ଅନେକ ସମୟରେ ପ୍ରଶ୍ନଟିଏ ମନକୁ ଆସିଥାଏ, ଜୀବନ ଯଦି ଏକ ଶୂନ୍ୟତା ତା’ର ଅନୁଭବ କିପରି? ଶୂନ୍ୟତା ଯଦି ଅନ୍ତହୀନ, ମନୁଷ୍ୟର ସବୁକିଛି ତ ସେଇ ଶୂନ୍ୟତା ମଧ୍ୟରେ ସମାହିତ ଏକ ଏକ ଶୂନ୍ୟତା। ଶୂନ୍ୟ ଜୀବନର ଶୂନ୍ୟସ୍ଥାନ ଯଦି ବଞ୍ଚିବାର ମୂଳ ଆଧାର, ସେଠାରେ ରାଗ, ଅହମିକା, ଈର୍ଷା, ଅସୂୟା ଓ ପରନିନ୍ଦା ଆଦିର ସ୍ଥାନ କ’ଣ? ଏକଥା ସେମାନେ କେହି ବୁଝିପାରି ନଥିଲେ। ଶେଷ ରହଣିସ୍ଥଳରେ ରାତ୍ରିଭୋଜନ ପରେ ବସ୍ଟି ଯାତ୍ରା ଆରମ୍ଭ କରିଥିଲା। ବାହାରେ ଝିପିଝିପି ବର୍ଷା। ଆଗକୁ ପାହାଡ଼ ଓ ଜଙ୍ଗଲଘେରା ଘାଟି ରାସ୍ତା। ବସ୍ ଭିତରେ ସରଗରମ ଆଲୋଚନା ଏବଂ ତର୍କ ବିତର୍କ ଚାଲିଛି। ଆଗ ସିଟ୍ରେ ବସିଛନ୍ତି ଜଣେ ସମ୍ଭ୍ରାନ୍ତ ବ୍ୟକ୍ତି। ନିଜର ପୋଷାକ ପ୍ରତି ଅତ୍ୟନ୍ତ ସଚେତନ। ପାଖରେ ବସିଥିବା ଗ୍ରାମୀଣ ଲୋକଟିଠାରୁ ନିଜକୁ ଯଥାସମ୍ଭବ ଦୂରେଇ ରଖୁଥାନ୍ତି। ମୁହଁରେ ଲଗାଇଛନ୍ତି ମାସ୍କ୍। ଏପଟେ ଦୁଇଜଣ ମହିଳା ନିଜ ନିଜର ଶାଢ଼ି, ଗହଣା ଓ ପରିବାରକୁ ନେଇ ଆତ୍ମବଡ଼ିମା ବଖାଣିବାରେ ବ୍ୟସ୍ତ। କିଏ ବି ନିଜକୁ ନ୍ୟୂନ ଦେଖାଇବାକୁ ପ୍ରସ୍ତୁତ ନାହାନ୍ତି। ଦୁଇଜଣ ରାଜନୀତିକୁ ନେଇ ତର୍କରେ ମଗ୍ନ। ନିଜ ନିଜର ସମର୍ଥିତ ଦଳ ସଂପର୍କରେ ଏପରି ଉଚ୍ଚ ସ୍ବରରେ ଯୁକ୍ତି ବାଢୁଥାନ୍ତି ଯେ, ଅନ୍ୟମାନଙ୍କ ପାଇଁ ଶ୍ରୁତିକଟୁ ହେଉଥାଏ। ଡାହାଣପଟ ସିଟ୍ର ତିନିଜଣ ଧର୍ମଶାସ୍ତ୍ରୀ। ଧର୍ମକୁ ନେଇ ସେମାନଙ୍କର ତର୍କ ଚାଲିଥାଏ। ରୀତିମତ ବାକ୍ଯୁଦ୍ଧ। ପାଖରେ ବସି ଶୁଣୁଥିବା ପ୍ରଫେସର କହିଲେ, ‘ଆଜ୍ଞା, ଭଗବାନଙ୍କର ଚଉକି ଗୋଟିଏ। ସେଥିରେ ସେ କେତେବେଳେ ବିଷ୍ଣୁଙ୍କ ପୋଷାକ, କେତେବେଳେ ଆଲ୍ଲାଙ୍କର ଓ ଆଉ କେତେବେଳେ ଯୀଶୁଙ୍କ ପୋଷାକ ପିନ୍ଧି ବସିଥାନ୍ତି। ତୁମେମାନେ ତାଙ୍କୁ ନିଜ ପସନ୍ଦର ପୋଷାକରେ ଦେଖିବାକୁ ଚାହୁଛ କାହିଁକି? ମତ ଓ ବିଶ୍ବାସ ସମସ୍ତଙ୍କର ଭିନ୍ନ ଭିନ୍ନ। ସମସ୍ତେ ଯଦି ଗୋଟିଏ ନିର୍ଦ୍ଦିଷ୍ଟ ଘୋଡ଼ା ଜିତିବାର ବାଜି ଲଗାନ୍ତେ, ଘୋଡ଼ାଦୌଡ଼ ହୁଅନ୍ତା କି? ପ୍ରଫେସରଙ୍କ କଥାରେ ତିନିଜଣ ଶାସ୍ତ୍ରଜ୍ଞ ଚୁପ୍ ହୋଇଗଲେ। ଦୁଇଜଣ ପୁରୁଷ ଓ ସ୍ତ୍ରୀ କ୍ଷୀଣ ସ୍ବରରେ କିଛି ଆଲୋଚନା କରୁଥିଲେ। ପ୍ରଫେସର ଅନୁଭବ କଲେ ଉଭୟ ଉଚ୍ଚଶିକ୍ଷିତ ପତିପତ୍ନୀ। ଅନେକ ଭାବିଚିନ୍ତି ଦୁହେଁ ଗୃହସ୍ଥିକୁ ସମାପ୍ତ କରି ପରସ୍ପରଠାରୁ ଦୂରେଇ ଯିବାର ନିଷ୍ପତ୍ତି ନେଇଛନ୍ତି। କାଲି ଅଛି କୋର୍ଟରେ ଶେଷ ତାରିଖ। ଆଦେଶ ମିଳିଲା ପରେ କାଲିଠାରୁ ରାସ୍ତା ଉଭୟଙ୍କର ଅଲଗା ହୋଇଯିବ। ବସ୍ ଭିତରେ ଏମାନେ ସମସ୍ତେ ଥିଲେ ଅହଂର ଚାଦର ଢାଙ୍କିହୋଇ ଜୀବନର ତଲାସରେ ଥିବା କିଛି ମଣିଷ, ଯେଉଁମାନେ ସଂସାରର ଶୂନ୍ୟତା ମଧ୍ୟରେ ଜୀବନର ଶୂନ୍ୟତାକୁ ଚିହ୍ନଟ କରିବାରେ ଥିଲେ ଅକ୍ଷମ।
‘ଚୋର’, ‘ଚୋର’ ବୋଲି କେହିଜଣେ ଚିତ୍କାର କଲା ଓ ପରେ ପରେ ଲୁଟେରା ମଧ୍ୟ ଧରା ପଡ଼ିଗଲା। ଜଣେ ଯାତ୍ରୀର ବ୍ୟାଗ୍ ଚୋରି କରୁଥିଲା। ପ୍ରଫେସର ହସ୍ତକ୍ଷେପ ନକରିଥିଲେ ବିଚରା ମାଡ଼ ଖାଇ ଶେଷ ହୋଇଯାଇଥାନ୍ତା। ଜଙ୍ଗଲ ରାସ୍ତାରେ ତାକୁ ଓହ୍ଲାଇ ନଦେଇ ପରବର୍ତ୍ତୀ ରହଣି ସ୍ଥଳରେ ପୁଲିସକୁ ହସ୍ତାନ୍ତର କରିଦେବାକୁ ପ୍ରସ୍ତାବ ଦେଲେ ପ୍ରଫେସର। ଏପରି ରାଗ, ଅସହିଷ୍ଣୁତା ଓ ହିଂସ୍ର ଭାବନା ମନକୁ ଆସେ କେମିତି? ନିଜକୁ ଆମେ ‘କେହି ଜଣେ’ ବୋଲି ସର୍ବଦା ଭାବିଥାଉ। ନିଜକୁ ‘କେହି ନୁହେଁ’ ଥରେ ଭାବି ଦେଖନ୍ତୁ ତ? ଏସବୁ ଅହଂଭାବ ମନରୁ ଆପେ ଦୂରେଇଯିବ।
ହଠାତ୍ ଗୋଟିଏ ଝଟକା ଦେଇ ବସ୍ ଅଟକିଗଲା। ଡ୍ରାଇଭର ଚିତ୍କାର କରି କହିଲେ, ‘ମାଟି ଧସିଯାଇ ବସ୍ର ଆଗ ଚକ ରାସ୍ତାରୁ ଖସି ଘାଟି ତଳକୁ ଝୁଲି ରହିଛି। ଓହ୍ଲାଇବା ଏବେ ଅସମ୍ଭବ। ସମସ୍ତେ ପଛ ସିଟ୍ ପାଖକୁ ଚାଲିଯାଆନ୍ତୁ। ପଛରେ ଅଧିକ ଓଜନ ଥିବା ଯାଏଁ ବସ୍ ସେମିତି ଝୁଲି ରହିଥିବ। କୋଳାହଳ ଓ ଆର୍ତ୍ତନାଦ ମଧ୍ୟରେ ସମସ୍ତେ ପଛ ସିଟ୍ ପାଖକୁ ଦୌଡ଼ିଲେ। ଏବେ ପରସ୍ପରକୁ କୁଣ୍ଢାଇଧରି ସାମନାରେ ଅଟ୍ଟହାସ୍ୟ କରୁଥିବା ମୃତ୍ୟୁକୁ ଦେଖୁଥିଲେ ସମସ୍ତେ। ଗୋଟିଏ ମୁହୂର୍ତ୍ତ ମଧ୍ୟରେ ସ୍ବାର୍ଥ, ଅହମିକା ଓ ଆତ୍ମମୋହ ସବୁକିଛି ହୋଇଯାଇଥିଲା ଚୁର୍ମାର୍। ବିଚ୍ଛେଦକୁ ଆପଣେଇବାକୁ ପ୍ରସ୍ତୁତ ହେଉଥିବା ପତିପତ୍ନୀ ପରସ୍ପରକୁ ଜଡ଼ାଇଧରି ସାନ୍ତ୍ବନା ଦେଉଥିଲେ। ତିନି ଧର୍ମାବଲମ୍ବୀ ହାତ ଉପରକୁ କରି ଏକସ୍ବରରେ ପ୍ରାର୍ଥନା କରୁଥିଲେ, ‘ରକ୍ଷାକର ପ୍ରଭୁ ଜଗନ୍ନାଥ, ଆଲ୍ଲା ଓ ପରମେଶ୍ବର’। ମହିଳା ଓ ସମ୍ଭ୍ରାନ୍ତ ବ୍ୟକ୍ତିଙ୍କ ପରିଧାନ ସହଯାତ୍ରୀମାନଙ୍କ ଦେହରେ ଚାପିହୋଇ ଝାଳରେ ହୋଇଯାଇଥିଲା ଜୁଡୁବୁଡୁ। କିଛି ସମୟ ଆଗରୁ ସଂପୂର୍ଣ୍ଣ ମିଥ୍ୟାଚାରଟିଏ ଥିବା ସଭିଙ୍କ ଜୀବନ ଏବେ ଶୂନ୍ୟଗର୍ଭ ଓ ଅର୍ଥହୀନ। ଅର୍ଥଟିଏ ସୃଷ୍ଟି ପାଇଁ ଟିକିଏ ଆଗରୁ ତାହା ଥିଲା ଏକ ସୁଯୋଗ। ଆଉ ଆଗରେ ଅପେକ୍ଷାରତ ମୃତ୍ୟୁ? କଲମ ଭିତରେ କାଳି ପରି ଜୀବନ ଭିତରେ ବୁନ୍ଦା ବୁନ୍ଦା ଝରୁଥାଏ ମୃତ୍ୟୁ। କାଳି ଶେଷହେଲେ କାହାଣୀ ରହିଯାଏ ଅସମାପ୍ତ। କୋଳାହଳ ମଧ୍ୟରେ ଲୁଟେରାଟି ଆଖି ପିଛୁଳାକେ ବସ୍ର ଦ୍ବାରଖୋଲି ଛାତ ଉପରକୁ ଉଠି ଅଦୃଶ୍ୟ ହୋଇଗଲା। ସମସ୍ତେ ନିଶ୍ଚିତ ହେଲେ ମୁକ୍ତିର ମୋହରେ ପଡ଼ି ବିଚରା ହିଂସ୍ର ଜନ୍ତୁର ଶିକାର ହୋଇଯିବ।
ଉଦ୍ଧାରକାରୀ ଦଳ ପହଞ୍ଚିବା ପରେ ସମସ୍ତେ ଆଶ୍ବସ୍ତ ହେଲେ। ବସ୍ ଏବେ ଟଣାହୋଇ ନିରାପଦ ସ୍ଥାନକୁ ଆସି ସାରିଥିଲା। ଝାଳରେ ଜୁଡୁବୁଡୁ ଶରୀରଟିମାନ ନେଇ ବସ୍ରୁ ଓହ୍ଲାଇ ଜୀବନର ତାଜା ସ୍ବାଦ ଅନୁଭବ କରୁଥିଲେ ସମସ୍ତେ। ଜୀବନ ଆଉ କ’ଣ କି? ଟୋପାଏ ଜଳରେ ସମାହିତ ଏକ ମହାସାଗର। ସ୍ଥିର ଥିବା ଯାଏ ଜୀବନ, ବୋହିଗଲେ ମୃତ୍ୟୁ। ପୁନର୍ଜୀବନ ପାଇଁ ସମସ୍ତଙ୍କୁ ପ୍ରଫେସର ଅଭିନନ୍ଦନ ଜଣାଇ କବି ନସୀର ତୁରାବିଙ୍କ କବିତାଟିଏ ଆବୃତ୍ତି କଲେ, “ଜୀନ୍ଦଗି ଖାକ୍ ନ ଥି, ଖାକ୍ ଉଡ଼ାତେ ଗୁଜରି/ ତୁଝସେ କ୍ୟା କେହେତେ ତେରେ ପାସ୍ ଜୋ ଆତେ ଗୁଜରି/ ଵକ୍ତ୍ ଐସା ଥା କେ ବସ୍ ନାଜ୍ ଉଠାତେ ଗୁଜରି...”। ‘ଜୀବନ ମୁଠାଏ ପାଉଁଶ ପରି ମୂଲ୍ୟହୀନ ନୁହେଁ, କିନ୍ତୁ ମୁଁ ତାକୁ ମୂଲ୍ୟହୀନ ଭାବି ଉଡ଼ାଇଦେଲି, ସମୟ ଏମିତି ଥିଲା ଯେ ଅହମିକାକୁ ସାଥିରେ ଧରି ତାକୁ ବିତାଇ ଦେଲି, କେମିତି ତତେ ବୁଝେଇବିରେ ଜୀବନ! ତୋ ପାଖେ ପହଞ୍ଚିବାକୁ କେତେଯେ କଷ୍ଟ ନ କଲି!’ ଉଦ୍ଧାରକାରୀ ଦଳର ଜଣେ ଯବାନ କୃତଜ୍ଞତାରେ ନଇଁ ଯାଇଥିବା ଯାତ୍ରୀମାନଙ୍କୁ କହିଲେ, ‘ଆପଣମାନେ ଆଜି ନୂଆ ଜୀବନ ପାଇଲେ ପଛ ଚକା ଆଗରେ ରଖାଯାଇଥିବା ଏ ପଥର ଦୁଇଟି ଯୋଗୁଁ। ଆପଣମାନଙ୍କ ମଧ୍ୟରୁ ଯିଏ ଏ ସାହସିକ କାର୍ଯ୍ୟ କରିଛନ୍ତି ସିଏ ହିଁ ଆପଣଙ୍କ ପାଇଁ ଆଜି ଭଗବାନ। କ୍ରେନ୍ର ଆଲୋକରେ ସମସ୍ତଙ୍କ ଦୃଷ୍ଟି ପଡ଼ିଲା ଅଦୂରରେ ବସି ଲୁଟେରାଟି ଯାତ୍ରୀଙ୍କ ବ୍ୟାଗରୁ ଚୋରି କରିଥିବା ରୁଟି କେତୋଟି ଖାଇବାରେ ଲାଗିଛି।
ମୋ: ୯୩୩୭୬୪୮୬୩୮
ସରସ ରସ: ଜୀବନର ତଲାସରେ ଅକସ୍ମାତ୍ ଦିନେ
ସୁଭାଷ ପଟ୍ଟନାୟକ