ଢିଙ୍କିଶାଳରୁ ଢେଙ୍କାନାଳ: ବିଚରା ସ୍ଥାନୀୟ ସାମ୍ବାଦିକ!

ସନ୍ଦୀପ ସାହୁ

ନିର୍ବାଚନ ସମୟ ଆସିଲେ ‘ତାରକା’ମାନେ ନଭମଣ୍ଡଳ ଛାଡ଼ି ଧରାପୃଷ୍ଠରେ ଅବତରଣ କରନ୍ତି।
ଏଠି ‘ତାରକା’ମାନେ ହେଲେ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟରତ ତାରକା ସାମ୍ବାଦିକ ଯେଉଁମାନଙ୍କୁ ନିର୍ବାଚନ ସମୟରେ ଖବର ସଂଗ୍ରହ ପାଇଁ ସଂସ୍ଥା ତରଫରୁ ମଇଦାନକୁ ପଠାଯାଏ। ଏ ବ୍ୟବସ୍ଥା ଉଭୟ ଜାତୀୟ ଓ ରାଜ୍ୟ ସ୍ତରୀୟ ଗଣମାଧ୍ୟମ ସଂସ୍ଥାରେ ସମାନ ଭାବେ ପରିଲକ୍ଷିତ ହୁଏ। ପ୍ରାୟ ଚାରି ଦଶନ୍ଧି ଦୀର୍ଘ ନିଜ ସାମ୍ବାଦିକତା ଜୀବନରେ ମୁଁ ଆଜି ପର୍ଯ୍ୟନ୍ତ ବୁଝି ପାରିଲି ନାହିଁ ଯେ ଏଭଳି କାହିଁକି କରାଯାଏ? ବର୍ଷ ତମାମ ବିଚରା ସ୍ଥାନୀୟ ରିପୋର୍ଟର୍‌ଟି କମ୍‌ ପାରିଶ୍ରମିକରେ ଖରା, ତରାରେ ଦିନରାତି ଖଟି ସଂସ୍ଥା ପାଇଁ ଖବର ସଂଗ୍ରହ କରିବ। କିନ୍ତୁ ନିର୍ବାଚନ ସମୟ – ଯାହାକି ସବୁ ସାମ୍ବାଦିକଙ୍କ ପାଇଁ ସବୁଠାରୁ ପ୍ରତୀକ୍ଷିତ ସମୟ – ଆସିଗଲେ ଆଉ ଜଣେ ଆସି ବାହାବା ନେଇଯିବ ଏବଂ ଅସହାୟ ସ୍ଥାନୀୟ ରିପୋର୍ଟର କର୍ମକୁ ଆଦରି, କପାଳରେ କର ମାରି ନିରବରେ ଏହାକୁ ସହ୍ୟ କରିବ। ଏହା କି ପ୍ରକାର ବ୍ୟବସ୍ଥା ଏବଂ କିଏ ଏହାକୁ ଆରମ୍ଭ କରିଛି, ସେକଥା କେହି ଜାଣିନାହିଁ।
ସ୍ଥାନୀୟ ରିପୋର୍ଟର ନିଜ ତାରକା ଅତିଥିଙ୍କ ପାଇଁ ସବୁ କରିବ। ଯଦି ସ୍ଥାନୀୟ ରିପୋର୍ଟର ଜଣକ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ପାଇଁ କାମ କରୁଥାଏ, ତେବେ ସେ ହାତରେ ନିଜ ତାରକା ଅତିଥିଙ୍କ ନାଁ ଲେଖା ହୋଇଥିବା ପ୍ଲାକାର୍ଡ ଧରି ଭୁବନେଶ୍ୱର ବିମାନ ବନ୍ଦରରେ ଅପେକ୍ଷା କରିବ। ପୂର୍ବରୁ ତାଙ୍କ ପାଇଁ ବୁକ୍ କରିଥିବା ଗାଡ଼ିରେ ପୂର୍ବରୁ ଠିକ୍ ହୋଇଥିବା ହୋଟେଲକୁ ନେଇ ଯିବ। ଜିଲ୍ଲା ବା ସବ୍‌ଡିଭିଜନ୍‌ ସ୍ତରୀୟ ସାମ୍ବାଦିକ ହୋଇଥିଲେ ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ରାଜ୍ୟ ରାଜଧାନୀରୁ ଆସୁଥିବା ନିଜ ଭି.ଆଇ.ପି. ଅତିଥିଙ୍କୁ ଅପେକ୍ଷା କରିଥିବ। ଅତିଥି ଜଣକ କୁଆଡ଼େ ଯିବାକୁ ଚାହୁଛନ୍ତି ଜାଣିଲା ପରେ ସେ ଅଞ୍ଚଳକୁ ଯିବାପାଇଁ ଯୋଜନା ପ୍ରସ୍ତୁତ କରିବ ଓ ପ୍ରସ୍ଥାନ ସମୟର ଯଥେଷ୍ଟ ପୂର୍ବରୁ ଆସି ତାରକା ରିପୋର୍ଟର୍‌ ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରିବ। ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ପରେ ଅତିଥିଙ୍କ ବରାଦ ଅନୁଯାୟୀ ନିର୍ଦ୍ଦିଷ୍ଟ ବର୍ଗର – ଯଥା ବୟସ୍କ, ମହିଳା, ଯୁବକ, ଯୁବତୀ, ଭିନ୍ନକ୍ଷମ, ତୃତୀୟ ଲିଙ୍ଗ – ଲୋକ ଯୋଗାଡ଼ କରିବ; ସେମାନେ କଥା ହେବାପାଇଁ/କ୍ୟାମେରା ଆଗରେ କହିବା ପାଇଁ ଅମଙ୍ଗ ହେଉଥିଲେ ତାଙ୍କୁ ବୁଝାଇ ଶୁଝାଇ ରାଜି କରାଇବ। ଅତିଥି ଜଣକ ଯେଉଁ ସ୍ଥାନୀୟ ନେତାଙ୍କୁ ଦେଖା କରିବାକୁ ଚାହୁଛନ୍ତି, ତାଙ୍କ ସହ ଆଗରୁ କଥା ହେଇ ସାକ୍ଷାତକାର ପାଇଁ ସମୟ ନିର୍ଦ୍ଧାରଣ କରିବ। ଅତିଥି କାହାରିକୁ ଜାଣି ନ ଥିଲେ କେଉଁ ନେତାଙ୍କୁ ଭେଟିବା ଉଚିତ ହେବ, ସେ ବିଷୟରେ ତାଙ୍କୁ ପରାମର୍ଶ ଦେବା ସହିତ ସଂପୃକ୍ତ ନେତାଙ୍କ ସହ ସାକ୍ଷାତକାରର ସମୟ ନିର୍ଘଣ୍ଟ ସ୍ଥିର କରିବ ଓ ଠିକ୍ ସମୟରେ ଅତିଥିଙ୍କୁ ତାଙ୍କ ପାଖରେ ନେଇ ପହଞ୍ଚାଇବ। ରିପୋର୍ଟ ପାଇଁ ଆବଶ୍ୟକ ହେଉଥିବା ଷ୍ଟକ୍ (ଫାଇଲ) ଫଟୋ ବା ଭିଡିଓ ଯୋଗାଡ଼ କରିବା ମଧ୍ୟ ସ୍ଥାନୀୟ ରିପୋର୍ଟରର ଦାୟିତ୍ବ।
ଇଏ ତ ଗଲା ରିପୋର୍ଟିଂ ସମ୍ପର୍କିତ କାମ। ଏହାଛଡ଼ା ମଧ୍ୟ ଅନ୍ୟ ଅନେକ ଏମିତି ‘ସେବା’ ଅଛି, ଯାହା ସ୍ଥାନୀୟ ସାମ୍ବାଦିକକୁ ନିଜ ଅତିଥିଙ୍କୁ ଯୋଗାଇ ଦେବାକୁ ପଡ଼େ। ଏଇ ଧରନ୍ତୁ ତାରକା ଅତିଥିଙ୍କର ଜୋତା ବା ଚପଲ୍ ଛିଣ୍ଡିଗଲା, ତା’ର ମରାମତି ପାଇଁ ଅତିଥିଙ୍କୁ ମୋଚି ପାଖକୁ ନେଇଯିବା (ବା ନିଜେ ମରାମତି କରେଇ ଆଣିବା)। ଯଦି ବାହାରୁ ଆସିଥିବା ‘ସେଲିବ୍ରିଟି’ ସାମ୍ବାଦିକଙ୍କ ମୋବାଇଲ ଫୋନ ସଂପୃକ୍ତ ଅଞ୍ଚଳରେ କାମ କରୁନାହିଁ, ତେବେ ତାଙ୍କ ପାଇଁ ନୂଆ ସିମ୍‌ କାର୍ଡଟିଏ କିଣେଇ ଦେବା। ‘ତାରକା’ ସାମ୍ବାଦିକଙ୍କ ପସନ୍ଦର ଖାଦ୍ୟ, ପାନୀୟ ବା ସିଗାରେଟ୍‌ ଯୋଗାଇ ଦେବା, ସେ ଇଚ୍ଛା ପ୍ରକାଶ କଲେ ତାଙ୍କୁ ସେ ଅଞ୍ଚଳର ଦର୍ଶନୀୟ ସ୍ଥାନ ବୁଲେଇ ନେବା ଇତ୍ୟାଦି ମଧ୍ୟ ସ୍ଥାନୀୟ ରିପୋର୍ଟର୍‌ର ଦାୟିତ୍ୱର ଅଂଶବିଶେଷ। ଅତିଥି ଜଣକ ମହିଳା ହୋଇଥିଲେ ସ୍ଥାନୀୟ ରିପୋର୍ଟର୍‌ଟିର ଦାୟିତ୍ବ ଆହୁରି ବଢ଼ିଯାଏ। ଅତିଥି ଜଣକ ତା’ ଅଞ୍ଚଳରେ ଥିବା ପର୍ଯ୍ୟନ୍ତ ତାଙ୍କର ପ୍ରତ୍ୟେକ ଆବଶ୍ୟକତା ଯଥାଶୀଘ୍ର ପୂରଣ କରିବା ସ୍ଥାନୀୟ ସାମ୍ବାଦିକ ପାଇଁ ପରମ କର୍ତ୍ତବ୍ୟ ପାଲଟିଯାଏ। ସେଇ ସମୟ ଭିତରେ ତାକୁ କେବଳ ନିଜର ବୃତ୍ତିଗତ ଓ ପାରିବାରିକ ଦାୟିତ୍ବ ନୁହେଁ, ନିଜ ଘର, ପରିବାର, ସାଙ୍ଗ ସାଥୀ ସମସ୍ତଙ୍କୁ ଭୁଲି ଯିବାକୁ ପଡ଼େ। ଯେଉଁ ରିପୋର୍ଟ ସେ ନିଜେ (ଓ ସମ୍ଭବତଃ ଯଥେଷ୍ଟ ଭଲ ଭାବରେ) କରି ପାରନ୍ତା, ସେଇ ରିପୋର୍ଟ ପାଇଁ ତାକୁ ଅନ୍ୟକୁ ସାହାଯ୍ୟ କରିବାକୁ ପଡ଼େ।
ଏସବୁ ନିଶ୍ଚିତ ଭାବେ ସ୍ଥାନୀୟ ରିପୋର୍ଟର ଜଣକ ପାଇଁ ଅତ୍ୟନ୍ତ ଅପମାନଜନକ କାର୍ଯ୍ୟ। କିନ୍ତୁ ଜଣେ ପେସାଦାର ସାମ୍ବାଦିକ ଭାବେ ଯେଉଁ କଥାଟି ତାକୁ ସବୁଠାରୁ ଅଧିକ କଷ୍ଟ ଦିଏ ତାହା ହେଲା ତାରକା ରିପୋର୍ଟର୍‌ଙ୍କ ରିପୋର୍ଟ ପାଇଁ ଆବଶ୍ୟକ ପଡୁଥିବା ସମସ୍ତ ତଥ୍ୟ, ପରିସଂଖ୍ୟାନ ଓ ଅନ୍ତର୍ଦୃଷ୍ଟି ମଧ୍ୟ ତାକୁ ହିଁ ଯୋଗାଇ ଦେବାକୁ ପଡ଼େ। ଅନେକ ସମୟରେ ବାହାରୁ ଆସିଥିବା ଲୋକଟି ସ୍ଥାନୀୟ ପ୍ରସଙ୍ଗ, ସ୍ଥାନୀୟ ରାଜନୈତିକ ସମୀକରଣ ସମ୍ପର୍କରେ କିଛି ଜାଣି ନ ଥାଏ। ତେଣୁ ଏସବୁ ପାଇଁ ସେ ସ୍ଥାନୀୟ ରିପୋର୍ଟର୍‌ଟି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରେ। କିନ୍ତୁ ଏସବୁ ସେବା ପାଇଁ ତାକୁ ନା ମିଳେ ପାରିଶ୍ରମିକ ନା ଶ୍ରେୟ। ସବୁ କାମ କରେ ସ୍ଥାନୀୟ ରିପୋର୍ଟର; କିନ୍ତୁ ଶ୍ରେୟ ନେଇଯାଏ ବହିରାଗତ ଅତିଥି। ଅବଶ୍ୟ ଅତିଥି ଜଣକ ସମ୍ବେଦନଶୀଳ ବ୍ୟକ୍ତିଟିଏ ହୋଇଥିଲେ ବେଳେବେଳେ ନିଜ ରିପୋର୍ଟରେ ତାଙ୍କୁ ସାହାଯ୍ୟ କରିଥିବା ସ୍ଥାନୀୟ ରିପୋର୍ଟର୍‌ଙ୍କ ନାମ ଉଲ୍ଲେଖ କରି ଦିଅନ୍ତି ବା କିଛି ପାରିଶ୍ରମିକ ମଧ୍ୟ ଦିଅନ୍ତି। କିନ୍ତୁ ଏଭଳି ଲୋକଙ୍କ ସଂଖ୍ୟା ନଗଣ୍ୟ। ଅଧିକାଂଶ ଅତିଥି ରିପୋର୍ଟର୍‌ ଭାବନ୍ତି ନିଜର ସମସ୍ତ ପ୍ରକାର ଆବଶ୍ୟକତା (ଉଭୟ ବୃତ୍ତିଗତ ଓ ବ୍ୟକ୍ତିଗତ) ପାଇଁ ସ୍ଥାନୀୟ ରିପୋର୍ଟର୍‌ ଉପରେ ନିର୍ଭର କରିବା ତାଙ୍କର ଜନ୍ମସିଦ୍ଧ ଅଧିକାର ଓ ସବୁ ଆବଶ୍ୟକତା ପୂରଣ କରିବା ସ୍ଥାନୀୟ ସାମ୍ବାଦିକଟିର ପରମ କର୍ତ୍ତବ୍ୟ! ବିଚରା ସ୍ଥାନୀୟ ରିପୋର୍ଟର୍‌ଟି ତା’ର ଦୁଃଖ କାହାରିକୁ କହି ପାରେନାହିଁ କି କର୍ତ୍ତୃପକ୍ଷଙ୍କୁ ଜଣାଇ ଏହାର ପ୍ରତିବାଦ ମଧ୍ୟ କରି ପାରେ ନାହିଁ, କାରଣ ସେ ଭଲଭାବେ ଜଣେ ଯେ ଏ ବ୍ୟବସ୍ଥା ତାଙ୍କରି ଇଚ୍ଛା, ସହମତି ଓ ଅନୁମୋଦନ କ୍ରମେ ଚାଲିଛି।
କେବଳ ନିର୍ବାଚନ ବେଳେ ତାରକା ରିପୋର୍ଟର୍‌ଙ୍କ ଆବିର୍ଭାବ ହେଉଥିଲେ ହୁଏତ ତାକୁ ସେ ହଜମ କରି ନିଅନ୍ତା, କାରଣ ନିର୍ବାଚନ ପାଞ୍ଚ ବର୍ଷରେ ଥରେ ହୁଏ। କିନ୍ତୁ ଏହା ସବୁବେଳେ ଘଟି ଚାଲିଥାଏ। ଯେତେବେଳେ ବି ତା’ ଅଞ୍ଚଳରେ କିଛି ବଡ଼ ଘଟଣା ବା ଦୁର୍ଘଟଣା – ଯଥା ବନ୍ୟା, ବାତ୍ୟା, କୌଣସି ବଡ଼ ଦୁର୍ଘଟଣା – ଘଟେ, ତାକୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ସେହିପରି କେବଳ ନିଜ ସଂସ୍ଥାର ତାରକାମାନଙ୍କର ଅଭ୍ୟର୍ଥନା କଲେ ହୁଏତ ଚଳିଯାଆନ୍ତା। କିନ୍ତୁ ଅନେକ ସମୟରେ ତାକୁ ଅନ୍ୟ ବଡ଼ ସଂସ୍ଥାର ‘ସେଲିବ୍ରିଟି’ମାନଙ୍କର ବି ଚର୍ଚ୍ଚା କରିବାକୁ ପଡ଼ିଥାଏ; ତା’ ବି ପ୍ରାୟତଃ ମାଗଣା। ଆପଣ ହୁଏତ ପ୍ରଶ୍ନ କରିବେ ସ୍ଥାନୀୟ ରିପୋର୍ଟର ଅନ୍ୟ ସଂସ୍ଥାର ତାରକାମାନଙ୍କର ସେବା, ଚର୍ଚ୍ଚା କରେ କାହିଁକି? ତାଙ୍କୁ ମନା କରି ଦିଏନି କାହିଁକି? କିନ୍ତୁ ବୃତ୍ତିରେ ଥିବା ଲୋକ ହିଁ ବୁଝି ପାରିବ ଯେ ସେ କାହିଁକି ସେମାନଙ୍କୁ ମନା କରି ପାରେନି। ଅନେକ ସମୟରେ ସ୍ଥାନୀୟ ରିପୋର୍ଟର୍‌ଟି ସୌଜନ୍ୟ ଦୃଷ୍ଟିରୁ ତାରକା ସାମ୍ବାଦିକଙ୍କୁ ସାହାଯ୍ୟ କରିବାକୁ ମନା କରିପାରେ ନାହିଁ। କେତେକ କ୍ଷେତ୍ରରେ କାଳେ ଭବିଷ୍ୟତରେ ସେମାନଙ୍କ ଠାରୁ କୌଣସି ସାହାଯ୍ୟ ମିଳିବ ସେଇ ଆଶାରେ ସେ ମନା କରିପାରେ ନାହିଁ। ଆଉ କେତେକ କ୍ଷେତ୍ରରେ ସେ ନିଜେ ହୀନମନ୍ୟତାର ଶିକାର ହୋଇ ଏଭଳି କରିପାରେ ନାହିଁ।
ଏଭଳି ବ୍ୟବସ୍ଥା କେବେ ଆରମ୍ଭ ହେଲା, କିଏ ଆରମ୍ଭ କଲା, ଏହି ପ୍ରତିବେଦକ ଜାଣି ନାହିଁ। କିନ୍ତୁ ଏତିକି ଜାଣିଛି ଯେ କାଳ କାଳରୁ ଏହା ଚାଲି ଆସିଛି ଏବଂ ଏହା ସ୍ଥାନୀୟ ରିପୋର୍ଟର ପ୍ରତି ଘୋର ଅନ୍ୟାୟ ଓ ଅବିଚାର। ଆମ ବୃହତ୍ତର ସମାଜ ପରି ଗଣମାଧ୍ୟମରେ ମଧ୍ୟ ଏକ ପ୍ରକାର ଶ୍ରେଣୀ ବିଭାଜନ (କ୍ଲାସ୍‌ ଡିଭାଇଡ୍‌) ଅଛି, ଯେଉଁଥିରେ ମୁଖ୍ୟାଳୟରେ କର୍ମରତ ସାମ୍ବାଦିକ ସମ୍ଭ୍ରାନ୍ତ ଶ୍ରେଣୀର ଓ ତୃଣମୂଳ ସ୍ତରରେ କାର୍ଯ୍ୟରତ ସାମ୍ବାଦିକ ଶ୍ରମିକ ଶ୍ରେଣୀର। ଏ ବ୍ୟବସ୍ଥା ଯେ ଏହି ଶ୍ରେଣୀ ବିଭାଜନକୁ ବଞ୍ଚାଇ ରଖିଛି ଓ ଏହାକୁ ଆହୁରି ଦୃଢ଼ୀଭୂତ କରୁଛି, ଏଥିରେ ସନ୍ଦେହ ନାହିଁ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଆଜିକାଲି ପ୍ରାୟ ସବୁ ଗଣମାଧ୍ୟମ ଚରମ ଆର୍ଥିକ ଦୁର୍ଦ୍ଦିନ ଭିତର ଦେଇ ଗତି କରୁଥିଲା ବେଳେ, ବ୍ୟାପକ ସ୍ତରରେ କର୍ମଚାରୀ ଛଟେଇ ଓ ଖର୍ଚ୍ଚକାଟ କରୁଥିଲା ବେଳେ ବି ଏ ଅନ୍ୟାୟ, ଅବିବେକୀ ଓ ପକ୍ଷପାତପୂର୍ଣ୍ଣ ବ୍ୟବସ୍ଥା ବଳବତ୍ତର ରହିଛି।
କହିବା ବାହୁଲ୍ୟ, ଏ ଘୃଣ୍ୟ ବ୍ୟବସ୍ଥା ଯଥାଶୀଘ୍ର ଉଚ୍ଛେଦ ହେବା ଜରୁରୀ। ଏହାଦ୍ବାରା କେବଳ ସ୍ଥାନୀୟ ସାମ୍ବାଦିକର ନୁହେଁ, ବରଂ ସାମଗ୍ରିକ ଭାବେ ଗଣମାଧ୍ୟମର ମଧ୍ୟ ମଙ୍ଗଳ ହେବ।
ମୋ: ୯୯୩୭୨୨୮୧୨୨

ସମ୍ବନ୍ଧିତ ଖବର