକୁ ଉତ୍ତରାଧିକାରରେ ଭୋଗ କରିବାର ଇଚ୍ଛା କ’ଣ ଏକ ଅମୂର୍ତ୍ତ ଆଶାବାଦ ଆଡ଼କୁ ଇଙ୍ଗିତ କରି ନ ଥାଏ?
‘ଆନନ୍ଦ ବଜାର’ରେ ପ୍ରକାଶିତ ସମ୍ବାଦକୁ ଦେଖିଲା ପରେ ମନକୁ ଆଉ ଗୋଟାଏ କଥା ଆସିଲା। କଥାଟିକୁ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାକୁ ଆଣିଥିବା ସଂପାଦକଙ୍କ ନିଷ୍ପତ୍ତିର ଅନନ୍ୟତା! ମୋର ପରିଚିତଙ୍କ ମଧ୍ୟରେ ବି ଅନେକ ସାମ୍ବାଦିକ ଓ କିଛି ସଂପାଦକ ଅଛନ୍ତି। ଏଭଳି ଏକ ସାଧାରଣ ଘଟଣା ପଛର ଥିବା ଅସାଧାରଣତ୍ବକୁ ସେମାନେ ମଧ୍ୟ ଲକ୍ଷ୍ୟ କରିପାରିବେ। ମାତ୍ର ବହୁ ଲୋକଙ୍କ ନଜରକୁ ଆଣିବା ସକାଶେ ସମ୍ବାଦପତ୍ରର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ପ୍ରଥମ ପୃଷ୍ଠାରେ ଏହି କଥାକୁ ସ୍ଥାନ ଦେଇ ପାରିବେ କି?
‘ଏଭଳି ସାନ ସାନ ଓ ସାଧାରଣ କଥାକୁ ପ୍ରମୁଖତା ଦେଲେ, ବଡ଼ ଘଟଣା ତଥା ମହତ୍ତ୍ବପୂର୍ଣ୍ଣ କଥାଗୁଡ଼ିକୁ ସ୍ଥାନ ମିଳିବ କେମିତି?’ ଅନେକ କ୍ଷେତ୍ରରେ ଏ ଧରଣର ପ୍ରାଣବନ୍ତ ‘ଷ୍ଟୋରି’କୁ ଭ୍ରୂଣ ଅବସ୍ଥାରେ ଦଳି ଦିଆଯାଉଥିବ ମଧ୍ୟ!
ବାସ୍ତବିକତା ହେଲା, ଜୀବନର ପ୍ରଗାଢ଼ତାକୁ ବୁଝିବା ପାଇଁ, ଜୀବନର ଅଭ୍ୟନ୍ତରକୁ ଖୋଲିବା ପାଇଁ ଏହି ସବୁ ସାନ ସାନ ଘଟଣା, ନିତି ପ୍ରତି ଦୃଶ୍ୟମାନ ମାଳମାଳ ଚିତ୍ର ଓ ଚରିତ୍ର ଚାବିକାଠି ଭୂମିକାରେ ଉଭା ହୁଅନ୍ତି; ଅନେକଙ୍କ ଜୀବନ ଜିଇବା ସକାଶେ ପ୍ରାଣ ଶକ୍ତି ସାଜନ୍ତି। ସାଧାରଣ କଥାବାର୍ତ୍ତାରେ, ଗୁଲିଖଟିରେ, ସାହିତ୍ୟରେ ତଥା ଗଣମାଧ୍ୟମରେ ସେଗୁଡ଼ିକ ସ୍ଥାନ ପାଇଲେ ଜୀବନ ଜଞ୍ଜାଳ ହେବାରୁ ନିସ୍ତାର ପାଏ। ଜୀବନ ଅଧିକ ସହଜ ଓ ସୁନ୍ଦର ଲାଗିଥାଏ। କେବଳ ବଡ଼ ଘଟଣା କି ମହାନ ଉପଲବ୍ଧିରେ ନୁହେଁ, ଉପସ୍ଥିତ ନିତ୍ୟନୈମିତ୍ତିକତାର ବିଶାଳ ଭଣ୍ଡାରରେ ମଧ୍ୟ ବିରଳ ଦୃଷ୍ଟାନ୍ତମାନ ରୂପ ପାଉଥାଆନ୍ତି। ତେଣୁ ସାଧାରଣ ଭିତରେ ଅସାମାନ୍ୟର ଆବିଷ୍କାର ମଧ୍ୟ ଏକ ଆମୋଦଦାୟୀ ଏବଂ ଅର୍ଥପୂର୍ଣ୍ଣ ଅନ୍ବେଷଣକୁ ଜନ୍ମ ଦେଇଥାଏ!
[email protected]
ସାମାନ୍ୟ କଥନ: ରିକ ବାଗଦିର ଇଚ୍ଛା
ପ୍ରୀତୀଶ ଆଚାର୍ଯ୍ୟ
/sambad/media/post_attachments/wp-content/uploads/2024/06/jsfhsfhshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)