ଭୋଟ ବିଚାର ଓ ରୁଜ୍‌ଭେଲ୍‌ଟଙ୍କ ଭାଷଣ

ପରାଗ ଆଚାର୍ଯ୍ୟ

‘ରବିବାର ସମ୍ବାଦ’‌େର ପ୍ରକାଶିତ ‘ଗୋଟେ ଭୋଟ ପାଇଁ’ (ପ୍ରଥମ ସ୍ତମ୍ଭ) ପଢ଼ିବା ବେଳେ ଅନେକ ଦିନ ତଳେ ପାଠ କରିଥିବା ‘ଦି ଡ୍ୟୁଟିସ୍ ଅଫ୍ ଆମେରିକାନ୍‌ ସିଟିଜେନ୍‌ସିପ୍‌’ ବା ‘ଆମେରିକା ନାଗରିକମାନଙ୍କର କର୍ତ୍ତବ୍ୟ’ ବିଷୟଟି ମନେ ପଡ଼ିଗଲା, ଯାହାକୁ କହିଥିଲେ ଆମେରିକାର ୨୬ତମ ରାଷ୍ଟ୍ରପତି ଥିଓଡର୍‌ ରୁଜ୍‌ଭେଲ୍‌ଟ। ୧୮୮୩ ମସିହା ଜାନୁଆରି ୧୧ ତାରିଖରେ ନ୍ୟୁୟର୍କ ବଫାଲୋ ସହରରେ ‌େସ ପ୍ରଦାନ କରିଥିବା ଏହି ଯୁଗାନ୍ତକାରୀ ଭାଷଣ ସାଂପ୍ରତିକ ପରିସ୍ଥିତିରେ ଭାରତ ପାଇଁ ମଧ୍ୟ ଅନେକ ଦିଗରୁ ପ୍ରାସଙ୍ଗିକ। କେନ୍ଦ୍ର ନିର୍ବାଚନ କମିସନର୍‌ଙ୍କ ତଥ୍ୟ ଅନୁଯାୟୀ ଭାରତର ଏହି ସାଧାରଣ ନିର୍ବାଚନ‌ରେ ୯୬.୮ କୋଟି ଭୋଟର ନିଜର ମତ ସାବ୍ୟସ୍ତ କରିବାକୁ ଯୋଗ୍ୟ ଅଟନ୍ତି, ଯହିଁରୁ ୧.୮ କୋଟି ଭୋଟର ପ୍ରଥମ ଥର ପାଇଁ ନିଜର ମତ ଦେବାକୁ ଯାଉଛନ୍ତି ଓ ୧୯.୪୭ କୋଟି ଭୋଟରଙ୍କ ବୟସ ୨୦ରୁ ୨୯ ବର୍ଷ ମଧ୍ୟରେ। ଅତଏବ, ଏକ ବିଶାଳ ଯୁବଗୋଷ୍ଠୀ ନିଜର ମତ ସାବ୍ୟସ୍ତ କରିବା ନେଇ ଉତ୍କଣ୍ଠା ଏବଂ ଉତ୍ସାହରେ ଭରପୂର। ସେଇ ଯୁବଗୋଷ୍ଠୀଙ୍କ ସକାଶେ ରୁଜ୍‌ଭେଲ୍‌ଟଙ୍କ ଭାଷଣ ଏକ ମାର୍ଗଦର୍ଶକ ସାବ୍ୟସ୍ତ ହୋଇପାରେ।
ରୁଜ୍‌ଭେଲ୍‌ଟ କହିଥିଲେ- ‘ଜଣେ ବ୍ୟକ୍ତି ଯଦି ପାରିବାରିକ ସ୍ତରରେ ଭଲ ସ୍ବାମୀ କିମ୍ବା ଭଲ ପିତା ହୋଇପାରିଲା ନାହିଁ, ତେବେ ସେ ଜଣେ ଭଲ ନାଗରିକ ହୋଇପାରିବ ନାହିଁ। ଯଦି ଜଣେ ବ୍ୟକ୍ତି ଅନ୍ୟ ପୁରୁଷ ବା ମହିଳାଙ୍କ ସହ ବ୍ୟବହାରରେ ସଚ୍ଚୋଟ ନୁହନ୍ତି, ସିଏ ଯଦି ନିଜର ବନ୍ଧୁମାନଙ୍କ ପାଖରେ ବିଶ୍ବସ୍ତ ନୁହନ୍ତି ଓ ଶତ୍ରୁମାନଙ୍କ ଉପସ୍ଥିତିରେ ନିର୍ଭୀକ ନୁହନ୍ତି, ସେ ମଧ୍ୟ ଜଣେ ଉତ୍ତମ ନାଗରିକର ପଦବାଚ୍ୟ ନୁହନ୍ତି। ସୁସ୍ଥ ନାଗରିକ ହେବା ପାଇଁ ସୁସ୍ଥ ଶରୀର ଓ ମନ ଅପରିହାର୍ଯ୍ୟ। ଯଦି ଘରୋଇ ଜୀବନ କ୍ଷୁଣ୍ଣ ହୁଏ, ତେବେ ଦେଶର ଏକତା କିପରି ସମ୍ଭବ ହେବ? ମୁକ୍ତ ଗଣତନ୍ତ୍ରରେ ଜଣେ ଆଦର୍ଶ ନାଗରିକ ଦେଶର ସାର୍ବଭୌମତାକୁ ଅକ୍ଷୁଣ୍ଣ ରଖିବା ପାଇଁ ବିପଦ ସମୟରେ ଦେଶ ଲାଗି ପ୍ରାଣବଳି ଦେବାକୁ ପ୍ରସ୍ତୁତ ରହିବା ଉଚିତ। ଠିକ୍‌ ସେହିପରି ଦେଶକୁ ଆଗକୁ ନେବା ପାଇଁ, ଜଣେ ଆଦର୍ଶ ନାଗରିକ ସୁସ୍ଥ ଶିଶୁର ପିତା ହେବା ଆବଶ୍ୟକ। ଏକ ଲଢୁଆ ଜାତିର ଦାୟାଦମାନେ ସେହିଭଳି ଗୁଣ ପ୍ରଦର୍ଶନ କରିପାରିବେ। ନଚେତ ଜାତିର ଜ୍ଞାନ, ଗୁଣ, ଗରିମା ନଷ୍ଟ ଓ ପ୍ରଭାବହୀନ ‌ହୋଇପଡ଼ିବ।
ଅନେକ ଲୋକଙ୍କର ଭ୍ରାନ୍ତ ଧାରଣା- ରାଜନୀତି ସର୍ବଦା ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକମାନଙ୍କର ଅଧିକାର। ତେଣୁ, ଅନେକ ଲୋକ ଏଥିରେ ସକ୍ରିୟ ଅଂଶଗ୍ରହଣ କରିବାକୁ ଚାହାନ୍ତି ନାହିଁ। କେବଳ ମତଦାନ କରିଦେଇ ନିଜର କର୍ତ୍ତବ୍ୟ ସରିଗଲା ବୋଲି ବିବେଚନା କରୁଥିବା ଲୋକମାନେ ଜାଣିବା ଉଚିତ ଯେ ସେମାନେ ଇଚ୍ଛା କଲେ ଦେଶର ରାଜନୀତିର ଭାଗ୍ୟକୁ ଅନେକାଂଶରେ ପ୍ରଭାବିତ କରିପାରିବେ।’
ରୁଜ୍‌ଭେଲ୍‌ଟ ଆହୁରି ମଧ୍ୟ କହିଥିଲେ ଯେ ଦେଶର ରାଜନୈତିକ ପାଣିପାଗକୁ ବଦଳେଇବା ପାଇଁ ଜଣକୁ ଯେ ନିଶ୍ଚିତ ଭାବରେ କୌଣସି ଏକ ରାଜନୈତିକ ଦଳର ପଦ ଅଳଙ୍କୃତ କରିବାକୁ ପଡ଼ିବ, ତାହା ନୁହେଁ। ଜଣେ ବ୍ୟକ୍ତି ଲାଞ୍ଚ ଗ୍ରହଣ ନ କରିବା କିମ୍ବା ଲାଞ୍ଚ ନ ଦେବା, ଦେଶର ମଙ୍ଗଳ ପାଇଁ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିବା, ଖରାପ ଶାସନ ବିଷୟରେ କହିବା ତଥା ଖରାପ ଲୋକମାନଙ୍କୁ ରାଜନୀତିରୁ ବିତାଡ଼ିତ କରିବା ପାଇଁ ଏକ ଜନସଚେତନତା ସୃଷ୍ଟି କରିବା- ଏ ସବୁ କରିବା ଦ୍ବାରା ଜଣେ ବ୍ୟକ୍ତି ପରିବର୍ତ୍ତନକୁ ସମ୍ଭବ କରାଇପାରିବ ଓ ଦେଶକୁ ନୂତନ ଦିଗ ଦେଖାଇପାରିବ।
ବାସ୍ତବ ପକ୍ଷେ, ଜଣେ ବ୍ୟକ୍ତି ଯଦି ଆଖପାଖରେ ପରିବର୍ତ୍ତନ ଆଣିବାକୁ ଚାହାନ୍ତି, ତେବେ ସେ କେବଳ ଗୋଟେ ରାଜନୈତିକ ପଦ ପାଇଁ ଅପେକ୍ଷା କରିବେ ନାହିଁ, ବରଂ ନିଜ ସାଧ୍ୟ ମତେ ଲୋକମାନଙ୍କର ମଙ୍ଗଳ ସାଧନ ନିମିତ୍ତ ଛୋଟବଡ଼ କାର୍ଯ୍ୟ ଆରମ୍ଭ କରିବେ। ଯଦି ଜଣେ ତୃଣମୂଳ ସ୍ତରରୁ ସାମାଜିକ କାର୍ଯ୍ୟରେ ଆଗ୍ରହୀ, ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟ ସ୍ତରରୁ ସେମାନେ ସମାଜରେ ଏକ ଯୁଗାନ୍ତକ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟିତ ହେବେ। ରୁଜ୍‌ଭେଲ୍‌ଟଙ୍କ ଭାଷାରେ- ‘ମୁଁ ଏମିତି ଏକ ଦେଶର ସ୍ବପ୍ନ ଦେଖେ, ଯେଉଁଠାରେ ଜଣେ ବ୍ୟକ୍ତିକୁ ନିଜର ରା‌ଜନୈତିକ ପ୍ରବୃତ୍ତି ବିଷୟରେ ଜଣାଇବା ପାଇଁ ନିଜର ପ୍ରଚାର ପ୍ରସାର କରିବାକୁ ପଡ଼ିବ ନାହିଁ। ବରଂ ଆମକୁ ଏପରି ଏକ ସ୍ଥାନରେ ପହଞ୍ଚିବାକୁ ପଡ଼ିବ ବା ନିଜର ସାମାଜିକ କାର୍ଯ୍ୟ ଆମକୁ ଏପରି ଏକ ସ୍ତରକୁ ନେଇଯିବ, ଯେଉଁଠାରେ ଲୋକମାନେ ସର୍ବସମ୍ମତି କ୍ରମେ ଆମକୁ ସେମାନଙ୍କର ନେତା ଭାବେ ଚୟନ କରିବେ’।
ଆମ କଳ୍ପନା ଅପେକ୍ଷା ଅଧିକ ଦକ୍ଷ ଓ ଯୋଗ୍ୟ ଲୋକ ଏ ସମାଜରେ ଅଛନ୍ତି, ଯେଉଁମାନେ ଗୋଟିଏ ଜାତିକୁ ଠିକ୍‌ ମାର୍ଗଦର୍ଶନ ଦେଇପାରିବେ। ମାତ୍ର, ପ୍ରଲୋଭନ ଓ ନାନା ପ୍ରକାର ଚାପର ବଶବର୍ତ୍ତୀ ହୋଇ ଅନେକ ସମୟରେ ପ୍ରାର୍ଥୀ ଚୟନ କରିବାରେ ଆମେ ଭୁଲ୍‌ କରିବସୁ। ସେତେବେଳେ ଆମେ ଜାଣିପାରୁନା ଯେ ଆମେ କ’ଣ ହରେଇବାକୁ ଯାଉଛୁ। ଦେଶ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କଲା ବେଳେ ଆମେ ତାଙ୍କର ଜାତି, ବୃତ୍ତି, ରାଜନୈତିକ ଦଳ କିମ୍ବା ସାମାଜିକ ସ୍ଥିତି ବିଷୟ ଭୁଲିଯିବା ଉଚିତ। ବରଂ ଆମକୁ ବ୍ୟକ୍ତିଙ୍କର ରାଜନୈତିକ ପ୍ରତିବଦ୍ଧତା, ଚରିତ୍ର ଓ ସାଧୁତା ଉପରେ ହିଁ ଧ୍ୟାନ କେନ୍ଦ୍ରିତ କରିବାକୁ ପଡ଼ିବ। ରାଜନୈତିକ ନେତା ବନିବା ପାଇଁ କୌଣସି ଉଚ୍ଚ ଶିକ୍ଷାଗତ ଯୋଗ୍ୟତାର ନିତାନ୍ତ ଆବଶ୍ୟକତା ନାହିଁ। ଏହା ବ୍ୟତିରେକ ଜଣେ ବ୍ୟକ୍ତି ଯଦି ସମାଜର ଦଳିତ, ଅବହେଳିତ, ନିଷ୍ପେଷିତ ଜନସାଧାରଣଙ୍କ ପାଇଁ ସହାନୁଭୂତିଶୀଳ, ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ବଦ୍ଧପରିକର ଓ ସେମାନଙ୍କର ଜୀବନଧାରଣର ମାନରେ ଆଖିଦୃଶିଆ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟିତ- ସେ ଲୋକ ଆମମାନଙ୍କର ନେତୃତ୍ବ ନେବା ପାଇଁ ଉପଯୁକ୍ତ।
ପ୍ରକୃତ ପକ୍ଷେ, ରାଜନୀତି ମଣିଷକୁ ଖରାପ କରେନାହିଁ। ମଣିଷମାନେ ହିଁ ରାଜନୀତିକୁ ଖରାପ କରନ୍ତି। ରାଜନୀତି ମାଧ୍ୟମରେ ଆସୁଥିବା ପ୍ରଭାବ ଓ ଶକ୍ତି ଲୋକଙ୍କୁ ବାଧ୍ୟ କରେ ରାଜନୀତିର ଅଂଶ ହୋଇ ରହିବା ପାଇଁ। ସମାଜର ଅନ୍ୟ ବୃତ୍ତି ଭଳି ରାଜନୀତି ପାଇଁ କୌଣସି ଦକ୍ଷତା କିମ୍ବା ଯୋଗ୍ୟତାର ମାନଦଣ୍ଡ ନ ଥିବାରୁ, ଅତ୍ୟଧିକ ଅର୍ଥବଳ ଓ ବାହୁବଳ ଥିବା ଲୋକମାନେ ନିଜର ସ୍ବାର୍ଥ ଚରିତାର୍ଥ କରିବା ପାଇଁ ରାଜନୀତିକୁ ନିଜର ଜୀବିକା ନିର୍ବାହର ପନ୍ଥା ଭାବେ ବ୍ୟବହାର କରିଆସୁଛନ୍ତି।
ରାଜନୀତି, କିଛି ମନୋନୀତ ବ୍ୟକ୍ତିମାନଙ୍କ ପାଇଁ ନୁହେଁ ବରଂ ଦେଶର ପ୍ରତ୍ୟେକ ବ୍ୟକ୍ତି ପାଇଁ। କୌଣସି ସାଧାରଣ ବ୍ୟକ୍ତି କଦାପି ଏହା ମନକୁ ନ ଆଣିବା ଉଚିତ ଯେ ସେମାନେ ଦେଶ ପାଇଁ ଅପ୍ରାସଙ୍ଗିକ ଅବା ଦେଶର ରାଜନୈତିକ ବାତାବରଣକୁ ସୁଦୃଢ଼ କରିବା ପାଇଁ ଅଯୋଗ୍ୟ ଅଟନ୍ତି। ଜଣେ ବ୍ୟକ୍ତି ନିଜର ଛୋଟ ପରିବେଶ, ଯଥା- ପରିବାର, ସାହି, ଗାଁ, ପଞ୍ଚାୟତ, ଜିଲ୍ଲାରେ ଅଗ୍ରଣୀ ହୋଇପାରିଲେ, ନିଜର ମତ ଦ୍ବାରା ଅନ୍ୟକୁ ପ୍ରଭାବିତ କରିପାରିଲେ ଦେଶରେ ଭଲ ନେତୃତ୍ବର ଅଭାବ ରହିବ ନାହିଁ।
ଅନ୍ୟ ଗୋଟିଏ ଉଲ୍ଲେଖନୀୟ କଥା ହେଉଛି- ରାଜନୀତିରେ ଏମିତି କିଛି ମହତ୍ତ୍ବାକାଂକ୍ଷୀ ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ରାଜନୈତିକ ପଦ ପ୍ରଦାନ କରୁଥିବା ଶୀର୍ଷ ନେତୃତ୍ବ ପ୍ରତି ସଂପୂର୍ଣ୍ଣ ଆଜ୍ଞାଧୀନ ହୋଇପଡ଼ନ୍ତି ଏବଂ ନିଜ ବିବେକ ବିରୋଧରେ ଯାଇ ଅନୀତି କରିବାକୁ କୁଣ୍ଠା ପ୍ରକାଶ କରନ୍ତି ନାହିଁ। ଅଥଚ ସେମାନଙ୍କ ଠାରୁ ସମାଜ ଅନେକ କିଛି ପାଇବାର ଆଶା ରଖିଥାଏ। କିନ୍ତୁ ଆଉ ଏଭଳି କିଛି ଲୋକ ମଧ୍ୟ ଅଛନ୍ତି, ଯେଉଁମାନେ ରାଜନୀତିର କଳା ପାର୍ଶ୍ବକୁ ଚିହ୍ନି ପାରି ସେମାନଙ୍କ ନୀତି, ଆଦର୍ଶ ଆଉ ବିଚାର ଉପରେ ତା’ର ପ୍ରଭାବ ପଡ଼ିବାର ସୁଯୋଗ ଦିଅନ୍ତି ନାହିଁ; ବରଂ ସେମାନଙ୍କ ସ୍ଥିତିକୁ ସକାରାତ୍ମକ ଭାବେ ବ୍ୟବହାର କରି ସାମଗ୍ରିକ ମଙ୍ଗଳ ସାଧନ ସକାଶେ ଚେଷ୍ଟା କରନ୍ତି। ଏହିଭଳି ଲୋକମାନଙ୍କୁ ଜନସମାଜ ନିଜର ମତ ଦ୍ବାରା ନିର୍ବ‌ାଚିତ କରିପାରିଲେ, ସମାଜର ସାମଗ୍ରିକ ବିକାଶ ଅବଶ୍ୟମ୍ଭାବୀ।
ଭାରତ କେବଳ ଏକ ନିର୍ଜୀବ ଭୂଖଣ୍ଡ ନୁହେଁ। ତା’ର ବି ଗୋଟେ ଆତ୍ମା ଅଛି। ଆମେ ସବୁ ଭାରତୀୟ ତା’ର ଆତ୍ମା। ଭାରତ ଏକ ଜାତି। ଜାତି ହେଉଛି ଗୋଟିଏ ଏକକ, ଯାହାକୁ ନେଇ ଭଲ ପାଇ ହୁଏ, ଗର୍ବ କରି ହୁଏ, ସ୍ବପ୍ନ ଦେଖି ହୁଏ। ସେ ସ୍ବପ୍ନ ସ୍ବର୍ଣ୍ଣିମ ଭାରତର। ସେ ସ୍ବପ୍ନ ଏକ ବିକଶିତ ଭାରତର। ସେ ସ୍ବପ୍ନ ବିଶ୍ବ ଦରବାରରେ ଏକ ସୁନାମଧନ୍ୟ ଭାରତବର୍ଷର। ସେ ଭାରତର ଭାଗ୍ୟ ନିର୍ମାତାମାନଙ୍କୁ ଚୟନ କଲା ବେଳେ, ଆମମାନଙ୍କୁ ଯଥେଷ୍ଟ ସାବଧାନତା ଅବଲମ୍ବନ କରିବାକୁ ହେବ। ତା’ ସହିତ ସଚେତନ ମନରେ ନିଜର ମତଦାନକୁ ସାବ୍ୟସ୍ତ କରିବାକୁ ହେବ। ସେ ସମୟ ଏବେ ଉପଗତ। କୌଣସି ଚାପ କିମ୍ବା ପ୍ରଲୋଭନର ବଶବର୍ତ୍ତୀ ନ ହୋଇ ନିଜ ବିବେକ ଅନୁମୋଦିତ ପ୍ରାର୍ଥୀକୁ ଚାଲନ୍ତୁ ଆମେ ଚୟନ କରିବା ଏକ ବିକଶିତ ଭାରତକୁ ଗଢ଼ିବା ପାଇଁ।
ମୋ: ୮୨୯୫୬୧୮୦୯୭

ସମ୍ବନ୍ଧିତ ଖବର