ଲିଙ୍ଗଗତ ଓ ଜାତିଭିତ୍ତିକ ହିଂସା ଦୃଷ୍ଟିରୁ ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ହତ୍ୟା ଓଡ଼ିଶା ପାଇଁ ଏକ ଗମ୍ଭୀର ମାନବୀୟ ପ୍ରସଙ୍ଗ। କିଛିଦିନ ତଳେ ବାଲେଶ୍ୱର ଜିଲ୍ଲାର ଔପଦାରେ ଦୁଇ ମହିଳାଙ୍କ ସମେତ ୩ ଜଣ ଆଦିବାସୀଙ୍କୁ ଯାଦୁବିଦ୍ୟା ସନ୍ଦେହରେ ହତ୍ୟା କରାଯାଇଥିବାର ଅଭିଯୋଗ ଆସିଛି। ଜାତୀୟସ୍ତରରେ ଡାହାଣୀ ଓ ଗୁଣିଗାରେଡ଼ି ସନ୍ଦେହ ହତ୍ୟାରେ ଝାଡ଼ଖଣ୍ଡ ପରେ ଓଡ଼ିଶାର ସ୍ଥାନ ଦ୍ବିତୀୟ। ସରକାରୀ ତଥ୍ୟ ଅନୁଯାୟୀ, ୨୦୧୪ରୁ ୨୦୨୧ ମଧ୍ୟରେ ଆମ ରାଜ୍ୟରେ ୩୬୨ ଜଣଙ୍କର ଗୁଣିଗାରେଡ଼ିଜନିତ ମୃତ୍ୟୁ ଘଟିଛି। ବେସରକାରୀ ଭାବେ ଏହି ସଂଖ୍ୟା ଅଧିକ ହୋଇପାରେ। ଏଥି ସହିତ ଗୁଣିଗାରେଡ଼ି ହିଂସାରେ ଆହତ, ସାମାଜିକ ବାସନ୍ଦ ଓ ସର୍ବସାଧାରଣରେ ଅପମାନିତ ହୋଇଥିବା ପୀଡ଼ିତଙ୍କ ସଂଖ୍ୟା ବହୁତ। ଗୁଣିଗାରେଡ଼ି, ଡାହାଣୀବିଦ୍ୟା ଓ ଯାଦୁ-ଟୋନା ଏକ ବ୍ୟକ୍ତିଗତ ସ୍ତରୀୟ କାର୍ଯ୍ୟ ଏବଂ ସଂଗଠିତ ଧର୍ମ ଓ ବିଶ୍ୱାସକୁ ବିରୋଧ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଭାରତରେ ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ହତ୍ୟା ପାଞ୍ଚ ଶହ ବର୍ଷ ତଳର ଏକ ପ୍ରାଚୀନ ସାମାଜିକ ସମସ୍ୟା। ବିଡ଼ମ୍ବନା ଯେ, ହିଂସାର ଏହି ପୁରୁଣା ସାଂସ୍କୃତିକ ପ୍ରଥା ଏବେ ଏକ ନିୟମିତ ଘଟଣା। ଭାରତୀୟ ଆଦିବାସୀ ଅଂଚଳର ଡାହାଣୀ ବିଦ୍ୟା ହେଉଛି ଉପନିବେଶବାଦ ଓ ୟୁରୋପୀୟ ସଂସ୍କୃତିର ଫଳାଫଳ। ସମାଜବିଜ୍ଞାନୀଙ୍କ ମତରେ, ୟୁରୋପରେ ଆରମ୍ଭ ହୋଇଥିବା ଯାଦୁବିଦ୍ୟାକୁ ୧୪୦୦ରୁ ୧୮୦୦ ମସିହା ମଧ୍ୟରେ ଏକ ପ୍ରତୀକାତ୍ମକ ଯୁକ୍ତି ଭାବେ ବିବେଚନା କରି ଲୋକଙ୍କ ସାମାଜିକ ସମ୍ପର୍କରେ ଯୋଡ଼ାଗଲା। ଏହି ଏକୀକରଣ ଏକ ବିପଜ୍ଜନକ ଅନ୍ଧବିଶ୍ୱାସକୁ ଜନ୍ମଦେଲା, ଯାହା ଏବେ ଡାହାଣୀବିଦ୍ୟା ବା ଗୁଣିଗାରେଡ଼ି ବିଦ୍ୟା ଭାବେ ଜଣାଶୁଣା।
ବିଶେଷଜ୍ଞଙ୍କ ମତରେ ଗୁଣିଗାରେଡ଼ି, କଳାଯାଦୁ ଓ ଡାହାଣୀ ପ୍ରସଙ୍ଗ ହେଉଛି ଦାରିଦ୍ର୍ୟ, ସମ୍ପତ୍ତିଲୋଭ, ଅର୍ଥ, ଜମି, ଜାତି, ଲିଙ୍ଗ ଓ ପ୍ରାଧାନ୍ୟକୁ ନେଇ ଏକ ଅଘୋଷିତ ଯୁଦ୍ଧ। ନାରୀବାଦୀ ସମାଜବିଜ୍ଞାନୀମାନେ ଏହାକୁ ମହିଳାଙ୍କ ଉପରେ ନିର୍ଯାତନା ଓ ଲିଙ୍ଗଭିତ୍ତିକ ହିଂସାର ଏକ ସାମାଜିକ ଅନୁମୋଦିତ ପ୍ରକ୍ରିୟା ବୋଲି ଭାବନ୍ତି। ସେହିପରି, ଉତ୍ତର-ଆଧୁନିକ ଯୁଗରେ ଗୁଣିଗାରେଡ଼ି ହତ୍ୟାକୁ ଗୋଷ୍ଠୀହିଂସା ଓ ଭିଡ଼ହତ୍ୟାର ଏକ ଯୋଜନାବଦ୍ଧ ଦିଗ ଭାବେ ମଧ୍ୟ ବ୍ୟାଖ୍ୟା କରାଯାଉଛି।
ଡାହାଣୀ ନାମକରଣ, ଚୟନ ଓ ଦଣ୍ଡ ପ୍ରକ୍ରିୟାରେ ଗଁାର ଓଝା, ପଡ଼ୋଶୀ ଓ ସମ୍ପର୍କୀୟମାନଙ୍କ ସର୍ବାଧିକ ସଂପୃକ୍ତି ରହିଛି। ପୁରୁଷ କିମ୍ବା ମହିଳାଙ୍କୁ ପ୍ରଥମେ କଳାଯାଦୁ କିମ୍ବା ଡାହାଣୀବିଦ୍ୟା କରୁଥିବାର ଅଭିଯୋଗ ଆଣି ସେମାନଙ୍କୁ ସ୍ଥାନୀୟ ଅଂଚଳର ଶିଶୁମୃତ୍ୟୁ, ହଇଜା, ମହାମାରୀ, କୂଅପୋଖରୀ ଶୁଖିଯିବା, ମରୁଡ଼ି କିମ୍ବା ଅପମୃତ୍ୟୁ ପାଇଁ ଦାୟୀ କରାଯାଏ। ଯାହା ପୀଡ଼ିତାଙ୍କ ଅସଦାଚରଣ, ଶାରୀରିକ ହିଂସା କିମ୍ବା ଏପରିକି ହତ୍ୟାର କାରଣ ହୋଇଥାଏ।
ଓଡ଼ିଶା ମହିଳା କମିଶନଙ୍କ ରିପୋର୍ଟ ଅନୁଯାୟୀ, ଗୁଣିଗାରେଡ଼ି ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଇବାର ପ୍ରମୁଖ କାରଣ ହେଉଛି ଶିଶୁମୃତ୍ୟୁ ଓ ଅପମୃତ୍ୟୁ। ତଥ୍ୟାନୁୁଯାୟୀ, ୨୭% ଗୁଣିଗାରେଡ଼ି ହତ୍ୟା ମାମଲା ଶିଶୁଙ୍କ ସ୍ୱାସ୍ଥ୍ୟ ସମସ୍ୟା କାରଣରୁ ଏବଂ ୪୩.୫% ମାମଲା ପରିବାରର ଜଣେ ବୟସ୍କ ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ହୋଇଛି। ସେହିପରି ୨୪.୫% ଦୁର୍ଭାଗ୍ୟ କିମ୍ବା ଜମି ଜବରଦଖଲ ଏବଂ ୫% ମାମଲା ଫସଲ ନଷ୍ଟ କାରଣରୁ ହୋଇଛି। ସବୁଠାରୁ ସଂବେଦନଶୀଳ ତଥ୍ୟ ହେଲା, ଗୁଣିଗାରେଡ଼ି ଘଟଣାରେ ୩୦% ପୀଡ଼ିତ ହତ୍ୟାର ଶିକାର ହୋଇଥିବା ବେଳେ ବାକି ସତୁରି ଭାଗ ନିର୍ଯାତିତ କିମ୍ବା ନିଜ ବାସସ୍ଥାନରୁ ବହିଷ୍କୃତ ହେଇଛନ୍ତି। ସମସ୍ତ ମାମଲାରୁ କେବଳ ୬୯% ମାମଲାରେ ପୁଲିସର ହସ୍ତକ୍ଷେପ, ତଦନ୍ତ ଓ ଗିରଫଦାରୀ ଦେଖିବାକୁ ମିଳିଛି।
ଗୁଣିଗାରେଡ଼ି ହତ୍ୟା ଦୁଇଟି ଉପାୟରେ ଘଟିଥାଏ। ପ୍ରଥମଟି ହେଉଛି, ମନୁଷ୍ୟ ବଳି- ଯେଉଁଠି କୌଣସି ଅଲୌକିକ ଶକ୍ତି ବା ଆତ୍ମାଙ୍କୁ ସନ୍ତୁଷ୍ଟ କରିବା ଆଳରେ ମଣିଷକୁ ହତ୍ୟା କରାଯାଏ। ଏହି ହତ୍ୟାର ଉଭୟ ବ୍ୟକ୍ତିଗତ ଓ ବେଳେବେଳେ ସମ୍ପ୍ରଦାୟର ସ୍ୱାର୍ଥ ଲୁଚି ରହିଥାଏ। ଦେବାଦେବୀଙ୍କ ସନ୍ତୁଷ୍ଟି ପାଇଁ ଶିଶୁ ବଳି ଓ ନାବାଳିକା ବଳି ଭଳି ଅଘଟଣ ହେଉଛି ଏହାର ଉଦାହରଣ। ଅନ୍ୟ ଏକ ପୁରାତନ ସାମାଜିକ ସ୍ୱୀକୃତି ଥିବା ମନୁଷ୍ୟ ବଳି ପ୍ରଥା ହେଉଛି ‘‘ମେରିଆ ବଳି’’। ଏହି ପ୍ରଥାରେ ବଳି ଦେବା ପାଇଁ ବଜାରରେ ମଣିଷ ବିକ୍ରି ହେଉଥିଲେ। ଅବଶ୍ୟ, ଏ ପ୍ରଥାଟି ଏବେ ଆଉ ନାହିଁ।
ଦ୍ୱିତୀୟଟି ହେଉଛି, ବ୍ୟାପକ ରୂପେ ଦେଖାଯାଉଥିବା ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ହତ୍ୟା। ଏ ହତ୍ୟାର କାରଣ କେବଳ ଅନ୍ଧବିଶ୍ୱାସ ନୁହେଁ, ବରଂ ଅନେକ କ୍ଷେତ୍ରରେ ବ୍ୟକ୍ତିଗତ, ସାମାଜିକ ଓ ଅର୍ଥନୈତିକ କାରଣ ମଧ୍ୟ ରହିଥାଏ। ଡାଇନି, ଡାହାଣୀ ବା ଡାୟନ ଏକ ପୁରୁଣା ଲିଙ୍ଗ- ନିରପେକ୍ଷ ଶବ୍ଦ। ଭାରତର ପୁରୁଷ ଡାହାଣୀମାନେ ‘‘ତୋହାନା’’ ନାମରେ ପରିଚିତ। କିନ୍ତୁ ପ୍ରାୟତଃ ମହିଳାମାନେ ହିଁ ଗୁଣିଗାରେଡ଼ିର ଶିକାର ହୋଇଥାନ୍ତି।
ଗୁଣିଗାରେଡ଼ି ହତ୍ୟା ହେଉଛି ମହିଳାଙ୍କ ବିରୋଧରେ ଏକ ସଂଗଠିତ ଲିଙ୍ଗଭିତ୍ତିକ ହିଂସା। ବିହାର, ଓଡିଶା ଓ ଛତିଶଗଡ଼ରେ ଗୁଣିଗାରେଡ଼ି ଓ ଡାହାଣୀ ମୃତ୍ୟୁ ଆଧାରିତ ଏକ ରିପୋର୍ଟ ଅନୁସାରେ, ସମୁଦାୟ ଡାହାଣୀ ହତ୍ୟା ଓ ଗୁଣିଗାରେଡ଼ି ନିର୍ଯାତିତଙ୍କ ମଧ୍ୟରେ ନବେ ପ୍ରତିଶତ ହେଉଛନ୍ତି ମହିଳା। ସେମାନେ ପ୍ରାୟତଃ ଦରିଦ୍ର, ବିଧବା, ନିଃସହାୟ, ଦଳିତ କିମ୍ବା ଗ୍ରାମୀଣ ଆଦିବାସୀ ଶ୍ରେଣୀର। ସବୁଠାରୁ ମୁଖ୍ୟ କଥା ହେଲା, ୫୦ରୁ ୬୫ ବର୍ଷ ବୟସର ମହିଳାମାନେ ଅଭିଯୁକ୍ତ ହେବାର ସର୍ବାଧିକ ସମ୍ଭାବନା ଥାଏ। ଏକ ଜାତୀୟ ସଂସ୍ଥାର ପରିସଂଖ୍ୟାନ ଅନୁଯାୟୀ, ଗତ ଦଶନ୍ଧିରେ ପ୍ରାୟ ୧,୫୦୦ ମହିଳାଙ୍କୁ ଡାହାଣୀ ସନ୍ଦେହରେ ହତ୍ୟା କରାଯାଇଛି।
ଏହି ସମସ୍ୟାର ସମାଧାନ ପାଇଁ ଏକ ବହୁମୁଖୀ ଆଭିମୁଖ୍ୟର ଆବଶ୍ୟକତା ରହିଛି। ଡାହାଣୀ ଶିକାର ଆଳରେ ହିଂସାକାଣ୍ଡ ଘଟାଉଥିବା ଲୋକଙ୍କୁ ଶୀଘ୍ର ଓ ପ୍ରଭାବଶାଳୀ ନ୍ୟାୟ ପ୍ରଦାନ କରିବା ଅତ୍ୟନ୍ତ ଜରୁରୀ। ଏଥି ପାଇଁ ଆମକୁ ଆମର ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବାର ଆବଶ୍ୟକତା ରହିଛି। ଓଡ଼ିଶା ସରକାରଙ୍କ ଡାହାଣୀ ହତ୍ୟା ପ୍ରତିରୋଧ ବିଲ୍ ୨୦୧୩ର ପ୍ରୟୋଗ ଅନେକ ମାତ୍ରାରେ ଏ ସାମାଜିକ ବ୍ୟାଧିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛି। କିନ୍ତୁ ଏ ନିୟମରେ କିଛି ସଂଶୋଧନର ଆବଶ୍ୟକତା ଅଛି। ଯେପରିକି, ଅପରାଧୀ ଓ ହତ୍ୟାକାରୀ ଅପେକ୍ଷା ଡାହାଣୀ ହତ୍ୟାର ପ୍ରରୋଚକଙ୍କ ପାଇଁ କଠୋର ଦଣ୍ଡ ବିଧାନ। ସମ୍ମାନ ଓ ସମାନତାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥାନୀୟ ସରକାର, ସ୍ବେଚ୍ଛାସେବୀ ଓ ନାଗରିକମାନେ ମିଳିତ ଭାବେ କାର୍ଯ୍ୟ କରିବା ଉଚିତ। ଓଡ଼ିଶାରେ ଏହି ମାନବାଧିକାର ଉଲ୍ଲଂଘନର ସମାଧାନ ଓ ନିରାକରଣ ପାଇଁ ବ୍ୟାପକ ଆଇନଗତ, ସାମାଜିକ ଓ ଶିକ୍ଷାଗତ ହସ୍ତକ୍ଷେପର ଆବଶ୍ୟକତା ରହିଛି।
ମୋ: ୮୪୫୬୮୭୯୫୨୨
ଗୁଣିଗାରେଡ଼ି ଓ ସାମାଜିକ ଅସମାନତା
ଅବଶ ପରିଡ଼ା
/sambad/media/post_attachments/wp-content/uploads/2024/07/jjdgjgjjdg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)