୨୦୨୨-୨୩ରେ ଭାରତର ୬.୫ କୋଟି ଅସଂଗଠିତ ସଂସ୍ଥାରେ ୧୧ କୋଟି ଶ୍ରମିକ ନିଯୁକ୍ତି ଥିଲେ ବୋଲି ଏକ ସରକାରୀ ରିପୋର୍ଟରୁ ପ୍ରକାଶ ପାଇଛି। ସେହି ଅବଧିରେ ଅସଂଗଠିତ କ୍ଷେତ୍ରର ସଂସ୍ଥାମାନଙ୍କରୁ ଉତ୍ପନ୍ନ ସକଳ ମୂଲ୍ୟ ବର୍ଦ୍ଧନ (‘ଗ୍ରସ୍ ଭେଲ୍ୟୁ ଆଡେଡ୍’ ବା ‘ଜିଭିଏ’) ହେଉଛି ୧୫.୪ ଲକ୍ଷ କୋଟି ଟଙ୍କା। ‘ପିରିଓଡିକ୍ ଲେବର୍ ଫୋର୍ସ ସର୍ଭେ’ ଅନୁଯାୟୀ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତରେ ସମୁଦାୟ ୫୬.୭ କୋଟି ଲୋକ ନିଯୁକ୍ତ ଥିବା ବେଳେ ଏହାର ୨୦% ଶ୍ରମଶକ୍ତି ଅସଂଗଠିତ କ୍ଷେତ୍ରରେ ନିଯୁକ୍ତ ଥିଲା। ଉକ୍ତ ଅବଧିରେ ଭାରତର ସମୁଦାୟ ‘ଜିଭିଏ’ର ମାତ୍ର ୬% ଅସଂଗଠିତ କ୍ଷେତ୍ରରୁ ଆସିଥିଲା। ଏହାକୁ କୃଷିକ୍ଷେତ୍ରର ୧୮% ଜିଭିଏ ଓ ୪୫% ନିଯୁକ୍ତି ହାର ସହିତ ଯୋଡ଼ିଲେ ସ୍ପଷ୍ଟ ହୋଇଥାଏ ଯେ ଭାରତର ଦୁଇ-ତୃତୀୟାଂଶ ଶ୍ରମଶକ୍ତି ଦେଶର ମାତ୍ର ଏକ-ଚତୁର୍ଥାଂଶ ‘ଜିଭିଏ’ ଉତ୍ପନ୍ନ କରିଥାଏ। ଏହି ତଥ୍ୟ ଭାରତୀୟ ଅର୍ଥନୀତିରେ ଅସମାନତାର ଗଭୀରତାକୁ ସ୍ପଷ୍ଟ କରିଛି। ଏହି ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଅସଂଗଠିତ ସଂସ୍ଥାମାନଙ୍କ ମଧ୍ୟରୁ ମାତ୍ର ୧୫% ସଂସ୍ଥା ଅନ୍ୟୂନ ଜଣେ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ଦେଇଥିଲେ। ‘ନେସ୍ନାଲ୍ ସାମ୍ପଲ୍ ସର୍ଭେ ଅର୍ଗାନାଇଜେସନ୍’ର ‘ଆନୁଆଲ୍ ସର୍ଭେ ଅଫ୍ ଅନ୍ଇନ୍କର୍ପୋରେଟେଡ୍ ସେକ୍ଟର ଏଣ୍ଟରପ୍ରାଇଜ୍’ (ଏଏସ୍ୟୁଏସ୍ଇ) ସର୍ବେକ୍ଷଣର ଆଂଶିକ ତଥ୍ୟାବଳୀରୁ ଏହି ଚିତ୍ର ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଏହି ରିପୋର୍ଟରେ କୃଷି ଓ ଭିତ୍ତିଭୂମି ନିର୍ମାଣ କ୍ଷେତ୍ର ସାମିଲ ନାହିଁ; କେବଳ ଦ୍ରବ୍ୟ ପ୍ରସ୍ତୁତି, ବାଣିଜ୍ୟ ଓ ଅନ୍ୟାନ୍ୟ ସେବାଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ। ପ୍ରାୟ ଏକ ଦଶନ୍ଧି ହେଲା ଅସଂଗଠିତ କ୍ଷେତ୍ରର ତଥ୍ୟ ପ୍ରକାଶ ପାଉନଥିବାରୁ ‘ଜିଡିପି’ ଭଳି ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ତଥ୍ୟାବଳୀର ବିଶ୍ବସନୀୟତା ପ୍ରଭାବିତ ହେଉଥିଲା ବୋଲି ବିଶେଷଜ୍ଞଙ୍କ ମତ। ଆଗକୁ ସଂପୂର୍ଣ୍ଣ ‘ଏଏସ୍ୟୁଏସ୍ଇ’ ରିପୋର୍ଟ ପ୍ରକାଶ ପାଇବା ସହିତ ଏହି ବିଶ୍ବସନୀୟତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp