“ଶୁଣିଲଣି, ଆଜି ସେ ବଦମାସ ଧୋବା ଆମର ଗୋଟେ ଦାମିକା ତଉଲିଆ ଚୋରି କରି ନେଇଯାଇଛି।” ପତ୍ନୀଙ୍କ ଡାକ ଶୁଣି ପତି ବ୍ୟସ୍ତ ହୋଇପଡ଼ି କହି ଉଠିଲେ, “କେଉଁ ତଉଲିଆଟି, ହୋଟେଲ ‘ଓବେରାଇ’ର ନା ହୋଟେଲ ‘ତାଜ’ର?” ଏହି ମହାଶୟଙ୍କର ଆଲିସାନ ବଙ୍ଗଳା ଅଛି, ସାମନାରେ ମର୍ସିଡିଜ ଗାଡ଼ି ଛିଡ଼ା ହୋଇଛି, ଚାକର ଚାକରାଣୀ ଦିନ ରାତି ଖଟୁଛନ୍ତି କିନ୍ତୁ ଧୋବାକୁ ବଦମାସ କହି ତା’ ଉପରେ ତଉଲିଆ ଚୋରିର ଅଭିଯୋଗ ଅଣାଯାଉଛି, ଯେଉଁଟିକୁ ସେ ନିଜେ କୌଣସି ପଞ୍ଚତାରକା ହୋଟେଲରୁ ଚୋରେଇ ଆଣିଛନ୍ତି।
ଚୋରି ଏକ ପ୍ରକୃତି, ଯାହା ଧନୀ ହେଉ କି ଗରିବ, ବଡ଼ ହେଉ କି ସାନ, କାହାର ବାଛବିଚାର କରି ନଥାଏ, କିନ୍ତୁ କେଜାଣି କାହିଁକି ଏହା ଧନିକ ଶ୍ରେଣୀଙ୍କୁ ଅଧିକା ଆକ୍ରାନ୍ତ କରିଥାଏ ବୋଲି ମନେ ହୋଇଥାଏ। ତା’ ହୋଇ ନଥିଲେ ଆମେରିକା ରାଷ୍ଟ୍ରପତିଙ୍କ ‘ଏୟାର ଫୋର୍ସ ୱାନ୍’ ବିମାନ ଭିତରୁ କାଚ ଗ୍ଲାସ, ରୁପା ଚାମଚ ଓ ଦାମୀ ଫୁଲଦାନି ଓଗେର ଲଗାତାର ଚୋରି ହେଉଥିବାର ଖବର ବଡ଼ ବଡ଼ ଅକ୍ଷରରେ ପ୍ରକାଶ ପାଉ ନ ଥାନ୍ତା! ଯେତେବେଳେ ଆମେରିକାର ରାଷ୍ଟ୍ରପତି ଏହି ଏୟାର ଫୋର୍ସ ବିମାନରେ ଗସ୍ତ କରିଥାନ୍ତି, ସେତେବେଳେ ତାଙ୍କ ସହିତ ଅତ୍ୟନ୍ତ ଉଚ୍ଚ ପଦସ୍ଥ ସାମ୍ବାଦିକ ଓ ଅତିଥି ବୃନ୍ଦ ଗସ୍ତ କରିଥାନ୍ତି। ସେମାନଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ତରଫରୁ ‘ଏୟାର ଫୋର୍ସ ୱାନ୍’ର ମୋହର ଥାଇ ଦାମୀ ଚକୋଲେଟ ଓ ଉପହାର ସବୁ ଦିଆଯାଇଥାଏ କିନ୍ତୁ ତା’ ସତ୍ତ୍ବେ ଗତ କିଛି ଦିନ ତଳେ ହ୍ୱାଇଟ୍ ହାଉସ୍ ତରଫରୁ ଏକ କଡ଼ା ନୋଟିସ ଜାରି କରି କୁହାଯାଇଛି ଯେ ଆପଣମାନଙ୍କ ଭିତରୁ କେତେ ଜଣଙ୍କ ଚୋରି ଉପରେ ଆମର ତୀକ୍ଷ୍ଣ ନଜର ରହିଛି। ଏହାକୁ ଆଗକୁ ବନ୍ଦ କରିବାକୁ କୁହାଯାଇଛି ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ଥାଇ ଯାହା ସବୁ ଜିନିଷ ଚୋରି କରି ନେଇଯାଇଛନ୍ତି, ତାହାକୁ ଶୀଘ୍ର ଫେରସ୍ତ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବନ୍ଧୁଗଣ, ଯଦି ବଡ଼ବଡ଼ିଆମାନେ ଏ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି, ତେବେ ଛୋଟମୋଟ ଲୋକଙ୍କ କଥା କ’ଣ କହିବା? ଭାରତବର୍ଷରେ ପଞ୍ଚତାରକା ଓ ସପ୍ତତାରକା ହୋଟେଲମାନଙ୍କରେ ପ୍ରାୟ ଧନିକ ଶ୍ରେଣୀର ବଡ଼ବଡ଼ିଆ ଲୋକମାନେ ରହିଥାନ୍ତି ଏବଂ ନିକଟରେ ହୟାତ୍, ମ୍ୟାରିଅଟ, ତାଜ ଓ ଓବେରଇ ତାରକା ହୋଟେଲମାନଙ୍କ ଅଭିଯୋଗ ଅନୁଯାୟୀ ଦିନକୁ ଦିନ ଏମାନଙ୍କ କୋଠରି ଭିତରୁ ଚୋରିର ମାତ୍ରା ବଢ଼ି ବଢ଼ି ଚାଲିଛି ଓ ଗତ ଦଶ ବର୍ଷ ଭିତରେ ଏହା ଦଶ ପ୍ରତିଶତରୁ ଚାଳିଶ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସାଧାରଣ ତେଲ, ସାବୁନ ଓ ସାମ୍ପୁ ଓଗେର ଆପଣ ନେଇଯାଇ ପାରନ୍ତି, କିନ୍ତୁ ତା’ ବ୍ୟତୀତ ଚା କେଟଲି, ଷ୍ଟିମ ଆଇରନ, ହେୟାର ଡ୍ରାୟର, କୋଟ୍ ହ୍ୟାଙ୍ଗର, ଟେବୁଲ ଲ୍ୟାମ୍ପ, ଘଣ୍ଟା, ଏପରିକି ଦାମୀ କାର୍ପେଟକୁ ମଧ୍ୟ ବାକ୍ସରେ ଭର୍ତ୍ତି କରି ଅନେକ ବ୍ୟକ୍ତି ନେଇଯାଉଛନ୍ତି ଓ ଧରା ପଡ଼ିଗଲେ ଭୁଲ୍ରେ ଭର୍ତ୍ତି ହୋଇଯାଇଛି ବୋଲି ସଫେଇ ଦେଇ ନିର୍ଭୟରେ ଚାଲିଯାଉଛନ୍ତି।
ଏକ ମନସ୍ତାତ୍ତ୍ୱିକ ଅନୁଶୀଳନରୁ ଜଣାପଡ଼ିଛି ଯେ ସାଧାରଣତଃ ଧନିକ ଶ୍ରେଣୀର ଉଚ୍ଚ ପ୍ରତିଷ୍ଠିତ ବ୍ୟକ୍ତିମାନେ ମଧ୍ୟବିତ୍ତ ଓ ଗରିବ ଲୋକମାନଙ୍କ ଠାରୁ ଏହି ଧରଣର ଚୋରି ଅଧିକ କରିଥାନ୍ତି। ଏହାର କାରଣ ହେଉଛି ଯେ ଏମାନେ ସମାଜରେ ତାଙ୍କର ଧନସମ୍ପତ୍ତି, ପ୍ରତିଷ୍ଠା ଓ ପ୍ରଭାବ ଯୋଗୁଁ ଅଧିକ ନିର୍ଭୀକ ହୋଇଥାନ୍ତି ଓ ସାଧାରଣ ନିୟମକାନୁନଗୁଡ଼ିକୁ ହେୟଜ୍ଞାନ କରି ଫୁଙ୍କି ଉଡ଼େଇ ଦେଇଥାନ୍ତି। ମଧ୍ୟବିତ୍ତ ଲୋକଟିଏ ସର୍ବଦା ନିଜର ମାନସମ୍ମାନକୁ ଜଗିରଖି ଚଳିଥାଏ। ଏହାକୁ ସେ ତାହାର ଏକମାତ୍ର ପୁଞ୍ଜି ବୋଲି ଭାବିଥାଏ; କିନ୍ତୁ ଧନିକ ଶ୍ରେଣୀର ପ୍ରତିଷ୍ଠିତ ବ୍ୟକ୍ତି ଜଣକ ‘ହଁ ମ’ କ’ଣ ହୋଇଗଲା ସେଠୁ?’ ବୋଲି କହି ଏକ ବେଖାତିର ମନୋଭାବ ପ୍ରକାଶ କରି ଚାଲିଯାଇଥାଏ।
କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ତରଫରୁ ଧନୀ, ମଧ୍ୟବିତ୍ତ ଓ ଗରିବମାନଙ୍କର ଏହି ନୈତିକତା ଅବଲମ୍ବନ ଉପରେ ଏକ ଗୁପ୍ତ ପରୀକ୍ଷା କରାଯାଇଥିଲା। ଏକ ସର୍ବସାଧାରଣ ସ୍ଥାନରେ ବଡ଼ କାଚ ଜାର ଭିତରେ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଠ ଚକୋଲେଟ ଭର୍ତ୍ତି କରି ରଖାଗଲା ଓ ଏହା କେବଳ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଥିଲା। ଲକ୍ଷ୍ୟ କରାଗଲା ସେହି ଜାରରୁ ପିଲାମାନଙ୍କ ବ୍ୟତୀତ ଅନେକ ବୟସ୍କ ବ୍ୟକ୍ତି ମଧ୍ୟ ଚକୋଲେଟ ନେଇଯାଇଥିଲେ ଓ ଯେଉଁମାନେ ଏହିଭଳି ଲୁଚେଇ ଚୋରେଇ ନେଇଯାଉଥିଲେ, ସେମାନଙ୍କ ମଧ୍ୟରୁ ନବେ ପ୍ରତିଶତ ପ୍ରତିଷ୍ଠିତ ଧନିକ ଶ୍ରେଣୀର ବ୍ୟକ୍ତି ଥିଲେ। ଅନେକ କୋଟିପତି ଏମିତି ଅଛନ୍ତି, ସେମାନେ କେବଳ ହୋଟେଲରୁ ତଉଲିଆ ନୁହେଁ, ଦୋକାନମାନଙ୍କରୁ ମଧ୍ୟ ଶହେ ଦୁଇଶହ ଟଙ୍କିଆ ରୁମାଲ ଓ ମୋଜା ସବୁ ଚୋରି କରି ନେବାର ନଜିର ରହିଛି। ଦେଶ ବିଦେଶରେ ଅନେକ ବଡ଼ ବଡ଼ ବଜାରରୁ ଉଚ୍ଚ ପ୍ରତିଷ୍ଠିତ କିଛି ଚଳଚ୍ଚିତ୍ର ତାରକା ଚୋରି କରି ଧରା ପଡ଼ିଯିବାର ଖବର ମଧ୍ୟ ପ୍ରକାଶ ପାଉଛି।
ଥରେ ଏହିଭଳି ଚୋରିକୁ ନେଇ ଜଣେ ପଞ୍ଚତାରକା ହୋଟେଲ ମ୍ୟାନେଜର ଚିନ୍ତାଗ୍ରସ୍ତ ହୋଇ ବସିଥିଲେ। ଏହି ସମୟରେ ତାଙ୍କ କମ୍ପ୍ୟୁଟରରେ ଜଣେ ପ୍ରତିଷ୍ଠିତ ଗରାଖଙ୍କର ମେଲ୍ ଆସିଲା। ମେଲ୍ରେ ଲେଖାଥିଲା, ‘ମହାଶୟ, ମୁଁ ଆପଣଙ୍କ ହୋଟେଲରେ ସାତ ଦିନ ରହିବାକୁ ଚାହୁଁଛି। ମୁଁ କିନ୍ତୁ ସାଥିରେ ମୋ କୁକୁରକୁ ନେଇ ଆସିପାରିବି କି?’ ହୋଟେଲ ମ୍ୟାନେଜର ତୁରନ୍ତ ତାଙ୍କୁ ଉତ୍ତର ଦେଇ କହିଲେ, ‘ମହାଶୟ, ମୁଁ ତିରିଶ ବର୍ଷ ହେଲା ଏହି ହୋଟେଲ ବ୍ୟବସାୟରେ ଅଛି। ଆଜି ପର୍ଯ୍ୟନ୍ତ କୌଣସି କୁକୁର ମୋ ହୋଟେଲରୁ ତଉଲିଆଟିଏ ଚୋରି କରିି ନାହିଁ କି ମାଲ ପିଇ ପାଟିତୁଣ୍ଡ କରି ଜିନିଷପତ୍ର ଭଙ୍ଗାଭଙ୍ଗି କରିନାହିଁ। ତେଣୁ ଆପଣଙ୍କ କୁକୁରକୁ ଆମେ ସ୍ୱାଗତ କରୁଛି ଏବଂ ଯଦି ଆପଣଙ୍କ କୁକୁର ଆପଣଙ୍କ ବ୍ୟବହାର ଉପରେ ପ୍ରତିଶ୍ରୁତି ଦିଏ, ତେବେ ଆପଣଙ୍କୁ ମଧ୍ୟ ସ୍ୱାଗତ କରିବୁ। ଧନ୍ୟବାଦ।’
ମୋ: ୯୪୩୭୦୬୭୫୬୭
ସତ କହୁଛି, ବଡ଼ବଡ଼ିଆଙ୍କ ଚୋରି
ଶ୍ୟାମସୁନ୍ଦର ଅଗ୍ରୱାଲା