ସେବା ନିବୃତ୍ତ ହେଲା ପରେ ସୁରଞ୍ଜନ ବାବୁଙ୍କ ହାତରେ ଏବେ ପ୍ରଚୁର ସମୟ। ପ୍ରତ୍ୟହ ବନ୍ଧୁମାନଙ୍କ ଗହଣରେ କେବେ କଟକର ଐତିହାସିକ ସତୀଚଉରା ଛକରୁ ନରାଜକୁ ମନୋରମ ସୂର୍ଯ୍ୟାସ୍ତ ଦେଖିବାକୁ ତ କେବେ ଯୋବ୍ରା ଆନିକଟ ଠାରୁ ଗଡ଼ଗଡ଼ିଆ ଆଡ଼କୁ ତରଳ କଫି ପରି ଯେଉଁ ରାସ୍ତାଟି ଲମ୍ବିଯାଇଛି ସେଇ ଆଡ଼େ ମହାନଦୀ କୂଳେକୂଳେ ସଞ୍ଜୁଆ ପବନ ସେବନ କରିବା ଉଦ୍ଦେଶ୍ୟରେ ବାହାରି ଯାଆନ୍ତି। ମହାନଦୀର ନିସ୍ତରଙ୍ଗ ଜଳରାଶି ଦେଖିଦେଲେ ମନେ ପଡ଼ିଯାଏ ତାଙ୍କର ଆଦ୍ୟ କୈଶୋର ବେଳର କଥା, କିପରି ବାପାଙ୍କ ସାଥିରେ ସାଇକେଲରେ ସେ ମହାନଦୀରେ ନଈ ବଢ଼ି ଦେଖିବାକୁ ଆନିକଟ ପାଖକୁ ଆସୁଥିଲେ। ଲୋକଙ୍କ ଭିଡ଼ ଠେଲି ଗଲାବେଳେ ଅସ୍ଥାୟୀ ଦୋକାନଗୁଡ଼ିକରେ କିପରି ମେଳା ଲାଗିଥାଏ! ତା’ରି ଭିତରେ ବାପା ବୁଝାଇ ଦେଉଥିଲେ ବନ୍ୟାର ବିଭୀଷିକା, ଡଙ୍ଗା, ଡଅଁର, ଜାଲ ଓ ଜଳପରୀମାନଙ୍କ କଥା, ଯାହା ତାଙ୍କର କିଶୋର ମନକୁ ଆମୋଦିତ କରୁଥିଲା। କିନ୍ତୁ ପଦଚାରଣ କରୁକରୁ ମଇ ମାସର ମୁହଁଜଳା ଖରାରେ ମହାନଦୀର ଶୀର୍ଣ୍ଣ, ସଂକୁଚିତ ଜଳଧାର ଆଡ଼େ ଚାହିଁଦେଇ ଆଜି ସେ ବିଷଣ୍ଣ ଦିଶୁଥିଲେ। ଯେଉଁଠି ଦିନେ ଅକାତକାତ ପାଣି ଥିଲା, ଏବେ ସେଠି ମରୁଭୂମିର ଭ୍ରମ ସୃଷ୍ଟି ହେଉଛି। ବଡ଼ ଗଣ୍ଡ ସବୁ ପୋତି ହୋଇ ସେଠି କାଶତଣ୍ଡିର ବଣ ସୃଷ୍ଟି ହେଲାଣି, କେଉଁଠି ବାଲି ଉତ୍ତୋଳନ ପାଇଁ ବାଲି ମାଫିଆମାନେ ବନ୍ଧ ପକାଇ ନଦୀ ସ୍ରୋତକୁ ରୋକି ଦେଉଛନ୍ତି, ଫଳରେ ନଦୀର ଗତିପଥ ପରିବର୍ତ୍ତନ ସହ ଅନେକ କୂଳବର୍ତ୍ତୀ ଗ୍ରାମ ନଦୀର ‘ଆଁ’ ଭିତରକୁ ଚାଲିଗଲେଣି। କେଉଁଠି ନଦୀକୁ ନେଇ ଆନ୍ତଃରାଜ୍ୟ ସୀମା ବିବାଦ ମୁଣ୍ଡ ଟେକିଲାଣି ତ କେଉଁଠି ପ୍ରଗତି ନାଆଁରେ ସବୁଜ ଟ୍ରିବ୍ୟୁନାଲ୍ଙ୍କ ବାରଣ ସତ୍ତ୍ୱେ ମହାନଦୀର କୂଳକୁ ବାଲିରେ ପୋତା ଚାଲିଛି; ଇଏ କ’ଣ ସେଇ ମହାନଦୀ ଯାହାର ଗଡ଼ଗଡ଼ିଆ ଘାଟ ଠାରେ ଶ୍ରୀଚୈତନ୍ୟ ଦେବ, ତାଙ୍କ ଓଡ଼ିଶା ଆଗମନ କାଳରେ, ବାଲିରେ ଗଡ଼ିଯାଇ ତନ୍ମୟ ହୋଇ ଉଠିଥିଲେ? ଇଏ କ’ଣ ସେଇ ମହାନଦୀ ଯାହାକୁ ନେଇ ଖୋକା ଭାଇ (ଅକ୍ଷୟ ମହାନ୍ତି)ଙ୍କର “ଯା’ ଯା’ରେ ଭାସି ଭାସିଯା’, ନଉକା ମୋର ଭାସିଯା” ଗୀତଟି କୋଟି କୋଟି ଓଡ଼ିଆଙ୍କ ମୁଖରେ ମୁଖର ହୋଇ ଆମର ଗୌରବମୟ ଅତୀତକୁ ମନେ ପକାଇ ଦେଉଥିଲା?
ଏଇ ମହାନଦୀକୁ ଦେଖି ସୁରଞ୍ଜନ ବାବୁଙ୍କର ଆଦ୍ୟ ଯୌବନରେ ପଢ଼ିଥିବା ‘ମହାନଦୀରେ ଜ୍ୟୋତ୍ସ୍ନା ବିହାର’ର କେତୋଟି ପଙ୍କ୍ତି ମନେ ପଡୁଥିଲା। ଜହ୍ନ ରାତିରେ ନୌବିହାର କରୁକରୁ ନିସର୍ଗ ପ୍ରୀତିର ସନ୍ଧାନ ପାଇଥିବା ପ୍ରେମିକ କବି ମାନସିଂହଙ୍କ କଥା। ମହାନଦୀ ତାଙ୍କୁ ସତ୍ୟ, ଶିବର ମହାର୍ଘ ଅନୁଭବ କେବଳ ଦେଇ ନଥିଲା, ତାଙ୍କ କଳ୍ପନା ଚକ୍ଷୁରେ ଧରାଇ ଦେଇଥିଲା ଉତ୍କଳର ଇତିହାସ, କିପରି ରାଜକନ୍ୟାର ଯୌବନ ପଖଳା ଦେହର ଲାକ୍ଷା ରଞ୍ଜିତ ପାଦ ସ୍ପର୍ଶରେ ପାଷାଣ ପ୍ରାଣ ଉଲ୍ଲସି ଉଠିଥିଲା। ଚିରସ୍ରୋତା ମହାନଦୀରେ ପ୍ରକୃତିର ପ୍ରତିବିମ୍ବରେ ବିଭୋର କବିଙ୍କର କିପରି ମନେ ପଡ଼ି ଯାଉଥିଲା ଅତୀତର ଐଶ୍ୱର୍ଯ୍ୟମୟ ଛବି ଓ ଅବକ୍ଷୟରେ ବିଷଣ୍ଣ ତାଙ୍କର କବିପ୍ରାଣ:
‘‘ହାୟଲୋ ଉତ୍କଳଭୂମି! ପ୍ରକୃତି ସୁନ୍ଦର
ମନ୍ଦାକିନୀ ସମ ନଦୀ ଶିବ ସମ ଗିରି
କାନନେ କେଦାରେ ଲକ୍ଷ ଶୋଭାର ବହର
ଥାଉଁ ତୋର କହ କିମ୍ବା ଏତେ ହତଶିରୀ!”
ଏଇ ମହାନଦୀକୁ ନେଇ ମୁଣ୍ଡ ଟେକିଥିଲା ବିବାଦ ଓ ବିତର୍କର ଝଡ଼। ଛତିଶଗଡ଼ ସରକାର ଓଡ଼ିଶାକୁ ନ ଜଣାଇ ମହାନଦୀ ଉପର ମୁଣ୍ଡରେ ପ୍ରତିବନ୍ଧକ ଦୂରୀକରଣ ପ୍ରମାଣପତ୍ର ନଥିଲେ ସୁଦ୍ଧା ଛଅଟି ବ୍ୟାରେଜ୍ ନିର୍ମାଣ କରିଥିଲେ।
ଆଜି ଜଳ ଅବରୋଧ ଯୋଗୁଁ ଓଡ଼ିଶାବାସୀଙ୍କ ଦୁଃଖ ବଢ଼ିଯାଇଛି। ଜଳାଭାବ ଯୋଗୁଁ ଫସଲ ହାନି ଘଟି ଚାଲୁଛି, ବହୁ ଗ୍ରାମରେ ଉଠା ଜଳସେଚନ ପଏଣ୍ଟ ଅଚଳ ହୋଇପଡୁଛି, ମାତ୍ରାଧିକ ପ୍ରଦୂଷଣ ଯୋଗୁଁ ମତ୍ସ୍ୟଜୀବୀଙ୍କ ବେଉସା ବିପନ୍ନ ହୋଇପଡ଼ିଛି। ନଦୀରେ ବନ୍ୟା ନ ଆସିବାରୁ ଉପକୂଳ ମୃତ୍ତିକା ଅନୁର୍ବର ହେଉଛି ଏବଂ ପଟୁହୀନତା ଯୋଗୁଁ ଉତ୍ପାଦନ ହ୍ରାସ ପାଉଛି। ତଟାଞ୍ଚଳରେ ପନିପରିବା ଓ ଅନ୍ୟାନ୍ୟ ଫସଲ ସହରାଞ୍ଚଳକୁ ଚାହିଦା ମୁତାବକ ନିୟମିତ ଯୋଗାଇ ହେଉନାହିଁ।
ମହାନଦୀ ମାତ୍ରକେ ମନେ ପଡ଼ିଯାଏ ବାରବାଟୀ ଦୁର୍ଗ, କିଲ୍ଲା ପଡ଼ିଆ, ବାଲିଯାତ୍ରା, କାର୍ତ୍ତିକ ପୁନେଇଁର ଡଙ୍ଗାଭସା, କଟକ ସହରର ପୂର୍ବାଞ୍ଚଳରେ ଗଢ଼ି ଉଠିଥିବା ମହାନଦୀ ବିହାର, ଯୋବ୍ରା ଆନିକଟ, ନୌବାଣିଜ୍ୟ ସଂଗ୍ରହାଳୟ ଇତ୍ୟାଦି। ମହାନଦୀ ଘାଟରୁ ଶହଶହ ବୋଇତରେ ଦରିଆ ପାରି ଦେଶକୁ ସାଧବମାନେ ବାଣିଜ୍ୟ ଉଦ୍ଦେଶ୍ୟରେ ନେଉଥିଲେ ମସଲା, କାର୍ପାସ ବସ୍ତ୍ର, ତାରକସିର ସାମଗ୍ରୀ ଇତ୍ୟାଦି। ଏହି ମହାନଦୀ ଘାଟରୁ ଲଞ୍ଚ୍ ଯୋଗେ ଉତ୍କଳ ଗୌରବ ମଧୁସୂଦନ ଚାନ୍ଦବାଲି ଦେଇ ଯାଉଥିଲେ ସୁଦୂର କଲିକତା ବିଭିନ୍ନ ଦାପ୍ତରିକ ତଥା ଅଦାଲତି କାର୍ଯ୍ୟ ତଦାରଖ କରିବାପାଇଁ। ମହାନଦୀ ଯାଏ ବହି, କେତେ କଥା ଯାଏ କହି। ତା’ର କଥା ସରେନା, ତା’ର ଗୀତ ସରେନା। ଶାସକ-ଶାସିତ, ସମ୍ଭ୍ରାନ୍ତ-ସାଧାରଣ, ସନ୍ଥ-ସଇତାନ, ମୋଗଲ, ମରହଟ୍ଟା, ଇଂରେଜ, ପରିବ୍ରାଜକ, ଐତିହାସିକ ସମସ୍ତଙ୍କ ପାଇଁ ସେ ଯୁଗ ଯୁଗର ସଭ୍ୟତା ଓ ସଂସ୍କୃତିର ମୂକସାକ୍ଷୀ ହୋଇ ରହିଛି।
ସାନ୍ଧ୍ୟ ଭ୍ରମଣ ସାରି ଫେରିଲା ବେଳେ ସୁରଞ୍ଜନ ବାବୁ କ୍ଷୀଣ ଓ କୃଶାଙ୍ଗ ମହାନଦୀର ଜଳଧାର ଦେଖି ସ୍ୱଗତୋକ୍ତି କରୁଥିଲେ- ଏ ମହାନଦୀର ଗତିରୋଧ ନୁହେଁ, ତା’ର ଗଳାରୋଧ ହୋଇଛି ଯେମିତି।
ମୋ: ୯୪୩୭୦୦୦୬୩୬
ମଇ ଓ ମହାନଦୀ
ଧନଞ୍ଜୟ ସ୍ୱାଇଁ
/sambad/media/post_attachments/wp-content/uploads/2024/06/fhsfhsfshffh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)