ଉଭୟ କେନ୍ଦ୍ର ଓ ଓଡ଼ିଶାରେ ନୂଆ ସରକାର ଏକ ସକାରାତ୍ମକ ପରିବର୍ତ୍ତନ ଆଣିବେ ବୋଲି ଆମେ ସଭିଏଁ ଆଶାବାଦୀ। ସମାଜବିଜ୍ଞାନୀଙ୍କ ମତରେ ୨୦୨୪ ନିର୍ବାଚନର ଫଳାଫଳ ହେଉଛି ଏକ ‘ଆଦର୍ଶ ପରିବର୍ତ୍ତନ।’ ଏହି ନିର୍ବାଚନର ସବୁଠାରୁ ପ୍ରମୁଖ ସଂଶ୍ଳେଷଣ ହେଉଛି ସାଧାରଣ ଲୋକଙ୍କ ସଂପୃକ୍ତି। ଗରିବ, ଶ୍ରମିକ, ନିମ୍ନ ଆୟବର୍ଗ, ଗ୍ରାମୀଣ ଓ ମହିଳାମାନଙ୍କ ମତଦାନ ଜରିଆରେ ହିଁ ଆମ ଦେଶର ଗଣତାନ୍ତ୍ରିକ ଢାଞ୍ଚା ଅକ୍ଷୁଣ୍ଣ ଅଛି। ତେଣୁ ଗଣତାନ୍ତ୍ରିକ ବିକାଶ ପାଇଁ ଆମର ଆକାଂକ୍ଷା ହେଉଛି ଉପେକ୍ଷିତ ସମୁଦାୟଙ୍କ ଦ୍ୱାରା ପରିଚାଳିତ ଏକ ପରିବର୍ତ୍ତନ।
ବିଡ଼ମ୍ବନା ଯେ ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ ସାଧାରଣ ଜନତାଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗମାନଙ୍କୁ ଅଣଦେଖା କରାଯାଇଛି। ଉଦାହରଣ ସ୍ୱରୂପ ଶ୍ରମିକଙ୍କ ଉପରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ, ସଡ଼କ ଦୁର୍ଘଟଣାରେ କ୍ଷତିଗ୍ରସ୍ତ ନିମ୍ନ ଆୟ ପରିବାରର ଦୁର୍ଦ୍ଦଶା ଓ ମହାମାରୀ ପ୍ରସ୍ତୁତି ଭଳି ପ୍ରସଙ୍ଗକୁ ନେଇ ନିର୍ବାଚନ ସମୟରେ କୌଣସି ରାଜନୈତିକ ବିତର୍କ ହେଲା ଭଳି ଲାଗିଲା ନାହିଁ। ଏହିସବୁ ସମସ୍ୟା ଆମ ଦେଶ ପାଇଁ ନିରବ ସଙ୍କଟ।
ଭାରତରେ ଗ୍ରୀଷ୍ମ ପ୍ରବାହର ବାରମ୍ବାରତା, ତୀବ୍ରତା ଓ ଅବଧିକୁ ଯଥାସମ୍ଭବ ଧ୍ୟାନ ମିଳିନାହିଁ। ଜଳବାୟୁ ପରିବର୍ତ୍ତନ ଆଉ ବିରଳ ଘଟଣା ହୋଇ ନାହିଁ, ବରଂ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ମୂଳତଃ ନିମ୍ନ ଆୟକାରୀ ସମୁଦାୟ, ଅବହେଳିତ ଗୋଷ୍ଠୀ ଓ ବିକାଶଶୀଳ ରାଷ୍ଟ୍ରମାନେ ଏହା ଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି।
ବିଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟାମୋଟି ଏକ-ତୃତୀୟାଂଶ ଶ୍ରମିକ ଗ୍ରୀଷ୍ମ ପ୍ରବାହ ସଂସ୍ପର୍ଶରେ ଆସିଛନ୍ତି। ଚଳିତ ବର୍ଷ ଦେଶରେ ୧୬,୩୪୪ ସନ୍ଦିଗ୍ଧ ଅଂଶୁଘାତର ମାମଲା ସାମ୍ନାକୁ ଆସିଥିଲା। ନ୍ୟାସନାଲ୍ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ (ଏନ୍ସିଡିସି)ର ତଥ୍ୟ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ମେ ମାସ ଶେଷ ସୁଦ୍ଧା ଗ୍ରୀଷ୍ମ ପ୍ରବାହରେ ୬୦ ଜଣଙ୍କ ମୃତ୍ୟୁ ଘଟିଛି। ଭାରତର ସମୁଦାୟ ଶ୍ରମ ଶକ୍ତିର ୪୯% ଶ୍ରମିକ ବାହ୍ୟ କାର୍ଯ୍ୟରେ ନିୟୋଜିତ। ତେଣୁ ଗ୍ରୀଷ୍ମ ପ୍ରବାହ ବିଭିନ୍ନ ବର୍ଗର ଶ୍ରମିକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ସର୍ବାଧିକ।
ଜଳବାୟୁ ଆଲୋଚନାରେ ଅଣଦେଖା କରାଯାଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଶ୍ରମ ଅଧିକାର। ଭାରତରେ ଜଳବାୟୁ ପରିବର୍ତ୍ତନ, ଗ୍ରୀଷ୍ମ ପ୍ରବାହ, ବୃତ୍ତିଗତ ନିରାପତ୍ତା ଓ ସ୍ୱାସ୍ଥ୍ୟ ନେଇ କୌଣସି ଠୋସ୍ ନୀତି ନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା ନୀତି ଓ ଆକ୍ସନ୍ ପ୍ଲାନ୍ରେ ଗ୍ରୀଷ୍ମ ପ୍ରବାହକୁ ସ୍ୱୀକୃତି ଦିଆଯାଇଥିବା ବେଳେ ଚଳିତ ବର୍ଷର ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ବିପର୍ଯ୍ୟୟ ପରିସ୍ଥିତି ଭାବେ ଘୋଷଣା କରିବାର ଆବଶ୍ୟକତା ଅଛି। ଏହି ସଙ୍କଟର ସମାଧାନ ହେଉଛି ଜଳବାୟୁ ନ୍ୟାୟ ବା କ୍ଲାଇମେଟ୍ ଜଷ୍ଟିସ୍। ଜଳବାୟୁ ନ୍ୟାୟର ଲକ୍ଷ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ଗୋଷ୍ଠୀଙ୍କୁ ଆବଶ୍ୟକ ସାମାଜିକ ସମର୍ଥନ ଓ ଅର୍ଥନୈତିକ ସୁରକ୍ଷା ଯୋଗାଇଦେବା। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ଜଳବାୟୁ ନ୍ୟାୟ ଓ ଶ୍ରମ ଅଧିକାର ନେଇ କୌଣସି ବିଶେଷ ଆଲୋଚନା ହୋଇନଥିଲା।
ସେହିପରି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଭାରତରେ ସଡ଼କ ଦୁର୍ଘଟଣା ଯୋଗୁଁ ଦୈନିକ ୪୦୦ ଜଣଙ୍କ ମୃତ୍ୟୁ ଘଟୁଛି। ଆମ ଦେଶରେ ବିଶ୍ୱର ମାତ୍ର ୧% ଯାନ ଅଛି କିନ୍ତୁ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୧୧% ଓ ବିଶ୍ୱର ମୋଟ ସଡ଼କ ଦୁର୍ଘଟଣାର ୬% ଭାରତରେ ହୋଇଥାଏ। ଏକ ଦଶନ୍ଧି ମଧ୍ୟରେ ଭାରତରେ ପ୍ରାୟ ୧୩ ଲକ୍ଷ ଲୋକଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ‘ଭାରତରେ ସଡ଼କ ଦୁର୍ଘଟଣା-୨୦୨୨’ ରିପୋର୍ଟ ଅନୁଯାୟୀ, ୨୦୨୨ ମସିହାରେ ଭାରତରେ ମୋଟାମୋଟି ୪. ୭ ଲକ୍ଷ ସଡ଼କ ଦୁର୍ଘଟଣା ଘଟିଛି। ଭାରତରେ ଦରିଦ୍ର ଶ୍ରେଣୀ ଉପରେ ସଡ଼କ ଦୁର୍ଘଟଣାର ଅନିୟମିତ ପ୍ରଭାବ ପଡ଼ିଥାଏ। ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରାୟ ୭୫% ଗରିବ ପରିବାରର ଆୟରେ ଦ୍ରୁତ ହ୍ରାସ ହୁଏ। ସଡ଼କ ଦୁର୍ଘଟଣାରେ ପ୍ରାୟ ୬୮ ପ୍ରତିଶତ ମୃତ୍ୟୁ ଗ୍ରାମାଞ୍ଚଳରେ ହୋଇଥାଏ। ଧନୀଙ୍କ ତୁଳନାରେ ଗରିବଙ୍କ ମୃତ୍ୟୁ ସଂଖ୍ୟା ଓ ଶାରୀରିକ ଅକ୍ଷମଙ୍କ ସଂଖ୍ୟା ଦୁଇଗୁଣ। ତେଣୁ ସଡ଼କ ଦୁର୍ଘଟଣା ଯୋଗୁଁ ଶାରୀରିକ ଭାବେ ଭିନ୍ନକ୍ଷମ ହୋଇଥିବା ବ୍ୟକ୍ତିବିଶେଷଙ୍କ ଆବଶ୍ୟକତା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରି। ନଚେତ୍ ଏହା ସିଧାସଳଖ ଦେଶର ଜିଡିପିକୁ ପ୍ରଭାବିତ କରିବା ସହ ଦାରିଦ୍ର୍ୟର ଦୁଷ୍ଟଚକ୍ରକୁ ମଧ୍ୟ ପ୍ରୋତ୍ସାହିତ କରିବ।
କରୋନା ମହାମାରୀ ସମୟରେ ଗ୍ରାମୀଣ, ପ୍ରବାସୀ ଓ ଗରିବ ଲୋକମାନେ ଅଧିକ ପ୍ରଭାବିତ ହୋଇଥିଲେ। ସେଥିପାଇଁ ନିମ୍ନ ଆୟବର୍ଗଙ୍କ ପାଇଁ ମହାମାରୀ ପ୍ରସ୍ତୁତି ଜରୁରି। ଭବିଷ୍ୟତର ମହାମାରୀର ବିପଦରୁ ରକ୍ଷା କରିବା ଭଳି ପ୍ରସଙ୍ଗ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏଗୁଡ଼ିକୁ ନିର୍ବାଚନରେ କମ୍ ଆଲୋଚନା କରାଯାଇଥିଲା ଅଥବା ସଂପୂର୍ଣ୍ଣ ଅଣଦେଖା କରାଯାଇଥିଲା।
ସୁତରାଂ ଏହିସବୁ ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତା ଦେବା ଅପରିହାର୍ଯ୍ୟ। କାରଣ ଏସବୁରେ ନିହିତ ଅଛି ଅବହେଳିତ ଗୋଷ୍ଠୀଙ୍କ କଲ୍ୟାଣ ଓ ମର୍ଯ୍ୟାଦା ପ୍ରତି ଥିବା ଆମର ସାମାଜିକ ଓ ରାଜନୈତିକ ପ୍ରତିବଦ୍ଧତା।
ମୋ: ୮୪୫୬୮୭୯୫୨୨
ଅବହେଳିତ ପ୍ରସଙ୍ଗର ମାନବିକ ମୂଲ୍ୟ
ଅବଶ ପରିଡ଼ା