ଲେଖକ ଉପରେ ରାଷ୍ଟ୍ର ସର୍ବଦା ରୁଷ୍ଟ; କାରଣ ସେ ଆନୁଗତ୍ୟ ସ୍ୱୀକାର କରେ ନାହିଁ, ଅନୁଗୃହୀତ ହେବାକୁ ସେ ଅପଦସ୍ଥ ହେଲା ଭଳି ମନେ କରେ। ସେ ସତ୍ୟାନୁସନ୍ଧିତ୍ସୁ ହୁଏ ଏବଂ ସେଥି ଲାଗି ତାକୁ ଅନେକ ମୂଲ୍ୟ ମଧ୍ୟ ଦେବାକୁ ପଡ଼େ। କେବଳ ରାଷ୍ଟ୍ର ନୁହେଁ, ସମାଜ ମଧ୍ୟ ଅନେକ ସେମୟରେ କବି ଓ େଲଖକମାନଙ୍କୁ ଲାଂଛିତ କରିଥାଏ; କାରଣ ସେମାନେ ଦୁନିଆକୁ ନୂତନ ଚକ୍ଷୁରେ ଦେଖନ୍ତି, ଯାହା ହୁଏତ ପରଂପରାବାଦୀ ସମାଜ ଗ୍ରହଣ କରିପାରେ ନାହିଁ। ପୃଥିବୀରେ ଏମିତି ଅସଂଖ୍ୟ ଦୃଷ୍ଟାନ୍ତ ରହିଛି; ଓସ୍କାର ୱାଇଲ୍ଡ, ବୋରିସ୍ ପାଷ୍ଟର୍ନାକ୍, ଆଲେକ୍ଜାଣ୍ଡାର୍ ସୋଲଜେନିସ୍ତିନ୍, ଜୋେସଫ୍ ବ୍ରଡ୍ସ୍କି, ଫ୍ରେଡରିକୋ ଗାର୍ସିଆ ଲୋର୍କା, ନଜିମ ହିକମତ, ଫୈଜ ଅହମଦ ଫୈଜ, ସଲମାନ ରସଦି ଓ ଏମିତି ଆହୁରି ଅସୁମାରି।
୧୯୫୮ ମସିହାରେ ‘ଡକ୍ଟର ଜିଭାଗୋ’ ଉପନ୍ୟାସ ପାଇଁ ନୋବେଲ ବିଜୟୀ ବୋରିସ୍ ପାଷ୍ଟର୍ନାକ୍ ତତ୍କାଳୀନ ଷ୍ଟାଲିନ୍ ସରକାରର ଚକ୍ଷୁଶୂଳ ହୋଇଥିଲେ। ପରିସ୍ଥିତି ଏଭଳି ହେଲା ଯେ ସେ ନୋବେଲ ପୁରସ୍କାର ପ୍ରତ୍ୟାଖ୍ୟାନ କରିବାକୁ ବାଧ୍ୟ ହେଲେ। ସେମିତି ସାହିତ୍ୟ ଲାଗି ନୋବେଲ ପୁରସ୍କାର ବିଜେତା ଆଲେକଜାଣ୍ଡର ସୋଲଜେନିସ୍ତିନ୍ଙ୍କୁ ଏକଛତ୍ରବାଦୀ ଶାସକ ଜୋସେଫ୍ ଷ୍ଟାଲିନ୍ ଆଠ ବର୍ଷ କାଳ ସାଇବେରିଆର ଯାତନା ଶିବିରକୁ ପଠାଇ ଦେଇଥିଲା। ସେହି ନର୍କର କାହାଣୀକୁ ସୋଲଜେନିସ୍ତିନ୍ ଅମର କରିଦେଲେ ତାଙ୍କ କାଳଜୟୀ ଉପନ୍ୟାସ ‘ଦ ଗୁଲାଗ ଆର୍କିପାଲେଗୋ’ରେ। ସ୍ପେନ୍ର ସର୍ବଶ୍ରେଷ୍ଠ ନାଟ୍ୟକାର ଓ କବିମାନଙ୍କ ଭିତରେ ଅନ୍ୟତମ ଫ୍ରେଡରିକୋ ଗାର୍ସିଆ ଲୋର୍କାଙ୍କୁ ଦିନେ ସଂଧ୍ୟାରେ କିଛି ଅଜଣା ଆଗନ୍ତୁକ ତାଙ୍କ ଘରୁ ବାହାରକୁ ଡାକିନେଲେ। ତା’ ପର ଦିନ ବଡ଼ି ଭୋରରେ କପାଳରେ ଗୁଳି ବିଦ୍ଧ ତାଙ୍କ ମୃତ ଶରୀର ମିଳିଲା ଏକ ନଳାରେ। ‘ସ୍ପେନିସ ସିଭିଲ ୱାର’ ବା ‘ସ୍ପେନୀୟ ଗୃହଯୁଦ୍ଧ’ କାଳରେ ସତ୍ୟବାହୀ ରଚନାମାନ ଲାଗି ତାଙ୍କୁ ଜାତୀୟତାବାଦୀ ଜେନେରାଲ୍ ଫ୍ରାଙ୍କୋଙ୍କ ସମର୍ଥକମାନେ ହତ୍ୟା କଲେ। ମୃତ୍ୟୁ ବେଳକୁ ତାଙ୍କ ବୟସ ହୋଇଥିଲା ମାତ୍ର ଅଠତିରିଶ ବର୍ଷ। କୁହାଯାଏ, ସେ ଯଦି ବଞ୍ଚି ରହିଥାଆନ୍ତେ, ତେବେ କାଳେ ସେ ହୋଇଥାଆନ୍ତେ ସ୍ପେନୀୟ ଭାଷାର ସର୍ବଶ୍ରେଷ୍ଠ କବି ଓ ନାଟ୍ୟକାର। ରୁଷିଆର କମ୍ୟୁନିଷ୍ଟ ଶାସକଙ୍କ ଦ୍ବାରା ଦଣ୍ଡିତ ହେବା ପୂର୍ବରୁ ଜୋସେଫ୍ ବ୍ରଡ୍ସ୍କି ଯୁକ୍ତରାଷ୍ଟ୍ର ଆମେରିକା ପଳାୟନ କରିଥିଲେ। ସେ ହିଁ କହିଥିଲେ ଗୋଟିଏ ଯେ ‘ଗୋଟିଏ ସତ୍ୟବାହୀ ଶବ୍ଦର ଓଜନ ପୃଥିବୀ ଠାରୁ ମଧ୍ୟ ଅଧିକ।’ ଏହି ସତ୍ୟବାହୀ ଶବ୍ଦମାନଙ୍କୁ ନେଇ ସାହିତ୍ୟ ସୃଷ୍ଟି କରି ତୁର୍କୀର ନଜିମ ହିକମତ ଅନେକ ବାର କାରାବରଣ କରିଛନ୍ତି ଏବଂ ବାଂଲାଦେଶର ତସଲିମା ନସ୍ରିନ୍ ଆଜି ନିଜ ଦେଶରୁ ବିତାଡ଼ିତ ଓ ଭାରତରେ ନିର୍ବାସିତ ଜୀବନ କାଟୁଛନ୍ତି। ଏଭଳି ଦୃଷ୍ଟାନ୍ତ ଅସଂଖ୍ୟ ଓ ଏବେ ମଧ୍ୟ ପୃଥିବୀର ସର୍ବତ୍ର ଘଟି ଚାଲିଛି।
କେବଳ ଲେଖାରେ ନୁହେଁ, ଅନେକ ଲେଖକ ଓ କବି ସେମାନଙ୍କ ଜୀବନଚର୍ଯ୍ୟାରେ ଏଭଳି ବନ୍ଧନହୀନ ସ୍ବାଧୀନତାକୁ ଚାହିଥାଆନ୍ତି ଯେ ସମାଜ ସେମାନଙ୍କୁ ତ୍ୟାଜ୍ୟ କରେ ଓ ବାସନ୍ଦ କରେ। ଓସ୍କାର ୱାଇଲ୍ଡ ଯୌନ ବ୍ୟଭିଚାର ଅଭିଯୋଗରେ ଦୁଇ ବର୍ଷ କାଳ ଜେଲେର ବିତାଇବା ପରେ ଅତ୍ୟନ୍ତ ଶୀର୍ଣ୍ଣ ଶରୀର ନେଇ ବାହାରକୁ ବାହାରିଥିଲେ। କିନ୍ତୁ ସେତେବେଳକୁ ତତ୍କାଳୀନ ବ୍ରିଟିସ ସମାଜ ତାଙ୍କୁ ତ୍ୟାଜ୍ୟ କରି ସାରିଥିଲା। ଏହା ପରେ ସେ ପ୍ୟାରିସ୍ ଚାଲି ଯାଇଥିଲେ, ଯେଉଁଠି କ୍ଷୁଧା ଓ ରୋଗଗ୍ରସ୍ତ ତଥା କପର୍ଦ୍ଦକଶୂନ୍ୟ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ବୟସ ହୋଇଥିଲା ମାତ୍ର ୪୮ ବର୍ଷ। ଓସ୍କାର ୱାଇଲ୍ଡ ହେଉଛନ୍ତି ଅମର ନାଟକ ‘ଦ ପିକ୍ଚର ଅଫ୍ ଡୋରିଆନ୍ ଗ୍ରେ’ର ସ୍ରଷ୍ଟା। କୁହାଯାଏ ଯେ ବିଶିଷ୍ଟ ଫରାସୀ କବି ଚାର୍ଲସ ବୋଦାଲେଅର୍ ସିଫିଲିସରେ ପ୍ରାଣ ତ୍ୟାଗ କଲା ପରେ କୁଆଡ଼େ ସେ ରହିଥିବା ହାସପାତାଲ ଓ ଘରକୁ ଭଲ ଭାବେ ଧୁଆ ଯାଇଥିଲା। ବେମୁରବି ଅଥଚ ଅତ୍ୟନ୍ତ ପ୍ରତିଭାଶାଳୀ ଓ ସାଲିସବିହୀନ ଲେଖକ, କବି, ଚିତ୍ରକର, ଗାୟକ, ଅଭିନେତା ଓ ସିନେମା ନିର୍ଦ୍ଦେଶକଙ୍କ ଉଦାହରଣରେ ଏ ପୃଥିବୀ ଭରପୂର।
ଭାରତୀୟ ବଂଶୋଦ୍ଭବ ପ୍ରସିଦ୍ଧ ବ୍ରିଟିସ ଲେଖକ ସଲମାନ ରସଦିଙ୍କ ପୁସ୍ତକ ‘ସାଟାନିକ ଭର୍ସେସ୍’ ପ୍ରକାଶିତ ହେବା ପରେ ତାଙ୍କ ଉପରେ ଫତୱା ଜାରି ହେଲା। ଏହାର କାରଣ ଥିଲା ସେହି ପୁସ୍ତକରେ ପୈଗମ୍ବର ମହମ୍ମଦଙ୍କ ସଂପର୍କରେ ରହିଥିବା ଅପମାନଜନକ ଅବତାରଣା। ପ୍ରାଣ ଭୟରେ ରସଦି ଅନେକ ବର୍ଷ ଧରି ଆତ୍ମଗୋପନ କଲେ; ଏପରିକି କ୍ଷମା ଯାଚନା ମଧ୍ୟ କଲେ। ଏହି କାରଣରୁ ତାଙ୍କୁ ଭୀରୁ ବୋଲି ଆଖ୍ୟା ମଧ୍ୟ ଦିଆଗଲା। ସମାଲୋଚକମାନେ କହିଲେ ଜଣେ ଲେଖକ ତା’ର ଅଭିବ୍ୟକ୍ତିି ନେଇ ଅନମନୀୟ ହେବା ଉଚିତ।
ସେହି ସମୟରେ ଗୋଟିଏ ସାକ୍ଷାତକାରରେ ରସଦି କ୍ଷମା ପ୍ରାର୍ଥାନକୁ ଯଥାର୍ଥ ବୋଲି ଦର୍ଶଇ କହିଥିଲେ ଯେ ସେ ହେଉଛନ୍ତି ଜଣେ ଲେଖକ, ସୈନିକ ନୁହେଁ। କିନ୍ତୁ ସେ ଯେ କ୍ଷମା ଲାଭ କରିପାରିଲେ ନାହିଁ ଓ ତାଙ୍କ ଉପରେ ହୋଇଥିବା ଏକ ମରଣାନ୍ତକ ଆକ୍ରମଣରୁ ସେ କୌଣସିମତେ ବଞ୍ଚିଗଲେ, ତାହା ଆଉ ଏକ ପ୍ରସଙ୍ଗ।
ତେବେ, ଲେଖକ ସୈନିକ ହୋଇ ନ ପାରେ, କିନ୍ତୁ ତା’ର କଲମ ମୂନ ବାୟୋନେଟ୍ ଠାରୁ ମଧ୍ୟ ଅଧିକ ଶାଣିତ ହୋଇପାରେ! ସେଥି ଲାଗି ତ ରାଷ୍ଟ୍ର ତାକୁ ସହିପାରେ ନାହିଁ। ରାଷ୍ଟ୍ର ଲାଗି ତାହା ହୋଇଯାଏ କଳାକାରର କଳଙ୍କ। ପୁଣି କେବଳ ତା’ର ସର୍ଜନା ନୁହେଁ, ଅନେକ ବାର ଲେଖକ ବା କବିର ଜୀବନ ମଧ୍ୟ ଅମଣିଆ ଅଶ୍ବ ତୁଲ୍ୟ ଲଗାମହୀନ ହୁଏ; ଯେଉଁଥି ଲାଗି ସମାଜ ଆଖିରେ ମଧ୍ୟ ସେ ଘୃଣ୍ୟ ହୋଇଯାଏ। ସତେ ଯେମିତି ମହାନ ଗୀତିକବି ବିନୋଦିନୀ ଦେବୀଙ୍କ କବିତାର ସେହି ଧାଡ଼ିଏ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଗାଇଥାଏ ଯେ ‘ଏଇ କଳା ମୋର କଳଙ୍କ!’ କିନ୍ତୁ କଳାକାରକୁ ତା’ର ତଥାକଥିତ କଳଙ୍କ ଲାଗି ଦଣ୍ଡିତ, ତ୍ୟାଜ୍ୟ ଓ ଭର୍ତ୍ସିତ କରିଥିଲେ ହେଁ ଜାତି କାହିଁକି ତାକୁ ସର୍ବଦା ସ୍ମରଣରେ ରଖେ? ଏହାର ଉତ୍ତରଟିଏ ମଧ୍ୟ ଶୁଣାଯାଏ ବିନୋଦିନୀ ଦେବୀଙ୍କ ଆଉ ଏକ କବିତାର ଧାଡ଼ିଏରୁ ସେହି ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଯେ ‘କଳାରେ କଳଙ୍କ ହେଉ ବିଲୟ।’
ପ୍ରକୃତରେ ତାହା ହିଁ ଘଟିଥାଏ। ଓସ୍କାର ୱାଇଲ୍ଡଙ୍କ ଠାରୁ ଆରମ୍ଭ କରି ସଲମାନ ରସଦିଙ୍କ ପର୍ଯ୍ୟନ୍ତ ସମସ୍ତେ ସେମାନଙ୍କ ତଥାକଥିତ କଳଙ୍କ ସତ୍ତ୍ବେ କଳା ଲାଗି ହିଁ ବଞ୍ଚି ରହନ୍ତି।
ମୋ: ୯୯୫୫୫୪୨୧୫୫
କଳାରେ କଳଙ୍କ ହୁଏ ବିଲୟ
ଗିରିଜା ଶଙ୍କର ମିଶ୍ର
/sambad/media/post_attachments/wp-content/uploads/2024/05/fhsfhfhhffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)