ଭାରତର ବିଭିନ୍ନ ପ୍ରଦେଶର ଆର୍ଥିକ ସ୍ଥିତିକୁ ନେଇ ଯେଉଁ ପରିସଂଖ୍ୟାନ କରାଯାଇଛି ସେଥିରେ ଓଡ଼ିଶାର ସ୍ଥାନ ତଳ ପଟୁ ତୃତୀୟ କିମ୍ବା ଚତୁର୍ଥ। ପୁନଶ୍ଚ ମୁଣ୍ଡ ପିଛା ରୋଜଗାରରେ ଓଡ଼ିଶାର ସ୍ଥାନ ମଧ୍ୟ ତଳ ପଟୁ ପ୍ରାୟ ଦ୍ବିିତୀୟ କିମ୍ବା ତୃତୀୟ। ଏହି ପରିସଂଖ୍ୟାନରୁ ସ୍ପଷ୍ଟ, ଓଡ଼ିଶାର ଆର୍ଥିକ ଓ ସାମଗ୍ରିକ ଅବସ୍ଥା ଅତି ଶୋଚନୀୟ। ତେଣୁ କି ପ୍ରକାର ପଦକ୍ଷେପ ନେଲେ ରାଜ୍ୟର ସାମଗ୍ରିକ ଉନ୍ନତି ହୋଇ ପାରିବ, ସେ ବିଷୟରେ କିଛି ଆଲୋଚନା କରାଯିବା ଦରକାର।
ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଓଡ଼ିଶାର ଅର୍ଥନୀତିରେ କୃଷି ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବା ଆବଶ୍ୟକ ବୋଲି ସ୍ବାଭାବିକ ଭାବେ ମନେ ହୋଇଥାଏ। ମାତ୍ର ଅତି ଦୁଃଖର ବିଷୟ ଯେ ଟଙ୍କିକିଆ ଚାଉଳ ବ୍ୟବସ୍ଥା ରାଜ୍ୟରେ ପ୍ରଚଳିତ ହେବା ପରେ କୃଷି ପ୍ରତି ଲୋକଙ୍କ ଆଗ୍ରହ କମିଯାଇଛି। ଏହି ବ୍ୟବସ୍ଥା ଦ୍ବାରା ପରିବାର ଲାଗି ଚାଉଳ ଅଭାବ ଦୂର ହେବା ପରେ ଗ୍ରାମାଞ୍ଚଳର ଅନେକ ଚାଷୀ ଚାଷ କାମ ଛାଡ଼ି ନଗଦ ଅର୍ଥ ଉପାର୍ଜନ ସକାଶେ ଦୂର ବା ନିକଟବର୍ତ୍ତୀ ସହରକୁ ଚାଲିଯାଉଛନ୍ତି। ଏଣୁ ଅନେକ ଜମି ପଡ଼ିଆ ପଡୁଛି। ଆମ ରାଜ୍ୟରେ କୃଷି ସମ୍ବନ୍ଧୀୟ ନୀତିଗୁଡ଼ିକ ଭାଗ ଚାଷୀ ଅନୁକୂଳ ହୋଇଥିଲେ ହୁଏତ ଜମି ପଡ଼ିଆ ପଡ଼ନ୍ତା ନାହିଁ। ତେଣୁ କେତେଗୁଡ଼ିଏ ନିୟମ ବଦଳାଇବାକୁ ହେବ। ଆମ ରାଜ୍ୟରେ ପ୍ରଚଳିତ ନିୟମ ଅନୁଯାୟୀ ଜଣେ ଭାଗ ଚାଷୀ ଯେତେ ବର୍ଷ କାଳ ଭାଗରେ ନେଇ ଜମି ଚାଷ କରୁ ନା କାହିଁକି ଜମିର ସ୍ବତ୍ବ ସର୍ବଦା ଜମି ମାଲିକଙ୍କ ନାମରେ ରହେ ଏବଂ ସେ ଯାହାକୁ ସେ ଜମି ବିକ୍ରି କରନ୍ତି, ତାଙ୍କ ନିକଟକୁ ମାଲିକାନା ଅଧିକାର ଚାଲିଯାଏ; ଅର୍ଥାତ୍ ଜମି ଉପରେ ଭାଗ ଚାଷୀର କୌଣସି ଅଧିକାର ନ ଥାଏ। ଚାଷ ଏକ ଜଂଜାଳପୂର୍ଣ୍ଣ ବୃତ୍ତି, କାରଣ ଏଥିରେ ପ୍ରାକୃତିକ ଦୁର୍ବିପାକ, ରୋଗ-ପୋକ ଆଦିର ବିପଦ ବହୁତ, ଯାହା ଝାଳବୁହା ପରିଶ୍ରମ ପଣ୍ଡ କରି ପୂରା ଫସଲ ଉଜାଡ଼ି ଦେଇପାରେ। ଏଭଳି ସ୍ଥଳେ ଭାଗ ଚାଷୀ ସବୁ କଷ୍ଟ ସହେ, କିନ୍ତୁ ଜମି ମାଲିକ କ୍ଷତିପୂରଣ ପାଆନ୍ତି। ତେଣୁ ଆମ କୃଷି ଆଇନ ଭାଗ ଚାଷୀ ଅନୁକୂଳ ହେବା ଉଚିତ, ଯାହା ଫଳରେ ଭାଗରେ ନେଇ ଚାଷ କରିବାକୁ ଆଗ୍ରହ ବୃଦ୍ଧି ପାଇବ। ସେମିତି ଜମି ପଡ଼ିଆ ରହୁଥିଲେ ସେ ଜମିର ଖଜଣାକୁ ବଢ଼ାଇ ଦିଆଯିବା ଉଚିତ, ଯାହା ଜମିକୁ ପଡ଼ିଆ ନ ପକାଇ କୌଣସି ଉପାୟରେ ତା’ର ଉପଯୋଗ କରିବାକୁ ଜମି ମାଲିକ ଚାହିଁବେ। ଦେଖିବାକୁ ମିଳୁଛି ଯେ ୨୦ ବା ୨୫ ବର୍ଷ ପୂର୍ବରୁ ଓଡ଼ିଶାରେ ଜଳସେଚିତ ଜମିର ପରିମାଣ ଯାହା ଥିଲା, ବର୍ତ୍ତମାନ ପ୍ରାୟ ସେତିକି। କୌଣସି ଆଖିଦୃଶିଅା ଜଳସେଚନ ପ୍ରକଳ୍ପ ଗଲା ଦୁଇ ଦଶନ୍ଧି ମଧ୍ୟରେ କାର୍ଯ୍ୟକାରୀ ହୋଇ ନାହିଁ, ବରଂ, ଅନେକତ୍ର ପୁରୁଣା ଜଳସେଚନ ବ୍ୟବସ୍ଥା ଅକାମି ହୋଇ ପଡ଼ିରହିଛି। ତେଣୁ ଜଳସେଚନ ବ୍ୟବସ୍ଥାକୁ ଦୋରସ୍ତ କରି ଅଧିକରୁ ଅଧିକ ଚାଷଜମିକୁ ଜଳାଭାବ ସମସ୍ୟାରୁ ମୁକ୍ତ କରିବାକୁ ହେବ। ଶୁଣିବାକୁ ମିଳେ ଯେ ବିଗତ ୧୫ ବର୍ଷ ଭିତରେ ଛତିଶଗଡ଼ ସରକାର ମହାନଦୀ ଓ ତା’ର ଶାଖା, ଉପନଦୀ ଓ ଅନ୍ୟାନ୍ୟ ନଦୀ ଉପରେ ପ୍ରାୟ ୩୦୦ରୁ ଅଧିକ ଛୋଟବଡ଼ ଡ୍ୟାମ୍ ଓ ବ୍ୟାରେଜ୍ ଆଦି ନିର୍ମାଣ କରି ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳକୁ ଜଳସେଚିତ କରି ପାରିଛନ୍ତି। କିନ୍ତୁ ଗଲା ଦୁଇ ଦଶନ୍ଧି ମଧ୍ୟରେ ଆମ ରାଜ୍ୟରେ ଗୋଟିଏ ହେଲେ ବଡ଼ ବ୍ୟାରେଜ୍ ନିର୍ମାଣ କରାଯାଇପାରି ନାହିଁ। ତେଣୁ ଛତିଶଗଡ଼କୁ ଅନୁସରଣ କରି ଆମ ରାଜ୍ୟରେ ଅନେକ ବନ୍ଧ ଓ ବ୍ୟାରେଜ୍ ନିର୍ମାଣ କରାଯିବା ଆବଶ୍ୟକ, ଯାହା ଏକ କୃଷିପ୍ରଧାନ ରାଜ୍ୟେର ଅଗ୍ରାଧିକାର ପାଇବା ଆବଶ୍ୟକ। କେବଳ ସେତିକି ନୁହେଁ, ବିଭିନ୍ନ ସମ୍ବାଦପତ୍ରରେ ନିରନ୍ତର ପ୍ରକାଶ ପାଉଛି ଯେ ଓଡ଼ିଶାର ବହୁ ନଦୀ ବର୍ଷର ଅଧିକାଂଶ ସମୟ ପୂରା ଶୁଖିଲା ରହୁଛି। ଓଡ଼ିଶାର ସମସ୍ତ ମୁଖ୍ୟ ନଦୀ ଏହି ଦଶାର ଶିକାର ହେଉଛନ୍ତି। ଦିନ ଥିଲା ଓଡ଼ିଶାକୁ ଏକ ନଦୀ ମାତୃକା ରାଜ୍ୟ ବୋଲି କୁହାଯାଉଥିଲା। ଏହି କଥାକୁ ହେଜି ଏଭଳି ଉପାୟ କରାଯିବା ଉଚିତ, ଯେମିତି ଆମ ରାଜ୍ୟରେ ନଦୀଗୁଡ଼ିକ ଚିରସ୍ରୋତା ହେବେ। ଏଥି ପାଇଁ ଅନେକ ଆନିକଟ ନିର୍ମାଣ କରାଯିବା ଆବଶ୍ୟକ।
ବର୍ତ୍ତମାନ ଓଡ଼ିଶାରେ ଶିଳ୍ପ ବିଷୟରେ ଆଲୋଚନା କରିବା। ସ୍ବାଧୀନତା ପରେ ଅନେକ କାଳ ଯାଏ ଓଡ଼ିଶାରେ କେବଳ ଦୁଇ ବା ତିନି ପ୍ରକାରର ଶିଳ୍ପ ଥିଲା; ସିମେଣ୍ଟ, କାଗଜ ଓ ଲୁଗା କଳ। ଏହା ପରେ ପରେ କିଛି ଚିନି କାରଖାନା, ଝୋଟ କଳ, ସୂତା କଳ ବି ଗଢ଼ି ଉଠିଲା। କିଛି ବୃହତ୍ ଇସ୍ପାତ୍ ଓ ଆଲୁମିନିଅମ୍ କାରଖାନାମାନ ସ୍ଥାପିତ ହେଲା। କିନ୍ତୁ ପରିତାପର ବିଷୟ, ଉପର ବର୍ଣ୍ଣିତ ଶିଳ୍ପମାନ ଓଡ଼ିଶା ବାହାରର ଉଦ୍ୟୋଗୀମାନଙ୍କ ଦ୍ବାରା ସ୍ଥାପିତ ଓ ପରିଚାଳିତ। ଏବଂ ଆହୁରି କ୍ଷୋଭର ବିଷୟ ହେଲା ଇତିମଧ୍ୟରେ କାଗଜ କଳ, ସୂତା କଳ, ଲୁଗା କଳ ଓ ଚିନି କାରଖାନା ଆଦି ସଂପୂର୍ଣ୍ଣ ବନ୍ଦ ହୋଇ ସତ୍ତା ହରାଇଛନ୍ତି। ସାଢ଼େ ଚାରି କୋଟି ଓଡ଼ିଆଙ୍କ ଭିତରୁ କେବଳ ଗୋଟିଏ ଓଡ଼ିଆ ପରିବାର ବଡ଼ ଉଦ୍ୟୋଗଟିଏ ଚଳାଉଛନ୍ତି, ଯାହା ହେଉଛି ‘ଇମ୍ଫା’। ତେଣୁ ଓଡ଼ିଶାରେ କେମିତି ଅଧିକ ଉେଦ୍ୟାଗୀ ସୃଷ୍ଟି ହେବେ, ସେ ବାତାବରଣ ସୃଷ୍ଟି କରିବାର ଦାୟିତ୍ବ ହେଉଛି ରାଜ୍ୟ ସରକାରଙ୍କର। ତାହା ହେଲେ ରାଜ୍ୟର ଶ୍ରମ ଶକ୍ତି ରାଜ୍ୟରେ ନିୟୋଜିତ ହେବେ ଏବଂ ଓଡ଼ିଶା ଏକ ଶ୍ରମ ଚାଲାଣକାରୀ ରାଜ୍ୟ ଭାବେ ପରିଚିତ ହେବାରୁ ମୁକ୍ତି ପାଇବ।
ଓଡ଼ିଶାର ଭୂଗର୍ଭରେ ବହୁ ଖଣିଜ ସମ୍ପଦ ବିଦ୍ୟମାନ। ଖଣିଜ ସମ୍ପଦ ଦୃଷ୍ଟିରୁ ଆମ ରାଜ୍ୟ ଦେଶରେ ଏକ ନମ୍ବର ବୋଲି କହିଲେ ଚଳେ। ଏଣୁ ଖଣିଜ ସମ୍ପଦର ଉତ୍ତୋଳନ ଆମ ରାଜ୍ୟ ଲାଗି ଏକ ମୁଖ୍ୟ ଆୟର ସ୍ରୋତ। ଦୁଃଖର ବିଷୟ ହେଲା ଉଦ୍ୟୋଗ ଭଳି ଏହି କ୍ଷେତ୍ରରେ ମଧ୍ୟ କେବଳ ଗୋଟିଏ ଓଡ଼ିଆ ପରିବାରକୁ ଛାଡ଼ିଦେଲେ ଖଣିମାନ ଓଡ଼ିଶା ବାହାରର ବ୍ୟକ୍ତିମାନଙ୍କ ଦ୍ବାରା ଅଧିକୃତ ଓ ପରିଚାଳିତ। ଆହୁରି ଦୁଃଖର ବିଷୟ ହେଲା ଏଥିରେ କାର୍ଯ୍ୟରତ ମାନବ ସମ୍ବଳଠାରୁ ଆରମ୍ଭ କରି ଖଣିଜ ପରିବହନରେ ନିୟୋଜିତ ଟ୍ରକ୍ ଇତ୍ୟାଦି ସବୁ କିଛି ଅଣଓଡ଼ିଅାମାନଙ୍କ ଦ୍ବାରା ଅଧିକୃତ ଓ ପରିଚାଳିତ।
ଏହାର ଏକମାତ୍ର ସମାଧାନ ହେଲା ଓଡ଼ିଶାର ଖଣିଜ ସଂପଦର ମାଲିକାନା ଓ ପରିଚାଳନାକୁ ଓଡ଼ିଆମାନଙ୍କୁ ହସ୍ତାନ୍ତର କରାଯାଉ। ଓଡ଼ିଶାର ସମସ୍ତ ଖଣି ଖାଦନ ଓଡ଼ିଆମାନଙ୍କ ଦ୍ବାରା ଅଧିକୃତ ହେବା ଉଚିତ, ପରିଚାଳିତ ହେବା ଉଚିତ।
ସେମିତି ଆଉ ଏକ କ୍ଷେତ୍ର ହେଲା ନିର୍ମାଣ କ୍ଷେତ୍ର। ଏଥିରେ ମଧ୍ୟ ଅଣଓଡ଼ିଆଙ୍କ ରାଜୁତି। ଆଜି ରାଜ୍ୟରେ ଯେତିକି ନିର୍ମାଣ କାର୍ଯ୍ୟ ସଂପାଦିତ ହେଉଛି, ତା’ର ୮୦ରୁ ୮୫ ଭାଗ ଓଡ଼ିଶା ବାହାରର ନିର୍ମାଣକାରୀ ସଂସ୍ଥାମାନେ ହାତକୁ ନେଇଛନ୍ତି। ଅନ୍ୟ ରାଜ୍ୟର ଠିକାଦାରଙ୍କ ମାଧ୍ୟମରେ ପ୍ରତି ବର୍ଷ ଓଡ଼ିଶାର ହଜାର ହଜାର କୋଟି ଟଙ୍କା ଅନ୍ୟ ରାଜ୍ୟକୁ ଚାଲିଯାଉଛି। ଏଥିରେ ମଧ୍ୟ ଆମ ରାଜ୍ୟର ଶ୍ରମଶକ୍ତିକୁ ଅଣଦେଖା କରାଯାଉଛି। ଯଦି ନିର୍ମାଣ କ୍ଷେତ୍ରରେ ଓଡ଼ିଆ ସଂସ୍ଥା ଓ ଠିକାଦାରଙ୍କୁ ସୁଯୋଗ ମିଳନ୍ତା, ତାହା ହେଲେ ଓଡ଼ିଶାର ଏକ ବୃହତ୍ ଶ୍ରମଶକ୍ତି ଆମ ରାଜ୍ୟରେ ହିଁ କର୍ମନିଯୁକ୍ତି ପାଇପାରନ୍ତେ, ଯାହା ରାଜ୍ୟକୁ ଏକ ଦୃଢ଼ତା ପ୍ରଦାନ କରନ୍ତା।
ଆଉ କେତେକ ବିଷୟ ପରୋକ୍ଷ ଭାବେ ଆମ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରୁଛି, ଯାହାକୁ ଦୂର କରିବା ଲାଗି ସମନ୍ବିତ ଉଦ୍ୟମ କରାଯିବା ଉଚିତ। ଉତ୍ତାପ ବୃଦ୍ଧି, ମଦ କାରବାରରେ ମାତ୍ରାଧିକ ବୃଦ୍ଧି ଏବଂ ଶିକ୍ଷା ନୀତିରେ ତ୍ରୁଟିପୂର୍ଣ୍ଣ ଆଭିମୁଖ୍ୟ ହେତୁ ଆମ ରାଜ୍ୟର ପ୍ରଗତି ଆକ୍ରାନ୍ତ ହେଉଛି। ତାପମାତ୍ରାରେ ଅତ୍ୟଧିକ ବୃଦ୍ଧି ହେତୁ ଲୋକେ ବାହାରେ କାମ କରିବାକୁ ସମର୍ଥ ହେଉ ନାହାନ୍ତି, ଯେଉଁ କାରଣରୁ ଅନେକ ଶ୍ରମ ଘଣ୍ଟା ବିନା କୌଣସି କାର୍ଯ୍ୟରେ ନଷ୍ଟ ହୋଇଯାଉଛି। ସକାଳୁଆ ଦପ୍ତର କଲେ ବିଶେଷ ଲାଭ ମିଳୁନାହିଁ, କାରଣ ସକାଳୁଆ ଅଫିସର ଅର୍ଥ ଅଧା ଛୁଟି ବୋଲି ବୁଝିବାକୁ ହେବ। ଜଳବାୟୁ ପରିବର୍ତ୍ତନ ଓ ଉତ୍ତପ୍ତୀକରଣକୁ ଦୃଷ୍ଟିରେ ରଖି ଉତ୍ପାଦନଶୀଳତା ବଜାୟ ରଖିବା ଲାଗି ନୂଆ ଉପାୟରେ ମାନବ ସମ୍ବଳର ପରିଚାଳନା କରାଯିବା ଉଚିତ। ଅନେକ କହନ୍ତି ଯେ ସକାଳେ ଚାରି ଘଣ୍ଟା ଓ ଅପରାହ୍ଣରେ ଚାରି ଘଣ୍ଟାର କାର୍ଯ୍ୟ ଦିବସ ପରିକଳ୍ପନା ଏଭଳି ଏକ ସମାଧାନ, ଯହିଁରେ ଅଧିକ ଉତ୍ତପ୍ତ ସମୟଟି ବିରତି ବା ବିଶ୍ରାମରେ କଟନ୍ତା। ସେମିତି ପାନୀୟ ଜଳ ସମସ୍ୟାର ସମାଧାନ ଅଗ୍ରଧିକାର ପାଇବା ଉଚିତ। କାରଣ ଗ୍ରୀଷ୍ମ ଦିନେ ପାନୀୟ ଜଳ ସଂଗ୍ରହ ଉଦ୍ୟମରେ ଯେତିକି ଶ୍ରମ ଶକ୍ତି ଓ ଶ୍ରମ ଘଣ୍ଟା ନଷ୍ଟ ହୁଏ, ତା’ର କଳନା ନାହିଁ। ମଦ୍ୟପାନ କାରଣରୁ ଅନେକ ଯୁବକ ବୃତ୍ତି ଓ କାର୍ଯ୍ୟରୁ ଦୂରେଇ ରହି ରାଜ୍ୟର ପ୍ରଗତିରେ ବାଧକ ହୋଇ ଚାଲିଛନ୍ତି। କେବଳ ସେତିକି ନୁହେଁ, ମାତ୍ରାଧିକ ମଦ୍ୟପାନ କରି ବ୍ୟାଧିଗ୍ରସ୍ତ ହେଉଥିବା ଯୁବକମାନେ ରାଜ୍ୟ ଉପରେ ଚିକିତ୍ସାଜନିତ ବୋଝ ଲଦିବା ସହିତ ବିକାଶ ପ୍ରକ୍ରିୟାର ଅଂଶ ହୋଇ ପାରୁ ନ ଥିବାରୁ ଆର୍ଥିକ ପ୍ରଗତି ଅଧିକ ଶିଥିଳ ହେଉଛି। ଆମ ଶିକ୍ଷା ମାତ୍ରାଧିକ ପୋଥିସର୍ବସ୍ବ ହୋଇଛି। ଧନ୍ଦାମୂଳକ ଶିକ୍ଷା ପ୍ରତି ଅଧିକ ଦୃଷ୍ଟି ଦିଆଗଲେ ତାହା ସ୍ବାବଲମ୍ବୀ ଓଡ଼ିଆଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟାନ୍ତା। ତେଣୁ ଏହା ଉପରେ ମଧ୍ୟ ଦୃଷ୍ଟି ଦିଆଯିବା ଆବଶ୍ୟକ।
ମୋ: ୯୪୩୭୦୧୩୪୬୬
ଓଡ଼ିଶା, ଓଡ଼ିଆଙ୍କ ବିକାଶ ଚିନ୍ତା
ପ୍ରଭାତ ଦାଶ