ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆରେ ଗାନ୍ଧୀଜୀ ପ୍ରଥମେ ଭାରତୀୟଙ୍କ ଏକ ସଭା ଡାକିଥିଲେ। ସଭାରେ ଭାରତୀୟଙ୍କ ବହୁସଂଖ୍ୟାରେ ଉପସ୍ଥିତି ଦେଖି ଗାନ୍ଧୀଜୀ ଯେତିକି ଖୁସି ହୋଇଥିଲେ ସେତିକି ଦୁଃଖିତ ବି ହୋଇଥିଲେ। ଖୁସି ଥିଲେ ଏଇଥିପାଇଁ ଯେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟମାନେ ନିଜ ଅଧିକାର ପାଇଁ ବିଦେଶରେ ବି ଏକାଠି ହୋଇ ପାରିଥିଲେ। ଦୁଃଖ ଥିଲେ ଏଇଥିପାଇଁ ଯେ ଅଧିକାଂଶ ଲୋକ ମଇଳା ପୋଷାକ ପିନ୍ଧି ସଭାକୁ ଆସିଥିଲେ; ସେମାନଙ୍କ ପାଟିରୁ ତମାଖୁର ଗନ୍ଧ ବାହାରୁଥିଲା। ଗାନ୍ଧୀଜୀଙ୍କ ସେ ଦିନ ଭାଷଣ ଥିଲା ସ୍ୱାସ୍ଥ୍ୟ, ପରିଚ୍ଛନ୍ନତା ଓ ଇଂରେଜୀ ଶିଖିବା ଉପରେ। ଗାନ୍ଧୀ ବୁଝେଇ ଦେଇଥିଲେ, ତମାଖୁ ଓ ମଦ ସେବନ ସ୍ୱାସ୍ଥ୍ୟ ହାନି କରେ, ଏବଂ ଅପରିଚ୍ଛନ୍ନତା ମହାମାରୀକୁ ଆମନ୍ତ୍ରଣ କରେ।
ଦକ୍ଷିଣ ଆଫ୍ରିକାରେ ଗାନ୍ଧୀଜୀଙ୍କ ଦୁଇଟି ମିସନ ଥିଲା। ପ୍ରଥମଟି ଥିଲା ଆଫ୍ରିକାରେ ଥିବା ଭାରତୀୟଙ୍କ ଅଧିକାର ନେଇ ଏବଂ ଦ୍ବିତୀୟଟି ଥିଲା ଭାରତୀୟଙ୍କ ସ୍ୱାସ୍ଥ୍ୟ ସଚେତନତା ନେଇ। ଏ ସଂପର୍କରେ ଗାନ୍ଧୀଙ୍କ ଅନେକ ପ୍ରବନ୍ଧ ‘ଇଣ୍ଡିଆନ୍ ଓପିନିୟନ’ ପତ୍ରିକାରେ ପ୍ରକାଶ ପାଇଥିଲା। ୧୯୧୩ ମସିହା ଜାନୁଆରି ମାସରେ ଗାନ୍ଧୀଜୀ କ୍ରମାଗତ ଭାବରେ ତେରଟି ପ୍ରବନ୍ଧ ଲେଖିଥିଲେ। ସେଥିରୁ ପ୍ରଥମ ଲେଖା ଥିଲା ମଦ, ସିଗାରେଟ୍ ଓ ତମାଖୁ ସେବନ ବିଷୟରେ।
ଗାନ୍ଧୀଜୀଙ୍କ ଉକ୍ତ ପ୍ରବନ୍ଧ ଦୁଇ ଭାଗରେ ବିଭକ୍ତ ଥିଲା। ପ୍ରଥମ ଭାଗ ମଦ୍ୟପାନ ଏବଂ ଦ୍ବିତୀୟ ଭାଗ ତମାଖୁ, ସିଗାରେଟ୍ ଓ ସିଗାର ସେବନ ସଂପର୍କିତ ଥିଲା। ଗାନ୍ଧୀ ସୂଚେଇ ଦେଇଥିଲେ, ମଦ୍ୟପାନର ବିରୋଧ ସବୁ ଧର୍ମରେ ଅଛି। କେଉଁ ଧର୍ମ ଏହାକୁ ଏକ ଆଦର୍ଶ ପାନୀୟ ଭାବେ ଗ୍ରହଣ କରିନି। କାରଣ ମଣିଷର ବିବେକ ଓ ସ୍ୱାସ୍ଥ୍ୟ ଉପରେ ମଦ୍ୟପାନର କୁପ୍ରଭାବ ପଡ଼େ। ହିତାହିତ ଜ୍ଞାନ ଏଥିରେ ନଷ୍ଟ ହୋଇଥାଏ। ଠିକ୍ ଓ ଭୁଲ୍ ଭିତରେ ପାର୍ଥକ୍ୟ ମଦ୍ୟପଟିଏ ବୁଝିପାରି ନ ଥାଏ।
ନିଜର ପ୍ରତ୍ୟକ୍ଷ ଅନୁଭୂତିର ବର୍ଣ୍ଣନା ଦେଇ ଗାନ୍ଧୀଜୀ ଲେଖିଥିଲେ, କିଛି ସଂଭ୍ରାନ୍ତ ବ୍ୟକ୍ତି ମଦ ପିଇ ଚେତାଶୂନ୍ୟ ହୋଇ ନଳାରେ ପଡ଼ିବାର ଦୃଶ୍ୟ ସେ ଦେଖିଛନ୍ତି। ଯେଉଁ ପ୍ରତିଷ୍ଠା ତାଙ୍କୁ ଅନେକ ନିଷ୍ଠା ଓ ପରିଶ୍ରମ ପରେ ମିଳିଥିଲା, ସାମାନ୍ୟ ମଦ୍ୟପାନରେ ସେ ପ୍ରତିଷ୍ଠା ଚାଲି ଯାଇଥିଲା।
ଦକ୍ଷିଣ ଆଫ୍ରିକାର ଉଲ୍ଲେଖ କରି ଗାନ୍ଧୀ ଲେଖିଥିଲେ, ଭାରତୀୟଙ୍କ ଭିତରେ ମଦ୍ୟପାନର କୁତ୍ସିତ ଅଭ୍ୟାସ ଏବେ ଏଠି ଭୟଙ୍କର ଅବସ୍ଥା ସୃଷ୍ଟି କରି ସାରିଲାଣି। ଅନେକଙ୍କର ଏଠି ଅକାଳରେ ବିୟୋଗ ହେଉଛି। ପାକସ୍ଥଳୀ ନଷ୍ଟ ହୋଇ କିଛି ଲୋକ ପଙ୍ଗୁ ହୋଇ ସମାଜ ପ୍ରତି ବୋଝ ହୋଇ ପଡ଼ିଲେଣି। ଯେଉଁମାନେ ମଦକୁ ଔଷଧ ଭାବେ ଖିଆ ଯାଇପାରିବ ବୋଲି ଯୁକ୍ତି ଦିଅନ୍ତି ସେ ଯୁକ୍ତିର କିଛି ଆଧାର ନାହିଁ ଏବଂ ପ୍ରକାରାନ୍ତରେ ଏହା ଯେ ମଦ ପିଇବାର ଏକ ବାହାନା ଗାନ୍ଧୀଜୀ ତାଙ୍କ ପ୍ରବନ୍ଧରେ ସତର୍କ କରି ଦେଇ କରିଥିଲେ।
ଗାନ୍ଧୀଙ୍କ ପ୍ରବନ୍ଧର ଦ୍ବିତୀୟ ଭାଗ ଥିଲା ଧୂମପାନ ବିରୋଧରେ। ଦକ୍ଷିଣ ଆଫ୍ରିକାରେ ଥିବା ଅଧିକାଂଶ ଭାରତୀୟ ସିଗାରେଟ୍, ଗଂଜେଇ, ତମାଖୁ ପରି ଧୂମପାନରେ ଅଭ୍ୟସ୍ତ ଥିଲେ। ମଦ ଓ ଧୂମପାନ କରି ନୈତିକ ଏବଂ ଶାରୀରିକ ଭାବେ ଦୁର୍ବଳ ହୋଇ ପଡ଼ିଥିବା ଭାରତୀୟଙ୍କୁ ନେଇ ସେ ଯେ କିପରି ସତ୍ୟାଗ୍ରହ କରିବେ, ଅନେକ ସମୟରେ ଗାନ୍ଧୀଜୀ ପ୍ରଶ୍ନ କରୁଥିଲେ। ଧୂମପାନ ବ୍ୟାଧି କେବଳ ସେଠି ଭାରତୀୟଙ୍କ ଭିତରେ ଆବଦ୍ଧ ନ ଥିଲା। ସମଗ୍ର ଦକ୍ଷିଣ ଆଫ୍ରିକାକୁ ଏହା ଗ୍ରାସ କରି ଯାଇଥିଲା। ଏଥିରୁ ଛୋଟ ପିଲା ବି ବାଦ୍ ପଡ଼ି ନ ଥିଲେ। ଅବସ୍ଥା ଏତେ ଭୟାବହ ଥିଲା ଯେ ଦକ୍ଷିଣ ଆଫ୍ରିକା ସରକାର ନାବାଳକ ଧୂମପାନ ନିରୋଧକ ଆଇନ ପ୍ରଚଳନ କରିଥିଲେ। ସେଥିରେ ଧୂମପାନ କରୁଥିବା ଷୋହଳ ବର୍ଷରୁ କମ୍ ନାବାଳକ ପିଲାଙ୍କ ଉପରେ ଦଣ୍ଡ ବିଧାନର ବ୍ୟବସ୍ଥା ଥିଲା ଏବଂ ଏପରିକି ପିଲାଙ୍କୁ ସିଗାରେଟ୍ କିଣିବାକୁ ପଠାଇଥିବା ବାପାମାଆଙ୍କୁ ଜେଲ୍ ଓ ଜରିମାନା ନିମନ୍ତେ ପ୍ରାବଧାନ ଥିଲା। ଗାନ୍ଧୀ ଏ ଆଇନକୁ ଖୁବ୍ ପ୍ରଶଂସା କରିଥିଲେ।
ଗାନ୍ଧୀ ତାଙ୍କ ପ୍ରବନ୍ଧର ଦ୍ବିତୀୟ ଭାଗରେ ଦକ୍ଷିଣ ଆଫ୍ରିକୀୟ ସରକାରଙ୍କ ଧୂମପାନ ନିରୋଧକ ଆଇନର ସୂଚନା ଦେଇ ଲେଖିଥିଲେ, ଛୋଟ ପିଲାଏ ଅପରାଧୀ ହେବାରେ ଅଭିଭାବକମାନେ ଦାୟୀ। ଧୂମପାନ କରୁଥିବା ପିଲାମାନେ ବାପାମାଆଙ୍କ ଠାରୁ ତାହା ଶିଖନ୍ତି। ଏଥିପାଇଁ ଦରକାର ହେଲେ ଚୋରି କରନ୍ତି। ଅନେକ ବ୍ୟକ୍ତି ସେ ଦେଖିଛନ୍ତି ଯେଉଁମାନେ ଖାଦ୍ୟ ନ ଖାଇ ଦିନଟିଏ ରହିପାରନ୍ତି, କିନ୍ତୁ ତମାଖୁ ସେବନ ନ କରି ରହିବା ସେମାନଙ୍କ ପାଇଁ ସହଜ ହୋଇ ନ ଥାଏ।
ଧୂମପାନ ଛୋଟ ନିଶାଟିଏ ପରି ପ୍ରତୀୟମାନ ହେଉଥିଲେ ବି ଏହା ପ୍ରକୃତରେ ଅପରାଧ ପ୍ରବୃତ୍ତିକୁ ଦୃଢ଼ କରିଦେବାରେ ଏକ ଭୟଙ୍କର ନିଶା। ଏ ସଂପର୍କରେ ଗାନ୍ଧୀ ତାଙ୍କ ପ୍ରବନ୍ଧରେ ଲିଓ ଟଲଷ୍ଟୟଙ୍କ ଏକ କାହାଣୀର ବର୍ଣ୍ଣନା ଦେଇଥିଲେ। ଗାନ୍ଧୀଜୀ ଉଲ୍ଲେଖ କରିଥିଲେ, ଟଲଷ୍ଟୟଙ୍କ ସମସ୍ତ ଲେଖାରେ ନୀତିଶିକ୍ଷା ଥାଏ। ସଂସ୍କାର ନିମନ୍ତେ ଉପାଦାନ ରହିଥାଏ। ଟଲଷ୍ଟୟଙ୍କ କାହାଣୀ ଥିଲା, ଜଣେ ଆତତାୟୀ ଥରେ ଅନ୍ୟ ଜଣକୁ ହତ୍ୟା କରିବାର ଯେତେବେଳେ ସାହସ ପାଇ ନ ଥିଲା, ସେତେବେଳେ ସେ ଗଂଜେଇ ମିଶା ସିଗାରେଟ୍ ଖାଇ ହତ୍ୟାକାଣ୍ଡ ଘଟାଇଥିଲା। ଛୋଟ ସିଗାରେଟ୍‌ଟିଏ ଯେ ଜଣକୁ ହତ୍ୟା ପାଇଁ ଦୃଢ଼ମନା କରିପାରେ, ଟଲଷ୍ଟୟ ଏକଥା ତାଙ୍କ ଚର୍ଚ୍ଚିତ କାହାଣୀରେ ସୂଚେଇ ଦେଇଥିଲେ।
ଗାନ୍ଧୀଜୀ ତାଙ୍କ ପ୍ରବନ୍ଧ ସରଳ ଓ ସାବଲୀଳ ଶୈଳୀରେ ଗୁଜୁରାଟୀରେ ଲେଖିଥିଲେ। ଗାନ୍ଧୀଙ୍କ ମନ୍ତବ୍ୟ ଥିଲା, ଧୂମପାନ କଲେ ହଜମ ହୁଏନି। ଜିଭର ସ୍ୱାଦ ଚାଲି ଯାଇଥାଏ। ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ। ପାଟିରେ ଘା’ ହୋଇଥାଏ। ନିଃଶ୍ୱାସରୁ ଦୁର୍ଗନ୍ଧ ବାହାରେ। ପରିବେଶ ପ୍ରଦୂଷିତ ହୋଇଥାଏ। ଦୁର୍ଭାଗ୍ୟ ଯେ ଯେଉଁମାନେ ମଦ ପିଅନ୍ତି ନାହିଁ ବୋଲି ଗର୍ବ କରନ୍ତି, ସେମାନେ ଧୂମପାନ ବି କରନ୍ତି। ଭାରତରେ ଅନେକ ପଣ୍ଡିତ ବିଦ୍ୱାନମାନେ ମଧ୍ୟ ତମାଖୁ ଓ ସିଗାରେଟ୍ ଖାଆନ୍ତି। ଏହା ଏକ ମର୍ଯ୍ୟାଦାପୂର୍ଣ୍ଣ ଅତିଥି ସତ୍କାର କହି ସେମାନେ ଘରକୁ ଆସିଥିବା ଅତିଥିଙ୍କୁ ଦେଇଥାନ୍ତି। ସିଗାରେଟ୍‌କୁ ଅଧିକ ନିଶାଯୁକ୍ତ କରିବାକୁ ତମାଖୁ ଉପରେ ଯେ ଅଫିମ ପାଣି ଛିଞ୍ଚି ଦିଆଯାଇଥାଏ, ଏପରି ଏକ ଅଭିଯୋଗ ଇଉରୋପରେ ଉଠିଲାଣି ବୋଲି ଗାନ୍ଧୀ ତାଙ୍କ ପ୍ରବନ୍ଧରେ ବର୍ଣ୍ଣନା କରିଥିଲେ।
ପ୍ରବନ୍ଧର ଉପସଂହାର ଥିଲା ବେଶ୍‌ ମାର୍ମିକ- ‘ମଦ, ଅଫିମ, ଧୂମପାନ ଆମକୁ ବର୍ଷ ବର୍ଷ ଧରି କାବୁ କରି ରଖିଛି। ଏକ ଆସନ୍ନ ମହାବିପଦକୁ ଆମେ ଖୁବ୍ ନିକଟରୁ ଦେଖୁଥିଲେ ବି ତାକୁ କିନ୍ତୁ ସଂପୂର୍ଣ୍ଣ ସାମ୍ନା କରିବାର ଆମର କୌଣସି ଇଚ୍ଛାଶକ୍ତି ନାହିଁ। ମଦ ସଇତାନର ଆମେ ଆଉ କେତେ ଦିନ ଭୃତ୍ୟ ହୋଇ ରହିବା?’, ଏ ଥିଲା ଗାନ୍ଧୀଜୀଙ୍କ ପ୍ରଶ୍ନ।
ଶହେ ବର୍ଷ ତଳର ସେ ପ୍ରଶ୍ନ ଆଜି ବି ପ୍ରସଙ୍ଗିକ।
ମୋ: ୯୮୬୧୪୬୯୩୨୮