ସ୍ବାଧୀନ ଭାରତର ତିନି ବଡ଼ ଭୁଲ୍‌

ଦେବୀ ପ୍ରସନ୍ନ ପଟ୍ଟନାୟକ

ସମସ୍ତେ କହୁଛନ୍ତି ଯୁବପିଢ଼ି ଆମର ଭବିଷ୍ୟତ। ଏହା ଯଥେଷ୍ଟ ନୁହେଁ। କାରଣ ଯୁବପିଢ଼ି ମଧ୍ୟ ଆମର ବର୍ତ୍ତମାନ। ବର୍ତ୍ତମାନକୁ ପାରଦର୍ଶୀ କରି ନରଖି ପାରିଲେ ଆମ ଭବିଷ୍ୟତ ଅନ୍ଧାର।
ସ୍ୱାଧୀନତା ପରବର୍ତ୍ତୀ ତିନିଟି ଭୁଲ୍‌ର ପରିଣାମ ଆମେ ଭୋଗୁଛେ। ପ୍ରଥମ ଭୁଲ୍‌ ହେଲା, ସାମ୍ରାଜ୍ୟବାଦୀ ଶିକ୍ଷା ବ୍ୟବସ୍ଥା ଯାହାର ପ୍ରବକ୍ତା ମ୍ୟାକ୍‌ଲେ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହି ବ୍ୟବସ୍ଥାରୁ ବାହାରୁଥିବା ଲୋକେ ଜନ୍ମରେ ଭାରତୀୟ ହେବେ ସିନା, ରୀତିନୀତି, ଚାଲିଚଳନ ଆଉ ମୂଲ୍ୟବୋଧରେ ଇଂରେଜ ହେବେ। ଗତ ୭୫ ବର୍ଷ ଧରି ଏହି ବ୍ୟବସ୍ଥାରୁ ବାହାରି ଯେଉଁ ଛାତ୍ରଛାତ୍ରୀ ବୁଦ୍ଧିଜୀବୀ, ପ୍ରଶାସକ, ଆଇନ ବ୍ୟବସ୍ଥା ଓ ଗଣମାଧ୍ୟମର ପ୍ରତିନିଧି ହେଉଛନ୍ତି, ସେମାନେ ପାଶ୍ଚାତ୍ୟ ଚଷମାରେ ନିଜକୁ ଓ ସମସ୍ତଙ୍କୁ ଦେଖୁଛନ୍ତି।
ଭାରତର ବହୁଭାଷିକତା ଓ ସାଂସ୍କୃତିକ ବିବିଧତାରେ ବିଚଳିତ ସାମ୍ରାଜ୍ୟବାଦୀ ଶାସକ ଇଂରେଜୀକୁ ଏକମାତ୍ର ଜ୍ଞାନ ଓ ବିକାଶର ଭାଷା ବୋଲି ଘୋଷଣା କଲେ। ଫଳରେ ଇଂରେଜୀ ଏକମାତ୍ର ରୋଜଗାରର ଭାଷା ହୋଇଗଲା। ଆମେ ଆମ ଭାଷା ଓ ସଂସ୍କୃତିକୁ ଅଣଦେଖା କରିବା ଆରମ୍ଭ କଲୁ। ଦ୍ବିତୀୟ ଭୁଲ୍‌ ଥିଲା ଇଂରେଜୀକୁ ରାଜଭାଷାର ମାନ୍ୟତା ଦେଇ। ଫଳରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ସରକାରୀ କାର୍ଯ୍ୟରେ ଏହା ଏକମାତ୍ର ସମ୍ପର୍କର ଭାଷା ହୋଇଗଲା। ଏହା ଶିକ୍ଷା, ଶାସନ ଓ ସଂଚାରର ମାଧ୍ୟମ ହେଲା।
ଗାନ୍ଧୀ ଯେତେବେଳେ ଦକ୍ଷିଣ ଆଫ୍ରିକାରୁ ଫେରି ଭାରତୀୟ ରାଜନୀତିରେ ଯୋଗ ଦେବାକୁ ଆସିଲେ, ସେତେବେଳେ ତିଳକ ତାଙ୍କୁ ପରାମର୍ଶ ଦେଇ କହିଥିଲେ- ପ୍ରଥମେ ଭାରତକୁ ଚିହ୍ନ; ତା’ ପରେ ରାଜନୀତିରେ ଭାଗ ନେବ। ତିଳକଙ୍କ କଥା ମାନି ଗାନ୍ଧୀ ଦୁଇ ବର୍ଷ କାଳ ଭାରତର ଅନ୍ଦିକନ୍ଦି ବୁଲି ଦେଖିଲେ। ତା’ ପରେ ସେ ଏଇ ନିଷ୍କର୍ଷରେ ପହଞ୍ଚିଥିଲେ ଯେ ଭାରତୀୟ ସଂସ୍କୃତି ତା’ର ସାତ ଲକ୍ଷ ଗାଁରେ ବଞ୍ଚିଛି। ସେ ଗ୍ରାମ ସ୍ୱରାଜ ଓ ହିନ୍ଦ ସ୍ୱରାଜ ବହି ଲେଖିଲେ। ସ୍ଥାନୀୟତାକୁ ବିଶ୍ୱ ସାଙ୍ଗରେ ଯୋଡ଼ିବାକୁ ଆହ୍ୱାନ ଦେଲେ। ଏହା ପାରମ୍ପରିକ ଭାରତୀୟ ଚିନ୍ତନର ପ୍ରତିଫଳନ।
ସ୍ୱାଧୀନତା ପର ପ୍ରଥମ ମନ୍ତ୍ରିମଣ୍ଡଳରେ ଗ୍ରାମ ଉନ୍ନୟନ ପରିବର୍ତ୍ତେ ନଗର ଉନ୍ନୟନ ବିଭାଗ ରଖାଯିବା ଥିଲା ତୃତୀୟ ଭୁଲ୍‌। ସେହି ଦିନ ଠାରୁ ଗାଁ ଲୋକେ ସହରମୁହାଁ ହେଲେ। ଭାରତରେ ଗଣତନ୍ତ୍ରର ପ୍ରଚାର, ପ୍ରସାର ଓ ବିକାଶ ସହିତ ତା’ର ସଂକୋଚନର ମଞ୍ଜି ମଧ୍ୟ ପୋତାହେଲା।
କୃଷି ଲାଭଜନକ ହେଉ ନଥିବାରୁ ଆଜିକାଲି ଅଳ୍ପ ପାଠୁଆ ଯୁବକ ଦାଦନ ଶ୍ରମିକ ହୋଇ ଚାଲିଯାଉଛନ୍ତି। ଉଚ୍ଚ ଶିକ୍ଷିତ ପିଢ଼ି ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଆପଣା ପାଠର ମୂଲ୍ୟ ଖୋଜୁଛନ୍ତି। ବେକାରି ଓ ଆର୍ଥିକ ପ୍ରତିଯୋଗିତାରେ ପରାଭୂତ ଯୁବପିଢ଼ିଙ୍କ ଅବସ୍ଥା କହିଲେ ନ ସରେ। ଦେଶରେ ବେକାରି ବଢ଼ିବଢ଼ି ଚାଲିଛି।
ମାତୃଭାଷା, ଆଞ୍ଚଳିକ ଭାଷା, ରାଜ୍ୟ ଭାଷା ଓ ଆନ୍ତର୍ଜାତିକ ଭାଷା ମଧ୍ୟରେ ସମନ୍ବୟର ଅଭାବ ହେତୁ ମାନବିକ ଅଧିକାର ତ ଦୂରର କଥା, ସାମାଜିକ ଅଧିକାର ଓ ବ୍ୟକ୍ତିଗତ ଅଧିକାରର ସଂରକ୍ଷଣ ଅସମ୍ଭବ ହୋଇ ଉଠୁଛି। ଯେଉଁଠି ଶିକ୍ଷା, ଶାସନ ଓ ସଂଚାରର ଭାଷା ଇଂରେଜୀ, ସେଠାରେ ବହୁଭାଷିକ ସମାଜର ଗୋଟିଏ ଅପାଠୁଆ ଆଦିବାସୀ କି ପ୍ରକାର ନ୍ୟାୟ ବିଚାର ଆଶା କରିବ? ମୁଖ୍ୟ ସ୍ରୋତରେ ମିଶେଇବା ନାମରେ ଆମେ ଆଦିବାସୀ ପିଲାଙ୍କୁ ବିଦେଶୀ ଭାଷା ମାଧ୍ୟମରେ ଆମ ସଂସ୍କୃତି ବିଷୟ ପଢ଼େଇବା ଫଳରେ ତାଙ୍କ ଭାଷା ଓ ସଂସ୍କୃତି ମରଣମୁହାଁ ହେଲାଣି।
ଆଜିର ଯୁବପିଢ଼ି ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି ସେଥି ପାଇଁ ଆମ ପିଢ଼ି ଦାୟୀ। ଆମେ ଆମ ପିଲାଙ୍କୁ ଯେଉଁ ବଡ଼ଲୋକ ହେବାର ପ୍ରତିଯୋଗିତାରେ ଓହ୍ଲେଇବା ପାଇଁ ପ୍ରସ୍ତୁତ କରୁଛୁ, ସେଠି ବଡ଼ଲୋକର ଅର୍ଥ ବଡ଼ ମଣିଷ ହେବା ନୁହେଁ; ଏହାର ଅର୍ଥ ବହୁତ ସମ୍ପତ୍ତି ଓ କ୍ଷମତା ଠୁଳ କରିବା। ଏଠି ମୂଲ୍ୟବୋଧ ଶିକ୍ଷାର ସ୍ଥାନ ନାହିଁ। ଆମ ଯୌଥ ପରିବାର ଭାଙ୍ଗି ଏକକ ପରିବାର ହେଲା। ଏବେ ଏକକ ପରିବାର ଭାଙ୍ଗି ବିଦ୍ୟାର୍ଜନ କିମ୍ବା ଅର୍ଥୋପାର୍ଜନ ପାଇଁ ବାପା, ମା, ପିଲାମାନେ ବିଭିନ୍ନ ଜାଗାରେ ରହୁଛନ୍ତି। ଏଥିରେ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧ ଶିଖାଇବ କିଏ? କାହାକୁ? କେମିତି? ଓ କେତେବେଳେ?
ଆଗ କାଳରେ ଆଚରଣ ଓ ଉଚ୍ଚାରଣର ସମନ୍ୱୟ ମୂଲ୍ୟବୋଧ ଶିକ୍ଷାର ପ୍ରଧାନ ମାଧ୍ୟମ ଥିଲା। ଆଜିକାଲି ବଡ଼ ହେବା ପାଇଁ ଉଭୟ କ୍ଷେତ୍ରରେ ବିଭ୍ରାଟ। ଆଗ କାଳରେ ସମାଜ ମଙ୍ଗଳ ଅର୍ଥନୀତି ଥିଲା। ତାହା ବଦଳି ପୁଞ୍ଜିବାଦୀ ଅର୍ଥନୀତି ହେଲା। ପୁଣି ତାହା ବଦଳି କର୍ପୋରେଟ୍‌ ଅର୍ଥନୀତି ହେଲା। ପ୍ରତ୍ୟେକ ସ୍ତରରେ ଅଳ୍ପ ଲୋକଙ୍କ ହାତରେ ବହୁ ସମ୍ପତି ଠୁଳ ହେଲା। ଆଜି ଦଶ ପ୍ରତିଶତ ଲୋକଙ୍କ ହାତରେ ଅଶି ପ୍ରତିଶତ ସମ୍ପତ୍ତି ଠୁଳ ହୋଇଛି। ଗୋଟିଏ ପଟେ ଗଣତନ୍ତ୍ର, ସମାଜବାଦ, ମାନବବାଦ କଥା କହିଲା ବେଳେ ଆମେ ଜଣତନ୍ତ୍ର ଓ ଏକଛତ୍ରବାଦ ଆଡ଼କୁ ପାଦେ ପାଦେ ଆଗୋଉଛୁ। ଏହା ହେଉଛି ଆମ ଉଚ୍ଚାରଣ ଏବଂ ଆଚରଣରେ ଦୃଶ୍ୟମାନ ପ୍ରଭେଦ। ବର୍ତ୍ତମାନ ବିଶ୍ୱ ଆଗରେ ବଡ଼ ଆହ୍ୱାନ ହେଉଛି ଭଲ ମଣିଷ ତିଆରି କରିବା; ପାରସ୍ପରିକତା, ପରିପୂରକତା ଓ ଭାଇଚାରା ଭିତ୍ତିରେ ମଣିଷ ସମାଜ ଗଢ଼ିବା ପାଇଁ ସଂକଳ୍ପ ନେବା ଏବଂ ବର୍ତ୍ତମାନର ଯୁବପିଢ଼ିକୁ ଅତୀତର ପରମ୍ପରା ବିଷୟରେ ସଚେତନ କରାଇ ଭବିଷ୍ୟତ ସୁସ୍ଥ ସମାଜର ସମ୍ଭାବନା ବିଷୟରେ ସ୍ବପ୍ନ ଦେଖେଇବା। ଏହି ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିବ।
ମୋ: ୯୪୩୭୫୬୫୦୬୨

ସମ୍ବନ୍ଧିତ ଖବର