୧୮୮୧ ମସିହାରେ କଲିକତାରୁ ଫେରି କଟକକୁ ନିଜ କର୍ମକ୍ଷେତ୍ର ଭାବରେ ଗ୍ରହଣ କରିଥିଲେ ହେଁ ପୁରୀ ପ୍ରତି ମଧୁସୂଦନଙ୍କ ହୃଦୟରେ ଥିଲା ଅପ୍ରମିତ ଅନୁରାଗ। ସେ କାଳର କଟକ ଓଡ଼ିଶା ଶାସନର କେନ୍ଦ୍ର ତ ଶିକ୍ଷା, ସଂସ୍କୃତି ଓ ବାଣିଜ୍ୟ ବ୍ୟବସାୟର ପେଣ୍ଠସ୍ଥଳୀ। ତେବେ ପୁରୀ ଯେ ଓଡ଼ିଶାର ଗୌରବୋଜ୍ଜ୍ୱଳ ଇତିହାସ ଓ ସମୃଦ୍ଧ ଐତିହ୍ୟର ମନୋଜ୍ଞ ମୁଖଶାଳା! ମହାପ୍ରଭୁ ଓ ମହୋଦଧି ଯେ ଓଡ଼ିଆ ଜନଜୀବନର ଚିରନ୍ତନ ପ୍ରାଣୋଚ୍ଛ୍ୱାସ! ଜାତି ଇତିହାସକୁ ଜାତିର ନିର୍ଝର ମଣୁଥିବା ଇତିହାସ-ମନସ୍କ ମଧୁବାବୁ ପୁରୀଠାରୁ ଦୂରେଇ ରହିପାରନ୍ତେ କିପରି? ପୁରୀ ଥିଲା ତାଙ୍କର ପ୍ରିୟ ସହର, ଅତି ଆପଣାର।
ପ୍ରଥମେ ପୁରୀ ଶ୍ରୀନଅରକୁ ଆସିଥିଲେ ମଧୁବାବୁ, ରାଜମାତା ସୂର୍ଯ୍ୟମଣି ପାଟମହୋଦେଈଙ୍କ ଆମନ୍ତ୍ରଣ କ୍ରମେ। ଆମନ୍ତ୍ରଣର ହେତୁ ଥିଲା ମଧୁବାବୁଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଧାନିକ ବିଚାରବିମର୍ଶ। ସେ ବେଳରେ ତାଙ୍କ ପୁତ୍ର ରାଜା ଦିବ୍ୟସିଂହ ଦେବ କଳାପାଣି ଦଣ୍ଡ ଭୋଗୁଥିଲେ ଦୂର ଦ୍ୱୀପ ଆଣ୍ଡାମାନରେ। ରାଜମାତା ତାଙ୍କ ନାବାଳକ ପୌତ୍ର ଜଗନ୍ନାଥ ଜେନାମଣିଙ୍କୁ ମୁକୁନ୍ଦଦେବ ନାମ ଦେଇ ରାଜପଦ ଅର୍ପଣ କରିଥିଲେ। କିନ୍ତୁ ସରକାର ତାହା ଗ୍ରହଣ କରି ନ ଥିଲେ। ରାଜା ବିନା ରାଜ୍ୟ ଶାସନ ନୁହେଁ, ମନ୍ଦିର ପରିଚାଳନା ଥିଲା ବଡ଼ ପ୍ରଶ୍ନ। ତା’ଠାରୁ ବଡ଼ ପ୍ରଶ୍ନ ଥିଲା କଲିକତା ହାଇକୋର୍ଟରେ କେସ୍ ଲଢ଼ିବା। ରାଜମାତା ପର୍ଦ୍ଦା ଆଢୁଆଳରେ ଥାଇ ରାଜବଂଶର ସୁରକ୍ଷା, ବଡ଼ଠାକୁରଙ୍କ ଗରିମା ଓ ଓଡ଼ିଶାର ଟେକ ରଖିବା ପାଇଁ ମଧୁବାବୁଙ୍କୁ ଅନୁରୋଧ କରିଥିଲେ।
ରାଜମାତାଙ୍କ ଅନୁରୋଧ ମଧୁବାବୁଙ୍କ ପାଇଁ ଥିଲା ଅଙ୍ଗୀକାର। ସେ ତନ୍ନ ତନ୍ନ କରି ରାଜବଂଶର ଇତିହାସ, ପରମ୍ପରା, ଶାସ୍ତ୍ରାଦିରେ ପୂଜାର୍ଚ୍ଚନା ସଂକ୍ରାନ୍ତ ଉଲ୍ଲେଖସବୁକୁ ପଢ଼ିଲେ, ବୁଝିଲେ ଓ ବୁଝାଇବାକୁ ସକ୍ଷମ ହେଲେ। ବିଚକ୍ଷଣ ମଧୁସୂଦନ ଦୁଇ ଜଣ ବରିଷ୍ଠ ଇଂରେଜ ବାରିଷ୍ଟର ଜେ.ଟି. ଉଡରୋଫ୍ ଓ ମିଷ୍ଟର ସେଣ୍ଡେଲ୍ଙ୍କୁ ମକଦ୍ଦମାରେ ସଂପୃକ୍ତ କରିଥିଲେ। ସେ ମକଦ୍ଦମା ଜିତିଲେ। ତା’ ପରେ ବାଦୀ ଓଡ଼ିଶା କମିଶନର ଏବଂ ପ୍ରତିବାଦୀ ରାଜମାତାଙ୍କ ଓକିଲ ମଧୁବାବୁଙ୍କ ମଧ୍ୟରେ ଚୁକ୍ତି ହେଲା। ଦଶ ବର୍ଷର ବାଳକ ମୁକୁନ୍ଦଦେବ ରାଜପଦ ପାଇଲେ ଏବଂ ତାଙ୍କ ତରଫରୁ ମନ୍ଦିର ପରିଚାଳନା କଲେ ରାଜମାତା। ସେଥିରେ ରାଜମାତା ଖୁସି ହୋଇ ମଧୁବାବୁଙ୍କୁ ପୁରୀ ଡକାଇଥିଲେ। ପାଲିଙ୍କି ଯୋଗେ ମଧୁବାବୁ ପୁରୀ ଯିବା ବାଟରେ ବିଭିନ୍ନ ସ୍ଥାନରେ ତାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସାକ୍ଷୀଗୋପାଳ ଠାରୁ ବିରାଟ ଶୋଭାଯାତ୍ରାରେ ନିଆଯାଇଥିଲା ପୁରୀ। କେତେଜଣ ଉତ୍ସାହୀ ଯୁବକ ତାଙ୍କୁ କାନ୍ଧରେ ବସାଇ ଶ୍ରୀନଅର ପର୍ଯ୍ୟନ୍ତ ଟେକି ଟେକି ନେଇଥିଲେ। ଏହି ମକଦ୍ଦମାରେ ଜିତିଲା ପରେ ତାଙ୍କ ଯଶକେତନ ଲମ୍ବି ଯାଇଥିଲା କଟକରୁ କଲିକତା ଯାଏ। ଏହା ଊନବିଂଶ ଶତାବ୍ଦୀର ଶେଷ ଦୁଇ ଦଶକର କଥା। ସେହି ସମୟ ମଧ୍ୟରେ ଅନେକଥର ପୁରୀ ରଥଯାତ୍ରାରେ ଯୋଗଦେଇଛନ୍ତି ମଧୁବାବୁ। ‘ଉତ୍କଳ ଦୀପିକା’ର ରିପୋର୍ଟ ଅନୁସାରେ ସେ ୧୮୯୨ ଓ ୧୮୯୩ ରଥଯାତ୍ରାରେ ଅଂଶଗ୍ରହଣ କରିଥିଲେ। ୧୮୯୩ ରଥଯାତ୍ରାରେ ସେ ସୁଭଦ୍ରାଙ୍କ ରଥ ଟାଣୁଥିବା ସମ୍ବାଦ ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ରାଜାଙ୍କ ପରାମର୍ଶଦାତା ଭାବରେ ରଥଯାତ୍ରା ଓ ମନ୍ଦିର ପରିଚାଳନାରେ ମଧ୍ୟ ମଧୁବାବୁଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
୧୯୦୪ ମସିହାରେ ମଧୁସୂଦନଙ୍କ ପୁରୀ ଆଗମନ ଥିଲା ଐତିହାସିକ। ସେତେବେଳକୁ ସେ ଓଡ଼ିଆ ଅସ୍ମିତାର ମହାକାଣ୍ଡାରି, ଭାରତର ଅଗ୍ରଣୀ ଜାତୀୟତାବାଦୀ ଜନନାୟକ। ଏଥର ରଥ ଟାଣିବା ପାଇଁ ବା ରାଜାଙ୍କୁ ଆଇନଗତ ପରାମର୍ଶ ଦେବା ପାଇଁ ସେ ପୁରୀ ଆସି ନ ଥିଲେ, ଆସିଥିଲେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପାଇଁ। ଜଗନ୍ନାଥ ବଲ୍ଲଭରେ ଅନୁଷ୍ଠିତ ଜନସମାବେଶରେ ମଧୁବାବୁ ‘ସ୍ୱଦେଶୀ’ର ଉପକାରିତା ବିଷୟରେ ଭାଷଣ ଦେଇଥିଲେ। ସେହି ସଭାର ପ୍ରତ୍ୟକ୍ଷଦର୍ଶୀ ପଣ୍ଡିତ ନୀଳକଣ୍ଠ ଦାସ ସ୍ମୃତିଚାରଣ କରି ଲେଖିଛନ୍ତି ଯେ ବଙ୍ଗଭଙ୍ଗ ପରିପ୍ରେକ୍ଷୀରେ ବଙ୍ଗଭୂମିରେ ସ୍ୱଦେଶୀ ଆନ୍ଦୋଳନ ହେବାର ବର୍ଷକ ପୂର୍ବରୁ ମଧୁବାବୁ ଦେଶବାସୀଙ୍କୁ ସ୍ୱଦେଶୀ ମନ୍ତ୍ର ଶୁଣାଇଥିଲେ। ମଧୁସୂଦନ ଯେ ଦେଶରେ ସ୍ୱଦେଶୀ ଚିନ୍ତାର ଆଦ୍ୟ ଉଦ୍ଗାତା, ଏହା ଅବିସମ୍ବାଦିତ।
‘ଉତ୍କଳ ସମ୍ମିଳନୀ’ର ତିନିଟି ଅଧିବେଶନ ଆୟୋଜିତ ହୋଇଥିଲା ପୁରୀ ସହରରେ। ୧୯୦୮ ମସିହା ଏପ୍ରିଲ୍ ମାସରେ ଉତ୍କଳ ସମ୍ମିଳନୀର ପଞ୍ଚମ ସତ୍ର ଅନୁଷ୍ଠିତ ହୋଇଥିବା ବେଳେ ୧୯୧୩ ମସିହା ଡିସେମ୍ବର ମାସରେ ସ୍ୱୟଂ ମଧୁସୂଦନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ସମ୍ମିଳନୀର ନବମ ଅଧିବେଶନ। ଚନ୍ଦ୍ରଶେଖର ବେହେରାଙ୍କ ଅଧ୍ୟକ୍ଷତାରେ ୧୯୧୯ ମସିହାରେ ପୁରୀରେ ପୁନଶ୍ଚ ଆୟୋଜିତ ହୋଇଥିଲା ସମ୍ମିଳନୀର ପଞ୍ଚଦଶ ଅଧିବେଶନ। ଏ ସବୁର ଆୟୋଜନ ନିମନ୍ତେ ତାଙ୍କୁ ଏକାଧିକବାର ପୁରୀ ଆସିବାକୁ ପଡ଼ିଥିଲା। ୧୯୨୬ ମସିହାରେ ଉତ୍କଳ ଟ୍ୟାନେରି ବିଷୟରେ ଆଲୋଚନା କରିବା ପାଇଁ ସେ ଶ୍ରୀନଅରକୁ ଆସି ରାଜା ରାମଚନ୍ଦ୍ର ଦେବଙ୍କୁ ସାକ୍ଷାତ କରିଥିଲେ।
ସ୍ଥୂଳ ଭାବରେ ପୁରୀ ଆଗମନ ଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ମଧୁବାବୁଙ୍କର ପୁରୀ ସହିତ ଭାବଗତ ସମ୍ପର୍କ। ସେ ଜାଣିଥିଲେ ଯେ ସୁପ୍ତ ଜାତିକୁ ଜାଗ୍ରତ କରିବାକୁ ହେଲେ ଏକ ପ୍ରମୂର୍ତ୍ତ ପ୍ରତୀକ ଅପରିହାର୍ଯ୍ୟ। ଶ୍ରୀଜଗନ୍ନାଥଙ୍କ ଛଡ଼ା ଓଡ଼ିଆ ଜାତିର ପ୍ରତିଭୂ ଆଉ କିଏ? ବାଲ୍ ଗଙ୍ଗାଧର ତିଳକ ‘ଗଣପତି ଉତ୍ସବ’ ମାଧ୍ୟମରେ ତ ଅରବିନ୍ଦ ଘୋଷ ‘ଭବାନୀ ପୂଜନ’ ଜରିଆରେ ଯଥାକ୍ରମେ ବମ୍ବେ ଓ କଲିକତାରେ ଜନଜାଗରଣକୁ ତୀବ୍ର କରିଥିଲେ। ଓଡ଼ିଶାରେ ଜଗନ୍ନାଥ ଆରାଧନା ସୁପ୍ରାଚୀନ। ପୁଣି ଦ୍ୱାଦଶ ଶତାବ୍ଦୀରୁ ମହାପ୍ରଭୁ ଓଡ଼ିଶାର ରାଜାଧିରାଜ, ରାଜାମାନେ ରାଉତ। ସେହିପରି କାଞ୍ଚି ଅଭିଯାନ ଠାରୁ ପାଇକ ବିଦ୍ରୋହ ପର୍ଯ୍ୟନ୍ତ ସବୁଠି ତ ଜଗନ୍ନାଥ ଓଡ଼ିଆ ଜାତିର ଅପ୍ରିତମ ପ୍ରତିମା। ମଧୁବାବୁ ଯେ କେବଳ ଇତିହାସ ବୁଝିଥିଲେ ତା’ ନୁହେଁ, ଧର୍ମ ଓ ସଂସ୍କୃତି ମଧ୍ୟରେ ଥିବା ସୂକ୍ଷ୍ମ ପ୍ରଭେଦକୁ ଭେଦ କରିଥିଲେ ମଧ୍ୟ। ତେଣୁ ସେ ଓଡ଼ିଆ ଜାତିର ମର୍ମକୁ ଛୁଇଁଲା ପରି ଲେଖିଥିଲେ ଗୀତ: “କୋଟିଏ ଓଡ଼ିଆ ଗୋଟିଏ ସ୍ୱରରେ ଡାକ ତ୍ରାହି ଜଗନ୍ନାଥ।” ଜାତିକୁ ନନ୍ଦିଘୋଷ ଆଖ୍ୟା ଦେଇ ଗାଇଥିଲେ, “ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ।”
ସାରା ଓଡ଼ିଶାକୁ ଶ୍ରୀକ୍ଷେତ୍ର କରି, ଜାତୀୟ ସ୍ୱାଭିମାନକୁ କରି ବଡ଼ଦାଣ୍ଡ, ଜାତି ନନ୍ଦିଘୋଷ ଆଗକୁ ଟାଣିଥିଲେ ମଧୁବାବୁ। ସେଥିପାଇଁ ସିନା ହିମାଚଳ ତଳେ ଉନ୍ନତ ଆଜି ଓଡ଼ିଆ ଜାତିର ମଥା!
ମୋ: ୯୪୩୭୧୪୩୮୯୬
ବହୁବଚନ: ଶ୍ରୀକ୍ଷେତ୍ରେ ବାବୁ ଶ୍ରୀମଧୁସୂଦନ
ବିଜୟ ନାୟକ
/sambad/media/post_attachments/wp-content/uploads/2024/04/dgjdgjdgjgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)